Unknown

 

 

 

 

 

 

 

 

 

 

ପ୍ରେମ ଓ ହତ୍ୟା

ମୂଳ ଲେଖକ : ଶ୍ରୀ କେ.ଏଲ୍‌. ଗୱା

ଅନୁବାଦ : ଶ୍ରୀ ରମାକାନ୍ତ ମିଶ୍ର

 

ସୂଚୀପତ୍ର

 

୧.

ଫୁଲମ୍‌-କ୍ଲର୍କ ରୋମାନ୍‌ସ

୨.

ସାମସଦ୍‌ ବାଈ ହତ୍ୟାକାଣ୍ଡ

୩.

ସମ୍ପତ୍ତି କୋଏରାଙ୍କ ଆତ୍ମବଳୀ

୪.

ବିନୟେନ୍ଦ୍ର ଚନ୍ଦ୍ର ପାଣ୍ଡେ ମକଦ୍ଦମା

୫.

ଲାଲ ସିଂହ ହତ୍ୟାକାଣ୍ଡ

୬.

ରାଣୀ ଭଗବାନ କାଉରଙ୍କ ମକଦ୍ଦମା

୭.

ଦିୱାନ ମୁଲରାଜଙ୍କ ବିଚାର

୮.

ସେଣ୍ଟ୍ରାଲ ଜେଲର କେତେକ ଚରିତ୍ର

୯.

ବାଲ୍ୟ ପତ୍ନୀ

୧୦.

ହୋମିସାଇଡ଼ ହତ୍ୟା ଅପରାଧ ନୁହେଁ

୧୧.

ୟାସିନ୍‌ ଏବଂ ସାହେବ ମକଦ୍ଦମା

୧୨.

ଅନନ୍ତ ରୁର୍ଣ୍ଣାଡ଼ଗର ଅଦ୍ଭୁତ ଘଟଣା

୧୩.

ବାୱାଲା ହତ୍ୟାକାଣ୍ଡ

୧୪.

ନାନାବତୀ ମକଦ୍ଦମା

Image

 

ଫୁଲମ୍-କ୍ଲର୍କ ରୋମାନ୍‌ସ

 

ପ୍ରେମପତ୍ର ସାଇତି ରଖିବା କିଭଳି ବିପଜ୍ଜନକ ତାହା ଫୁଲମ୍‌-କ୍ଲର୍କ ହତ୍ୟା ମକଦ୍ଦମାର ଶୁଣାଣି ବେଳେ ଅତି ସ୍ପଷ୍ଟଭାବେ ପ୍ରକଟିତ ହୋଇଥିଲା । ଆକସ୍ମିକ ଭାବେ ଶ୍ରୀମତୀ ଫୁଲମ୍‌ଙ୍କ ଲିଖିତ କେତେକ ପ୍ରେମପତ୍ର ଧରାପଡ଼ିବା ପରେ ଏହାକୁ ଭିତ୍ତିକରି ଭାରତୀୟ ଅପରାଧ ଇତିହାସର ଦୁଇଟି ଅତି ଜଘନ୍ୟ ଓ ନୃଶଂସ ହତ୍ୟାକାଣ୍ଡର ରହସ୍ୟ ଉଦ୍‌ଘାଟନ ସମ୍ଭବ ହୋଇଥିଲା-। ଏହି ହତ୍ୟାକାଣ୍ଡରେ ଜଡ଼ିତ ଥିବା ଲେଫ୍‌ନାଣ୍ଟ କ୍ଲର୍କ ଓ ଶ୍ରୀମତୀ ଫୁଲମ୍‌ଙ୍କ ପ୍ରେମ ବା ପାପ ପ୍ରଣୟ ଆଜି ହୁଏତ ଅତୀତର ଏକ କାହାଣୀରେ ପରିଣତ ହୋଇ ଯାଇଛି ଏବଂ ତାହା କୌଣସି ଲୋକର ମନରେ ପୁଲକ ସୃଷ୍ଟି କରୁନାହିଁ; କିନ୍ତୁ ୧୯୧୩ ଓ ୧୯୧୪ ମସିହାରେ ଏହା ଥିଲା ଜନସାଧାରଣଙ୍କର ପ୍ରଧାନ ଚର୍ଚ୍ଚାର ବିଷୟ ।

 

୧୯୦୯ ମସିହାରେ ମିରଟରେ ଫୁଲମ୍ ଓ କ୍ଲର୍କ ଦମ୍ପତିଙ୍କ ମଧ୍ୟରେ ସାକ୍ଷାତ ହେବା ପରେ ଘଟଣାର ଅୟମାରମ୍ଭ ହେଲା । ରାଜନୈତିକ ଓ ପ୍ରେମ ସମ୍ପର୍କୀୟ ଷଡ଼ଯନ୍ତ୍ର ପାଇଁ ଭାରତରେ ମିରଟର ପ୍ରସିଦ୍ଧି ଥାଏ । ସେତେବେଳେ ଏଡ଼ୱାର୍ଡ଼ ଫୁଲମ୍‌ଙ୍କ ବୟସ ହୋଇଥାଏ ୪୪ ବର୍ଷ ଏବଂ ମିରଟରେ ସେ ସାମରିକ ଆକାଉଣ୍ଟ ବିଭାଗରେ ଡେପୁଟି କଣ୍ଟ୍ରୋଲର ରୂପେ କାର୍ଯ୍ୟ କରୁଥାନ୍ତି । ଲେଫନାଣ୍ଟ କ୍ଲର୍କ ମଧ୍ୟଭାରତୀୟ ମେଡ଼ିକାଲ ସର୍ଭିସରେ ଯୋଗଦେଇ ସେହିଠାରେ ନିଯୁକ୍ତି ପାଇଥାନ୍ତି । ଫୁଲମ୍ ଓ କ୍ଲର୍କ ଦମ୍ପତିଙ୍କ ଚରିତ୍ରରେ ବହୁ ବୈଷମ୍ୟ ଥାଏ । କ୍ଲର୍କ ଥିଲେ ଜଣେ ସାଧାରଣ ଓ ସାଧାସିଧା ଲୋକ ଏବଂ ତାଙ୍କର ସେଭଳି କୌଣସି ଅସାଧାରଣ ବୁଦ୍ଧି, ପ୍ରତିପତ୍ତି ନ ଥିଲା କି କୌଣସି ଉଚ୍ଚ କୁଳରେ ସେ ଜନ୍ମ ହୋଇନଥିଲେ । ଅନ୍ୟପକ୍ଷରେ ଶ୍ରୀ ଫୁଲମ୍‌ଙ୍କଠାରେ ଉପରୋକ୍ତ ତିନୋଟି ବିଶିଷ୍ଟ ଗୁଣର ସମନ୍ୱୟ ଘଟିଥିଲା । ସମାଜର ପ୍ରତ୍ୟେକ କ୍ଷେତ୍ରରେ ସେ ଥିଲେ ଜଣେ ସମ୍ମାନିତ ବ୍ୟକ୍ତି ।

 

ଆଗାଥା ଫୁଲମ୍‌ ବୟସରେ ତାଙ୍କ ସ୍ୱାମୀଙ୍କ ଠାରୁ ଆଠ ବର୍ଷ ସାନ ଥିଲେ ଏବଂ ମାତ୍ର ୧୩ ବର୍ଷ ବୟସରେ ଶ୍ରୀ ଫୁଲମ୍‌ଙ୍କୁ ବିବାହ କରିଥିଲେ । ସେ କଲିକତାରେ ଜନ୍ମ ହୋଇଥିଲେ ଏବଂ ତାଙ୍କର ଶିକ୍ଷାଦୀକ୍ଷା ମଧ୍ୟ ସେଠାରେ ହୋଇଥିଲା । ପ୍ରାଚ୍ୟରେ ‘ଆପଲ’ ଓ ବନିତାମାନେ ଶୀଘ୍ର ପରିପକ୍ୱ ହୁଅନ୍ତି ବୋଲି ପ୍ରବାଦ ଅଛି । ଏହାସତ୍ତ୍ଵେ ଫୁଲମ୍‌ଙ୍କୁ ଅତି ଅଳ୍ପ ବୟସରୁ କୁମାରୀ ଅବସ୍ଥାରୁ ଜୀବନର ରହସ୍ୟ ଭେଦ କରିବାକୁ ପଡ଼ିଥିଲା । ସମୟ କ୍ରମେ ଆଗାଥାଙ୍କ ସୌନ୍ଦର୍ଯ୍ୟ ବିକଶିତ ହୋଇ ତାଙ୍କୁ ଜଣେ ସୁନ୍ଦରୀ ତନ୍ୱୀରେ ପରିଣତ କଲା; କିନ୍ତୁ ତାଙ୍କପାଇଁ ଜୀବନର ଅର୍ଥ ଥିଲା ଅତି ସୀମିତ । କେବଳ ନିଜପାଇଁ ହିଁ ସେ ବଞ୍ଚି ରହିଥିଲେ କହିଲେ ଚଳେ । ଅନ୍ୟପକ୍ଷରେ, ଶ୍ରୀମତୀ କ୍ଲର୍କ ବୟସରେ ତାଙ୍କ ସ୍ଵାମୀଙ୍କଠାରୁ ଢେର ବଡ଼ ଥିଲେ ଏବଂ ତାଙ୍କର ପ୍ରକୃତି ଥିଲା ଅତି ଶାନ୍ତ । ସେ ସର୍ବଦା ନିଜର ବାରବୁଲା ସ୍ୱାମୀ ଓ ପିଲାମାନଙ୍କର ଜଞ୍ଜାଳରେ ବୁଡ଼ି ରହୁଥିଲେ । ନୀରବରେ ସବୁକିଛି ଅନ୍ୟାୟକୁ ସେ ମୁଣ୍ଡପାତି ସହି ନେଉଥିଲେ ।

 

ଫୁଲମ୍ ଓ କ୍ଲର୍କ ଦମ୍ପତି ପରସ୍ପରକୁ ଭେଟିବାର ବର୍ଷକ ପରେ ଶ୍ରୀମତୀ ଫୁଲମ୍‌ଙ୍କର ଏକ ସନ୍ତାନ ଜାତ ହେଲା । ଏହା ଅବଶ୍ୟ ତାଙ୍କର ପ୍ରଥମ ସନ୍ତାନ ନ ଥିଲା ଏବଂ ଭାରତୀୟ ମେଡ଼ିକାଲ ସର୍ଭିସର ଡାକ୍ତର ଲେଫନାଣ୍ଟ କ୍ଲର୍କ ଶ୍ରୀମତୀ ଫୁଲମ୍‌ଙ୍କ ଚିକିତ୍ସା ଦାୟିତ୍ୱରେ ରହିଥିଲେ । ଏହିଭଳି ଏକ ପରିବେଶରେ ହିଁ ପ୍ରସୂତି ଓ ଚିକିତ୍ସକଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା ଏବଂ ଆଗାଥା ଫୁଲମ୍‌ ଶ୍ରୀ କ୍ଲର୍କଙ୍କ ସହ ଅସ୍ଵାଭାବିକ ଭାବେ ପ୍ରେମ ପାଶରେ ଆବଦ୍ଧ ହେଲେ । ଚିକିତ୍ସାପରେ ଆଗାଥାଙ୍କ ଦେହ ଭଲ ହୋଇଗଲା; କିନ୍ତୁ ପ୍ରେମ ବ୍ୟାଧିରୁ ସେ ଆଉ ମୁକ୍ତି ପାଇଲେ ନାହିଁ ।

 

କିଛିଦିନ ପରେ ୧୯୧୦ ମସିହା ନଭେମ୍ବର ମାସରେ ଶ୍ରୀ କ୍ଲର୍କ ମିରଟରୁ ଦିଲ୍ଲୀକୁ ବଦଳି ହୋଇ ଗଲେ; କିନ୍ତୁ ମିରଟ ଓ ଦିଲ୍ଲୀର ଦୂରତା ବେଶୀ ନ ଥିଲା । ଏହି ଦୂରତା ହିଁ ଉଭୟଙ୍କୁ ଅଧିକ ଭାବେ ବାନ୍ଧି ରଖିଲା । ଦିଲ୍ଲୀରୁ କ୍ଲର୍କ ଆଗ୍ରାକୁ ବଦଳି ହେଲେ । ଦିଲ୍ଲୀ ହେଉ ବା ଆଗ୍ରା ହେଉ ଯେଉଁଠି ରହିଲେ ବି ମିରଟ ଆସିବା ପାଇଁ କ୍ଲର୍କଙ୍କର ସମୟର ଅଭାବ ନ ଥାଏ । ଶ୍ରୀ ଫୁଲମ୍‌ ମଧ୍ୟ କିଛି ବୋକା ନଥିଲେ । ତାଙ୍କ ସ୍ତ୍ରୀଙ୍କ ପ୍ରତି କ୍ଲର୍କଙ୍କ ଆଗ୍ରହ ତାଙ୍କର ଦୃଷ୍ଟି ଏଡ଼ାଇ ପାରିଲା ନାହିଁ-। ଅଫିସ ରେକର୍ଡ଼ ପରୀକ୍ଷା କରି ସେ ଜାଣିଲେ ଯେ, କ୍ଲର୍କ ଯେତେଥର ତାଙ୍କ ସ୍ତ୍ରୀଙ୍କୁ ଦେଖା କରିବାକୁ ଆସିଛନ୍ତି ସେଗୁଡ଼ିକ ସରକାରୀ ଗସ୍ତ ନୁହେଁ । ଏହା ଫୁଲମ୍‌ଙ୍କୁ କ୍ରୁଦ୍ଧ ଓ ଈର୍ଷାନ୍ୱିତ କରି ପକାଇଲା ।

 

ତାର ପରବର୍ତ୍ତୀ ଜୁନ୍‌ ମାସରେ ଫୁଲମ୍‌ ହଠାତ୍ ଅସୁସ୍ଥ ହୋଇପଡ଼ି ଛୁଟି ନେବାକୁ ବାଧ୍ୟ ହେଲେ । ସେ ନିଜର ସ୍ଵାସ୍ଥ୍ୟ ପରିବର୍ତ୍ତନ କରିବାପାଇଁ କିଛି ଦିନ ସକାଶେ ମଶୋରୀ ଗଲେ; କିନ୍ତୁ ସେଠାରେ ମଧ୍ୟ ତାଙ୍କ ଅବସ୍ଥାର କୌଣସି ପରିବର୍ତ୍ତନ ହେଲା ନାହିଁ । ତେଣୁ ସେ ପୁଣି ମିରଟକୁ ଫେରି ଆସିଲେ । ଜୁଲାଇ ୨୭ ତାରିଖରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ‘ହିଟଷ୍ଟ୍ରୋକ’ ବା ଅତ୍ୟଧିକ ଗ୍ରୀଷ୍ମତାପଜନିତ ରୋଗଦ୍ଵାରା ଆକ୍ରାନ୍ତ ହୋଇଛନ୍ତି ବୋଲି ମତ ଦେଲେ । ସେଥରକ ସେ ଭଲ ହୋଇଗଲେ ମଧ୍ୟ ଆଉ କାମ କରିପାରିଲେ ନାହିଁ । ସେପ୍ଟେମ୍ବର ୨ ତାରିଖରେ ମେଡ଼ିକାଲ ବୋର୍ଡ଼ ତାଙ୍କୁ ପରୀକ୍ଷା କରି ସେ କାର୍ଯ୍ୟ କରିବାପାଇଁ ସମ୍ପୂର୍ଣ୍ଣ ଅକ୍ଷମ ବୋଲି ଘୋଷଣା କଲେ ଏବଂ ଶ୍ରୀ ଫୁଲମ୍‌ ଏଣିକି ଅବସର ନେବା ଉଚିତ ବୋଲି ପରାମର୍ଶ ଦେଲେ । ନିଜର ଅବସର ଜୀବନ ଯାପନ କରିବାପାଇଁ ଶ୍ରୀ ଫୁଲମ୍‌ ଇଂଲଣ୍ଡକୁ ଫେରିଯିବେ ବୋଲି ପ୍ରଥମେ ମନସ୍ଥ କରିଥିଲେ । କିନ୍ତୁ ପରେ ସେ ଅବଶିଷ୍ଟ ଜୀବନ ଆଗ୍ରାରେ କଟାଇବା ପାଇଁ ସ୍ଥିର କଲେ । ଆଗ୍ରାକୁ ଆସିବାର ମାତ୍ର ଦୁଇଦିନ ପରେ ଅକ୍ଟୋବର ୧୨ ତାରିଖ ଦିନ ତାଙ୍କୁ ପୁଣି ଥରେ ‘ହିଟଷ୍ଟ୍ରୋକ’ ହେଲା ଏବଂ ସେଦିନ ରାତିରେ ସେ ପ୍ରାଣତ୍ୟାଗ କଲେ । ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ଶ୍ରୀ କ୍ଲର୍କଙ୍କର ଚିକିତ୍ସାଧୀନ ଥିଲେ ଏବଂ କ୍ଲର୍କ ତାଙ୍କୁ ବରାବର ଦେଖାଚାହାଁ କରୁଥିଲେ । ଶ୍ରୀ ଫୁଲମ୍‌ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହେଲା ଏବଂ ସେ ନିଜ ସ୍ତ୍ରୀଙ୍କ ସମ୍ପର୍କରେ ଯାହା ବା କିଛି ଗୁପ୍ତ କଥା ଜାଣିଥିଲେ ସେସବୁ ତାଙ୍କ ସମାଧି ଭିତରେ ହଜିଗଲା । ଶ୍ରୀମତୀ ଆଗାଥା ସ୍ୱମୀଙ୍କ ମୃତ୍ୟୁରେ ଶୋକାକୁଳ ହୋଇ, କଳା ପୋଷାକ ପରିଧାନ କରି, ନିଜର ଶେଷ ଭକ୍ତି ଜଣାଇବାପାଇଁ ସମାଧିସ୍ଥଳକୁ ଗଲେ ଏବଂ ସ୍ଵାଭାବିକ ରୀତିରେ ସମାଧି ଉପରେ ଅଶ୍ରୁ ବିସର୍ଜନ କଲେ । ଏହା ଥିଲା ତାଙ୍କ ଜୀବନରେ ଗୋଟିଏ ଅଧ୍ୟାୟର ପରିସମାପ୍ତି । କନ୍ୟା କ୍ୟାଥୋଲିନ ଫୁଲମ୍‌ ଦୁଃଖରେ ମ୍ରିୟମାଣ ହୋଇ ପିତାଙ୍କ ପ୍ରତି ନିଜର ଶେଷ ପ୍ରଣତି ଜଣାଇବା ନିମନ୍ତେ ମାଆର ହାତ ଧରି କଇଁ କଇଁ କାନ୍ଦୁଥିଲା ।

 

ଶ୍ରୀ ଫୁଲମ୍‌ଙ୍କ ମୃତ୍ୟୁପରେ ଆସିଲା ଋତୁରାଜ ବସନ୍ତ । ବସନ୍ତର ଆଗମନରେ ଆଗ୍ରାର ରୂପସମ୍ଭାର ହୋଇ ଉଠିଲା ଖୁବ୍‌ ଚିତ୍ତାକର୍ଷକ ଓ ମନୋରମ । ଆଗାଥା କ୍ଲର୍କଙ୍କୁ ମଧ୍ୟ ଆଗ୍ରାର ରୂପବୈଭବ ମୁଗ୍‌ଧ କଲା ଏବଂ ପ୍ରାଣରେ ଭରିଦେଲା ମାଦକତା । ତାଜମହଲ ଓ ଫତେପୁର ସିକ୍ରିରେ ଜ୍ୟୋତ୍ସ୍ନାବିଧୌତ ରଜନୀର ବର୍ଣ୍ଣାଢ଼୍ୟ ପୁଷ୍ପସମ୍ଭାର ଭିତରେ ସେମାନେ ନିଜକୁ ହଜାଇଦେଲେ....ଭୁଲିଗଲେ । କଥିତ ଅଛି, ପ୍ରେମକରିବା ଏକ ମହତ୍‌ କାର୍ଯ୍ୟ, ବସନ୍ତକାଳରେ ପ୍ରେମବୀଜ ଅଙ୍କୁରିତ ହେବା ଆହୁରି ଭଲ ଏବଂ ବସନ୍ତକାଳରେ ଆଗ୍ରାରେ ପ୍ରେମମଦିରା ପାନ କରିବା ସର୍ବୋକୃଷ୍ଟ ।

 

ଫୁଲମ୍‌ କ୍ଲର୍କଙ୍କର ପ୍ରେମକଳିକା କ୍ରମେ ବିକଶିତ ହୋଇ ପ୍ରସ୍ଫୁଟିତ ହେଲା । ଲୋକେ ଉଭୟଙ୍କୁ ଦେଖି ସେମାନଙ୍କ ବିଷୟରେ ଫୁସଫାସ୍‌ ହେଲେ, କିନ୍ତୁ କିଛି ହେଲେ ସେମାନଙ୍କୁ ପ୍ରେମପଥରୁ ନିବର୍ତ୍ତାଇ ପାରିଲା ନାହିଁ । ଶ୍ରୀମତୀ ଫୁଲମ୍‌ କ୍ଲର୍କଙ୍କର ପ୍ରେମରେ ପଡ଼ି ବିୟୋଗ ଜନିତ ସମସ୍ତ ଦୁଃଖ ଭୁଲିଗଲେ । ଇତି ମଧ୍ୟରେ ମିଲିଟାରୀ ଆକାଉଣ୍ଟ ବିଭାଗରେ ଜଣେ ନୂଆ ଡେପୁଟି କଣ୍ଟ୍ରୋଲର ଆସି ଯୋଗଦେଲେ ଏବଂ ଶ୍ରୀ କ୍ଲର୍କ କ୍ୟାପଟେନ ପଦକୁ ଉନ୍ନୀତ ହେବାପାଇ ଉଦ୍ୟମ କଲେ ।

 

ଫୁଲମ୍‌ କ୍ଲର୍କଙ୍କର ପ୍ରେମଫଲ୍‌ଗୁ ଅବାରିତ ଭାବେ ବହି ଚାଲିବାରେ କୌଣସି ଅସୁବିଧା ହୋଇ ନ ଥାନ୍ତା ଯଦି ବିଚାରୀ ଶ୍ରୀମତୀ କ୍ଲର୍କ ବଞ୍ଚି ନ ଥାନ୍ତେ । ସେ ନୀରବରେ ମାସ ମାସ, ବର୍ଷ ବର୍ଷ ଧରି ଆଗାଥା ଫୁଲମ୍‌ଙ୍କ ସହ ତାଙ୍କ ସ୍ଵାମୀଙ୍କର ପ୍ରେମଲୀଳାକୁ ଦେଖି ସବୁ ସହି ଆସୁଥାଆନ୍ତି-। ଏହା ସତ୍ତ୍ୱେ ସେ ନିଜ ସ୍ଵାମୀଙ୍କ ବିଷୟରେ ନିରାଶ ହୋଇ ନଥାନ୍ତି । ଏବେ ଉଭୟଙ୍କ ପ୍ରେମପୁଷ୍ପ ପୂର୍ଣ୍ଣ ବିକଶିତ । ବିଭିନ୍ନ ଘଟଣାବଳୀ ବିଶେଷକରି ଶ୍ରୀ ଫୁଲମ୍‌ଙ୍କ ମୃତ୍ୟୁ ଉଭୟଙ୍କ ପ୍ରେମପୁଷ୍ପକୁ ଅଧିକ ବିକଶିତ ହେବାରେ ସାହାଯ୍ୟ କଲା । ତଥାପି ଶ୍ରୀମତୀ କ୍ଲର୍କ ତାଙ୍କ ସ୍ଵାମୀଙ୍କ ପ୍ରତି ପୂର୍ବଭଳି ଅନୁଗତ ଥିଲେ ।

 

ଉଭୟଙ୍କ ପ୍ରେମ ଠିକ୍ ଏତିକିରେ ହିଁ ସୀମିତ ହୋଇ ରହିଥାଆନ୍ତା; କାରଣ ଶ୍ରୀମତୀ କ୍ଲର୍କ ଏ ଅବସ୍ଥାରେ ବି ତାଙ୍କ ସ୍ଵାମୀଙ୍କୁ ଛାଡ଼ପତ୍ର ଦେଇ ଶ୍ରୀମତୀ ଫୁଲମଙ୍କ ପାଇଁ ପଥ ପରିଷ୍କାର କରିବାକୁ ଘୃଣାକ୍ଷରେ ସୁଦ୍ଧା ଚିନ୍ତା କରି ନଥିଲେ; କିନ୍ତୁ ଶ୍ରୀମତୀ ଫୁଲମ୍‌ କେଜାଣି କାହିଁକି ଶ୍ରୀମତୀ କ୍ଲର୍କଙ୍କର ନାମ, ଠିକଣା ଓ ଅନ୍ୟ ସମସ୍ତ ବିବରଣୀ ହଠାତ୍‌ ସଂଗ୍ରହ କରି ନେଲେ ।

 

୧୯୧୨ ମସିହା ନଭେମ୍ବର ୧୭ ତାରିଖ ଦିନ ଲେଫନାଣ୍ଟ କ୍ଲର୍କଙ୍କର ଘର ଭାଙ୍ଗି ଦଳେ ଚୋର ପଶିଲେ ଏବଂ ସେମାନେ ଘରର କୌଣସି ମୂଲ୍ୟବାନ ଜିନିଷପତ୍ର ନ ନେଇ ଗୃହକର୍ତ୍ତୀଙ୍କୁ ଅତି ନିର୍ମମଭାବେ ମୁଣ୍ଡଛେଚି ହତ୍ୟାକଲେ; କିନ୍ତୁ ତାଙ୍କର ପିଲାପିଲିଙ୍କର କୌଣସି କ୍ଷତି କଲେ ନାହିଁ-। ଚୋର ପଶିଲାବେଳେ ଶ୍ରୀ କ୍ଲର୍କ ତାଙ୍କର ଜଣେ ବନ୍ଧୁଙ୍କୁ ସଙ୍ଖୋଳିବାକୁ ଷ୍ଟେସନ ଯାଇଥିଲେ-

 

ଏହି ହତ୍ୟାକାଣ୍ଡ ଓ ଚୋରୀ ସଂକ୍ରାନ୍ତରେ ଶ୍ରୀ କ୍ଲର୍କ ଯଥାବିଧି ଥାନାରେ ଏତେଲା ଦେଲେ । ଭାରତୀୟ ମେଡ଼ିକାଲ ସର୍ଭିସର ଜନୈକ କର୍ମଚାରୀ ରୂପେ ଶ୍ରୀ କ୍ଲର୍କ କିଛି ଅଜଣା ଲୋକ ନ ଥିଲେ । ଏହାଛଡ଼ା ବିଧବା ଆଗାଥା ଫୁଲମ୍‌ଙ୍କ ସହ ତାଙ୍କର ପ୍ରେମ ମଧ୍ୟ ଆଉ ଲୁକ୍‌କାୟିତ ହୋଇ ରହି ନଥିଲା । ଲୋକେ ସାଧାରଣରେ ଏ ବିଷୟରେ ଚର୍ଚ୍ଚା କରୁଥିଲେ । ପୋଲିସ ପ୍ରଥମରୁ ଏହି ହତ୍ୟାକାଣ୍ଡରେ କ୍ଲର୍କ ନିଜେ ଜଡ଼ିତ ଥିବା ଆଶଙ୍କା କଲେ । କ୍ଲର୍କ ହତ୍ୟାକାଣ୍ଡ ହୋଇଥିବା ବେଳେ ଘରେ କାହିଁକି ଅନୁପସ୍ଥିତ ଥିଲେ ତାହାର କୌଣସି ସନ୍ତୋଷଜନ ଉତ୍ତର ଦେଇ ପାରିଲେ ନାହିଁ । ସେ ଦିଲ୍ଲୀରୁ ବମ୍ବେକୁ ଯାଉଥିବା ତାଙ୍କର ଜଣେ ବନ୍ଧୁଙ୍କୁ ସଙ୍ଖୋଳିବାକୁ ଷ୍ଟେସନ୍‌ ଯାଇଥିବା କହିଥିଲେ ମଧ୍ୟ ପ୍ରକୃତପକ୍ଷେ ରେଳବାଇ ମାନଚିତ୍ରରେ ଦିଲ୍ଲୀରୁ ବମ୍ବେ ଯିବା ବାଟରେ ଆଗ୍ରା ପଡ଼ୁ ନ ଥିଲା । ସନ୍ଦେହରେ କ୍ଲର୍କଙ୍କୁ ସ୍ଵପତ୍ନୀ ହତ୍ୟା ଅଭିଯୋଗରେ ପୋଲିସ ଗିରଫ କଲେ । ଏହାପରେ ଫୁଲମ୍‌ କ୍ଲର୍କ ପ୍ରେମ ସଂକ୍ରାନ୍ତରେ କୌତୂହଳପୂର୍ଣ୍ଣ ତଦନ୍ତ ଆରମ୍ଭ ହେଲା । ଏହି ପ୍ରେମର ଅଙ୍କୁରୋଦଗମ ହୋଇଥିବା ମିରଟରୁ ଆରମ୍ଭ କରି ଏଲ୍ଲାହାବାଦ ଓ ଦିଲ୍ଲୀପର୍ଯ୍ୟନ୍ତ ଚାରିଆଡ଼େ ପୋଲିସ ନିଜର ଅନୁସନ୍ଧାନର ଜାଲ ବିଛାଇ ଦେଲେ । ଆଗ୍ରାରେ ତନ୍ନତନ୍ନ କରି ସେମାନେ ଅନୁସନ୍ଧାନ କଲେ; କିନ୍ତୁ କ୍ଲର୍କ ତାଙ୍କ ସ୍ତ୍ରୀଙ୍କୁ ହତ୍ୟାକରି ଥିବା ସପକ୍ଷରେ କୌଣସି ପ୍ରତ୍ୟକ୍ଷ ବା ପାରିପାର୍ଶ୍ୱିକ ପ୍ରମାଣ ସେମାନେ ପାଇଲେ ନାହିଁ ।

 

ଚାରିଆଡ଼ୁ ନିରାଶ ହେବାପରେ ହଠାତ୍ ଆକସ୍ମିକ ଭାବେ ଗୋଟିଏ ଘଟଣା ଘଟିଗଲା, ଯାହାକୁ କି ଆଗରୁ କେହି କଳ୍ପନା ସୁଦ୍ଧା କରିନଥିଲେ । ଶ୍ରୀମତୀ ଫୁଲମଙ୍କ ଘର ଖାନତଲାସ କରିବାପାଇଁ ଅତି ବିଳମ୍ବରେ ପୋଲିସ ସିଦ୍ଧାନ୍ତ ନେଲେ । ଏଥିରୁ ମଧ୍ୟ କିଛି ମିଳିଲା ନାହିଁ; କିନ୍ତୁ ଦୈବାତ୍‌ ତଦନ୍ତକାରୀ ପୋଲିସ ଇନସପେକ୍‌ଟର ଶ୍ରୀମତୀ ଫୁଲମ୍‌ଙ୍କ ଶେଯ ଅଣ୍ଡାଳିଲା ବେଳେ ତାହାରି ତଳୁ ଏକ ସୁନ୍ଦର ମନୋଲୋଭା ଚିଠି ବାକ୍‌ସ ଉଦ୍ଧାର କଲେ । ଏହି ଚିଠି ବାକସ୍‌ଟିର ଚମତ୍‌କାରିତା ଯେକୌଣସି ପାଷାଣ ହୃଦୟରେ ମଧ୍ୟ ପୁଲକ ସୃଷ୍ଟି କରିବ । ଏଥିରେ ଯେଉଁ ସବୁ ଚିଠି ଥିଲା ସେଥିରୁ ପ୍ରାୟ ଚାରିଶହଟି ପତ୍ର ଶ୍ରୀମତୀ ଫୁଲମ୍‌ ଶ୍ରୀ କ୍ଲର୍କଙ୍କ ନିକଟକୁ ଲେଖିଥିଲେ । ଏହି ପ୍ରମାଣପତ୍ର ସବୁକୁ ପଢ଼ିବାପାଇଁ ପୋଲିସକୁ ବେଶ୍‌ କିଛିଦିନ ଲାଗିଯାଇଥିଲା । ଏହି ଚିଠି ପତ୍ରରୁ କେତେକ କଥା ଜଣାପଡ଼ିବାପରେ ଶ୍ରୀମତୀ ଫୁଲମ୍‌ଙ୍କୁ ମଧ୍ୟ ପୋଲିସ ଏହି ହତ୍ୟାକାଣ୍ଡରେ ଜଡ଼ିତ କଲେ । ଶ୍ରୀ କ୍ଲର୍କ ଓ ଶ୍ରୀମତୀ ଫୁଲମ୍‌ଙ୍କୁ ଶ୍ରୀମତୀ କ୍ଲର୍କ ଓ ଶ୍ରୀ ଫୁଲମ୍‌ଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ କରାଯାଇ ଏହ୍ଲାବାଦ ହାଇକୋର୍ଟରେ ସେମାନଙ୍କର ବିଚାର ଆରମ୍ଭ ହେଲା । ଉଭୟଙ୍କ ଆସାମୀଙ୍କ ପକ୍ଷରୁ ସାର୍‌ ରସ୍‌ ଆଲଷ୍ଟୋନ ଓକିଲାତି କଲେ । ଶୁଣାଣି ଆରମ୍ଭ ହେବାର ମାତ୍ର କିଛିଦିନ ପୂର୍ବରୁ ଶ୍ରୀମତୀ ଫୁଲମ୍‌ ବଞ୍ଚି ରହିବାର ଦୁର୍ବାର ପିପାସା ନେଇ ଆହ୍ଲାବାଦସ୍ଥିତ ମାଜିଷ୍ଟ୍ରେଟଙ୍କ ନିକଟକୁ ଏକ ପତ୍ର ଲେଖିଲେ ।

 

ଏହି ମକଦ୍ଦମା ସମ୍ପର୍କରେ ମୁଁ ଗଲା କେତେଦିନ ହେଲା ଭାବି ଭାବି ଅତି ମାତ୍ରାରେ ବିଚଳିତ ହୋଇ ପଡ଼ିଛି । ଏଥିପାଇଁ ମୋର ମାନସିକ ଅଶାନ୍ତି ଏଭଳି ଭାବେ ବୃଦ୍ଧି ପାଇଛି ଯେ, ପ୍ରକୃତ ନ୍ୟାୟ ପ୍ରତିଷ୍ଠା ପାଇଁ ଉଭୟ ମକଦ୍ଦମାରେ ରାଜସାକ୍ଷୀର ପ୍ରମାଣ ନେବା ଆବଶ୍ୟକ ବୋଲି ମୁଁ ଅନୁଭବ କରୁଛି ଏବଂ ସେହି ରାଜସାକ୍ଷୀ ରୂପେ ମୁଁ ନିଜକୁ ଅର୍ପଣ କରୁଛି । ଦୟାକରି ମୋର ଏହି ଆବେଦନ ପତ୍ରଟିର ଯଥାଯଥ ବିଚାର ଲାଗି ମାନ୍ୟବର ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ପଠାଇଦେବେ ।’’

 

କିନ୍ତୁ ଚାରିଶତ ପତ୍ରସମ୍ବଳିତ ଅକାଟ୍ୟ ପ୍ରମାଣ ହସ୍ତଗତ କରିଥିବା କର୍ତ୍ତୃପକ୍ଷ ଶ୍ରୀମତୀ ଫୁଲମ୍‌ଙ୍କ ସାହାଯ୍ୟ ଲୋଡ଼ିବାପାଇଁ ଆଦୌ ଆଗ୍ରହୀ ନ ଥିଲେ । ଏହାପରେ ଆସାମୀଙ୍କ ବିରୁଦ୍ଧରେ ଅଭିଯୋଗ ବୟାନ କରାଗଲା ଏବଂ ବିଭିନ୍ନ ପ୍ରମାଣ ପତ୍ର ଉପସ୍ଥାପିତ ହେଲା । ଏହା ଭିତରେ ସବୁଠାରୁ କୌତୂହଳର ବସ୍ତୁଥିଲା ଆଗାଥାଙ୍କ ପ୍ରେମପତ୍ର । ଗୋଟିକ ପରେ ଗୋଟିଏ ଚିଠି ନାଟକୀୟ ରୀତିରେ ଉଭୟଙ୍କ ପ୍ରେମର ପସରା ଖୋଲିଦେଲା । ଏବଂ ଏଇଥିପାଇଁ ଯେଉଁ ହତ୍ୟାକାଣ୍ଡ ସଗଂଠିତ ହୋଇଥିଲା । ତାର ରହସ୍ୟ ମଧ୍ୟ ପଦାରେ ପକାଇଦେଲା ।

 

ଏହି ଚିଠିଗୁଡ଼ିକ କ୍ଲର୍କ ମିରଟରୁ ଦିଲ୍ଲୀକୁ ବଦଳି ହେବା ଦିନଠାରୁ କ୍ରମାଗତ ଭାବେ ଲେଖାହୋଇଥିଲା । ଶ୍ରୀମତୀ ଫୁଲମ୍‌ କେବଳ ଶନିବାର ଓ ରବିବାର ଛଡ଼ା ପ୍ରାୟ ପ୍ରତିଦିନ ଚିଠି ଲେଖୁଥିଲେ । କାରଣ ସେହି ଦୁଇଦିନ ତାଙ୍କର ସ୍ୱାମୀ ଘରେ ରହୁଥିଲେ । ପ୍ରତ୍ୟେକ ଦିନ ସେ ନିଜେ ଆସି ଡାକଘରୁ ନିଜ ଚିଠି ନେଇ ଯାଉଥିଲେ । ତାଙ୍କ ପାଖକୁ ପ୍ରତ୍ୟହ ଆସୁଥିବା ଚିଠିରେ ଶ୍ରୀମତୀ କ୍ଲର୍କସନ ନାମରେ ଠିକଣା ଲେଖାଥିଲା । ପ୍ରତି ଗୁରୁବାର ଦିନ ଶ୍ରୀ କ୍ଲର୍କ ଶ୍ରୀମତୀ ଫୁଲମ୍‌ଙ୍କ ପାଖକୁ ଯାଇ ତାଙ୍କ ସହ ଅପରାହ୍ନ ବିତାଇ ଦେଉଥିଲେ ବୋଲି ଉକ୍ତ ଚିଠି ଗୁଡ଼ିକରୁ ସ୍ପଷ୍ଟଭାବେ ପ୍ରମାଣିତ ହେଉଥିଲା ଏବଂ ପ୍ରେମବୀଜ ଯେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇ ନ ଥିଲା ତାହାର ମଧ୍ୟ ସମ୍ୟକ୍‌ ସୂଚନା ମିଳୁଥିଲା ।

 

‘‘ହେ ମୋର ପ୍ରିୟତମ, ମୁଁ ଯେଉଁଥିପାଇଁ ଭୟ କରୁଥିଲି ଏବେ ଠିକ୍‌ ତାହା ହିଁ ଘଟିଥିବା ମୁଁ ଅନୁଭବ କରୁଛି । ଗତ କିଛିଦିନ ହେଲା ମୁଁ ବଡ଼ କ୍ଳାନ୍ତ ଅନୁଭବ କରୁଛି, ଏବଂ ଗତ ସନ୍ଧ୍ୟାରେ ମୁଁ ଅସୁସ୍ଥ ହୋଇ ବାରମ୍ବାର ବାନ୍ତି କରିଛି । ଏଡ଼ି ଏହା ଦେଖି ମନଖୋଲି ହସିଲେ ଏବଂ କହିଲେ ମୋର ବିଶ୍ଵାସ ତୁମେ ଗର୍ଭବତୀ ହୋଇଛ । ତେଣୁ ଏ ବିଷୟରେ ଆଉ ସନ୍ଦେହ କରିବାର କୌଣସି କାରଣ ନାହିଁ । ଏହାକୁ ଧାରଣ କରି ଆଗକୁ ଲାଳନପାଳନ କରିବାକୁ ପଡ଼ିବ । ଏହି ଅବସ୍ଥା ଏଡ଼ାଇବା ପାଇଁ ଆମେ ବହୁ ଉଦ୍ୟମ କରିଥିଲେ ଅବଶ୍ୟ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆମେ କିଛି କରି ପାରି ନଥାନ୍ତେ ।

 

କିନ୍ତୁ ଶ୍ରୀ କ୍ଲର୍କ ସର୍ବଦା ହାତ ପାଖରେ ଥିଲେ । ଜଣେ ଡାକ୍ତର ରୂପେ କିପରି ଆକସ୍ମିକ ଦୁର୍ଘଟଣାର ପ୍ରତିରୋଧ କରାଯିବ ଏବଂ ଦୁର୍ଘଟଣା ଘଟିଲେ କିପରି ଭାବେ ପ୍ରାଥମିକ ଚିକିତ୍ସା କରାଯିବ ତାହା ତାଙ୍କୁ ଭଲଭାବେ ଜଣାଥିଲା । ତେଣୁ ତୁରନ୍ତ ଆଗାଥା ବିପନ୍ମୁକ୍ତ ହେଲେ । ତାଙ୍କର ଭୟର କାରଣ କ୍ଲର୍କଙ୍କ ମିକ୍‍ସରେଭିତରେ ମିଳେଇ ଗଲା ।

 

ଇତିମଧ୍ୟରେ ଶ୍ରୀ ଫୁଲମ୍‌ଙ୍କ ପାଇଁ ଗୋଟିଏ ଟନିକ୍‌ ଦରକାର ବୋଲି ଆଗାଥା ଓ କ୍ଲର୍କ ନିଷ୍ପତ୍ତି କଲେ । ୧୯୧୧ ମସିହା ଫେବୃଆରୀ ୨୦ ତାରିଖ ଦିନ କ୍ଲର୍କ ସ୍ୱାଭାବିକ ଭାବେ ମିରଟକୁ ସାପ୍ତାହିକ ଗସ୍ତରେ ଗଲେ । ସେହିଥର ସେ ଆଗାଥା ଆଗରେ ଯୋଜନା ଖୋଲି କହିଲେ । ସେ ଯେଉଁ ଟନିକ ପଠାଇବେ ଅଗାଥା ପ୍ରତିଦିନ ଅଳ୍ପ ପରିମାଣରେ ଖାଇବାକୁ ଦେବେ । ଏହି ଟନିକ ହିଁ ଉଭୟଙ୍କ ପ୍ରେମ ପଥରେ ଯେଉଁ ଅବାଞ୍ଛିତ ସ୍ୱାମୀ ଜଣଙ୍କ ଛିଡ଼ା ହୋଇଛନ୍ତି ତାକୁ ଦୂର କରିଦେବ । ଆଗାଥା ଫୁଲମ୍‌ଙ୍କ ଅନୁଯାୟୀ କାର୍ଯ୍ୟ କଲେ I ଦିନ ପରେ ଦିନ ସେ କ୍ଲର୍କ ପ୍ରଦତ୍ତ ଟନିକ୍‍କୁ ଖାଇବାକୁ ଦେଲେ କିନ୍ତୁ ଔଷଧର ପ୍ରତିକ୍ରିୟା ଆଶାନୁରୂପ ହେଲା ନାହିଁ । ଏଥିରେ ହତାଶ ହୋଇ ଆଗାଥା ଲେଖିଲେ—

 

‘‘ତୁମର ପାଉଡ଼ରକୁ ମୁଁ ଆଦୌ ପସନ୍ଦ କରି ପାରୁନାହିଁ, ପ୍ରିୟତମ, ଏହା କେତେଶହ ବର୍ଷ ନେବ । ଇତିମଧ୍ୟରେ ଆମକୁ ନିରବଚ୍ଛିନଭାବେ ବିପଦର ସମ୍ଭାବନାକୁ ସ୍ଵୀକାର କରିବାକୁ ପଡ଼ୁଛି । ମୋର ପ୍ରିୟତମ, ତୁମେ ଏତେ ବୁଦ୍ଧିମାନ । ତୁମେ ଏଭଳି ଏକ ଯୋଜନା କର ଯେଉଁଥିରେ କି ଶୀଘ୍ର ଆମର ଇପ୍‌ସିତ ଫଳ ଲାଭହେବ ।

 

ଅବଶ୍ୟ ଫୁଲମ୍‌ଙ୍କୁ ଶହ ଶହ ବର୍ଷ ଧରି ଉକ୍ତ ଟନିକ୍‍ ଦେଇ ବଞ୍ଚେଇ ରଖିବା କ୍ଲର୍କଙ୍କର ଉଦ୍ଦେଶ୍ୟ ନଥିଲା; କିନ୍ତୁ ଶ୍ରୀମତୀ ଫୁଲମ୍‌ଙ୍କ ପାଇଁ ପ୍ରତି ସପ୍ତାହ ଥିଲା ଶହେ ବର୍ଷରୁ ଅଧିକ । ତେଣୁ ଶ୍ରୀମତୀ ଫୁଲମ୍‌ଙ୍କ ପ୍ରିୟତମ ଏକ ଅଧିକ ଫଳପ୍ରଦ ଔଷଧ ପ୍ରସ୍ତୁତ କଲେ । ଗୋଟିଏ ଗୁରୁବାର ଦିନ ଏହି ନୂତନ ଔଷଧ ମିରଟରେ ତାଙ୍କୁ ଅର୍ପଣ କଲେ । ସେହି ଗୁରୁବାର ଦିନ ଶ୍ରୀମତୀ ଫୁଲମ୍ ଅଧିକ ପୁଲକିତ ହୋଇଥିବା ପରିଲକ୍ଷିତ ହୋଇଥିଲା ।

 

‘‘ସାରାଦିନର ହସ ଖୁସି, ସନ୍ଧ୍ୟାର ମଟର ଚାଳନା ଏବଂ ପ୍ରେମିକ ଲେନରେ କେଇଘଣ୍ଟାର ପଦଚାରଣ ତୁମକୁ କିଭଳି ଲାଗିଲା, ମୋ ପ୍ରିୟତମ !’’ ଏହା ଆମର ପ୍ରକୃତ ସ୍ଵପ୍ନର ଆନନ୍ଦ । ମୁଁ ଠିକ୍ ଏହିଭଳି ଏକ ଦିନକୁ ଅପେକ୍ଷା କରିଛି । ଶ୍ରୀମତୀ ଫୁଲମ୍‌ଙ୍କର ପ୍ରତ୍ୟେକ ଚିଠିର ଉପସଂହାରରେ ନିଜ ଅତୁଟ ଅନୁରାଗର ପ୍ରମାଣ ମିଳୁଥିଲା ।

 

ପ୍ରତି ଚିଠିରେ ସେ ଏହା ଭିତରୁ କୌଣସି ସମ୍ବୋଧନ କରୁଥିଲେ, ପ୍ରିୟତମ, ମଧୁରତମ, ଅନୁଗତ, ପ୍ରିୟତମାର ଲକ୍ଷାଧିକ ଅପରିବର୍ତ୍ତନୀୟ ମଧୁର ଚୁମ୍ବନ ଇତ୍ୟାଦି ।

 

ତାଙ୍କ ସ୍ଵାମୀଙ୍କୁ ବିଷ ଦିଆଯିବାର ଶେଷ ଅବସ୍ଥାରେ ଶ୍ରୀମତୀ ଫୁଲମ୍‌ ଶ୍ରୀ କ୍ଲର୍କଙ୍କ ପାଖକୁ ଲେଖିଲେ ‘‘ପ୍ରିୟତମ ହାରି ଦୟାକରି ମୋତେ ଫେରନ୍ତା ଡାକରେ ଗୋଟିଏ ବିଷୟ ଜଣାଅ-। ହିଟଷ୍ଟ୍ରୋକ୍‌ ଚିକିତ୍ସାରେ ମନୁଷ୍ୟର ମୁହଁ କଳା ପଡ଼ିଯାଇ ବିକୃତ ହୋଇଯାଏ କି ? ଏବଂ ମୁହଁରେ ଭାଙ୍ଗ ପଡ଼ିଯାଏ କି ? ଏଥିରେ ମୃତ୍ୟୁ ଯନ୍ତ୍ରଣାଦାୟକ ହେବ କି ଅଜ୍ଞାନ ଅବସ୍ଥାରେ ମୃତ୍ୟୁ ହେବ !

 

ସେ ଏହାର କି ଉତ୍ତର ପାଇଲେ ଆମେ ତାହା ଜାଣୁନା କାରଣ ଏସବୁ ବିଷୟରେ ସେ ସତର୍କତା ଅବଲମ୍ବନ କରି କିଛି ସାଇତି ରଖୁନଥିଲେ । ସେ କେବଳ କ୍ଲର୍କର ଚିଠି ବାକ୍‌ସକୁ କିଛିଦିନ ପାଇଁ ରଖିବାକୁ ରାଜିହୋଇ ଯାହା ଭୁଲ କରିଥିଲେ । ପୋଲିସ ଶ୍ରୀମତୀ କ୍ଲର୍କଙ୍କର ହତ୍ୟାକାଣ୍ଡର ତଦନ୍ତ କଲାବେଳେ ଶ୍ରୀ କ୍ଲର୍କ ଏହି ଚିଠି ବାକ୍‌ସଟିକୁ ରଖିବା ପାଇଁ ଶ୍ରୀମତୀ ଫୁଲମ୍‌ଙ୍କୁ ଦେଇଥିଲେ । କିନ୍ତୁ ଯେଉଁ ଚିଠିସବୁ ଧରାପଡ଼ିଲେ ହାଜତକୁ ଯିବା ପ୍ରାୟ ସୁନିଶ୍ଚିତ ସେସବୁ ଚିଠି ଶ୍ରୀ କ୍ଲର୍କ କାହିଁକି ସାଇତି ରଖିଥିଲେ ତାହା କେହିହେଲେ ଅନୁସନ୍ଧାନ କରି ନାହାନ୍ତି । ଜୁଲଇ ୨୭ ତାରିଖ ଦିନ ଶ୍ରୀ ଫୁଲମ୍ କିପରି ତାପ ରୋଗାକ୍ରାନ୍ତ ହେଲେ ସେ ସମ୍ପର୍କରେ ଶ୍ରୀମତୀ ଫୁଲମ୍‌ଙ୍କ ବକ୍ତବ୍ୟ ଜୁରୀମାନେ ଜାଣିବାକୁ ପାଇଥିଲେ ଏହି ଚିଠିରୁ ।

 

‘‘ମୋର ପ୍ରିୟତମ, ୨୭ ତାରିଖ ଗୁରୁବାର ରାତ୍ରି ଭୋଜନ ବେଳେ ସେହି ଔଷଧ ଖୁଆଇବା ପାଇଁ ବଦ୍ଧପରିକର ଏବଂ ସେଇଥିପାଇ ମୁଁ ପୂଜାରୀକୁ ସେହିଦିନ ରାତିରେ ‘ମଲିଗାଟନି’ ଝୋଳ ପ୍ରସ୍ତୁତ କରିବାପାଇଁ ବରାଦ ଦେଇଛି । ସେହି ଝୋଳ ହେଲେ ଆମେ ଭାତ ଖାଇବା ଏବଂ ଏଥିରେ ଲେମ୍ବୁରସ ମଧ୍ୟ ପକାଇବା ତେଣୁ ତୁମେ ଯଦି ଔଷଧର ତିକ୍ତତାକୁ କମାଇ ଦେବ ତେବେ ଖଟାଳିଆ ଝୋଳ ସହିତ ଏହା ମିଶିଯିବ ଓ କୌଣସି ସନ୍ଦେହ ସୃଷ୍ଟି କରିବ ନାହିଁ । ଏହାଛଡ଼ା ଗୁରୁବାର ଅପରାହ୍ନରେ ମୁଁ ତୁମର ପୁରୁଣା ଡାକ୍ତରଖାନା ସମ୍ମୁଖରେ ଅନୁଷ୍ଠିତ ହେଉଥିବା ବକସାୟାର ସ୍ପୋର୍ଟସ ଦେଖିବାକୁ ଯିବି । ସେହି ଅପରାହ୍ନରେ ବର୍ଷାବିନା ପ୍ରବଳ ଗରମ ଓ ଗୁଳୁଗୁଳି ହେବ ଏବଂ ସେହି ସେହି ଅପରାହ୍ନରେ ସେ ତାପ ରୋଗରେ ଆକ୍ରାନ୍ତ ହୋଇଥିବା ସହଜରେ ଅନୁମିତ ହେବ । ତେଣୁ ମୁଁ ଭାବୁଛି କାର୍ଯ୍ୟ ସମ୍ପନ୍ନ କରିବାଲାଗି ବୋଧହୁଏ ଗୁରୁବାର ହିଁ ହେବ ଶେଷ ରାତ୍ର । ତୁମେ କଣ ମୋର ଏ ପ୍ରସ୍ତାବରେ ରାଜି ହେବ ନାହିଁ ?’’

 

ଜୁଲାଇ ୨୭ ତାରିଖରେ ଶ୍ରୀଫୁଲମ୍‌ ନିଜ ଅଜାଣତରେ ହିଟ୍‌ଷ୍ଟ୍ରୋକ ମିକ୍‌ସଚର ଖାଇ ଅସୁସ୍ଥ ହୋଇ ପଡ଼ିଲେ, ଶ୍ରୀମତୀ ଫୁଲମ୍ ଏଥିରେ ଅତ୍ୟନ୍ତ ଉଦ୍‌ବିଗ୍ନ ହୋଇ ପଡ଼ିଥିଲେ ଏବଂ ସେ ନିଜର ବୈବାହିକ ସମ୍ପର୍କ ଯୋଗୁଁ ଏଭଳି ହେବା ସ୍ୱାଭାବିକ ବୋଲି ଡାକ୍ତରମାନେ ମତ ଦେଲେ ।

 

କିନ୍ତୁ ଫୁଲମ୍ ଏଇଥିରୁ ଉଧୁରିଗଲେ ଏବଂ ପୂର୍ବ ବର୍ଣ୍ଣନା ଅନୁଯାୟୀ ମଶୋରୀ ଗଲେ । ସେ ଅକ୍ଟୋବର ମାସରେ ଆଗ୍ରାରେ ପହଞ୍ଚିବା ପରେ ତାଙ୍କୁ ପରବର୍ତ୍ତୀ ପାନେ ଔଷଧ ଦିଆଗଲା ଏବଂ ଏହି ପାନକରେ ବିଚରା ଫୁଲମ୍ ଖସିଗଲେ । ତାଙ୍କର ଅନ୍ତିମ ଶୟନକୁ ଯଥାସମ୍ଭବ ଶାନ୍ତିପୂର୍ଣ୍ଣ କରିବା ପାଇଁ ପାଖରେ କ୍ଲର୍କ ବସିଥିଲେ । ଅତ୍ୟନ୍ତ ମ୍ରିୟମାଣ ହୋଇ ଫୁଲମ୍‌ ଶଯ୍ୟାଶାୟୀ ହୋଇଥିଲା ବେଳେ କନ୍ୟା କାଥଲୀନ ତାଙ୍କ ପାଖରେ ବସିଥିଲା । ସେ ଲୋତକ ପୂର୍ଣ୍ଣ ନୟନରେ ଜୁରୀମାନଙ୍କୁ କହିଲା ।

 

ବାପା କହିଲେ, ପ୍ରିୟ କାଥଲୀନ ମୁଁ ଯାଉଛି, ତୁ ଜଣେ ଉତ୍ତମ ବାଳିକା ହୁଅ ଏବଂ ଈଶ୍ୱର ତୋତେ ଆଶୀର୍ବାଦ କରନ୍ତୁ । ମୋର ସ୍ନେହ ଏଡ଼ୱାର୍ଡକୁ ଜଣାଇଦେବୁ ଏବଂ ତାକୁ ଅମାନିଆ ନ ହେବାପାଇ କହିବୁ । ସେ ତା’ପରେ କହିଲେ—ମା କାହିଁ ? ମୁଁ ଉତ୍ତର ଦେଲି—ଡାଇନିଂ ରୁମରେ, ତାଙ୍କୁ ଡାକିଦେବି ? ବାପା କହିଲେ, ନା ଝିଅ ତାଙ୍କୁ ମୁଁ ଦେଖିବାକୁ ଚାହେଁନା । ଠିକ୍ ଏହା ପରେ କ୍ଲର୍କ ସେଠାରେ ପହଞ୍ଚିଲେ ଏବଂ ଫୁଲମ୍‌ଙ୍କୁ ଏକ ଇଞ୍ଜକ୍‌ସନ୍‌ ସିରିଞ୍ଜରେ ଆଉ ଏକ ପାନ ବିଷ ଦେଇଦେଲେ । ଏହାର ପ୍ରତିକ୍ରିୟା ଶେଷରେ ଫୁଲମ୍‌ଙ୍କୁ ଚିର ବିଶ୍ରାମ ଦେଲା ।

 

କ୍ଲର୍କଙ୍କ ସମ୍ପର୍କରେ କେବଳ ଗୋଟିଏ କଥା କୁହାଯାଇପାରେ ଯେ ମକଦ୍ଦମାର ବିଚାର ଚାଲିଥିଲାବେଳେ ସେ ଶ୍ରୀମତୀ ଫୁଲମ୍‌ଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ । ସେ ନିଜେ ଏହି ଘଟଣାକୁ ସ୍ଵୀକାର କରି ନିମ୍ନ ବିବୃତି ଦେଇଥିଲେ ।

 

ଏହି ଘଟଣାପାଇଁ ମୁଁ ହିଁ କେବଳ ଏକମାତ୍ର ଦାୟୀ ବୋଲି କହିବାକୁ ଇଚ୍ଛା କରୁଛି । ଶ୍ରୀମତୀ ଫୁଲମ୍‌ କେବଳ ମୋ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଥିଲେ । ମୋର ଇଚ୍ଛାଶକ୍ତି ଦୃଢ଼ତର ହୋଇଥିବାରୁ ଶ୍ରୀମତୀ ଫୁଲମ୍‌ ମୋ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ଏବଂ ସେ ମୋ ନିୟନ୍ତ୍ରଣାଧୀନ ଥିଲେ । ସେ ଯାହା କରିଛନ୍ତି ସେଥିପାଇଁ ସେ ଦାୟୀ ନୁହନ୍ତି । ସେଥିପାଇଁ ମୁଁ ହିଁ ସମ୍ପୂର୍ଣ୍ଣ ଦାୟୀ ।

 

ଏହି ବିବୃତି ପରେ ଜୁରୀମାନଙ୍କ ଆଗରେ ଓକିଲମାନଙ୍କୁ ସୁଆଲ କରିବାର ମଧ୍ୟ ଆବଶ୍ୟକତା ନଥିଲା । କାରଣ ରାୟ ଦେବାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ନ ଥିଲା । ଉଭୟ, କ୍ଲର୍କ ଓ ଶ୍ରୀମତୀ ଫୁଲମ୍‌ଙ୍କୁ ଜୁରୀମାନେ ପ୍ରାଣଦଣ୍ଡାଦେଶ ଦେଇଥିଲେ ।

 

ଶ୍ରୀମତୀ କ୍ଲର୍କଙ୍କର ହତ୍ୟା ମକଦ୍ଦମାରେ ମଧ୍ୟ ଉଭୟଙ୍କୁ ଦ୍ୱିତୀୟଥର ପାଇଁ ମୃତ୍ୟୁ ଦଣ୍ଡାଦେଶ ହେଲା । ମକଦ୍ଦମାର ଶୁଣାଣି ବେଳେ ଶ୍ରୀ କ୍ଲର୍କ ଚାରିଜଣ ଆସାମୀ ବୁଧ, ରାମଲାଲ, ସୁଖା ଓ ମୋହନକୁ ନିଜ ଘରେ ପଶି ସ୍ତ୍ରୀକୁ ହତ୍ୟା କରିବାଲାଗି ଭଡ଼ାରେ ଆଣିଥିଲେ ବୋଲି ଜଣାପଡ଼ିଲା । ଏହି ଷଡ଼ଯନ୍ତ୍ର କ୍ରମେ ଶ୍ରୀମତୀ କ୍ଲର୍କ ନିହତ ହୋଇଥିଲେ । ଶ୍ରୀମତୀ ଫୁଲମ୍‌ ମଧ୍ୟ ଆସାମୀମାନଙ୍କୁ ନିଜ ହାତରୁ ଶହେ ଟଙ୍କା ଦେଇଥିଲେ ଏବଂ କାର୍ଯ୍ୟ ସମ୍ପନ୍ନ ହେବା ପରେ ଆଉ ଶହେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ରାଜସାକ୍ଷୀ ହିସାବରେ ବୁଧ ଏହିସବୁ କଥା ଫିଟାଇ କହିଥିଲା । ରାମଲାଲ ସମ୍ପର୍କରେ ସନ୍ଦେହ ଉପୁଜିବାରୁ ସେ ଛାଡ଼ ପାଇଲା । ବାକି ସୁଖା ଓ ମୋହନ ଶ୍ରୀ କ୍ଲର୍କଙ୍କ ସହ ଫାଶୀ ଖୁଣ୍ଟରେ ଝୁଲିଲେ । ଦୁଇଥର ପ୍ରାଣଦଣ୍ଡାଦେଶ ପାଇଥିବା ଶ୍ରୀମତୀ ଫୁଲମ୍‌ କିନ୍ତୁ ଆଇନ ଅନୁଯାୟୀ ଚୂଡ଼ାନ୍ତ ଦଣ୍ଡ ଭୋଗ କଲେନାହିଁ । ସେତେବେଳେ ସେ ଗର୍ଭବତୀ ହୋଇଥିବାର ଜଣାପଡ଼ିଲା । ସନ୍ତାନ ଅବୈଧ ହୋଇଥିଲେ ମଧ୍ୟ ଆଜନ୍ମ ସନ୍ତାନକୁ ଆଇନ ସମ୍ମାନ ଦିଏ । ଏହି ଶିଶୁର ଅବସ୍ଥା କ’ଣ ହେଲା ଆମେ କିଛି ଜାଣୁନା; କିନ୍ତୁ ଏହି ଶିଶୁ ନିଜ ମାଆର ଜୀବନ ରକ୍ଷା କରିବାପାଇଁ ସେତେ ଯେପରି ଆସିଥିଲା । ଶ୍ରୀମତୀ ଫୁଲମ୍‌ ମଧ୍ୟ ନିଜ ଦଣ୍ଡ ଭୋଗ କରିବାପାଇଁ ବେଶି ଦିନ ରହିଲେ ନାହିଁ । ଆହ୍ଲାବାଦସ୍ଥ ନୈନି ଜେଲରେ ୧୯୧୪ ମସିହାରେ ସେ ପ୍ରାଣତ୍ୟାଗ କଲେ । ତାଙ୍କର ମୃତ୍ୟୁ ଏକ ପ୍ରେମ କାହାଣୀର ଶେଷ ଜବନିକା ପକାଇଲା ।

Image

 

Unknown

ସାମସଦ୍‌ ବାଈ ହତ୍ୟାକାଣ୍ଡ

 

ହତ୍ୟାକାରୀର ଉଦ୍ଦେଶ୍ୟ, ଅସ୍ୱାଭାବିକ ପ୍ରଣାଳୀରେ ହତ୍ୟା, ହତ୍ୟା କରିବା ପାଇଁ ସ୍ଵତନ୍ତ୍ର କୌଶଳର ଅବଲମ୍ବନ ଆଦି କାରଣଗୁଡ଼ିକ ଯୋଗୁ କୌଣସି ହତ୍ୟାକାଣ୍ଡ ଅତିମାତ୍ରାରେ କୁଖ୍ୟାତ ହୋଇଥାଏ । କେତେକ ହତ୍ୟାକାରୀ ଲୋକଚକ୍ଷୁରେ ପ୍ରାଧାନ୍ୟ ଲାଭ କରନ୍ତି ଯଦି ସେମାନେ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ହତ୍ୟା କରିଥାନ୍ତି ଅଥବା ସ୍ଥଳବିଶେଷରେ ହତ୍ୟାକାରୀ ଯଦି ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତି ହୋଇଥାନ୍ତି ।

 

ଲାହୋରରେ ଜନୈକା ପନ୍ଦର ବର୍ଷ ବୟସ୍କା ନର୍ତ୍ତକୀର ହତ୍ୟାକାଣ୍ଡ ଏକ ଚମକପ୍ରଦ ଓ ଅତ୍ୟନ୍ତ କୌତୂହଳପୂର୍ଣ୍ଣ ଘଟଣା ହୋଇଥିଲେ ବି ସେହି ରାଜ୍ୟର ସମ୍ବାଦପତ୍ରଗୁଡ଼ିକ ବହୁଦିନ ପର୍ଯ୍ୟନ୍ତ ସେ କଥା କିଛିହେଲେ ଜାଣିପାରି ନଥିଲେ । ପ୍ରକୃତ ଘଟଣା ଘଟିବାର ଛ ମାସ ପରେ ଏହି ହତ୍ୟାକାଣ୍ଡର ବିଚାରବେଳେ ହିଁ ସମସ୍ତ କଥା ପଦାକୁ ଆସିଲା । ଏହି ଘଟଣାକୁ କିଭଳି ଗୁପ୍ତ ରଖାଯାଇଥିଲା ତାହା କହି ବସିଲେ ଅନ୍ୟ ଏକ ଆଖ୍ୟାୟିକାର ସୃଷ୍ଟି ହେବ । କିନ୍ତୁ ଜଣେ ଧନାଢ଼୍ୟ ବ୍ୟକ୍ତିଙ୍କୁ ଆଇନ ହାତରୁ ରକ୍ଷା କରି ତାଙ୍କୁ ନିଜର ଅପରାଧ ପାଇଁ ଯେପରି କୌଣସି ଦଣ୍ଡ ଭୋଗିବାକୁ ନ ପଡ଼ିବ ସେଥିପାଇଁ ଅଜସ୍ର ଅର୍ଥ ଖର୍ଚ୍ଚ କରାଯାଇଥିଲେ ବି ଏହା ଶେଷରେ ଏହା ନିଷ୍ଫଳ ହୋଇ ଯାଇଥିଲା ।

 

ଏହି ହତ୍ୟାକାଣ୍ଡକୁ ରହସ୍ୟାବୃତ୍ତ କରିବାପାଇଁ ଆଇନଜୀବୀମାନଙ୍କ ଶତଚେଷ୍ଟା ପାଣିରେ ପଡ଼ିଯାଇଥିଲା ଏବଂ ଦବକଲାଣର ନବାବ ମହମ୍ମଦ ନୱାଜ୍‍ ଖାଁ ଯେ ଶାମସଦ୍‌ ବାଈର ହତ୍ୟାକାରୀ ଏଥିରେ କାହାରି ତିଳେମାତ୍ର ସନ୍ଦେହ ସୃଷ୍ଟି ହୋଇ ନଥିଲା । ମକଦ୍ଦମାର ଶୁଣାଣି ଚାଲିଥିବାବେଳେ ଆତ୍ମପକ୍ଷ ସମର୍ଥନ ନକରି ନବାବ ସାହେବ ଉକ୍ତ ନର୍ତ୍ତକୀକୁ ବିବାହ କରିବା ନିମନ୍ତେ ଇଚ୍ଛୁକ ଥିଲେ ଏବଂ ତାକୁ ହତ୍ୟା କରିବାର ପ୍ରଶ୍ନ ଉଠୁ ନଥିଲା ବୋଲି ବୟାନ୍ ଦେଇଥିଲେ ସତ୍ୟ କିନ୍ତୁ ଏହି ବୟାନ୍‌ ଗ୍ରହଣଯୋଗ୍ୟ ହୋଇ ନଥିଲା । ସେ ଉକ୍ତ ନର୍ତ୍ତକୀକୁ ହତ୍ୟା କରିଥାନ୍ତୁ ବା ନଥାନ୍ତୁ ଏ ଘଟଣାର ସବୁଠାରୁ ନାଟକୀୟ ବସ୍ତୁ ହେଉଛି ନର୍ତ୍ତକୀର ଶବ ପାଖରେ ଦୀର୍ଘ ୧୦ ଘଣ୍ଟା କାଳ ତାଙ୍କର ପଡ଼ି ରହିବା । ସେ କାହିଁକି ଶବ ପାଖରେ ଏତେ ସମୟ ଧରି ରହିଥିଲେ ଏବଂ ଏହି ସମୟ ଭିତରେ ସେ କ’ଣ କରୁଥିଲେ ସେ ବିଷୟ ଅନୁସନ୍ଧାନ କରିବା ଉପରେ ପୋଲିସ, ବିଚାରପତି, ଓକିଲ ବା ଅସେସର କେହିହେଲେ ଗୁରୁତ୍ୱ ଦେଇ ନଥିଲେ । ଏହି ମନୋଭାବ ମଧ୍ୟ ଅନ୍ୟ ଏକ କୌତୂହଳର ବିଷୟ ।

 

ମହମ୍ମଦ ନୱାଜ୍‍ ଖାଁ ଏହି ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ସେପର୍ଯ୍ୟନ୍ତ ନୀରବ ରହିଥିବା ସମ୍ବାଦପତ୍ରଗୁଡ଼ିକ ସେ ରାଜ୍ୟର ଧନୀକ ଓ ଜମିଦାରବର୍ଗଙ୍କ ଭିତରେ ତାଙ୍କର ପ୍ରତିପତ୍ତି ବିଷୟ ସ୍ମରଣ କଲେ । ଇତିମଧ୍ୟରେ ଉକ୍ତ ଘଟଣା ସମ୍ପର୍କରେ ଜନସାଧାରଣ ଅନିସନ୍ଧିତ୍ସୁ ହୋଇ ଉଠିଥାନ୍ତି ଏବଂ ଏ ବିଷୟରେ ଖୋଲାଖୋଲି ଭାବେ ବିଭିନ୍ନ ଖଟୀ ବା ଭଦ୍ର ଭାଷାରେ ଚର୍ଚ୍ଚା କେନ୍ଦ୍ର ଯଥା କ୍ଲବ, ମେସ୍ ଓ ଭୋଜନେତ୍ତର ମେଳାରେ ଆଲୋଚନା ହେଉଥାଏ । ଜଣେ ବିଶିଷ୍ଟ ବ୍ୟକ୍ତି ଯାହାଙ୍କୁ କି ପରବର୍ତ୍ତୀ ଅବସ୍ଥାରେ ଉକ୍ତ ମକଦ୍ଦମାର ହୁଏତ ବିଚାର କରିବାକୁ ମଧ୍ୟ ପଡ଼ିଥାଆନ୍ତା ସେ ‘‘ସେସନ୍‌ସ ଜଜ୍‌ ମହମ୍ମଦ ନୱାଜ୍‍ଙ୍କୁ ଦୋଷୀ ସାବ୍ୟସ୍ତ କରି ଭୁଲ କରିଛନ୍ତି’’ ବୋଲି ମତାମତ ଦେବାର ଶୁଣା ଯାଉଥିଲା । ଅବଶ୍ୟ ସେ ଏଭଳି ମତାମତ ଦେଇଥିଲେ—ଏକ ଚମତ୍କାର ରାତ୍ରି ଭୋଜନ ପରେ । କୌଣସି ପ୍ରମାଣପତ୍ର ଭିତର ଦେଇ ଯିବାର ଅବକାଶ ତାଙ୍କର ସେତେବେଳେ ନଥିଲା । ଏହି ହତ୍ୟାକାଣ୍ଡର ଚୂଡ଼ାନ୍ତ ନିଷ୍ପତ୍ତି ହେବା ପୂର୍ବରୁ ମହମ୍ମଦ ନୱାଜ୍‌ ଖାଁ ଶିରୋସିସ୍‌ ରୋଗରେ ପ୍ରାଣ ହରାଇଲେ ଏବଂ ତାଙ୍କର ଆକସ୍ମିକ ମୃତ୍ୟୁ ତାଙ୍କର ଦୁର୍ଭାଗ୍ୟରୁ ଫାଇଦା ଉଠାଉଥିବା ବହୁ ଲୋକଙ୍କୁ ହତାଶ କଲା । ଘଟଣାକୁ ଆରମ୍ଭରୁ ଚପାଇ ଦେବାପାଇଁ ମହମ୍ମଦ ନୱାଜ୍‌ ଖାଁ ଅକାତରେ ବହୁତ କିଛି ପଇସାପତ୍ର ସବୁ ଉଦ୍ଦେଶ୍ୟରେ ଖର୍ଚ୍ଚ କରିଥିଲେ ଏବଂ ମକଦ୍ଦମାର ଅପିଲ କଲାବେଳେ ନିଜ ସପକ୍ଷରେ ରାୟ ପାଇବାପାଇଁ ଖୁବ୍ ଏକ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାପାଇଁ ମଧ୍ୟ ସେ କୁଆଡ଼େ ପ୍ରସ୍ତୁତ ଥିବା ଗୁଜବ ଉଠିଥିଲା । ଏହି ଗୁଜବର କିଛି ସତ୍ୟତା ଥାଉ ବା ନଥାଉ ନିର୍ଦ୍ଦିଷ୍ଟଭାବେ ଏ ଦିଗରେ କିଛି କରିବା ପୂର୍ବରୁ ଲାହୋରର ମାୟୋ ହସ୍‌ପିଟାଲରେ ମାତ୍ର ୩୧ବର୍ଷ ବୟସରେ ନିଜ ଜୀବନର ସମସ୍ତ ଉଦ୍ଦେଶ୍ୟ—ଯୌବନକୁ ତିଳ ତିଳ କରି ଉପଭୋଗ କରିବା—ଚରିତାର୍ଥ କରି ଶେଷ ନିଃଶ୍ୱାସ ତ୍ୟାଗ କଲେ । ମୃତ୍ୟୁ ପୂର୍ବରୁ ସେ ଚାରିଆଡ଼ୁ ହତାଶ ହୋଇ ଯାଇଥିଲେ ଏବଂ ତାଙ୍କର ଶେଷ ଅଭିଜ୍ଞତା ଥିଲା । ଅର୍ଥବଳରେ ସମସ୍ତଙ୍କୁ କ୍ରୟ କରିବା ସମ୍ଭବ ନୁହେଁ ।’’

 

ନବାବ ମହମ୍ମଦ ନୱାଜ୍‌ ଖାଁ ୧୯୧୧ ମସିହାରେ ଝାଙ୍ଗରେ ଜନ୍ମଗ୍ରହଣ କରିଥିଲେ । ମହମ୍ମଦ ନୱାଜ୍‍ଙ୍କୁ ମାତ୍ର ଅଳ୍ପ ବୟସ ହୋଇଥିଲାବେଳେ ତାଙ୍କର ପିତା ନବାବ ମେହର ହକ୍‌ ନୱାଜ୍‌ ଖାଁ ପ୍ରାଣତ୍ୟାଗ କଲେ । ମୃତ୍ୟୁ ବେଳକୁ ତାଙ୍କ ପିତାଙ୍କର ଦୁଇଜଣ ବିଧବା ପତ୍ନୀ ଥିଲେ ।

 

ମହମ୍ମଦ ନୱାଜ୍‍ଙ୍କୁ ତାଙ୍କର ମା ଓ ସାବତ ମା ଉଭୟ ଖୁବ୍‌ ଆଦର କରୁଥିଲେ । ସ୍କୁଲରେ ମଧ୍ୟ ସେ ସବୁ ପିଲାଙ୍କର ଆଦରର ପାତ୍ର ଥିଲେ । ତାଙ୍କର କୈଶୋର ବିଖ୍ୟାତ ୟୁରୋପୀୟ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଅତିବାହିତ ହେଲା । ଭାରତର ବିଶିଷ୍ଟ ବ୍ୟକ୍ତିମାନଙ୍କର ସନ୍ତାନ ସନ୍ତତିମାନଙ୍କୁ ଶିକ୍ଷା ଦେବାରେ ସେମାନଙ୍କର ବେଶ୍‌ ସୁନାମ ଥାଏ । ପରେ ମହମ୍ମଦ ନୱାଜ୍‌ ଲାହୋରର ତତ୍‌କାଳୀନ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଆଇଚିସନ୍‌ କଲେଜରେ ନାମ ଲେଖାଇଥିଲେ-। ଏହି କଲେଜର ଶିକ୍ଷା ହିଁ ତାଙ୍କୁ ଜଣେ ଭଦ୍ରଲୋକ କରି ଦେଇଥିଲେ । ତାଙ୍କଠି ତ ସେପରି କୌଣସି ବିଶେଷ ଗୁଣ ନଥିଲା । ଯାହା ବା ଥିଲାବୋଲି କୁହାଯାଇ ପାରେ ତାହା ହେଉଛି ତାଙ୍କର ଭଦ୍ରତା । ତାଙ୍କର ପଢ଼ାପଢ଼ି ସେତେ ଭଲ ହେଉ ନଥିଲା; କିନ୍ତୁ କଲେଜର ଛାତ୍ର ଓ କର୍ମଚାରୀଙ୍କ ମଧ୍ୟରେ ସେ ଅତି ପ୍ରିୟ ହୋଇ ପାରିଥିଲେ ।

 

ତାଙ୍କ ପିତା ନବାବ ମେହେର ହକ୍‌ ନୱାଜ୍‌ ଖାଁଙ୍କ ମୃତ୍ୟୁ ପରେ ମହମ୍ମଦ ନୱାଜ୍ ପଞ୍ଜାବର ଏକ ବିରାଟ ଜମିଦାରୀର ଉତ୍ତରାଧିକାରୀ ହେଲେ । ତାଙ୍କ ଜମିଦାରୀର କେବଳ କୃଷି ବାବଦ ଆୟ ଅନ୍ୟାନ୍ୟ ବହୁ ଜମିଦାରୀର ମୋଟ ଆୟ ଅପେକ୍ଷା ଯଥେଷ୍ଟ ଅଧିକ ଥିଲା । ସେ ଚିଫ୍ କଲେଜରେ ପଢ଼ୁଥିବାବେଳେ ତାଙ୍କୁ ନିଜର ଜାମାତାରୂପେ ବରଣ କରିବାପାଇଁ ବହୁ ମାତାଙ୍କ ହୃଦୟ ସ୍ପନ୍ଦିତ ହେଉଥିଲା । କେଉଁ ମା ବା ନିଜ ଝିଅ ପାଇଁ ଏକ ଉତ୍ତମ ବରପାତ୍ରର ସନ୍ଧାନ ନ କରେ ? ଏହିଭଳି ଅବସ୍ଥାରେ ମହମ୍ମଦ ନୱାଜ୍‌ଙ୍କ ହୃଦୟରେ କୌଣସି ପ୍ରେମବୀଜ ଅଙ୍କୁରିତ ହେବା ପୂର୍ବରୁ ତାଙ୍କୁ ପଞ୍ଜାବର ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ମିଁଆ ଫଜଲ ଇହୁସେନଙ୍କ କନ୍ୟାର ପାଣିଗ୍ରହଣ କରିବାକୁ ପଡ଼ିଥିଲା ।

 

ଜୀବନର ସମ୍ପର୍କତା ପାଇଁ ଆବଶ୍ୟକୀୟ ସମସ୍ତ ଜାଗତିକ ସାମଗ୍ରୀ ଯୁବକ ନବାବଙ୍କର ଥିଲା । ନିଜର ବ୍ୟକ୍ତିଗତ ଚାହିଦା ମେଣ୍ଟାଇବା ପାଇଁ ତାଙ୍କର ଅର୍ଥର ଅଭାବ ନ ଥିଲା ଏବଂ ବିବାହ ସୁତ୍ରରେ ସେ ପଞ୍ଜାବର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆବଦ୍ଧ ହୋଇଥିଲେ । ତାଙ୍କର ଯୌବନ ଥିଲା; ଅମାପ ଧନ ସମ୍ପତ୍ତି ଥିଲା ଏବଂ ପଞ୍ଜାବ ସରକାରର ଜନୈକ ମନ୍ତ୍ରୀ ଅଥବା ଜିଲ୍ଲା ମୁସଲିମ୍‌ ଲିଗ୍‌ର ସଭାପତି ହେବାପାଇଁ ଆବଶ୍ୟକୀୟ ସମସ୍ତ ଯୋଗ୍ୟତା ମଧ୍ୟ ସେ ହାସଲ କରି ପାରିଥିଲେ ।

 

କିନ୍ତୁ ଏସବୁ ବିଭବସତ୍ତ୍ୱେ ମହମ୍ମଦ ନୱାଜ୍‍ ଖାଁଙ୍କ ଜୀବନର ଅଧୋଗତି ଆରମ୍ଭ ହେଲା-। ସେ କେବଳ ନୀଚ ଧରଣର ମଉଜ ମଜଲିସରେ ବୁଡ଼ି ରହିଲେ ଓ ଅନ୍ୟ କୌଣସି କାର୍ଯ୍ୟ କରିବା ପାଇଁ ତାଙ୍କର ସମୟ ଅଣ୍ଟିଲା ନାହିଁ । ତାଙ୍କର ବିବାହ ଏକ ବ୍ୟର୍ଥତାରେ ପରିଣତ ହେଲା । ଏକ କନ୍ୟାର ପିତା ହେବାପରେ ମଧ୍ୟ ତାଙ୍କ ମନୋଭାବରେ କୌଣସି ପରିବର୍ତ୍ତନ ହେଲା ନାହିଁ । ନିଜର ବ୍ୟକ୍ତିଗତ ଖର୍ଚ୍ଚ ତୁଲାଇବା ପାଇଁ ମହମ୍ମଦ ନୱାଜ୍‍ଙ୍କ ପକ୍ଷେ ମାସିକ କୋଡ଼ିଏ ହଜାର ଟଙ୍କା ବି ଯଥେଷ୍ଟ ହେଲା ନାହିଁ । ତେଣୁ ମଉଜ ମଜଲିସ୍‌ ପାଇଁ ନିଜର ଜମି ବିକିବା ଓ ବନ୍ଧା ପକାଇବା ଆରମ୍ଭ କରିଦେଲେ ଏବଂ ଦିନ ରାତି ୨୪ ଘଣ୍ଟା ତାଙ୍କ ନିଜର ପୁରୁଣା ପ୍ରାସାଦରେ ଭୋଗ ବିଳାସରେ ବୁଡ଼ି ରହିଲେ । ଝାଙ୍ଗରେ ରହି ରହି ବିରକ୍ତି ଲାଗିଲେ ସେ ମୋଗଲ ସମ୍ରାଟଙ୍କ ଭଳି ଆଡ଼୍‍ଡ଼ାରେ ଟ୍ରେନଭରା ଗାୟକ, ନର୍ତ୍ତକୀ ଓ ବାଦ୍ୟକାରଙ୍କୁ ନେଇ ସାରାଭାରତ ଭ୍ରମଣରେ ବହାରି ପଡ଼ନ୍ତି । ସଙ୍ଗରେ ପ୍ରଚୁର ଅର୍ଥନେଇ ତାଙ୍କ ମନୋରଞ୍ଜନ କରୁଥିବା ଗାୟକ ଓ ଯୁବତୀମାନଙ୍କୁ ବେପରବାୟ ଭାବେ ଅର୍ଥ ବିତରଣ କରନ୍ତି । ଯିଏ ତାଙ୍କ ପାଖକୁ ଟଙ୍କା ମାଗିବାକୁ ଯାନ୍ତି ସେମାନଙ୍କୁ ମଧ୍ୟ ଉଦାରଭାବେ ସେ ଅର୍ଥ ବିତରଣ କରନ୍ତି । ଏହା ଥିଲା ତାଙ୍କ ଚରିତ୍ରର ବୈଶିଷ୍ଟ୍ୟ ।

 

ତାଙ୍କର ଏହି ମଜାଦାର ଜୀବନର ଅବସାନ ହେବା ପୂର୍ବରୁ ମୁଁ ଏକଦା ମହମ୍ମଦ ନୱାଜ୍‍ଙ୍କୁ ଲାହୋରର ଏକ ରେସ୍ତୋରାଁରେ ଦେଖିଥିଲି । ସେ ରେସ୍ତୋରାଁରେ ପ୍ରବେଶ କରିବା ପୁଣି ତାଙ୍କର ସେବା କରିବା ଲାଗି ଆପେକ୍ଷମାଣ ବ୍ୟକ୍ତି ଓ ହୋଟେଲ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇ ଯାଇଥିଲା । ସେ ହୋଟେଲର ଚାରିପଟେ ବୁଲି ଚିହ୍ନା ଲୋକମାନଙ୍କୁ ତାଙ୍କ ସହ ମଦ୍ୟପାନ କରିବାକୁ ଡାକିଲେ । ସେଠାରେ ସନ୍ଧ୍ୟା ଅତିବାହିତ କରିବା ଭିତରେ ବହୁ ପିଆଲ୍ ପାନୀୟ ନିଃଶେଷ କଲେ ଏବଂ ପ୍ରତ୍ୟେକଙ୍କ ପାଇଁ ଜୋର କରି ନିଜେ ପଇସା ଦେଲେ । ସେ ଆସିବା ପୂର୍ବରୁ ମଧ୍ୟ ଯେଉଁମାନେ ଜଳଖିଆପତ୍ର କରିଥିଲେ ସେମାନଙ୍କର ପଇସା ତାଙ୍କଠାରୁ ନେବାକୁ ସେ ବାଧ୍ୟ କଲେ । ଏହା ଥିଲା ମହମ୍ମଦ ନୱାଜ୍‍ଙ୍କର ପ୍ରକୃତି ।

 

୧୯୩୬ ମସିହାରେ ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଦ୍ୱିତୀୟ ଦାରା ଗ୍ରହଣ କଲେ; କିନ୍ତୁ ତାଙ୍କର ଦ୍ୱିତୀୟ ପତ୍ନୀ ବିବାହର ଅଳ୍ପ କିଛିଦିନ ପରେ ପ୍ରାଣତ୍ୟାଗ କଲେ ।

 

ବିଶ୍ଵଯୁଦ୍ଧ ଆରମ୍ଭ ହେଲାବେଳେ ସେ ଯୁଦ୍ଧରେ ଯୋଗ ଦେଇ କିଙ୍ଗ୍‌ସ୍‌ କମିଶନ ହାସଲ କଲେ । ତାଙ୍କୁ ରିକ୍ରୁଟମେଣ୍ଟ ବିଭାଗରେ ମୁତୟନ କରାଗଲା । ନୂତନ କର୍ମପରିସର ଭିତରେ ସେ ଏକ ପ୍ରକାର ନୂଆ ଉନ୍ମାଦନା ଅନୁଭବ କଲେ ଯାହାକି କାମିନୀ କାଦମ୍ବରୀ ଠାରୁ ସମ୍ପୂର୍ଣ୍ଣ ପୃଥକ ଥିଲା ଏବଂ ଯେଉଁ ଜୀବନର କି ଏକ ନିର୍ଦିଷ୍ଟ ଅର୍ଥ ଥିଲା । ଏହି ନୂତନ ଜୀବନ ତାଙ୍କୁ ଅଧୋଗତିରୁ ରକ୍ଷାକରିବ ବୋଲି ସେ ଆଶା କରିଥିଲେ; କିନ୍ତୁ ଆକଣ୍ଠ ବିଷପାନ କରି ସୁସ୍ଥ ଜୀବନ ଯାପନ କରିବାପାଇଁ ଆଶା କରିବା ନିରର୍ଥକ । ତାଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ପଡ଼ିଥିବା ସେ ଉପଲବ୍‌ଧି କରିଥିଲେ । ମେଦ ଓ ଚର୍ବି ବହୁଳ ଶରୀର ଧାରଣ କରି ନିଜ ବୟସ ଅପେକ୍ଷା ସେ ଅଧିକ ବୃଦ୍ଧ ଜଣାପଡ଼ୁଥିଲେ ଏବଂ ଡାକ୍ତର ହକିମ୍‌ ଓ ବିଶେଷଜ୍ଞମାନେ ତାଙ୍କ ମନରେ ଜୀବନ ପ୍ରତି ଯାହାକିଛି ଅନୁରକ୍ତି ସୃଷ୍ଟି କରିଥିଲେ କେବଳ ସେତିକି ହିଁ ତାଙ୍କର ସମ୍ବଳ ଥିଲା ।

 

ମହମ୍ମଦ ନୱାଜ୍‌ ଖାଁଙ୍କ ଜୀବନର ଶେଷ ପର୍ଯ୍ୟାୟର କେତେକ ଘଟଣା ସମ୍ପର୍କରେ କେହି ଭିନ୍ନ ମତ ପୋଷଣ କରୁ ନ ଥିଲେ । ୧୯୪୧ ମସିହା ଅକ୍ଟୋବର ୨୩ ତାରିଖ ଦିନ ଚିକିତ୍ସା ନିମନ୍ତେ ଲାହୋର ଆସିଲେ ଓ ଫାଲେଡ଼ି ହୋଟେଲରେ ଅବସ୍ଥାନ କଲେ । ଲାହୋରରେ ତାଙ୍କର ରହଣୀ କାଳରେ ସମସଦ ବାଈ ନାମ୍ନୀ ଜଣେ ୧୫ ବର୍ଷ ବୟସ୍କା ପେଷାଦାର ନର୍ତ୍ତକୀ ହୋଟେଲକୁ ନବାବଙ୍କ ଦର୍ଶନ ନିମନ୍ତେ ଆସିଲା । ନଭେମ୍ବର ୬ ତାରିଖ ରାତିରେ ସେ ନବାବଙ୍କ ସହ ହୋଟେଲରେ ରହିଲା । ନବାବ ତା ଉପରେ ଅତି ପ୍ରୀତ ହୋଇ ୧୭୦୦ ଟଙ୍କା ପ୍ରଦାନ କଲେ ଏବଂ ତାଙ୍କ ସହ ସୁଲତାନ ଜିଲ୍ଲାର ଖାଁ ବାହାଦୁର ଗଡ଼କୁ ଯିବା ନିମନ୍ତେ ତାକୁ ନିମନ୍ତ୍ରଣ କଲେ ।

 

ତା ପରଦିନ ମହମ୍ମଦ ନୱାଜ୍‍, ସମସଦ ବାଈ ତାର ଭାଇ ତାଲିବ ହୁସେନ୍‌ ଓ ଅନ୍ୟ ଦୁଇଜଣ ଭୃତ୍ୟ ସୁଲତାନ ଅଭିମୁଖେ ସାନ୍ଧ୍ୟ ଟ୍ରେନରେ ଯାତ୍ରା କଲେ । କେବଳ ଚାକରବାକରଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିଲେ । ୮ ତାରିଖ ଭୋର ୪ଟାରେ ଟ୍ରେନ୍‌ ଖାନେୱାଲଠାରେ ପହଞ୍ଚିବା ପରେ ନବାବ ଅସୁସ୍ଥ ଅନୁଭବ କରୁଥିବା ପ୍ରକାଶ କରି ଝାଙ୍ଗ ଅଭିମୁଖେ ଯାତ୍ରା କରିବା ପାଇଁ ସ୍ଥିର କଲେ ଏବଂ ସେହିଦିନ ସକାଳ ସାଢ଼େ ୧୧ଟା ବେଳେ ସେମାନେ ଝାଙ୍ଗରେ ପହଞ୍ଚିଲେ । ସେଠାରେ ମହମ୍ମଦ ନୱାଜ୍‍ଙ୍କର ସମ୍ପର୍କୀୟ ଜଣେ ଭାଇ ମହମ୍ମଦ ନୱାଜ୍‍ଙ୍କ ପ୍ରାସାଦରେ ରହୁଥିଲେ । ଲାହୋରର ନବାବ ସଦଳବଳେ ସେଠାରେ ପହଞ୍ଚିବା ପରେ ତାଙ୍କ ପାଇଁ ଭାଇ ଘର ଖାଲି କରିଦେଇ ନିଜେ ହତା ଭିତରେ ଏକ ତମ୍ବୁ ପକାଇ ରହିଲେ । ପାଠକଙ୍କୁ ବୁଝିବା ନିମନ୍ତେ ଉକ୍ତ ଭଦ୍ର ବ୍ୟକ୍ତିଙ୍କୁ ଏଣିକି ମହମ୍ମଦ ନୱାଜ୍‍ଙ୍କ ରୂପ ଅଭିହିତ କରାଯିବ-

 

ସମସ୍ତଙ୍କ କହିବା ଅନୁଯାୟୀ ମହମ୍ମଦ ନୱାଜ୍‍ ଓ ସମସଦ୍‌ ବାଈ ଡ୍ରଇଂ ରୁମରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରହିଥିଲେ । ସେତିକି ବେଳକୁ ମହମ୍ମଦ ନୱାଜ୍‍ ଶୋଇବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ ଏବଂ ସେ ଓ ସମସଦ୍‌ ବାଈ ଶୋଇବା ଘରକୁ ଗଲେ । ଶୟନ କକ୍ଷରେ ତାଙ୍କୁ ରାତ୍ରଭୋଜନ ପରଷା ଯାଇଥିଲା । ରାତି ୧୦ଟା ବେଳେ ସେ ଚାକରମାନଙ୍କୁ ବିଦା କରିଦେଲେ ଏବଂ ଲାହୋରରୁ ଆସିଥିବା ଭୃତ୍ୟ ମହମ୍ମଦ ହୋସେନ ମଧ୍ୟ ଅନ୍ୟ ଚାକରମାନଙ୍କ ସହ ସେଠାରୁ ଚାଲି ଆସିଲା ଏବଂ ହତାର ଉତ୍ତର ପଶ୍ଚିମ କୋଣରେ ଥିବା ଏକ ଘରକୁ ଶୋଇବା ପାଇଁ ଚାଲି ଗଲା । ଉକ୍ତ ପ୍ରାସାଦ ହତାରେ ମାତ୍ର ଗୋଟିଏ ଫାଟକ ଥିଲା ଏବଂ ପ୍ରାସାଦ ଚାରିପଟେ ଆଠଫୁଟ ଉଚ୍ଚର ପାଚେରୀ ଘେରି ରହିଥିଲା ।

 

ଅଦାଲତରେ ଦିଆଯାଇଥିବା ବୟାନରୁ ଜଣାଯାଏ ରୋଷେଇ ଘର ପାଖରେ ଶୋଇଥିବା ରାମନ ନାମକ ଜଣେ ଚାକର ରାତି ଅଧରେ ବଙ୍ଗଳାରୁ ପାଟି ଶୁଣି ଉଠିପଡ଼ିଥିଲା । ବଙ୍ଗଳା ଭିତରୁ ମହମ୍ମଦ ହୁସେନ ଏକା ବୁଲାଓ ବୋଲି ପାଟି ଶୁଭୁଥିଲା । ମହମ୍ମଦ ହୁସେନ ଓ ଅନ୍ୟ କେତେକ ଚାକର ଇତିମଧ୍ୟରେ ପାଟି ଶୁଣି ନିଦରୁ ଉଠି ନିଜ ମୁନିବଙ୍କ ଶୟନକକ୍ଷକୁ ଯାଇଁ ସମସଦ୍‌ ବାଈ ପାଖରେ ତାଙ୍କୁ ପଡ଼ି ରହିଥିବାର ଦେଖିଥିଲେ । ସମସଦ୍‌ ବାଈର ତକିଆ ରକ୍ତ ଜୁଡ଼ୁ ବୁଡ଼ୁ ହୋଇ ଯାଇଥିଲା ଓ ଚଟାଣରେ ଗୋଟିଏ ରିଭଲ୍‌ଭର ପଡ଼ିଥିଲା । ଘରଭିତରେ ଛାତ ପାଖକୁ ଲାଗି ଅଳ୍ପ ଶକ୍ତିସମ୍ପନ୍ନ ଏକ ଲାଇଟ ଜଳୁଥିବାରୁ ତାର କ୍ଷୀଣ ଆଲୋକରେ ଏହା ସବୁ ଦେଖା ଯାଉଥିଲା ବୋଲି ମହମ୍ମଦ ହୁସେନ ସାକ୍ଷ୍ୟରେ ପ୍ରକାଶ କରିଥିଲେ । ପରେ ମହମ୍ମଦ ନୱାଜ୍‍ଙ୍କୁ ଘଟଣା ସ୍ଥଳକୁ ଡକାଯାଇଥିଲା; କିନ୍ତୁ ସେ ଘର ଭିତରକୁ ନ ଯାଇ ସ୍ଥାନୀୟ ଓକିଲ ମନୋହର ଲାଲଙ୍କୁ ପ୍ରଥମେ ଡାକି ଆଣିବା ପାଇଁ ମହମ୍ମଦ ହୁସେନଙ୍କୁ ପରାମର୍ଶ ଦେଲେ ।

 

ମନୋହରଲାଲ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ମଧ୍ୟ ନିଜେ ଘର ଭିତରକୁ ନ ଯାଇ ବାହାରୁ ଝରକା ବାଟେ ଆସାମୀକୁ କେତେକ କଥା ପଚାରିଲେ ଏବଂ ଏହାର ଉତ୍ତରରେ ‘‘ସେ ମରି ଯାଇଛି’’ ବୋଲି ଆସାମୀ କହିଥିଲା ।

 

ମହମ୍ମଦ ନୱାଜ୍‍, ମନୋହରଲାଲ ଓ ମହମ୍ମଦ ହୁସେନ ତା ପରେ ଜଣେ ମାଜିଷ୍ଟ୍ରେଟଙ୍କ ପାଖକୁ ଗଲେ ଏବଂ ସେଠାରେ ପୋଲିସ ସୁପରିନ୍‌ ଟେଣ୍ଡେଣ୍ଟ ଓ ପରେ ଡେପୁଟି-କମିଶନରଙ୍କ ପାଖକୁ ଯାଇଥିଲେ । ସେମାନେ ଉଚ୍ଚପଦସ୍ଥ ଅଫିସରମାନଙ୍କୁ କହି ବୋଧହୁଏ ଏହାର ତୁରନ୍ତ କିଛି ଗୋଟାଏ ଫଇସଲା କରାଇନେବା ସେମାନଙ୍କ ଅଭିପ୍ରାୟ ଥିଲା ବୋଲି ଅନୁମାନ କରାଯାଇପାରେ; କିନ୍ତୁ ଏହି ଉଦ୍ଦେଶ୍ୟ ମଧ୍ୟ ମକଦ୍ଦମାରେ ପ୍ରମାଣିତ ହୋଇପାରି ନାହିଁ । ସବୁ ଅଫିସରଙ୍କ ଘରୁ ଆସିବା ପରେ ଥାନାକୁ ଯାଇ ଏତାଲା ଦେଲେ ଏବଂ ୧୯୪୧ ମସିହା ନଭେମ୍ବର ୮ ତାରିଖ ଭୋର ସାଢ଼େ ତିନିଟା ବେଳେ ଏହି ଏତାଲା ଦିଆଯାଇଥିବା ପୋଲିସ ରେକର୍ଡ଼ରେ ଲିପିବଦ୍ଧ ହୋଇଛି । ଉକ୍ତ ରିପୋର୍ଟରେ ପୂର୍ବଦିନ ଘଟଣା ବର୍ଣ୍ଣନା କରାଯିବା ପରେ କୁହାଯାଇଛି ଯେ, ମନୋହରଲାଲ ମହମ୍ମଦ ନୱାଜ୍‍ ଖାଁଙ୍କର ବଙ୍ଗଳାକୁ ଯାଇ ବାହାରୁ କଣ ହୋଇଛି ବୋଲି ପଚାରିଲେ । ମହମ୍ମଦ ନୱାଜ୍‍ କେବଳ ତାଙ୍କୁ ସମସଦ ବାଈ ପ୍ରାଣ ହରାଇଛି ବୋଲି କହିଲେ; କିନ୍ତୁ ଅଧିକ କିଛି ବିବରଣୀ ଦେଇ ନଥିଲେ । ମହମ୍ମଦ ନୱାଜ୍‍ ସେତେବେଳ ସୁଦ୍ଧା ସମସଦ ବାଈ ନିକଟରେ ପଡ଼ି ରହିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ।

 

ପୋଲିସ-ସବଇନସପେକ୍‌ଟର ଆଲି ହୁସେନ ଆଗରେ ପହଞ୍ଚୁଥିବା ଲୋକଙ୍କର ବକ୍ତବ୍ୟ ଲିପିବଦ୍ଧ କରିବା ପରେ ଘଟଣାସ୍ଥଳରେ ଭୋର ୫ଟା ୧୫ରେ ପହଁଞ୍ଚିଲେ । ମହମ୍ମଦ ନୱାଜ୍‍ ସେତେବେଳେ ସମସଦ ବାଈର ଖଟିଆ ନିକଟରେ ପଡ଼ି ରହିଥାଆନ୍ତି । ଗୋଟିଏ ରିଭଲଭର ତଳେ ପଡ଼ିଥାଏ ଏବଂ ଗୋଟିଏ ଛୋଟିଆ ବଲ୍‌ର କ୍ଷୀଣ ଆଲୋକରେ ପକୋଷ୍ଠଟି ଆଲୋକିତ ହୋଇଥାଏ । ସବ୍‌ଇନିସପେକ୍‌ଟର ରିଭଲଭର୍‌ଟିକୁ ଉଠାଇ ଶୁଙ୍ଘିଲେ । ରିଭଲଭରରୁ ଆସୁଥିବା ବାରୁଦ ଗନ୍ଧରୁ ମାତ୍ର ଅଳ୍ପ ସମୟ ତଳେ ସେଥିରୁ ଗୁଳି ଫୁଟିଥିବା ଜଣା ଯାଉଥାଏ । ରିଭଲଭର ଖୋଲିବାରୁ ଏଥିରେ ୪ଟି ଜୀବନ୍ତ ଗୁଳି ଏବଂ ଦୁଇଟି ଫୁଟା ଗୁଳିଥିବା ଦେଖାଯାଇଥିଲା-। ଅନ୍ୟ ଏକ ଗୁଳିଭରା ରାଇଫଲ ଘରେଥିବା ଉହ୍ନେଇ ପାଖରେ ରଖା ଯାଇଥିଲା ଏବଂ ଅନ୍ୟ ଗୋଟିଏ ପିସ୍ତଲ ମଧ୍ୟ ସୁଟକେଶ ଭିତରେ ଥିଲା । ଶେଯର ମୁଣ୍ଡ ପାଖରେ ଦୁଇଟି ଛୋଟିଆ ଟେବୁଲ ରହିଥିଲା । ପୋଲିସର ଆଗମନ ମହମ୍ମଦ ନୱାଜ୍‍ଙ୍କ ମନରେ ସେଭଳି କୌଣସି ପ୍ରତିକ୍ରିୟା ସୃଷ୍ଟି କଲା ନାହିଁ ଏବଂ ସେ ପୂର୍ବଭଳି ସେହି ନର୍ତ୍ତକୀର ଶବ ପାଖରେ ପଡ଼ି ରହିଲେ । ସକାଳ ୬ଟା ବେଳେ ପୋଲିସ ଡି. ଏସ୍‌. ପି. ଗୁଲାମ ହାଇଦର ସେଠାରେ ପହଞ୍ଚିଲା ବେଳକୁ ମଧ୍ୟ ମହମ୍ମଦ ନୱାଜ୍‍ ସେହି ଅବସ୍ଥାରେ ଥିଲେ । ଅନୁସନ୍ଧାନ ପରେ ରିଭଲଭରରୁ ଦୁଇଥର ଗୁଳି ଫୁଟା ଯାଇଥିବା ଜଣାପଡ଼ିଲା । ସମସଦ ବାଈ ଶୋଇଥିବା ଶେଯ ଉପରକୁ ତଳୁ ଛଅ ଫୁଟ ତିନି ଇଞ୍ଚ ଉପରେ କାନ ଉପରେ ଏକ ବୁଲେଟ ଦାଗ ଥିଲା ଏବଂ ଏକ ଫୁଟାଗୁଳି ଘରର ଝରକା ତଳେ ସୁଟକେଶ ନିକଟରେ ପଡ଼ିଥିଲା; କିନ୍ତୁ ଅନ୍ୟ ବୁଲେଟଟି ମିଳିଲା ନାହିଁ । ସକାଳ ସାଢ଼େ ୮ଟା ବେଳେ ଜଗନ୍ନାଥ ନାମକ ଜଣେ ଫଟୋଗ୍ରାଫରକୁ ଡକାଯାଇ କେତେକ ଫଟୋ ଉଠାଗଲା । ଉଠାଯାଇଥିବା ଫଟୋ ମଧ୍ୟରେ ଆମର ସୋମିଓ ଜୁଲିଏଟଙ୍କ ଫଟୋ ମଧ୍ୟ ସ୍ଥାନ ପାଇଥିଲା ।

 

ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ମହମ୍ମଦ ସାଫି ସେଠାରେ ପ୍ରାୟ ସକାଳ ୯ଟା ବେଳେ ପହଞ୍ଚି ଦଣ୍ଡବିଧି ଆଇନର ୧୬୪ ଧାରା ଅନୁଯାୟୀ ଚାକରମାନଙ୍କର ବକ୍ତବ୍ୟ ଲିପିବଦ୍ଧ କଲେ । ଆସାମୀ ଠାରୁ ନଗଦ ୨୫ ହଜାର, ୧୦ ହଜାର ଓ ୫ ହଜାର ଟଙ୍କା ମୂଲ୍ୟର ଦୁଇଟି ବେରେନ୍‌ସି କୋଟ ଓ ଗୋଟିଏ ମୂଲ୍ୟବାନ କଙ୍କଣ ଜବତ କରାଗଲା ।

 

ସେହିଦିନ ମହମ୍ମଦ ନୱାଜ୍‍ଙ୍କୁ ସମସଦ ବାଈ ହତ୍ୟା ଅଭିଯୋଗରେ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଗଲା । ହାଜତରେ ଥିବାବେଳେ ତାଙ୍କପ୍ରତି ଅବଶ୍ୟ ଯଥାବିଧି ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ସେ ହାଜତରେ ତିନି ସପ୍ତାହ ରହିବା ପରେ ଝାଙ୍କର ସେସନସ୍‌ ଜଜ ତାଙ୍କୁ ଜାମିନ ମଞ୍ଜୁର କଲେ । ଆସାମୀ ଗୁରୁତର ଅଭିଯୋଗରେ ଅଭିଯୁକ୍ତ ହୋଇଥିବାରୁ ତାଙ୍କର ଜାମିନ ନାମଞ୍ଜୁର କରିବା ପାଇଁ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଅପିଲ ହେଲା ଏବଂ ହାଇକୋର୍ଟ ତାଙ୍କର ଜାମିନ ନାମଞ୍ଜୁର କରିଦେଲେ; କିନ୍ତୁ ସ୍ଵାସ୍ଥ୍ୟ ଦୃଷ୍ଟିରୁ ତାଙ୍କୁ ଡାକ୍ତରଖାନାରେ ରହିବା ପାଇଁ ଅନୁମତି ଦିଆଗଲା । ମହମ୍ମଦ ନୱାଜ୍‍ ସେଠାରୁ ଆଉ ହାଜତକୁ ଫେରି ନ ଥିଲେ ।

 

୧୯୪୨ ମସିହା ଫେବୃଆରୀ ୧୨ ତାରିଖରେ ସେସନ୍‌ସ କୋର୍ଟରେ ମହମ୍ମଦ ନୱାଜ୍‍ଙ୍କୁ ହାଜର କରାଗଲା; କିନ୍ତୁ ଆସାମୀ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏବଂ ସେ ସାକ୍ଷୀମାନଙ୍କୁ କିଣି ନେବାର ସମ୍ଭାବନା ଥିବାରୁ ଲାହୋର ସେସନ୍‌ସ କୋର୍ଟରେ ତାଙ୍କର ଶୁଣାଣି ହେବାର ସ୍ଥିର ହେଲା । ଲାହୋରରେ ଭାରତୀୟ ସିଭିଲ ସର୍ଭିସର ସେସନ୍‌ସ ଜଜ୍‌ ଶ୍ରୀ ଡିଫାଲସଙ୍କ ଇଜଲାସରେ ତାଙ୍କ ଶୁଣାଣି ଆରମ୍ଭ ହେଲା । ଶ୍ରୀ ଫାସଲଙ୍କୁ ଏହି କାର୍ଯ୍ୟରେ ୪ ଜଣ ଆସେସର୍ସ ସାହାଯ୍ୟ କରୁଥିଲେ । ଆଦାଲତରେ ସରକାରଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରସିକ୍ୟୁଟର ଶ୍ରୀ ହିଦ୍ଦିକ ଝାଙ୍ଗର ବହୁ ଓକିଲଙ୍କ ସହାୟତାରେ ମକଦ୍ଦମା ଲଢ଼ିଲେ । ଆସାମୀଙ୍କ ପକ୍ଷରୁ ବିଖ୍ୟାତ ବାରିଷ୍ଟର ମିଆଁ ଅବଦ୍ଦୁକ ଅଜିବ ଏବଂ ଝାଙ୍ଗ ଓ ଲାହୋରର ବହୁ ଆଇନଜୀବୀ ସୁଆଲ କଲେ । ଶୁଣାଣି ଚାଲିଥିଲା ବେଳେ ଅଦାଲତର ପ୍ରକୋଷ୍ଠ ଭରପୂର ହୋଇ ଯାଉଥିଲା ଏବଂ ବହୁ ସାମ୍ବାଦିକ, ଆଇନଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଦର୍ଶକରୂପେ ଅଦାଲତରେ ଉପସ୍ଥିତ ରହୁଥିଲେ ।

 

ମକଦ୍ଦମାର ବିଚାର ବେଳେ ପ୍ରଥମ ସାକ୍ଷୀର ହିଁ ଝାଙ୍ଗର ସିଭିଲ ସର୍ଜନ ଡାକ୍ତର ସେର ସିଂହ ନିଜର ବୟାନ ଦେଇଥିଲେ ଏବଂ ନଭେମ୍ବର ୯ ତାରିଖ ଦିନ ସମସଦ ବାଈର ଶବ ବ୍ୟବଚ୍ଛେଦ କରି ବେକର ପଛପଟେ ବାମ ପାଖରେ ୧\୪ ଇଞ୍ଚ ବ୍ୟାସବିଶିଷ୍ଟ ଗୁଳି କ୍ଷତ ଥିବା ପ୍ରକାଶ କରିଥିଲେ । ଗୁଳିଟି ବାମପଟ ବେକଠାରୁ ଦକ୍ଷିଣ ଦିଗକୁ ଯାଇ ସେଠାରୁ ମୁଣ୍ଡ ଆଡ଼କୁ ଧାବିତ ହୋଇଥିଲା । ଡାକ୍ତରଙ୍କ ମତାନୁଯାୟୀ ଗୁଳି ଫୁଟିଲା ବେଳକୁ ସମସଦ ଡାହାଣ ପଟକୁ ମଡ଼େଇ ଶୋଇଥିଲା ଓ ତାର ମୁଣ୍ଡଟେକି ହୋଇ ରହିଥିଲା କିନ୍ତୁ ତା ଶରୀରରୁ ସେ ଗୁଳି ବାହାର କରି ପାରି ନ ଥିଲେ ଏବଂ ଏଇଥିପାଇଁ ଗୁଳିଟି ଶବର ଡାହାଣ ପଟ କାନ ଦେଇ ବାହାରି ଯାଇଥିବ ବୋଲି ଅନୁମାନ କରିଥିଲେ । ଏହାଛଡ଼ା ଗୁଳିଟି ଖପୁରୀ ଭିତରେ କେଉଁଠି ରହିଯାଇ ଥାଇପାରେ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ; କିନ୍ତୁ ଡାକ୍ତର ଶେର ସିଂହ ଯେଉଁ ଗୁଳିଟି ଖୋଜି ପାଇ ନଥିଲେ ଲାହୋରର ଆସିଷ୍ଟାଣ୍ଟ ସିଭିଲସର୍ଜନ ଡାକ୍ତର ସୟଦ ମହମ୍ମଦ ତୁଫେଲ ଡିସେମ୍ବର ୨୦ ତାରିଖ ଦିନ ପୁଣି ଥରେ ସମାଧିସ୍ଥଳରୁ ଶବ ବାହାର କରି ତାହା ବ୍ୟବଚ୍ଛେଦ କରିବା ପରେ ଆବିଷ୍କାର କଲେ । ସେସନ୍‌ସ କୋର୍ଟରେ ଡାକ୍ତର ଆହୁରି କହିଥିଲେ ଯେ ଯଦି ଆସାମୀ ହତ୍ୟାକାଣ୍ଡ ଘଟିଥିବା ଦିନ ରାତି ୧୦ ଟା ପର୍ଯ୍ୟନ୍ତ ମଦ୍ୟପାନ କରିଥିବେ ତେବେ ତା ପରଦିନ ମଧ୍ୟାହ୍ନ ସାଢ଼େ ୨ଟା ସୁଦ୍ଧା ତାଙ୍କର ଶରୀରରୁ ମଦର ସମସ୍ତ ପ୍ରଭାବ ଲୋପ ପାଇ ଯାଇଥିବ । ଏଠାରେ ଉଲ୍ଲେଖଯୋଗ୍ୟ କି ହତ୍ୟାକାଣ୍ଡର ପରଦିନ ଡାକ୍ତର ଆସାମୀକୁ ପରୀକ୍ଷା କରିଥିଲେ । ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀରୂପେ ମହମ୍ମଦ ହୁସେନ ଅଦାଲତ ଆଗରେ ପୂର୍ବ ବର୍ଣ୍ଣନା ଅନୁଯାୟୀ ମହମ୍ମଦ ନୱାଜ୍‍ ଅକ୍ଟୋବର ୨୩ ତାରିଖଦିନ କିପରି ଚିକିତ୍ସା ନିମନ୍ତେ ଲାହୋର ଗଲେ, ସେଠାରେ ସମସଦ ବାଈ ସହିତ ତାଙ୍କର ପରିଚୟ, ଫାଲେତି ହୋଟେଲକୁ ତାର ଆଗମନ, ମୁଲତାନକୁ ଯାତ୍ରା, ଖାନେୱାଲାଠାରେ ଯାତ୍ରାର ଗତିପଥ ପରିବର୍ତ୍ତନ, ଝାଙ୍ଗରେ ଅବତରଣ ଓ ସେ ଦିନର ହତ୍ୟାକାଣ୍ଡ ସମ୍ପର୍କରେ ବିଶଦ ବିବରଣୀ ହେଲା—

 

‘‘ଆସାମୀର ସମ୍ପର୍କୀୟ ଭାଇ ତଥା ଜୁଲଫିକରଙ୍କ ପୁତ୍ର ମହମ୍ମଦ ନୱାଜ୍‍ ସେତେବେଳକୁ ବଙ୍ଗଳାରେ ରହୁଥିଲେ । ଆମେ ପହଞ୍ଚିବା ପରେ ବଙ୍ଗଳା ହତାରେ ତାଙ୍କ ପାଇଁ ଏକ ତମ୍ବୁ ପଡ଼ିଲା । ସେଦିନ ସେଠାରେ ସ୍ଵାଭାବିକ ଭାବେ ଯେତିକି ଚାକର ବାକର ରହିବା କଥା ସେମାନେ ମଧ୍ୟ ଥିଲେ । ମୁଁ ଯଥାବିଧି କାମ କରୁଥିବାବେଳେ ଆସାମୀ ଓ ସମସଦ ବାଈ ଡ୍ରଇଂ ରୁମରେ ବସିଥିବା ଦେଖିଥିଲି । ଅପରାହ୍ନ ପ୍ରାୟ ୫ଟା ବେଳେ ଆସାମୀ ଓ ସମସଦ ବାଈ ଶୟନକକ୍ଷକୁ ଗଲେ । ରାତି ୧୦ ଟା ବେଳେ ଆସାମୀ ସବୁ ଚାକରଙ୍କୁ ବିଦା କରିଦେଲେ । ମୁଁ ତା ପରେ ମୋ ନିଜ କ୍ୱାଟରକୁ ଚାଲିଗଲି । ରୋଷେୟା ରାମନ ବୋଧହୁଏ ରୋଷେଇ ଘରକୁ ଶୋଇବା ପାଇଁ ଗଲା ଏବଂ ଚୌକିଦାର ଦାଲି ସିଂହ ରାତି ପହରା ଦେଲା । ସମସଦର ଭାଇ ତାଲିବ ହୁଃସେନ ରୋଷେୟା ସହିତ ରୋଷେଘରେ ଶୋଇଲା । ମଧ୍ୟରାତ୍ରରେ ରାମନ ଆସି ଆସାମୀ ମୋତେ ଖୋଜୁଛନ୍ତି ବୋଲି କହିଲା, ମୁଁ ଏକଥା ଶୁଣି ତରବର ହୋଇ ନ ଉଠି ପୁଣି ଲୁଗା ଘୋଡ଼େଇ ପୋରେଇ ହୋଇ ଅଳସ ଭାଙ୍ଗୁଥିବା ବେଳେ ବାଲ ସିଂହ ମଧ୍ୟ ସେହି ବାର୍ତ୍ତା ଆଣି ପହଞ୍ଚାଇଲା । ମୁଁ ଘର ବାହାରକୁ ଯିବା ପୂର୍ବରୁ ଏକ ଗୁଳିଫୁଟା ଶବ୍ଦ ଶୁଣିଲି । ସେଠାକୁ ଗଲାବେଳେ ବାଲ ସିଂହ ଓ ରାମନ ମୋ ଆଗରେ ଥିଲେ । ମୁଁ ଶୟନକକ୍ଷ ଭିତରକୁ ଗାଧୁଆଘର ଭିତର ନେଇଗଲି, ଗାଧୁଆଘର କବାଟ ଆଉଜା ଯାଇଥିଲା ଓ କିଳିଣୀ ଦିଆଯାଇ ନ ଥିଲା । ସେଠାରେ ସମସଦର ମୁଣ୍ଡତଳେ ରକ୍ତ ଜମିଥିଲା ଏବଂ ଆସାମୀ ସେଠାରେ ଆଖି ବୁଜି ବସିଥିଲେ ତାଙ୍କ ଛଣଘର ଭିତରେ ଆଉ କେହି ନଥିଲେ, ଶେଯତଳେ ଚଟାଣରେ ଓ ଆସାମୀ ବସିଥିବା ସ୍ଥାନରେ ଗୋଟିଏ ରିଭଲଭର ପଡ଼ିଥିଲା ।

 

ଏହାର ଉତ୍ତର ଦେଇ ମହମ୍ମଦ ହୁସେନ କହିଲା ଯେ, ଆସାମୀ ବରାବର ଅତ୍ୟଧିକ ମଦ୍ୟପନ କରୁଥିଲେ । ସେ ଖାନେୱାଲାରେ ସକାଳ ୮ଟା ବେଳକୁ ମଦ୍ୟପାନ ଆରମ୍ଭ କରିଥିଲେ ଏବଂ ତାହା ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ଗାଧୁଆ ଘରେ ୪।୫ ଟା ଖାଲି ହୁଇସ୍କି ବୋତଲ ପଡ଼ିଥିଲା ଏବଂ ଶୟନକକ୍ଷରେ ଗୋଟିଏ ପୂରା ବୋତଲ ମଦ ଥିଲା । ସେ ଆହୁରି ମଧ୍ୟ ସ୍ୱୀକାର କରିଥିଲେ ଯେ, ଆସାମୀ ଦୁଇ ତିନି ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ବିକ୍ରି କରିଦେଇ ଥିବାରୁ ମହମ୍ମଦ ନୱାଜ୍‍-୨ ଆସାମୀ ଉପରେ ଅସନ୍ତୁଷ୍ଟ ଥିଲେ । ଡ୍ରଇଂ ରୁମ ଓ ଶୟନ କକ୍ଷ ମଧ୍ୟରେ ଥିବା କବାଟ ସେଦିନ ରାତିରେ ଆଉଜା ହୋଇଥିଲେ ମଧ୍ୟ, କିଳିଣୀ ଦିଆଯାଇ ନ ଥିଲା ବୋଲି ସେ ପ୍ରକାଶ କରିଥିଲେ । ଆସାମୀର ମା ନଭେମ୍ବର ୯ ତାରିଖ ଦିନ ମହମ୍ମଦ ନୱାଜ୍‍-୨ କୁ ସମ୍ପତ୍ତି ଅଧିକାରରୁ ବଞ୍ଚିତ କଲେ । ଏହି ହତ୍ୟା ଅପରାଧକୁ ଘୋଡ଼ାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯିବା ପୂର୍ବରୁ ସେ ପୋଲିସକୁ ଖବର ଦେଇ ଥିବାରୁ ବୋଧହୁଏ ତାଙ୍କ ବିରୁଦ୍ଧରେ ଏତାଦୃଶ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ।

 

ରୋଷେୟା ଶାମର ମୋଟାମୋଟି ଭାବେ ମହମ୍ମଦ ହୁସେନ ହେଇଥିବା ବକ୍ତବ୍ୟର ପୁନରାବୃତ୍ତି କଲା ।

 

ମଧ୍ୟରାତ୍ରରେ ଆସାମୀ ବଙ୍ଗଳା ଭିତରକୁ ‘‘ମହମ୍ମଦ ହୁସେନ କୋ ବୁଲାଓ’’ ବୋଲି ପାଟି କରୁଥିବାର ମୁଁ ଶୁଣିଲି । ଆମେ ପାଟି ଶୁଣି ସେହି ଘର ନିକଟରେ ପହଞ୍ଚିବା ବେଳକୁ ଗୁଳିଫୁଟା ଶବ୍ଦ ଶୁଭିଲା । ମୁଁ ମହମ୍ମଦ ନୱାଜ୍‍ଙ୍କୁ ତାଙ୍କ ତମ୍ବୁ ଭିତରୁ ଡାକିଲି । ସେ ସହସା ବାହାରକୁ ଆସିଲେ । ରାତି ୧୦ଟା ପୂର୍ବରୁ ମୁଁ ପ୍ରାୟ ଘଣ୍ଟାଏ କାଳ ଆସାମୀର ଗୋଡ଼ ମାଲିସ କରୁଥିଲି । ସମସଦ ବାଈ ଓ ଆସାମୀ ସେହି ଏକା ଶଯ୍ୟାରେ ଗଡ଼ୁଥିଲେ ଏବଂ ମୁଁ ସେଇ ଘରୁ ଆସିଲା ବେଳେ ସେଠାରେ ସେ ଦୁଇଜଣଙ୍କ ଛଡ଼ା ଆଉ କେହି ନଥିଲେ । ମୁଁ କକ୍ଷ ତ୍ୟାଗ କଲାବେଳକୁ ସେଠାରେ ଆଲୁଅ ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା । ନେପାଳୀ ଚୌକିଦାର ତାଲ ସିଂ ପୂର୍ବ ଦୁଇଜଣଙ୍କ ବକ୍ତବ୍ୟକୁ ସମବେତ କରି ନିଜର ବୟାନ ଦେଲା ।

 

ଦୁଇଜଣ ସ୍ଥାନୀୟ ବେଶ୍ୟା ଖଇରାନ୍ ଓ ଜୋରା ଅଦାଲତରେ ନିଜର ବୟାନ ଦେଇ କହିଲେ ଯେ, ଉଭୟଙ୍କୁ ନଭେମ୍ବର ୮ ତାରିଖ ଦିନ ସେହି ଘରକୁ ଡକାଯାଇ ଗୀତ ଗାଇବା ପାଇଁ କୁହାଯାଇଥିଲା । ସମସଦ ବାଈକୁ ମଧ୍ୟ ସେମାନଙ୍କ ସହ ଖାଇବା ପାଇଁ କୁହାଯାଇଥିଲା; କିନ୍ତୁ ସେ ମନା କରିବାରୁ ଆସାମୀ ତା ଉପରେ ବିରକ୍ତ ହୋଇଥିଲେ । ଏହି ମହିଳା ଦୁଇଜଣ ଅଦାଲତରେ ନିଜର ବୟାନ ଦେବା ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା ।

 

ନିହତ ବାଳିକାର ଭାଇ ତାଲିବ ହୁସେନ କହିଲା ଯେ, ତାର ଭଉଣୀ ରାତି ୮ଟାରୁ ୯ଟା ଭିତରେ ଶୟନ କକ୍ଷ ବାହାରକୁ ଆସିଥିଲା ଏବଂ ତା ସହିତ ରାତ୍ରଭୋଜନ କରିଥିଲା । ଏହାପରେ ସେ ଆସାମୀ ପାଖକୁ ଫେରି ଯାଇଥିଲା । ତାର ଭଉଣୀକୁ ଆସାମୀ ୧୭୦୦ ବା ୧୮୦୦ ଟଙ୍କା ଦେଇଥିଲା ଏବଂ ସେମାନେ ଆନନ୍ଦରେ ଆସାମୀ ସହିତ ଆସିଥିଲେ । କୌଣସି ଅଭିଯୋଗ କରି ନଥିଲେ ।

 

ମହମ୍ମଦ ନୱାଜ୍‍-୨ଙ୍କୁ ଅଦାଲତରେ ଅନ୍ୟତମ ସାକ୍ଷୀ ରୂପେ ପୂର୍ବୋକ୍ତ ସାକ୍ଷୀମାନଙ୍କର ବକ୍ତବ୍ୟକୁ ସମବେତ କରିବା ଲାଗି ହାଜର କରାଯାଇଥିଲା । କିନ୍ତୁ ସେ ଭିନ୍ନ କଥା କହିବାରୁ ଅପର ପକ୍ଷରୁ ତାଙ୍କୁ ଜୋର କରାଗଲା ।

 

ଏକଥା ସତ୍ୟ ଯେ, ମୁଁ ତମ୍ବୁରେ ଶୋଇଥିବା ବେଳେ ମହମ୍ମଦ ହୁସେନ ମୋତେ ଆସି ଉଠାଇଲା । ମିଆଁ ଅବଦୁଲ ଅଜିଜଙ୍କ ଜେରାର ଉତ୍ତର ଦେଇ ସେ କହିଲେ, ଆସାମୀ ମଦ୍ୟପାନ ଓ ଅନ୍ୟାନ୍ୟ ବଦଖର୍ଚ୍ଚ କରି ବହୁ ଟଙ୍କାର ସମ୍ପତ୍ତି ବିକି ଦେଇଥିଲେ । ମୁଁ ସମ୍ପତ୍ତି କ୍ରୟ କରୁଥିବା ବ୍ୟକ୍ତିମାନଙ୍କୁ ଖବର କାଗଜ ଓ ପ୍ରଚାରପତ୍ରମାନଙ୍କ ଜରିଆରେ ସତର୍କ କରି ଦେଇଥିଲି । ମୁଁ ଆସାମୀ ସମ୍ପତ୍ତିର ଉତ୍ତରାଧିକାରୀ ରୂପେ ନିଜକୁ ମନେ କରୁଛି ଏବଂ ତାଙ୍କରି ବେପରବାୟ ଭାବେ ସମ୍ପତ୍ତି ବିକ୍ରି ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରିଛି । ତାଙ୍କର ଏଭଳି ସମ୍ପତ୍ତି ବିକ୍ରି ବନ୍ଦ କରିବା ନିମନ୍ତେ ଆସାମୀଙ୍କ ସମ୍ପତ୍ତି କୋଟ ଅଫୱାର୍ଡସ ଅଧୀନରେ ରଖିବା ପାଇଁ ଆବେଦନ କରିଛି । ଗତ କେତେଦିନ ହେଲା ଆମ ସମ୍ପର୍କ ତିକ୍ତ ହୋଇ ଆସିଥିଲା ।

 

ହତ୍ୟାକାଣ୍ଡର ଖବର ଶୁଣିବା ପରେ ଲାଲା ମନୋହର ଲାଲ ସହିତ ବଙ୍ଗଳାକୁ ଆସିଥିଲେ । ଏଫ୍, ଆଇ, ଆର୍‌ ଦିଆଗଲା ବେଳେ ମନୋହର ଲାଲ ଉପସ୍ଥିତ ଥିଲେ । ମୁଁ ଆସାମୀ ବିରୁଦ୍ଧରେ ଯେଉଁ ଆବେଦନ କରିଛି ସେ ସମ୍ପର୍କରେ ଲାଲା ମନୋହର ଲାଲଙ୍କ ସହ ପରାମର୍ଶ କରିଛି ।

 

ଅଦାଲତ ଆଗରେ ମହମ୍ମଦ ନୱାଜ୍‍-୨ ନିମ୍ନ ମତେ ଏକ କୌତୂହଳଉଦ୍ଦିପକ ବିବୃତି ଦେଇଥିଲା ‘‘ଯଦିଓ ହତ୍ୟାକାଣ୍ଡ ଘଟିଥିବା କଥା ମୁଁ ଜାଣିବାକୁ ପାଇଲି ଆସାମୀ ସହିତ ମୋର ସମ୍ପର୍କ ତିକ୍ତ ହୋଇଥିବାରୁ ଓ ଘଟଣାରେ କାଳେ ମୁଁ ଜଡ଼ିତ ହୋଇଯିବି ସେହି ଭୟରେ ମୁଁ ଶୟନ କକ୍ଷ ଭିତରକୁ ଗଲିନାହିଁ । ତାଙ୍କର ବକ୍ତବ୍ୟ ଲିପିବଦ୍ଧ କରାଯିବା ପରେ ଆସାମୀ କନଟିଂ ମାଜିଷ୍ଟ୍ରେଟ ଆଗରେ ଦେଇଥିବା ବୟାନ ପୁଣି ଥରେ ପଢ଼ାଯାଇଥିଲା । ଏହି ବକ୍ତବ୍ୟରେ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ ଏବଂ ଘଟଣା ଘଟିବା ଦିନ ଅର୍ଥାତ୍ ନଭେମ୍ବର ୮ ତାରିଖରେ ସେ ସମସଦ ବାଈ ଉପରେ ଅତ୍ୟଧିକ କ୍ରୋଧ ଯୋଗୁଁ ନିଜେ ଅଣଆୟତ୍ତ ହୋଇ ପଡ଼ିଥିଲେ ବୋଲି କରାଯାଇଥିବା ଅଭିଯୋଗକୁ ମଧ୍ୟ ଅସ୍ୱୀକାର କରିଥିଲେ । ଘଟଣା ସ୍ଥଳରେ ପଡ଼ିଥିବା ରିଭଲଭରଟି ତାଙ୍କର ଏବଂ ନଭେମ୍ବର ୯ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ସେ ସମସଦ ବାଈ ଶେଯ ପାଖରେ ପଡ଼ି ରହିଥିଲେ ବୋଲି ମଧ୍ୟ ସ୍ଵୀକାର କରିଥିଲେ । ଶେଯ ଛାଡ଼ି ବାହାରିଲେ ତାଙ୍କୁ ହତ୍ୟା କରାଯିବ ବୋଲି ମନୋହର ଲାଲ କହିବାରୁ ସେ ସେଠାରେ ବେହୋସ ହୋଇ ପଡ଼ିଥିଲେ । ଏହି ବିବୃତି ଲିପିବଦ୍ଧ କରାଯିବା ପରେ ଏହା ସତ୍ୟ କି ବୋଲି ତାଙ୍କୁ ପଚରା ଯିବାରୁ ସେ ଏହା ସତ୍ୟ ବୋଲି କହିଥିଲେ ।’’

 

‘‘ଆପଣ ଆଉ ଅଧିକ କିଛି କହିବାକୁ ଚାହାଁନ୍ତି କି ?’’ ହଁ ମୁଁ ଏକ ଲିଖିତ ବିବୃତି ଦାଖଲ କରିବାକୁ ଇଚ୍ଛା କରୁଛି । ସେ କନଟିଂ ମାଜିଷ୍ଟ୍ରେଟଙ୍କୁ ଯେଉଁ ଲିଖିତ ବିବୃତି ଦେଇଥିଲେ ତାହା ପାଠ କରାଯାଇଥିଲା ଏବଂ ସେଥିରେ ଲିପିବଦ୍ଧ ହୋଇଥିଲା ।

 

ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ସମସଦ ବେଗମଙ୍କୁ ମୁଁ ଗୁଳି କରିନାହିଁ । ସେଭଳି କାଣ୍ଡ ଘଟାଇବାର କୌଣସି ସମ୍ଭାବ୍ୟ ଉଦ୍ଦେଶ୍ୟ ମଧ୍ୟ ମୋର ନଥିଲା । ମୁଁ ତାକୁ ବେଶ୍‌ କିଛି ଅର୍ଥ ଓ ମୂଲ୍ୟବାନ ମୁଦି ଦେଇଥିଲି ଏବଂ ତାକୁ ବିବାହ କରିବା ନିମନ୍ତେ ସଙ୍ଗରେ ଆଣିଥିଲି । ମୋ ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ କରାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ଏବଂ ଏ ଘଟଣା ପରେ ମୋ ସମ୍ପତ୍ତି ହସ୍ତଗତ କରିବା ଉଦ୍ଦେଶ୍ୟରେ ଏ ସବୁ ଅଭିଯୋଗ ପ୍ରସ୍ତୁତ କରାଯାଇଛି । ମୋର ସ୍ତ୍ରୀ କିମ୍ବା ପୁତ୍ର ନାହାଁନ୍ତି ଏବଂ ମୋର ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଛି । ଏହା ଭିତରୁ କିଛି ମୋତେ ମୋର ବିମାତା ଦେଇଛନ୍ତି ଏବଂ ମୋର ଶତ୍ରୁମାନେ ସମ୍ପତ୍ତିକୁ କୋର୍ଟ ଅଫ ୱାର୍ଡ଼ସ୍ ଆଧୀନସ୍ଥ କରିବା ପାଇଁ ଚେଷ୍ଟା କରୁଛନ୍ତି ।

 

ଲିଖିତ ବିବୃତିରେ ମହମ୍ମଦ ନୱାଜ୍‍-୨ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ସିଧାସଳଖ ଭାବେ କିଛି ଆରୋପ କରାଯାଇ ନଥିଲେ ମଧ୍ୟ ତାଙ୍କୁ ଏ ଅପରାଧ ସହିତ ପରୋକ୍ଷଭାବେ ଜଡ଼ିତ କରିବାର ବିଶେଷ ଉଦ୍ୟମ କରାଯାଇଥିବା ଅତି ସ୍ପଷ୍ଟ । ମହମ୍ମଦ ନୱାଜ୍‍ ଯିଏକି ମୋର ସମ୍ପର୍କୀୟ ଏବଂ ସମ୍ପତ୍ତିର ଉତ୍ତରାଧିକାରୀ, ମୋ ସହିତ ଗତ ଅଢ଼େଇ ବର୍ଷ ହେଲା ଉତ୍ତମ ସମ୍ପର୍କ ରଖି ନଥିଲେ । ମୁଁ ସମ୍ପତ୍ତି ବିକ୍ରି କରିବାକୁ ସେ ବିରୋଧ କରୁଥିଲେ ମଧ୍ୟ ଉପରଠାଉରିଆ ଭାବେ ସେ ମୋ ସହିତ ଭଲ ସମ୍ପର୍କ ରଖିଥିଲେ । ସେହି ରାତ୍ରର ଘଟଣା ସମ୍ପର୍କରେ ଆମର ବୟାନ ହେଲା ଏହି ।

 

ମୁଁ ରାତି ୧୦ଟା ପର୍ଯ୍ୟନ୍ତ ମଦ୍ୟପାନ କରି ସମସଦ ବାଈ ସହିତ ଶୋଇବା ପାଇଁ ଶେଯକୁ ଗଲି । ଘରେ କୌଣସି ଆଲୁଅ ଜଳୁ ନଥିଲା ଏବଂ ସବୁ ଚାକର ବାକର ସେତେବେଳକୁ ଶୋଇବାକୁ ଯାଇଥିଲେ ଏବଂ ପାଖ ରୁମ୍‌ ଗୁଡ଼ିକର କିଳିଣୀ ଦିଆଯାଇ ନ ଥିଲା ଓ ଗାଧୁଆଘର କବାଟ ମଧ୍ୟ ଦିଆଯାଇ ନଥିଲା । ସେଦିନ ରାତିରେ ମଦ୍ୟପାନ ଯୋଗୁଁ ଅବଶ ହୋଇ ନିଘୋଡ଼ ନିଦରେ ମୁଁ ଶୋଇଥିବାବେଳେ ହଠାତ୍ ପାଟିଶୁଣି ଉଠିପଡ଼ିଲି । ମୁଁ ମହମ୍ମଦ ହୁସେନଙ୍କୁ ଡାକିଲି ଏବଂ ସେତେବେଳେ ଏକ ଗୁଳି ଫୁଟିବା ଶବ୍ଦ ଶୁଣିଲି । ତା’ ପରେ ଅସାମୀ ସେଠାରୁ ଦୌଡ଼ି ପଳାଇଗଲା । ମୁଁ ସେତେବେଳେ ଅସୁସ୍ଥତା ଅନୁଭବ କରିଥିଲି ଏବଂ ଭୟଭୀତ ହୋଇ ପଡ଼ିଥିଲି ।

 

ସେସନ୍‌ସ ଜଜ୍‌ଙ୍କ ଆଗରେ ଆସାମୀ ଅଧିକ କିଛି କହିଲେ ନାହିଁ କି ଆତ୍ମପକ୍ଷ ସମର୍ଥନ କରି ଅଧିକ କୌଣସି ପ୍ରମାଣ ଦାଖଲ କଲେ ନାହିଁ । ପୂର୍ବର ସାକ୍ଷ୍ୟ ପ୍ରମାଣ ଦୃଷ୍ଟିରୁ ଆତ୍ମପକ୍ଷ ସମର୍ଥନ କରି ଏ ଅବସ୍ଥାରେ ଅଧିକ କିଛି ପ୍ରମାଣପତ୍ର ଦେବା ବିପଜ୍ଜନକ ହୋଇଥାଆନ୍ତା । ଆସାମୀକୁ ବୋଧହୁଏ ଉପଦେଶ ଦିଆ ହୋଇଥିଲା ଯେ ସେ ହତ୍ୟା କରିଥିବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ ଏବଂ ହତ୍ୟାକାରୀ ଡ୍ରଇଂରୁମ୍‌ ବା ଗାଧୁଆ ଘର ଭିତର ଦେଇ ପ୍ରବେଶ କରିଥିବାର ସମ୍ଭାବନା ଥିବାର କୌଣସି ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବା ଅସମ୍ଭବ ଏବଂ ଏହାକୁ ଭିତ୍ତିକରି ଆସାମୀ ବେନିଫିଟ୍ ଅଫ୍‌ ଡାଉଟ୍‌ ବା ସନ୍ଦେହରେ ଖଲାସ ହୋଇ ଯିବାର ଯଥେଷ୍ଟ ଆଶା ରହିଛି । ବସ୍ତୁତଃ ଆସାମୀ ସପକ୍ଷରେ ଏହା ଏକ ବଳିଷ୍ଠ ଯୁକ୍ତି । ଅଦାଲତ ଆସାମୀଠାରେ ହତ୍ୟା କରିବାର ଉଦ୍ଦେଶ୍ୟ କଣ ତାହା ଜାଣିପାରିବେ ନାହିଁ ଏବଂ ଆସାମୀ ଉକ୍ତ ବାଳିକାକୁ ୧୫ରୁ ୧୭ ଶହ ଟଙ୍କା ଦେଇଥିବାରୁ ନିହତ ବାଳିକା ଅସାମୀଠାରେ ଅନୁଗୃହୀତ ହୋଇଥିବାର ଯଥେଷ୍ଟ ସୂଚନା ମିଳୁଛି । ଆସାମୀ ଉକ୍ତ ବାଳିକାକୁ ବିବାହ କରିବା ଲାଗି ପ୍ରକୃତରେ ମନସ୍ଥ ନ କରିଥିଲେ ମଧ୍ୟ ଅଧିକ ଅର୍ଥ ନେବାପାଇଁ ପ୍ରସ୍ତୁତ ଥିବାର ପ୍ରମାଣ ମିଳୁଛି ।

 

ଚାରି ଜଣଯାକ ଆସେପର୍‌ ସର୍ବସମ୍ମତିକ୍ରମେ ଆସାମୀ ବିରୁଦ୍ଧରେ ଆଗତ ଅଭିଯୋଗ ନିଃସନ୍ଦେହରେ ସାବ୍ୟସ୍ତ କରାଯାଇ ପାରି ନ ଥିବାରୁ ତାଙ୍କୁ ଖଲାସ କରାଯାଉ ବୋଲି ସୁପାରିଶ କରିଥିଲେ; କିନ୍ତୁ ସେସନ୍‌ସ ଜଜ୍‌ ସେମାନଙ୍କ ସହିତ ଏକମତ ହୋଇ ଭିନ୍ନ ସିଦ୍ଧାନ୍ତରେ ଉପନୀତ ହେଲେ । ସେ ମତ ଦେଲେ ଯେ ଶୁଣାଣି ବେଳେ ଆସାମୀର ଦୋଷ ସାବ୍ୟସ୍ତ ହୋଇଛି ଏବଂ ଆସାମୀ ଛଡ଼ା ଅନ୍ୟ କୌଣସି ବ୍ୟକ୍ତି ସମସଦ ବାଈକୁ ହତ୍ୟାକରି ନାହାଁନ୍ତି । ହତ୍ୟାକାଣ୍ଡ ବେଳେ ଏଭଳି କୌଣସି ପରିବେଶ ସୃଷ୍ଟି ହୋଇନାହିଁ ଯାହାକୁ ଭିତ୍ତିକରି ଏହି ଘଟଣାକୁ ଭାରତୀୟ ପିଙ୍ଗଳ କୋର୍ଡ଼ରେ ୩୦୦ ଧାରା ପରିସର ବହିର୍ଭୂତ କରାଯାଇ ପାରିବ ।

 

ବିଚାରପତି ଏହି ଘଟଣାର ସବିଶେଷ ବିଚାର କରି ୪ଟି ସାମ୍ଭାବ୍ୟ ଉତ୍ତର ଅବତାରଣା କରିଥିଲେ ସେଗୁଡ଼ିକ ହେଲା (୧) ହୁଏତ ଆସାମୀ ଜାଣିଶୁଣି କଥିତ ଯୁବତୀକୁ ହତ୍ୟା କରିଛି (୨) ବାହାରୁ ଅନ୍ୟ କୌଣସି ଲୋକ ଆସି ଶୟନ କକ୍ଷରେ ପ୍ରବେଶ କରିଛି ଏବଂ ଯୁବତୀକୁ ଲକ୍ଷ୍ୟକରି ଅଥବା ଆସାମୀକୁ ଲକ୍ଷ୍ୟ କରି ଗୁଳି ଚାଳନା କରିବାଯୋଗୁ ସମସଦ ବାଈର ମୃତ୍ୟୁ ଘଟିଛି ଅଥବା (୩) ମୃତା ଆତ୍ମହତ୍ୟା କରିଛି କିମ୍ବା (୪) ଆସାମୀ ହାତରୁ କୌଣସି ଗୁଳି ଫୁଟିଯାଇ ଉକ୍ତ ଯୁବତୀର ମୃତ୍ୟୁ ହୋଇଛି; କିନ୍ତୁ ତୃତୀୟ ଓ ଚତୁର୍ଥ ତତ୍ତ୍ୱ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିଜ୍ଞ ବିଚାରପତି ମନ୍ତବ୍ୟ ଦେଲେ । କାରଣ ମୃତା ଯୁବତୀ ପକ୍ଷେ ଆତ୍ମହତ୍ୟା କରିବାର କୌଣସି କାରଣ ନଥିଲା । ସାକ୍ଷ୍ୟ ପ୍ରମାଣରୁ ମିଳୁଥିବା ସୂଚନା ଅନୁଯାୟୀ ସେ ଆସାମୀଠାରୁ ୧୭୦୦ ଟଙ୍କା ଗ୍ରହଣ କରି ସାରିଥିଲା ଏବଂ ଆସାମୀ ପାଖରେ ଘଟଣା ଦିନ ନଗଦ ପଚିଶ ହଜାର ଟଙ୍କା ଥିଲା । ଆସାମୀ ଟଙ୍କା ପଇସା ନେବା ବିଷୟରେ ଅତି ଉଦାର ଥିବା ଜଣାଶୁଣା । ତେଣୁ ଏ ଅବସ୍ଥାରେ ଉକ୍ତ ଯୁବତୀ ଆତ୍ମହତ୍ୟା କରିଥିବ ବୋଲି କହିବା ଅସଙ୍ଗତ । ସେ ଆତ୍ମହତ୍ୟା କରିଥିଲେ ତା ଶେଯ ପାଖରେ ରିଭଲଭର ପଡ଼ିଥାନ୍ତା କିମ୍ବା ସେ ହାତରେ ରିଭଲଭର ଧରିଥିବା ଅବସ୍ଥାରେ ହିଁ ପ୍ରାଣ ତ୍ୟାଗ କରିଥାନ୍ତା ଏବଂ ବାରୁଦ ମାଡ଼ରେ କ୍ଷତପାଖ କଳାପଡ଼ି ଯାଇଥାନ୍ତା କିନ୍ତୁ ଏଭଳି କିଛି ହୋଇନାହିଁ ।

 

ଦୁର୍ଘଟଣା ତତ୍ତ୍ୱ ସମ୍ପର୍କରେ ଏତିକି କୁହାଯାଇ ପାରେ ଯେ ଆସାମୀ ଅତ୍ୟଧିକ ମଦ୍ୟପାନ କରି ମାତାଲ ଅବସ୍ଥାରେ ତା ରିଭଲଭରକୁ ଧରି ଏପଟ ସେପଟ କରୁଥିବା ବେଳେ ଉଦ୍ଦେଶ୍ୟହୀନ ଭାବେ ତାଙ୍କ ହାତରୁ ଗୁଳି ଫୁଟି ଯାଇଥିବ କିନ୍ତୁ ଏହା ଯଦି ହୋଇଥାଏ ତେବେ ଅସାମୀ ସହସା ଏକଥା କହି ପକାଇଥାନ୍ତା ବୋଲି ଆଶା କରିବା ସ୍ୱାଭାବିକ । ଏହା ଛଡ଼ା ରିଭଲଭରରୁ ଦୁଇଥର ଗୁଳି ଫୁଟିଥିବା ଯୋଗୁ ଏହି ତତ୍ତ୍ୱ ଗ୍ରହଣଯୋଗ୍ୟ ନୁହେଁ । ଆକସ୍ମିକ ଭାବେ ରିଭଲଭରରୁ ଗୋଟିଏ ଗୁଳି ଫୁଟିପାରେ କିନ୍ତୁ ଦୁଇଥର ଗୁଳି ଫୁଟିବା ସମ୍ଭବ ନୁହେଁ କାରଣ ୱୋବଲିଓ ସ୍କଟଅନବୋଲ ସମ୍ପନ୍ନ ରିଭଲଭରରୁ ଗୁଳି ଫୁଟିବା ପାଇଁ ଟ୍ରିଗରକୁ ଅତି ଯୋରରେ ଦାବିବା ଦରକାର ।

 

ଅନ୍ୟ ଦୁଇଟି ତତ୍ତ୍ୱ ସମ୍ପର୍କରେ ଅଦାଲତ ନିମ୍ନ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ।

 

ଆମ ଆଗରେ ତେଣୁ ଅନ୍ୟ ଦୁଇଟି ସମ୍ଭାବନା ରହିଛି ଏବଂ ଅସଲ ପ୍ରଶ୍ନ ହେଉଛି ସେହି ଘର ଭିତରକୁ ଅନ୍ୟ କେହି ଆସି ଗୁଳି ମାରିଛି କି ଆସାମୀ ନିଜେ ଗୁଳି ମାରିଛି । ଏ ପରିପ୍ରେକ୍ଷୀରେ ଅଭିଯୋଗକାରୀ ମୁଖ୍ୟତଃ ଯେଉଁ ବିଷୟ ଉପରେ ନିର୍ଭର କରିଛନ୍ତି ତାହା ହେଲା ଶୟନ କକ୍ଷକୁ କେବଳ ଗାଧୁଆ ଘର ଭିତର ଦେଇ ଯିବାପାଇଁ ରାସ୍ତା ଥିଲା ଏବଂ ଭୃତ୍ୟମାନେ ଆସାମୀଙ୍କ ପାଖକୁ ଆସିଲାବେଳେ ଅନ୍ତତଃ ଗୋଟିଏ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲେ । ଯଦି ବାହାରର କୌଣସି ବ୍ୟକ୍ତି ଶୟନକକ୍ଷରୁ ଗାଧୁଆଘର ବାଟେ ବାହାରକୁ ଆସିଥାନ୍ତା ତେବେ ତାକୁ ଚାକରମାନେ ନିଶ୍ଚୟ ଦେଖିଥାନ୍ତେ ଏବଂ ସାକ୍ଷୀମାନେ ଆସାମୀକୁ ସାହାଯ୍ୟ କରିବା ପାଇଁ ନିଜର ପୂର୍ବ ବିବୃତି ଭିନ୍ନ ବକ୍ତବ୍ୟ ପେଶ୍‌ କରିଥିଲେ ମଧ୍ୟ ସେମାନଙ୍କ ଭିତରୁ କିଏ ହେଲେ ଅନ୍ୟ କୌଣସି ଲୋକ ସେ ଘରୁ ବାହାରକୁ ପଳାଇ ଯାଇଥିବାର ଦେଖିଥିବା କହି ନାହାନ୍ତି । ତାହା ହୋଇଥିଲେ ଆସାମୀ ବିରୁଦ୍ଧରେ ଏଭଳି ଅଭିଯୋଗ ଆଗତ କରିବା ଅବାସ୍ତବ ହୋଇଥାନ୍ତା କାରଣ କୌଣସି ଲୋକ ଘରୁ ବାହାରକୁ ପଳାଇ ଯାଉଥିବାର ଦେଖା ଯାଇଥିଲେ ତୁରନ୍ତ ସେଠାରେ ହୋ-ହଲ୍ଲା ହୋଇଥାଆନ୍ତା ଏବଂ ମୂଳରୁ ଏ ଘଟଣା ରହସ୍ୟାବୃତ୍ତ ହୋଇ ରହି ନଥାନ୍ତା ।

 

ଅଦାଲତ ଏହାପରେ ଶୟନ କକ୍ଷ ଭିତରକୁ ଯିବା ପାଇଁ ଅନ୍ୟ କୌଣସି କ୍ୱାଟରରୁ ବାଟ ଥିଲା କି ନାହିଁ ତାହା ପ୍ରମାଣପତ୍ର ପରୀକ୍ଷା କରି ସାରିବା ପରେ ସେଭଳି କୌଣସି ବାଟ ନଥିଲା ବୋଲି ହୃଦୟଙ୍ଗମ କଲେ ଏବଂ ଡ୍ରଇଂରୁମ ଓ ବେଡ଼ରୁମ ଆଡ଼କୁ ଥିବା ଦ୍ୱାରଗୁଡ଼ିକ ଭିତରୁ କିଳା ହୋଇଥିବାର ବିଶ୍ୱାସଯୋଗ୍ୟ ପ୍ରମାଣ ରହିଥିବା ମନ୍ତବ୍ୟ ଦେଲେ । ଆସାମୀକୁ ମହମ୍ମଦ ନୱାଜ୍‍-୨ କିମ୍ବା ତାର କୌଣସି ଭଡ଼ାଟିଆ ଗୁଣ୍ଡା ହତ୍ୟା କରିଥିବାର ଉଦ୍ୟମ କରିଥାଇ ପାରେ ବୋଲି ଯଦି ଅନୁମାନ କରାଯାଏ ତେବେ ଏ ଦୁଇଟି ସମ୍ଭାବନା ମଧ୍ୟରୁ ଆସାମୀ ମହମ୍ମଦ ନୱାଜ୍‍ -୨ ହତ୍ୟା କରିବା ପାଇଁ ଉଦ୍ୟମ କରିଥିବେ ବୋଲି ଅଧିକ ଯୁକ୍ତିସଙ୍ଗତ ହେବ । କାରଣ ଆସାମୀର ଆଗମନ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ହୋଇଥିବାରୁ ଭଡ଼ାରେ ଲୋକ ଠିକ୍‌ କରିବା ତା ପକ୍ଷେ ସମ୍ଭବ ହୋଇ ନଥିବ-। ଏ ପତ୍ରରେ ମହମ୍ମଦ ନୱାଜ୍‍-୨ ଆସାମୀକୁ ହତ୍ୟା କରିବାର ଉଦ୍ୟମ କରିଥିବ ବୋଲି ସ୍ଥିର କରାଗଲେ ମଧ୍ୟ ସେ ଏକାକୀ ଘରର ଚାକର ବାକରଙ୍କ ସହ ମିଳିତଭାବେ ଷଡ଼ଯନ୍ତ୍ର ନ କରି କଦାପି ଏହା କରିପାରିବ ନାହିଁ; କିନ୍ତୁ ଏହି କଥା ବିଶ୍ଵାସ କରିବାପାଇଁ କୌଣସି କାରଣ ମୁଁ ଦେଖୁନାହିଁ ।

 

ସର୍ବଶେଷରେ ଅଦାଲତ ଶବ ପାଖରେ ଆସାମୀର ପଡ଼ିରହିଥିବା କଥାର ବିଚାର କଲେ । ପ୍ରସିକ୍ୟୁସନ ବା ଅଭିଯୋଜନର ପ୍ରସ୍ତୁତି ପାଇଁ ଆସାମୀର ଅଦ୍ଭୁତ ବ୍ୟବହାର ଉପରେ ମଧ୍ୟ ନିର୍ଭର କରାଯାଇଛି, ଘଟଣା ପରେ ସେ ଶବ ପାଖରେ ଆଠ ନଅ ଘଣ୍ଟା ପଡ଼ିରହିବା କେବଳ ଅତି ଆଶ୍ଚର୍ଯ୍ୟର କଥା ନୁହେଁ, ଏହାଠାରୁ ଅଧିକ କିଛି ଯାହାକି ଭାଷାରେ ବ୍ୟକ୍ତ କରିବା ସମ୍ଭବ ନୁହେଁ । ଲାଲା ମନୋହର ଲାଲ ଆସିବା ପରେ ଆସାମୀ କୌଣସି ଶତ୍ରୁ ବିରୁଦ୍ଧରେ ଅଭିଯୋଗ ନ କରି କେବଳ ସେ ମୃତା ବୋଲି କହିଥିବା ମହମ୍ମଦ ହୁସେନ ଯାହା ପ୍ରକାଶ କରିଛି ବିଶ୍ୱାସ ନ କରିବାର ମଧ୍ୟ କୌଣସି କାରଣ ନାହିଁ ।

 

ହତ୍ୟାର ଉଦ୍ଦେଶ୍ୟ ପ୍ରତିପାଦନ କରିବା ପାଇଁ ବିଳମ୍ବରେ ଅଭିଯୋଜନା ପକ୍ଷରୁ ଖବରାବ୍‍ ଓ ଜୋରାଙ୍କ ଜରିଆରେ ଯେଉଁ ଉଦ୍ୟମ ହେଲା (—ସମସଦ ସେମାନଙ୍କ ସହ ଖାଇବାକୁ ମନା କରିବାରୁ ଆସାମୀ ତା ଉପରେ ବିରକ୍ତ ହୋଇଥିଲା; —ତାକୁ ଅଦାଲତ ବିଶ୍ଵାସ କଲେ ନାହିଁ ।)

 

ଉଦ୍ଦେଶ୍ୟ ପ୍ରତିପାଦନ କରିବାପାଇଁ ଅଭିଯୋଜନାର ଲକ୍ଷ୍ୟ ନୁହେଁ । ଯାହା ଘଟିଲା ଜଣେ ତାହା ଉପରେ ହିଁ ମନ୍ତବ୍ୟ ଦେଇପାରେ । ରାତିରେ ଆସାମୀ ଅତ୍ୟଧିକ ମଦ ପିଇ ମାତାଲ ହୋଇ ପଡ଼ିଥିବ ବୋଲି ବିଶ୍ୱାସ କରିବା ଯୁକ୍ତିସଂଗତ । ଏ ଅବସ୍ଥାରେ କୌଣସି କାରଣ ଯୋଗୁ ଆସାମୀ ମଧ୍ୟରାତ୍ର ଓ ରାତି ଗୋଟାଏ ଭିତରେ ବିଗିଡ଼ି ଯାଇ ନିଜର ଚାକର ବାକରଙ୍କୁ ପାଟିକରି ଡାକିଛି ଏବଂ କୌଣସି କାରଣରୁ ସେ କଣ କରିବାକୁ ଯାଉଛି ତାହା ହୃଦୟଙ୍ଗମ ନକରି ଗୁଳି ଚାଳନା କରିଛି । କୌଣସି ମକଦ୍ଦମାରେ ମଦ୍ୟପାନ ଆତ୍ମପକ୍ଷ ସମର୍ଥନର ସୁତ୍ର ହୋଇ ନ ପାରେ । ବିଶେଷ କରି ଯେଉଁ ଘଟଣାରେ ଆସାମୀ ଜାଣିଶୁଣି ସେହି ଅବସ୍ଥାକୁ ବରଣ କରିଥାଏ ପରିସ୍ଥିତିରେ ଭାରତୀୟ ଦଣ୍ଡବିଧି ଆଇନର ୩୦୨ ଦଫା ଅନୁଯାୟୀ ଆସାମୀ ହତ୍ୟା ଅପରାଧରେ ଦୋଷୀ ବୋଲି ମୁଁ ବିବେଚନା କରୁଛି ।

 

କିନ୍ତୁ ଆସାମୀକୁ ମୃତ୍ୟୁ ଦଣ୍ଡାଦେଶ ନ ହୋଇ କଳା ପାଣି ଦଣ୍ଡାଦେଶ ହୋଇଥିଲା । ଏ ଘଟଣାରେ ଆସାମୀକୁ ମୃତ୍ୟୁ ଦଣ୍ଡ ନ ଦେବାର ଯଥାର୍ଥତା ଥିବା ଅଦାଲତ ଉପଲବ୍‌ଧି କରିଥିଲେ ।

 

ଆସାମୀର ସାମାଜିକ ପରିସ୍ଥିତି ଓ ଚଳଣୀ ଦୃଷ୍ଟିରୁ ତାକୁ ‘‘କ’’ ଶ୍ରେଣୀୟ ବନ୍ଦୀରୂପେ ଗ୍ରହଣ କରିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ମହମ୍ମଦ ନୱାଜ୍‍ ଖାଁ କିନ୍ତୁ ସମସଦ ବାଈ ହତ୍ୟା ଅପରାଧରେ ଜେଲକୁ ଯାଇ ନଥିଲେ । ଜେଲ ପରିବର୍ତ୍ତେ ସେ ପୁଣି କିଛିଦିନ ହେଲା ରହିଥିବା ମାୟୋ ଡାକ୍ତରଖାନାକୁ ଫେରି ଯାଇଥିଲେ । ଏହି ମକଦ୍ଦମାର ରାୟ ୧୯୪୨ ମସିହା ଜୁନ ୬ ତାରିଖରେ ଘୋଷିତ ହେଲା । କିଛିଦିନ ପରେ ଏହି ଦଣ୍ଡାଦେଶ ବିରୁଦ୍ଧରେ ହାଇକୋର୍ଟରେ ଅପିଲ କରାଗଲା; କିନ୍ତୁ ଜୁଲାଇ ୭ ତାରିଖ ଦିନ ମଣିଷ ତିଆରି ଆଇନ ହାତରୁ ମୃତ୍ୟୁ ଦଣ୍ଡାଦେଶ ଭୋଗରୁ ରକ୍ଷା ପାଇବାର ଠିକ୍‌ ମାସକ ପରେ ପ୍ରକୃତିର ଆଇନରେ ସେ ଦଣ୍ଡିତ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ । ଏହି ଅପିଲର ବିଚାର କରିବା ଲାଗି ଚିଫ୍‌ ଜଷ୍ଟିସ୍‌ ତଗଲାସ୍‌ ୟଙ୍ଗ କାଶ୍ମୀରରୁ ଛୁଟି କଟାଇ ଲାହୋର ଫେରିବା ପୂର୍ବ ରାତିରେ ସେ ମାୟୋ ହସ୍‌ପିଟାଲରେ ପ୍ରାଣତ୍ୟାଗ କଲେ ।

 

ହାଇକୋର୍ଟ ଏହି ଅପିଲ ଉପରେ କି ରାୟ ଦେଇଥାନ୍ତେ ତାହା କେବଳ ଅନୁମାନର ବିଷୟ । ଆସେସର୍ ମାନଙ୍କ ମତାନୁଯାୟୀ ମହମ୍ମଦ ନୱାଜ୍‍ ଖାଁ ସନ୍ଦେହରେ ଖଲାସ ହୋଇଥାନ୍ତେ କି ଚିଫ୍‌ ଜଷ୍ଟିସ ସେସନ୍‌ସ ଜଜଙ୍କ ମତ ଗ୍ରହଣ କରି ଏ କ୍ଷେତ୍ରରେ ସନ୍ଦେହର ଅବକାଶ ନାହିଁ ବୋଲି ମତ ଦେଇଥାନ୍ତେ ତାହା ହୁଏତ ନିର୍ଦ୍ଦିଷ୍ଟଭାବେ କହିବା ସମ୍ଭବ ନୁହେଁ । ଏଭଳି ଏକ ମକଦ୍ଦମା ଯାହା ଉପରେ ଅନ୍ତହୀନ ଆଲୋଚନା କରାଯାଇପାରେ । ଆସାମୀ କୌଣସି ଉଦ୍ଦେଶ୍ୟ ନ ଥିଲା ବୋଲି ଦର୍ଶାଇବା ସମ୍ପର୍କରେ ବହୁକଥା କୁହା ଯାଇପାରେ; କିନ୍ତୁ ସେସନ୍‌ସ ଜଜ ଏ ଘଟଣାରେ ଉଦ୍ଦେଶ୍ୟରେ ଅବତାରଣା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଠିକଣା ମତ ଦେଇଛନ୍ତି । ଆସାମୀ ରିଭଲଭରରୁ ଦୁଇଟି ଗୁଳି ଫୁଟିଥିଲା ଏବଂ ଦୁଇଟିଯାକ ଗୁଳିବିନା ଉଦ୍ଦେଶ୍ୟରେ ଫୁଟି ନଥିଲା । ତା ମଧ୍ୟରୁ ଗୋଟିଏ ଗୁଳି ଚାକରମାନଙ୍କୁ ଡକାଯିବା ପରେ ଫୁଟିଥିଲା । ଏ ସମ୍ପର୍କରେ ମହମ୍ମଦ ନୱାଜ୍‍ କୌଣସି କୈଫିୟତ ଦେଇପାରି ନଥିଲେ । ଯଦି ସେ ଦୋଷୀ ଦୌଡ଼ି ପଳାଇ ଯାଉଥିବାର ଦେଖିଲେ ତେବେ ଚାକରଙ୍କୁ ଡାକିଲା ପରେ ସେ ଯେଉଁ ଗୁଳି ଫୁଟାଇଲେ ତାହା ସେହି ରୁମ୍‌ ଭିତରେ ହିଁ ଫୁଟି ନଥାନ୍ତା । ତେଣୁ ଶ୍ରୀ ଫାଲଶ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ଅବଶ୍ୟ ସେଥିରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ତାଙ୍କ ଆଗରେ ଦାଖଲ ହୋଇଥିବା ପ୍ରମାଣପତ୍ରରେ କେତେକ ତ୍ରୁଟି ରହି ଯାଇଥିଲା । ଏଠାରେ ମନୋହର ଲାଲର କଥା ବିଚାରକୁ ନିଆଯାଇ ନାହିଁ । ତାଙ୍କୁ ଅଭିଯୋଜନା ସାକ୍ଷୀ ହିସାବରେ ରଖାଯାଇଥିଲେ ମଧ୍ୟ ପରେ ବିଦ୍ରୋହୀ ସାକ୍ଷୀ ରୂପେ ତାଙ୍କର ସାକ୍ଷ୍ୟ ବାତିଲ କରିଦିଆ ଯାଇଥିଲା । ତାଙ୍କୁ ଆସାମୀ ନିଜ ସପକ୍ଷରେ ବିନିଯୋଗ କରିପାରିଥାନ୍ତା; କିନ୍ତୁ ତାହା କରିପାରିଲା ନାହିଁ । ସେହିଭଳି ଅଦାଲତ ମଧ୍ୟ ତାଙ୍କୁ ଜେରା କରି ପାରିଥାଆନ୍ତା ।

 

ଘଟଣାର ବିଶଦ୍‌ ବିଶ୍ଳେଷଣ କଲେ ଜଣାଯିବ ଯେ, ମନୋହର ଲାଲ ହିଁ ଆସାମୀ ଶବ ପାଖରେ ଏତେ ସମୟ ଧରି କାହିଁକି ପଡ଼ିରହିଥିଲା ସେ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇ ପାରିଥାନ୍ତେ । ଘଟଣାସ୍ଥଳରେ ପ୍ରଥମେ ପହଞ୍ଚିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ମନୋହର ଲାଲ ଅନ୍ୟତମ । ଏହି ଘଟଣା ସମ୍ପର୍କରେ କିଭଳି କୈଫୟତ ଦେବାକୁ ହେବ ସେ ବିଷୟ ବୋଧହୁଏ ଆସାମୀକୁ ଉପଦେଶ ଦେବାପାଇଁ ତାଙ୍କୁ ପଠାଯାଇଥିଲା । ମନୋହର ଲାଲଙ୍କ ଉପଦେଶ କ୍ରମେ ଆସାମୀ ସମସଦର ଶବ ପାଖରେ ପଡ଼ି ରହିଥିଲା ବୋଲି ଅନୁମାନ କରିବା କଣ ପ୍ରାସଙ୍ଗିକ ? ଏଭଳି ଉପଦେଶ ଦେବାର ତାତ୍ପର୍ଯ୍ୟ ହେଉଛି ଯେ ଏଭଳି ଭାବେ ଆସାମୀ ପଡ଼ିରହିଥିବା ବେଳେ ପୋଲିସ ଆସିଥିଲେ ଆସାମୀକୁ ହତ୍ୟା କରିବାର ଉଦ୍ୟମ ହୋଇଥିଲା ଏବଂ ତାଙ୍କ ସହଧର୍ମିଣୀଙ୍କୁ ହତ୍ୟା କରାଯାଇଥିଲା ବୋଲି ମକଦ୍ଦମା ଦାଏର ହୋଇଥାନ୍ତା କିନ୍ତୁ ସେମାନେ ଡେପୁଟି କମିଶନର ଓ ପୋଲିସ ପାଖକୁ ଚାଲି ଯିବାରୁ ବୋଧହୁଏ ଯୋଜନାଟି କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ବକ୍ତବ୍ୟ ଲିପିବଦ୍ଧ କରାଗଲା ବେଳେ ତାହା ମୂଳ ଘଟଣା ସହିତ ବୋଧହୁଏ ଖାପ ଖାଇଲା ନାହିଁ । ତେଣୁ ମହମ୍ମଦ ନୱାଜ୍‍ ଚାକରମାନଙ୍କୁ ଡାକିବା ପରେ ବେହୋସ ହୋଇ ପଡ଼ିଥିବା କହିଲେ । ମହମ୍ମଦ ନୱାଜ୍‍ ଅଭିଯୋଜନାକୁ ପଣ୍ଡ କରିବା ଭଳି କୌଣସି ବିବୃତି ଦେଲେ ନାହିଁ ବରଂ କେତେକାଂଶରେ ନିଜକୁ ରକ୍ଷା କରିବା ପାଇଁ ତାଙ୍କର ଆତ୍ମୀୟଙ୍କୁ ମିଥ୍ୟାରେ ଦୋଷୀ କରିବାକୁ ଉଦ୍ୟମ କରିଥିଲେ ।

 

ଘଟଣାର ବର୍ଣ୍ଣନା ଦୃଷ୍ଟିରୁ ପ୍ରକୃତରେ ନିଜ ପରିବାରରେ ସେହି କାଳରାତ୍ରିରେ କଣ ହେଲା ଏବଂ କିପରି ସମସଦ ବାଈକୁ ଗୁଳି କରାଗଲା ତାହା ଆଉ ଜଣାପଡ଼ିବ ନାହିଁ । ସେ ଏବଂ ତାର ପ୍ରେମିକ ଆଜି ମୃତ ଏବଂ ଭୃତ୍ୟମାନଙ୍କର କଥାକୁ ସତ୍ୟ ବୋଲି ଧରାଗଲେ କେବଳ ରାମନ ହିଁ ନିଜ ମୁନିବର ଗୋଡ଼ ମାଲିସ କଲାବେଳେ ଉଭୟଙ୍କୁ ଏକାଠି ଦେଖିଥିଲା । ସେସନ୍‌ସ ଜଜଙ୍କ ମତରେ ଉଭୟଙ୍କ ଭିତରେ ମଧ୍ୟରାତ୍ରରେ କିଛି ହୋଇଛି ଯାହାକି ମହମ୍ମଦ ନୱାଜ୍‍ କନଟିଂ ମାଜିଷ୍ଟ୍ରେଟଙ୍କ ପାଖରେ ପହଞ୍ଚିଲା ବେଳକୁ ଭୁଲି ଯାଇଥିଲା । ସେ ପ୍ରକୃତରେ ଭୁଲିଯାଇଥିଲା କି ପ୍ରକାଶ କରିବାକୁ ଇଚ୍ଛା କରି ନଥିଲା ତାହା କହିବା କଷ୍ଟକର । ପ୍ରକୃତ କଣ ଘଟିଥିଲା ତାହା ସେ ଭୁଲି ଯାଇଥିଲେ ବୋଲି ବିଶ୍ୱାସ କରିବା ସମ୍ଭବ ନୁହେଁ ।

 

ତାଙ୍କର ମୃତ୍ୟୁପରେ ମହମ୍ମଦ ନୱାଜ୍‍ଙ୍କର ଜଣେ ଘନିଷ୍ଠ ବନ୍ଧୁ ଲେଖକଙ୍କ ଆଗରେ ନିମ୍ନୋକ୍ତ କଥା ପ୍ରକାଶ କରିଥିଲେ । ସେ ଖୋଦ୍‌ ନୱାଜଙ୍କଠାରୁ ଏହା ଶୁଣିଥିବା କହିଥିଲେ ।

 

ସମସଦ ଖୁବ୍‌ ସୁନ୍ଦରୀ ଥିଲା । ତାର ଅନୁପମ ସୌନ୍ଦର୍ଯ୍ୟ ତାକୁ ଲାସ୍ୟମୟୀ ଓ ପୁରୁଷର ଉତ୍ତେଜକ ବସ୍ତୁରେ ପରିଣତ କରିଥିଲା । ଉଭୟେ ଏକାଠି ଥିଲାବେଳେ ସମସଦ ନୱାଜ୍‍ଙ୍କୁ ଖତେଇ ହୋଇ ତାଙ୍କୁ ଉପହାସ କଲା । ସେତେବେଳକୁ ସେ ଅତ୍ୟଧିକ ମଦ୍ୟପାନ କରି ଅଥୟ ହୋଇ ଯାଇଥିଲେ । ସେ ନିଜର କାମପିପାସା ଚରିତାର୍ଥ କରିବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ କିନ୍ତୁ ତାଙ୍କର ସେଥିପାଇଁ ଶାରୀରିକ ସାମର୍ଥ୍ୟ ନଥିଲା । ସମସଦ ଉପହାସ କରି ଚାଲିଲା । ପ୍ରଥମେ ମହମ୍ମଦ ନୱାଜ୍‍ ଉତ୍ତେଜିତ ହୋଇ ପରେ ବିରକ୍ତ ହୋଇ ଉଠିଲେ । ସମସଦ ଏତିକିବେଳେ ତାଙ୍କୁ ଟିକିଏ ପେଲିଦେଲା ଏବଂ ସେ ଖଟ ତଳକୁ ଗଡ଼ିଗଲେ । ସେ ଉଠି ତକିଆତଳୁ ନିଜ ରିଭଲଭର ବାହାର କରି ତାକୁ ଗୁଳି କଲେ । ହସିବା ପାଇଁ ଆଉ ସେ ରହିଲା ନାହିଁ ।

 

ସେ ଚାକରମାନଙ୍କୁ ଖୋଜୁଛନ୍ତି ବୋଲି ନିଜର ଉଦ୍ଦେଶ୍ୟ ଜଣାଇବା ନିମନ୍ତେ ହିଁ ଦ୍ଵିତୀୟ ଥର ଗୁଳି ଚାଳନା କରିଥିଲେ ।

 

ଯେଉଁମାନେ ସମସଦ ବାଈକୁ ଜାଣିଥିଲେ ସେମାନେ ସମସ୍ତେ ତାର ଅନୁପମ ସୌନ୍ଦର୍ଯ୍ୟ ବିଷୟରେ ଏକମତ । ସେ ଆଉ ହସିବ ନାହିଁ କି ବିଶେଷ ଭଗ୍ନ ସ୍ୱାସ୍ଥ୍ୟର ଅଧିକାରୀ ନବାବଙ୍କୁ ଚିଡ଼େଇବା ପାଇଁ ଆସିବ ନାହିଁ ।

Image

 

ସମ୍ପତି କୋଏରାଙ୍କ ଆତ୍ମବଳୀ

 

ମଣିଷ ଉଦ୍ଭାବନ କରିଥିବା ଜଘନ୍ୟ ଅପରାଧମାନଙ୍କ ଭିତରେ ସତୀଦାହ ସବୁଠାରୁ ବଳି ନାରକୀୟ କାଣ୍ଡ । ଆଲୋଚ୍ୟ ସମ୍ପତି କୋଏରାଙ୍କ ବାଲ୍ୟଜୀବନ ସମ୍ପର୍କରେ ବିଶେଷଭାବେ କେହି କିଛି ଜାଣନ୍ତି ନାହିଁ ଏବଂ ଜଣେ କର୍ତ୍ତବ୍ୟପରାୟଣ ପୋଲିସ କନେଷ୍ଟବଳ ନିଜର କାମ କରୁଥିଲା ବେଳେ ଅନୁସନ୍ଧିତ୍ସୁ ହୋଇ ଚାରିଆଡ଼େ ଆଖି ବୁଲାଇ ନଥିଲେ କୋଏରାର ଆତ୍ମବଳି ଘଟଣା ମଧ୍ୟ ଲୋକଲୋଚନକୁ ଆସି ନଥାନ୍ତା । ଯେଉଁମାନେ ତା ବିଷୟରେ କିଛି ଜାଣିଥିଲେ କାଳକ୍ରମେ ସେମାନଙ୍କ ମାନସପଟରୁ ମଧ୍ୟ ତାର ସ୍ମୃତି ଲିଭିଯାଇଥାନ୍ତା ଏବଂ ଶହ ଶହ ହିନ୍ଦୁ ରମଣୀଙ୍କ ଦୁର୍ବିସହ ଜୀବନୀ ସମ୍ପର୍କରେ ଯେପରି କେହି କିଛି ମନେ ରଖି ନାହାନ୍ତି ଠିକ୍‌ ସେହିଭଳି ତା କଥା ମଧ୍ୟ ପାଶୋରି ଯାଇଥାନ୍ତା । କିନ୍ତୁ କାଳର ନିର୍ଦ୍ଦେଶ ଥିଲା ଅନ୍ୟ ପ୍ରକାରର ।

 

‘‘ସମ୍ପତି’’ ଅନ୍ୟାନ୍ୟ ହିନ୍ଦୁ ରମଣୀ ଭଳି ପତି ଇହକାଳ ଓ ପରକାଳର ଦେବତା ବୋଲି ଦୃଢ଼ ବିଶ୍ୱାସ ପୋଷଣ କରି ବଢ଼ି ଆସିଥିଲା ଏବଂ ଏହି ବିଶ୍ୱାସକୁ ବାସ୍ତବ କ୍ଷେତ୍ରରେ ରୂପାୟିତ କରିବା ଲାଗି ତାର ଯେଉଁ ନିଷ୍ଠା ଓ ପତିଆରା ଥିଲା ତାହା ମଧ୍ୟ ବାସ୍ତବିକ ପ୍ରଶଂସନୀୟ; ମାତ୍ର ୧୦ ବର୍ଷ ବୟସରେ ସେ ଜିନୀକୁ ସ୍ଵାମୀ ବୋଲି ବିବାହ କରିଥିଲା କିନ୍ତୁ ବୈବାହିକ ଜୀବନରେ ସ୍ଵାମୀଠାରୁ କୌଣସି ପ୍ରକାର ଆଦର ସୋହାଗ ପାଇବାରୁ ସେ ବଞ୍ଚିତା ହୋଇ ଥିଲା । ବିବାହର ଦଶ ବର୍ଷ ପରେ ସ୍ଵାମୀ ରୋଗ ଶଯ୍ୟାରେ ପଡ଼ିଥିଲା ବେଳେ ଯାହା ତାକୁ ଲୋଡ଼ା ଯାଇଥିଲା । ସେଇଥିରେ ସେ ପାଇଥିଲା ପରମ ତୃପ୍ତି । ଦୀର୍ଘ ଦୁଇ ମାସ କାଳ ଅହୋରାତ୍ର ସ୍ଵାମୀଙ୍କୁ ଦେବତା ରୂପେ ଦେଖି ସେ ଯେଭଳି ଭକ୍ତି ଓ ସେବା କରିଥିଲା ତାହା ବାସ୍ତବିକ ଅତୁଳନୀୟ । ଶେଷରେ ତାର ସ୍ଵାମୀ ସିଦ୍ଧେଶ୍ୱର ପାଣ୍ଡେ ୧୯୨୭ ମସିହା ନଭେମ୍ବର ୨୧ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିବା ପରେ ସ୍ଵାମୀଙ୍କ ପଦାଙ୍କ ଅନୁସରଣ କରି ପରଲୋକର ଯାତ୍ରୀ ହେବା ପାଇଁ ସେ ପ୍ରସ୍ତୁତ ହୋଇ ଯାଇଥିଲା । କାରଣ ସ୍ଵାମୀଙ୍କ ଜୀବିତାବସ୍ଥାରେ ସଂପତିକୋଏର ପାଇଁ ଜୀବନର ମୂଲ୍ୟ ବୋଲି କିଛି ନ ଥିଲା । ତେଣୁ ସ୍ୱାମୀଙ୍କ ମୃତ୍ୟୁପରେ ମଧ୍ୟ ତା ଜୀବନ ଥିଲା ନିରର୍ଥକ ।

 

କିନ୍ତୁ ସ୍ଵାମୀଙ୍କ ଚିତାରେ ନିଜକୁ ବିସର୍ଜନ କରି ସତୀ ହେବାର ସିଦ୍ଧାନ୍ତ ସେ ସ୍ଵତଃ ଗ୍ରହଣ କରି ନଥିଲା । ତାର ପାଖଲୋକେ ବିଶେଷକରି ତା ସ୍ଵାମୀର ଜ୍ଞାତି କୁଟୁମ୍ବବର୍ଗ ନାନା ଯୁକ୍ତି ଛଳରେ ତାକୁ ଏଥିପାଇଁ ପ୍ରବର୍ତ୍ତାଇ ଥିଲେ । ଏହି ପ୍ରବର୍ତ୍ତନା କ୍ଷେତ୍ରରେ ସିଦ୍ଧେଶ୍ୱର ପାଣ୍ଡେର ସାନଭାଇ ବିଦ୍ୟାସାଗର ପାଣ୍ଡେ, ସହଦେଓ ପାଣ୍ଡେ, ହରଦେଓ ପାଣ୍ଡେ, କେଶବ ପାଣ୍ଡେ ନିଃସନ୍ଦେହରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହି ଯୁବତୀ ପାଖରେ ତାକୁ ପ୍ରବୋଧନା ଦେବାପାଇଁ ଥିଲା କେବଳ ନିଜର ମାତ୍ର ୧୭ ବର୍ଷର ଜଣେ ଭାଇ ଓ ଲଖିଆ କହରିଆ ନାମ୍ନୀ ଜଣେ ଚାକରାଣୀ; କିନ୍ତୁ ସେ ଦୁଇଜଣ ମଧ୍ୟ ଶେଷରେ ପାରିପାର୍ଶ୍ଵକ ପ୍ରଭାବରେ ସମ୍ପତି କୋଏରାକୁ ସତୀ କରାଇବା ପ୍ରସ୍ତାବରେ ଉତ୍ସାହିତ ହୋଇ ରାଜି ହୋଇଗଲେ ।

 

ନଭେମ୍ବର ୨୨ ତାରିଖ ସକାଳେ ସିଦ୍ଧେଶ୍ୱର ପାଣ୍ଡେର ଶବଦାହ କରିବାପାଇଁ ସମସ୍ତ ପ୍ରସ୍ତୁତି ସରିଲା ପରେ ମାତ୍ର ପନ୍ଦର ଷୋହଳ ଜଣ ଲୋକ ଗଙ୍ଗାନଦୀ କୂଳକୁ ଶବ ଶୋଭାଯାତ୍ରାରେ ବାହାରିଲେ । ଶୋଭାଯାତ୍ରା ଆଗରେ ଗୋଟିଏ କୋକେଇରେ ସିଦ୍ଧେଶ୍ଵରର ଶବ ପାଖରେ କୁସଂସ୍କାର ଓ ଅନ୍ଧ ବିଶ୍ୱାସର ଜୀବନ୍ତ ପ୍ରତୀକ ରୂପେ ମୁହ୍ୟମାନ ସଂପତି ନୀରବରେ ମୁଣ୍ଡ ତଳକୁ କରି ବସିଥିଲେ । ତା ପଛରେ ‘‘ସତୀ ମାତାକୀ ଜୟ’’ ଧ୍ୱନି ଦେଇ ଅନ୍ୟମାନେ ଆସୁଥାନ୍ତି ।

 

ଶ୍ମଶାନର ଦୁଇ ମାଇଲ ଦୂରରେ ଏହି ଶୋଭାଯାତ୍ରା ଥିଲା ବେଳେ ପୂର୍ବ ଦିଗରେ ସିନ୍ଦୂରା ଫାଟି ଆସୁଥାଏ ଏବଂ ସେତିକିବେଳେ ଭଜବୀର ସିଂହ ନାମକ ଜଣେ ରାଜପୁତ୍ କନେଷ୍ଟବଳ ରାତି ଡ୍ୟୁଟିରେ ଥାଇ ଯେଉଁ ଅଦ୍‍ଭୁତ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ତାହା କୌଣସି ପୋଲିସ କନେଷ୍ଟବଳର କପାଳରେ କେବେ ଜୁଟି ନଥିବ । ବାସ୍ତବ କ୍ଷେତ୍ରରେ ଜଣେ ଜୀବନ୍ତ ମହିଳା ନିଜ ଇହକାଳ ଓ ପରକାଳର ଦେବତାରୂପୀ ସ୍ଵାମୀଙ୍କ ଚିତାରେ ନିଜକୁ ଆହୁତି ଦେବାପାଇଁ ପ୍ରସ୍ତୁତ ହୋଇଥିବା ଦେଖି ରାଜପୁତ ଧମନୀରେ କିଛି ଆଲୋଡ଼ନ ସୃଷ୍ଟି ହୋଇଥିବ ନିଶ୍ଚୟ । ରାଜପୁତ ରକ୍ତ ତା ଶରୀରରେ ପ୍ରବାହିତ ହେଉଥିଲେ ବି ପୋଲିସ ଚାକିରୀ ତାର ପେଷା ତେଣୁ ନିଜର କର୍ତ୍ତବ୍ୟ ଦୃଷ୍ଟିରୁ ‘‘ସଂପତି’’ କିପରି ପ୍ରଚଳିତ ଆଇନର ଖିଲାପ କରିବାକୁ ଯାଉଛି ତାହା ସେ ଶୋଭାଯାତ୍ରାକାରୀମାନଙ୍କୁ ବୁଝାଇଥିଲା ।

 

କିନ୍ତୁ ତାର ଉଦ୍ୟମ ସମ୍ପର୍କ ହେଉ ନଥିବା ଦେଖି ସେ ତୁରନ୍ତ ଫାଣ୍ଡିକୁ ଯାଇ ଡ୍ୟୁଟିରେ ଥିବା ହେଡ଼ କନେଷ୍ଟବଳ ନୁରୁଲ ହକ୍‌କୁ ଏ ବିଷୟରେ ଖବର ଦେଲା ଏବଂ ପରେ ସେ ସଦଳବଳେ ଘଟଣା ସ୍ଥଳକୁ ଫେରି ଶ୍ମଶାନଘାଟର ମାତ୍ର ଅଳ୍ପ କେତେ ବାଟ ଆଗରେ ଶୋଭାଯାତ୍ରାର ପଥରୋଧ କଲା । ନୁରୁଲ ହକ୍‌ ସହିତ ସେହିଠାରେ ଅନ୍ୟ ପୋଲିସ କର୍ମଚାରୀମାନେ ପହଞ୍ଚି ସଂପତିକୋଏରା ଏବଂ ପାଣ୍ଡେ ବର୍ଗଙ୍କୁ ବୁଝାଇଲେ । ସେମାନଙ୍କ କଥା ନ ମାନିଲେ ଶବକୁ ସେଠାରେ ଅଟକ ରଖି ଶୋଭାଯାତ୍ରାରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରାଯିବ ବୋଲି ପୋଲିସ ଧମକ ଦେଲେ । ଶେଷରେ ‘‘ସଂପତି’’ ଆଇନକୁ ଅଙ୍ଗୀକାର କଲା । ସେ କୋକେଇରୁ ଉଠିଗଲା ଏବଂ ସହରର ଦକ୍ଷିଣ ଦିଗକୁ ମାତ୍ର ଦୁଇ ମାଇଲ ଦୂରରେ ଅବସ୍ଥିତ ନିଜର ବାପ ଘର ବର୍ଣ୍ଣା ଗ୍ରାମକୁ ଫେରିଯିବାକୁ ସେ ରାଜି ହେଲା । ଶୋଭାଯାତ୍ର ପଛରେ ‘‘ସଂପତି’’ର ଭାଇ ମୁରଲୀଧର ଏବଂ ଜଗଦେଓ ନାମକ ମୃତ ପାଣ୍ଡେର ଜଣେ ବନ୍ଧୁ ରହିଗଲେ । ଅନ୍ୟମାନେ ଶବକୁ ଘାଟ ଆଡ଼କୁ ନେଇଗଲେ । ଭାବିବା ମଧ୍ୟ ସ୍ଵାଭାବିକ । ସଂପତି ନିଜ ମନୋଦ୍ଭାବ ବଦଳାଇ ଦେଇଥିଲେ ବି ପାଣ୍ଡେବର୍ଗ ବଦଳି ନ ଥିଲେ । ସିଦ୍ଧେଶ୍ଵର ସହିତ ତା ସ୍ତ୍ରୀକୁ ମଧ୍ୟ ଆରପାରିକୁ ପଠାଇବାକୁ ସେମାନେ କୃତସଂକଳ୍ପ ହୋଇଥିଲେ । ତେଣୁ ସଂପତି ବଞ୍ଚିବାକୁ ଇଚ୍ଛା କରିବା ସେମାନଙ୍କ ପକ୍ଷେ ନିରର୍ଥକ ଥିଲା । ‘‘ବର୍ଣ୍ଣା’’ ଯିବାକୁ ହେଲେ ଗୋଟିଏ ‘‘ଏକ୍‌କା’’ ଗାଡ଼ି ଦରକାର ବୋଲି ପାଣ୍ଡେବର୍ଗ ଜାଣିଥିଲେ । ମିଳିଗଲେ ଗାଁକୁ ଯିବା ଅପେକ୍ଷା ଘାଟକୁ ଯିବା ଅଧିକ ସହଜ ହେବ ବୋଲି ମଧ୍ୟ ସେମାନେ ବୁଝିଥିଲେ । ତେଣୁ ବିଦ୍ୟାସାଗରକୁ ଅନ୍ୟ ଭାଇମାନେ ସମ୍ପତି ନିମନ୍ତେ ଏକ୍‌କା ଗାଡ଼ି ଯୋଗାଡ଼ କରିବାକୁ ପଠାଇଦେଲେ । ସେ ରାମ ଅଭ ତାର ଦଶାଧ ନାମକ ଜଣେ ଏକ୍‌କା ଗାଡ଼ି ଚାଳକକୁ ମୁତୟନ କରି ବଖତିରପୁର ରାସ୍ତାରେ ଗାଁ ଆଡ଼କୁ ଚାଲିଲା । କିନ୍ତୁ ଗାଁ ରାସ୍ତା ଓ ନଦୀବନ୍ଧ ଛକରୁ ସେ ଗାଁ ଆଡ଼କୁ ନ ଯାଇ ଗାଡ଼ିକୁ ବନ୍ଧଆଡ଼େ ଚଲାଇଲା । ଇତିମଧ୍ୟରେ ପାଣ୍ଡେବର୍ଗ ଶବ ସହ ନିକଟବର୍ତ୍ତୀ ରାସ୍ତାବାଟେ ସେହିଠାରେ ପହଞ୍ଚି ଯାଇଥିଲେ ଏବଂ ସମ୍ପତି ସେଠାରେ ପହଞ୍ଚିବା ପରେ ସେମାନେ ତାକୁ ପୁଣି ଅକ୍ତିଆର କରିନେଲେ । ପୁନର୍ବାର ସଂପତି ଏହି ନାରକୀୟ ନାଟକର ମୁଖ୍ୟ ନାୟିକା ରୂପେ ଆତ୍ମପ୍ରକାଶ କଲା । ପୁଣିଥରେ ପାଣ୍ଡେ ବର୍ଗ ସତୀମାତାକୀ ଜୟ ଧ୍ୱନିରେ ଆକାଶ କମ୍ପାଇ ଦେଲେ । ସେତେବେଳକୁ ରାତି ପାହିଯାଇଥିଲା । ପ୍ରାତଃକାଳ ଅତୀତ ହୋଇ ସୂର୍ଯ୍ୟାଲୋକର ଧରଣୀ ଉଦ୍‌ଭାସିତ ହେଉଥିଲା ଏବଂ ‘‘ବର’’ ଓ ଦୂରର ଲୋକେ କର୍ମତତ୍ପର ହୋଇ ଉଠିଥିଲେ । ସେତେବେଳକୁ ଶୋଭାଯାତ୍ରାର ଲୋକସଂଖ୍ୟା ଚାରି ପାଞ୍ଚ ହଜାରକୁ ବଢ଼ିଯାଇଥାଏ । ସାଧାରଣ ଲୋକେ ତାମସା ଦେଖିବାପାଇଁ ପାଣ୍ଡେବର୍ଗଙ୍କୁ ନୈତିକ ସମର୍ଥନ ଦେଉଥାନ୍ତି ।

 

ପୋଲିସକୁ ପାଣ୍ଡେବର୍ଗ ଚିତା କାଟିଦେଲେ ବୋଲି ଖବର ପାଇବାପରେ ପାଣ୍ଡେବର୍ଗ ଓ ସମ୍ପତିକୁ ବୁଝାଇବା ପାଇଁ ବହୁସଂଖ୍ୟକ ପୋଲିସ ଶ୍ମଶାନ ପାଖରେ ପହଞ୍ଚିଗଲେ; କିନ୍ତୁ ପାଣ୍ଡେବର୍ଗ ବିରାଟ ଜନତାର ସମର୍ଥନ ପାଉଥିବାରୁ ଆଇନ୍ ଓ ପ୍ରରୋଚନା ଅକାମୀ ହୋଇ ପଡ଼ୁଥାଏ । ଏ ପରିସ୍ଥିତରେ ଜଣେ ପ୍ରକୃତ ସତୀ ହେବାକୁ ‘‘ସଂପତି’’ ଦୃଢ଼ ସ୍ଵରରେ ଘୋଷଣା କଲା । ତାର ଧାରଣାଥିଲା ସେ ନିଜ ସ୍ଵାମୀର ଚିତା ଉପରେ ବସିଲାବେଳେ ଏକ ଅଦ୍‌ଦ୍ଭୁତ ଅଗ୍ନିଶିଖା ସୃଷ୍ଟି ହୋଇ ତାର ଓ ତା ମୃତ ସ୍ଵାମୀର ଶବକୁ ନିମିଷେକ ମଧ୍ୟରେ ଭସ୍ମୀଭୂତ କରିଦେବ । ଜନତାର ଇଚ୍ଛା ବିରୁଦ୍ଧରେ ପୋଲିସ ଏ ଘଟଣାରେ ଅଧିକ ହସ୍ତକ୍ଷେପ କରିବାକୁ ସାହସ କଲେ ନାହିଁ ।

 

ଏହି ନାରକୀୟ ନାଟକର ଶେଷ ଦୃଶ୍ୟରେ ସମ୍ପତି ଆବିର୍ଭୂତା ହେଲା । ସେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କଲା ଏବଂ କେଶ ପ୍ରକ୍ଷାଳନ କରି ନିଜର ଭୂଷଣ ପରିଧାନ କଲା । ପରେ ନିଜର ଭାଇ ଓ ସେହି ଚାକରାଣୀ ଲଖିଆର ସହାୟତାରେ ନଖ କାଟି ଗୋଡ଼ରେ ଅଳତା ପିନ୍ଧିଲା । ଏହା ପୂର୍ବରୁ ସଂପତି କେବେ ଏତେ ସୁନ୍ଦର ଦେଖାଯାଉ ନଥିଲା । ବାସ୍ତବରେ ଏହାଠାରୁ ବଳି ଅଧିକ ଗୁରୁତ୍ଵପୂର୍ଣ୍ଣ କୌଣସି ଯାତ୍ରା ପଥର ସେ ପଥିକ ହୋଇ ନଥିଲା । ସଂପତି ଏହି ବାଟରେ ହିଁ ଇପ୍‌ସିତ ମୁକ୍ତି ପାଇବ ବୋଲି ଅତି ସରଳଭାବେ ଧରି ନେଇଥିଲା । ଏହା ମଧ୍ୟ ସ୍ଵୀକାର୍ଯ୍ୟ ଯେ ସେ ଅତି ନିଦାରୁଣଭାବେ ଉପସ୍ଥିତ ଜନତା ଓ ପାଣ୍ଡେବର୍ଗଙ୍କ ଅଜ୍ଞତା ଧର୍ମାନ୍ଧତାର ଶରବ୍ୟ ହୋଇଥିଲା । ସମ୍ପତି ଚିତାରେ ବସି ନିଜ କୋଳରେ ସ୍ୱାମୀର ଶବକୁ ଧାରଣ କଲା ଏବଂ ଚିତାରେ ବସିଥିଲା ବେଳେ ହଠାତ୍ ତା ଲୁଗାରେ ନିଆଁ ଲାଗିଲା । ଏହା ଘଟିବ ବୋଲି କଣ ଆଗରୁ ସେ ଜାଣି ନଥିଲା-? ସତୀ ହେବାର ଅର୍ଥ ଜୀବନ୍ତ ଦଗ୍‌ଧ ଭିନ୍ନ ଅନ୍ୟ କଣ ବା ହୋଇପାରେ ? ଅଗ୍ନିରୁ ଲେଲିହାନ ଶିଖା ନିଜର ଜିହ୍ୱା ବିସ୍ତାର କଲା ପରେ କଣ ତାର ସଂକଳ୍ପ ଭାଙ୍ଗିଗଲା ? ସକାଳେ ଶବ ଶୋଭାଯାତ୍ରା ବାହାରିବା ପରଠାରୁ ସେ ଚିତାରେ ବସିବା ପର୍ଯ୍ୟନ୍ତ ତା ମନଭିତରେ କି ସଂଘାତ ବା ସଂଘାତ ସୃଷ୍ଟି ହୋଇଥିଲା ତାହା ଆମେ ଜାଣି ପାରିଲୁ ନାହିଁ; କାରଣ ତାହା ପ୍ରକାଶ କରିବା ପାଇଁ ସେ ବେଶି ଦିନ ରହିଲା ନାହିଁ ।

 

ଅଗ୍ନିର ପ୍ରଚଣ୍ଡ ତାପ ସେ ଆଉ ସହି ପାରିଲା ନାହିଁ । ହଠାତ୍‌ ଚିତା ଉପରୁ ଉଠି ସେ ନଦୀ ଆଡ଼କୁ ଦୌଡ଼ିଗଲା । ଏଥର ନିଜ ଜୀବନର ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ନୁହେଁ, ମାତ୍ର ନିଜକୁ ରକ୍ଷା କରିବା ପାଇଁ । ଗଙ୍ଗାଜଳ ତା ଶରୀରରୁ ଅଗ୍ନି ନିର୍ବାପନ କଲା କିନ୍ତୁ ତାର କ୍ଷତକୁ ଭଲ କରି ପାରିଲା ନାହିଁ । ପାଣ୍ଡେ ବର୍ଗ ସିଦ୍ଧେଶ୍ୱରର ଶବ ତା ପାଖକୁ ଫୋପାଡ଼ି ଦେଇ ଶବ ସହିତ ବୁଡ଼ି ମରିବା ପାଇଁ ପାଟିକରି ତାକୁ ନିର୍ଦ୍ଦେଶ ଦେଲେ; କିନ୍ତୁ ସେ ଶବକୁ କୁମ୍ଭୀର ଟାଣି ନେଇ ସଂପତିକୁ ଛାଡ଼ିଦେଲା । ସଂପତି କୂଳରେ ଦୁଇ ଦିନ କାଳ ପଡ଼ିରହି ମୃତ୍ୟୁ ସହିତ ସଂଗ୍ରାମ କଲା । ପୋଲିସ ତାକୁ ଡାକ୍ତରଖାନା ନେବା ପାଇଁ ଇଚ୍ଛା କରିଥିଲେ କିନ୍ତୁ ଉପସ୍ଥିତ ଜନତା ଏହା କରାଇ ଦେଲେ ନାହିଁ । ଶେଷରେ ଜିଲ୍ଲା ଅଫିସର ଘଟଣା ସ୍ଥଳକୁ ଆସି ହୃଦୟହୀନ ଲୋକଗୁଡ଼ାଙ୍କୁ ଜବତ କଲେ ଏବଂ ବିଚାରୀ କୋଏରର ନିରାପତ୍ତା ରକ୍ଷା ତଥା ଚିକିତ୍ସା ପାଇଁ ଜେଲକୁ ନେଇଗଲେ; କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା । ତା ପରଦିନ ସଂପତିର ପ୍ରାଣବାୟୁ ଉଡ଼ିଗଲା ।

 

୧୯୬୭ ମସିହା ନଭେମ୍ବର ୨୨ ତାରିଖ ସକାଳେ ଜଣେ ଯୁବତୀକୁ ଆତ୍ମହତ୍ୟା କରିବା ନିମନ୍ତେ ପ୍ରବର୍ତ୍ତାଇବାକୁ ବେଆଇନ୍ ଭାବେ ରୁଣ୍ଡ ହୋଇଥିବା ଅଭିଯୋଗରେ ପାଣ୍ଡେବର୍ଗ, ମୁରଲୀଧର, ଲଖିଆ ଓ ଏକ୍‌କା ଡ୍ରାଇଭରକୁ ଗିରଫ କରାଗଲା ଏବଂ ପାଟନା ସେସନ୍‌ସ ଜଜଙ୍କ ଅଦାଲତରେ ଜଣେ ଜୁରୀ ଏହି ମକଦ୍ଦମାର ବିଚାର କଲେ । ଅଭିଯୁକ୍ତ ବ୍ୟକ୍ତିମାନେ ନିର୍ଦ୍ଦୋଷ ବୋଲି ଜୁରୀ ମତ ଦେଲେ । ସେସନ୍‌ସ ଜଜ ଆସାମୀମାନଙ୍କ ମଧ୍ୟରୁ ଛଅଜଣଙ୍କ ସଂକ୍ରାନ୍ତରେ ଜୁରୀଙ୍କ ସହ ଏକମତ ହେଲେ ଏବଂ ଅନ୍ୟମାନଙ୍କର ବିଚାର ଲାଗି ହାଇକୋର୍ଟକୁ ପଠାଇ ଦେଲେ-

 

ପ୍ରଧାନ ବିଚାରପତି ସାର୍ କୋର୍ଟନି ଟେରେଲ ଏବଂ ବିଚାରପତି ଆଡ଼ମୀଙ୍କ ଇଜିଲାସରେ ମକଦ୍ଦମାର ଶୁଣାଣି ଆରମ୍ଭ ହେଲା । ସରକାରଙ୍କ ପକ୍ଷରୁ ସହକାରୀ ସରକାରୀ ଓକିଲ ସୁଆଲ କଲେ । ଆସାମୀଙ୍କ ପକ୍ଷରୁ ଆଇ, ଇ. ପୁରା ଓ ଶ୍ରୀ ଜୟସୁଆଲଙ୍କ ଭଳି ବିଶିଷ୍ଟ ଆଇନଜୀବୀମାନେ ଅନ୍ୟ ବହୁ ଆଇନଜୀବୀଙ୍କ ସହାୟତାରେ ମକଦ୍ଦମା ଲଢ଼ିଲେ-। ଉକ୍ତ ଆଇନଜୀବୀ ଦ୍ଵୟଙ୍କର ଦକ୍ଷତା ପାଇଁ ସେକାଳରେ ଅଦାଲତ ମଧ୍ୟ ସେମାନଙ୍କର ପ୍ରଶଂସା କରୁଥାଏ-

 

ଆସାମୀଙ୍କ ପକ୍ଷରୁ ଆରପକ୍ଷ ସମର୍ଥନ କରି ମୁଖ୍ୟଙ୍କୁ କୁହାଯାଇଥିଲା ଯେ ଜଣେ ବିଜ୍ଞଲୋକଙ୍କୁ ନେଇ ଗଠିତ ଜୁରୀ ଯେଉଁ ମତାମତ ଦେଇଛନ୍ତି ସେଥିପ୍ରତି ଅଦାଲତ ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ । ଏହାର ଉତ୍ତରରେ ଅଦାଲତ କହିଥିଲେ ଜ୍ଞାନର ଅର୍ଥ ସାହସ ବା ଚତୁରତା ନୁହେଁ । ଆମ୍ଭମାନଙ୍କ ମତରେ ଜୁରୀ ହୋଇଥିବା ବ୍ୟକ୍ତି ନିଜ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ନାଗରିକ ହେବା ପାଇଁ ଓ ଜୁରୀ ହେବା ପାଇଁ ଯେଉଁ ଗୁଣ ଆବଶ୍ୟକ ତାହା ପ୍ରୋକ୍ତ ଜୁରୀଙ୍କ ଠାରେ ନାହିଁ ।

 

ସେଦିନ ସକାଳୁ ଆରମ୍ଭ କରି ଶ୍ମଶାନଘାଟ ପର୍ଯ୍ୟନ୍ତ ଘଟିଯାଇଥିବା ବିଷୟ ସବୁ ମନଗଢ଼ା ବୋଲି ମଧ୍ୟ ଯେଉଁ ଯୁକ୍ତି କରାଯାଇଥିଲା ତାକୁ ବିଚାରପତିମାନେ ଅଗ୍ରାହ୍ୟ କରି କହିଥିଲେ ଯେ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଏ ଯୁକ୍ତି ଶ୍ରବଣ ଉପଯୋଗୀ ନୁହେଁ । ପୋଲିସ ନିଜର ବିଚାରବୁଦ୍ଧି ପ୍ରୟୋଗ କରି ପାରିଥାନ୍ତା; କିନ୍ତୁ ଏ ଘଟଣା ସମ୍ପର୍କରେ ପୋଲିସ ଯେଉଁ ସବୁ ପ୍ରମାଣପତ୍ର ଦାଖଲ କରିଛି ତା ବିରୁଦ୍ଧରେ ପଦେ ହେଲେ କିଛି କୁହାଯାଇ ପାରିବ ନାହିଁ । ସାଧୁତା ଓ ସାହସର ସହିତ ପୋଲିସ ପ୍ରମାଣପତ୍ର ଦାଖଲ କରିପାରି ଥିବାରୁ ସେମାନେ ଧନ୍ୟବାଦାର୍ହ ।

 

ପରିକଳ୍ପିତ ଅଦ୍‌ଦ୍ଭୁତ ଅଗ୍ନି ଯାହାକି ହଠାତ୍ ସୃଷ୍ଟି ହେଲା ବୋଲି କୁହାଯାଇଥିଲା । ସେ ସମ୍ପର୍କରେ ଅଦାଲତ ନିଜର ମତ ଦେବାରେ କୌଣସି ଅସୁବିଧା ହୋଇ ନଥିଲା । ବିଚାରପତିମାନେ ଏ ସଂକ୍ରାନ୍ତରେ ମତ ଦେଇ କହିଥିଲେ—

 

ଆମ୍ଭେମାନେ ବୋକା ନୋହୁଁ । ଶ୍ମଶାନଘାଟରେ ଗୋଟିଏ ମୁହୂର୍ତ୍ତ ପାଇଁ ଏକାକୀ ରହିବାକୁ ସଂପତିକୁ ସୁବିଧା ଦିଆଯାଇ ନାହିଁ । ତାକୁ ସବୁବେଳେ ଲୋକେ ବେଢ଼ି ରହିଥିଲେ । ଅଗ୍ନି ଜ୍ୱାଳା ସହି ନ ପାରି ବିଚାରୀ ଚିତାରୁ ଉଠି ନଈକୁ ଦୌଡ଼ି ପଳାଇଥିଲା । ଏ ଅବସ୍ଥାରେ ପାଣ୍ଡେବର୍ଗ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯଦି ମହିଳାକୁ ଉଦ୍ଧାର କରାଯାଇଥାନ୍ତା ତେବେ ସେମାନଙ୍କ ଅସଲ ଗୁମର ପଦାରେ ପଡ଼ି ଯାଇଥାନ୍ତା ଓ ସେମାନଙ୍କ ଆଗରେ ଫାଶୀ ଦଉଡ଼ି ଲଟକୁ ଥାନ୍ତା । ସେମାନେ ପୁଣିଥରେ ଅଗ୍ନି ସଂଯୋଗ କରିବା ଅବସ୍ଥାରେ ନଥିଲେ; କାରଣ ପୂର୍ବ କୌଶଳର ପୁନରାବୃତ୍ତି କରିବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା । ଯେଉଁ ଦ୍ରବ୍ୟ ସାହାଯ୍ୟରେ ଅଗ୍ନି ସଂଯୋଗ କରିଥିଲେ ତାହା ସେତେବେଳକୁ ନଷ୍ଟହୋଇ ଯାଇଥିବାରୁ ‘‘ସଂପତି’’ ବୁଡ଼ିମରୁ ବୋଲି ସେମାନେ କାମନା କରିଥିଲେ ।

 

ଆସାମୀଙ୍କ ସପକ୍ଷରେ ଚମତ୍କାର ଯୁକ୍ତି କରିବା ବେଳେ ସତୀପ୍ରଥାକୁ ସବୁ ହିନ୍ଦୁଧର୍ମାବଲମ୍ବୀ ଅଗ୍ରାହ୍ୟ କରିଥିବା ଶ୍ରୀ ଜୟସ୍ୱାଲ ମାନ୍ୟବର ବିଚାରପତିମାନଙ୍କ ନିକଟରେ ଅବଶ୍ୟ ପ୍ରକାଶ କରିଥିଲେ । ଏହି ପ୍ରଥା ଏକ ନୃଶଂସ କାଣ୍ଡ ବୋଲି ଶ୍ରୀ ନନ୍ଦକୋଲ୍ୟାରା ମଧ୍ୟ ଘୋଷଣା କରିଥିଲେ ।

 

ବିଚାରପତିମାନେ ଜେଲକୁ ଯାଇ ଆସାମୀମାନଙ୍କୁ ଦେଖିଥିଲେ । ଯେଉଁମାନେ ମନୁଷ୍ୟର ସାଧାରଣ ପ୍ରବୃତ୍ତି ସମ୍ପର୍କରେ ଅଜ୍ଞ ହୋଇ ମାନବିକତା ପ୍ରତି ଏଭଳି ଅସମ୍ମାନ ପ୍ରଦର୍ଶନ କରିଥିଲେ ସେହି ମଣିଷରୂପୀ ଜନ୍ତୁମାନଙ୍କୁ ଦେଖିବାକୁ ବିଚାରପତିମାନେ ଟିକିଏ ଆଗ୍ରହ ପ୍ରକାଶ କରିଥିଲେ । ଆସାମୀମାନଙ୍କ ମାନସିକ ଅବସ୍ଥା ସମ୍ପର୍କରେ ଜାଣିବାକୁ ଡାକ୍ତରୀ ପରୀକ୍ଷା କରାଗଲା-। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଜ୍ଞ ଓ ଧର୍ମାନ୍ଧ-ଯୁବକ । ଯେଉଁ କେତେଜଣ ବୟସ୍କ ଲୋକ ଥିଲେ ସେମାନେ ଘଟଣାଟିକୁ ହୃଦୟଙ୍ଗମ କରିବା ଉଚିତ ଥିଲା ।

 

ଆସାମୀମାନଙ୍କ ସପକ୍ଷରେ ଅଦାଲତରେ ହୋଇଥିବା ଜବାବ ସୁଆଲ ବିଚାରପତିମାନଙ୍କ ହୃଦୟକୁ ତିଳେ ହେଲେ ତରଳାଇ ପାରି ନଥିଲା । କାରଣ ସେମାନଙ୍କୁ ଅନୁକମ୍ପା ଦେଖାଇବା ପାଇଁ ମକଦ୍ଦମାରେ କିଛି ହେଲେ ବାଟ ନଥିଲା । ଆସାମୀମାନଙ୍କ ବୟସ ମଧ୍ୟ ବିଚାରପତିମାନଙ୍କୁ ସଦୟ କରିପାରିଲା ନାହିଁ; କିନ୍ତୁ ସଂପତି କୋଏର’ର ସ୍ମୃତି ଉଦ୍ଦେଶ୍ୟରେ ନଦୀ କୂଳରେ ନିର୍ମିତ ଏକ ଅନୁଚ୍ଚ ସୌଧ ବଳିଷ୍ଠ ଯୁକ୍ତି ସ୍ଵରୁପ ବିଚାରପତିମାନଙ୍କ ମନରେ ଗଭୀର ରେଖାପାତ କଲା । ସେହି ସୌଧ ପରିଦର୍ଶନ କରିବା ପରେ ବିଚାରପତିମାନଙ୍କୁ ହୃଦୟ ଆନ୍ଦୋଳିତ ହେଲା ।

 

ଏକ୍‌କା ଡ୍ରାଇଭର ରାମ ଅତାର ଓ ଭୃତ୍ୟ ଲାଖିଆ ସେଭଳି କିଛି ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରି ନ ଥିବାରୁ ସେମାନଙ୍କୁ ଏକବର୍ଷ ଲେଖାଏ ଜେଲଦଣ୍ଡ ଦିଆଗଲା । ମୁରଲୀଧର ଓ ବିଦ୍ୟାସାଗର, ଏହି ଦୁଇ ବାଳକଙ୍କୁ ଅଳ୍ପ ବୟସ ହୋଇଥିବାରୁ ଉତ୍ତମ ପରିବେଶ ମଧ୍ୟରେ ସେମାନଙ୍କର ଅନ୍ଧବିଶ୍ୱାସ ଦୂର ହୋଇ ପାରିବା ସମ୍ଭବ; ତେଣୁ ସେମାନଙ୍କ କ୍ଷେତ୍ରରେ ୫ବର୍ଷ ଲେଖାଏଁ କାରାଦଣ୍ଡ, ଯଥେଷ୍ଟ ବୋଲି ବିବେଚିତ ହେଲା; କିନ୍ତୁ ପାଣ୍ଡେବର୍ଗ ଲଛମନ, ହରଦେଓ, ସହଦେଓ, କେଶୋ ଓ ରଘୁବୀର ସିଂହଙ୍କୁ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ହେଲା ।

 

ଏହିଭଳି ଏକ ଅଦ୍ଵିତୀୟ ମକଦ୍ଦମାର ରାୟ ଦେଇ ଉପସଂହାରରେ ପ୍ରଧାନ ବିଚାରପତି ଯାହା କହିଥିଲେ ତାହା ମଧ୍ୟ ଅନୁପମ—

 

‘‘ଆମ ବିଚାରରେ ପ୍ରଥମତଃ ଶଇତାନି କାର୍ଯ୍ୟ କରିଥିବା ଏହି ବ୍ୟକ୍ତିମାନେ ଦଣ୍ଡିତ ହେବା ଉଚିତ । ଦ୍ୱିତୀୟତଃ ଜଣେ ନିରୀହା ବାଳିକାକୁ ଯେଭଳି ଭାବେ ହତ୍ୟା କରାଗଲା ଆମ ଶକ୍ତି ମତେ ତାହାର ପ୍ରତିଶୋଧ ନେବା ଉଚିତ୍ । ତୃତୀୟତଃ ଯେଉଁମାନେ ଯୁକ୍ତି ସଙ୍ଗତ କଥା ବୁଝାନ୍ତି ନାହିଁ ସେମାନଙ୍କୁ ତାଡ଼ନା ଦ୍ଵାର ଶିକ୍ଷା ଦିଆଯିବା ଉଚିତ । ଆମେ କେବଳ ଶରୀରକୁ ଦଣ୍ଡି ପାରିବୁ । କାରାଜୀବନ ପରେ ଆସାମୀମାନଙ୍କ ଭିତରୁ ଯଦି କେହି ଜୀବିତ ରୁହନ୍ତି ଯାହାଙ୍କ ଆଗରୁ କହିବା ଆମପକ୍ଷେ ସମ୍ଭବ ନୁହେଁ ଏବଂ ଈଶ୍ୱର ଯଦି ସେମାନଙ୍କ ପ୍ରତି ସହାୟ ହୁଅନ୍ତି ଓ କରୁଣା ଦେଖାନ୍ତି ତେବେ ଜାଗତିକ ଦଣ୍ଡାଦେଶ ପରେ ମଧ୍ୟ ରକ୍ଷା ପାଇଥିବା ଏହି ବ୍ୟକ୍ତିମାନେ ‘‘ସଂପତି’’ର ପୁଷ୍ପଶୋଭିତ ସ୍ମୃତିସୌଧକୁ ତୀର୍ଥ ଯାତ୍ରା କରି ସେଠାରେ ତାର ଭଗ୍ନାବଶେଷ ମୁଣ୍ଡରେ ମାରି ନିଜକୁ ତା ନିକଟରେ ସମର୍ପଣ କରି ତାର ଆତ୍ମାକୁ ଭସ୍ମୀଭୂତ କରି ସେମାନଙ୍କର ଆତ୍ମାକୁ ନର୍କପୁରୀରୁ ଉଦ୍ଧାର କରିବା ନିମନ୍ତେ ପ୍ରାର୍ଥନା କରିବା ଉଚିତ୍‌ ।

Image

 

ବିନୟେନ୍ଦ୍ର ଚନ୍ଦ୍ର ପାଣ୍ଡେ ମକଦ୍ଦମା

 

୧୯୩୩ ମସିହା ଡିସେମ୍ବର ୪ ତାରିଖ ଦିନ ଅମରେନ୍ଦ୍ର ଚନ୍ଦ୍ର ପାଣ୍ଡେ ନାମକ ଜଣେ ବ୍ୟକ୍ତି କଲିକତା ଡାକ୍ତରଖାନାରେ ମାତ୍ର ଅଳ୍ପ କେତେ ସମୟର ଚିକିତ୍ସା ପରେ ପ୍ରାଣ ହରାଇଲେ । ସେ ବୁବୋନିକ୍‌ ପ୍ଲେଗ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ସେତେବେଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ମତଦେଲେ ।

 

ସାଧାରଣତଃ ପ୍ଲେଗ କିମ୍ବା ସେଭଳି ଅନ୍ୟ କୌଣସି ସଂକ୍ରାମକ ରୋଗୀର ମୃତ୍ୟୁ ସମ୍ପର୍କରେ ପୋଲିସ କୌଣସି ତଦନ୍ତ କରନ୍ତି ନାହିଁ; କିନ୍ତୁ ଅମରେନ୍ଦ୍ର ଚନ୍ଦ୍ରଙ୍କ ମୃତ୍ୟୁ ସହିତ ଏଭଳି ଏକ ଘଟଣା ଜଡ଼ିତ ହୋଇଥିଲା ଯାହା ଯୋଗୁ ତାଙ୍କ ମୃତ୍ୟୁର ତଦନ୍ତ କରାଯିବା ଆବଶ୍ୟକ ହେଲା ଏବଂ ଏହି ତଦନ୍ତବେଳେ ଅପରାଧ ଇତିହାସର ଏକ ଅଦ୍ଵିତୀୟ ଘଟଣା ଲୋକଲୋଚନକୁ ଆସିଲା-

 

ଅମରେନ୍ଦ୍ର, ଠାକୁର ରାଜଜମିଦାରୀର ଅନ୍ୟତମ ଉତ୍ତରାଧିକାରୀ । ୧୯୨୯ ମସିହାରେ ଠାକୁର ରାଜାଙ୍କ ମୃତ୍ୟୁ ପରେ ତାଙ୍କର ସାବତ ଭାଇ ବିନୟେନ୍ଦ୍ର ପିତୃସମ୍ପତ୍ତିର ମିଳିତ ଉତ୍ତରାଧିକାରୀ ହେଲେ । ପିତାଙ୍କ ମୃତ୍ୟୁ ବେଳକୁ ଅମରେନ୍ଦ୍ରଙ୍କ ବୟସ ହୋଇଥିଲା ୧୬ ଓ ବିନୟେନ୍ଦ୍ରଙ୍କ ବୟସ ହୋଇଥିଲା ୨୭ । ଠାକୁର ରାଜଇଷ୍ଟେଟ ବା ଜମିଦାରୀ ଛଡ଼ା ଦୁଇଭାଇ ଉତ୍ତରାଧିକାରୀ ସୂତ୍ରରେ ନିଜର ଖୁଡ଼ି, ଦେଓଗଡ଼ର ରାଣୀ ସୂରଜବତୀ ଦେବୀଙ୍କ ସମ୍ପତ୍ତିର ଅଧିକାରୀ ହୋଇଥିଲେ ।

 

ବିନୟେନ୍ଦ୍ର ଏକ କାମାସକ୍ତ ଜୀବନ ଯାପନ କରୁଥିଲେ । ପିତାଙ୍କ ମୃତ୍ୟୁ ପରେ ସେ ମିଳିତ ହିନ୍ଦୁ ପରିବାରର କର୍ତ୍ତାହେଲେ ସତ୍ୟ କିନ୍ତୁ ବିରାଟ ଜମିଦାରୀ ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ‘‘ବାଲିକବଳ’’ ନାମ୍ନୀ ଜଣେ ସୁନ୍ଦରୀ ନର୍ତ୍ତକୀ ସହ ମାତିରହିଲେ । ତାଙ୍କର ଏଭଳି ଆଚରଣକୁ ତାଙ୍କ ପରିବାର ଲୋକେ ବା ରାଣୀ ସୂରଯବତୀ କେହିହେଲେ ପସନ୍ଦ କରୁନଥିଲେ । ଦୁଇ ଭାଇଙ୍କର ସମ୍ପର୍କ ମଧ୍ୟ ସେତେ ଉତ୍ତମ ନଥିଲା । ବିନୟେନ୍ଦ୍ର ଅମରେନ୍ଦ୍ରର ଭରଣ ପୋଷଣ ତଥା ଶିକ୍ଷା ଦୀକ୍ଷା ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଉ ନ ଥିବାରୁ ଉଭୟଙ୍କ ସମ୍ପର୍କ ତିକ୍ତ ହୋଇଥିବା କୁହାଯାଏ ।

 

୧୯୩୧ ମସିହାରେ ଅମରେନ୍ଦ୍ର ସାବାଳକ ହେବା ଶୁଣି ବିନୟେନ୍ଦ୍ରଙ୍କୁ ଖୋଲାଖୋଲି ବିରୋଧ କଲେ ଏବଂ ମିଳିତ ସମ୍ପତ୍ତିରେ ନିଜ ଅଧିକାର ଜାହିର କରିବା ପାଇଁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କଲେ । ୧୯୩୨ ମସିହା ମେ ମାସ ୧୬ ତାରିଖ ଦିନ ଅମରେନ୍ଦ୍ର ଏଭଳି କେତେ ଲୋକଙ୍କୁ ନିଜ ସମ୍ପତ୍ତିର ରକ୍ଷଣାବେକ୍ଷଣ କ୍ଷମତା ପ୍ରଦାନ କଲେ, ଯେଉଁମାନେ କି ବିନୟେନ୍ଦ୍ରଙ୍କ ଦ୍ଵାର ପ୍ରଭାବିତ ହେବାର ଆଶଙ୍କା ନଥିଲା । ସେହିବର୍ଷ ନଭେମ୍ବର ମାସରେ ଜମିଦାରିରେ ନିଜର ସ୍ୱାର୍ଥରକ୍ଷା କରିବା ପାଇଁ ସେ ଆଇନଜୀବୀ ମାନଙ୍କ ସହ ପରାମର୍ଶ କଲେ ।

 

ଇତିମଧ୍ୟରେ ବିନୟେନ୍ଦ୍ରଙ୍କ କାର୍ଯ୍ୟକଳାପ କିପରି ସନ୍ଦେହଜନକ ହୋଇ ଉଠିଲା । ଯଦିଚ ସେ ଅମରେନ୍ଦ୍ରଙ୍କୁ ବୁଝାଇ ତାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବା ପାଇଁ ଅନ୍ୟ ଲୋକଙ୍କୁ ଯେଉଁ କ୍ଷମତାପତ୍ର ପ୍ରଦାନ କରାଯାଇଥିଲା ତାକୁ ରଦ୍ଦ କରାଇଥିଲେ । ଏହାପରେ ଏଭଳି କେତେକ ଘଟଣା ଘଟିଗଲା ଯେଉଁଥିରେ କି ବିନୟେନ୍ଦ୍ର ସିଧାସଳଖ କିଛି ନକରି ନିଜର ଲକ୍ଷ୍ୟସାଧନ ପଥରେ ଅଗ୍ରସର ହେଉଛନ୍ତି ବୋଲି ଲୋକଙ୍କର ଧାରଣା ହେଲା । ୧୯୩୨ ମସିହା ପୂଜା ଅବକାଶରେ ଦେଓଗଡ଼ସ୍ଥ ରାଣୀ ସୂରଯବତୀ ଦେବୀଙ୍କ ଘରେ ରହୁଥିଲା ବେଳେ ଦିନେ ଅମରେନ୍ଦ୍ର ବିନୟେନ୍ଦ୍ର ସହ ବୁଲିବାକୁ ଯାଇଥିଲେ ଏବଂ ତା ପରେ ସେ ଜ୍ୱରରେ ପଡ଼ିଲେ । ସେ ଧନୁଷ୍ଟଙ୍କାର ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଲା । ଏହି ରୋଗ ନିର୍ଣ୍ଣୟ କରିଥିବା ଡାକ୍ତର ସୁରେନ୍ଦ୍ର ନାଥ ବାନାର୍ଜୀ ‘‘ଆଣ୍ଟିଟିଟାନସ ସିରମ’’ ଦେଇ ରୋଗୀର ଚିକିତ୍ସା କଲେ ନିଜ ଭାଇ ଅସୁସ୍ଥ ହୋଇ ପଡ଼ିଥିବାବେଳେ ହଠାତ୍‌ ଦିନେ ବିନୟେନ୍ଦ୍ର ନିଜର ଜଣେ କମ୍ପାଉଣ୍ଡର ବନ୍ଧୁଙ୍କ ସହ ଚାଲିଗଲେ ଦେଓଗଡ଼କୁ ନିଜ ପରିବାରର ଡାକ୍ତରଙ୍କୁ ପଠାଇ ଦେବା ନିମନ୍ତେ । ତା’ପରେ ବିନୟେନ୍ଦ୍ରଙ୍କୁ ଟେଲିଗ୍ରାମ କରାଗଲା; କିନ୍ତୁ ସେ ନିଜ ପରିବାରର ଡାକ୍ତରକୁ ଆଣିବା ବଦଳରେ କଲିକତା ଯାଇ ସେଠାରୁ ଡାକ୍ତର ତାରାନାଥ ନାମକ ଜଣେ ବ୍ୟକ୍ତିଙ୍କୁ ଆଣିଲେ ଯିଏ କି ପରେ ପରେ ବିନୟେନ୍ଦ୍ରଙ୍କ ବିରୁଦ୍ଧରେ ହୋଇଥିବା ହତ୍ୟା ମକଦ୍ଦମାରେ ବିଚାର ବେଳେ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଡାକ୍ତର ତାରକାନାଥଙ୍କ ଆଗମନ ବିଶେଷକରି ତାଙ୍କର ଚିକିତ୍ସା ପଦ୍ଧତି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟିକଲା । ସେ ସିରିସ ଚିକିତ୍ସା ବ୍ୟବସ୍ଥା ବନ୍ଦ କରି ମରଫିଆ ଚିକିତ୍ସା କଲେ । ଚିକିତ୍ସା ଶାସ୍ତ୍ର ଦୃଷ୍ଟିରୁ ଦେଖିବାକୁ ଗଲେ ମରଫିଆ ଔଷଧ ଦେବାଟା ରୋଗ ଉପଶମ କରିବାର ଠିକଣା ବାଟ ଏବଂ ତାହା ଭୁଲ ଔଷଧ ନୁହେଁ, କିନ୍ତୁ ଡାକ୍ତର ତାରକାନାଥଙ୍କ କେତେକ କାର୍ଯ୍ୟକଳାପ ବୁଦ୍ଧିମତୀ ରାଣୀ ସୂରଯ ଦେବୀଙ୍କ ଦୃଷ୍ଟି ଏଡ଼ାଇ ପାରିଲା ନାହିଁ ଏବଂ ଡାକ୍ତର ରୋଗୀକୁ ଠିକଣା ଔଷଧ ଦେଉନାହାନ୍ତି ବୋଲି ସେ ସନ୍ଦେହ କଲେ । ଏହି ରୋଗଯୋଗୁଁ ଅମରେନ୍ଦ୍ରଙ୍କର ହାର୍ଟ ଦୁର୍ବଳ ହୋଇଗଲା ଏବଂ ସେ ୧୯୩୩ ମସିହା ଅପ୍ରେଲ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଲେ ନାହିଁ ।

 

ଇତିମଧ୍ୟରେ ବିନୟେନ୍ଦ୍ର ଆଲାହାବାଦ ଓ ଅନ୍ୟାନ୍ୟ ବ୍ୟାଙ୍କମାନଙ୍କରେ ଜମିଦାରୀର ଗଚ୍ଛିତଥିବା ନଗଦ ଅର୍ଥ ଉଠାଇବାରେ ଲାଗିଗଲେ । ତାଙ୍କର ଓ ଅମରେନ୍ଦ୍ରଙ୍କ ସପକ୍ଷରେ ମିଳିତ ଉତ୍ତରାଧିକାର ସାର୍ଟିଫିକେଟ ଯୋଗାଡ଼ କରିବା ପରେ ଉଭୟେ ମିଳିତଭାବେ ଖଜଣା ଆଦାୟ କରିବାରେ ଅଧିକାର ପାଇଲେ ଏବଂ ଏହି ଅଧିକାରପତ୍ର ବଳରେ ସେ ସଫଳତାର ସହ ବ୍ୟାଙ୍କରୁ ୧୩ ହଜାର ଟଙ୍କା ଉଠାଇ ଆଣିଲେ । ଅକ୍ଟୋବର ମାସରେ ଏକ ଆପୋଷ ମିଳାମିଶା ପରେ ଜମିଦାରୀ ସପକ୍ଷରେ ସତର ହଜାର ଟଙ୍କା ଅଦାଲତରେ ଜମା ରହିଥିଲା, ଏବଂ ଏହି ଟଙ୍କା ଉଠାଇ ନେବା ପାଇଁ ବିନୟେନ୍ଦ୍ର ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ । ନଭେମ୍ବର ୧୭ ତାରିଖରେ ଅମରେନ୍ଦ୍ର ଆପତ୍ତି ଅର୍ଜି ଦାଖଲ କରିବା ଯୋଗୁ ଏହି ଟଙ୍କା ବିନୟେନ୍ଦ୍ର ଉଠାଇ ପାରିଲେ ନାହିଁ । ଏଥିଯୋଗୁଁ ଦୁଇଭାଇଙ୍କ ମଧ୍ୟରେ ଅଧିକ ତିକ୍ତତା ସଷ୍ଟି ହେଲା ଏବଂ ଉଭୟଙ୍କ ସମ୍ପର୍କ ଛିନ୍ନ ହେବା ଅବସ୍ଥା ପହଞ୍ଚିଗଲା । ଦୁଇ ଭାଇ ଏହାପରେ ଏକାଠି ବସି ସମ୍ପତ୍ତି ଭାଗ କରିବା ସମ୍ପର୍କରେ ଦୀର୍ଘ ସମୟ ଆଲୋଚନା କଲେ ଏବଂ ପାକୁରରେ ସମ୍ପତ୍ତି ବଣ୍ଟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଉଭୟେ ସ୍ଥିର କଲେ ।

 

କଲିକତାରେ ଥିବାବେଳେ ଅମରେନ୍ଦ୍ର ଦିନେ ସଂଧ୍ୟାରେ ପୂଜା ଥିଏଟରକୁ କୁମାରୀ ଜ୍ୟୋତିମୟୀ ଓ ତାର କେତେକ ସଙ୍ଗୀଙ୍କ ସହ ଯାଇଥିଲେ । ବିନୟେନ୍ଦ୍ରଙ୍କୁ ଯିବାପାଇଁ ନିମନ୍ତ୍ରଣ କରାଯାଇ ନଥିଲେ ମଧ୍ୟ ସେହିଦିନ ଓ ସେହି ଶୋ ଯିବାରେ ସେ ହେଳା କରିନଥିଲେ । ସେଠାରେ ବିନୟେନ୍ଦ୍ରଙ୍କ ସହ ଗେଡ଼ା ଖଦଡ଼ପିନ୍ଧା ଜଣେ କଳା ଲୋକଥିଲା; କିନ୍ତୁ ଏହି ବ୍ୟକ୍ତିଙ୍କର ଯେଉଁ ବର୍ଣ୍ଣନା ଦିଆଯାଇଛି ତାହା ବୋଧହୁଏ ବଙ୍ଗଳାର ତିନି ଚତୁର୍ଥାଂଶ ଲୋକଙ୍କ ପ୍ରତି ପ୍ରଯୁଜ୍ୟ ହେବ । ଯାହାହେଉ ସେହି କଳା ଲୋକକୁ ଦେଖିଲେ ଚିହ୍ନିହେବ ବୋଲି ଥିଏଟରରେ ଥିବା କେତେକ ବ୍ୟକ୍ତି ପ୍ରକାଶ କରିଥିଲେ । ସେହି ଲୋକକୁ କିନ୍ତୁ ପରେ ଆଦୌ ଚିହ୍ନଟ କରାଯାଇ ପାରିନଥିଲା ।

 

ରାଣୀ ସୂରଯବତୀ ନଭେମ୍ବର ୨୬ ତାରିଖ ଦିନ ପୁତୁରା ଅମରେନ୍ଦ୍ର ସହିତ କଲିକତା ଛାଡ଼ିବା ପାଇଁ ମନସ୍ଥ କଲେ । ବିନୟେନ୍ଦ୍ର ଏକଥା ସେମାନଙ୍କ ଯିବା ପୂର୍ବଦିନ ସନ୍ଧ୍ୟାରେ ଜାଣିଲେ ଷ୍ଟେସନରେ ସେ ତାର ଖୁଡ଼ୀ ଓ ଭାଇକୁ ବିଦାୟ ସମ୍ବର୍ଦ୍ଧନା ଜଣାଇବ ବୋଲି କହିଲେ । ସେତେବେଳେ ଦୁଇ ଭାଇଙ୍କ ମଧ୍ୟରେ ଯେଉଁ ସମ୍ପର୍କ ସେଥିରେ ବିନୟେନ୍ଦ୍ରର ଏଭଳି ମତିଗତି ରାଣୀଙ୍କୁ ବିସ୍ମିତ କଲା; କିନ୍ତୁ ଏହାକୁ ସୌଜନ୍ୟ ରୂପେ ସେ ଗ୍ରହଣ କରିନେଲେ । ବିନୟେନ୍ଦ୍ର ଏକ ହୃଦୟହୀନ ବ୍ୟକ୍ତି ନୁହନ୍ତି ବୋଲି ବୋଧହୁଏ ସେ ଭାବିଲେ । ତା ଛଡ଼ା ଖୁଡ଼ୀଙ୍କ ସହ ବିନୟେନ୍ଦ୍ରଙ୍କର କିଛି ଝଗଡ଼ା ନଥିଲା । ବିନୟେନ୍ଦ୍ର ନିଜ ଖୁଡ଼ୀଙ୍କୁ ଷ୍ଟେସନରେ ବିଦାୟ ସମ୍ବର୍ଦ୍ଧନା ଜଣାଇବେ ବୋଲି କହିବା ପରେ ପୁଣି ସେହି ପୂର୍ବ ବର୍ଣ୍ଣିତ ‘‘ଗେଡ଼ା ଖଦଡ଼ଧାରୀ’’ କଳାଲୋକ ସହ ହାଓଡ଼ାକୁ ଗଲେ । ବିନୟେନ୍ଦ୍ର ଜଣେ ମାମୁଲି ଲୋକ ନଥିଲେ । ତେଣୁ ତାଙ୍କର ହାଓଡ଼ା ଯିବା ସହସା ଜଣାପଡ଼ିଗଲା ।

 

ତା ପରଦିନ ବିନୟେନ୍ଦ୍ର ସେହି କଳା ଲୋକଟିସହ ହାଓଡ଼ାରେ ନିଜ ଖୁଡ଼ୀ ସୂରଯବତୀଙ୍କୁ ସାକ୍ଷାତ କରିବା ପାଇଁ ଠିକଣା ସମୟରେ ଉପସ୍ଥିତ ଥିଲେ ରାଣୀଙ୍କ ସହ ଅମରେନ୍ଦ୍ର ତାଙ୍କ ଭଉଣୀ ବନମାଳା ଓ ଝିଆରୀ ଅନିମା ମଧ୍ୟ ଯାଉଥାନ୍ତି । ପ୍ରବେଶ ଦ୍ଵାରରେ ବିନୟେନ୍ଦ୍ର ଏକାକୀ ସେ ସମସ୍ତଙ୍କୁ ସ୍ଵାଗତ କରିବା ପାଇଁ ଛିଡ଼ା ହୋଇଥିଲେ । ରେଳବାଇ କର୍ମଚାରୀଙ୍କ ସହ ଆବଶ୍ୟକୀୟ କଥାବାର୍ତ୍ତା । କରିବା ପରେ ରାଣୀ ସଦଳବଳେ ପ୍ଲାଟଫର୍ମ ଭିତରକୁ ଗଲେ । ଆଗରେ ଅମରେନ୍ଦ୍ର ଓ ପଛରେ ବିନୟେନ୍ଦ୍ର ଥାଆନ୍ତି ।

 

ଅମରେନ୍ଦ୍ର ଭିଡ଼ ଭିତର ଦେଇ ପ୍ଲାଟଫର୍ମ ଭିତରକୁ ଗଲାବେଳେ ଜଣେ ଗେଡ଼ା ଖଦଡ଼ପିନ୍ଧା ଲୋକ ତାଙ୍କ ସହିତ ଘଷି ହୋଇଗଲା । ଏତିକିବେଳେ ଅମରେନ୍ଦ୍ରଙ୍କ ଡାହାଣ ହାତରେ କଣ ଗୋଟାଏ ଫୋଡ଼ି ହୋଇଗଲା ଭଳି ଲାଗିଲା । ସେ ପ୍ରଥମେ କିଛି ଖିଆଲ କଲେନାହିଁ ଓ ସେହି କଳା ଲୋକଟା ଜନସମୁଦ୍ର ମଧ୍ୟରେ ହଜିଗଲା । କିଛି ସମୟ ପରେ ‘‘ମୋତେ କେହି ଜଣେ ଫୋଡ଼ି ଦେଇ ଗଲା’’ ବୋଲି ଅମରେନ୍ଦ୍ର କହିଲେ ଏବଂ ନିଜ ସାର୍ଟର ହାତ ଭାଙ୍ଗିଲେ । ପ୍ରକୃତରେ ତାଙ୍କ ହାତରେ ସେତେବେଳକୁ ଏକ ଛୁଞ୍ଚି ଫୋଡ଼ା ଦାଗ ଦେଖା ଯାଉଥିଲା; କିନ୍ତୁ ବିନୟେନ୍ଦ୍ର ଏହି ଘଟଣାଟିକୁ ହାଲୁକା କରିଦେଇ କହିଲେ କୌଣସି ଲୋକର କୋର୍ଟ କିମ୍ବା ସାର୍ଟ ପକେଟରୁ ଫୁଟି ବାହାରିଥିବା ପିନ୍‌କଣ୍ଟା ହୁଏତ ଫୋଡ଼ି ହୋଇ ଯାଇଥିବ କି କୌଣସି ପୋକ କାମୁଡ଼ି ଦେଇଥିବ । ପୋକଟି ସାର୍ଟ ଭିତରେ କେଉଁଠି ଲୁଚି ଯାଇଥିବ ଦେଖିଲେ ଭଲହେବ ।

 

ଅମରେନ୍ଦ୍ରର ବନ୍ଧୁମାନେ ପ୍ରଥମେ ଏଥିର କିଛି ରହସ୍ୟ ରହିଗଲା ବୋଲି ସନ୍ଦେହ କରି ତାଙ୍କୁ କଲିକତାରେ ରହିଯିବା ପାଇଁ ପରାମର୍ଶ ଦେଲେ; କିନ୍ତୁ ଏଥିରେ ବ୍ୟଗ୍ର ହୋଇ କଲିକତାରେ ରହିଯିବାର କୌଣସି କାରଣ ନାହିଁ ବୋଲି ବିନୟେନ୍ଦ୍ର ମତ ଦେଲେ । ରାଣୀ ସୂରଯବତୀ ଯାତ୍ରା ଅବ୍ୟାହତ ରଖିବାକୁ ନିଷ୍ପତ୍ତି କଲେ; କିନ୍ତୁ ତାଙ୍କ ମନରେ ମଧ୍ୟ ଶଙ୍କା ରହିଗଲା । ସେମାନେ ପାକୁର ଅଭିମୁଖେ ଚାଲିଲେ ।

 

ନଭେମ୍ବର ୨୯ ତାରିଖ ଦିନ ଅମରେନ୍ଦ୍ର ଚନ୍ଦ୍ର ତାଙ୍କର ଜଣେ ବନ୍ଧୁ କମଳା ପ୍ରସାଦ ପାଣ୍ଡେଙ୍କ ଠାରୁ ଏକ ଜରୁରୀ ତାରବାର୍ତ୍ତା ପାଇ କଲିକତା ଫେରି ଆସିଲେ । ସେଦିନ ହାଓଡ଼ା ପ୍ଲାଟଫର୍ମରେ ବିନୟେନ୍ଦ୍ରଙ୍କ ହାବଭାବରେ ସେ ସନ୍ତୁଷ୍ଟ ହୋଇ ନଥିଲେ । କଲିକତାରେ ଡାକ୍ତର ନଳିନୀରଞ୍ଜନ ସେନଗୁପ୍ତ ଅମରେନ୍ଦ୍ରଙ୍କୁ ପରୀକ୍ଷା କଲେ ଏବଂ ଡାହାଣ ହାତରେ ‘‘ହାଇଫୋଡ଼ରମିକ’’ ଛୁଞ୍ଚି ଫୋଡ଼ାଥିବା ଚିହ୍ନ ଦେଖିଲେ । ତା ପରଦିନ ଡାକ୍ତର ସେନ୍‌ଗୁପ୍ତଙ୍କ ପରାମର୍ଶକ୍ରମେ ଡାକ୍ତର ସନ୍ତୋଷକୁମାର ଗୁପ୍ତଙ୍କ ନିକଟରେ ରକ୍ତ ପରୀକ୍ଷା କରାଗଲା । ଏହାର ଚାରିଦିନ ପରେ ଅମରେନ୍ଦ୍ର ପ୍ରାଣତ୍ୟାଗ କଲେ ।

 

ରକ୍ତ ପରୀକ୍ଷା କରାଯିବା ପରେ ‘‘କ୍ୟୁବାନିକ ପ୍ଲେଗ୍‌’’ ରୋଗର ଜୀବାଣୁ ଥିବା ଜଣାପଡ଼ିବାରୁ ଏ ବିଷୟ ଜନସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଗଲା ।

 

ଅମରେନ୍ଦ୍ରଙ୍କ ମୃତ୍ୟୁ ଖବର ୧୯୩୪ ମସିହା ଜାନୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ପୋଲିସକୁ ଜଣାଇ ଦିଆଯାଇ ନଥିଲା । ଇତିମଧ୍ୟରେ ତାଙ୍କ ପରିବାରର ଲୋକେ ପାକୁର ରାଜ ଜମିଦାରୀକୁ ପୋଲିସ ହାତରେ ଅର୍ପଣ କରାଯିବ କି ନାହିଁ ସେ ବିଷୟରେ ଚର୍ଚ୍ଚାକଲେ । ଏଥିରେ ବଙ୍ଗଳାର ଏକ ବୁନିଆଦ ପରିବାରର ମର୍ଯ୍ୟାଦାର ପ୍ରଶ୍ନ ମଧ୍ୟ ଜଡ଼ିତ ଥିଲା । ଇତିମଧ୍ୟରେ କମଳାପ୍ରସାଦ ପାଣ୍ଡେ ତାଙ୍କ ବନ୍ଧୁ ଅମରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ମୃତ୍ୟୁ ସମ୍ପୂର୍ଣ ତଦନ୍ତ ହେଉ ବୋଲି କଲିକତାର ଡେପୁଟି ପୋଲିସ କମିଶନରଙ୍କ ନିକଟରେ ଆବେଦନ କଲେ । ଏହା ଫଳରେ ‘‘ବେଙ୍ଗଲ ଗୁଇନ୍ଦା ସେବା ସଂସ୍ଥାର ଜଣେ ପୋଲିସ ସବ୍‌ଇନ୍‌ସପେକ୍‌ଟର ଶ୍ରୀ ଶରତଚନ୍ଦ୍ର ମିତ୍ରଙ୍କୁ ଏହି ଘଟଣାର ତଦନ୍ତ କରିବା ଦାୟିତ୍ୱ ଦିଆଗଲା । ଏହି ତଦନ୍ତ କାର୍ଯ୍ୟ ଦକ୍ଷତାର ସହ କରାଗଲା ଏବଂ ତଦନ୍ତ ପରିସର କଲିକତାରୁ ବମ୍ବେ ପର୍ଯ୍ୟନ୍ତ ବ୍ୟାପକ ହେଲା । ତଦନ୍ତ ବେଳେ ବହୁ ରହସ୍ୟପୂର୍ଣ୍ଣ କଥା ପଦାରେ ପଡ଼ିଲା ।

 

୧୯୩୨ ମସିହା ମେ ୧୨ ତାରିଖ (ଯେଉଁ ଦିନ ଅମରେନ୍ଦ୍ର ନିଜ ସମ୍ପତ୍ତିର ରକ୍ଷଣାବେକ୍ଷଣ କ୍ଷମତା ଅର୍ପଣ କଲେ) ଦିନ ଆମର ପୂର୍ବ ପରିଚିତ ଡାକ୍ତର ତାରାନାଥ ବମ୍ବେସ୍ଥ ହଫକିନ ଇନଷ୍ଟିଚ୍ୟୁଟକୁ ଏକ ‘‘ପ୍ରିପେଡ଼’’ ଟେଲିଗ୍ରାମ ଜରିଆରେ ତାଙ୍କର ଗବେଷଣା ନିମନ୍ତେ ଆବଶ୍ୟକ ଅତି ଭୟାନକ ପ୍ଲେଗ କଲଚର ପଠାଇବା ପାଇଁ ନିବେଦନ କରିଥିଲେ । ଏହି ତାରାନାଥ ହେଉଛନ୍ତି ଆମ ବିନୟେନ୍ଦ୍ରଙ୍କ ଘନିଷ୍ଠ ବନ୍ଧୁ ଓ ବୁଦ୍ଧିଦାତା । ଡାକ୍ତର ତାରାନାଥ ତାଙ୍କ ପତ୍ରରେ ନିଜେ ଡି. ଟି. ଏମ୍‌. ଉପାଧିଧାରୀ ବୋଲି ଉଲ୍ଲେଖ କରିଥିଲେ ବି ବେଙ୍ଗଲର ‘‘ସର୍ଜନ ଜେନେରାଲ’’ଙ୍କ ପୂର୍ବ ଅନୁମତି ବିନା ପ୍ଲେଗ କଲଚର ଦେବାକୁ ‘‘ହଫର୍କିନ୍‌ ଇନ୍‌ଷ୍ଟିଚ୍ୟୁଟ’’ ମନା କରିଦେଲେ । ପରେ ସେହି ମାସରେ ତାରକାନାଥ ଡାକ୍ତର ଉକିଲଙ୍କ ପାଖକୁ ଯାଇଁ ତାଙ୍କ ପରୀକ୍ଷାଗାରରେ କାର୍ଯ୍ୟ କଲେ । ଡାକ୍ତର ତାରାନାଥ ପ୍ଲେଗରୋଗ ଭଲ କରିବାର ଔଷଧ ଆବିଷ୍କାର କରିଥିବା କହିବାରୁ ତାଙ୍କ କଥାରେ ବିଶ୍ୱାସ କରି ଡାକ୍ତର ଉକିଲ ନିଜ ପରୀକ୍ଷାଗାରରେ ନିଜ ତତ୍ତ୍ୱାବଧାନରେ ତାରାନାଥଙ୍କୁ ପରୀକ୍ଷା କରିବା ନିମନ୍ତେ ଅନୁମତି ଦେଇଥିଲେ । ଶ୍ରୀ ଉକିଲଙ୍କ ପରୀକ୍ଷାଗାରରେ ଯେଉଁ ପ୍ଲେଗ ଜୀବାଣୁ ଥିଲା ତାହା ‘‘ହଫକିନ୍‌ ଇନ୍‌ଷ୍ଟିଚ୍ୟୁଟ’’ରୁ ଅଣାଯାଇଥିଲା । ସେହି ଜୀବାଣୁରୁ ବଂଶ ବୃଦ୍ଧି କରିବାପାଇଁ ତାରାନାଥ ଉଦ୍ୟମ କରି ବିଫଳ ହୋଇଥିଲେ; ଫଳରେ ତାହାସବୁ ନଷ୍ଟ ହୋଇଗଲା । ପୁଣିଥରେ ଜୀବାଣୁ ମଗାଇବା ପାଇଁ ତାରନାଥ ଡାକ୍ତର ଉକିଲଙ୍କୁ ପ୍ରବର୍ତ୍ତାଇଥିଲେ କିନ୍ତୁ ଶ୍ରୀ ଉକିଲ ଏଥିରେ ରାଜିହେଲେ ନାହିଁ ।

 

୧୯୩୩ ମସିହା ପ୍ରାରମ୍ଭରେ ତାରନାଥ ‘‘ହଫ୍‌କିନ ଇନଷ୍ଟିଚ୍ୟୁଟ’’ ର ଅଫିସର ଇନଚାର୍ଯଙ୍କ ନିକଟକୁ ଡାକ୍ତର ଉକିଲଙ୍କଠାରୁ ଏକ ପରିଚୟପତ୍ର ଦେଇଗଲେ । ଡାକ୍ତର ଉକିଲ ତାଙ୍କ ପତ୍ରରେ ଡାକ୍ତର ତାରାନାଥଙ୍କୁ ଜଣେ ‘‘ବ୍ୟକ୍‌ଟ୍ରୀୟଲୋଜିଷ୍ଟ ବୋଲି ଉଲ୍ଲେଖ କରି ଥିଲେ ଏବଂ ସେ (ତାରାନାଥ) ପ୍ଲେଗରୋଗ ଭଲକରିବା ପାଇଁ ଯେଉଁ ଔଷଧ ଆବିଷ୍କାର କରିଛନ୍ତି ବୋଲି କହୁଛନ୍ତି ସେହି ଔଷଧ ପରୀକ୍ଷା କରିବା ପାଇଁ ତାଙ୍କୁ ସୁଯୋଗ ଦିଆଯିବା ଉଚିତ ବୋଲି ସୁପାରିଶ୍‌ କରିଥିଲେ ।

 

ଏହି ପତ୍ରଟିକୁ ଧରି ପ୍ରକୃତରେ ବିନୟେନ୍ଦ୍ର ବମ୍ବେ ଯାଇଥିଲେ । ସେ ‘‘ଓରିଏଣ୍ଟ ହୋଟେଲ’’ରେ ରହି ତାରକାନାଥଙ୍କ କଲିକତାସ୍ଥ ‘‘ଟାଗୋର ବାସକୁ ଲେନ’’ ଠିକଣା ଦେଇଥିଲେ । ତା’ ପରଦିନ ସେ ଡକ୍‌ଟର ନାଇଡୁଙ୍କୁ ସାକ୍ଷାତ କରି ଉକ୍ତ ପରିଚୟପତ୍ରଟି ଦେଲେ ଏବଂ ତାଙ୍କ ବନ୍ଧୁ ତାରକାନାଥଙ୍କୁ ଗବେଷଣା କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ମିଳିବ କି ନାହିଁ ତାହା ନିର୍ଦ୍ଦିଷ୍ଟ ଭାବେ ଜାଣିବା ପାଇଁ ଆଗରୁ ଆସିଥିବା ପ୍ରକାଶ କଲେ । ଡାକ୍ତର ତାରାନାଥ ପ୍ରଥମ ‘‘ହଫକିନ୍ ଇନ୍‌ଷ୍ଟିଚ୍ୟୁଟର ଡିରେକ୍‌ଟରଙ୍କ ନିକଟକୁ ପତ୍ର ଲେଖି ଅନୁମତି ଆଣିବା ଆବଶ୍ୟକ ବୋଲି ଡକ୍‌ଟର ନାଇଡ଼ୁ ତାଙ୍କୁ ପରାମର୍ଶ ଦେଲେ । ଏହି ଉଦ୍ୟମରେ ବିଫଳ ହୋଇ ବିନୟେନ୍ଦ୍ର ସେ ଦିନ ସନ୍ଧ୍ୟାରେ କଲିକତା ଫେରି ଆସିଲେ ।

 

ଜୁଲାଇ ମାସରେ ବିନୟେନ୍ଦ୍ର ପୁଣି ଥରେ ବମ୍ବେ ଗଲେ ଓ ଏହିଥର ସିଭିୟୁ ହୋଟେଲରେ ରହି ନିଜର ଟାଗୋର ଲେନ୍ ଠିକଣା ଦେଲେ । ବମ୍ବେରେ ପହଞ୍ଚିବା ପରେ ସେ ପ୍ଲେଗ ରୋଗର ଜୀବାଣୁ ପାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କଲେ । ସେ ଏଇଥର ‘‘ହଫକିନ୍‌ ଇନଷ୍ଟିଚ୍ୟୁଟ ସହିତ ସମ୍ପୃକ୍ତ ଦୁଇଜଣ ଭେଟେରିନାରୀ ସର୍ଜନଙ୍କୁ ଭେଟିଲେ । ପ୍ଲେଗରୋଗ ଜୀବାଣୁ ‘‘ଆର୍ଥର ରୋଡ୍‌ଇନ୍‌ ଫେକ୍‌ସନ ଜଜଙ୍କ ହସପିଟାଲ’’ରୁ ମଧ୍ୟ ମିଳିପାରିବ ବୋଲି ସେ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କଠାରୁ ବିନୟେନ୍ଦ୍ର ଖବର ସଂଗ୍ରହ କଲେ ।

 

ଏହାପରେ ବିନୟେନ୍ଦ୍ର ଆର୍ଥର ରୋଡ଼ ଇନ୍‌ଷ୍ଟିଚ୍ୟୁସନର ଡକ୍‌ଟର ପଟେଲଙ୍କୁ ସାକ୍ଷାତ କଲେ ଏବଂ ତାଙ୍କ ପରୀକ୍ଷାଗାରରେ ପ୍ଲେଗରୋଗର ପ୍ରତିକାର ଔଷଧ ଉପରେ ଗବେଷଣା କରାଯିବାର ସମସ୍ତ ସୁବିଧା ଅଛି ବୋଲି ଜାଣିବା ପରେ ତାରାନାଥଙ୍କୁ ଗବେଷଣା କରିବା ପାଇଁ ଅନୁମତି ଦେଲେ । ତାଙ୍କ ପାଇଁ ‘‘ହଫକିନ୍ ଇନ୍‌ଷ୍ଟିଚ୍ୟୁଟ’’ରୁ ଗୋଟିଏ ଟ୍ୟୁବଭରା ପ୍ଲେଗ୍‌ ରୋଗର ଜୀବାଣୁ ଅଣାଗଲା ।

 

ତାରାନାଥ ସେଠାରେ ଜୁଲାଇ ୭ ତାରିଖରେ ପହଞ୍ଚିଲେ କିନ୍ତୁ ପରୀକ୍ଷାଗାରରେ ଗୋଟିଏ ମୂଷା ଉପରେ ଗବେଷଣା ଚାଲିଥିବା ବେଳେ ଅଧାରୁ ବମ୍ବେ ପହଞ୍ଚିବାର ମାତ୍ର ୫ ଦିନ ପରେ ଚାଲିଗଲେ । କଲିକତାକୁ ଏକ ଜରୁରୀ କାମରେ ଯାଉଛନ୍ତି ଏବଂ କାମସାରି ଶୀଘ୍ର ଫେରିଆସିବେ ବୋଲି ଗଲାବେଳେ ସେ ଡକ୍‌ଟର ମେହେଟାଙ୍କୁ କହିଥିଲେ । ଡକ୍‌ଟର ପଟେଲଙ୍କୁ ଧନ୍ୟବାଦ ଜଣାଇ ଦେବାପାଇଁ ମଧ୍ୟ ସେ ଡକ୍‌ଟର ମେହେଟାଙ୍କୁ ନିବେଦନ କରିଥିଲେ । ତାରାନାଥ କିମ୍ବା ବିନୟେନ୍ଦ୍ର ଆଉ ତା’ପରେ ବମ୍ବେ ଫେରି ନଥିଲେ ।

 

ଜୁରୀମାନଙ୍କ ଆଗରେ ଉପରୋକ୍ତ ତଥ୍ୟ ଓ ପ୍ରମାଣ ଉପସ୍ଥାପିତ କରାଯିବା ପରେ ଅଭିଯୁକ୍ତ ତାରକାନାଥ ଓ ବିନୟେନ୍ଦ୍ର ଏବଂ ଅନ୍ୟ ଦୁଇଜଣ ଆସାମୀଙ୍କୁ କିଭଳି ଦଣ୍ଡବିଧାନ କରାଯିବ ସେ ସମ୍ପର୍କରେ ନିଷ୍ପତ୍ତିରେ ପହଞ୍ଚିବାକୁ ଜୁରୀମାନଙ୍କୁ ବିଶେଷ ଅସୁବିଧା ହୋଇ ନଥିଲା ବୋଲି କହିବା ନିଷ୍ପ୍ରୟୋଜନ । ବିନୟେନ୍ଦ୍ର ଓ ତାରକାନାଥ ଜଣେ ତୃତୀୟ ବ୍ୟକ୍ତିଙ୍କ ଜରିଆରେ ଅମରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କୁ ପ୍ଲେଗ ଜୀବାଣୁ ସାହାଯ୍ୟରେ ହତ୍ୟା କରିବା ଷଡ଼ଯନ୍ତ୍ରରେ ଲିପ୍ତଥିଲେ ପ୍ରମାଣିତ ହୋଇ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା । ୧୯୩୩ ମସିହା ନଭେମ୍ବର ୨୬ ତାରିଖ ଦିନ ଯେଉଁ ବ୍ୟକ୍ତି ହାଓଡ଼ା ଷ୍ଟେସନରେ ଅମରେନ୍ଦ୍ର ହାତରେ ଛୁଞ୍ଚିଫୋଡ଼ି ପ୍ଲେଗ ଜୀବାଣୁ ପ୍ରୟୋଗ କରିଥିଲା ତାକୁ କିନ୍ତୁ ଆବିଷ୍କାର କରି ହେଲାନାହିଁ । ବିନୟେନ୍ଦ୍ର ଓ ଅମରେନ୍ଦ୍ର ସହିତ ଅନ୍ୟ ଯେଉଁ ଦୁଇଜଣଙ୍କୁ ବିଚାର ନିମନ୍ତେ ପଠାଯାଇଥିଲା, ସେମାନେ ଏ ମକଦ୍ଦମାରେ ଛାଡ଼ ପାଇଲେ ।

 

ଆସାମୀମାନେ ଅପିଲ କରିବାରୁ ଏହି ମକଦ୍ଦମାର ଶୁଣାଣି ବିଚାରପତି ଲର୍ଡ଼ ଉଇଲିଅମ୍‌ ଓ ବିଚାରପତି ବସୀମ ଅଲ୍ଲୀଙ୍କ ଇଜଲାସରେ ଆରମ୍ଭ ହୋଇ ସ୍ଵାଭାବିକ ଭାବେ ଏହି ମକଦ୍ଦମା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବିଶେଷ କୌତୂହଳ ସୃଷ୍ଟି ହେଲା । ଏହି ମକଦ୍ଦମାରେ ଆସାମୀଙ୍କ ପକ୍ଷରୁ ଶ୍ରୀ ଏନ୍‌. କେ. ବସୁଙ୍କ ନେତୃତ୍ୱରେ ବହୁ ଓକିଲ ଏବଂ କ୍ରାଇମଙ୍କ ପକ୍ଷରୁ ବେଙ୍ଗଲର ଆଡ଼ଭୋକେଟ ଜେନେରାଲଙ୍କ ନେତୃତ୍ଵରେ ବହୁ ଓକିଲ ଜବାବ ସୁଆଲ କରିଥିଲେ । ଅଦାଲତ ତଳ କୋର୍ଟର ଦଣ୍ଡାଦେଶକୁ କାଏମ ରଖିଥିଲେ କି ତଳ କୋର୍ଟର ବିଚାର ପଦ୍ଧତିକୁ ଦୁଇଟି ମୁଖ୍ୟ କାରଣ ଯୋଗୁ ନାପସନ୍ଦ କରିଥିଲେ । ତା ହେଲା କୋର୍ଟକୁ ଜୁରୀମାନେ ଭୁଲ ବାଟରେ ପରିଚାଳନା କରିବା ଓ ବେଆଇନଭାବେ ପ୍ରାମାଣିକ ତଥ୍ୟ ଗ୍ରହଣ କରିବା । ଦଣ୍ଡାଦେଶ କାଏମ ରଖି ମାନ୍ୟବର ବିଚାରପତି ଲର୍ଡ଼ ଉଇଲିୟମ ନିଜ ରାୟରେ କହିଥିଲେ–‘‘କେତେକ ଛୋଟ ଛୋଟ ତ୍ରୁଟିକୁ ଛାଡ଼ିଦେଲେ ଶୁଣାଣିବେଳେ ଅତି ଚମତ୍କାର ଭାବେ ଜଟିଳ ପ୍ରମାଣ ପତ୍ରସବୁ ଉପସ୍ଥାପିତ କରାଯାଇ ପାରିଛି । ଏହି ଛୋଟ ଛୋଟ ତ୍ରୁଟିସବୁ ଯଦି ଆସାମୀମାନଙ୍କ ବିରୁଦ୍ଧରେ ପକ୍ଷପାତ ମତ ପୋଷଣ କରିବାରେ ସହାୟକ ହୋଇଥାନ୍ତା ବା ତାହାଯୋଗୁ ମକଦ୍ଦମାର ଭିନ୍ନ ଫଳ ହୋଇଥାନ୍ତା ତେବେ ପୁଣି ଥରେ ଶୁଣାଣି ଆବଶ୍ୟକ ହୋଇଥାନ୍ତା । ଏ କ୍ଷେତ୍ରରେ ଯେଉଁ ନିଷ୍ପତ୍ତି ନିଆଯାଇଛି ସେଥିରେ ନିହିତ ଥିବା ଅସଲ ପ୍ରଶ୍ନ ହେଉଛି ପ୍ରତିଷ୍ଠିତ ପ୍ରମାଣ ପତ୍ରରୁ (ଯାହାକି ସନ୍ଦେହରେ ବହୁ ଉଚ୍ଚତର) କି ସିଦ୍ଧାନ୍ତ ଗ୍ରହଣ କରାଯିବ ଅଦାଲତ ସେହି ସବୁ ପ୍ରମାଣପତ୍ରକୁ ଭିତ୍ତିକରି ସିଦ୍ଧାନ୍ତ ଗ୍ରହଣ କରିବା ପାଇଁ ଜୁରୀମାନଙ୍କ ଅପେକ୍ଷା ଅଧିକ ଯୋଗ୍ୟ ନ ହେଲେ ବି ସେମାନଙ୍କ ସହ ସମକକ୍ଷ ବୋଲି ମୋର ମତ ।

 

ମାନ୍ୟବର ବିଚାରପତି ‘‘ବସିମ ଅଲ୍ଲୀ’’ ଜୁରୀମାନଙ୍କ ରାୟକୁ କାଏମ ରଖି; ହାଓଡ଼ା ଷ୍ଟେସନରେ ଜଣେ ଅଜଣା ଲୋକ ଅମରେନ୍ଦ୍ର ହାତରେ ଛୁଞ୍ଚି ଫୋଡ଼ି ଜୀବାଣୁ ପ୍ରୟୋଗ କରିବା ଫଳରେ ତାର ମୃତ୍ୟୁ ହେଲା ବୋଲି କାହିଁକି ସିଦ୍ଧାନ୍ତ କରୁଛନ୍ତି ସେ ସମ୍ପର୍କରେ କେତେକ କୌତୂହଳପୂର୍ଣ୍ଣ କାରଣର ଅବତାରଣା କରିଥିଲେ—ତାଙ୍କର ମତ ହେଲା:

ହାଓଡ଼ା ଷ୍ଟେସନରେ ଅମରେନ୍ଦ୍ରର ଶରୀର ଭିତରକୁ ରୋଗ ଜୀବାଣୁ ପ୍ରୟୋଗ କରାଯିବା ଫଳରେ ତାର ମୃତ୍ୟୁ ହେଲା ବୋଲି ମୋର ବୋଧଗମ୍ୟ ହୋଇଛି । ବର୍ତ୍ତମାନ ପ୍ରଶ୍ନ ହେଉଛି ପ୍ଲେଗ ରୋଗର ଜୀବାଣୁ ଆସିଲା କେଉଁଠୁ । ମକଦ୍ଦମା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରମାଣପତ୍ର ଅନୁଯାୟୀ (୧) ବମ୍ବେସ୍ଥ ହଫ୍‌କିନ ଇନ୍‌ଷ୍ଟିଚ୍ୟୁଟ ଭାରତରେ ଏକମାତ୍ର ଅନୁଷ୍ଠାନ ଯେଉଁଠି ୧୮୯୬ ମସିହାରୁ ରୋଗ ଏବଂ ଟୀକାଉପରେ ଗବେଷଣା କରାଯାଉଛି । (୨) ଏହି ପ୍ରତିଷ୍ଠାନ ପକ୍ଷରୁ ସରକାରୀ ସଂସ୍ଥା ଓ ଅନ୍ୟ ଗବେଷଣା ଅନୁଷ୍ଠାନମାନଙ୍କୁ ଉପଯୁକ୍ତ କର୍ତ୍ତୁପକ୍ଷଙ୍କ ମଞ୍ଜୁର କ୍ରମେ କଲଚର ବା ଜୀବାଣୁ ଯୋଗାଇ ଦିଆଯାଇଥାଏ । (୩) ଏହି ପ୍ରତିଷ୍ଠାନ ଘରୋଇ ଅନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କୁ ‘‘ପ୍ଲେଗ କଲଚର ଯୋଗାଏ ନାହିଁ । (୪) ୧୯୩୨ ମସିହାରେ ହଫ୍‌କିନ ଇନ୍‌ଷ୍ଟିଚ୍ୟୁଟ କଲିକତାର ଡକ୍‌ଟର ଉକିଲଙ୍କ ନିକଟକୁ କେତେକ ପ୍ଲେଗ ଜୀବାଣୁ ପଠାଇ ଥିଲେ କିନ୍ତୁ ତାହା ତ ଏଥିରୁ ସ୍ପଷ୍ଟ ଜୀବାଣୁ ନଷ୍ଟ ହୋଇଯାଇଥିଲା । (୫) ୧୯୩୩ ମସିହା ଜାନୁଆରୀ ଓ ଫେବୃଆରୀ ମାସରେ ୪ଟି ମୁଦଦିଆ ଟ୍ୟୁବରେ କଲିକତାସ୍ଥ ‘‘ସ୍କୁଲ ଅଫ୍‌ ଟ୍ରପିକାଲ ମେଡ଼ିସିନ’’ କୁ ପ୍ଲେଗ ଜୀବାଣୁ ପଠାଯାଇଥିଲା । ଏହା ମଧ୍ୟରୁ ତିନିଟି ଟ୍ୟୁବ୍‌ର ଜୀବାଣୁ ସେହି ଅବସ୍ଥାରେ ୧୯୩୪ ମସିହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରହିଥିଲେ । ଆସାମୀ ତାରାନାଥ କଲିକତାରୁ ପ୍ଲେଗ ଜୀବାଣୁ ନ ପାଇବାରୁ ସେଥିପାଇଁ ତାକୁ ବମ୍ବେ ଉପରେ ନିର୍ଭର କରିବାକୁ ପଡ଼ିଥିଲା । ତାରାନାଥ ବମ୍ବେରେ ପହଞ୍ଚିବା ପରେ ଜୀବନ୍ତ ପ୍ଲେଗ ଜୀବାଣୁ ଥିବା ସ୍ଥାନ ସହିତ ସଂଯୋଗ ରକ୍ଷା କରିବାକୁ ସମର୍ଥ ହେଲେ । ସଂଗୃହୀତ ତଥ୍ୟାଦିରୁ ଆହୁରି ମଧ୍ୟ ପ୍ରମାଣିତ ହେଉଛି ଯେ ଆର୍ଥର ରୋଡ଼ ହସ୍‌ପିଟାଲ କର୍ତ୍ତୁପକ୍ଷଙ୍କ ଅଜ୍ଞାତରେ ତାରାନାଥ କେତେକ ପ୍ଲେଗ ଜୀବାଣୁ କଲିକତାକୁ ନେଇଯିବାକୁ ସକ୍ଷମ ହୋଇଥିଲେ । ୧୯୩୩ ଜୁଲାଇ ମାସରେ ସୃଷ୍ଟ ପ୍ଲେଗ ଜୀବାଣୁ ୧୯୩୩ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ଜୀବିତ ରଖାଯାଇ ପାରିବ ବୋଲି ମଧ୍ୟ ପ୍ରମାଣ ମିଳୁଛି-

 

ଉଭୟ ବିଚାରପତି ଏହି ଜଘନ୍ୟ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କରେ ସନ୍ଦେହ ପୋଷଣ କରିବାର କୌଣସି ଅବକାଶ ନଥିଲା । ତେଣୁ ଦଣ୍ଡ କୋହଳ କରିବାର ପ୍ରଶ୍ନ ଉଠୁ ନଥିଲା ।

 

ଉଭୟେ ତାରାନାଥ ଓ ବିନୟେନ୍ଦ୍ରଙ୍କୁ ଫାଶୀକାଠରେ ଝୁଲିବାକୁ ପଡ଼ିଥାନ୍ତା ଯଦି ଆଇନକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇନଥାନ୍ତା । ବିନୟେନ୍ଦ୍ରଙ୍କୁ ୧୯୩୪ ମସିହା ଫେବୃଆରୀ ୧୬ ତାରିଖରେ ଗିରଫ କରାଗଲା ଏବଂ ତାହାର କିଛିଦିନ ପରେ ତାରାନାଥ ଗିରଫ ହେଲେ; କିନ୍ତୁ ୧୯୩୬ ମସିହା ଜାନୁଆରୀ ମାସ ପର୍ଯ୍ୟନ୍ତ ହାଇକୋର୍ଟ ତାଙ୍କର ରାୟ ଦେଇ ନଥିଲେ । ଆସାମୀମାନେ ମୃତ୍ୟୁ ଦଣ୍ଡାଦେଶ ପାଇ ହାଇକୋର୍ଟରେ ସେମାନେ କରିଥିବା ଅପିଲର ରାୟ ଶୁଣିବା ପାଇଁ ୧୦ ମାସ ପର୍ଯ୍ୟନ୍ତ ହାଜତରେ ରହିଲେ । ଏହି ଅପିଲର ରାୟ ଦେବାରେ ଅତ୍ୟଧିକ ବିଳମ୍ବ ହେବାରୁ ସେମାନଙ୍କ ମୃତ୍ୟୁଦଣ୍ଡ ଧାର୍ଯ୍ୟ ହେଲାନାହିଁ; କିନ୍ତୁ ଆବେଦନକାରୀ ମାନଙ୍କୁ କଳାପାଣି ଆଦେଶ ହେଲା । ଦଣ୍ଡର ମାର୍ଜନା କରି କୋର୍ଟ କହିଥିଲେ—

 

ଏହି ମକଦ୍ଦମାରେ ଉପସ୍ଥାପନ କରାଯାଇଥିବା ସମସ୍ତ ତଥ୍ୟ ପାରିପାର୍ଶିକ ପ୍ରମାଣକୁ ଭିତ୍ତିକରି ପରିବେଷଣ କରାଯାଇଛି । ଏହିସବୁ ତଥ୍ୟ ବିଚାରକୁ ନେବା ପରେ କାଳକ୍ରମେ ପ୍ରକୃତ ହତ୍ୟାକାରୀ ଧରା ପଡ଼ିବା ଆଶାରେ ଆମେ ଆସାମୀଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରୁନାହୁଁ ।

 

କିନ୍ତୁ ବିଚାରପତିମାନଙ୍କର ଆଉ ଗୋଟିଏ ଆଶା ପୂରଣ ହୋଇପାରିଲା ନାହିଁ ।

Image

 

ଲାଲ ସିଂହ ହତ୍ୟାକାଣ୍ଡ

 

୧୯୧୪ ରୁ ୧୯୧୮ ମସିହା ଭିତରେ ସାରାବିଶ୍ଵରେ ଯୁଦ୍ଧର ଘନଘଟା ଲାଗିରହିଥିବା ବେଳେ ବ୍ରିଟିଶ ରାଜତର ଛତ୍ରଛାୟାତଳେ ଆଶ୍ରୟ ନେଇଥିବା ବହୁ ରାଜ୍ୟ ଓ ରାଜସିଂହାସନ ବିଶେଷକରି ଭାରତୀୟ ରାଜନ୍ୟବର୍ଗ ନିଜକୁ ପୂର୍ବ ଅପେକ୍ଷା ଅଧିକ ଗୌରବମଣ୍ଡିତ ତଥା ନିରାପଦ ମନେ କଲେ । ଯୁଦ୍ଧ ପୂର୍ବରୁ କୌଣସି ଭାରତୀୟ ରାଜ୍ୟର ପ୍ରତିନିଧିଙ୍କୁ ଆନ୍ତର୍ଜାତିକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ମାନଙ୍କରେ ସ୍ଵାକ୍ଷର କରିବା ପାଇଁ କୁହାଯିବ କି ସେମାନଙ୍କ କଥା ଜେନେଭା ଭଳି ଜାଗାରେ ଶୁଣାଯିବ, ଏହା କଳ୍ପନାତୀତ ଥିଲା । ସେହିଭଳି ସେମାନେ ଗୁପ୍ତଭାବେ ଏକାଠି ବସି ଭାରତର ଭବିଷ୍ୟତ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା କଥା ଅନ୍ୟ ମାନଙ୍କର ଚିନ୍ତା ବର୍ହିଭୂତ ବିଷୟ ଥିଲା । ବୈଦେଶିକ ଆକ୍ରମଣ ତଥା ଆଭ୍ୟନ୍ତରୀଣ ଜାଗରଣ ବିରୁଦ୍ଧରେ ସେମାନଙ୍କ ନିରାପତ୍ତା ସୁନିଶ୍ଚିତ ହେବା ସାଙ୍ଗକୁ ପ୍ରତାପଶାଳୀ ବ୍ରିଟିଶ ସାମ୍ରାଜ୍ୟର ସମର୍ଥନ; ଭାରତର ଦେଶୀୟ ରାଜାମାନଙ୍କ ଜୀବନକୁ ଯୁଦ୍ଧ ପରବର୍ତ୍ତୀ ଅବସ୍ଥା ସମ୍ପୂର୍ଣ୍ଣ ବେପରବାୟ କରିଦେଇ ଥିଲା ।

ଭାରତୀୟ ଦେଶୀୟ ରଜ୍ୟମାନଙ୍କ ପାଇଁ ସର୍ବଶକ୍ତିମାନ ବ୍ରିଟିଶ ରାଜତ୍ଵର ଦାୟିତ୍ଵ କଣ ତାହା ଅର୍ଦ୍ଧଶତାବ୍ଦୀ ତଳେ ଅତି ସ୍ପଷ୍ଟ ଭାଷାରେ ପ୍ରାଞ୍ଜଳ ଭାବେ ବରୋଦାର ଗାଏକୱାର ନିଜର ସିଂହାସନ ହରାଇଲା ବେଳେ ନିର୍ଦ୍ଧାରଣ କରି ଦିଆଯାଇ ଥିଲା ।

ଭାଇସ୍‌ରାୟ ସେତେବେଳେ କହିଥିଲେ—‘‘କୌଣସି ବ୍ୟକ୍ତିର କୁଶାସନକୁ ରକ୍ଷା କରିବାଲାଗି ବ୍ରିଟିଶ ସୈନ୍ୟଙ୍କୁ ମୁତୟନ କରିବାକୁ ମୁଁ କେବେ ଅନୁମତି ଦେଇ ପାରିବି ନାହିଁ । ଯେଉଁ ସରକାରକୁ ବ୍ରିଟିଶ ଶକ୍ତି ଧରି ରଖିଛି ସେ ଯଦି କୁଶାସନ କରେ ତେବେ ଏଥିପାଇଁ ବ୍ରିଟିଶ ସରକାର ମଧ୍ୟ ଗୋଟିଏ ଅର୍ଥରେ ଦାୟୀ ହୋଇଯାଏ । ତେଣୁ ସେହି ରାଜ୍ୟର ଶାସନକଳ ଯେପରି ସଜାଡ଼ି ହେବ; ଅବସ୍ଥାର ଯେପରି ପରିବର୍ତ୍ତନ ହେବ ତାହା ଦେଖିବା ବ୍ରିଟିଶ ଶାସନର କେବଳ ଅଧିକାରଗତ ଦାୟିତ୍ଵ ନୁହେଁ, ପରମ କର୍ତ୍ତବ୍ୟ । ଯଦି ସମ୍ପୃକ୍ତ ସରକାର ତାଙ୍କର ଦାୟିତ୍ଵ ଯଥାଯଥ ଭାବେ ତୁଲାନ୍ତି ନାହିଁ, ଯଦି କୁଶାସନ ଲାଗି ରହେ, ଯଦି ଗଜ୍ୟର ପ୍ରଜାବର୍ଗ ଯଥାର୍ଥ ନ୍ୟାୟ ନ ପାନ୍ତି; ଯଦି ଧନ ଜନର ସୁରକ୍ଷା ହୋଇ ନ ପାରେ କିମ୍ବା ଯଦି ରାଜ୍ୟର ସର୍ବବିଧ ଉନ୍ନତି ଓ ଜନମଙ୍ଗଳ କାର୍ଯ୍ୟ ପ୍ରତି ବରାବର ଅବହେଳା ପ୍ରଦର୍ଶନ କରାଯାଏ ତେବେ ବ୍ରିଟିଶ ସରକାର ନିଶ୍ଚିତ ଭାବେ ଏ କ୍ଷେତ୍ରରେ ହସ୍ତକ୍ଷେପ କରିବେ ଏବଂ ରାଜ୍ୟରୁ ସମସ୍ତ କାଳିମା ଦୂରକରି ଏକ ଉତ୍ତମ ଶାସନ ପ୍ରତିଷ୍ଠା କରିବା ପାଇଁ ଯାହା ଉଚିତ୍‌ ତାହା କାର୍ଯ୍ୟକାରୀ କରିବେ ।’’ ଲର୍ଡ଼ କର୍ଜନ ମଧ୍ୟ ଏହାର କିଛି ବର୍ଷ ପରେ ସ୍ମରଣୀୟ ଭାବେ ଏହି ମନୋଭାବକୁ ଦୃଢ଼ ସମର୍ଥନ ଜଣାଇ ରାଜ୍ୟମାନଙ୍କର ଆଭ୍ୟନ୍ତରୀଣ ପ୍ରଶାସନରେ ବ୍ରିଟିଶ ସରକାରଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିଥିଲେ ।

କିନ୍ତୁ ଏହି ନିର୍ଦ୍ଦେଶକୁ ବେଳେ ବେଳେ ଉତ୍ତର ଶାସକମାନେ ଭୁଲିଗଲେ ବା ସ୍ଥଳବିଶେଷରେ ଅବଜ୍ଞା କଲେ ଏବଂ ଯେଉଁ କ୍ଷେତ୍ରରେ ବ୍ରିଟିଶ ଶାସନ ଅବସ୍ଥା ହୃଦୟଙ୍ଗମ କରି ହସ୍ତକ୍ଷେପ କରିବା ଉଚିତ୍‌ ହୋଇଥାନ୍ତା ନାନା କାରଣ ଦେଖାଇ ତାହା କରାଗଲା ନାହିଁ । ଅବଶ୍ୟ ବରାବର ରାଜନ୍ୟମଣ୍ଡଳୀର ପ୍ରଚାର ବିଭାଗ ପକ୍ଷରୁ କୁହାଯାଉଥାଏ ‘‘ଦେଶୀୟ ରାଜ୍ୟଗୁଡ଼ିକ ଭାରତୀୟ ରାଜନୀତିରେ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଗ୍ରହଣ କରିଆସିଛନ୍ତି; ଭାରତ ସରକାର ବରାବର ନିଜର ପ୍ରତିଜ୍ଞା ଓ ଚୁକ୍ତି ଅନୁଯାୟୀ କାର୍ଯ୍ୟ କରନ୍ତି । ରାଜ୍ୟମାନଙ୍କର ପ୍ରଜାବର୍ଗ ସାଧାରଣତଃ ସନ୍ତୁଷ୍ଟ ରହିଥାନ୍ତି ଏବଂ ସୁଖୀ ଓ ସମୃଦ୍ଧ ଜୀବନଯାପନ କରନ୍ତି । ଶାସକମାନଙ୍କୁ ସର୍ବଦା ଅନ୍ୟାୟଭାବେ ବଦନାମ କରାଯାଉଛି, ଗଣତନ୍ତ୍ର ହେଉଛି ସେମାନଙ୍କ ଶାସନର ଭିତ୍ତି, ସେମାନେ ଅତ୍ୟନ୍ତ ମୀତବ୍ୟୟୀ; ପ୍ରଜାମାନଙ୍କର ସ୍ୱାର୍ଥ ସଂରକ୍ଷଣ ପାଇଁ ସେମାନେ ଶାସନ କରନ୍ତି ଏବଂ ପ୍ରଗତି ପଥରେ ସେମାନଙ୍କ ଶାସକ ରାଜ୍ୟ ପରିଚାଳନା କରନ୍ତି । ଏହି ପ୍ରଚାର କାର୍ଯ୍ୟ ନିରବଚ୍ଛିନ୍ନ ଭାବେ ଚାଲେ ଏବଂ ରାଜନ୍ୟବର୍ଗ ଏଥିପାଇଁ ପ୍ରଚୁର ଅର୍ଥ ବ୍ୟୟ କରି ବହୁପରିଶ୍ରମ ମଧ୍ୟ କରନ୍ତି । ଏହି ପ୍ରଚାର ଅନୁଯାୟୀ ସବୁକାର୍ଯ୍ୟ ନିରଙ୍କୁଶ ଭାବେ ଚାଲିବାରେ କିଛି ବାଧା ନ ଥାଏ ଯଦି ଭାଇସ୍‌ରାୟ ବାକି ସବୁ କଥା ପ୍ରତି କାନ ବୁଜି ଦିଅନ୍ତି, ଅଥବା ଷଡ଼ଯନ୍ତ୍ରସବୁ ପୂର୍ବ ପରିକଳ୍ପନାନୁଯାୟୀ କାର୍ଯ୍ୟକାରୀ ହୁଏ ବା ଟଙ୍କା ବଳରେ ଲୋକଙ୍କ ମୁହଁ ଚୁପ୍ କରି ଦିଆଯାଏ; କିନ୍ତୁ ଦେଢ଼ଲକ୍ଷ ପାଉଣ୍ଡ ଶ୍ରୀଯୁକ୍ତ ‘କ’ଙ୍କର ପରିଚୟକୁ ଲୁଚେଇ ରଖି ପାରିଲା ନାହିଁ । ଜଣେ ମହିଳାର କ୍ରନ୍ଦନ ଭରତପୁର ସିଂହାସନକୁ ଥରାଇ ଦେଲା I ମମତାଜ ନିଜର ଦାରୁଣ କାହାଣୀ କହିବାକୁ କୁହାଯିବାରୁ ଇନ୍ଦୋର ରାଜାଙ୍କୁ ଗାଦି ଛାଡ଼ି ଦେବାକୁ ପଡ଼ିଲା । ସେହିଭଳି ଲାଲା ସିଂହଙ୍କର ହତ୍ୟାକାଣ୍ଡ, ସେତେବେଳେ ପାତିଆଲାରେ କିଭଳି ବ୍ୟାପାର ଚାଲିଥିଲା ତାହା ପଦାରେ ପକାଇ ଦେଲା ।

ଲାଲା ସିଂହ ଘଟଣା ସମ୍ପର୍କୀୟ କେତେକ ତଥ୍ୟ ନିରାଟ ସତ୍ୟ ବିସମ୍ବାଦର ଊର୍ଦ୍ଧ୍ୱରେ ।

୧୯୧୨ ମସିହାରେ ମେଜର ଜେନେରାଲ ମହାରାଜା ସାର୍‌ ଉପେନ୍ଦ୍ର ସିଂହ ବାହାଦୁର; ପାଡ଼ିଆଲା ରାଜ୍ୟ ଶାସନ କରୁଥିଲେ । ସେ ଅନ୍ୟାନ୍ୟ ରାଜାମାନଙ୍କ ଅପେକ୍ଷା ଏକ ବିଶେଷ ବ୍ୟକ୍ତିତ୍ଵର ଅଧିକାରି ହୋଇଥିଲେ । ସେ ଉତ୍ତର ଭାରତର ବୃହତ୍ତମ ରାଜ୍ୟରେ (କେବଳ କାଶ୍ମୀରକୁ ଛାଡ଼ି ଦେଲେ) ରାଜୁତି କରୁଥିଲେ । ତାଙ୍କର ରାଜ୍ୟର କ୍ଷେତ୍ରଫଳଥିଲା ପ୍ରାୟ ଛ ହଜାର ବର୍ଗ ମାଇଲ ଏବଂ ତାଙ୍କର ରାଜସ୍ୱ ବାବଦ ଆୟ ପଞ୍ଜାବର ସମସାମୟିକ ଅନ୍ୟାନ୍ୟ ସବୁ ରାଜ୍ୟମାନଙ୍କର ମୋଟ ଆୟ ସହ ସମାନ ଥିଲା ।

ମହାରାଜା ଭୂପେନ୍ଦ୍ର ସିଂହ ଜଣେ ବୁଦ୍ଧିମାନ ଲୋକ ରୂପେ ବିବେଚିତ ହେଉଥିଲେ ଏବଂ ଅନ୍ୟ ରାଜାମାନଙ୍କ ଅପେକ୍ଷା ଅଧିକ ଦକ୍ଷ ବୋଲି ପରିଗଣିତ ହେଉଥିଲେ । ଶାରୀରିକ ସାମର୍ଥ୍ୟ ଦୃଷ୍ଟିରୁ ମଧ୍ୟ ସେ କିଛି ଊଣା ନ ଥିଲେ ଏବଂ ସେ ଏକ ଜୋରଦାରିଆ ମଣିଷ ଥିଲେ । ସେ ପୃଥିବୀରେ ସବୁଠାରୁ ଅଧିକ ସଂଖ୍ୟାରେ ସୌଖିନ ସୋଲସ ରୟାସ କାର ରଖିଥିଲେ ଏବଂ ତାଙ୍କର କୁକୁର ଶାଳା ଦେଖି ପ୍ରତିବେଶୀ ରାଜା ମାନେ ଈର୍ଷା କରୁଥିଲେ ।

ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ହେବାପରେ ମହାରାଜା ତାଙ୍କ ରାଜ୍ୟର ଅଧିକାଂଶ ସମୂଳ ବ୍ରିଟିଶ ସାମ୍ରାଜ୍ୟ ସେବାରେ ଅର୍ପଣ କଲେ ଏବଂ ନିଜେ ସାମରିକ ପୋଷାକରେ ବିଭିନ୍ନ ରଣାଙ୍ଗନକୁ ଯାଇ ଯୁଦ୍ଧ ତଦାରଖ କଲେ । ଇମ୍ପେରିଆଲ ଓ୍ୱାର କ୍ୟାବିନେଟର ଜନୈକ ସଭ୍ୟରୂପେ ସେ ମିତ୍ର ଶକ୍ତିର ସରକାର ମାନଙ୍କଠାରୁ ଭୂୟସୀ ପ୍ରଶଂସା ଲାଭକଲେ । ସେମାନଙ୍କଠାରୁ ‘‘ଗ୍ରାଣ୍ଡ କର୍ଡ଼ନ ଅଫ୍‌ ଦି ଅର୍ଡ଼ର ଅଫ୍‌ ଲିଓପୋଲଡ଼; ଦି କ୍ରାଉନ୍‌ ଅଫ ଇଟାଲି, ଦି ଅର୍ଡ଼ର ଅଫ ଦି ନାଇଲ, ଦି କ୍ରାଉନ୍ ଅଫ ରୁମାନିଆ, ଗ୍ରାଣ୍ଡ କ୍ରସ୍ ଅଫ ଦି ଅର୍ଡ଼ର ଅଫ ସେଣ୍ଟ ଜାଭିଅର ଅଫ ଗ୍ରୀସ୍‌ ଓ ଲିଜିଓନ୍‌ ଅକର ଅଫ୍‍ ଫ୍ରାନ୍‌ସ ପଦବୀ ଇତ୍ୟାଦି ଲାଭକଲେ । ବ୍ରିଟିଶ ସାମ୍ରାଜ୍ୟ ପାଇଁ ତାଙ୍କ ସେବାର ମଧ୍ୟ ସ୍ୱୀକୃତି ମିଳିଥିଲା । ସି.ଜି.ଏସ୍‌. ଆଇ, ଜି. ସି. ଆଇ ଇ, ଜି-ସି ଭି. ଆଦି କେତେକ ସମ୍ମାନ ସୂଚକ ପଦବୀ ସେ ବ୍ରିଟିଶ, ସରକାରଙ୍କଠାରୁ ପାଇଥିଲେ ।

ଏଭଳି ଜଣେ ବିଚକ୍ଷଣ ଓ କରିତ୍‌କର୍ମା ଲୋକ ପାତିଆଲାର ଶାସନମୁଖ୍ୟ ହୋଇଥିବାରୁ ତାଙ୍କର ବ୍ୟକ୍ତିତ୍ୱ ଭଳି ଶାସନ ମଧ୍ୟ ହୃଦୟସ୍ପର୍ଶୀ ହୋଇଥିବ ବୋଲି ମନେ କରିବା ସ୍ଵାଭାବିକ; କିନ୍ତୁ ପ୍ରକୃତ ପକ୍ଷେ ଅବସ୍ଥା ସେୟା ନଥିଲା ।

ତାଙ୍କ ବିରୁଦ୍ଧରେ ବରାବର ଭାଇସ୍‌ରାୟଙ୍କ ପାଖକୁ ବହୁସଂଖ୍ୟକ ଅଭିଯୋଗ ଯାଉଥିଲା-। ସେଭଳି ଅଭିଯୋଗମାନଙ୍କ ମଧ୍ୟରୁ ଲାଲ ସିଂହଙ୍କ ପତ୍ନୀ ଦଲମପ କାଉରଙ୍କ ଘଟଣା ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା । ଲାଲ ସିଂହ ବୈବାହିକ ସୂତ୍ରରେ ମହାରାଜାଙ୍କ ସମ୍ପର୍କୀୟ ବ୍ୟକ୍ତି-। ସେ ତଦାନିନ୍ତନ ସ୍ୱରାଷ୍ଟ୍ର ସଚୀବ ଗୁରନାମ ସିଂହ; ଯାହାଙ୍କର କନ୍ୟା ମହାରାଜାଙ୍କର ଅନ୍ୟତମ ସହଧର୍ମିଣୀ ତାଙ୍କର ଯାହାଙ୍କର କନ୍ୟା ମହାରାଜାଙ୍କର ଅନ୍ୟତମ ସହଧର୍ମିଣୀ ଓ ତାଙ୍କର ଭାଇ । ଲାଲ ସିଂହ ପ୍ରଥମେ ନିଜ ସେନାବାହିନୀର ବିଗୁଲ ବାଦକ ରୂପେ । କାର୍ଯ୍ୟ କରୁଥିଲେ କିନ୍ତୁ ଗୁରୁନାମ ସିଂହଙ୍କ କନ୍ୟା ମହାରାଣୀ ହେବା ପରେ ତାଙ୍କୁ ଆଉ ବିଗୁଲ ବଜାଇବାକୁ ପଡ଼ିଲା ନାହିଁ ଏବଂ ପାତିଆଲା ସୈନ୍ୟ ବାହିନୀରେ ସେ ଜଣେ ‘‘କମିସନ୍‌ଡ଼ ଅଫିସର’’ ରୂପେ ନିଯୁକ୍ତି ପାଇଲେ ।

ଲାଲ ସିଂହ ତାଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦଲମପ କାଉର ନାମ୍ନୀ ଜଣେ ଅସାମାନ୍ୟା ସୁନ୍ଦରୀଙ୍କୁ ବିବାହ କଲେ । ଲାଲ ସିଂହ ବିବାହ କରି ଫେରିଲା ବେଳକୁ ମହାରାଜା ସିମଳାରେ ଥିଲେ । ବରର ଅନୁମତିକ୍ରମେ ଅଥବା ଶାସକ ହିସାବରେ ନିଜର କର୍ତ୍ତୁତ୍ତ୍ୱ ବଳରେ କିମ୍ବା ପରମ୍ପରା ଓ ବିଧିକ୍ରମେ ମହାରାଜା ତାଙ୍କ ଶୟନ କକ୍ଷରେ ନବବିବାହିତା କନ୍ୟାଙ୍କୁ ସ୍ଵାଗତ ଜଣାଇବାକୁ ସକ୍ଷମ ହେଲେ । ସେଦିନ ରାତିରେ ଉକ୍ତ ସୁନ୍ଦରୀ ତନ୍ୱୀଙ୍କ ଉତ୍ତର ମହାରାଜାଙ୍କୁ ଏ ଭଳି ମୁଗ୍‌ଧ କଲା ଯେ ବାରମ୍ବାର ଆସିବା ପାଇଁ ମହାରଜା ତାଙ୍କୁ ନିମନ୍ତ୍ରଣ କଲେ । ୧୯୧୨ ମସିହାରେ ମହାରାଜାଙ୍କର ସିମଳା ରହଣୀ ଅତି ଆନନ୍ଦରେ ଅତିବାହିତ ହେଲା ଏବଂ ପାତିଆଲରେ ଶୀତଦିନ ମଧ୍ୟ ସେହିପରି ସୁଖରେ କଟିଗଲା । କିନ୍ତୁ ଏ ଆନନ୍ଦ ଦୀର୍ଘକାଳ ସ୍ଥାୟୀ ହେଲା ନାହିଁ ।

ବୀଣାର ତନ୍ତ୍ରୀ କ୍ରମେ ଛିଣ୍ଡିବାକୁ ଲାଗିଲା । ସାଙ୍ଗ୍ରୁର ମହାରାଣୀ ପ୍ରଥମେ ଦଲମପ କାଉର ପ୍ରତି ମହାରାଜାଙ୍କ ଆସକ୍ତି ସମ୍ପର୍କରେ ବିଶେଷ କିଛି ଚିନ୍ତା କରି ନ ଥିଲେ । ଅନ୍ୟ ମହିଳାମାନଙ୍କ ଭଳି ସେ ମଧ୍ୟ କିଛିଦିନ ପ୍ରାସାଦରେ ରହି ଚାଲିଯିବ ବୋଲି ମହାରାଣୀ ଭାବିଥିଲେ; କିନ୍ତୁ ମହାରାଜା ଅଧିକକାଳ ଦଲମପ ପ୍ରତି ଆସକ୍ତ ରହିବାରୁ ଷଡ଼ଯନ୍ତ୍ରର ଚକ କ୍ରମେ ଘୂରିବାକୁ ଲାଗିଲା । ଏହାର ପରିଣତି ସ୍ୱରୂପ କିଛିଦିନ ପରେ ଦମଲମ କାଉରକୁ ତାର ସ୍ଵାମୀଙ୍କ ନିକଟକୁ ଫେରିଯିବାକୁ ପଡ଼ିଲା । ଅନ୍ୟ ସ୍ଵାମୀମାନଙ୍କ ଭଳି ଲାଲ ସିଂହ ମଧ୍ୟ କିଛି ଅର୍ଥ ବିନିମୟରେ କିମ୍ବା ପଦୋନ୍ନତି ଲାଭରେ ନିଜ ସ୍ତ୍ରୀକୁ ରାଜାଙ୍କ ନିକଟକୁ ପୁଣି ଫେରାଇ ଦେଇଥାନ୍ତା; କିନ୍ତୁ ସେତେବେଳକୁ ଗୁରନାମ ସିଂହଙ୍କ କନ୍ୟାପତି ମହାରାଜା ଆଉ ବିଶେଷ ଆକୃଷ୍ଟ ନଥିଲେ ଫଳରେ ମହାରଜାଙ୍କ ଉପରୁ ଗୁରୁନାମଙ୍କ ପ୍ରଭାବ ମଧ୍ୟ ଊଣା ହୋଇ ଆସୁଥିଲା । ଏ ଅବସ୍ଥାରେ ଗୁରୁନାମ ସିଂହଙ୍କ ଠାରୁ ସାହସ ପାଇ ଲାଲ ସିଂହ ନିଜର ସ୍ତ୍ରୀକୁ ରାଜାଙ୍କ ନିକଟରେ କୌଣସି ପଦାର୍ଥ ବିନିମୟରେ ସୁଦ୍ଧା ପ୍ରତ୍ୟର୍ପଣ କରିବାକୁ ରାଜି ହେଲା ନାହିଁ କି ସଙ୍ଗ୍ରୁର ପଦମର୍ଯ୍ୟାଦା ନଷ୍ଟ ହେବାକୁ ଦେଲା ନାହିଁ । ନିଜ ସ୍ତ୍ରୀକୁ ଫେରାଇବା ନିମନ୍ତେ ସମସ୍ତ ପ୍ରକାର ଚାପକୁ ସେ ପ୍ରତ୍ୟାଖ୍ୟାନ କରି ସସ୍ତ୍ରୀକ ନିଜଗାଁ—ରାଜୁ ମଜାରାୟାକୁ ଚାଲିଗଲା ।

ମହାରାଜା କିନ୍ତୁ ଦଲମପ କାଉରର ଅନୁପସ୍ଥିତି ବେଶିଦିନ ସହି ପାରିଲେ ନାହିଁ । ତାର ସୌନ୍ଦର୍ଯ୍ୟ ଓ ଶରୀର ରାଜାଙ୍କୁ ପାଗଳ କରିଦେଲା । ପରେ ଉଭୟ ମହାରାଣୀ ଓ ଲାଲ ସିଂହଙ୍କୁ ଦଲମପ କାଉର ରାଜପ୍ରାସାଦକୁ ପୁନର୍ବାର ଫେରିବା ପ୍ରସ୍ତାବରେ ରାଜି କରାଗଲା । ପରେ ଦଲମପ କାଉର ପୁଣି ଥରେ ପ୍ରାସାଦକୁ ଫେରି ମହାରାଜାଙ୍କୁ ଦୁଇଟି କନ୍ୟା ଉପହାର ଦେଲା ।

୧୯୧୫ ମସିହା ଜାନୁଆରୀ ମାସରେ ପୁଣି ଥରେ ପ୍ରାସାଦରେ ଗୋଳମାଳ ହେଲା । ମହାରାଣୀଙ୍କ ଠାରୁ ସବୁବେଳେ ଝିଙ୍ଗାସ ବଚନ ସହିବାକୁ ପଡ଼ୁଛି ବୋଲି ଦଲମପ ମହାରାଜାଙ୍କ ନିକଟରେ ଅଭିଯୋଗ କଲା । ମହାରାଣୀ ଚାହୁଁଥିଲା ପର୍ଯ୍ୟନ୍ତ ଦଲମପ ରାଜପ୍ରାସାଦରେ ରହିପାରିବ କିନ୍ତୁ କୌଣସି ପରିସ୍ଥିତିରେ ହେଲେ ମହାରାଣୀ ହୋଇପାରିବ ନାହିଁ ବୋଲି ମହାରାଣୀ ବରାବର କହୁଥିବା ମହାରଜା ଦଲମପଠାରୁ ଶୁଣିଲେ । ଜଣେ ଛାର ମହାରଣୀଠାରୁ ଏଭଳି ଅପମାନ ଅସହ୍ୟ ବୋଲି ଦଲମପ ଅନୁଯୋଗ କଲା । ଏଥିରେ ମହାରାଜା କ୍ଷୁବ୍‌ଧ ହୋଇ ଉଠିଲେ-। ନିଜ ଇଚ୍ଛା ମୁତାବକ ମହାରାଣୀ ସୃଷ୍ଟି କରିବାର କ୍ଷମତା ପ୍ରତି ଥିଲା ଏହା ଏକ ଆହ୍ୱାନ । ତେଣୁ ଏ ବିଷୟରେ ସେ ତୁରନ୍ତ କିଛି ଫଇସଲା କରିବାକୁ ଇଚ୍ଛା କଲେ ।

ସାଙ୍ଗୁର ମହାରାଣୀ ଇତିମଧ୍ୟରେ କିଛି ଭୁଲ କଲେ କି ଉଆସ ଷଡ଼ଯନ୍ତ୍ର ପଙ୍କରେ ଦଲମପ କାଉର ମହାରାଜାଙ୍କର ଅନ୍ୟ ପତ୍ନୀର ମର୍ଯ୍ୟାଦା ଲାଭ କଲେ ତାହା ଅବଶ୍ୟ କହିହେବ ନାହିଁ; କିନ୍ତୁ ଏହାପର ଠାରୁ ଦଲମପ କାଉରଙ୍କୁ ରାଜକୀୟ ମର୍ଯ୍ୟାଦା ଦେବା ନିମନ୍ତେ ପଥ ପରିଷ୍କାର କରିବାପାଇଁ ବ୍ୟାପକ ଉଦ୍ୟମ କରାଗଲା ।

ଏହି ଷଡ଼ଯନ୍ତ୍ର ସମ୍ପର୍କରେ ସର୍ଦ୍ଦାର ନାନକ ସିଂହ (ପାତିଆଲାର ସିନିଅର ପୋଲିସ ସୁପରିନଟେଣ୍ଡେଣ୍ଟ) ନିମ୍ନଲିଖିତ ବକ୍ତବ୍ୟ ଲିପିବଦ୍ଧ କରିଥିଲେ । ଏହାପରେ ଲାଲ ସିଂହଙ୍କ ହତ୍ୟାକାଣ୍ଡର ଶୁଣାଣି ବେଳେ ଅଦାଲତରେ ଉପସ୍ଥାପିତ କରାଯାଇଥିଲା ।

‘‘ମହାରାଜା ତାଙ୍କ ଅଭିଳାଷ ଦିଓ୍ୱାନ ଦୟା କିଷନ କାଉଲଙ୍କ (ତଦାନୀନ୍ତନ ପ୍ରଧାନମନ୍ତ୍ରୀ) ନିକଟରେ ପ୍ରକାଶ କଲେ । ଦିଓ୍ୱାନ ଏହି ପ୍ରସ୍ତାବକୁ ସ୍ୱାଗତ କଲେ କାରଣ ଏହାକୁ ଅସ୍ତ୍ରରୂପେ ବ୍ୟବହାର କରି ସେ ସର୍ବଦା ମହାରାଜାଙ୍କୁ ହାତରେ ରଖିବେ ବୋଲି ମନସ୍ଥ କଲେ । ପ୍ରଥମେ ସେ (ଦିଓ୍ୱାନ) ଏସ୍‌. ଗୁରୁନାମ ସିଂହଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଦେଲେ । ସେ ଯିବା ପରେ ଦିୱାନ ମହାଶୟ ଏସ୍‌. ଲାଲ୍‌ ସିଂହଙ୍କୁ ଡକାଇ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ କହିଲେ; କିନ୍ତୁ ଲାଲ୍‌ ସିଂହ ପ୍ରତି ପ୍ରଶ୍ନରେ ମହାରାଜା ଦିଓ୍ୱାନ ସ୍ତ୍ରୀଙ୍କ ପ୍ରେମରେ ପଡ଼ିଲେ ସେ ଛାଡ଼ପତ୍ର ଦେବେ କି ବୋଲି ପଚାରି ଥିଲେ । ଦିଓ୍ୱାନ ସାହେବ ଏଥିରେ ତୁନି ରହିଥିଲେ । ଲାଲ୍‌ ସିଂହ ନିଜ ସ୍ତ୍ରୀକୁ ଯେପରି ଛାଡ଼ପତ୍ର ଦେବ ସେ ଦିଗରେ ସମସ୍ତ ଉଦ୍ୟମ ବିଫଳ ପରେ ଦଲମପକୁ ବିବାହ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ ବୋଲି ମହାରାଜା ବିବେଚନା କଲେ । ତଦନୁଯାୟୀ ବିବାହ ଉତ୍ସବ ଅନୁଷ୍ଠିତ ହେଲା । ଛାଡ଼ପତ୍ର ନ ପାଇ କିମ୍ବା ଲାଲ୍‌ ସିଂହ ଠାରୁ ସମ୍ମତି ନ ପାଇ ଦଲମପ କାଉର ମହାରାଣୀ ପଦରେ ଅଧିଷ୍ଠିତା ହେଲେ ।

ଏ ବିଷୟ କିନ୍ତୁ ଏତିକିରେ ଛିଡ଼ିଗଲା ନାହିଁ । ଲାଲ୍‌ ସିଂହଙ୍କ ଭୁଲ୍‌ଭାଲ୍‌ ଯାହା ହୋଇଥାଉ ନା କାହିଁକି ତାଙ୍କ ନିଜର ଏକ ସ୍ଵତନ୍ତ୍ର ବିଚାରଧାରା ଥିଲା । ଦରବାରର ପରିସ୍ଥିତିକୁ ଦେଖିଲେ ସେ ରାଜପରିବାର ସହିତ ଏକାଧିକ ସୂତ୍ରରେ ବାନ୍ଧି ହୋଇ ରହିଥିଲେ ତେଣୁ ସେ ଯାହା କଲେ ତାହା ବୋକାମିର ପରିଚାୟକ; କିନ୍ତୁ ଅନ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ରାଜାଙ୍କ ନିକଟରେ ନିଜର ସମ୍ମାନ ଓ ମର୍ଯ୍ୟାଦାକୁ ବିକ୍ରି କରି ତାଙ୍କର ଆସ୍ଥାଭାଜନ ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର ସମ୍ପୂର୍ଣ୍ଣ ଅଧିକାର ମଧ୍ୟ ତାଙ୍କର ଥିଲା । ବ୍ରିଟିଶ ସରକାରଙ୍କ ସହାୟତାରେ ନିଜ ସ୍ତ୍ରୀକୁ ଫେରାଇ ଆଣିବା ଲାଗି ଲାଲ ସିଂହ ଧମକ ଦେଲା ।

ଲାଲ ସିଂହର ଏହି ଧମକରେ ମହାରାଜା କ୍ରୋଧ ଜର୍ଜରିତ ହୋଇ କିପରି ସହଜ ଉପାୟରେ ଏହି ସମସ୍ୟାର ସମାଧାନ ହୋଇପାରିବ ତାହା ଚିନ୍ତା କଲେ । କାରଣ ଏହାଦ୍ଵାରା ତାଙ୍କ ସୁନାମରେ ଆଞ୍ଚ ଆସିବାର ଯଥେଷ୍ଟ ଆଶଙ୍କା ଥିଲା ।

ନାନକ ସିଂହଙ୍କ କହିବା ଅନୁସାରେ ମହାରାଜା ତାଙ୍କୁ ବିଶ୍ଵାସ କରି କେତେକ କଥା ଗୁପ୍ତରେ କହିଲେ ।

 

‘‘ଦୀର୍ଘ ଦୁଇଘଣ୍ଟା କାଳ କଥାବାର୍ତ୍ତା କରିବା ପରେ ମହାରାଜା ତାଙ୍କ ଆଲୋଚନାର ଅସଲ ଉଦ୍ଦେଶ୍ୟ ପ୍ରକାଶ କରି କହିଲେ ଯେ ଲାଲ ସିଂହ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ଜୀବନରେ ଶାନ୍ତି ଆସିବ ନାହିଁ । ମୁଁ ତାଙ୍କ ତୁଣ୍ଡରୁ ଏକଥା ଶୁଣି ସ୍ତବଧ ହୋଇଗଲି । ଦୁଇ ତିନି ମିନିଟ୍‌ ପରେ ସେ ପୁଣି ସେହି କଥାର ପୁନରାବୃତ୍ତି କରି ମୁଁ କାହିଁକି ନୀରବ ରହିଛି ବୋଲି ପ୍ରଶ୍ନ କଲେ ।

 

ମୁଁ ଏହାର ଉତ୍ତରରେ କହିଲି ସେ ଏକ ବିଶିଷ୍ଟ ବ୍ୟକ୍ତି ହୋଇଥିବାରୁ ଏହାକୁ ଏତେ ହାଲୁକାଭାବେ ଗ୍ରହଣ କରିବା ଠିକ୍‌ ହେବନାହିଁ । ଏଥିରେ ଗୁରୁତର ବିପଦ ନିହିତ ଅଛି ।

 

ମହାମାନ୍ୟ ମହାରାଜା କିନ୍ତୁ ଲାଲ ସିଂହଙ୍କୁ ଯେକୌଣସି ମତେ ହତ୍ୟାକରି ତାଙ୍କ ପାଇଁ ପଥ ପରିଷ୍କାର କରିବାକୁ ଜୋର ଦେଇ କହିଲେ ।

 

ପ୍ରଥମେ ମୁଁ କୁଣ୍ଠା ପ୍ରକାଶ କଲି—ପରେ ସମ୍ମତ ହୋଇ ଏହି କାର୍ଯ୍ୟ ସାଧନ ପାଇଁ ଯାହା ଆବଶ୍ୟକ କରିବି ବୋଲି ମହାରାଜାଙ୍କୁ ପ୍ରତିଶ୍ରୁତି ଦେଲି ।

 

ଏହା କିହିବା ମାତ୍ରେ ସେ ତାଙ୍କର ଚେକ୍‌ ବହି ମଗାଇ ପଠାଇଲେ ଏବଂ ‘ଆଲାୟନ୍‌ସ ବ୍ୟାଙ୍କ’ ରୁ ସାତ ହଜାର ଟଙ୍କାର ଚେକ୍‌ କାଟିଦେଲେ । ମୁଁ ମଶୋରୀକୁ ଫେରି ଏହାକୁ ଭଙ୍ଗାଇଲି ।

 

ଲାଲ୍‌ ସିଂହକୁ ହତ୍ୟା କରିବା ଷଡ଼ଯନ୍ତ୍ର ଆରମ୍ଭ ହେଲା । ମହାରାଜା ନାନକ ସିଂହଙ୍କୁ ଏଥିପାଇଁ ଦୁଇଟି ପିସ୍ତଲ ଦେଇ ‘‘ମୁଁ କହିବା ଲୋକକୁ ଏହା ଦେଇ ଦେବ’’ ବୋଲି ନିର୍ଦ୍ଦେଶ ଦେଇଥିଲେ । କିଛିଦିନ ପରେ ଉଜାଗର ସିଂହ ନାମକ ଏକ ବ୍ୟକ୍ତିକୁ ଗୋଟିଏ ପିସ୍ତଲ ଦେବାପାଇଁ ମହାରାଜା ନିର୍ଦ୍ଦେଶ ଦେଲେ । ପିସ୍ତଲ ନେବା ପୂର୍ବରୁ ସତର୍କତା ମୂଳକ ବ୍ୟବସ୍ଥା ସ୍ୱରୂପ ନାନକ ସିଂହ ପାତିଆଲାର କୋଟଓ୍ୱାଲି ସହରରେ ଏ ସମ୍ପର୍କରେ ଥାନାରେ ଏକ ଡାଏରୀ କଲେ ।

 

ଏହାପରେ ମହାରାଜା ନାନକ ସିଂହଙ୍କୁ ଧୁରିକୁ ଯିବାପାଇଁ ନିର୍ଦ୍ଦେଶ ଦେଲେ ଏବଂ ସେଠାରେ ଦେଶାନ୍ତର ଦଣ୍ଡ ଭୋଗୁଥିବା ଘଣ୍ଡୁର ସିଂହ ନାମକ ଜଣେ ବ୍ୟକ୍ତିକୁ ଭେଟି ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଅନୁମତି ଭିକ୍ଷାପୂର୍ବକ ଆବେଦନପତ୍ର ଆଣିବା ପାଇଁ ନିର୍ଦ୍ଦେଶ ଦେଲେ । ମହାରାଜା ତାଙ୍କୁ କହିଥିଲେ ଯେ ଲାଲ ସିଂହ ଓ ଘଣ୍ଡୁର ସିଂହ ଘନିଷ୍ଠ ବନ୍ଧୁ ହୋଇଥିବାରୁ ଘଣ୍ଡୁର ସିଂହ ଫେରି ଆସିଲେ ସେ ଲାଲ ସିଂହଙ୍କୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବାପାଇଁ ପ୍ରବର୍ତ୍ତାଇ ପାରିବ ।

 

ତଦନୁଯାୟୀ ଘଣ୍ଡୁର ସିଂହ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲା । ଏହାପରେ ମହାରାଜା ଏକ ଯୁଦ୍ଧ ସମ୍ମିଳନୀରେ ଯୋଗଦେବା ପାଇଁ ୟୁରୋପ ଚାଲିଗଲେ ।

 

ବିଚାର ବେଳେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁସାରେ ଘଣ୍ଡୁର ସିଂହ ଲାଲ ସିଂହକୁ କହିଥିଲା ଯେ ବ୍ରିଟିଶ ସରକାରଙ୍କ ସହାୟତା ଯୋଗୁ ହିଁ ସେ ପାତିଆଲାରେ ରହିବାକୁ ଅନୁମତି ପାଇଲା ଅନ୍ୟଥା ମହାରାଜା ତାକୁ ରାଜ୍ୟ ଭିତରେ ପଶିବାକୁ ଅନୁମତି ଦେଇଥାନ୍ତେ ଏବଂ ଲାଲ ସିଂହ ଇଚ୍ଛାକଲେ କେବଳ ବ୍ରିଟିଶ ସରକାରଙ୍କ ସହାୟତାରେ ନିଜ ସ୍ତ୍ରୀକୁ ଫେରି ପାଇବ । ଲାଲ ସିଂହ ଏହି ପରାମର୍ଶ ଗ୍ରହଣ କଲା ଏବଂ ଏଥି ନିମନ୍ତେ ଉଭୟଙ୍କ ମଧ୍ୟରେ ବହୁଥର ଦେଖା ସାକ୍ଷାତ ହୋଇଥିଲା ।

 

ଦଲମପ କାଉରକୁ ଫେରାଇ ଆଣିବା ଦିଗରେ ବିହିତ ବ୍ୟବସ୍ଥା କରିବା ପାଇଁ ଲାଲ ସିଂହ ବ୍ୟସ୍ତ ଥିବାବେଳେ ତାକୁ ହତ୍ୟା କରିବାପାଇଁ ପ୍ରକୃତ ଯୋଜନା ଆରମ୍ଭ ହେଲା । ତାକୁ ଟେଲିଫୋନ ଯୋଗେ ଫାନ୍ଦରେ ପକାଇ ସର୍ଦ୍ଦାର ଗୁରୁନାମ ସିଂହଙ୍କ କୂପ ନିକଟକୁ ଡକାଯିବ ଓ ସେଠାରେ ହିଁ ତାକୁ ହତ୍ୟା କରାଯିବ ବୋଲି ବହୁ ଭାବିଚିନ୍ତି ସ୍ଥିର କରାଗଲା ।

 

୧୯୧୯ ମସିହା ମାର୍ଚ୍ଚ ୨୮ ତାରିଖ ପ୍ରାୟ ରାତି ୯ଟା ବେଳକୁ ଘଣ୍ଡୁର ସିଂହ ଟେଲିଫୋନ ଯୋଗେ ଲାଲ ସିଂହ ସହ କଥା ହେଲା । ନିଜର ସ୍ଵର ବଦଳେଇ ସେ ନିଜକୁ ଦିଲ୍ଲୀର ଜଣେ ବିଖ୍ୟାତ କଣ୍ଟ୍ରାକ୍‌ଟର ସର୍ଦ୍ଦାର ନାରାୟଣ ସିଂହ ରୂପେ ପରିଚୟ ଦେଲା । ସେ ଏଇମାତ୍ର ଆସି ଦିଲ୍ଲୀରୁ ପହଞ୍ଚିଚି ଏବଂ ତୁରନ୍ତ ଫେରିଯିବ । ଲାଲ ସିଂହ ତାକୁ ଲାହୋରି ଗେଟସ୍ଥ ବାସଭବନରେ ସାକ୍ଷାତ୍‌ କରିବାକୁ ସେ ଅନୁରୋଧ କଲା ।

 

ଏଥିରେ କିଛି ସନ୍ଦେହ ନକରି ଲାଲସିଂହ ନିଜ ସାଇକେଲ ଧରି ଲାହୋରି ଗେଟ ନିକଟକୁ ଗଲା । ସେ ବାଟରେ ଘଣ୍ଡୁର ସିଂହ ଘର ପାର ହେଲା ବେଳକୁ ଘଣ୍ଡୁର ସିଂହର ଜଣେ ଆତ୍ମୀୟ ହରନାମ ସିଂହ ତାକୁ ବାଟରେ ଅଟକାଇଲା ଏବଂ କହିଲା ସର୍ଦ୍ଦାର ନାରାୟଣ ସିଂହ ଯାହା କହିଥିଲେ ପ୍ରକୃତରେ ତାହା ଘଣ୍ଡୁର ସିଂହ ପାଇଁ ଉଦ୍ଦିଷ୍ଟ ଏବଂ ଘଣ୍ଡୁର ସିଂହ ଯଥାକ୍ରମେ ଉକ୍ତ ଜେଣ୍ଟଙ୍କ ସହ କଥାବାର୍ତ୍ତା କରି ଫେରି ଆସିଲାଣି ଏବଂ ସେ ଏବେ ରେଳଓ୍ୱେ କ୍ରସିଂରେ ଅଛି ।

 

ଲାଲ ସିଂହ ହରନାମ ସିଂହ ସହିତ ରେଲଓ୍ୱେ କ୍ରସିଂକୁ ଗଲା ଏବଂ ସେଠାରେ ଘଣ୍ଡୁର ସିଂହ ଅପେକ୍ଷା କରିଥିବାର ଦେଖିଲା ।

 

ଲାଲ ସିଂହକୁ ବହୁତ କଥା କହିବାକୁ ଅଛି ଏବଂ ଉଭୟେ କେଉଁଠି ଟିକିଏ ନିରୋଳାରେ ବସିବେ ବୋଲି ଘଣ୍ଡୁର ସିଂହ କହିବାରୁ ଲାଲ ସିଂହ ଏଥି ନିମନ୍ତେ ଗୁରୁନାମ ସିଂହଙ୍କ ବଗିଚା ଉତ୍ତମ ସ୍ଥାନ ଏବଂ ସେଠାରେ ଉଭୟେ ବସି କଥା ହୋଇ ପାରିବେ ବୋଲି ପ୍ରସ୍ତାବ ଦେଇ ନିଜ ମୃତ୍ୟୁର ସ୍ଥାନ ନିରୂପଣ କରିଦେଲେ ।

 

ବଗିଚାରେ ଗଛପତ୍ରର ଘଞ୍ଚ ଅନ୍ଧାରରେ ଲାଲ ସିଂହର ଜୀବନାବସାନ ହେଲା । ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ହରନାମ ସିଂହ ପଛଆଡ଼ୁ ଲାଲ ସିଂହକୁ ଆକ୍ରମଣ କଲା । କର୍ତ୍ତାର ସିଂହ ଓ ଦୁଲ୍ଲା ସିଂହ ନାମକ ଦୁଇଜଣ ବ୍ୟକ୍ତି ନିଜର ଲୁଚିବା ସ୍ଥାନରୁ ବାହାରି ଆସିଲେ । ସମସ୍ତେ ମିଶି ତାକୁ ତଳେ ପକାଇଦେଇ ତା ତଣ୍ଟି ଚିପି ମାରି ଦେବା ପାଇଁ ଚେଷ୍ଟା କରିଥିଲେ; କିନ୍ତୁ ସେ ଆତତାୟୀମାନଙ୍କୁ ଛାଟି ଦେବାରୁ ଘଣ୍ଡୁର ସିଂହ ତାର ଛାତିକୁ ଓ ମୁଣ୍ଡକୁ ଦୁଇଟିଲେଖା ଗୁଳି ମାରି ସମସ୍ୟାର ସମାଧାନ କରିଦେଲା । ରାତିରେ ଲାଲ ସିଂହର ଶବ କାଦର ଗ୍ରାମକୁ ଯିବା ବାଟରେ ପୋଡ଼ି ଦିଆଗଲା ।

 

ମହାରାଜାଙ୍କୁ ଏକ କେବଲ ଯୋଗେ ଲାଲ ସିଂହ ମରିଗଲା ବୋଲି ଜଣାଇ ଦିଆଗଲା-। ଏ ଖବର ପାଇ ଅତି ଆନନ୍ଦରେ ମହାରାଜା ତାଙ୍କ ଏଡ଼ି-ସି ମାନଙ୍କୁ ବହୁ ମୁଦ୍ରା ଦାବୀ କରିଥିଲେ-। ଦଲମପ କାଉର ଏବେ ବାସ୍ତବରେ ମହାରାଣୀ ହେଲେ ।

 

ସମ୍ବତ୍‌ ୧୯୬୫ ହର ୩୦ ସକାଳ ୧୦ଟା ବେଳେ ଗୁରୁନାମ ସିଂହଙ୍କର ଜଣେ ଭୃତ୍ୟ ଲାଲ୍‌ ସିଂହ ନିଖୋଜ ହୋଇଥିବା ପାତିଆଲାର ପୋଲିସ ସୁପରିନଟେଣ୍ଡେଣ୍ଟ ସର୍ଦ୍ଦାର ନାନକ ସିଂହଙ୍କ ନିକଟରେ ରିପୋର୍ଟ ଦେଇଥିଲା । କୋଟ ଓ୍ୱାଲି ଥାନାରେ ଏ ବିବରଣୀ ଦେବାକୁ ତାକୁ ସେଠାରୁ ନିର୍ଦ୍ଦେଶ ମିଳିଲା ।

 

ଏହାପରେ ଦେଓ୍ୱାନ୍‌ (ରାଜା ଦୟା କିଷନ୍‌ କାଉଲ) ପାତିଆଲାରେ ପହଞ୍ଚି ଏ ଘଟଣା ସମ୍ପର୍କରେ ବେଶ୍‌ କିଛି ତଦାରଖ କଲେ । ନାନକ ସିଂହଙ୍କ କଥାନୁଯାୟୀ ଦେଓ୍ୱାନ ତାଙ୍କୁ ନିଜ ଘରକୁ ଡକାଇ ପଠାଇଲେ ଏବଂ ମହାରାଜାଙ୍କ ବିରୁଦ୍ଧରେ ଏକ ରିପୋର୍ଟ ଲେଖି ସେ ଫାଇଲ ତାଙ୍କୁ (ଦେଓ୍ୱାନ) ଦେଇଦେଲେ ୫୦ ହଜାର ଟଙ୍କା ଓ ଆଇ-ଜି ପୋଲିସ ପଦବୀ ମିଳିବ ବୋଲି ପ୍ରଲୋଭନ ଦେଖାଇଲେ । ମହାରାଜାଙ୍କୁ କୌଣସି ମକଦ୍ଦମାରେ ସମ୍ପୃକ୍ତ କରିବାଦ୍ୱାରା କୌଣସି ଲାଭ ହେବ ନାହିଁ ବରଂ ଏହି ଫାଇଲ ନିଜ ପାଖରେ ରଖିଲେ ରାଜାଙ୍କୁ ଇଚ୍ଛାମୁତାବକ ବିଚାର ହେବ ବୋଲି ଦେଓ୍ୱାନ୍‌ କୁଆଡ଼େ କହିଥିଲେ । ନାନକ ସିଂହ ଯଦିଓ ଏକ ଘୃଣ୍ୟ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ ତଥାପି ସେ ମୋଠାରୁ ଅଧିକ ଏକ ଘୃଣ୍ୟ ଷଡ଼ଯନ୍ତ୍ରରେ ଭାଗୀଦାର ହେବାକୁ ଚାହିଁଲେ ନାହିଁ-। ଏହାପରେ ପ୍ରଧାନ ମନ୍ତ୍ରୀ ଓ ପୋଲିସ ସୁପରିନଟେଣ୍ଡେଣ୍ଟଙ୍କ ମଧ୍ୟରେ ଆଉ ସ୍ଵାଭାବିକ ସଦ୍‌ଭାବ ରହିଲା ନାହିଁ । ଇତିମଧ୍ୟରେ ଭାରତ ସରକାରଙ୍କ ପକ୍ଷରେ ପଞ୍ଜାବ ଗୁଇନ୍ଦା ବିଭାଗ ଶ୍ରୀ ନିଉମ୍ୟାନ ନାମକ ଜଣେ ପୋଲିସ ଅଫିସରଙ୍କ ତତ୍ତ୍ୱାବଧାନରେ ଏ ହତ୍ୟାକାଣ୍ଡର ଏକ ଅଣ ଆନୁଷ୍ଠାନିକ ତଦନ୍ତ ଚଳାଇଥାନ୍ତି ।

 

ଯଥାସମୟରେ ମହାରାଜା ଭାରତକୁ ଫେରିଲେ । ହତ୍ୟାକାଣ୍ଡର କିଛିଦିନ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ପାତିଆଲା ପୋଲିସ ଲାଲ ସିଂହର ଅନ୍ତର୍ଦ୍ଧାନ ରହସ୍ୟ ଜାଣିପାରି ନଥାନ୍ତି ଏବଂ ନାନକ ସିଂହ, ଘଣ୍ଡୁର ସିଂହ ଓ ଉଜାଗର ସିଂହ ବିଷୟରେ ସାଧାରଣ ଲୋକଙ୍କ ଭଳି ରହିଥାନ୍ତି । ମହାରାଜାଙ୍କ ଭାରତ ପ୍ରତ୍ୟାବର୍ତ୍ତନ ବେଳେ ସେ ତିନିଜଣ ତାଙ୍କୁ ଭେଟିବା ପାଇଁ ବମ୍ବେ ମଧ୍ୟ ଯାଇଥିଲେ ।

 

ବମ୍ବେରେ କିନ୍ତୁ ଦେଓ୍ୱାନ ଦୟାକିଷନ୍ କାଉଲ ମହାରାଜାଙ୍କୁ କୁଆଡ଼େ ଉପଦେଶ ଦେଲେ ଯେ ସେ ଯଦି ନାନକ ସିଂହ ଓ ଅନ୍ୟମାନଙ୍କ ସହ ମିଶନ୍ତି ତେବେ ବ୍ରିଟିଶ ସରକାର ଏ ହତ୍ୟାକାଣ୍ଡରେ ସେମାନେ ସମ୍ପୃକ୍ତ ଥିବା ସନ୍ଦେହ କରୁଥିବାରୁ ରାଜାଙ୍କ ଉପରେ ବିରକ୍ତ ହେବାର ଆଶଙ୍କା ରହିଛି ତେଣୁ ମହାରାଜା ନିଜ ବନ୍ଧୁମାନଙ୍କଠାରୁ ହତ୍ୟାକାଣ୍ଡର ପ୍ରାଥମିକ ବିବରଣୀ ଜାଣିବା ନିମନ୍ତେ ବିଶେଷ ଉତ୍ସୁକ ଥିଲେ ମଧ୍ୟ ସେମାନଙ୍କୁ ସାକ୍ଷାତ୍‌ କଲେ ନାହିଁ ।

 

ଇତିମଧ୍ୟରେ ପାତିଆଲାର ଆଇ. ଜି. ତାରାଚାନ୍ଦଙ୍କ ତତ୍ତ୍ୱାବଧାନରେ ଲାଲ୍‌ ସିଂହ ହତ୍ୟାକାଣ୍ଡର ତଦନ୍ତ ଚାଲିଥାଏ । ସେତେବେଳକୁ ଘଟଣା ଆଉ ଲୁଚି ରହି ନଥିଲା କିନ୍ତୁ କାଗଜପତ୍ର ଠିକ୍‌ ହେବା ବାକିଥାଏ ।

 

ନାନକ ସିଂହ ନିଜେ ନିହତ ହେବା ଆଶଙ୍କାରେ ସପରିବାର ଗୁଜିର ଖାନ୍‌ ନାମକ ଏକ ସ୍ଥାନକୁ ଚାଲିଗଲେ, ପରେ ନାଟ, ଦେଖିବାକୁ ପାତିଆଲା ଆସିଲେ । ଗୁଜିରଖାନ୍‌ଙ୍କଠାରେ ନିଜ ସ୍ତ୍ରୀଙ୍କ ନିକଟରେ ସେ ଏକ ଚମକପ୍ରଦ ସ୍ଵୀକାରୋକ୍ତି ଲେଖି ରଖି ଆସିଥିଲେ । ସେଥିରେ ସେ ଲେଖିଥିଲେ ‘‘ଯଦି ମୋ ଜୀବଦ୍ଦଶାରେ ମକଦ୍ଦମା ଆରମ୍ଭ ହୁଏ ତେବେ ସିଧା ସିଧା ପ୍ରକୃତ ଘଟଣା କହିଦେଇ ମୋ ବିବେକକୁ ମୁଁ ସନ୍ତୁଷ୍ଟ କରିବି; କିନ୍ତୁ ଯଦି ମୁଁ ଶୀଘ୍ର ମରିଯାଏ ଏବଂ ମୋର ମୃତ୍ୟୁ ପରେ ଏହି ମକଦ୍ଦମା ଆରମ୍ଭ ହୁଏ ତେବେ କେତେକ ନିର୍ଦ୍ଦୋଷ ଲୋକ ଦଣ୍ଡ ପାଇଯିବାର ସମ୍ଭାବନା ରହିଛି ।

 

ସେଇଥିପାଇଁ ମୁଁ ପ୍ରକୃତ ଘଟଣା ଲିପିବଦ୍ଧ କରି ଦେଇଯାଉଛି ଏବଂ ଏହା ଏକ ଜଉମୁଦଦିଆ ଲଫାଫା ଭିତରେ ମୋ ସ୍ତ୍ରୀଙ୍କ ପାଖରେ ଅଛି । ସେ ଏହାକୁ ମୋ ନିର୍ଦ୍ଦେଶ ବିନା ଖୋଲିବେ ନାହିଁ କି ଅନ୍ୟ କାହାକୁ ଦେବେ ନାହିଁ । ସେ ଏହି କାଗଜକୁ ନିଜ ଜୀବନ ଅପେକ୍ଷା ଅଧିକ ମୂଲ୍ୟବାନ୍‌ ବୋଲି ବିବେଚନା କରିବେ । ଯଦି ମୁଁ ମରିବାର ଦୁଇ ବର୍ଷ ଭିତରେ ମକଦ୍ଦମା ଆରମ୍ଭ ନ ହୁଏ ତେବେ ଏହାକୁ ନ ଖୋଲି ସେମିତି ପୋଡ଼ି ଦିଆଯିବ । ଯଦି ମକଦ୍ଦମା ଆରମ୍ଭ ହୁଏ ତେବେ ଏହା ଖୋଲାଯିବ । ଯଦି ବିଚାରବେଳେ ପ୍ରକୃତ ଘଟଣା ଉପସ୍ଥାପନ କରାଯିବ ଏବଂ ବାହାରର ହସ୍ତକ୍ଷେପ ଆବଶ୍ୟକ ହେବ ନାହିଁ ତେବେ ଆଇନ ତା ବାଟରେ କାମ କରିବ; କିନ୍ତୁ ଯଦି ଏହି ହତ୍ୟା ଅଭିଯୋଗରେ କୌଣସି ନିରୀହ ବ୍ୟକ୍ତି ଅଭିଯୁକ୍ତ ହୁଅନ୍ତି ତେବେ ମୋର ସ୍ତ୍ରୀ ଏହି କାଗଜ ଅଦାଲତରେ ଦାଖଲ କରି ସେହି ନିର୍ଦ୍ଦୋଷ ଲୋକମାନଙ୍କୁ ରକ୍ଷା କରିବେ ।

 

ଏହି ସ୍ଵୀକାରୋକ୍ତିରେ ନାନକ ସିଂହ ପ୍ରାଞ୍ଜଳଭାବେ ଦଲମପ କାଉର ଓ ଲାଲ ସିଂହର ବିବାହଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ପର୍ଯ୍ୟନ୍ତ ସବୁ ବିଷୟ ଲେଖି ଦେଇଥିଲେ । ଏହି ପ୍ରମାଣପତ୍ର ୧୯୭୫ ସମ୍ବତ୍‌ ୧୩ ଅମୁଜ ଦିନ ଗୁଜରଖାନରେ ଲେଖା ହୋଇଥିଲା । ଏହାର ଉପସଂହାର ନିମ୍ନମତେ ହୋଇଥିଲା ଯାହାକି ଏକାନ୍ତ ଉଲ୍ଲେଖଯୋଗ୍ୟ ।

 

ହତ୍ୟାର କାରଣ—ହତ୍ୟାର କାରଣ ହେଉଛି ମହାରାଜା ଦଲମପ କାଉରକୁ ନିଜର ମହାରାଣୀ କରିବା । ହତ୍ୟାକାରୀବୃନ୍ଦ—ଏସ୍‌ ଘଣ୍ଡୁର ସିଂହ ଓ ହରନାମ ସିଂହ ହତ୍ୟାପାଇଁ ଷଡ଼ଯନ୍ତ୍ର—ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ମହାରାଜା ଓ ମୁଁ ନିଜେ ଆରମ୍ଭ କରିଥିଲୁ । ଦଲମପ କାଉର ମଧ୍ୟ ଏ ଘଟଣାରେ ମହାରାଜାଙ୍କୁ ସମର୍ଥନ କରୁଥିଲା । କାରଣ କଥାବାର୍ତ୍ତାବେଳେ ମହାରାଜା ବାରମ୍ବାର ତାଙ୍କର ଖାମ୍‌ କାମେରାକୁ ଯାଇ ଦଳମପକୁ ସବୁ କଥା କହୁଥିଲେ ଓ ପରାମର୍ଶ ଲୋଡ଼ୁଥିଲେ ।

 

କାହାକୁ ଭୟ ନ କରି ଅଥବା କାହାକୁ ଅନୁଗ୍ରହ ପ୍ରଦର୍ଶନ ନକରି ମୁଁ ଏହା କହୁଛି ଏବଂ ଏଥିରେ ମୋର ଅଂଶ ମଧ୍ୟ ଛାଡ଼ିଯାଇ ନାହିଁ । ନିଜ ଅପରାଧ ପାଇଁ ମୁଁ ସର୍ବଦା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି । କରୁଣା ପ୍ରଦର୍ଶନ କରି ମୋତେ କ୍ଷମା କରନ୍ତୁ ।

 

ଲାଲ ସିଂହର ନିଖୋଜ ଘଟଣାକୁ ଇମ୍ପେରିଆଲ ପୋଲିସ ତଦନ୍ତ କରୁଥିବାରୁ ଏହାର ବିଚାର ହେବା ଏକ ପ୍ରକାର ନିଶ୍ଚିତ ଥିଲା । ଘଣ୍ଡୁର ସିଂହ, ନାନକ ସିଂହ ଓ ସେମାନଙ୍କର ସହଯୋଗୀମାନେ ଏଥିରେ ଅଭିଯୁକ୍ତ ହେଲେ । ବିଚାରବେଳେ ନାନକ ସିଂହ ନିଜେ କରିଥିବା ଡାଏରୀ କୋର୍ଟରେ ଦାଖଲ କଲେ । ଏହି ଡାଏରୀ ମହାରାଜାଙ୍କୁ ହତ୍ୟାକାଣ୍ଡରେ ସମ୍ପୃକ୍ତ କରି ପକାଉଥିଲା । ଏଥିରେ ଅଦାଲତ ଖୁବ୍‌ ଅଡ଼ୁଆରେ ପଡ଼ିଥିବା ସ୍ପଷ୍ଟ ହେଉଥିଲେ ବି ଏ ବିଷୟରେ ବିଶେଷ ଧ୍ୟାନ ଦେଲେ ନାହିଁ । ମକଦ୍ଦମାରେ ଲାଲ ସିଂହର ହତ୍ୟା ପାଇଁ ଘଣ୍ଡୁର ସିଂହ ଓ ନାନକ ସିଂହଙ୍କୁ ସଜା ହେଲା ।

 

ଏଭଳି ପୂର୍ବ ପରିକଳ୍ପିତ ହତ୍ୟାକାଣ୍ଡର ବିଚାର ପୂର୍ବରୁ ଅଦାଲତରେ କେବେ ହୋଇ ନ ଥିଲା; କିନ୍ତୁ ଆତତାୟୀମାନେ ପିଙ୍ଗଳ କୋର୍ଡ଼ରେ ହତ୍ୟାକାଣ୍ଡ ପାଇଁ ଫାଶୀ ବା କଳାପାଣି ଦଣ୍ଡର ଯେଉଁ ବ୍ୟବସ୍ଥା ଅଛି ତାଠାରୁ କାମ ଦଣ୍ଡ ପାଇଲେ । ଘଣ୍ଡୁର ସିଂହ ଓ ନାନକ ସିଂହ ନିଜର ସ୍ୱାର୍ଥ ସିଦ୍ଧି କରିବା ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିଲେ ବୋଲି କୋର୍ଟ ସିଦ୍ଧାନ୍ତ କଲେ; କିନ୍ତୁ ପତିଆଲା ହାଇ କୋର୍ଟଙ୍କ ରାୟରେ ନିମ୍ନଲିଖିତ କେତୋଟି କୌତୂହଳପ୍ରଦ ଘଟଣା ପ୍ରମାଣିତ ହୋଇଥିଲା । ସେଗୁଡ଼ିକ ହେଲା—

 

(୧) ଲାଲ ସିଂହର ସ୍ତ୍ରୀ ରାଜପ୍ରାସାଦରେ ଥିଲା । (୨) ନାନକ ସିଂହ ଓ ଘଣ୍ଡୁର ସିଂହ ଉଭୟେ ଲାଲ ସିଂହଠାରୁ ଛାଡ଼ପତ୍ର ନୋଟିସ ହାସଲ କରିବାର ଉଦ୍ୟମ କରିଥିଲେ । (୩) ଦେଶାନ୍ତର ଦଣ୍ଡ ହୋଇଥିବା ଘଣ୍ଡୁର ସିଂହଙ୍କୁ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ଅନୁମତି ଦିଆଯାଇଥିଲା । ଏବଂ ମହାମାନ୍ୟ ମହାରାଜା ୟୁରୋପ ଯିବା ପୂର୍ବରୁ ତାକୁ ସାକ୍ଷାତ ଦେଇଥିଲେ । (୪) ମହରାଜାଙ୍କ ନିର୍ଦ୍ଦେଶ ମୁତାବକ ଘଣ୍ଡୁର ସିଂହକୁ ତାର ଜଣେ ସମ୍ପର୍କୀୟର ସମ୍ପତ୍ତିର ଏକ ଅଂଶ ଭୋଗ କରିବା ଲାଗି ଅନୁମତି ମିଳିଥିଲା । (୫) ଲାଲ ସିଂ; ଘଣ୍ଡୁର ସିଂହ ଓ ଅନ୍ୟମାନଙ୍କ ଦ୍ୱାର ନିହତ ହୋଇଥିଲା । (୬) ହତ୍ୟାକାଣ୍ଡ ସ୍ୱାର୍ଥ ସିଦ୍ଧି ପାଇଁ ହୋଇଥିଲା । ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏହି ହତ୍ୟାକାଣ୍ଡରେ ଜଡ଼ିତ କରିବା ନିମନ୍ତେ ଆସାମୀମାନଙ୍କ ଉଦ୍ୟମକୁ କୋର୍ଟ ନିନ୍ଦା କରିଥିଲେ ।

 

ଏହି ରାୟ ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଲୋଡ଼ନ ସୃଷ୍ଟି ହୋଇଥିଲା କିନ୍ତୁ ଆଞ୍ଚଳିକ ରାଜନୀତି ଓ ପ୍ରଶାସନିକ ଷଡ଼ଯନ୍ତ୍ର ଯୋଗୁଁ ଲୋକେ ଏହି ଘଟଣା ଭୁଲିଗଲେ । ଏହା ପରେ ପରେ ‘‘ପତିଆଲା ନଉ’’ ବିବାଦ ଆରମ୍ଭ ହୋଇଗଲା ଏବଂ ଦୁଇ ପଡ଼ୋଶୀ ରାଜ୍ୟର ବିବାଦ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହେଲା । ଦଲମପ କାଉର ରାଜପ୍ରାସାଦରେ ରହି ପାତିଆଲାର ଭାଗ୍ୟ ନିୟନ୍ତ୍ରଣ କଲା ।

 

ଇତିମଧ୍ୟରେ ଦଶ ବର୍ଷ ଅତିବାହିତ ହୋଇଗଲା । ଭାରତୀୟ ବ୍ୟାପାରରେ ପାତିଆଲାର ସ୍ଥାନ କ୍ରମେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଲା । ୧୯୨୬ ମସିହାରେ ମହାରାଜା ରାଜନ୍ୟମଣ୍ଡଳୀର ଚାନସେଲର ହେଲେ ଏବଂ ଅନ୍ୟ ସମସ୍ତଙ୍କୁ ପରାଜିତ କରି ନିରାପଦରେ ଏହି ପଦବୀରେ ବହୁ କାଳ ରହିଲେ । ନଉରାଜା ଗାଦିଚ୍ୟୁତ ହେଲେ । ଦୟା କିଷନ୍‌ କାଉଲି ଛୁଟି ନେବା ଆଳରେ ରାଜ୍ୟ ତ୍ୟାଗକଲେ । ଲାଲ ସିଂହ ବିସ୍ମୃତି ଗର୍ଭରେ ଲୀନ ହୋଇଗଲା । ଘଣ୍ଡୁର କ୍ଷମାପାଇ ଜେଲରୁ ମୁକୁଳିଲା । ରାଜାଙ୍କର ଯାହାପ୍ରତି କରୁଣା ତାକୁ ବା ଜେଲରେ ରଖିବ କିଏ; କିନ୍ତୁ ନାନକ ସିଂହ ତାର ଦଣ୍ଡାଦେଶ ଭୋଗକଲା ଏବଂ ଜେଲରେ ଥିବା ସମୟରେ ଏକ ଡାଏରୀ ଲେଖିଲା ।

 

୧୯୨୯ ମସିହା ମେ ମାସରେ ପୁଣି ଲାଲ ସିଂହର ଭୂତ ମହାରାଜାଙ୍କୁ ଘାରିଲା ।

 

ବମ୍ବେରେ ଅନୁଷ୍ଠିତ ଇଣ୍ଡିଆନ ଷ୍ଟେଟସ୍‌ ପିପୁଲସ ସମ୍ମିଳନୀରେ ପାତିଆଲାନର ଦଶ ଜଣ ନାଗରିକଙ୍କ ସ୍ୱାକ୍ଷରରେ ଭାଇସ୍‌ରାୟଙ୍କୁ ଦିଆଯାଇଥିବା ଏକ ସ୍ମାରକପତ୍ର ନକଲ ସମ୍ମିଳନୀରେ ବଣ୍ଟାଗଲା । ଏହି ସ୍ମାରକପତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ।

 

ଏହି ସ୍ମାରକପତ୍ର ପଢ଼ି ସମ୍ମିଳନୀର ସଭାପତି ସାର୍‌ ସି. ଓ୍ୟାଇ ଚିନ୍ତାମଣି ମତ ଦେଇଥିଲେ, ‘‘ଏଥିରେ ଲେଖା ଯାଇଥିବା ଘଟଣାମାନଙ୍କ ମଧ୍ୟରୁ ଯଦି ଶତକଡ଼ା ୫ ଭାଗ ସତ ହୋଇଥାଏ ତେବେ ଉକ୍ତ ବ୍ୟକ୍ତିଙ୍କୁ ଗାଦିରୁ ହଟାଇ ଦିଆଯିବା ଉଚିତ’’,

 

ସ୍ମାରକପତ୍ରରେ ଲାଲ ସିଂହ ହତ୍ୟାକାଣ୍ଡ ସମେତ ମହାରାଜାଙ୍କ ଅଯୋଗ୍ୟତା ତଥା, ଅନ୍ୟ କେତେକ ଅପରାଧର ଅବତାରଣା କରାଯାଇ ଥିଲା ଏବଂ ନିରପେକ୍ଷ ତଦନ୍ତ କରାଗଲେ ସ୍ଵାର୍ଥକାରୀମାନେ ଅଭିଯୋଗ ଗୁଡ଼ିକୁ ପ୍ରମାଣିତ କରିବେ ବୋଲି ମଧ୍ୟ ଉଲ୍ଲେଖ କରାଯାଇଥିଲା ।

 

ପାତିଆଲା ବ୍ୟାପାର ସହିତ ଭାଇସରାୟ ଅନଭ୍ୟସ୍ତ ନ ଥିଲେ ଏବଂ ଏହି ସ୍ମାରକପତ୍ର ମଧ୍ୟ ଅନ୍ୟାନ୍ୟ ଆବେଦନ ପତ୍ରର ଦଶା ଭୋଗିଲା ।

 

କିନ୍ତୁ ସମ୍ମିଳନୀ ପାଇଁ ଏହାଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍‌ । ଏହି ଅଭିଯୋଗ ଗୁଡ଼ିକର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ଏକ ବେସରକାରୀ କମିଟି ଗଠନ କରାଗଲା ଏବଂ କମିଟି ବହୁ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିବା ପରେ ମହାରାଜାଙ୍କ ବିରୁଦ୍ଧରେ ଆପାତ ପ୍ରମାଣଯୋଗ୍ୟ ଅଭିଯୋଗମାନ ରହିଥିବା ମତ ଦେଲେ । ଯେଉଁ ୧୬ଟି କଥାରୁ ସେମାନେ ଆପାତ ପ୍ରାମାଣଯୋଗ୍ୟ ଅଭିଯୋଗଥିବା କହିଥିଲେ ସେଗୁଡ଼ିକ ଭିତରୁ ମୁଖ୍ୟ ବିଷୟ ଗୁଡ଼ିକ ହେଲା—

 

(୧)

ମହାରାଜା ଲାଲ ସିଂହର ହତ୍ୟାକାଣ୍ଡ ପାଇଁ ଗୋପନୀୟ ଭାବେ ଦାୟୀ ।

 

 

(୨)

ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ନଉରାଜା ଷଡ଼ଯନ୍ତ୍ର କରୁଥିବା ପ୍ରମାଣିତ କରିବା ପାଇଁ ସେହି ରାଜ୍ୟରେ ବୋମା ଖଞ୍ଜିବା ନିମନ୍ତେ ଡକ୍‌ଟର ବକ୍‌ସିସ ସିଂହ ନାମକ ଜଣେ ବ୍ୟକ୍ତି ଜରିଆରେ ସେ ବାହାଦୁର ଗଡ଼ ଜିଲ୍ଲାରେ ଏକ ବୋମା ତିଆରି କାରଖାନା ବସାଇଥିଲେ ।

 

 

(୩)

ସେ ‘‘ବିଚିତର କାଉର’’ ତାର ପୁଅ ଓ ଝିଅ ନିଖୋଜ ହେବାଯାଇଁ ଷଡ଼ଯନ୍ତ୍ର କରିଥିଲେ ।

 

 

(୪)

ସେ ଅମର ସିଂହ ନାମକ ଜଣେ ବ୍ୟକ୍ତିର ସ୍ତ୍ରୀ ପ୍ରତି ଆକୃଷ୍ଟ ହୋଇ ତାକୁ ତାର ସ୍ଵାମୀଙ୍କୁ ଆଉ ଫେରାଇ ନଥିଲେ ।

 

 

(୫)

ସେ ବେଆଇନ୍‌ ଭାବେ ହରିଚାନ୍ଦ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ବନ୍ଦିକରି ବିନା ବିଚାରରେ ତାର ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତି କରିଥିଲେ । ପାତିଆଲା ତଦନ୍ତ କମିଟି ଯେଉଁ ସବୁ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ତାକୁ ‘‘ଇଣ୍ଡିଆନ ଷ୍ଟେଟ ପିପୁଲସ କନ୍‌ଫରେନ୍‌ସ’’ର କାର୍ଯ୍ୟକାରୀ କମିଟିରେ ଉପସ୍ଥାପିତ କରିବା ପାତିଆଲାର ଏକ ଅଭିଯୋଗ ଶିରୋନାମାରେ ପ୍ରକାଶ କଲେ । ଏହି ବ୍ୟାପାରର ଯଥାଯଥ ବିଚାର ହେଉ ବୋଲି କମିଟି ଦାବୀ କଲେ ।

 

‘‘ପାତିଆଲାର ଏକ ଅଭିଯୋଗ’’ ସରକାରଙ୍କୁ ଏକ ଆହ୍ୱାନ ହେଉ ବା ଆବେଦନ ହେଉ ଏଥିପ୍ରତି ଅବଜ୍ଞା କରାଯାଇ ପାରିଲା ନାହିଁ । ବିଶେଷ କରି ଜଣେ ଶାସକଙ୍କ ବିରୁଦ୍ଧରେ ଏଥିରେ ଗୁରୁତର ଅଭିଯୋଗମାନ ଆଗତ କରାଯାଇଥିଲା ।

 

ମହାରାଜା ତାଙ୍କର ବନ୍ଧୁ ଓ ଓକିଲମାନଙ୍କ ସହ ପରାମର୍ଶ କଲେ । ରାଜ୍ୟର ଶାସନ କଳକୁ ପୂରା ଦମରେ ଖଟାଗଲା ଏବଂ ଅତି ଅଳ୍ପ ସମୟ ଭିତରେ ମହାରାଜା ବିଚାରର ସମ୍ମୁଖୀନ ହେବାଲାଗି ସମସ୍ତ କାଗଜପତ୍ର ସହ ପ୍ରସ୍ତୁତ ହୋଇଗଲେ ।

 

୧୯୩୦ ମସିହା ମେ ୫ ତାରିଖ ଦିନ ମହାମାନ୍ୟ ମହାରାଜା ଭୂପେନ୍ଦ୍ର ସିଂହ ଭାଇସରାୟଙ୍କ ନିକଟକୁ ନିମ୍ନ ମର୍ମରେ ଏକ ପତ୍ର ଲେଖିଲେ—

 

ଗଲା କେତେଦିନ ହେଲା କେତେକ ସମ୍ବାଦପତ୍ର ମୋ ବିରୁଦ୍ଧରେ ନିରବଚ୍ଛିନ୍ନଭାବେ ଆନ୍ଦୋଳନ କରି ମୋର ଚରିତ୍ର ସଂହାର କରିବାରେ ଲାଗିଛନ୍ତି ଏବଂ ମୋ ଭଳି ଜଣେ ଶାସକଙ୍କ ମର୍ଯ୍ୟାଦାରେ ଆଞ୍ଚ ଆଣୁଛନ୍ତି ଆପଣଙ୍କୁ ବୋଧହୁଏ ଏହା ଅବିଦିତ ନୁହେଁ ।

 

ଅଭିଯୋଗକାରୀମାନେ ଯେଉଁ ଭାଷାରେ ଯେଭଳିଭାବେ ମୋର କୁତ୍ସାରଟନା କରିଛନ୍ତି ତାହା ସାଧାରଣ ଦୃଷ୍ଟିରେ ସେମାନଙ୍କ ସମ୍ମାନ ହାନି କରିଥିବାରୁ ମୁଁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲି ।

 

କିନ୍ତୁ ‘‘ପାତିଆଲାର ଏକ ଅଭିଯୋଗ’’ ଶିରୋନାମାରେ ଏକ ପ୍ରଚାରପତ୍ର ପ୍ରକାଶିତ ହେବାପରେ ଅବସ୍ଥାର ଯଥେଷ୍ଟ ପରିବର୍ତ୍ତନ ହୋଇଛି । ଉକ୍ତ ପ୍ରଚାରପତ୍ରର ସ୍ୱାକ୍ଷରକାରୀମାନେ ଲାହୋର ଓ ବ୍ରିଟିଶ ଇଣ୍ଡିଆର କେତେକ ସ୍ଵାର୍ଥରେ ଏକତରଫା ଭାବେ ତଦନ୍ତ କରି କେତେକ ସମ୍ବାଦପତ୍ରରେ ମୋ ବିରୁଦ୍ଧରେ ହୋଇ ଆସିଥିବା ଅଭିଯୋଗକୁ ସମର୍ଥନ କରିଛନ୍ତି ।

 

ମୁଁ ଏହି ପରିସ୍ଥିତିରେ ଅଧିକ କାଳ ଏହି ଅଭିଯୋଗଗୁଡ଼ିକ ପ୍ରତି ଅବଜ୍ଞା ପ୍ରଦର୍ଶନ କରିପାରିବି ନାହିଁ । ତେଣୁ ଉକ୍ତ ପ୍ରଚାରପତ୍ରରେ ଯେଉଁ ସବୁ ଅଭିଯୋଗ କରାଯାଇଛି ସେଗୁଡ଼ିକର ନିରପେକ୍ଷ ତଦନ୍ତ କରାଯାଉ ବୋଲି ମୁଁ ସ୍ଵେଚ୍ଛାରେ ନିବେଦନ କରୁଛି । ଏହି ପ୍ରଚାରପତ୍ର ଯେତେବେଳୁ ମୋ ଦୃଷ୍ଟିକୁ ଆସିଲାଣି ସେତେବେଳୁ ମୁଁ ନିଜର ସମ୍ମାନ ରକ୍ଷା କରିବା ନିମନ୍ତେ ବ୍ୟଗ୍ର ହୋଇ ଉଠିଛି । ମୁଁ ସମୟ ନଷ୍ଟ ନ କରି ସମସ୍ତ ପ୍ରାମାଣିକ ତଥ୍ୟ ସଂଗ୍ରହ କରିବା ଲାଗି ନିର୍ଦ୍ଦେଶ ଦେଇଛି ଏବଂ ଏହା ମୋର ଆଇନ ପରମର୍ଶଦାତାମାନଙ୍କ ନିକଟରେ ଗଚ୍ଛିତ ଅଛି । ଆପଣ ଏହି ବ୍ୟାପାରର ତଦନ୍ତ କରନ୍ତୁ ବୋଲି ମୁଁ ନିର୍ଦ୍ଦିଷ୍ଟଭାବେ ନିବେଦନ କରୁଛି ।

 

ଏହା ସାଙ୍ଗକୁ ମହାରାଜା ଏକ ଅସାଧାରଣ ପରାମର୍ଶ ମଧ୍ୟ ଦେଇଥିଲେ ।

 

ଏହି ପରିପ୍ରେକ୍ଷୀରେ ଘଟଣାର ଗୁରୁତ୍ଵ ଦୃଷ୍ଟିରୁ ଆପଣ ପଞ୍ଜାବ ଗଭର୍ଣ୍ଣର ଜେନେରାଲଙ୍କ ମାନ୍ୟବର ପ୍ରତିନିଧିଙ୍କ ହସ୍ତରେ ବିଚାରଭାର ଅର୍ପଣ କଲେ ମୁଁ ତାଙ୍କର ନିଷ୍ପତ୍ତିକୁ ମାନିନେବି ।’’

 

୧୯୩୦ ମସିହା ମେ ୫ ତାରିଖ ଦିନ ମହାରାଜା ଏହି ପତ୍ର ଲେଖିଲେ ଏବଂ ତା ପରଦିନ ଭାଇସରାୟଙ୍କୁ ଉକ୍ତ ପତ୍ର ଦିଆଗଲା ।

 

ହୁଏତ ବୈଦେଶିକ ଓ ରାଜନୈତିକ ବିଭାଗ ଆଗରୁ ଏହାର ନିଷ୍ପତ୍ତି କରିସାରି ଥିଲେ ଅଥବା ସମ୍ପୃକ୍ତ ବିଭାଗ ହାତରେ ସେପରି କିଛି କାର୍ଯ୍ୟ ନଥିଲା ତେଣୁ ଅତି ଅଳ୍ପ ସମୟ ଭିତରେ ଏହି ଆବେଦନ ପତ୍ରର ବିଚାର ହୋଇଗଲା ।

 

ମେ ୯ ତାରିଖ ଦିନ ଭାରତ ସରକାର ମହାରାଜାଙ୍କ ପତ୍ରସହ ଏକ ପ୍ରେମ ଇସ୍ତାହାର ପ୍ରକାଶ କଲେ ।

 

ମହାମହିମ ଭାଇସ୍‌ରାୟ ପାତିଆଲାର ଏକ ଅଭିଯୋଗ’ ପ୍ରଚାରପତ୍ରରେ ପ୍ରକାଶିତ ସମସ୍ତ ଅଭିଯୋଗର ପୂର୍ଣ୍ଣାଙ୍ଗ ତଦନ୍ତ ଭାର ପଞ୍ଜାବ ରାଜ୍ୟର ଏ. ଜି. ଜି. ମାନ୍ୟବର ଜେ. ଏ. ଓ. ଫିଜିପ୍ୟାଟ୍ରି କଙ୍କ ହସ୍ତରେ ଅର୍ପଣ କଲେ । ସେ ନିଜ ଇଚ୍ଛା ମୁତାବକ ସ୍ଥାନରେ ନିଷିଦ୍ଧ ପ୍ରକୋଷ୍ଠରେ ତଦନ୍ତ କରିବେ ଏବଂ ଶୁଣାଣିର ପରିସର ଓ ଧାରା ସମ୍ପର୍କରେ ସେ ନିଜେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ଦେବେ ।

 

ଇଣ୍ଡିଆନ୍‌ ଷ୍ଟେଟ ପିପୁଲସ୍‌ କନଫରେନ୍‌ସ କାର୍ଯ୍ୟକାରୀ କମିଟି କିନ୍ତୁ ଫିଜିପ୍ୟାଟ୍ରିକ ପାତିଆଲା ତଦନ୍ତକୁ ସ୍ଵୀକାର କଲେ ନାହିଁ । ସେମାନଙ୍କର ଅଭିଯୋଗ ହେଲା ଯେଉଁ ଅଫିସରଙ୍କୁ ତଦନ୍ତ କରିବା ପାଇଁ କୁହାଯାଇଛି ସେ ମହାରାଜାଙ୍କ ମନୋନୀତ ବ୍ୟକ୍ତି ଏବଂ ତାଙ୍କର ରାଜନୈତିକ କର୍ତ୍ତବ୍ୟ ଦୃଷ୍ଟିରୁ ସେ ମହାରାଜାଙ୍କ ସହିତ ଜଡ଼ିତ । ସେମାନଙ୍କର ଏ ଅଭିଯୋଗ ଅବଶ୍ୟ ମୂଲ୍ୟହୀନ ନଥିଲା ।

 

ଫିଜିପ୍ୟାଟ୍ରିକ ତଦନ୍ତ ଯଥାବିଧି ଚାଲିଲା । ଏହି ତଦନ୍ତର ଶୁଣାଣି ଆଂଶିକଭାବେ ପାତିଆଲା ଓ ଆଂଶିକ ଭାବେ ଡେଲହାଉସୀରେ ଅନୁଷ୍ଠିତ ହେଲା । ମହାରାଜାଙ୍କୁ ପ୍ରତିନିଧି ରୂପେ ସାର୍‌ ତେଜବାହାଦୁର ସାପ୍ରୁ ଓ ସାର ସି. ପି. ରାମସ୍ଵାମୀ ଆୟରଙ୍କ ଭଳି ପ୍ରତିଷ୍ଠିତ ଆଇନଜ୍ଞମାନେ ନିଯୁକ୍ତ ହେଲେ । ପ୍ରମାଣପତ୍ର ସବୁ ପ୍ରଧାନମନ୍ତ୍ରୀ ସାର୍‌ ଲିଆକତ୍‌ ଅଲ୍ଲୀ ଖାଁ ତଦନ୍ତ କମିଟି ନିକଟରେ ଉପସ୍ଥାପନ କଲେ ।

 

ଅଗଷ୍ଟ ୪ ତାରିଖ ଦିନ ବୈଦେଶିକ ଓ ରାଜନୈତିକ ବିଭାଗ ପକ୍ଷରୁ ଏକ ଇସ୍ତାହାରରେ କୁହାଗଲା ଯେ....

ମହାମହିମ ଗଭର୍ଣ୍ଣର ଜେନେରାଲ ୧୯୩୦ ମସିହା ମେ ୯ ତାରିଖ ଦିନ ଏକ ଇସ୍ତାହାରରେ ‘‘ପାତିଆଲାର ଏକ ଅଭିଯୋଗ’’ ଶୀର୍ଷକ ପ୍ରଚାରପତ୍ରରେ ଆରୋପ କରାଯାଇଥିବା ସମସ୍ତ ଅଭିଯୋଗ ଗୁଡ଼ିକର ପୂର୍ଣ୍ଣାଙ୍ଗ ତଦନ୍ତ କରିବା ପାଇଁ ପଞ୍ଜାବର ଏ. ଜି. ଜି. ମାନ୍ୟବର ଜେ. ଏ. ଓ. ପି ଫିଜିପ୍ୟାଟ୍ରିକଙ୍କୁ ଦାୟିତ୍ୱ ଦେଇଥିଲେ । ଶ୍ରୀ ଫିଜିପ୍ୟାଟ୍ରିକ ନିର୍ଦ୍ଦେଶ ମୁତାବକ ଯଥାବିଧି ତଦନ୍ତ କଲେ; କିନ୍ତୁ ପ୍ରଚାରପତ୍ରର ସ୍ୱାର୍ଥରକ୍ଷାକାରୀଗଣ ତଦନ୍ତରେ ହାଜର ହେବାକୁ ମନା କରିଦେବାରୁ ସେମାନଙ୍କର ବିବୃତି ଲିପିବଦ୍ଧ କରିବା କିମ୍ବା ସେମାନଙ୍କ ବକ୍ତବ୍ୟକୁ ପରୀକ୍ଷା କରିବା ବା ଅଥବା ସେମାନଙ୍କୁ ଜେରା କରିବା ସମ୍ଭବ ହେଲାନାହିଁ; କିନ୍ତୁ ବିଚାରବେଳେ ଶ୍ରୀ ଫିଜିପ୍ୟାଟ୍ରିକ ୧୪୫ଜଣ ସାକ୍ଷୀଙ୍କର ବକ୍ତବ୍ୟ ଲିପିବଦ୍ଧ କରିଥିଲେ ଓ ୬୩୦ ଟି ପ୍ରାମାଣିକ ପତ୍ର ପରୀକ୍ଷା କରିଥିଲେ । ସେ ଏବେ ତାଙ୍କର ରିପୋର୍ଟ ଭାରତ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି । ଏହା ଫଳରେ ଭାରତ ସରକାରଙ୍କ ହୃଦବୋଧ ହୋଇଛି ଯେ ଭାରତ ସରକାର ତଥା ଜନସାଧାରଣଙ୍କ ଆଖିରେ ମହାରାଜାଙ୍କୁ ନ୍ୟୂନ କରିବା ପାଇଁ ‘ପାତିଆଲାର ଏକ ଅଭିଯୋଗ’ ଶୀର୍ଷକ ପ୍ରଚାରପତ୍ର ଉଦ୍ଦେଶ୍ୟ ମୂଳକ ଭାବେ ଷଡ଼ଯନ୍ତ୍ର କରାଯାଇ ପ୍ରକାଶ କରାଯାଇ ଥିଲା ଏବଂ ସ୍ଵାକ୍ଷରକାରୀମାନେ ଅଭିଯୋଗ ଗୁଡ଼ିକୁ ସାବ୍ୟସ୍ତ କରିବାରେ ବିଫଳକାମ ହେଇଛନ୍ତି ।

ଭାରତ ସରକାର ଫିଜିପ୍ୟାଟ୍ରିକ ରିପୋର୍ଟକୁ ପ୍ରକାଶ କରିବାର ଯଥାର୍ଥତା ଅନୁଭବ କଲେ ନାହିଁ । କିନ୍ତୁ ଯେଉଁ ସବୁ ପ୍ରାମାଣିକ ତଥ୍ୟକୁ ଭିତ୍ତିକରି ଫିଜିପ୍ୟାଟ୍ରିକ ତାଙ୍କ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ମଧ୍ୟ ପ୍ରକାଶ ପାଇଲା ନାହିଁ । କୌଣସି ବିଷୟବସ୍ତୁ ଅଭାବରୁ ଭାରତ ସରକାର ବା ଫିଜିପାଟ୍ରିକ କିଭଳିଭାବେ ମହାରାଜାଙ୍କ ବିରୁଦ୍ଧରେ ଆଗତ ଅଭିଯୋଗ ଗୁଡ଼ିକୁ ଭିତ୍ତିହୀନ ବୋଲି ବିବେଚନା କଲେ ତାହା କହିବା କଷ୍ଟକର । ଲାଲ ସିଂହ ହତ୍ୟାକାଣ୍ଡ ସମ୍ପର୍କରେ କମିଟି ମୁଖ୍ୟତଃ ଘଣ୍ଡୁର ସିଂହ ଓ ନାନକ ସିଂହଙ୍କୁ ଦଣ୍ଡାଦେଶ ଦେଇ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ଜୟା କିଷନ କାଉଲଙ୍କ ହସ୍ତାନ୍ତରରେ ପ୍ରସ୍ତୁତ ଏକ ଚିଠା ଛାଡ଼ପତ୍ର ନୋଟିସକୁ ଭିତ୍ତିକରି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ଅମର ସିଂହର ସ୍ତ୍ରୀ ସମ୍ପର୍କରେ କମିଟି ଯେଉଁ ସିଦ୍ଧାନ୍ତ କଲେ ତାହା ଫୁଲକିଆନ ରାଜ୍ୟର ଏଜେଣ୍ଟ ସର୍ଦ୍ଦାର ଅମର ସିଂହଙ୍କୁ ଦେଇଥିବା ସ୍ମାରକ ପତ୍ର ଉପରେ ପର୍ଯ୍ୟବେଶିତ । ଏଥିରେ ଏଜେଣ୍ଟ ଅମର ସିଂହ ପାଖକୁ ଲେଖିଥିଲେ ଯେ କୋଡ଼ିଏ ହଜାର ଟଙ୍କା ବିନିମୟରେ ନିଜ ସ୍ତ୍ରୀ ଉପରୁ ସମସ୍ତ ଦାବୀ ପ୍ରତ୍ୟାହାର କରିନେବା ପାଇଁ ମହାରାଜାଙ୍କ ପ୍ରସ୍ତାବ ଗ୍ରହଣ ନ କଲେ ଭବିଷ୍ୟତରେ ଏ ବିଷୟରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ତେଣୁ ସ୍ୱାକ୍ଷରକାରୀମାନଙ୍କ ଅଭିଯୋଗ କିପରି ଷଡ଼ଯନ୍ତ୍ର ପ୍ରସୂତ ତାହା କହିବା କଷ୍ଟକର ।

କିନ୍ତୁ ଏହାର କିଛିବର୍ଷ ପରେ ଶ୍ରୀ ଫିଜିପ୍ୟାଟ୍ରିକଙ୍କ ବିଚାର ପଦ୍ଧତି ସମ୍ପର୍କରେ କେତେକ କୌତୂହଳପୂର୍ଣ୍ଣ ବିଷୟ ଷ୍ଟେଟ୍‌ ପିପୁଲସ୍‌ କନଫରେନ୍‌ସ ଅବଗତ ହୋଇଥିଲେ ।

(୧) ସର୍ଦ୍ଦାର ହରିଚାନ୍ଦ ସିଂହ, ଯାହାଙ୍କର ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ ହୋଇଥିଲା ଓ ବିନା ବିଚାରରେ ଯାହାଙ୍କୁ ବନ୍ଦୀ କରାଯାଇଥିଲା । ସେ ୧୯୩୬ ମସିହା ଜୁନ ୨୬ ତାରିଖରେ ଶ୍ରୀ ଫିଜିପ୍ୟାଟ୍ରିକଙ୍କୁ ଯେଉଁ ବିବୃତି ଦେଇଥିଲେ ଏବଂ ମହାରାଜାଙ୍କ ତରଫରୁ ସାର୍‌ ତେଜବାହାଦୁର ସାପ୍ରୁ ରାଜାଙ୍କ ପକ୍ଷରୁ ତାଙ୍କ ସହିତ ସହସା ଯେଉଁ ରାଜିନାମା କରିଥିଲେ ତାହାର ଏକ ନକଲ ନିଜେ ସମ୍ମିଳନୀକୁ ଦେଇଥିଲେ । ତାଙ୍କ ବିବୃତିରୁ ଜଣାଗଲା ଯେ ମହାରାଜାଙ୍କ ବିରୁଦ୍ଧରେ ସାକ୍ଷୀଙ୍କର କେତେକ ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲା ।

 

‘‘ମହାରାଜାଙ୍କ ନିକଟରୁ ଗୁରୁମୁଖୀ ଲିପିରେ ଲିଖିତ ଉକ୍ତ ପତ୍ର ପଢ଼ି ମୁଁ ଆଚମ୍ବିତ ହୋଇପଡ଼ିଥିଲି । ଉକ୍ତ ପତ୍ରରେ ମହାରାଜା ମୋର ଶାଳୀକୁ ମୋ ସ୍ତ୍ରୀର ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରିବାକୁ ଡକାଇ ପଠାଇଥିଲେ ।

 

ଫିଜିପ୍ୟାଟ୍ରିକ ତଦନ୍ତ କମିଟି ସମ୍ମୁଖରେ ହୋଇଥିବା ରାଜିନାମା ଅନୁଯାୟୀ ହାରାଚାନ୍ଦ ସିଂହ ମୁକ୍ତି ପାଇଲା ଓ ନିଜ ସ୍ତ୍ରୀକୁ ମଧ୍ୟ ଫେରି ପାଇଲା ।

 

(୨) ପାତିଆଲାର ପୂର୍ବତନ ପୋଲିସ ସୁପରିନଟେଣ୍ଡେଣ୍ଟ ତଥା ଲାଲ ସିଂହ ହତ୍ୟା ମକଦ୍ଦମାର ମୁଖ୍ୟ ସାକ୍ଷୀ ଶ୍ରୀ ନାନକ ସିଂହ ସମ୍ମିଳନୀରେ କିପରି ତାଠାରୁ ଲାଲ ସିଂହ ହତ୍ୟାକାଣ୍ଡ ସମ୍ପର୍କରେ ଏକ ମିଥ୍ୟା ବିବରଣୀ ନେବାର ଉଦ୍ୟମ ହୋଇଥିଲା ଓ ସେ ମନା କଲା ତାହାର ସବିଶେଷ ବିବରଣୀ ଦେଇଥିଲା; କିନ୍ତୁ ପ୍ରସଙ୍ଗକ୍ରମେ ତା କଥା ଏହିଭଳିଭାବେ ଛିଡ଼ିଥିଲା । ପ୍ରଥମେ ତାକୁ ଜେଲରୁ ହସ୍‌ପିଟାଲ ନିଆଯିବ ଏବଂ ସେଠାରୁ ତାକୁ ଲୁଚି ପଳାଇ ଯିବାକୁ ପ୍ରଶ୍ରୟ ଦିଆଯିବ । ଏପରି ହେଲେ ତଦନ୍ତ କମିଟି ଆଗରେ ସେ ଫେରାର ଅଛି ବୋଲି କୁହାଯିବ । ତଦନ୍ତ କମିଟି ଆଗରେ ପ୍ରକୃତରେ ଏଭଳି କୁହାଯାଇଥିଲା । ନାନକ ସିଂହ କହିଥିଲା ଯେ ୧୯୩୬ ମସିହା ଜୁନ ୧ ତାରିଖରେ ପାତିଆଲା ଜେଲର ସୁପରିନଟେଣ୍ଡେଣ୍ଟ ଏକ ପତ୍ରରେ ତାକୁ ଅମୃତସରର ଏକ ଫାର୍ମରେ କିଛିଦିନ ପାଇଁ ଲୁଚି ରହିବାକୁ ପଡ଼ିବ ବୋଲି କହିଥିଲେ । ସେ ପତ୍ରର ଏକ ସତ୍ୟ ନକଲ ସେ ଦେଇଥିଲା । ଏହିଭଳିଭାବେ ଲୁଚି ପଳାଇବା ପାଇଁ ସେ ମହାରାଜାଙ୍କଠାରୁ ୫୦ ହଜାର ଟଙ୍କା ପାଇଥିବା ପ୍ରକାଶ କରିଥିଲା ।

 

(୩) ଜୟା କିଷାନ୍‌ କାଉଲଙ୍କ ହାତଲେଖା ଚିଠି ପାଇବାପାଇଁ ମଧ୍ୟ ବେଶ୍‌ କିଛି ଖର୍ଚ୍ଚ କରାନଯାଇଥିବାର ସୂଚନା ମିଳିଲା ।

 

ଭାଇରାମ ସିଂହ ୧୨,୫୦୦ ଟଙ୍କା ପୁରସ୍କାର ରାମ ସିଂହ ଓ ସାତଜଣ ଅକାଳୀ ବକେୟା ଦରମା ବାବଦରେ ୧୧,୪୬୦ ଟଙ୍କା ପାଇଥିଲେ ।

 

(୪) ଡକ୍‌ଟର ବକ୍‌ସିସ ସିଂହ ପ୍ରକାଶ କଲେ ଯେ ତାଙ୍କର ପୁଅକୁ ଫିଜିପ୍ୟାଟ୍ରିକ ନିଜେ ଡେଲହାଉସିରେ ତଦନ୍ତ କମିଟି ବସିଥିଲାବେଳେ ଫେରାଇ ଦେଇଥିଲେ ।

 

‘‘ପାତିଆଲାର ଏକ ଅଭିଯୋଗ’’ ଯଦିବା ଭିତ୍ତିହୀନ ହୋଇଥାଏ ତଥାପି ଏହାର ଏକ ମହତ୍ଵ ସ୍ୱୀକାର୍ଯ୍ୟ । ଏହି ଅଭିଯୋଗ ଯୋଗୁଁ ବହୁଲୋକ ବେଶ୍‌ କିଛି ଅର୍ଥ ପାଇଗଲେ । କେତେକ ସେମାନଙ୍କର ସ୍ଵାଧୀନତା ଓ ସମ୍ପତ୍ତି ଫେରି ପାଇଲେ । ଓକିଲ, ରାଜ୍ୟ ପୋଲିସ କର୍ମଚାରୀ ମୋଟା ଅର୍ଥ ପାଇଲେ । ସର୍ବୋପରି ମହାରାଜା ଖଲାସ ହେଲେ ।

 

କିନ୍ତୁ ଏହି ତଦନ୍ତ କଣ ଲାଲ ସିଂହ ହତ୍ୟାକାଣ୍ଡରେ ମହାରାଜା ପରୋକ୍ଷରେ ଜଡ଼ିତ ଥିଲେ କି ନାହିଁ ସେହି ପ୍ରଶ୍ନର ସମାଧାନ କରିଦେଲା ? କେତେକଙ୍କ ମତରେ ହଁ ଓ କେତେକଙ୍କ ମତରେ ନା । ଏବେ ଏ ପ୍ରଶ୍ନର ନିଷ୍ପତ୍ତି ଅନାବଶ୍ୟକ । ଲାଲ ସିଂହର ଆତ୍ମା ଶାନ୍ତିରେ ବିଶ୍ରାମ ନେବାକୁ ହୁଏତ ଫେରିଗଲାଣି ।

Image

 

Unknown

ରାଣୀ ଭଗବାନ୍‌ କାଉରଙ୍କ ମକଦ୍ଦମା

 

ଦୀର୍ଘ ଦିନର ଶୁଣାଣି ପରେ ଅମୃତସରର ସେସନ୍‌ସ ଜର୍ଜ ମେଜର ବି: ଓ: ରୋ ୧୯୧୧ ମସିହା ମେ ୧୩ ତାରିଖ ଦିନ ସେହି ଅଞ୍ଚଳର ଜନୈକ ଧନାଢ଼୍ୟ ବିଧବା ମହିଳା ଭଗବାନ୍‌ କାଉରଙ୍କୁ ତାଙ୍କର ପ୍ରେମିକ ଖାନ୍‌ ଚାନ୍ଦର ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଇନର ଚୂଡ଼ାନ୍ତ ଦଣ୍ଡାଦେଶ ଦେଇଥିଲେ । ଏହି ମକଦ୍ଦମାର ଶୁଣାଣି ଚାଲିଥିଲା ବେଳେ ଖାଲି ଅମୃତସର କାହିଁକି ସାରା ରାଜ୍ୟରେ ଏକପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଥିଲା । ରାଣୀ କାଉରଙ୍କ ସହ ତାଙ୍କର ଦୁଇଜଣ ଭୃତ୍ୟ ଥାକ୍ରି ଓ ଚୁରୀକୁ ନିହତ ବ୍ୟକ୍ତିର ଶବ ଲୁଚାଇ ରଖିଥିବା ଅପରାଧରେ ସାତବର୍ଷ ଲେଖାଏଁ ସଶ୍ରମକାରାଦଣ୍ଡାଦେଶ ହୋଇଥିଲା ।

 

ଅମୃତସରରେ ଥିବା ରାଣୀଙ୍କ ବାସଭବନରେ ରହୁଥିବା ବେଳେ ଖାନ୍‌ଚାନ୍ଦ ଧଳା ଶଙ୍ଖୁଆ ବିଷ ଖାଇ ପ୍ରାଣ ହରାଇଥିବା ନିଃସନ୍ଦେହ । ଯେଉଁ ବିରାଟ ଅଟ୍ଟାଳିକାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା ତାହା ହାବେଳି ନାମରେ ଖ୍ୟାତ । ଆଲୋଚ୍ୟ ଅଟ୍ଟାଳିକାଟି ଏକ ଉଚ୍ଚ ପ୍ରାଚୀର ଦ୍ଵାରା ପରିବେଷ୍ଟିତ ଏକ ମୁଖ୍ୟ କୋଠାର ଦୁଇ ପଟେ ସୁରମ୍ୟ ଉଦ୍ୟାନ ଏହାର ଶୋଭାବର୍ଦ୍ଧନ କରେ । କୋଠାଟିରେ ଥିବା ବହୁ ସଂଖ୍ୟକ ପ୍ରକୋଷ୍ଠ ଓ ଅଫିସ ଘର ଏହାର ବିଶାଳତା ପ୍ରତିପାଦନ କରେ ।

 

ଖାନ୍‌ଚାନ୍ଦ ସହ ରାଣୀଙ୍କର ପରିଚୟ ହୁଏ ପବିତ୍ର ହରଦ୍ଵାରଠାରେ । ରାଣୀ ସେଠାରେ ୧୯୧୦ ମସିହା ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଅତିବାହିତ କରିଥିଲେ । ତାଙ୍କ ରହଣୀ ସମୟ ଭିତରେ ସେ ପୁଞ୍ଚ ରାଜ୍ୟର ହାବେଳୀରେ ଅବସ୍ଥାନ କରୁଥିଲେ ଏବଂ ଆଗରୁ ଖାନ୍‌ଚାନ୍ଦ ସେତେବେଳେ ସେହି ‘ହାବେଳୀ’ର ତତ୍ତ୍ୱାବଧାରକରୂପେ ମାସିକ ମାତ୍ର ୧୦ ଟଙ୍କା ବେତନରେ ନିଯୁକ୍ତ ଥାଏ । ରାଣୀ ହରଦ୍ଵାରରେ ପହଞ୍ଚିଲା ବେଳକୁ ଖାନ୍‌ଚାନ୍ଦର ମନର ଅବସ୍ଥା ଭଲ ନ ଥିଲା । କାରଣ ମାତ୍ର ଅଳ୍ପ କିଛିଦିନ ପୂର୍ବରୁ ଜାମୁର ‘ମୀରପୁର’ଠାରେ ସେ ତାର ସ୍ତ୍ରୀକୁ ହରାଇଥିଲା । ହରଦ୍ଵାରରେ ରାଣୀ ରହୁଥିଲା ବେଳେ କଣ ହେଲା ତାହା କହିବା ନିଷ୍ପ୍ରୟୋଜନ; କିନ୍ତୁ ରାଣୀ ଉକ୍ତ ୨୮ ବର୍ଷ ବୟସ୍କ ଯୁବକ ସମ୍ପର୍କରେ ଆଗ୍ରହାନ୍ୱିତ ହୋଇ ପଡ଼ିଲେ । ରାଣୀ ବୟସରେ ଖାନ୍‌ଚାନ୍ଦଠାରୁ ୬ ବର୍ଷ ବଡ଼ ସେ ଖାନ୍‌ଚାନ୍ଦର ଆତ୍ମାଭିମାନକୁ ବହୁଭାବରେ ଉଜ୍ଜୀବିତ କରିବାକୁ ଲାଗିପଡ଼ିଲେ ।

 

ଖାନ୍‌ଚାନ୍ଦ ଉପରେ ତା ମାଲିକ ବିରକ୍ତ ହୋଇଥିବା କଥା ପୂର୍ବରୁ ଖାନ୍‌ଚାନ୍ଦକୁ ତାର ଜନୈକ ବନ୍ଧୁ ଦେଇ ଥିବା ଏକ ପତ୍ରରୁ ସ୍ପଷ୍ଟ ହୁଏ । ବସ୍ତୁତଃ ସେ ନଭେମ୍ବର ମାସରେ ଇସ୍ତଫା ଦେଇ ନିଜ ଚାକିରୀ ହରାଇଲା । କିନ୍ତୁ ରାଣୀ ଏହି ଅବସରରେ ଖାନ୍‌ଚାନ୍ଦ ପାଇଁ ନିଜ ପ୍ରାସାଦରେ ଚାକିରୀ କରିଦେବାକୁ ପ୍ରତିଶ୍ରୁତି ଦେଲେ । ନଭେମ୍ବର ମାସ ପରଠାରୁ ଖାନ୍‌ଚାନ୍ଦଙ୍କ ନିକଟକୁ ରାଣୀ ଲେଖିଥିବା ପତ୍ରମାନଙ୍କରୁ ଏକଥା ଜଣାପଡ଼େ । ଏହା ଛଡ଼ା ରାଣୀ ତା ପାଖକୁ ନିଜର ଏକ ଅବଗୁଣ୍ଠନହୀନ ଚିତ୍ର ମଧ୍ୟ ପଠାଇଥିଲେ । ଏଥିରୁ ହରଦ୍ଵାରଠାରେ ଉଭୟଙ୍କ ସମ୍ପର୍କ ଅତ୍ୟନ୍ତ ଆନ୍ତରିକ ହୋଇଥିବା ସ୍ପଷ୍ଟ ହୁଏ । ରାଣୀଙ୍କ ପତ୍ର ମଧ୍ୟରୁ କେତେକ ପଂକ୍ତିରେ ଖାନ୍‌ଚାନ୍ଦଙ୍କ ପ୍ରତି ତାଙ୍କର ଅନୁରାଗ ଓ ପ୍ରେମ ପ୍ରତିଫଳିତ ବୋଲି ସେସନ୍‌ସ ଜର୍ଜ ମଧ୍ୟ ମତ ଦେଇଥିଲେ ।

 

ତାଙ୍କ ସମଗ୍ର ପତ୍ରାବଳୀ ମଧ୍ୟରୁ କେତୋଟିକୁ ଛାଡ଼ିଦେଲେ ଅନ୍ୟ ସବୁଗୁଡ଼ିକ ସେଭଳି ସରସ ନୁହେଁ ଏବଂ ସେ ସବୁଥିରୁ ରାଣୀ ପୂର୍ବଭଳି ଖାନ୍‌ଚାନ୍ଦର ସ୍ମୃତିରେ ବିହ୍ୱଳ ହେଉଥିବାର ସୂଚନା ମିଳେ ନାହିଁ । ଅପର ପକ୍ଷରେ ତାଙ୍କର ପୂର୍ବତନ ପ୍ରେମିକ ଯେଭଳି ଭାଷାରେ ଚିଠି ଲେଖୁଥିଲେ ତାହା ତାଙ୍କୁ ବିରକ୍ତ କରୁଥିଲା ବୋଲି ମଧ୍ୟ ଜଣାପଡ଼େ । ବେଳେ ବେଳେ ରାଣୀ ଖାନ୍‌ଚାନ୍ଦ ପାଖକୁ ସାବୁନଟାଏ, ଔଷଧ ବା ଲୁଗା ପଟା କିଛି ପଠାଇ ଦେଉଥିଲେ । ନିଜର ଜଣେ ପ୍ରେମିକଙ୍କୁ ଜଣେ ଧନାଢ଼୍ୟ ମହିଳା ପ୍ରୀତ୍ୟୁପହାର ସ୍ଵରୂପ ଏହା ପଠାଉଥିଲେ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ । ଖାନ୍‌ଚାନ୍ଦ ଆନୁଷ୍ଠାନିକ ରୀତିରେ ଦରଖାସ୍ତ କଲେ ତାଙ୍କର ଜମିଦାରୀ ବୁଝୁଥିବା ଭାଇଙ୍କୁ କହି ରାଣୀ ଚାକିରୀ କରାଇ ଦେବେ ବୋଲି ମଧ୍ୟ ଏକାଧିକବାର ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ । ଗୋଟିଏ ପତ୍ରରେ ଖାନ୍‌ଚାନ୍ଦର ମୃତ ପତ୍ନୀ କଥା ଉଲ୍ଲେଖ କରି ସେ ଚାକିରୀ କଲେ ସହଜରେ ଅନ୍ୟ ଜଣକୁ ବିବାହ କରି ପାରିବେ ବୋଲି ରାଣୀ ପରାମର୍ଶ ଦେଇଥିଲେ । ଫେବୃଆରୀ ମାସରେ ରାଣୀ ଦେଇଥିବା ଏକ ପତ୍ରରେ ଖାନ୍‌ଚାନ୍ଦକୁ ଗାଁକୁ ଦୁଇମାସ ପାଇଁ ଯାଇ ସେଠାରେ ମାନସିକ ଅବସ୍ଥାର ପରିବର୍ତ୍ତନ ଘଟାଇ ଫେରି ଆସିଲେ ପୂର୍ବ କଥାମତେ ଚାକିରୀ କରାଇ ଦେବେ ବୋଲି ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ ଏବଂ ସେ ଅମୃତସର ଫେରିଲେ ଖାନ୍‌ଚାନ୍ଦ ଆଉ ରାଣୀଙ୍କ ଘରେ ରହି ପାରିବନାହିଁ ବୋଲି ଜଣାଇ ଦେଇଥିଲେ ।

 

ଖାନ୍‌ଚାନ୍ଦ ଆତ୍ମହତ୍ୟାର ଧମକ ଦେଇ ନିଜର ପ୍ରେମ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଥିଲା । ଫେବୃଆରୀ ୧୪ ତାରିଖରେ ହତାଶ ହୋଇ ସେ ରାଣୀଙ୍କ ନିକଟକୁ ଲେଖିଲା ‘‘ମୁଁ ତୁମକୁ ମୋର ଜୀବନ ଦେଇଛି....ମୋ ଜୀବନ ବିନିମୟରେ ଯଦି ତୁମର କାର୍ଯ୍ୟ ହାସଲ ହୁଏ ସେଥିପାଇଁ ମୁଁ କୁଣ୍ଠାବୋଧ କରିବି ନାହିଁ...ଦୁଃଖର କଥା ଯେ ତୁମ ହୃଦୟର ଭୃତ୍ୟକୁ ତୁମେ ଉପଯୁକ୍ତ ମୂଲ୍ୟ ଦେଇନାହଁ । ତୁମର ପାଦତଳେ ଜୀବନ ହାରିବାରେ ମୋର ଗର୍ବ; କାରଣ ତୁମେ ହିଁ ମୋ ଜୀବନର ସଞ୍ଚାର କରିଛ । ମୁଁ ଭୀଷଣ ଜ୍ୱରରେ ପଡ଼ିଛି ଏବଂ ଏବେବି ମୋତେ ଝାଡ଼ା ହେଉଛି । ମୁଁ ଏବେ ସମ୍ପୂର୍ଣ୍ଣ ନାଚାର ହୋଇ ପଡ଼ିଛି ଓ ମୃତ୍ୟୁ ଅପେକ୍ଷାରେ ରହି ତୁମର ନିର୍ଦ୍ଦେଶକୁ ଅପେକ୍ଷା କରିଛି । ତୁମେ ନିଜର ଇଚ୍ଛା ଅନୁଯାୟୀ କାର୍ଯ୍ୟ କର କିନ୍ତୁ ମୁଁ ସବୁଦିନ ପାଇଁ କିଛି ଗୋଟାଏ ନିଷ୍ପତ୍ତି ନେଇଯିବି । ତୁମର ନିର୍ଦ୍ଦେଶ ପାଇବାକୁ ଅପେକ୍ଷା କରି କରି ଯଦି ମୁଁ ଶେଷ ନିଃଶ୍ୱାସ ତ୍ୟାଗ କରେ ତେବେ ଭଲ ଅଥବା ଯଦି ଟ୍ରେନରେ ମୋ ପ୍ରାଣ ଛାଡ଼ିଯାଏ ତେବେ ବି କିଛି କ୍ଷତି ନାହିଁ । କିନ୍ତୁ ମୁଁ ଯଦି ଜୀବିତାବସ୍ଥାରେ ତୁମ ନିକଟରେ ପହଞ୍ଚେ ତେବେ ତୁମର ପାଦତଳେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିବା ମୋ ପକ୍ଷେ ଗୌରବର ବିଷୟ ହେବ । ମୁଁ ତୁମକୁ ସାକ୍ଷାତ୍‌ କରିପାରିବି ବୋଲି ଆଉ ଆଶା ରଖିନାହିଁ...ତୁମେ ମୋ ଉପରେ ଯଥେଷ୍ଟ ଅତ୍ୟାଚାର କରିପାର କିନ୍ତୁ ମୁଁ ବଞ୍ଚିଥିବା ଦିନଗୁଡ଼ାକ ବନାନୀର ପବନ ଭଳି ଅତିକ୍ରାନ୍ତ ହୋଇଯିବ । ଜଣେ ପାପୀ ଚାଲି ଗଲା ବୋଲି ଭାବି ତୁମେ ହୁଏତ ସ୍ୱସ୍ତିରେ ନିଃଶ୍ୱାସ ମାରିବ କିନ୍ତୁ ତାର ମୃତ୍ୟୁ ପାଇଁ ତୁମେ ହିଁ ଦାୟୀ ହେବ କିନ୍ତୁ ମୋ ମୁଣ୍ଡରୁ ଜଞ୍ଜାଳର ବୋଝ ଚାଲିଯିବ...ମୁଁ ନିନ୍ଦାର ଶିକାର ହୋଇଛି ମୃତ୍ୟୁ ହିଁ ମୋ ପକ୍ଷେ ଶ୍ରେୟସ୍କର । ମତେ ଆଉ ମିଛ ଆଶା ଦେଇ ବଞ୍ଚେଇ ରଖନାହିଁ । ସେଭଳି ଜୀବନ ଧରି ରହିବାପାଇଁ ମୋର ତିଳେହେଲେ ଇଚ୍ଛା ନାହିଁ । ମୁଁ ଯଦି ଏହି ରୋଗରେ ମରିଯାଏ ତ ଭଲ; କିନ୍ତୁ ହେ ଅତ୍ୟାଚାରିଣୀ ତୁମେ କାହିଁକି ଏକ ନିର୍ଦ୍ଦୋଷ ବ୍ୟକ୍ତିକୁ ହତ୍ୟା କରିବ । ହେ ମୋର ପ୍ରିୟତମା ତୁମେ ଯଦି ସନ୍ତୁଷ୍ଟ ହେବ ତେବେ ମୁଁ ମରିବି, ମରିବି, ମୁଁ ରାଣଖାଇ କହୁଛି ତୁମର ଆକସ୍ମିକ ବେଦନା ମୋ ପକ୍ଷେ ଅସହ୍ୟ । ମୁଁ ଏବେ ଖୁବ୍‌ ଅଶାନ୍ତିରେ ରହିଛି । ହେ ପ୍ରଭୁ ତୁମେ ମୋତେ ମାରି ନ ଦେଇ କାହିଁକି ବା ଦହଗଞ୍ଜ କରୁଛ....କେବଳ ମୃତ୍ୟୁ ହିଁ ମୋର କାମ୍ୟ । ହେ ଭଗବାନ ମୋତେ କେବଳ ଏହି ବରହିଁ ଦିଅ ।’’

 

ହରଦ୍ଵାରରେ ପୂର୍ବରୁ ଯାହା ହୋଇଥାଉନା କାହିଁକି ରାଣୀଙ୍କ ଆସକ୍ତି ଇତିମଧ୍ୟରେ ପୂରାପୂରି ଲୋପ ପାଇ ଯାଇଥିଲା କହିଲେ ଚଳେ । ତା ଆତ୍ମହତ୍ୟାର ଧମକ, କାଲ ଆଗରେ ମୂଳା ଚୋବାଇଲା ଭଳି ହେଲା । ଖାନ୍‌ଚାନ୍ଦର ବନ୍ଧୁତ୍ୱ ଓ ଘନିଷ୍ଠତା ରାଣୀଙ୍କ ପକ୍ଷେ ଅଡ଼ୁଆ ବୋଧ ହେଲା । ଅମୃତସରରେ ରାଣୀଙ୍କୁ ଭେଟିବାକୁ ଯାଇଥିଲା ବେଳେ ଖାନ୍‌ଚାନ୍ଦ ଯେପରି ବ୍ୟବହାର ପାଇଲା ସେଥିରୁ ଏହା ଅନୁମିତ ହୁଏ । ସେ ପ୍ରଥମେ ଅକ୍ଟୋବର ମାସରେ ଆସି ପ୍ରାୟ ଆଠ ଦଶ ଦିନ ରହିଥିଲା । ଯେତେବେଳେ ତାକୁ ପ୍ରାସାଦର ମୁଖ୍ୟ ଅତିଥି ଭବନରେ ରଖାଯାଇ ତା ପ୍ରତି ରାଜକୀୟ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ସେ ପୁଣିଥରେ ଅଧିକକାଳ ପାଇଁ ୧୯୧୧ ମସିହା ଜାନୁଆରୀ ମାସରେ ଆସିଥିଲା କିନ୍ତୁ ଏଥର ସେ ପୂର୍ବ ବ୍ୟବହାର ପାଇଲା ନାହିଁ । ତାକୁ ଏହିଥର ରାଣୀ ଉଆସ ନିକଟବର୍ତ୍ତୀ ‘ଚଉଘରା’ରେ ରଖାଗଲା ନାହିଁ । ବିଚାରା ରାଣୀ ମଧ୍ୟ ତାଙ୍କର ପୂର୍ବତନ ପ୍ରେମିକ ପ୍ରତି ବିଶେଷ ଆଗ୍ରହ ପ୍ରକାଶ ନ କରି ସେ ପ୍ରାସାଦରେ ଥିଲାବେଳେ ‘‘ମାନିଆ’’କୁ ଗୋଟିଏ ସପ୍ତାହ ପାଇଁ ବୁଲି ଚାଲିଗଲେ ।

 

ଜାନୁଆରୀ ଶେଷ ଆଡ଼କୁ ସେ ଗଲାବେଳେ ରାଣୀଙ୍କୁ ପୁଣି ଥରେ ଆସିବ କି ନାହିଁ ବୋଲି ପଚାରି ତାଙ୍କୁ ବିରକ୍ତ କରିଥିଲା ଏବଂ ଏଇଥର ସ୍ପଷ୍ଟଭାବରେ ତାକୁ ଆସିବାକୁ ରାଣୀ ମନା କରିଦେଲେ । ଖାନ୍‌ଚାନ୍ଦ କିନ୍ତୁ ରାଣୀଙ୍କ କଥାକୁ ଅବଜ୍ଞା କରି ଫେବୃୟାରୀ ୧୯ ତାରିଖ ଅପରାହ୍ନ ୫ଟା ବେଳେ ଫେର ସେଠାରେ ପହଞ୍ଚିଲା l ରାଣୀ କିନ୍ତୁ ଏଇଥର ଅତି ବିରକ୍ତ ହୋଇ ତାକୁ ଦେଖା କରିବାକୁ କିମ୍ବା ହାବେଳୀରେ ରହିବାକୁ ମନା କରିଦେଲେ ଏବଂ ତାକୁ ତୁରନ୍ତ ପ୍ରାସାଦରୁ ବାହାରି ଯିବାଲାଗି କହିଲେ । ଖାନ୍‌ଚାନ୍ଦ ଯିବାକୁ ମନା କରିଦେଲା ଏବଂ ମୁଖ୍ୟ ଫାଟକ ପାଖରେ ବସି ଧାରଣା ଦେବ ବୋଲି ଧମକ ଦେଲା । ଏଥିରେ ରାଣୀ ସ୍ଵାଭାବିକଭାବେ ରାଗିଗଲେ; କିନ୍ତୁ ତାକୁ ଜବରଦସ୍ତ ସେଠାରୁ ତଡ଼ିଦେଲେ । ସେ ବାହାରେ କୁତ୍ସାରଟନା କରିପାରେ ବୋଲି ଆଶଙ୍କା କଲେ-

 

ତା ପରଦିନ ରାତିରେ ଖାନ୍‌ଚାନ୍ଦ ଗୋଟିଏ ଗିଲାସ ଦୁଧରେ ଧଳା ଶଙ୍ଖୁଆ ବିଷ ପିଇ ମରିଗଲା । ଘରର ଚାକର ଚାକରାଣୀମାନେ ତାର ଆର୍ତ୍ତ ଚିତ୍‌କାର ଶୁଣିଲେ; କିନ୍ତୁ ସେମାନଙ୍କ ଭିତରେ କୌଣସି ସହାନୁଭୂତି ପ୍ରକାଶ ପାଇଲା ନାହିଁ । ତା ପରଦିନ ଭୋରରୁ ରାଣୀ ଓ ତାଙ୍କର ଭୃତ୍ୟମାନେ ଶବକୁ କେଉଁ ଆଡ଼େ ଫିଙ୍ଗି ଦେବାପାଇଁ ନେଇ ଯାଉଥିବାବେଳେ ଗିରଫ ହେଲେ ।

 

ଏହା କଣ ହତ୍ୟା ନା ଆତ୍ମହତ୍ୟା ? ତଦନ୍ତ ବେଳେ ରାଣୀଙ୍କ ଘରୁ ସାତ ପ୍ୟାକେଟ ହଳଦିଆ ଶଙ୍ଖୁଆ ବିଷ ବାହାରିଥିବାରୁ ଏହାକୁ ଏକ ହତ୍ୟାକାଣ୍ଡରୂପେ ଅଭିହିତ କରିବାରେ କିଛି ବାଧା ରହିଲା ନାହିଁ । ଶବ ବ୍ୟବଚ୍ଛେଦରୁ ଜଣାଗଲା ଯେ ଖାନ୍‌ଚାନ୍ଦ ଧଳା ଶଙ୍ଖୁଆ ବିଷ ଖାଇ ମରିଛି । ରାଣୀଙ୍କ ପାଖରେ ଥିବା ଧଳା ଶଙ୍ଖୁଆ ବିଷ ଦେଇ ଖାନ୍‌ଚାନ୍ଦକୁ ହତ୍ୟା କରାଯାଇଥିବା କଣ ସମ୍ଭବ ନୁହେଁ ?

 

ସେସନ୍‌ସ ଜଜ ଏହି ଘଟଣାରେ ରାଣୀଙ୍କୁ ଦୋଷୀ ସାବ୍ୟସ୍ତ କରି ମତ ଦେଲେ ଯେ, ରାଣୀଙ୍କ ନିର୍ଦ୍ଦେଶ ବିନା ଖାନ୍‌ଚାନ୍ଦ ଯେଉଁଠି ମରି ପଡ଼ିଥିଲା ସେଠିକି ଯିବା ତା ପକ୍ଷେ ସମ୍ଭବ ହୋଇ ନଥାନ୍ତା । ସେହିଭଳି କୌଣସି ଲୋକ ସଶସ୍ତ୍ର ଡକାଏତି ଉଦ୍ଦେଶ୍ୟରେ କୋଠାରେ ପ୍ରବେଶ କରି ନଥିଲେ ଖାନ୍‌ଚାନ୍ଦ ଯେଉଁଠି ପଡ଼ିଥିଲା ସେଠି ପହଞ୍ଚିବା ଅସମ୍ଭବ ହୋଇଥାନ୍ତା ଏବଂ ଏହି କ୍ଷେତ୍ରରେ ସେଠାକୁ ତାକୁ ଯିବା ନିମନ୍ତେ ସ୍ଵୟଂ ରାଣୀ ହିଁ ଅନୁମତି ଦେଇଥିବା ନିଶ୍ଚିତ । ଜଜ ତାଙ୍କ ରାୟରେ ଆହୁରି କହିଥିଲେ ରାଣୀ ନିଜେ ଖାନ୍‌ଚାନ୍ଦକୁ ନିଜର ଖାସ୍‌ କାମେରା ଭିତରକୁ ଡାକିନେଇ ସେଠାରେ ତାକୁ ଗିଲାସେ ଦୁଧରେ ଶଙ୍ଖୁଆ ମିଶାଇ ପିଇବାକୁ ଦେଇଥିଲେ ଯାହା ଫଳରେ କି ତାର ମୃତ୍ୟୁ ହେଲା । ଏହା ସପକ୍ଷରେ ମିଳୁଥିବା ପ୍ରମାଣପତ୍ର ଏଭଳି ଦୃଢ଼ ଯେ, ଏହାକୁ ଅସ୍ୱୀକାର କରାଯିବା ଏକ ଅସାଧାରଣ କଥା ।

 

ଫେବୃଆରୀ ୨୦ ତାରିଖ ରାତିରେ ପ୍ରକୃତରେ ସେଠାରେ କ’ଣ ହୋଇଥିଲା ସେ ସମ୍ପର୍କରେ ମାନ୍ୟବର ଜଜ ନିମ୍ନମତେ ପ୍ରାଞ୍ଜଳଭାବେ ନିଜର ମତ ଦେଇଛନ୍ତି । ଏଥିରୁ ଅବଶ୍ୟ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ମିଳୁନାହିଁ ।

 

‘‘ମୋ ମତରେ ଯାହାସବୁ ଘଟିଗଲା ସେଥିରେ ସନ୍ଦେହ କରିବାର କିଛି ନାହିଁ । ସେ ଫେରିବ ନାହିଁ ବୋଲି ଜାଣିବା ପରେ ତାକୁ ସବୁଦିନ ପାଇଁ ବିଦାୟ ଦେବାକୁ ରାଣୀ ମନସ୍ଥ କଲେ । ତେଣୁ ରାଣୀ ତାକୁ ନିଜ ଉଆସର ପାହାଚ ପାଖକୁ ଡକାଇ ପଠାଇଲେ ଏବଂ ପୁଣିଥରେ ସେ ସୌଭାଗ୍ୟଲାଭ କରିବା ଆଶାରେ ସେଠାକୁ ଯାଇ ବହୁ ସମୟଧରି ଭୋକରେ ରହିଥିବାରୁ ଆନନ୍ଦରେ ଦୁଧ ଗିଲାସକ ପିଇଦେଲା । ଏହାର କିଛିକ୍ଷଣ ପରେ ସେ ଯନ୍ତ୍ରଣାରେ ଛଟପଟ ହୋଇଥିବ । ଯନ୍ତ୍ରଣାରେ ଛଟପଟ ହୋଇ ସେ ଫେରିବାକୁ ବସିଲା ବେଳେ ପଛପଟ ଦ୍ଵାର ବନ୍ଦ ହୋଇ ଥିବାର ଦେଖିଥିବ ଏବଂ ଦୁଃଖରେ ସେ ଛାତ ଉପରେ ଦୌଡ଼ି ତଳ ମହଲାରେ ଥିବା ଚାକରମାନଙ୍କର ସାହାଯ୍ୟ ଲୋଡ଼ି ପାଟି କରିଥିବ । ଶେଷରେ ସେ ପାରାପେଟ ପାଖରେ ଅଧିକ କ୍ଷଣ ଠିଆହୋଇ ନ ପାରି ପଡ଼ିଯାଇଥିବ ଏବଂ ବିଷ ଖାଇବାର ଘଣ୍ଟାକ ପରେ ମରିଯାଇଥିବ । ଏହା ପରେ ରାଣୀ ସେ ସ୍ଥାନକୁ ଯଥାସମ୍ଭବ ପରିଷ୍କାର କରିଥିବେ ଓ ଶବକୁ ସୁବିଧାରେ କୁଆଡ଼େ ନେବା ପର୍ଯ୍ୟନ୍ତ ନିଜର ଭିତର ଘରେ ରଖିଥିବେ; କିନ୍ତୁ ଏଥିରୁ ଖାନ୍‌ଚାନ୍ଦ ପିଣ୍ଡା ତଳକୁ କିପରି ଗଲା ତାହା ସ୍ପଷ୍ଟ ହେଉନାହିଁ ।

 

ଏହି ଅଭିଯୋଗରେ ରାଣୀ ଭଗବାନ କାଉରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁ ଦଣ୍ଡାଦେଶ ହେଲା ।

 

କିଛିଟା ମୁଲତବୀ ପରେ ପଞ୍ଜାବ ମୁଖ୍ୟ ଅଦାଲତରେ ଏହାର ଅପିଲ ୧୯୧୧ ମସିହା ଜୁଲାଇ ୩ ତାରିଖ ଦିନ ଶୁଣାଣି ପାଇଁ ଆଗତ ହେଲା । ଏହି ଅପିଲର ବିଚାର ଲାଗି ମନୋନୀତ ହୋଇଥିବା ଦୁଇ ଜଣ ବିଚାରପତିଙ୍କର ନାମ ହେଲା ବିଚାରପତି କେନସିଂଗଟ୍‌ବ ଓ ରାଟିଗାନ୍‌ । ରାଣୀ ଓ ତାଙ୍କର ଭୃତ୍ୟଙ୍କ ପାଇଁ ଲାହୋର ବାର୍‌ର ପ୍ରଖ୍ୟାତ ଆଇନ୍‌ଜୀବୀ ଶ୍ରୀ ଆର .ବି ସାଦିଲାଲ, ଏବଂ ଲାଲା ରଉମାନ୍‌ ଲାଲ ଓ ପଣ୍ଡିତ କେ. ଶାନ୍ତନମ୍‌ ଏବଂ କ୍ରାଉନ୍‌ ପକ୍ଷରୁ ଶ୍ରୀ (ପରେସାର) ଆସାନ୍‌ ବ୍ରଜରେ ମକଦ୍ଦମା ଲଢ଼ୁଥିଲେ ।

 

ଏହି ଅପିଲର ବିଚାର କଲାବେଳେ କୋର୍ଟ ଅତି ଦକ୍ଷତାର ସହିତ ତିଆରି ହୋଇଥିବା ଉକ୍ତ ଘର ମଡ଼େଲର ସାହାଯ୍ୟ ନେଇଥିଲେ । ଏହି ମଡ଼େଲରେ ପ୍ରକୃତ ଘରର ଯେଉଁଠି ଯାହା ଥିଲା ତାହା ତନ୍ନତନ୍ନ ଭାବେ ଦେଖାଇ ଦିଆଯାଇଥିଲା । ଆଇନଜ୍ଞମାନଙ୍କ ଅନୁରୋଧକ୍ରମେ କୋର୍ଟ ପ୍ରକୃତ ଘର ମଧ୍ୟ ଯାଇ ତଦାରଖ କରିଥିଲେ ।

 

ଅଦାଲତର ବିଚାର୍ଯ୍ୟ ବିଷୟ ଥିଲା ପ୍ରକୃତରେ ଖାନ୍‌ଚାନ୍ଦକୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛି ।

 

ପ୍ରତ୍ୟକ୍ଷ ପ୍ରମାଣ କିଛି ନ ଥିଲେ ବି ଏଭଳି ଦୃଢ଼ ପାରିପାର୍ଶ୍ୱିକ ପ୍ରମାଣମାନ ରହିଥିଲା, ଯେଉଁଥିରୁ ତାକୁ ହତ୍ୟା କରାଯାଇଥିବ ବୋଲି ସହଜରେ ଅନୁମିତ ହେବ । ପ୍ରଶ୍ନ ହେଉଛି ଏ ଘଟଣାରେ ଆତ୍ମହତ୍ୟା କରିଥିବାର ସମ୍ଭାବନାକୁ ଏଡ଼ାଇ ଦେଇ ମକଦ୍ଦମାର ବିଷୟବସ୍ତୁ (ଯାହାକି ହତ୍ୟା ପ୍ରମାଣିତ କରିବାପାଇଁ ଉଦ୍ଦିଷ୍ଟ) ବିଚାର କରି ସିଦ୍ଧାନ୍ତରେ ପହଞ୍ଚିବା ସମୀଚୀନ ହେବ କି ନାହିଁ-। ବିଚାର ଶେଷରେ ଏହା ଆତ୍ମହତ୍ୟା କି ହତ୍ୟା ତାହା କହିବା ଅସମ୍ଭବ ବୋଲି ଆସେସରମାନେ ମତଦେଲେ । ବିଜ୍ଞ ସେସନ୍‌ସ ଜଜ୍‌ ବିଚାରପତିମାନଙ୍କ ସତର୍କ ସନ୍ଦେହକୁ ବିଚାରକୁ ନ ନେଇ ହତ୍ୟା ଅଭିଯୋଗକୁ ସାବ୍ୟସ୍ତ କରିଥିଲେ । ସେ ତାଙ୍କର ସିଦ୍ଧାନ୍ତରେ ଉପନୀତ ହେବାପାଇଁ ବହୁ ଅନୁମାନର ଆଶ୍ରୟ ନେଇଥିଲେ । ତାଙ୍କର ପ୍ରତ୍ୟେକ ବିଚାରକୁ ଆବେଦନକାରୀଙ୍କ ଓକିଲମାନେ ତନ୍ନତନ୍ନ କରି ପରୀକ୍ଷା କରିବା ଫଳରେ ଏହା ତ୍ରୁଟିପୂର୍ଣ୍ଣ କିମ୍ବା ଅସ୍ଥିର ସିଦ୍ଧାନ୍ତ ବୋଲି ଜଣାପଡ଼ିଲା ।

 

ମଡ଼େଲ ପରୀକ୍ଷାରୁ ଜଣାଗଲା ଯେ, କୋଠାର ଛାତକୁ ଯିବାପାଇଁ ଅନ୍ତତଃ ତିନୋଟି ବାଟଥିଲା ଯାହା ଖାନ୍‌ଚାନ୍ଦ ତାର ପୂର୍ବ ଅଭିଜ୍ଞତାର ଜାଣିଥିବା ସମ୍ଭବ । ତେଣୁ ଛାତକୁ ଯିବାରେ ତାର କିଛି ଅସୁବିଧା ହୋଇ ନ ଥିବ ।

 

ଆବେଦନକାରୀ ପକ୍ଷ ଓକିଲଙ୍କ ଯୁକ୍ତି ଖାନ୍‌ଚାନ୍ଦ କେବଳ ଛାତକୁ ଯାଇଥିବା ମୁଖ୍ୟ ସିଡ଼ି ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲା ଏବଂ ସେଠାରୁ ଏକ ଦ୍ଵାରବାଟେ (ଯାହା କି ସର୍ବଦା ଚାକରମାନଙ୍କ ବ୍ୟବହାର ଲାଗି ଖୋଲା ରହିବା ସ୍ଵାଭାବିକ) ସେ ପାଟିକରି ଡାକ ପକାଇଥିବା ସ୍ଥାନକୁ ଯାଇଥିଲା-।’’ ଅଦାଲତ ଗ୍ରହଣ କରିଥିଲେ । ଯେ କେହି ଲୋକ ସେହି ପ୍ରାସାଦର ପ୍ରଧାନ ଅତିଥିଶାଳାରେ ରହିଲେ (ଯେପରିକି ଖାନ୍‌ଚାନ୍ଦ ରହିଥିଲା) ସେ ମୁଖ୍ୟ ସିଡ଼ି ବିଷୟରେ ଅବଗତ ହେବ ଏବଂ ଏହି ଯୁକ୍ତିକୁ ପୂରାପୂରି ଉଡ଼େଇ ଦେଲେ ବି ଘଟଣାସ୍ଥଳକୁ ଯିବାପାଇଁ ଅନ୍ୟ ଦୁଇଟି ବାଟ ରହିଛି ଯେଉଁ ବାଟ ଦେଇ କି ଅଜଣା ଲୋକ ମଧ୍ୟ ଇଚ୍ଛାକଲେ ଛାତକୁ ଯାଇପାରିବ । ଏହିସବୁ ଯୁକ୍ତି ଗ୍ରହଣଯୋଗ୍ୟ ହେଲା ।

 

ବିଚାରପତି ରାଚିଗାନ୍‌ ତାଙ୍କ ରାୟରେ କହିଲେ—ଖାନ୍‌ଚାନ୍ଦକୁ ରାଣୀ ବା ତାଙ୍କର କୌଣସି ପରିଚାରିକା ଉପର ମହଲସ୍ଥ ତାଙ୍କ ପ୍ରକୋଷ୍ଠକୁ ଯିବା ନିମନ୍ତେ ସେହି ରାତିରେ ନିମନ୍ତ୍ରଣ କରିଥିବା କିମ୍ବା ରାଣୀ ବା ତାଙ୍କର ପରିଚାରିକା ତାକୁ ବିଷ ମିଶ୍ରିତ ଦୁଧ ପିଇବାକୁ ଦେଇଥିବା ସପକ୍ଷରେ ପ୍ରମାଣ ତ ନାହିଁ ସାକ୍ଷ୍ୟ ମଧ୍ୟ ନାହିଁ । ଏହାଛଡ଼ା ସୁନ୍ଦର ଦାସର ସାକ୍ଷ୍ୟ ମଧ୍ୟ ରହିଛି ଯିଏ କି ରାଣୀ ବା ତାଙ୍କ ପରିଚାରିକାଙ୍କଠାରୁ ଖବର ପାଇଲା ପରେ ତାକୁ ଖାନ୍‌ଚାନ୍ଦ ତାର ପୂର୍ବ ପରିଚିତ ପଥରେ ଉପରକୁ ଯାଇଛି ବୋଲି ଅଭିଯୋଜନା (ପ୍ରସିକ୍ୟୁସନ) ସପକ୍ଷରେ କହିଦାରୁ ନିବୃତ୍ତ ହୋଇଗଲା । ନିହତବ୍ୟକ୍ତି ରାଣୀଙ୍କ ଦ୍ୱାରା ପ୍ରଲୋଭିତ ହୋଇ ଉପରମହଲାକୁ ଯାଇଥିଲେ ସେ ପାଟି କରି ରାଣୀ ବିଷ ଦେଇଥିବାର ଅଭିଯୋଗ କରିଥାନ୍ତା । ବସ୍ତୁତଃ ମୁଁ ନିଜର ସୀମା ଅତିକ୍ରମ ନ କରି ଏହା ମଧ୍ୟ ଅନୁମାନ କରୁଛି ଯେ ତାକୁ ଯଦି ବିଷ ପ୍ରୟୋଗ କରାଯାଇଥାନ୍ତା ସେ ନିଶ୍ଚୟ ପାଟିତୁଣ୍ଡ କରି ହାଲ୍ଲା ଉଠେଇ ଥାନ୍ତା ଓ ପଡ଼ୋଶୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତା । ତା ପରେ ବାତ୍ରିଆନ ଲେନରେ ରହୁଥିବା ଲୋକଙ୍କୁ ପାଟି କିରି ଡାକିବା ଖୁବ୍‌ ସହଜ ହୋଇଥାନ୍ତା ଏବଂ ରାଣୀ ଯଦି ତାକୁ ବିଷ ଦେଇଥାନ୍ତେ ତେବେ ସେ ତାଙ୍କର ଭୃତ୍ୟମାନଙ୍କୁ ସାହାଯ୍ୟ ପାଇଁ ନ ଡାକି ପାଖ ପଡ଼ିଶାକୁ ପାଟି କରି ଡାକ ପକାଇଥାନ୍ତା । ସେ ପାଟି କରି ଚାକରମାନଙ୍କୁ ଡାକୁ ବା ସାହି ପଡ଼ିଶା ଲୋକକୁ ଡାକୁ ସେ ରାଣୀଙ୍କ ବିରୁଦ୍ଧରେ ଦୋଷାରୋପ କରିବାକୁ ଆଦୌ କ୍ଷାନ୍ତ ହୋଇ ନଥାନ୍ତା ।

 

ଶଙ୍ଖୁଆ ବିଷ ସମ୍ପର୍କରେ ସେସନ୍‌ସ ଜଜ୍‌ ଗୋଟିଏ ବିଷୟ ଉପରେ ଗୁରୁତ୍ୱ ଦେଇଥିଲେ-। ତାହା ହେଉଛି ରାଣୀଙ୍କ କୋଠରୀର ଆଲମାରୀରେ ୫ଟି ଛୋଟ ପୁଡ଼ିଆରେ ହଳଦିଆ ଶଙ୍ଖୁଆ ବିଷ ରହିଥିବା ରସାୟନ ପରୀକ୍ଷକମାନେ ଆବିଷ୍କାର କରିଥିଲେ । ଖାନ୍‌ଚାନ୍ଦକୁ ଧଳା ଶଙ୍ଖୁଆ ବିଷ ଦେଇ ମରାଯାଇଥିଲା, ଏହା ନିଃସନ୍ଦେହ । ରାଣୀ ହଳଦିଆ ଶଙ୍ଖୁଆ ରଖିଥିବାରୁ ସେ ଧଳା ଶଙ୍ଖୁଆ ଆଣି ରଖିଥିବା ମଧ୍ୟ ସମ୍ଭବ ଏବଂ ସେ ଏହି ବିଷ ଖାନ୍‌ଚାନ୍ଦକୁ ଦେଇଥିଲେ ବୋଲି ସେସନ୍‌ସ ଜଜ୍‌ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ତାହା ଏକ ସ୍ଥିର ସିଦ୍ଧାନ୍ତ ନୁହେଁ ବୋଲି ପ୍ରମାଣିତ ହୋଇଗଲା, ଅଦାଲତର ରାୟ ଅନୁଯାୟୀ ।

 

ଖାନ୍‌ଚାନ୍ଦ ଜଜ୍‌ ସାଙ୍ଗରେ ଧଳା ଶଙ୍ଖୁଆ ଆଣିଥିବା ସନ୍ଦେହ କରାଯାଇ ନ ପାରେ ବୋଲି ସେସନ୍‌ସ ଜଜ୍‌ ଯେଉଁ ସିଦ୍ଧାନ୍ତ କରିଛନ୍ତି ଆମେ ସେଥିସହ ଏକମତ ନୋହୁଁ । ସେ ଏଭଳି ଅନୁମାନ କରିବାର କାରଣ ହେଉଛି ନିହତ ବ୍ୟକ୍ତିର ପକେଟରୁ ଶଙ୍ଖୁଆର ଚିହ୍ନ ବର୍ଣ୍ଣ ମଧ୍ୟ ମିଳି ନଥିଲା । ଶଙ୍ଖୁଆ ବିଷ ଆବିଷ୍କାର କରିବା ଲକ୍ଷ୍ୟ ନେଇ ତାର ପକେଟ ଖୋଜାଯାଇ ଥିବାର କୌଣସି ସୂଚନା ନାହିଁ । ଏହା ବି ଯଦି ହୋଇଥାଏ ତେବେ ହଳଦିଆ ଶଙ୍ଖୁଆ ଥିବା ପୁଡ଼ିଆ ଭଳି ଅନ୍ୟ ଏକ ପୁଡ଼ିଆରେ ସେ ଧଳା ଶଙ୍ଖୁଆ ଆଣିଥିବ ବୋଲି କାହିଁକି କୁହା ନ ଯିବ ଆମେ ତାର କିଛି କାରଣ ଦେଖି ପାରୁନାହୁଁ । ଖୁବ୍‌ ବେଶୀ ଏକ ପାନ ଶଙ୍ଖୁଆ ଏତିକି ଟିକିଏ ଜାଗାରେ ରହିଯିବ, ତେଣୁ ଦେଢ଼ଦିନ ପରେ ତାର ଅବଶିଷ୍ଟାଂଶ ଆବିଷ୍କାର କରିବା କଷ୍ଟକର ଏବଂ ତାର ଅବଶିଷ୍ଟାଂଶ ନ ରହିବାର ମଧ୍ୟ ସମ୍ଭାବନା ରହିଛି ।

 

ତେଣୁ ବେଞ୍ଚ ସର୍ବସମ୍ମତି କ୍ରମେ ଅପିଲ ସମ୍ପର୍କରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ।

 

‘‘ଏଭଳି ଏକ ମକଦ୍ଦମା ଯେଉଁଠି କି ସିଧାସଳଖ ସାକ୍ଷ୍ୟ ବା ପ୍ରମାଣର ମାତ୍ରା ଖୁବ୍‌ କମ୍‌ ସେଥିରେ କେଉଁ ପରିସ୍ଥିତିରେ ଖାନ୍‌ଚାନ୍ଦ ମୃତ୍ୟୁର ସମ୍ମୁଖୀନ ହେଲା ତାହା ନିର୍ଦ୍ଦିଷ୍ଟ ଭାବେ ବ୍ୟକ୍ତ କରିବାକୁ ଆମ୍ଭେମାନେ ଅକ୍ଷମ । ଆମେ କେବଳ ଏତିକି ମାତ୍ର କହିପାରୁ ଯେ ଆମ ମତରେ ଅଭିଯୋଜନା ଯେ ସେ ଆତ୍ମହତ୍ୟା ଆଶଙ୍କାକୁ ପୂରାପୂରି ବିଚାରରୁ ବାଦ ଦେଇ କେବଳ ଏହାକୁ ହତ୍ୟା କରାଯାଇଛି କି ନା ତାହା ବିଚାର କରିବା ଲାଗି ଆମକୁ ବାଧ୍ୟ କଲାଭଳି ପ୍ରମାଣପତ୍ର ପ୍ରସ୍ତୁତ କରାଯାଇ ପାରିନାହିଁ । ଅପିଲର ଉଦ୍ଦେଶ୍ୟ ପାଇଁ ଏହା ଯଥେଷ୍ଟ ହେବ; କିନ୍ତୁ ଆମେ ଏଠାରେ ସ୍ପଷ୍ଟଭାବରେ କହିବାକୁ ଚାହୁଁ ଯେ ଆମ ମତରେ ଖାନ୍‌ଚାନ୍ଦ ଆତ୍ମହତ୍ୟା କରିଥିବା ଅଧିକ ସମ୍ଭବ । ସେ ଯାହାହେଉ ଅଭିଯୋଜନା ଯାହା ପ୍ରମାଣିତ କରିବାରେ ବିଫଳ ହୋଇଛି ତାହା ଅର୍ଥାତ୍‌ ଆବେଦନକାରୀ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ଅଥବା ତାଙ୍କ ପ୍ରରୋଚନାରେ ଏହା ହୋଇଛି ବୋଲି ଧରି ନିଆଯାଏ । ତେବେ ମଧ୍ୟ ସେ ହାବେଳିକୁ ଆସିଥିବା ବେଳେ ଯେପରିଭାବେ ରାଣୀଙ୍କଠାରୁ ବ୍ୟବହାର ପାଇଥିଲା ସେଥିରେ ଯେଭଳି ଭାବେ ରାଣୀଙ୍କ ପରିଚାରିକା ତଳୁ ଉପର ମହଲାକୁ ଡାକିନେଲେ ବୋଲି ସେସନ୍‌ସ ଜଜ୍‌ଙ୍କ ରାୟରେ କୁହାଯାଇଛି, ତାହା ଖାନ୍‌ଚାନ୍ଦର ମନରେ ସନ୍ଦେହ ସୃଷ୍ଟି କରି ନଥିବ ବୋଲି ଭାବିବା ଅସ୍ୱାଭାବିକ । ସେହିଭଳି ଦୁର୍ବ୍ୟବହାର ପରେ ତାକୁ ଯେତେବେଳେ ଗିଲାସେ ଦୁଧ ପିଇବା ପାଇଁ ଦିଆଗଲା ସେତେବେଳେ ତା ମନରେ ଅଧିକ ସନ୍ଦେହ ସୃଷ୍ଟି ହୋଇଥାନ୍ତା; କାରଣ ବିନା ହୋ ହଲ୍ଲାରେ ତାକୁ ପୂର୍ବରୁ ହତାରୁ ନିକାଲି ଦେବାକୁ ଉଦ୍ୟମ ହୋଇଥିଲା ।

 

ଜୁଲାଇ ୮ ତାରିଖ ଦିନ ରାଣୀ ଭଗବାନ କାଉର ଖଲାସ ହେଲେ । ତାଙ୍କର ଦୁଇଜଣ ପରିଚାରିକା ଥାନ୍ତି ଓ ରାଣୀ ମଧ୍ୟ ସେହିଦିନ ସ୍ୱାଧୀନ ହେଲେ । ସେହି ଦୁଇ ଜଣ ପରିଚାରିକାଙ୍କ ସମ୍ପର୍କରେ ଅଦାଲତ ନିମ୍ନମତେ କୌତୂହଳପୂର୍ଣ୍ଣ ରାୟ ଦେଇଥିଲେ ।

 

ମୂଳ ମକଦ୍ଦମାରେ ଆମେ ଖାନ୍‌ଚାନ୍ଦ ଆତ୍ମହତ୍ୟା କରିଥିବା ଅଧିକ ସମ୍ଭବ ବୋଲି ମତାମତ ଦେଇଥିଲୁ । ପରିସ୍ଥିତି ଦୃଷ୍ଟିରୁ ଆବେଦନକାରୀଙ୍କ ବିରୁଦ୍ଧରେ ହୋଇଥିବା ଦଣ୍ଡାଦେଶ କାଏମ ରଖିବା ଅସମ୍ଭବ । ଆଇ.ପି.ସି.ର ୩୦୯ ଧାରା ଅନୁଯାୟୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଦଣ୍ଡନୀୟ କିମ୍ବା ଆଇନରେ ଏଭଳି କୌଣସି ଧାରା ନାହିଁ ଯେଉଁଥିରେ କି ଆତ୍ମହତ୍ୟାକୁ ଏକ ଅପରାଧରୂପେ ବର୍ଣ୍ଣନା କରାଯାଇଛି । ଏ କ୍ଷେତ୍ରରେ ଅପରାଧୀକୁ ଆଇନ ପରିସର ଭିତରକୁ ଆଣିବା ନିମନ୍ତେ କେହି ନ ରହିବାରୁ ଏପରି କରାଯାଇଥିବା ସୁସ୍ପଷ୍ଟ । ୨୦୧ ଧାରାର ବିଶେଷତ୍ଵ ବା ନିର୍ଦ୍ଦେଶ ହେଉଛି ଯେ କୌଣସି ଅପରାଧୀକୁ ଦଣ୍ଡ ପାଇବାରୁ ବଞ୍ଚିତ କରିବା ପାଇଁ ସାକ୍ଷ୍ୟ ବା ପ୍ରମାଣ ନଷ୍ଟ କରିଦେବା ଭଳି କୌଣସି ଉଦ୍ୟମ କରାଯିବା ବାଞ୍ଛନୀୟ ନୁହେଁ । ଆମେ ଆଇନକୁ ଏହି ଅର୍ଥରେ ଗ୍ରହଣ କରି ମତ ଦେଉଛୁ ଯେ ନିହତ ହୋଇଛି ବୋଲି ପ୍ରମାଣିତ ହୋଇ ପାରି ନ ଥିବା ଏକ ବ୍ୟକ୍ତିର ଶବକୁ ସ୍ଥାନଚ୍ୟୁତ କରିବା ବା ଲୁଚାଇ ରଖିବା ୨୦୧ ଧାର ଅନୁଯାୟୀ ଏକ ଅପରାଧ ନୁହେଁ ।

Image

 

ଦିଓ୍ୱାନ ମୁଲରାଜଙ୍କ ବିଚାର

 

ଶ୍ରୀ ଭାନସ୍‌ ଆଗ୍ନିଭ ଓ ଲେଫଟନାଣ୍ଟ ଆଣ୍ଡରସନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଏକ ସାମରିକ ଅଦାଲତରେ ମୁଲତାନର ରାଜ୍ୟପାଳ ଦେଓ୍ୟାନ ମୁଲରାଜଙ୍କର ଯେଉଁ ବିଚାର ହୋଇଥିଲା ତାହା ଭାରତୀୟ ଇତିହାସରେ ସବୁଠାରୁ ବଳି ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେଟ ଟ୍ରାଏଲ । ଏହି ବିଚାର ବେଳେ କେଉଁ ପରିସ୍ଥିତିରେ ମୁଲତାନରେ ୧୮୪୮ ମସିହାରେ ବିଦ୍ରୋହର ସୂତ୍ରପାତ ହୋଇ ତାହା ଦ୍ଵିତୀୟ ଶିଖଯୁଦ୍ଧରେ ପରିଣତ ହେଲା ଏବଂ ତାହାର ଫଳ ସ୍ୱରୂପ ମହାରାଜା ଦଲୀପ ସିଂହଙ୍କ ରାଜ୍ୟ ଭାରତସ୍ଥିତ ବ୍ରିଟିଶ ସାମ୍ରାଜ୍ୟ ସହ ସାମିଲ ହୋଇଗଲା । ତାହା ପ୍ରକାଶ ପାଇଥିଲା ।

 

ଦିଓ୍ୟାନ ମୁଲରାଜ, ଦିଓ୍ୟାନ ସଓ୍ୱାନ ମଲ୍ଲଙ୍କର ବଞ୍ଚି ରହିଥିବା ୫ ଜଣ ପୁତ୍ରଙ୍କ ମଧ୍ୟରେ ବଡ଼ ହୋଇ ଥିବାରୁ ପିତାଙ୍କ ମୃତ୍ୟୁପରେ ୧୮୪୪ ମସିହାରେ ସେ ମୁଲତାନ ‘ନାଜିମେତ’ର ଉତ୍ତରାଧିକାରୀ ହେଲେ । ସିଂହାସନ ଆରୋହଣ କଲାବେଳକୁ ତାଙ୍କର ରାଜ୍ୟ ବର୍ତ୍ତମାନର ମୁଲତାନ, ଝାଙ୍ଗଡ଼େରା ଇସମାଇଲ ଖାଁ ଡେରା ଘାଜି ଖାଁ ଓ ମିଆଁଓ୍ୱାଲି ଜିଲ୍ଲାର କେତେକାଂଶକୁ ନେଇ ସୃଷ୍ଟି ହୋଇଥିଲା । ଦିଓ୍ୱାନ ଆପୋଷ ଚୁକ୍ତି କ୍ରମେ ଲାହୋର ଦରବାରକୁ ନିଜର ପ୍ରାୟ ୩୫ ଲକ୍ଷ ଟଙ୍କା ରାଜସ୍ଵ ମଧ୍ୟରୁ ୨୩ ଲକ୍ଷ ଟଙ୍କା ବାର୍ଷିକ ଦିଅନ୍ତି ଏବଂ ବାକି ଟଙ୍କା ରାଜ୍ୟ ଚଳାଇବା ଏବଂ ନିଜର ଦରମା ବାବଦ ରଖନ୍ତି ।

 

କିନ୍ତୁ ମୁଲତାନର ଯେଉଁ ‘‘ନାଜିମେତ’’କୁ ସେ ଉତ୍ତରାଧିକାରୀ ହୋଇ ଆସିଲେ ତାହା ଗୋଲାପର ଶଯ୍ୟା ନଥିଲା । ସେଠାରେ ସବୁ କିଛି ଅନିଶ୍ଚିତ ଥିଲା ଏବଂ ମୁଲରାଜ ମୂଳରୁ ବିଭିନ୍ନ ଗୋଳମାଳର ସମ୍ମୁଖୀନ ହୋଇଥିଲେ । ସେ କ୍ରମେ ନିଜକୁ ଲାହୋର ଦରବାରର ଶରବ୍ୟ ହୋଇ ପଡ଼ିଥିବା ଅନୁଭବ କଲେ । ସେତେବେଳେ ଲାହୋର ଦରବାର ରାଜା ‘‘ହୀରାସିଂହ’’ଙ୍କ ଅଧୀନସ୍ଥ ଥିଲେ ଏବଂ ତାଙ୍କ ସହିତ ମୁଲରାଜଙ୍କ ପରିବାରର ଦୀର୍ଘ ଦିନର ଶତ୍ରୁତା ରହିଥିଲା । କିନ୍ତୁ ଏ ବିବାଦ ବ୍ରିଟିଶ ରେସିଡ଼େଣ୍ଟ ସାର ହେନେରୀ ଲରେନସଙ୍କ ସହାୟତାରେ ମେଣ୍ଟିଯିବା ପରେ ପୁଣିଥରେ ରାଜ୍ୟରେ ନୂଆ ଧରଣର ଗୋଳମାଳ ଦେଖାଦେଲା । ମୁଲତାନି ବଣିକମାନଙ୍କ ସହ ତାଙ୍କର ମତଭେଦ ଏବଂ ନିଜ ପରିବାର ଭିତରେ ମତ ପାର୍ଥକ୍ୟ ଯୋଗୁଁ ଏହି ନୂଆ ପରିସ୍ଥିତି ଉପୁଜିଥିଲା । ଦୀର୍ଘ ତିନି ବର୍ଷ କାଳ ‘‘ମୁଲରାଜ’’ ସାହସର ସହିତ ଗୋଟିକ ପରେ ଗୋଟିଏ ଲହରୀ ଅତିକ୍ରମ କଲେ କିନ୍ତୁ ୧୮୪୭ ମସିହା ଡିସେମ୍ବର ୧୮ ତାରିଖରେ ସେ ଲାହୋର ଆସି ‘ବ୍ରିଟିଶ ରେସିଡେଣ୍ଟ’ ଜନ ଲରେନ୍‌ସ ତାଙ୍କ ପ୍ରତି ସହାନୁଭୂତିଶୀଳ ନଥିବା ଦେଖି ଦେଓ୍ୱାନ ପଦରୁ ଇସ୍ତଫା ଦେଲେ ।

 

୧୮୪୮ ମସିହା ମାର୍ଚ୍ଚ ମାସରେ ନୂଆ ରେସିଡ଼େଣ୍ଟ ‘‘ସାର ଫ୍ରେଡ଼ରିକ କରି’’ ଦିଓ୍ୱାନ ମୁଲରାଜଙ୍କ ଇସ୍ତଫା ଗ୍ରହଣ କଲେ । ମୁଲରାଜଙ୍କୁ ତାଙ୍କ ସିଦ୍ଧାନ୍ତର ପୁନର୍ବିଚାର କରିବାଲାଗି ଅନୁରୋଧ କରାଯାଇଥିଲା କିନ୍ତୁ ସେ ଏଥିରେ ଅସମ୍ମତ ହେବାରୁ ମୁଲତାନରେ ଏକ ନୂତନ ଶାସକ ପାଇଁ ରେସିଡେଣ୍ଟ ବିହିତ ବ୍ୟବସ୍ଥା ଗ୍ରହଣ କଲେ । ସର୍ଦ୍ଦାର କହାନସିଂହଙ୍କୁ ନୂତନ ଦିଓ୍ୱାନରୂପେ ମନୋନୀତ କରାଗଲା ଏବଂ ତାଙ୍କୁ ସାହଯ୍ୟ କରିବାପାଇଁ ଦୁଇଜଣ ବ୍ରିଟିଶ୍‌ ଅଫିସର ଶ୍ରୀ ଭାନ୍‌ସ ଆଗ୍ନିଭ ଓ ଲେଫ୍‌ନାଣ୍ଟ ଆଣ୍ଡରସନ ନିଯୁକ୍ତି ହେଲେ ।

 

ଏମାନେ ଏପ୍ରିଲ ୫ ତାରିଖ ଦିନ ଲାହୋରରୁ ‘‘ରବି’’ ନଦୀ ପଥରେ ମୁଲତାନ ଯାତ୍ରା କଲେ ଏବଂ ସେମାନଙ୍କ ନିରାପତ୍ତା ରକ୍ଷା ଦାୟିତ୍ୱରେ ଥିବା ୧୫୦୦ ସୈନ୍ୟ ସ୍ଥଳଭାର ଯୋଗେ ଗନ୍ତବ୍ୟ ସ୍ଥାନକୁ ଯାତ୍ରାକଲେ । ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପାଇଁ ସେମାନଙ୍କୁ ପ୍ରାୟ ୧୨ ଦିନ ଲାଗିଯାଇଥିଲା । ସେମାନେ ଏପ୍ରିଲ ୧୭ ତାରିଖ ଦିନ ମୁଲତାନରେ ପହଞ୍ଚିଲେ ଏବଂ ୧୮ ତାରିଖ ଦିନ ସେମାନେ ଆନୁଷ୍ଠାନିକ ଭାବେ ମୁଲତାନର ବିଭିନ୍ନ ଅଞ୍ଚଳ ବୁଲିବା ପରେ ୧୯ ତାରିଖ ଦିନ ‘‘ମୂଲରାଜ’’ ସେମାନଙ୍କୁ ଦାୟିତ୍ଵ ହସ୍ତାନ୍ତର କଲେ । ମୂଲରାଜ ବ୍ରିଟିଶ୍‌ ଅଫିସରମାନଙ୍କ ଲାଗି ଯେଉଁ ଅଭ୍ୟର୍ଥନାର ଆୟୋଜନ କରିଥିଲେ ତାହା ବେଶ୍‌ ସୌହାର୍ଦ୍ଦ୍ୟପୂର୍ଣ୍ଣ ହୋଇଥିଲା । ତାଙ୍କ ତରଫରୁ ‘‘ଦିଓ୍ୱାନ’’-‘‘ଜ୍ୱାଲାସାହାଇ’’ ନାମକ ଜଣେ ପଦସ୍ଥ ଅଫିସର ଅନ୍ୟାନ୍ୟ ବହୁ ଅଫିସରଙ୍କ ସହ ଉପସ୍ଥିତ ରହି ସେମାନଙ୍କୁ ସ୍ଵାଗତ କରିଥିଲେ ଏବଂ ସେମାନଙ୍କ ଯତ୍ନ ନେଇଥିଲେ ।

ବ୍ରିଟିଶ୍‌ ଅଫିସରମାନେ ଇଦ୍‌ଗାରେ ଥିବା ଏକ ବଙ୍ଗଳାରେ ରହିଲେ । ତାହା ବେଶ୍‌ ଏକ ବଡ଼ ଧରଣର ଓ ଆରାମଦାୟକ ବଙ୍ଗଳା ଥିଲା ଏବଂ ଦିଓ୍ୱାନଙ୍କ ନିଜବାସ ଘର ‘‘ଆମ ଖାସ୍‌’’ ଠାରୁ ମାତ୍ର ଏକ ମାଇଲ ଦୂରତା ଭିତରେ ଥିଲା ।

ମୁଲତାନରେ ବେଶ୍‍ ସୁଖଶାନ୍ତିରେ ଦିନଗୁଡ଼ିକ କଟିଯିବ ବୋଲି ଶ୍ରୀ ଆଗ୍ନୀଭ ଓ ଲେଫ୍‌ଟନାଣ୍ଟ ଆଣ୍ଡରସନ ମନେ ମନେ ଭାବିଥିଲେ; କିନ୍ତୁ ସେମାନଙ୍କର ଏ ଭାବନା କେବଳ ଭାବନାରେ ହିଁ ରହିଗଲା । ନୂତନ ପ୍ରଶାସନ ଦୁଇଦିନରୁ ଅଧିକ କାଳ ସ୍ଥାୟୀ ହୋଇପାରିଲା ନାହିଁ ଏବଂ ସେହି ଦୁଇଦିନରେ ମଧ୍ୟ ବହୁ ବିପତ୍ତି ମାଡ଼ି ଆସିଲା ।

ଏପ୍ରିଲ ୧୯ ତାରିଖ ସକାଳେ ଲାହୋରରୁ ଆସିଥିବା ବ୍ରିଟିଶ ଅଫିସରବୃନ୍ଦଙ୍କୁ ନିଜେ ‘‘ମୁଲରାଜ” ଆସି ଗଡ଼ଭିତରକୁ ପାଛୋଟି ନେଇ ଗଲେ । ଦିଓ୍ୱାନ ତାଙ୍କର ଉତ୍ତରାଧିକାରୀ ‘‘କହାନ ସିଂହ’’ ଓ ବ୍ରିଟିଶ ଅଫିସରମାନଙ୍କୁ ଗଡ଼ ଭିତରେ ବୁଲାଇ ଶସ୍ୟଭଣ୍ଡାର, ସୈନ୍ୟଛାଉଣୀ, ବାରୁଦ ଓ ଅସ୍ତ୍ରଭଣ୍ଡାର ପ୍ରଭୃତି ବୁଲାଇ ଦେଖାଇ ଥିଲେ ଏବଂ ଅସ୍ତ୍ର ଭଣ୍ଡାରକୁ ଅଗ୍ନିନିରୋଧକ କରିଥିବା ସଦର୍ପରେ ପ୍ରକାଶ କରିଥିଲେ । ଲାହୋରରୁ ଆସିଥିବା ଗୁର୍ଖା ରେଜିମଣ୍ଟକୁ ଦୁର୍ଗ ରକ୍ଷକ ଭାବେ ମୁତୟନ କରାଗଲା । କହାନସିଂହ ମୁଲରାଜଙ୍କ ଠାରୁ ଚାବିନେଇ ଆନୁଷ୍ଠାନିକ ଭାବେ ମୁଲତାନ ନିଜାମେତର ଦାୟିତ୍ୱ ଗ୍ରହଣ କଲେ ।

ଦାୟିତ୍ଵ ହସ୍ତାନ୍ତର କାର୍ଯ୍ୟ ସରିବା ପରେ ସେମାନେ ଘୋଡ଼ା ଉପରେ ବସି ନିଜ ନିଜ ଶିବିରକୁ ପ୍ରତ୍ୟାବର୍ତ୍ତନ କଲେ । ସେମାନେ ମାତ୍ର ଅଳ୍ପ ବାଟ ଯିବା ପରେ ପ୍ରଥମ ପର୍ଯ୍ୟାୟ ଘଟଣା ଆରମ୍ଭ ହୋଇଗଲା । ଯାହାର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିଲା । ସେମାନେ ‘‘ସିକିଗେଟ’’ ପାର ହୋଇ ‘‘ଗୋଛିପୋଲା’’ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ହଠାତ୍‌ ଶ୍ରୀ ଆଗ୍ନିଭଙ୍କ ଉପରକୁ ପଛପଟୁ ଆକ୍ରମଣ ହେଲା—ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁଯାୟୀ ।

ସେତେବେଳେ ମୁଲରାଜ ଘୋଡ଼ା ଉପରେ ଥିଲେ ଏବଂ ତାଙ୍କର ଡାହାଣପଟେ ଲେଫ୍‌ଟନାଣ୍ଟ ଆଣ୍ଡରସନ ଓ ବାମପଟେ ଶ୍ରୀ ଆଗ୍ନିଭ ଯାଉଥିଲେ । ସେମାନେ ପୋଲ ଆଗକୁ ଏକ ଉଠାଣିରେ ପହଞ୍ଚିବା ମାତ୍ରେ ଜଣେ ବ୍ୟକ୍ତି ଗୋଟିଏ ବର୍ଚ୍ଛା ସାହାଯ୍ୟରେ ଶ୍ରୀ ଆଗ୍ନିଭଙ୍କୁ ଡାହାଣପଟୁ ଆକ୍ରମଣ କରି ପକାଇଗଲା । ଛତ୍ରଧାରୀ ବ୍ୟକ୍ତି ସେହି ବର୍ଚ୍ଛାଟିକୁ ଧରିନେଲା । ଅମୀରଚାନ୍ଦ ନିଜ ଖଣ୍ଡା ସାହାଯ୍ୟରେ ଆଗ୍ନିଭଙ୍କ କାନ୍ଧ ଓ କହୁଣୀକୁ ଆଘାତ କଲା । ଦୁଇଥର ଆଘାତ ପାଇବା ପରେ ସେ ଘୋଡ଼ା ଉପରୁ ଓହ୍ଲାଇ ପଡ଼ିଥିଲେ ଓ ଅମୀରଚାନ୍ଦକୁ ଚାବୁକରେ ଦୁଇଥର ପିଟିଲେ । ଏହାପରେ ଦୁଇଜଣ ସୈନ୍ୟ—ନସୀମ ଖାଁ ଶ୍ରୀ ଆଗ୍ନିଭଙ୍କର ଜଣେ ବିଲାତି ଭୃତ୍ୟ ଓ ଇଲାହିବଖସ ଘୋଡ଼ା ଉପରୁ ଓହ୍ଲାଇ ଆସିଲେ ଏବଂ ସେ ଦୁହେଁ ମଧ୍ୟ ଆଗ୍ନିଭଙ୍କୁ ନିଜ ଖଣ୍ଡାରେ ଆଘାତ କଲେ । ଆଗ୍ନିଭ ଆହତ ହୋଇ ନିକଟସ୍ଥ ଏକ ଗାତ ଭିତରକୁ ଡେଇଁ ପଡ଼ିଲେ । ଏତିକିବେଳେ ସେଠାରେ ଉପସ୍ଥିତ ଥିବା ଲୋକେ କରତାଳି ସହ ସାବାସ ସଓ୍ୱନମଲ୍ଲର ପୁଅ ବୋଲି ଆନନ୍ଦରେ ପାଟିକରି ଉଠିଥିଲେ । ଆଗ୍ନିଭ ଘୋଡ଼ା ଉପରୁ ଓହ୍ଲାଇ ଯିବା ପୁଣି ମୁଲରାଜ ନିଜ ଘର ‘‘ଆମଖାସ'’ ଆଡ଼େ ତରବରରେ ଘୋଡ଼ା ଛୁଟାଇ ଦେଲେ ଏବଂ ଗଲାବେଳେ ଆତତାୟୀକୁ ତାଙ୍କ ସମ୍ମୁଖରେ ହାଜର କରିବା ଲାଗି କହିଗଲେ ।

ସେହି ଗୋଳମାଳ ଭିତରେ ଲେଫ୍‌ଟନାଣ୍ଟ ଆଣ୍ଡରସନ ମଧ୍ୟ ଅକ୍ଷତ ଅବସ୍ଥାରେ ଖସିଯାଇ ପାରିଲେ ନାହିଁ । ଆଣ୍ଡରସନ ତରବରରେ ଘୋଡ଼ା ଛୁଟାଇ ଘଟଣାସ୍ଥଳକୁ ପଳାଇ ଯିବାକୁ ବାହାରିଲେ । କିନ୍ତୁ ତାଙ୍କୁ ପଛରୁ ମୂଲରାଜଙ୍କ ପୂର୍ବତନ ସୈନ୍ୟ ବାହିନୀର କେତେକ ଲୋକ ଗୋଡ଼ାଇ ଧରିଥିଲେ ଏବଂ ତାଙ୍କୁ ଭୀଷଣ ଭାବେ ଆହତ କରି ପକାଇଲେ । ସର୍ଦ୍ଦାର କାହାନ ସିଂହ ଓ ରାମରଙ୍ଗ (ଉଭୟେ ମୁଲରାଜର ଶାଳକ ଆଗ୍ନିଭଙ୍କୁ ଏକ ହାତୀ ପିଠିରେ ବସାଇ ଇଦ୍‌ଗାକୁ ନେଲେ ଏବଂ ଆଣ୍ଡରସନଙ୍କୁ ଅଧା ବାଟରୁ ଉଦ୍ଧାର କରି ଏକ ଚେରପାଇରେ ସେଠାକୁ ଆଣିଲେ ।

ଏହାପରେ ଶ୍ରୀ ଆଗ୍ନିଭ ଲାହୋରସ୍ଥ ରେସିଡ଼େଣ୍ଟଙ୍କ ନିକଟକୁ ନିମ୍ନ ପତ୍ର ଲେଖିଲେ ।

ମୁଲତାନ ୧୯ ତାରିଖ ଏପ୍ରିଲ ୧୮୪୮

 

ପ୍ରିୟ ଫ୍ରେଡ଼ରିକ ମହାଶୟ,

ଆପଣ ଶୁଣି ଦୁଃଖିତ ହେବେ ଯେ ଆଣ୍ଡରସନ ଏବଂ ମୁଁ ଦିଓ୍ୱାନ ମୁଲରାଜଠାରୁ ଦାୟିତ୍ୱ ବୁଝି ନେବା ପରେ ଗଡ଼ ଫାଟକ ବାଟେ ବାହାରକୁ ଆସୁଥିଲା ବେଳେ ଦୁଇଜଣ ସୈନ୍ୟ ଆମକୁ ଆକ୍ରମଣ କଲେ ଏବଂ ଆମେ ଆଗରୁ ପ୍ରସ୍ତୁତ ନ ଥିବାରୁ ସେମାନଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛୁ ।

ବିଚାରା ଆଣ୍ଡରସନଙ୍କ ଅବସ୍ଥା ସାଙ୍ଘାତିକ । ତାଙ୍କର ଜଙ୍ଘ ଓ କାନ୍ଧରେ ଗୁରୁତର କ୍ଷତି ହୋଇଛି ଏବଂ ତାଙ୍କ ପିଠି ଓ ମୁହଁରେ ମଧ୍ୟ ଅନୁରୂପ କ୍ଷତ ହୋଇଛି ।

ତାଙ୍କ ପାଇଁ ଜଣେ ଡାକ୍ତରଙ୍କୁ ପଠାଇବା ନିହାତି ଜରୁରି ଯଦିଓ ମୋର ବିଶେଷ ଡାକ୍ତରି ସାହାଯ୍ୟ ଦରକାର ନାହିଁ । ମୋର ବାମପଟ କାନ୍ଧରେ ଏବଂ ସେହି ହାତରେ ଗଭୀର କ୍ଷତ ହୋଇଛି । ମୁଲତାନର ସବୁ ସୈନ୍ୟ ବିଦ୍ରୋହ କରିଛନ୍ତି; କିନ୍ତୁ ଆମେ ସେମାନଙ୍କୁ ଜବତ କରି ପାରିବୁ ବୋଲି ଆଶା ଅଛି । ଗଡ଼ ବାହାରକୁ ପ୍ରାୟ ଦୁଇ କମ୍ପାନୀ ସୈନ୍ୟ ବାହାରି ଆସି ବିଦ୍ରୋହରେ ଯୋଗ ଦେଇଛନ୍ତି ।

ଆପଣଙ୍କର

ପି. ଏ. ଭାନ୍‌ସ ଆଗ୍ନିଭ

 

ମୁଲରାଜଙ୍କୁ ମଧ୍ୟ ଶ୍ରୀ ଆଗ୍ନିଭ ଅନ୍ୟ ଏକ ପତ୍ର ଲେଖିଥିଲେ ଏବଂ ସେଥିରେ ଏହି ବିଦ୍ରୋହ ମୂଳରେ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ଲାଗି ଦିଓ୍ୱାନଙ୍କୁ କହିଥିଲେ । ଦିଓ୍ୱାନ ନିଜେ ସେହି ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ କି ସେମାନଙ୍କୁ ମତାଇଥିଲେ ବୋଲି ଆଗ୍ନିଭ ବିଶ୍ୱାସ କରି ନ ଥିଲେ । ଏହାପରେ ସେ ଦିଓ୍ୱାନଙ୍କ ନିକଟକୁ ଆଉ ଦୁଇଟି ଚିଠି ଲେଖିଥିଲେ, କିନ୍ତୁ କୌଣସିଟି ହେଲେ ତାଙ୍କ ନିକଟରେ ପହଞ୍ଚି ନଥିଲା ।

 

ଇତିମଧ୍ୟରେ ମୁଲରାଜଙ୍କ ସୈନ୍ୟମାନେ ଆଇନକୁ ନିଜ ହାତକୁ ନେଇଗଲେ I ଦିଓ୍ୱାନ ବସ୍ତୁତଃ ଗଣ୍ଡଗୋଳକାରୀ ସୈନ୍ୟମାନଙ୍କ ହାତରେ ବନ୍ଦୀ ହୋଇଗଲେ । ଆମ୍‌ଖାସରେ ଏହାପରେ ଏକ ସଭା ହେଲା ଏବଂ ଏଥିରେ ମୁଲରାଜଙ୍କୁ ବିଦ୍ରୋହର ପ୍ରଥମ ସୈନ୍ୟରୂପେ ନିଆଗଲା । ମୁସଲମାନ ଓ ଶିଖ୍‌ ସୈନ୍ୟମାନେ ଯଥାକ୍ରମେ କୋରାନ ଓ ଗ୍ରନ୍ଥସାହିବ ଧରି ମୁଲରାଜଙ୍କ ପଛରେ ରହିବେ ବୋଲି ଶପଥ କଲେ ।

 

ଅବସ୍ଥା କ୍ରମେ ଅଣଆୟତ୍ତ ହୋଇ ପଡ଼ୁଥୁବା ଦିନ ଦୁଇଟା ବେଳକୁ ଆଗ୍ନିଭ ଉପଲବ୍‌ଧି କଲେ I ସେ ଏହାପରେ ସାହାଯ୍ୟ ପ୍ରାର୍ଥନା କରି ବାନୋଙ୍କ ନିକଟକୁ ଏକ ଜରୁରୀ ବାର୍ତ୍ତା ପଠାଇଲେ ।

 

ପ୍ରିୟ ମହାଶୟ,

 

ଏଠାକୁ ଗୋଟିଏ ରେଜିମେଣ୍ଟ ସୈନ୍ୟ ପଠାଇବା ପାଇଁ ଆପଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି-। ସେମାନଙ୍କୁ ତୁରନ୍ତ ଆସିବା ପାଇଁ କୁହନ୍ତୁ ଯଦି ସେମାନେ ବାହାରି ଆସିଥାନ୍ତି ସର୍ବାଧିକ ବେଗରେ ସେମାନେ ଅଗ୍ରଗତି କରନ୍ତୁ । ସମ୍ଭବ ହେଲେ ଆଉ ଏକ ରେଜିମେଣ୍ଟ ସୈନ୍ୟ ତେବେ ପଠାଇବାକୁ ଅନୁରୋଧ । ମୁଁ ଏହି ବ୍ୟବସ୍ଥା ପାଇଁ ଦାୟୀ ରହିବି । ମୋ ପିଠି କାଟି ହୋଇ ଯାଇଛି । ଆଣ୍ଡରସନଙ୍କ ଅବସ୍ଥା ଶୋଚନୀୟ, ସେ ୫ଟି ଜାଗାରେ ଖଣ୍ଡାଘାତ ପାଇଛନ୍ତି । ମୋର ବାଁପଟ ବାହୁରେ ଦୁଇଟି ଖଣ୍ଡାଘାତ୍‌ ଏବଂ ପଞ୍ଜରାରେ ବର୍ଚ୍ଛାଘାତ ହୋଇଛି । ଏଥି ସହିତ ମୁଲରାଜର କିଛି ସମ୍ପର୍କ ଅଛି ବୋଲି ମୁଁ ଭାବୁନାହିଁ । ମୁଁ ତା ସହିତ ଘୋଡ଼ା ଚଢ଼ି ଯାଉଥିଲାବେଳେ ଆକ୍ରାନ୍ତ ହେଲି । ସେ ପଳାଇଗଲେ କିନ୍ତୁ ଏବେ ବିଦ୍ରୋହୀ ସୈନ୍ୟଙ୍କ ହାତରେ ପଡ଼ିଥିବା ଶୁଣାଯାଉଛି ।

 

କାହାନ ସିଂହ ଓ ତାର ଲୋକେ ଭଲରେ ଅଛନ୍ତି ।

 

ଆପଣଙ୍କର

ପି.ଏ. ଭାନସ ଆଗ୍ନିଭ

୧୯ ତାରିଖ ଦିନ ୨ଟା

 

ପ୍ରାପ୍ତେଷୁ ଜେନେରାଲ କର୍ଟଲାଣ୍ଡ ବା ଲେଫ୍‌ଟନାଣ୍ଟ ଏଡଓ୍ୱାର୍ଡସ, ବାନୁ ୨୦ ତାରିଖ ଦିନ ଅଧିକ ଗୁରୁତର କାଣ୍ଡମାନ ଘଟିବାକୁ ଯାଉଛି । ସକାଳ ସାତଟାବେଳେ ‘‘ମୁଲରାଜ’’ ନେତୃତ୍ୱରେ ସାରାଦେଶରେ ସାଧାରଣ ବିଦ୍ରୋହ ଘୋଷଣା କରାଯାଇଛି । ମୁଲରାଜ ପ୍ରଥମେ ଏ ବିଦ୍ରୋହରେ ଯୋଗଦେବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲେ; କିନ୍ତୁ ଜନୈକ କବି ହାକିମ ଚାନ୍ଦଙ୍କ ବର୍ଣ୍ଣନା ଅନୁଯାୟୀ ନିଜ ମା’ଙ୍କ ତାଡ଼ନାରେ ସେ ଏହି ବିଦ୍ରୋହରେ ଯୋଗ ଦେବାକୁ ନିଷ୍ପତ୍ତି କଲେ ।

 

ମୁଲରାଜଙ୍କ ମା ତାଙ୍କୁ କହିଲେ, ମୁଁ ତୋତ ଅଭିଶାପ ଦେଇ ଆତ୍ମହତ୍ୟା କରିବି । ତୁ ସୈନ୍ୟ ବାହିନୀର ନେତୃତ୍ୱ ନେଇ ଅଗ୍ରସର ହୁଅ ନଚେତ୍‌ ମୋ ଆଗରୁ ଚାଲିଯା ଏବଂ ମୁଁ ନିଜେ ମୋ ସୈନ୍ୟମାନଙ୍କର ନେତୃତ୍ଵ ନେବି । ମୁଁ ମୁର୍ଦାବାଦ ପାଖକୁ ଖବର ଦେବି ଏବଂ ଶ୍ୟାମ ସିଂହ (ଦ୍ଵିତୀୟ ପୁତ୍ରକୁ ଡକାଇ ପଠାଇବି । ମୁଁ ସେମାନଙ୍କୁ ପୁରସ୍କାର ଦେବି ଓ ମୋ ସୈନ୍ୟମାନଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇବି ।)

 

ମା’ଙ୍କର ଭର୍ତ୍ସନାରେ ଉତ୍ତେଜିତ ହୋଇ ‘‘ମୁଲରାଜ’’ ନିଜ ମାର ଇଚ୍ଛା ଅନୁସାରେ କାର୍ଯ୍ୟ କଲେ ଏବଂ ବ୍ୟକ୍ତିଗତଭାବେ ଯୁଦ୍ଧ ପରିଚାଳନା କରିବା ନିମନ୍ତେ ପ୍ରସ୍ତୁତ ହେଲେ । ବୈଶାଖ ମାସ ଏକାଦଶୀ ଦିନ ସେ ଦୁର୍ଗ ତଥା ଏହାର ପ୍ରତିରକ୍ଷାର ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କଲେ । ପରେ ସେ ଗୁଳିଚାଳନା କରିବାକୁ କମାଣ ବାହିନୀକୁ ନିର୍ଦ୍ଦେଶ ଦେଲା ଏବଂ ଶତ୍ରୁ ସହିତ ମୁହାଁମୁହିଁ ତୁମୂଳ ସଂଗ୍ରାମ ଆରମ୍ଭ ହେଲା । ହକିମ ଯୁଦ୍ଧ ସମ୍ପର୍କରେ ମନ୍ତବ୍ୟ ଦେଇ ଏଥର ଯୁଦ୍ଧରେ କିଏ ଜିଣିବ କେବଳ ଭଗବାନ ହିଁ କହିପାରିବେ ବୋଲି ମନ୍ତବ୍ୟ ଦେଇଥିଲେ ।

 

ସେହି ଦିନସାରା ଇଦ୍‌ଗା ଓ ସହର ମଧ୍ୟରେ ମୂଲରାଜର ସେନାବାହିନୀ ଓ କାହାନ ସିଂହଙ୍କର ସୈନ୍ୟମାନଙ୍କ ଭିତରେ ଗୁଳି ବିନିମୟ ହେଲା । ଫଳାଫଳ ଅବଶ୍ୟ ଜଣାପଡ଼ିଲା ନାହିଁ । କେବଳ ଇଦ୍‍ଗା ଭିତରେ ଜଣେ ଲୋକ ଆହତ ହେଲା ଓ ବାହାରେ ବିଦ୍ରୋହୀମାନଙ୍କ ଭିତରୁ ଜଣେ ମଝାବି ଶିଖ୍‌ ପ୍ରାଣ ହରାଇଲା ।

 

ଅପରାହ୍ନ ବେଳକୁ ଅନ୍ୟ କେତେକ କାରଣ ଯୋଗୁ ଇଦ୍‌ଗା ଭିତରର ଅବସ୍ଥା ଜଟିଳ ହୋଇ ଉଠିଲା । ଲାହୋର ସୈନ୍ୟମାନଙ୍କ ଭିତରେ ଅସନ୍ତୋଷ ସୃଷ୍ଟିହେଲା । ସୈନ୍ୟ ଅଭାବରୁ ବନ୍ଧୁକରୁ ଗୁଳି ଚାଳନା କରିବା କଷ୍ଟକର ହୋଇ ଉଠିଲା ଏବଂ ୪ଟାରୁ ୫ଟା ଭିତରେ ଇଦ୍‌ଗାରୁ ସବୁ ସୈନ୍ୟ ପକ୍ଷ ତ୍ୟାଗ କଲେ । କାହାନ ସିଂହ ଓ ବ୍ରିଟିଶ୍‌ ଅଫିସରମାନଙ୍କ ସହିତ ଯେଉଁ ସୈନ୍ୟମାନେ ଆସିଥିଲେ ସେମାନେ ସମସ୍ତେ ବିଦ୍ରୋହୀମାନଙ୍କ ସହିତ ଯୋଗଦେଲେ । ଲାହୋର ସୈନ୍ୟମାନେ ସୁଲତାନ ବିଦ୍ରୋହୀମାନଙ୍କ ସହିତ ଯୋଗ ଦେବା କଥା ପ୍ରଘଟ ହୋଇଯିବା ପରେ ଗୋଦାର ସିଂହ ନାମକ ଜଣେ ମଝାବି ଶିଖ୍‌ର ନେତୃତ୍ୱରେ ଦଳେ ଗୁଣ୍ଡା ଶ୍ରେଣୀୟ ଲୋକ ଇଦ୍‌ଗା ଭିତରକୁ ପ୍ରବେଶ କରି ଶ୍ରୀ ଆଗ୍ନିଭ ଓ ଲେଫ୍‌ଟନାଣ୍ଟ ଆଣ୍ଡରସନଙ୍କୁ ଅତି ନିର୍ମମଭାବେ ହତ୍ୟା କଲେ । ଏହି ନୃଶଂସ ଆକ୍ରମଣର ଜଣେ ପ୍ରତ୍ୟକ୍ଷଦର୍ଶୀ ଓ୍ୱାଜିର ଖାନ୍‌ଙ୍କ କହିବା ଅନୁଯାୟୀ । ସନ୍ଧ୍ୟାବେଳକୁ କରମ ଇଲାହିର ଆଠ ଦଶ ଲୋକ, ମୁନ୍‌ସୀ ଓ ଚାକରବାକରଙ୍କ ଛଡ଼ା ଅନ୍ୟ ସମସ୍ତେ ତାଙ୍କୁ ଛାଡ଼ି ପଳାଇଗଲେ । ସନ୍ଧ୍ୟା ପୂର୍ବରୁ ଶ୍ରୀ ଆଗ୍ନିଭ ନିଜର ଦୂତ ରୂପେ ‘‘କ୍ୱାଜି ଗୁଲାମ’’ ଙ୍କୁ ମୁଲରାଜ ନିକଟକୁ ପଠାଇ ଶାନ୍ତି ପ୍ରସ୍ତାବ ଦେଇଥିଲେ; କିନ୍ତୁ ତାହା ଗୃହୀତ ହୋଇ ନ ଥିଲା । ସୂର୍ଯ୍ୟାସ୍ତ ପରେ କ୍ରମେ ଯେତେବେଳେ ଅନ୍ଧାର ମାଡ଼ି ଆସିଲା ଦଳେ ଲୋକ ପାଟିକରି ଆସୁଥିବାର ଶୁଣାଗଲା । ସୈନ୍ୟ ଭୃତ୍ୟ ଓ ସାଧାରଣ ଲୋକମାନେ ମିଳିତଭାବେ ଇଦ୍‌ଗା ଭିତରକୁ ମାଡ଼ି ଆସିଲେ ଏବଂ ସେମାନଙ୍କର ନେତୃତ୍ୱ ନେଇଥିଲେ ମୁଝାବିମାନେ । ସେମାନେ ସମସ୍ତେ ଫୁଲସିଂହର ଲୋକ ବୋଲି ପରେ ଜଣାପଡ଼ିଲା । ସେମାନଙ୍କ ସହ ବନ୍ଦୀ ଗୋଦାର ସିଂହ ମଧ୍ୟ ଥିଲା । ମୁଝାବିମାନେ ହେଉଛନ୍ତି ଜାତିରେ ଝାଡ଼ୁଦାର; କିନ୍ତୁ ଶିଖ୍‌ ଧର୍ମାବଲମ୍ବୀ । ସେହିଦିନ କାହାନସିହଂର ଗୋଟିଏ ହାତୀକୁ ସୈନ୍ୟମାନେ ନେଇଯାଇ ତାକୁ ଦେଇଥିଲେ । କାହାନସିଂହ ଏହି ଅବସ୍ଥାରେ ଶ୍ରୀ ଆଗ୍ନିଭଙ୍କୁ ଧଳା ପତାକା ଉଡ଼ାଇ ଶାନ୍ତି ଭିକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଥିଲେ; କିନ୍ତୁ ଏହାର ଉତ୍ତରରେ ସମୟ ଅତିବାହିତ ହୋଇ ଯାଇଛି ବୋଲି ମନ୍ତବ୍ୟ ଦେଇ ଶ୍ରୀ ଆଗ୍ନିଭ କହିଥିଲେ ଯେ ବିଦ୍ରୋହୀମାନେ ଦୁଇଜଣ ଯୁରୋପୀୟଙ୍କୁ ହତ୍ୟାକଲେ, ହଜାର ହଜାର ୟୁରୋପୀୟ ସୈନ୍ୟ ଆସି ମୁଲାରାଜ, ତାର ସେନା ବାହିନୀ ଓ ଦୁର୍ଗକୁ ଧ୍ୱଂସ କରିଦେବେ । ଇତିମଧ୍ୟରେ ଜନତା କୋଠରୀ ଭିତରକୁ ପଶି ଆସିଲେ । ଶ୍ରୀ ଆଗ୍ନିଭ ଲେଫ୍‌ଟନାଣ୍ଟ ଆଣ୍ଡରସନଙ୍କ ପାଖରେ ବସି ଇଂରେଜିରେ କଥାବାର୍ତ୍ତା ହେଉଥାନ୍ତି ଏବଂ ପରସ୍ପରର ହାତକୁ ଧରିଥାନ୍ତି । ବନ୍ଦୀ ଶ୍ରୀ ଆଗ୍ନିଭଙ୍କ ନିକଟବର୍ତ୍ତୀ ହୋଇ ଅତି କଦର୍ଯ୍ୟ ଭାଷାରେ ତାଙ୍କୁ ଗାଳିଦେଲେ ଏବଂ ସେ କାହିଁକି ମୁଲତାନ୍‌ ଆସିଛନ୍ତି ବୋଲି ପ୍ରଶ୍ନ କରି ତାଙ୍କୁ ଶିଖ୍‌ଧର୍ମ ଗ୍ରହଣ କରିବାକୁ କହିଲା । ଏହାର ଉତ୍ତରରେ ଶ୍ରୀ ଆଗ୍ନିଭ ନିଜକୁ ମହାରାଜାଙ୍କ ଜଣେ ସେବକ ରୂପେ ଅଭିହିତ କରି ‘‘ମୁଁ ଧମକରେ ଦବିଯିବା ଲୋକ ନୁହେଁ’’ ବୋଲି ଦୃଢ଼ଭାବେ କହିଥିଲେ । ଏହାପରେ ବନ୍ଦୀ ଏକ ଖଣ୍ଡାରେ ଶ୍ରୀ ଆଗ୍ନିଭଙ୍କୁ ଚୋଟ ବସାଇ ତାଙ୍କର ମୁଣ୍ଡ କାଟିଦେଲା । ଅନ୍ୟ ଜଣେ ଅଣଶିଖ ବ୍ୟକ୍ତି ଏହାପରେ ତାଙ୍କୁ ଗୁଳିକଲା । ଗୁଳିଟି ତାଙ୍କ ଶରୀର ବିଦ୍ଧକଲା; କିନ୍ତୁ ସେତେବେଳକୁ ସେ ମରିଯାଇଥିଲେ । ଏହାପରେ ଅନ୍ୟ ଜଣେ ବ୍ୟକ୍ତି ଖଣ୍ଡାରେ ଲେଫ୍‌ଟନାଣ୍ଟ ଆଣ୍ଡରସନଙ୍କୁ ହତ୍ୟାକଲା ଏବଂ ଉଭୟ ଅଫିସରଙ୍କ ଶବ ବାହାରକୁ ନିଆଯିବା ପରେ ଅପେକ୍ଷମାଣ ଲୋକେ ଶବକୁ ଖଣ୍ଡ ଖଣ୍ଡ କାଟି ପକାଇଲେ ।

 

ଶ୍ରୀ ଆଗ୍ନିଭ ୧୯ ତାରିଖ ଦିନ ଲାହୋରକୁ ଓ ବାନୁଙ୍କ ନିକଟକୁ ଯେଉଁ ବାର୍ତ୍ତା ପଠାଇଥିଲେ ତା ‘‘ଡେରା ଫତେ ଖାନ୍‌’’ରେ ଏପ୍ରିଲ ୨୨ ତାରିଖ ଦିନ ଲେଫ୍‌ଟନାଣ୍ଟ ଏଡ଼ଓ୍ୱାର୍ଡଙ୍କ ନିକଟରେ ପହଞ୍ଚିଲା କିନ୍ତୁ ଜେନେରାଲ ‘‘ଭାନ କଟଲାଣ୍ଡ’’ କିଛିଦିନ ପରେ ଏହା ପାଇଲେ । ଲେଫ୍‌ଟନାଣ୍ଟ ଏଡ଼ଓ୍ୱାର୍ଡ ସୈନ୍ୟବାହିନୀ ସହ ମୁଲତାନ ଅଭିମୁଖେ ଯାତ୍ରାକଲେ କିନ୍ତୁ ସେ ସିନ୍ଧୁ ନଦୀର ଦକ୍ଷିଣ ପାର୍ଶ୍ଵ ବନ୍ଧକୁ ଫେରି ଆସିବାକୁ ବାଧ୍ୟହେଲେ; କାରଣ ମୁଲରାଜର ସାନଭାଇ ଦିଓ୍ୱାନ୍‌ ଶାମ୍‌ ସିଂହ ସେତେବେଳକୁ ଏକ ଟାଣୁଆ ବାହିନୀ ସହିତ ପ୍ରସ୍ତୁତ ହୋଇ ବ୍ରିଟିଶ ସୈନ୍ୟମାନଙ୍କର ମୁକାବିଲା କଲେ ।

 

ଏହା ଭିତରେ ମୁଲତାନ୍‌ ଚାରିପଟେ ଦିଓ୍ୱାନଙ୍କ ସୈନ୍ୟମାନେ ଦୁର୍ଭେଦ୍ୟ ବ୍ୟୂହ ରଚନାକରି ସାରିଥାନ୍ତି । ବିଦ୍ରୋହର ସଫଳତା ଯୋଗୁ ସେମାନଙ୍କ ସୈନ୍ୟ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ୁଥାଏ ।

 

ମୁଲତାନ୍‌ ରାଜ୍ୟ ଭିତରକୁ ବ୍ରିଟିଶ୍‌ ସୈନ୍ୟମାନେ ପ୍ରବେଶ କରିବାକୁ ବହୁତ ଦିନ ଲାଗିଗଲା । ମୁଲତାନ ସୈନ୍ୟମାନଙ୍କ ପ୍ରତିରୋଧ ବ୍ୟୂହ ଭେଦ କରିବାକୁ ସେମାନଙ୍କ ପକ୍ଷେ ଆହୁରି କିଛି ଦିନ ମଧ୍ୟ ଲାଗିଯାଇଥାନ୍ତା; କିନ୍ତୁ ଦୈବାତ୍‌ ବ୍ରିଟିଶ ସୈନ୍ୟମାନଙ୍କର ଗୋଟିଏ ଗୁଳି ଗଡ଼ ଭିତରେ ଥିବା ବାରୁଦ ଗୋଦାମରେ ପଡ଼ିଗଲା । ଏହି ଗୋଦାମରେ ପାଞ୍ଚ ହଜାର ମହଣ ବାରୁଦ ମହଜୁଦ ଥିଲା ଏବଂ ଗୁଳି ପଡ଼ିବାକ୍ଷଣି ପୃଥିବୀ ଥରାଇ ଏଥିରେ ବିସ୍ଫୋରଣ ଘଟିଲା ।

 

ଏହାପରେ ଆତ୍ମସମର୍ପଣ କରିବା ଛଡ଼ା ଦିଓ୍ୱାନ ମୁଲରାଜ ପକ୍ଷେ ଭିନ୍ନ ପନ୍ଥା ନଥିଲା । ୧୮୪୯ ମସିହା ଜାନୁଆରୀ ୨ ତାରିଖ ଦିନ ମୁଲତାନ ଅଧିକୃତ ହେଲା । ସେତେବେଳେ ବ୍ରିଟିଶ୍‌ ସୈନ୍ୟ ପରିଚାଳନା ଦାୟିତ୍ଵରେ ଥିବା ଜେନେରାଲ ହ୍ୱିସଙ୍କ ବର୍ଣ୍ଣନା ଅନୁଯାୟୀ ମୁଲରାଜ ତାଙ୍କୁ ନିକଟକୁ ନିମ୍ନଲିଖିତ ବାର୍ତ୍ତା ପ୍ରେରଣ କରିଥିଲେ ।

 

‘‘ଆପଣ ଗତକାଲି ନଅଟା ପୂର୍ବରୁ ମୋତେ ବାହାରକୁ ଆସି ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ; କିନ୍ତୁ ମୁଁ ଅସୁସ୍ଥ ଥିବା ଯୋଗୁ ତାହା ସମ୍ଭବ ହେଲାନାହିଁ । ଏବେ ମୁଁ ବାହାରକୁ ଯିବା ପାଇଁ ପ୍ରସ୍ତୁତ ହୋଇଗଲିଣି ଏବଂ ଏ ଉଦ୍ଦେଶ୍ୟରେ ଆପଣଙ୍କ ସହ କଥାବାର୍ତ୍ତା କରିବା ପାଇଁ ମୋ ଓକିଲଙ୍କୁ ପଠାଉଛି । ମୁଁ କେବଳ ମୋ ଜୀବନର ନିରାପତ୍ତା ଏବଂ ମୋ ପରିବାରର ମହିଳାମାନଙ୍କ ସମ୍ମାନ ରକ୍ଷା ହେବା ଚାହେଁ । ସମସ୍ତ ଗଣ୍ଡଗୋଳ ମୋ ସୈନ୍ୟମାନଙ୍କ ଦ୍ୱାରା ହିଁ ହୋଇଥିଲା ଏବଂ ସେମାନଙ୍କୁ ଶାନ୍ତ କରିବା ପାଇଁ ମୋର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇ ଯାଇଥିଲା-। ଏବେ ମୁଁ ଆତ୍ମସମର୍ପଣ କରୁଥିବାରୁ କେବଳ ମୋ ଜୀବନର ନିରାପତ୍ତା ଏବଂ ପରିବାରର ମହିଳାମାନଙ୍କର ସମ୍ମାନ ଭିକ୍ଷା କରୁଛି । ଆପଣ ଦୟାର ସାଗର । ମୁଁ ସମସ୍ତ ସମ୍ମାନ ଜଣାଇ ପତ୍ର ଶେଷ କରୁଛି ।

 

ବିନାସର୍ତ୍ତରେ ଆତ୍ମସମର୍ପଣ କରିବା ନିମନ୍ତେ ଜେନେରାଲ ହ୍ୱିସ ଉତ୍ତର ଦେଇଥିଲେ ।

 

ଗଡ଼ର ବାରୁଦ ଭଣ୍ଡାରରେ ବିସ୍ଫୋରଣ ଘଟିବା ପରେ ପ୍ରତିରୋଧ ଅର୍ଥହୀନ ହୋଇ ପଡ଼ିଥିଲା । କୋଠାଗୁଡ଼ିକ ସବୁ ଭାଙ୍ଗି ଯାଇଥିଲା ଅଥବା କ୍ଷତିଗ୍ରସ୍ତ ହୋଇଥିଲା ଏବଂ ବ୍ରିଟିଶ୍‌ ସୈନ୍ୟମାନେ ନିରବଚ୍ଛିନ୍ନଭାବେ ଗୁଳି ଚାଳନା କରୁଥାନ୍ତି । ଏହି ପରିସ୍ଥିତିରେ ଆତ୍ମସମର୍ପଣ କରିବା ଛଡ଼ା ମୁଲରାଜଙ୍କ ପକ୍ଷେ ଭିନ୍ନ ପନ୍ଥା ନଥିଲା । ୧୮୪୯ ମସିହା ଜାନୁଆରୀ ୯ଟା ବେଳେ ପଞ୍ଜାବର ଶେଷ ନାଜିମ ଦିୱାନ୍‌ ମୁଲରାଜ ନିଜର ଦୁର୍ଗ ତ୍ୟାଗକରି ବିଜେତାମାନଙ୍କ ନିକଟରେ ଆତ୍ମସମର୍ପଣ କଲେ । ଏହି ଘଟଣାରେ ଗୋଟିଏ ଅଧ୍ୟାୟ ଶେଷ ହୋଇ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ ହେଲା । ଆତ୍ମସମର୍ପଣ ପର୍ବର ପ୍ରତ୍ୟକ୍ଷଦର୍ଶୀ ଅନୁଭୂତି ବର୍ଣ୍ଣନା କରି ମେଜର ଡବଲପା କହନ୍ତି—

 

ମୁଲରାଜ ତାଙ୍କର ଭାଇ ଶାମ ସିଂହ ଓ ରାମ ସିଂହ ଓ ବାହୁ ସର୍ଦ୍ଦାରଙ୍କ ଦ୍ଵାରା ପରିବେଷ୍ଟିତ ହୋଇ ଏକ ଆରବ ଘୋଡ଼ାରେ ଚଢ଼ି ବାହରକୁ ଆସିଲେ । ସେତେବେଳକୁ ସେ ବହୁ ଦାମୀ ସିଲ୍‌କ କନାର ପୋଷାକ ପରିଧାନ କରି ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇଥାନ୍ତି । ସେ କେବଳ ଚାରିଆଡ଼େ ଥରେ ଆଖି ବୁଲାଇ ଆଣିଲେ । ମୁଁହରେ ତାଙ୍କର ଅମାନ୍ୟ କରିବା ଅଥବା ନାପସନ୍ଦ କରିବାର କୌଣସି ଭାବ ଫୁଟୁ ନଥିଲା । ଅନ୍ୟମାନଙ୍କର ସମ୍ମାନଭାଜନ ହୋଇଥିବା ଜଣେ ବ୍ୟକ୍ତି ଯେପରି ସାଧାରଣ ଅବସ୍ଥାରେ ରହିବା କଥା ଠିକ୍‌ ସେହିଭଳି ଭାବରେ ସେ ଦୁର୍ଗରୁ ବାହାରକୁ ଆସିଲେ ।

 

ତାଙ୍କର ଆତ୍ମସମର୍ପଣ ପରେ ପଞ୍ଜାବ ମିଶ୍ରଣ ପାଇଁ ପଥ ପରିଷ୍କାର ହୋଇଗଲା । ମୁଲତାନ ପତନର ମାସକ ପରେ ଫେବୃୟାରୀ ୨୧ ତାରିଖ ଦିନ ଶିଖ୍‌ମାନେ ରାଓଲପିଣ୍ଡରେ ଆତ୍ମସମର୍ପଣ କଲେ । ୧୮୪୯ ମସିହା ମାର୍ଚ୍ଚ ୨୯ ତାରିଖ ଦିନ ପଞ୍ଜାବ ବ୍ରିଟିଶ୍‌ ଇଣ୍ଡିଆର ଏକ ଅଂଶ ହେଲା ।

 

ଏହି ପ୍ରଦେଶ ଶାସନଭାର ଗ୍ରହଣ କରିବା ପରେ ବ୍ରିଟିଶ୍‌ ସରକାରଙ୍କ ପ୍ରଥମ କାମ ହେଲା ଶ୍ରୀ ଭାନ୍‌ସ ଆଗ୍ନିଭ ଓ ଲେଫ୍‌ଟନାଣ୍ଟ ଆଣ୍ଡରସନଙ୍କ ହତ୍ୟା ଅପରାଧରେ ମୁଲରାଜଙ୍କର ବିଚାର କରିବ । କେଉଁ ଆଇନ ବଳରେ ଏହି ବିଚାର କରାଗଲା । ତାହା ଏବେ ବି କହିବା କଷ୍ଟକର । କାରଣ ଆନ୍ତର୍ଜାତିକ ଆଇନ୍‌ଠୁ ମ୍ୟୁନିସିପାଲିଟି ଆଇନ୍‌ ପର୍ଯ୍ୟନ୍ତ କେଉଁଠି ହେଲେ ଏଭଳି ଏକ ବିଚାରର ବ୍ୟବସ୍ଥା ନାହିଁ; କିନ୍ତୁ ଆଇନ୍‌ ଏଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିଲା ନାହିଁ । ଭାନ୍‌ସ ଆଗ୍ନିଭଙ୍କ ପ୍ରକୃତ ହତ୍ୟାକାରୀ ଗୋଦର ସିଂହର ବିଚାର ମେଜର ଏସ୍‌. ପୁଲେଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ପେଶିଆଲ ମିଲିଟାରୀ କମିଶନଙ୍କ ଇଜଲାସରେ ହେଲା ଓ ସେ ଫାଶୀ ପାଇଲା; କିନ୍ତୁ ମୁଲରାଜଙ୍କ ବିଚାର ସମ୍ବନ୍ଧରେ ସାଧାରଣ ଲୋକେ କୌତୂହଳ ହୋଇ ଉଠିଲେ । ଯେକୌଣସି ଦିଗରୁ ବିବେଚନା କଲେ ବି ଏହା ଏକ ଜବରଦସ୍ତ ବିଚାର ବୋଲି କୁହାଯିବ ।

 

ମୁଲରାଜଙ୍କ ବିଚାର ଲାହୋର ଫୋର୍ଟର ପ୍ରସିଦ୍ଧ ଦିଓ୍ୱାନ-ଇ-ଆମ୍‍ ଠାରେ ଅନୁଷ୍ଠିତ ହୋଇଥିଲା । ତାଙ୍କ ବିଚାର ପାଇଁ ଗଭର୍ଣ୍ଣର ଜେନେରାଲଙ୍କ ପକ୍ଷରୁ ନିଯୁକ୍ତ କମିଶନରେ ଶ୍ରୀ ସି. ଜି. ମାନସ୍ୱେଲ ଅଧ୍ୟକ୍ଷ, ଶ୍ରୀ ଆର ମଣ୍ଡୋଗୋମାରୀ ଓ ଲେଫଟନାଣ୍ଟ କର୍ଣ୍ଣେଲ ପେନି ସଭ୍ୟ ରହିଲେ । ଅଭିଯୋଜନ (ପ୍ରସିକ୍ୟୁସନ)ର ଓକିଲରୂପେ ପ୍ରଶାସନ ବୋର୍ଡ଼ର ସହକାରୀ ଶ୍ରୀ ଲୋରିଙ୍ଗ ବୋରିଂ ସୁଆଲ କରିଥିଲେ । ବାଦୀଙ୍କ ପାଇଁ ଜଣେ ଉପଯୁକ୍ତ ଓକିଲ ପାଇବା ପ୍ରଥମେ ସହଜ ହୋଇନଥିଲା-। ଆସାମୀଙ୍କ ପାଇଁ ଜଣେ ସ୍ଥାନୀୟ ଲୋକ ଲଢ଼ିବା ଉଚିତ ବୋଲି ଗଭର୍ଣ୍ଣର ଜେନେରାଲ ଇଚ୍ଛା କରିଥିଲେ । ସମ୍ଭବତଃ ବ୍ରିଟିଶ୍‌ ଅଫିସର ତାଙ୍କ ପାଇଁ ନିଯୁକ୍ତ କରାଗଲେ ସେ ଅଭିଯୋଜନାକୁ ପ୍ରତ୍ୟକ୍ଷ ବା ପରୋକ୍ଷରେ କାଳେ ସମର୍ଥନ କଲେ ବୋଲି ସନ୍ଦେହ ହେବ, ସେଇଥିପାଇଁ ସେ ଏଭଳି ଇଚ୍ଛା ପୋଷଣ କରିଥିଲେ । ତଦନୁଯାୟୀ ଆସାମୀ ପାଇଁ ରାଜା ଦୀନନାଥ ଓ ଦିଓ୍ୱାନ ରତନ ଚାନ୍ଦଙ୍କ ସେବା ଲୋଡ଼ା ଯାଇଥିଲା; କିନ୍ତୁ ସେମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ମନା କରି ଦେଇଥିଲେ-। ଏହାପରେ ଦୁଇଜଣ ବ୍ରିଟିଶ ଅଫିସର ଶ୍ରୀ ଜନ ଲରେନ୍‌ସ ଓ ହରବର୍ଟ ଏର୍ଡ଼ଓ୍ୱାର୍ଡ଼ଙ୍କୁ ନିବେଦନ କରଯାଇଥିଲା; କିନ୍ତୁ ସେ ଦୁଇଜଣ ମଧ୍ୟ ମନା କରି ଦେଲେ । ପରେ ପଞ୍ଜାବର ଅସ୍ଥାୟୀ ଡେପୁଟୀ କମିଶନର ଭାବେ କାର୍ଯ୍ୟ କରୁଥିବା କ୍ୟାପଟେନ ହାମିଲଟନଙ୍କୁ ଏଥିପାଇଁ ନିବେଦନ କରାଗଲା ଏବଂ ବନ୍ଦୀଙ୍କ ସୌଭାଗ୍ୟରୁ ସେ ଏହି ପ୍ରସ୍ତାବରେ ରାଜି ହେଲେ । ଯଦିଓ କ୍ୟାପଟେନ ହାମିଲଟନଙ୍କ ବୃତ୍ତି ହେଲା ସୈନିକ ଓ ତାଙ୍କର ଆଇନ ସମ୍ବନ୍ଧରେ କୌଣସି ତାଲିମ ନଥିଲା ତଥାପି ସେ ମୁଲରାଜଙ୍କ ପାଇଁ ଯେଭଳିଭବେ ଲଢ଼ିଥିଲେ ଅନ୍ୟ କୌଣସି ବ୍ୟକ୍ତି ତାଙ୍କଠାରୁ ଅଧିକ କିଛି କରିପାରି ନଥାନ୍ତା ।

 

କମିଶନ୍‌ ମେ ୩୧ ତାରିଖ ଦିନ ପ୍ରଥମ ଅଧିବେଶନ କରିଥିଲେ ଓ ଚୂଡ଼ାନ୍ତ ରାୟ ଦେବା ପୂର୍ବରୁ ମୋଟ ୧୯ଟି ଅଧିବେଶନ ବସିଥିଲା । ଏହାର ବିଚାର ସାଧାରଣରେ ଅନୁଷ୍ଠିତ ହେଉଥିବାରୁ ମୂଳରୁ ବହୁ ଲୋକ ଆଗ୍ରହର ସହିତ ଉଭୟ ପକ୍ଷର ଯୁକ୍ତି ଶୁଣିବାକୁ ଆସୁଥାନ୍ତି । ଶୁଣାଣି ଚାଲିଥିଲାବେଳେ ଦିଓ୍ୱାନ ମଧ୍ୟ ସର୍ବଦା ଉପସ୍ଥିତ ରହୁଥିଲେ ।

 

ଗଭର୍ଣ୍ଣର ଜେନେରାଲ କେଉଁଥିପାଇଁ ଏହି କମିଶନ ବସାଇଛନ୍ତି ତାହା ପାଠ କରାଯାଇ ଦିଓ୍ୱାନ ମୁଲରାଜଙ୍କ ବିରୁଦ୍ଧରେ ଆଗତ ଅଭିଯୋଗଗୁଡ଼ିକ ପ୍ରଥମ ଅଧିବେଶନରେ ଶୁଣାଇ ଦିଆଯାଇଥିଲା । ସେଗୁଡ଼ିକ ହେଲା :—

 

(୧) କଥିତ ଦିଓ୍ୱାନ ମୁଲରାଜ ନିର୍ଦ୍ଦିଷ୍ଟଭାବେ ପାଟ୍ରିକ ଆଲେକ୍‌ଜାଣ୍ଡର ଭାନ୍‌ସ ଆଗ୍ନିଭ ଓ ଓ୍ୱାଲିଅମ ଆଣ୍ଡରସନଙ୍କୁ ହତ୍ୟା କରିବା ପାଇଁ ତାଙ୍କର ଅନୁଚରବର୍ଗଙ୍କୁ ମତାଇଥିଲେ ଏବଂ ତଦନୁଯାୟୀ ଦିଓ୍ୱାନଙ୍କ ଅନୁଗତ ଲୋକେ ଏପ୍ରିଲ ୨୦ ତାରିଖ ୧୮୪୯ ମସିହାରେ ସେ ଦୁଇଜଣ ବ୍ରିଟିଶ୍‌ ଅଫିସରଙ୍କୁ ହତ୍ୟା କରିଥିଲେ । (୨) କଥିତ ଦିଓ୍ୱାନ ମୁଲରାଜ୍‌ ତାଙ୍କ ସୈନ୍ୟ ତଥା ଅନୁଗତ ଲୋକଙ୍କର ଉକ୍ତ ହତ୍ୟାକାଣ୍ଡକୁ ମଞ୍ଜୁର କରିଥିଲେ ।

 

ଏହାପରେ ଅଦାଲତ ମୁଲରାଜଙ୍କୁ ପ୍ରଶ୍ନ କରିଥିଲେ—ଆପଣଙ୍କ ବିରୁଦ୍ଧରେ ଆଗତ ଅଭିଯୋଗ ଅନୁଯାୟୀ ଆପଣ ଦୋଷୀ ନା ନିର୍ଦ୍ଦୋଷୀ ।

 

ମୁଲରାଜ ଏହାର ଉତ୍ତରରେ ନିଜକୁ ନିର୍ଦ୍ଦୋଷ ବୋଲି ଦୃଢ଼ଭାବେ କହିଥିଲେ ।

 

ଶ୍ରୀ ଲୋରିଂ ବୋରିଂ ଏହାପରେ ଅଭିଯୋଜନାର ବକ୍ତବ୍ୟ ଆରମ୍ଭ କରି ବନ୍ଦୀଙ୍କ ବିରୁଦ୍ଧରେ ମୁଖ୍ୟତଃ ନିମ୍ନଲିଖିତ କଥାମାନ କହିଥିଲେ ।

 

‘‘ଦିଓ୍ୱାନ୍‌ ମୁଲରାଜ ନିଜ ପଦବୀରୁ ଇସ୍ତଫା ଦେବାପରେ ଏଥିପାଇଁ ଅନୁତାପ କରି ମୁଲତାନ୍‌ ହସ୍ତାନ୍ତରର ପ୍ରତିରୋଧ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ ଏବଂ ତାଙ୍କର ପ୍ରରୋଚନା ତଥା ଉଦ୍ୟମ କ୍ରମେ ସେଠାରେ ବିଦ୍ରୋହ ଘଟି ସର୍ବଶ୍ରୀ ଆଗ୍ନିଭ ଓ ଆଣ୍ଡରସନଙ୍କୁ ପ୍ରାଣବଳି ଦେବାକୁ ପଡ଼ିଲା ଓ ଯୁଦ୍ଧ ହେଲା । ଏହା ସପକ୍ଷରେ ମୁଁ ଅଦାଲତ ଆଗରେ ସାକ୍ଷ୍ୟ ପ୍ରମାଣ ଉପସ୍ଥାପିତ କରିବାକୁ ଯାଉଛି ଏବଂ ଏହି ଷଡ଼ଯନ୍ତ୍ର ଓ ହତ୍ୟାକାଣ୍ଡରେ ଦିଓ୍ୱାନ କିପରି ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ ତାହା ମଧ୍ୟ ପ୍ରମାଣ କରିବାକୁ ଯାଉଛି ।

 

ମୁଲତାନରେ ଲାହୋରର ସୈନ୍ୟମାନେ ପହଞ୍ଚିବା ପୂର୍ବରୁ ସେଠାରେ କିପରି ଏକ ପ୍ରକାର ଅଶ୍ୱସ୍ତିକର ପରିବେଶ ସୃଷ୍ଟି ହୋଇଥିଲା ଯାହା ଫଳରେ ଲାହୋର ସୈନ୍ୟମାନେ ଆସିଲାବେଳେ ବାଟରେ ନିଜର ରସଦ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

 

ଏହାପରେ ମୁଁ ପ୍ରମାଣ କରିବି ଯେ ମୁଲରାଜ ସାଧାରଣ ସୌଜନ୍ୟ ଦୃଷ୍ଟିରୁ ବ୍ରିଟିଶ ଅଫିସରମାନେ ପହଞ୍ଚିବା ପରେ ସେମାନଙ୍କୁ ଯେପରି ଅଭ୍ୟର୍ଥନା ଜଣାଇବା କଥା ତାହା କରି ନଥିଲେ । ସେମାନଙ୍କ ସମ୍ମାନାର୍ଥେ ତୋପ ସଲାମ ଦିଆଯାଇ ନଥିଲା ଏବଂ ଆସାମୀ ନବନିଯୁକ୍ତ ନାଜିମ ସର୍ଦ୍ଦାର କାହାନ ସିଂହଙ୍କୁ ଅସମ୍ମାନ ପ୍ରଦର୍ଶନ କରିଥିଲେ । ବ୍ରିଟିଶ୍‌ ଅଫିସରମାନଙ୍କ ପ୍ରତି ଏତାଦୃଶ ଅସମ୍ମାନ ପ୍ରଦର୍ଶନ କରଯିବା ପରେ ଅମୀରଚାନ୍ଦ ନାମକ ଜନୈକ ବ୍ୟକ୍ତି ଶ୍ରୀ ଆଗ୍ନିଭଙ୍କୁ ଆଘାତ କଲା । ସେତେବେଳେ ମୁଲରାଜ ଯେପରି ଆଚରଣ ପ୍ରଦର୍ଶନ କଲେ ତାହା ସାଧାରଣ ମାନବିକତାର ପରିପନ୍ଥୀ । ସେ ଆହତ ଅଫିସରଙ୍କୁ ସାହାଯ୍ୟ କରି ତାଙ୍କ କ୍ଷତପାଇଁ କିଛି ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରିଥାନ୍ତେ ଅଥବା ବିଶ୍ଵାସଘାତକ ସିପାହୀକୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତେ; କିନ୍ତୁ ସେ ଏହା ନ କରି ଘୋଡ଼ା ଛୁଟାଇ ନିଜ ଘରକୁ ପଳାଇଗଲେ । ସେତେବେଳେ ସେ ଏକାକୀ ଥିବାରୁ ଶ୍ରୀ ଆଗ୍ନିଭଙ୍କୁ ସାହାଯ୍ୟ କରି ପାରିଲେ ନାହିଁ ବୋଲି କୁହାଯାଇ ପାରିବ ନାହିଁ-। କାରଣ ତାଙ୍କ ପଛରେ ଦୁଇ ବା ତିନିଶହ ଲୋକ ତାଙ୍କ ନିର୍ଦ୍ଦେଶ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ ।

 

ଏହାଛଡ଼ା ମୁଲରାଜଙ୍କ ବ୍ୟକ୍ତିଗତ ଭୃତ୍ୟ ହିଁ ଲେଫ୍‌ଟନାଣ୍ଟ ଆଣ୍ଡରସନଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ସେ ସବୁ ଲୋକ ହଠାତ୍‌ ଏକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଏସବୁ କାଣ୍ଡ କରିବସିଲେ ନା ପୂର୍ବ ନିର୍ଦ୍ଦେଶ ମୁତାବକ ସେମାନେ ଏହିସବୁ କାମ କରୁଥିଲେ ବୋଲି କହିବା ଏ କ୍ଷେତ୍ରରେ ଅଧିକ ସଙ୍ଗତ ହେବ ? ପୁଣି ସର୍ଦ୍ଦାର କାହାନ ସିଂହ ଆହତ ଅଫିସର ଦ୍ଵୟଙ୍କୁ ଧରି ମୁଲରାଜର ସାହାଯ୍ୟ ଭିକ୍ଷା କରିବାଲାଗି ତାର ରହଣୀସ୍ଥଳ ଆମଖାସ୍‌କୁ ଆସିଲାବେଳେ ପ୍ରାସାଦ ସମ୍ମୁଖରେ ବନ୍ଧୁକ ଦେଖାଇ ଅଧିକ ବାଟ ଅଗ୍ରସର ନ ହେବା ପାଇଁ ସର୍ଦ୍ଦାରକୁ ଧମକ ଦିଆଯାଇଥିଲା ।

 

ଏହାପରେ ମୁଲରାଜର ନିର୍ଦ୍ଦେଶକ୍ରମେ ମୁଲତାନର ଦଳେ ଅଫିସର ଏକତ୍ର ବସି ସେମାନଙ୍କ ଭବିଷ୍ୟତ କର୍ମପନ୍ଥା ସମ୍ପର୍କରେ ବିଚାର ବିମର୍ଷ କଲାପରେ ଦିଓ୍ୱାନଙ୍କ ପରାମର୍ଶକ୍ରମେ ମୁସଲମାନମାନେ କୋରାନ୍‌ ଛୁଇଁ ଓ ଶିଖ୍‌ମାନେ ଗ୍ରନ୍ଥ ଛୁଇଁ ଦିଓ୍ୱାନଙ୍କ ପକ୍ଷରେ ରହି ଲାହୋରରୁ ଆସିଥିବା ସୈନ୍ୟମାନଙ୍କ ସହ ଯୁଦ୍ଧ କରିବେ ବୋଲି ଶପଥ କରିଥିଲେ । ଦିଓ୍ୱାନ ସେତେବେଳେ ନିଜର ଅଧିକ ଶକ୍ତି ତଥା ଏହିଭଳି ଏକ ଯୁଦ୍ଧର ଫଳାଫଳ ସମ୍ପର୍କରେ ସମ୍ପୂର୍ଣ୍ଣ ଅଭିହିତ ଥିଲେ । କେବଳ ଯେ ନିଜର ସୈନ୍ୟଚାଳନା କରି ଯୁଦ୍ଧ କରିଥିଲେ ତାହା ନୁହେଁ ସେ ଉତ୍କୋଚ ଓ ବିଭିନ୍ନ ପ୍ରତିଶ୍ରୁତି ଦେଇ ଲାହୋର ସୈନ୍ୟମାନଙ୍କୁ ନିଜ ଆଡ଼କୁ ନେଇ ଆସିଥିଲେ । ତାଙ୍କର ଦୁଇଜଣ ଅଫିସର ହର ଭଗବାନ ଓ ଦିଦାର ସିଂହ ଲାହୋର ସୈନ୍ୟଙ୍କୁ ନିଜ ପଟକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସଙ୍କଟକୁ ଅଧିକ ଘନୀଭୂତ କରିବା ଉଦ୍ଦେଶ୍ୟରେ ସେ ୧୯ ତାରିଖ ଦିନ ପ୍ରଥମେ ନିଜର ମହିଳାବର୍ଗଙ୍କୁ ଦୁର୍ଗ ଭିତରକୁ ପଠାଇଥିଲେ । ୨୦ ତାରିଖ ସକାଳେ ଯେତେବେଳେ ମହାରାଜାଙ୍କ ନିର୍ଦ୍ଦେଶନାମା ସର୍ଦ୍ଦାର ଓ ଅନ୍ୟମାନଙ୍କୁ ଶୁଣାଇ ଦିଆଗଲା ସେତେବେଳେ ସେମାନେ ଏହି ନିର୍ଦ୍ଦେଶନାମା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପରିବର୍ତ୍ତେ ମୁଲରାଜଙ୍କ ନିର୍ଦ୍ଦେଶ ଭିନ୍ନ ଆମେ କାହାରି କଥା ମାନିବୁ ନାହିଁ ବୋଲି ପ୍ରତ୍ୟୁତ୍ତର ଦେଲେ । ୨୦ ତାରିଖ ଅପରାହ୍ନରେ ଶ୍ରୀ ଆଗ୍ନିଭଙ୍କ ପକ୍ଷରୁ କାଜି ଗୁଲାମ ହୁସେନ ଅନ୍ୟ ତିନିଜଣ ବ୍ୟକ୍ତିଙ୍କ ସହ ଯେତେବେଳେ ଦିଓ୍ୱାନଙ୍କ ପାଖକୁ ଗଲେ ସେତେବେଳେ ସେ ବ୍ରିଟିଶ ଅଫିସରଙ୍କ ପାଖକୁ ଆସିବାକୁ ମନା କରିଦେଲେ ଓ ଦୁର୍ଗ ଭିତରକୁ ଗୁଳିଚାଳନା ବନ୍ଦ କରାଯିବ ନାହିଁ ବୋଲି ସ୍ପଷ୍ଟଭାବେ ଜଣାଇଦେଲେ । ଏହାର କେତେ ଘଣ୍ଟା ପରେ ଇଦ୍‌ଗା ଉପରେ ଆକ୍ରମଣ କରାଗଲା ଓ ବ୍ରିଟିଶ୍‌ ଅଫିସରଦ୍ଵୟଙ୍କୁ ଅତି ବର୍ବରୋଚିତଭାବେ ହତ୍ୟା କରାଗଲା ।

 

ମୁଲତାନ ସୈନ୍ୟମାନେ ପୂର୍ବରୁ କେବେ ବିଦ୍ରୋହ କରି ନଥିଲେ; କିନ୍ତୁ ସେତେବେଳେ ସେମାନେ ପୂରାପୂରି ଭାବେ ମୁଲରାଜର କର୍ତ୍ତୁତ୍ୱ ଓ ନିୟନ୍ତ୍ରଣାଧୀନ ଥିଲେ । ଏ କ୍ଷେତ୍ରରେ ବିନାକାରଣରେ ‘ମୁଲରାଜ’ ଠାରୁ କୌଣସି ସୂଚନା ବା ପ୍ରରୋଚନା ନ ପାଇ ଏକାବେଳକେ ସୈନ୍ୟମାନେ ସ୍ଵତଃ ବିଦ୍ରୋହ କଲେ ବୋଲି କହିବା ସମ୍ପୂର୍ଣ୍ଣ ଅବାନ୍ତର ।

 

ମୁଲରାଜ ନିଜର ସୈନ୍ୟମାନଙ୍କୁ ବିଦ୍ରୋହ କରିବା ପାଇଁ ଅତି ସ୍ପଷ୍ଟଭାବେ କୌଣସି ନିର୍ଦ୍ଦେଶ ଦେଇ ନଥିଲେ ବୋଲି ଧରାଗଲେ ମଧ୍ୟ ଗଡ଼ର ଦାୟିତ୍ଵ ହସ୍ତାନ୍ତରର ସେ ବିରୋଧୀ ବୋଲି ନିଜ ହାବଭାବର ସେ ସୂଚନା ଦେଇଛନ୍ତି; ଯାହା ଫଳରେ କି ସୈନ୍ୟମାନେ ଏଭଳି କାଣ୍ଡ ଘଟାଇଲେ । ଏହିସବୁ ଯୁକ୍ତିକୁ ପ୍ରମାଣସିଦ୍ଧ କରିବା ପାଇଁ ସେ ୧୧ ଜଣ ସାକ୍ଷୀଙ୍କୁ ଉପସ୍ଥାପିତ କଲେ । ସେମାନଙ୍କ ଭିତରୁ କେବଳ ଶ୍ରୀ ଜନ ଲରେନ୍‌ସ; ରେସିଡେଣ୍ଟଙ୍କୁ ଛାଡ଼ିଦେଲେ (ଯିଏ କି ମୁଲରାଜଙ୍କ ଇସ୍ତଫା ଓ ମୁଲତାନର ପ୍ରଶାସନ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ବୟାନ ଦେଇଥିଲେ) । ଅନ୍ୟମାନେ ସେଭଳି କିଛି ଉଲ୍ଲେଖଯୋଗ୍ୟ ବିଷୟର ଅବତାରଣା କରି ନଥିଲେ । ସେମାନଙ୍କ ଭିତରୁ ପାଞ୍ଚ ଜଣଙ୍କର କୌଣସି ଚାକିରୀବାକିରୀ ନଥିଲା, ଏବଂ ଅନ୍ୟମାନେ ନାମକୁମାତ୍ର ଚାକିରୀ କରୁଥିଲେ । ପେଟପାଇଁ ସେମାନେ ବାରଦ୍ୱାର ହେଉଥିଲେ; ତେଣୁ ଟଙ୍କା ପାଇଁ ଯାହାକିଛି କହିବାକୁ ମଧ୍ୟ ସେମାନେ ପ୍ରସ୍ତୁତ ଥିଲେ । ଅଭିଯୋଜନାର ସାକ୍ଷୀମାନେ ଶ୍ରୀ ବୋରିଙ୍କ ବକ୍ତବ୍ୟକୁ ହିଁ ସମର୍ଥନ କରିଥିଲେ ।

 

ଅଭିଯୋଜନାର ଖଣ୍ଡନ କରି କ୍ୟାପଟେନ ହାମିଲଟନ ଅତି ଚମତ୍କାର ଭାବେ ଆତ୍ମପକ୍ଷ ସମର୍ଥନ କରିଥିଲେ । ସେ ତାଙ୍କର ଯୁକ୍ତି ଉପସ୍ଥାପନ କଲାବେଳେ ନିଜ ପାରଙ୍ଗମତା ଓ ବିଚକ୍ଷଣତାର ପ୍ରମାଣ ଦେଇଥିଲେ ମୁଲରାଜଙ୍କ ଅଧୀନରେ ମୁଲତାନ ଦୁର୍ଗରେ ତୁଳସୀରାମ ଓ ରାମରଙ୍ଗ ଉଚ୍ଚପଦବୀର ଅଧିକାରୀ ହୋଇଥିଲେ । ବୁଦ୍ଧୁମଲ ଓ ଶାମ ସିଂହ ମୁଲତାନର ଦୁଇଜଣ ବ୍ୟାଙ୍କର ଏବଂ ଜମ୍ଭୁ ମୁଲତାନରେ ଆଫଗାନ ବ୍ୟବସାୟୀ ଗୋଷ୍ଠୀର ପ୍ରତିନିଧି । ମୁଲରାଜଙ୍କ ଭାଗ୍ୟ ବିପର୍ଯ୍ୟୟ ବେଳେ ମଧ୍ୟ ଏହିମାନେ ଯେପରି ସାହସର ସହିତ ସାକ୍ଷ୍ୟ ଦେଇଥିଲେ ତାହା ବାସ୍ତବିକ ପ୍ରଶଂସାଯୋଗ୍ୟ ।

 

ଉଭୟ ପକ୍ଷର ପ୍ରମାଣପତ୍ର ଉପସ୍ଥାପିତ ହୋଇ ସାରିବା ପରେ କ୍ୟାପଟେନ ହାମିଲଟନ ଅଦାଲତକୁ ସମ୍ବୋଧନ କରି କହିଲେ :

 

ଭଦ୍ର ମହୋଦୟ ଗଣ । ମୋ ଭଳି ଜଣେ ବ୍ରିଟିଶ୍‌ ଅଫିସରଙ୍କ ପକ୍ଷେ ଏହିଭଳି ଏକ ଦାୟିତ୍ଵ ତୁଲାଇବା ସମ୍ପୂର୍ଣ୍ଣ ଆକସ୍ମିକ; କିନ୍ତୁ କେଉଁ ପରିସ୍ଥିତିରେ ଏହି ବିଶିଷ୍ଟ ହତଭାଗ୍ୟ ବ୍ୟକ୍ତିଙ୍କ ପାଇଁ ମୋତେ ଆଡଭୋକେଟଙ୍କ ସ୍ଥାନ ଗ୍ରହଣ କରିବାକୁ ପଡ଼ିଲା, ସେ ବିଷୟରେ ଦିପଦ କହିଦେଲେ ସବୁ ସ୍ପଷ୍ଟ ହୋଇଯିବ । ମୁଁ ଏକ ଦୂରବର୍ତ୍ତୀ ରାଜ୍ୟରୁ ଆସି ଲାହୋରରେ ପହଞ୍ଚିବା ପରେ ମୋର କର୍ତ୍ତୃପକ୍ଷ ମୋତେ ଜଣାଇଲେ କି ଏବେ ବନ୍ଦୀ ହୋଇଥିବା ବ୍ୟକ୍ତି ଜଣକ ଘଟଣାଚକ୍ରରେ ବ୍ରିଟିଶ ଅଦାଲତରେ ନ୍ୟାୟ ପ୍ରତିଷ୍ଠାର ଧାରା ସମ୍ପର୍କରେ କେବଳ ସମ୍ପୂର୍ଣ୍ଣ ଅଜ୍ଞ ନୁହନ୍ତି । ତାଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଉପଦେଷ୍ଟା ନିହାତି ଦରକାର ଏବଂ ତାଙ୍କ ପାଇଁ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ପାଇବା ସମ୍ଭବ ହୋଇନାହିଁ । ମୋତେ ଏହି ଖବର ଜଣାଇବା ସଙ୍ଗେ ସଙ୍ଗେ ବନ୍ଦୀଙ୍କୁ ସାହାଯ୍ୟ କରିବା ଦାୟିତ୍ୱ ଗ୍ରହଣ କରିବା ପାଇଁ ମଧ୍ୟ ନିବେଦନ କରାଯାଇଥିଲା । ମୁଁ ବୃତ୍ତିରେ ଆଇନଜ୍ଞ ନୁହେଁ କି ଆଇନ ଅଧ୍ୟୟନ ପ୍ରତି ମୋର ଆଗ୍ରହ ଥିଲା ବୋଲି ମୁଁ କହୁନାହିଁ । ତେଣୁ ମୁଁ ଏବେ ଯେଉଁ କାମ କରିବାକୁ ଯାଉଛି ତାହା ଉଦ୍ଦେଶ୍ୟମୂଳକ ବୋଲି ଅଭିହିତ କରାଯାଇପାରେ; କିନ୍ତୁ ମୁଁ କୌଣସି ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ଏ କାର୍ଯ୍ୟ କରୁନାହିଁ । ମୋର ଉପରିସ୍ଥ କର୍ତ୍ତାଙ୍କ ଇଚ୍ଛା ବୁଝିପାରି ଜଣେ ବନ୍ଧୁହୀନ ଓ ହତଭାଗ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଉଛି । ଯୁକ୍ତି ତ୍ରୁଟିପୂର୍ଣ୍ଣ ହେଲେ ମଧ୍ୟ ଏହା ଅଦାଲତର ଅନୁଗ୍ରହ ପାଇବାରୁ ବଞ୍ଚିତ ହେବ ନାହିଁ ବୋଲି ମୋର ବିଶ୍ଵାସ ।

 

ଘଟଣାବହୁଳ ଏହିସବୁ ଅଞ୍ଚଳରେ ଗତ କିଛି କାଳ ହେଲା ଯେଉଁ ଆଲୋଡ଼ନ ସୃଷ୍ଟି ହେଇଛି ତାର ଏକ ନୀରବ ଦର୍ଶକ ରୂପେ ମୁଁ ରହି ଆସିଥିଲି । ମୁଁ କୌଣସି ପକ୍ଷ ସପକ୍ଷରେ ଅନ୍ଧ ଭାବରେ ନାହିଁ କି କୌଣସି ନିର୍ଦ୍ଦିଷ୍ଟ ନୀତିକୁ ସମର୍ଥନ କରିବାକୁ ମଧ୍ୟ ବାଧ୍ୟ ନୁହେଁ; କିନ୍ତୁ କଥିତ ଘଟଣା ସମ୍ପର୍କରେ ପ୍ରାଥମିକ ଅନୁସନ୍ଧାନ କରିବା ପରେ ଏଥିପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା ଏବଂ ପରବର୍ତ୍ତୀ ଅନୁସନ୍ଧାନରୁ ବନ୍ଦୀ ଯେ ନିରପରାଧ ଓ ତା ବିରୁଦ୍ଧରେ ହୋଇଥିବା ଅଭିଯୋଗ ସହ ସେ ଜଡ଼ିତ ନୁହେଁ ଏହା ମୋର ହୃଦବୋଧ ହୋଇଛି । ମୁଁ ଏହା ହୃଦୟଙ୍ଗମ କରିବା ପରେ ତାଙ୍କୁ ମୁକ୍ତ କରିବାପାଇଁ ଆବଶ୍ୟକୀୟ ପରିଶ୍ରମ କରିଛି ।

 

ବନ୍ଦୀ ହୋଇଥିବା ଆମର ଏ ବ୍ୟକ୍ତି ଜଣକ ସାଧାରଣ ଲୋକ ନୁହନ୍ତି କି ତାଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅଭିଯୋଗ ମାମୁଲି ଧରଣର ନୁହେଁ । ମାତ୍ର କିଛି ମାସ ତଳେ ସେ ଏକ ଟାଣୁଆ ସୈନ୍ୟ ବାହିନୀର ମୁଖ୍ୟରୂପେ ଏକ ବିଖ୍ୟାତ ସହରର ପ୍ରତିରକ୍ଷା କାର୍ଯ୍ୟରେ ବ୍ୟସ୍ତ ରହି ଏସିଆର ସର୍ବଶ୍ରେଷ୍ଠ ଶକ୍ତିର ସେନାବାହିନୀକୁ ପ୍ରତିହତ କରୁଥିଲେ । ଯେଉଁ ସହରର ପ୍ରତିରକ୍ଷା କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ ତାହା ତାଙ୍କର ଆଇନତଃ ପ୍ରାପ୍ୟ; କିନ୍ତୁ ଏବେ ତାଙ୍କ ବିରୁଦ୍ଧରେ କେତେକ ଅଭିଯୋଗ ଆଗତ କରାଯାଇଛି । ଯେଉଁ ଗୁଡ଼ିକ କି ସମ୍ପୂର୍ଣ୍ଣ ଭୁଲ ବୋଲି ମୋର ମତ । ଯେଉଁଥିରେ କି ତାଙ୍କ ରାଜ୍ୟକୁ ଅତିଥି ଓ ଦୂତରୂପେ ଯାଇଥିବା ଦୁଇଜଣ ବ୍ରିଟିଶ୍‌ ଅଫିସରଙ୍କୁ ହତ୍ୟାପାଇଁ ସେ ଦାୟୀ ବୋଲି କୁହାଯାଇଛି । ବନ୍ଦୀମାନେ ଯେ କୌଣସି ଦୃଷ୍ଟିରୁ ଦୋଷୀ ହୋଇଥାଇ ପାରନ୍ତି କିନ୍ତୁ ସେ ବିଶ୍ୱାସଘାତକତା କରି ବ୍ରିଟିଶ୍‌ ଅଫିସରମାନଙ୍କୁ ହତ୍ୟାର କାରଣ ହୋଇଛନ୍ତି ବୋଲି ଯାହା ଅଭିଯୋଗ କରାଯାଇଛି ତାହା ମିଥ୍ୟା ପ୍ରମାଣିତ କରିବାରେ ମୁଁ ସକ୍ଷମ ହେବି ବୋଲି ଆଶା କରୁଛି ।

 

ଭଦ୍ରମହୋଦୟଗଣ, ବନ୍ଦୀ ବର୍ତ୍ତମାନ ଆପଣମାନଙ୍କ ସମ୍ମୁଖରେ ଏବଂ ମୁଁ ଯାହା କହୁଛି ତାହା ସତ କି ନୁହେଁ ତାହା ଆପଣମାନେ ବିଚାର କରିବେ । ଅଭିଯୁକ୍ତ ବ୍ୟକ୍ତିଠାରେ ମୁଁ ନିଜେ ନିଷ୍ଠୁରତାର କୌଣସି ଲକ୍ଷଣ ଦେଖି ପାରୁନାହିଁ, ସେ ଜଣେ ଧୀର ଓ ଶାନ୍ତ ପ୍ରକୃତିର ଭଦ୍ରବ୍ୟକ୍ତି ଯାହାଙ୍କୁ ଦେଖିଲେ ଅନ୍ୟର ମନରେ ଆନନ୍ଦ ଜାତହେବ । ବହୁଦିନ ହେଲା ଗୋଟିଏ ଜାଗାରେ ବନ୍ଦୀ ହୋଇ ରହିବା ଫଳରେ ତାଙ୍କର ଚକ୍ଷୁ ମଳିନ ପଡ଼ିଯାଇଥିଲେ ମଧ୍ୟ ଏବେ ମଧ୍ୟ ସେଥିରୁ ପ୍ରଜ୍ଞା ଓ ଉତ୍ସାହର ଜ୍ୟୋତି ଫୁଟି ଉଠୁଛି । ଆପଣମାନେ ଦେଖନ୍ତୁ ସେଥିରେ କଣ କିଛି ଉଗ୍ରତା ବା ନିଷ୍ଠୁରତାର ଚିହ୍ନ ଅଛି ? ତାଙ୍କ ବିରୁଦ୍ଧରେ ହୋଇଥିବା ଗୁରୁତର ଅଭିଯୋଗଗୁଡ଼ିକ ଭିତ୍ତିହୀନ ଓ ମିଥ୍ୟା ଉପରେ କିପରି ପର୍ଯ୍ୟବେସିତ ତାହା ମୁଁ ପ୍ରମାଣ କରିବାକୁ ଯାଉଛି ।

 

ମୁଲରାଜ ତାଙ୍କ ଶ୍ରେଣୀର ଅନ୍ୟାନ୍ୟ ବ୍ୟକ୍ତିଙ୍କ ଭଳି ଶାନ୍ତିପ୍ରିୟ ଲୋକ ଏବଂ ଏକ ସ୍ଥାୟୀ ଓ ନିୟମିତ ସରକାରର ବନ୍ଧୁ ସ୍ୱରୂପ । ଭାରତରେ ୟୁରୋପ ଭଳି କୌଣସି ବ୍ୟବସାୟୀ କେବେ କେଉଁ ଅଞ୍ଚଳର ମାଲିକ ବା ରାଜା ହୋଇନାହିଁ କି କୌଣସି ସୌଦାଗର ଯିଏ କି ନିଜ ଅର୍ଥ ବଳରେ ସୁସଜ୍ଜିତ ସେନାବାହିନୀ ରଖିବାକୁ କ୍ଷମ ସେ କେବେ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିବାକୁ ଚିନ୍ତା ମଧ୍ୟ କରେନାହିଁ ଅଥଚ ସରକାରଙ୍କ ସାହାଯ୍ୟରେ ନିଜ ସମ୍ପତ୍ତିର ସୁରକ୍ଷା କରି କେବଳ ଜଣେ ଧନାଢ଼୍ୟ ବ୍ୟକ୍ତିରୂପେ ସମାଜରେ ଚଳାଚଳ କରେ, ସେ ବିପ୍ଳବ ବା ବିଶୃଙ୍ଖଳାକୁ ଭୟକରେ । ଯଦି ମୁଲରାଜର ଅନ୍ୟ କିଛି ଅଭିଳାଷ ଥାନ୍ତା ତେବେ ଶିଖ୍‌ ସାମ୍ରାଜ୍ୟର ପତନ ପରେ ସେ ନିଜର ଧନ ଓ ପାରିବାରିକ ପ୍ରଭାବ ବଳରେ ଲାହୋର ଠାରୁ ବିଛିନ୍ନ ହୋଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିପାରି ଥାନ୍ତେ ଏବଂ ସେହି ରାଜ୍ୟର ଅନ୍ୟାନ୍ୟ ସାମନ୍ତ ରାଜାଙ୍କ ଭଳି ନିଜେ ଏକ ସ୍ଵତନ୍ତ୍ର ସିଂହାସନର ମଧ୍ୟ ଅଧିକାରୀ ହୋଇ ପାରିଥାନ୍ତେ; କିନ୍ତୁ ତାଙ୍କର ସେଭଳି କୌଣସି ଅଭିଳାଷ ନ ଥିଲା । ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ନିଜର ଧନ ସମ୍ପତ୍ତି ବୃଦ୍ଧି କରିବା ଏବଂ ଏହାକୁ ଚରିତାର୍ଥ କରିବା ପାଇଁ ସେ ଏକ ନିୟମିତ ସରକାରର ପୁନଃପ୍ରତିଷ୍ଠା ପ୍ରସ୍ତାବକୁ ସ୍ଵାଗତ କରିଥାନ୍ତେ । ସେଭଳି କୌଣସି ଅସ୍ଵାଭାବିକ ପରିସ୍ଥିତି ନ ଉପୁଜିଲେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଯୁଦ୍ଧଖୋର ବା ବିଦ୍ରୋହୀ ହେବାର ଆଶଙ୍କା ନାହିଁ ।

 

୧୮୪୬ ମସିହାରେ ଲାହୋର ସରକାରର ପୁନଃଗଠନ କରାଯିବା ପରେ ମୁଲରାଜ ନିଜର ଆନୁଗତ୍ୟ ଘୋଷଣା କଲେ ଏବଂ ଅନ୍ୟ କେତେକ ବ୍ୟକ୍ତି ମନ୍ଦ ଆଚରଣ ପ୍ରଦର୍ଶନ କରିଥିଲେ ମଧ୍ୟ ସେ କେବେ ନିଜ ଆନୁଗତ୍ୟ ପ୍ରତ୍ୟାହାର କରିନାହାନ୍ତି । ସେତେବେଳେ ଦରବାର ପକ୍ଷରୁ ଯେଉଁସବୁ ବ୍ୟବସ୍ଥା ବର୍ତ୍ତମାନର ବନ୍ଦୀଙ୍କ ସହିତ କରାଯାଇଥିଲା, ତାହାର ସବିଶେଷ ବିବରଣୀ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି ଏବଂ ଶ୍ରୀ ଲରେନ୍‌ସଙ୍କ ବକ୍ତବ୍ୟରୁ ବନ୍ଦୀ ଜଣେ ଉତ୍ତମ ଚରିତ୍ରର ବ୍ୟକ୍ତି ଏବଂ ଲୋକପ୍ରିୟ ଶାସକ ଓ ବ୍ରିଟିଶ୍‌ ସରକାରଙ୍କ ଆଜ୍ଞାଧୀନ ବ୍ୟକ୍ତି ହୋଇଥିବା ଜଣାଯାଉଛି । ବନ୍ଦୀଙ୍କର କାର୍ଯ୍ୟକଳାପ ଶ୍ରୀ ଲରେନ୍‌ସଙ୍କୁ ସନ୍ତୁଷ୍ଟ କରିଥିବା ମଧ୍ୟ ସ୍ପଷ୍ଟ ।

 

ଏହି ବିଚାରରେ ସାକ୍ଷ୍ୟ ଦେଇଥିବା ପ୍ରଥମ ବ୍ୟକ୍ତି ହେଉଛି ସାଦିକ ମହମ୍ମଦ ଯେ ନିଜକୁ ଜଣେ ସୈନ୍ୟ ଓ ପଠାଣ ରୂପେ ଅଭିହିତ କରିଛି; କିନ୍ତୁ ନିଜ କଥାରେ ସେ ନିଜକୁ ଜଣେ ବିଶ୍ୱାସଘାତକ ବୋଲି ପ୍ରମାଣ କରିଦେଇଛି ।

 

ମୁଲତାନରେ ବିଦ୍ରୋହ ବା ଗଣ୍ଡଗୋଳର ପଦଧ୍ୱନି ଶୁଣାଗଲାବେଳେ ସେ ଲାହୋର ରାଜ୍ୟର ଦରମାଖିଆ କର୍ମଚାରୀ ରୂପେ ରହିଥିଲା କିନ୍ତୁ ହଠାତ୍‌ ସେ ବିଦ୍ରୋହୀମାନଙ୍କ ସହିତ ଯୋଗଦେଲା ଏବଂ ବିଦ୍ରୋହୀମାନଙ୍କ ସଫଳତା ଯେତେବେଳେ ସନ୍ଦେହଜନକ ହୋଇ ଉଠିଲା ସେତେବେଳେ ସେ ସେମାନଙ୍କୁ ପ୍ରତାରିତ କରି ବିପକ୍ଷ ଦଳରେ ଯୋଗ ଦେଇଦେଲା । ତିନି ମାସ ଭିତରେ ସେ ତିନିଜଣ ମୁନିବଙ୍କ ସେବାକରି ଦୁଇଥର ସାମରିକ ଆନୁଗତ୍ୟ ଭଙ୍ଗ କରିଛି ଏବଂ ନିଜ ବିଶ୍ୱାସଘାତକତାର ପୁରସ୍କାରସ୍ୱରୂପ ସେ ଏବେ ଭଲ ଦରମାରେ ଚାକିରୀ ପାଇଛି । ଭଡ଼ାଟିଆ ସୈନ୍ୟମାନେ ରହୁଥିବା ରାଜ୍ୟରେ ମଧ୍ୟ ଏଭଳି ପ୍ରତାରଣାର ଉଦାହରଣ ବିରଳ । ସେ ନିଜେ ଜଣେ ବିଶ୍ୱସ୍ତ ଓ ସାଧୁ ବ୍ୟକ୍ତି ଏକଥା ପ୍ରମାଣ କରିବା ଯେତେବେଳେ ଅସମ୍ଭବ ସେତେବେଳେ ତାର ସାକ୍ଷ୍ୟ ପ୍ରତି ବା କିଭଳି ମୂଲ୍ୟ ଆରୋପ କରାଯାଇ ପାରିବ ।

 

ପରବର୍ତ୍ତୀ ସାକ୍ଷ୍ୟ ହେଉଛି କୁତବ ଶାହା । ତା ନିଜ ବକ୍ତବ୍ୟରୁ ଜଣାଯାଉଛି ଯେ ଶ୍ରୀ ଆଗ୍ନିଭଙ୍କୁ ହତ୍ୟା କରାଯିବା ପରେ ସେ ବିଦ୍ରୋହୀମାନଙ୍କ ସହିତ ଯୋଗ ଦେଇଥିଲା ଏବଂ ନିଜ ଇଚ୍ଛା ଅନୁଯାୟୀ ସେମାନଙ୍କ ସାଥିରେ ଥିଲା; କିନ୍ତୁ ସେ ବିଦ୍ରୋହୀମାନଙ୍କ ସାଥିରେ ରହିଲେ ଲାଭବାନ ହେବା ଅପେକ୍ଷା ବିପନ୍ନ ହେବାର ଆଶଙ୍କା ଦେଖିବା ମାତ୍ରେ ସେମାନଙ୍କୁ ଛାଡ଼ି ପଳାଇଗଲା । ସେ ଏବେ ଚାକିରୀ ଖୋଜୁଛି ଏବଂ ବନ୍ଦୀଙ୍କୁ ପାଇଯିବ ବୋଲି ଆଶା କରୁଛି ।

 

ଅନ୍ୟ ଦୁଇଜଣ ସାକ୍ଷୀ ହେଉଛନ୍ତି ‘‘ଓ୍ୱାଜିର ଅଲ୍ଲୀ ଓ ବଂଶୀଧର । ସେ ଦୁଇଜଣ ହେଉଛନ୍ତି ଅଭିଯୋଜନାର ମୁଖ୍ୟ ସାକ୍ଷୀ । ପ୍ରଥମ ବ୍ୟକ୍ତି ଜଣକ ଶ୍ରୀ ଆଗ୍ନିଭଙ୍କ ଦ୍ଵାରା ସରସ୍ତିଦାର ରୂପେ ନିଯୁକ୍ତି ପାଇଥିଲା ବୋଲି କହୁଥିଲେ ମଧ୍ୟ ପ୍ରକୃତରେ ସେଭଳି କୌଣସି କାର୍ଯ୍ୟରେ ମୁକରିର ହୋଇ ନ ଥିଲା । ତା ନିଜ ବିବରଣୀରୁ ସେ ଜଣେ ଦୈତ୍ୟ ଏବଂ ନିଜ ରାଜ୍ୟରେ ନିନ୍ଦିତ ହୋଇ ପରରାଜ୍ୟରେ ଚାକିରୀ ଅନ୍ୱେଷଣ କରୁଥିବା ଜଣାଯାଉଛି । ବଂଶୀଧର ଜଣେ ପେଷାଦାର ଗୁଇନ୍ଦା ବୋଲି ସ୍ୱୀକାର କରିଛି ଏବଂ ମିଥ୍ୟା କହିବା ତାର ସ୍ୱଜାତ ପ୍ରବୃତ୍ତି । ଏହି ଦୁଇ ବ୍ୟକ୍ତିଙ୍କର ସାକ୍ଷ୍ୟ ଏକପ୍ରକାର ହୋଇଥିବାରୁ ସେ ଦୁଇଜଣଙ୍କ ବକ୍ତବ୍ୟକୁ ଏକତ୍ର ପର୍ଯ୍ୟାଲୋଚନା କରିବା ଅଧିକ ସୁବିଧାଜନକ । ସେମାନେ ମୁଖ୍ୟ ସାକ୍ଷୀ ରୂପେ ଗୋଦର ସିଂହର ବିଚାର କରୁଥିବା ମିଲିଟାରୀ କମିଶନରଙ୍କ ଆଗରେ ମଧ୍ୟ ନିଜର ବୟାନ ଦେଇ ଥିଲେ ଏବଂ ସେମାନଙ୍କ ବକ୍ତବ୍ୟ ଅଦାଲତଙ୍କ ପାଖରେ ଅଛି ।

 

ଯେଉଁ ଦୁଇଜଣ ବ୍ୟକ୍ତିଙ୍କ ସାକ୍ଷ୍ୟ ଉପରେ ସମଗ୍ର ଅଭିଯୋଜନା ପରିକଳ୍ପିତ ହୋଇଛି ତାହା ବନ୍ଦୀଙ୍କୁ ଏକ ମିଥ୍ୟା କୁହେଳିକା ଭିତରେ ଆଚ୍ଛନ୍ନ କରିରଖି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କଣ ସ୍ପଷ୍ଟ ହେଉନାହିଁ ? ଆଗ୍ନିଭ ଓ ଅଣ୍ଡରସନଙ୍କ ହତ୍ୟାକାରୀକୁ ମୁଲରାଜ ହାତକାଟି ଲେଖିଦେଲେ ବୋଲି ଯାହା କୁହାଯାଉଛି ତାହା କପୋଳକଳ୍ପିତ ଏବଂ ଏକ ପରବର୍ତ୍ତୀ ଉଦ୍ଭାବନ ।

 

ବନ୍ଦୀ ସ୍ଵତଃପ୍ରବୃତ୍ତ ହୋଇ ନିଜ ସରକାରଙ୍କ ଇସ୍ତଫା ପତ୍ର ଦେଇଥିଲେ ଏବଂ ବର୍ତ୍ତମାନର ସରକାର ଦ୍ୱିଧାଗ୍ରସ୍ତ ହୋଇ ପରେ ତାଙ୍କର ଇସ୍ତଫା ଗ୍ରହଣ କରିଥିବା ଦର୍ଶାଯାଇଛି । ବାହାରକୁ ଯାହା ଜଣାଯାଉଛି ଏହି ଇସ୍ତଫା ପ୍ରଦାନରେ କୌଣସି ଦୂରଭିସନ୍ଧି ନଥିଲା ଏବଂ ସରଳ ବିଶ୍ଵାସରେ ଏହା କରାଯାଇଥିଲା । କେବଳ ଇସ୍ତଫା ଦେବା ଛଡ଼ା ବନ୍ଦୀଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ନ ଥିଲା ବୋଲି ସାକ୍ଷ୍ୟ ଗ୍ରହଣ କଲାବେଳେ ଜଣାଯାଇଛି । ବନ୍ଦୀ ପରିବର୍ତ୍ତନକୁ ସ୍ଵାଗତ ଜଣାଇବା ନିମନ୍ତେ ନିଜର ଅତିରିକ୍ତ ସୈନ୍ୟମାନଙ୍କୁ ବାହାର କରିଦେବା ଏବଂ ସୈନ୍ୟବାହିନୀ ପାଇଁ ଆବଶ୍ୟକୀୟ ସାମଗ୍ରୀ କମାଇ ଦେବାପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ତାଙ୍କ ଉପରେ ବାକିଥିବା ରାଜସ୍ଵ ସରକାରଙ୍କୁ ଦେଇଦେବା ପାଇଁ ମଧ୍ୟ ସେ ସମସ୍ତ ବ୍ୟବସ୍ଥା କରିସାରି ଥିଲେ ଏବଂ ଯେଉଁ ସମୟରୁ ମୁଲତାନରେ ଏହି ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହେଲା ସେ ପର୍ଯ୍ୟନ୍ତ ବନ୍ଦୀ ତାଙ୍କର ଶେଷ କିସ୍ତି ଦେୟ ଲାହୋର ଟ୍ରେଜେରୀରେ ଦାଖଲ କରି ସାରିଥିଲେ ଏବଂ ନିଜ ସମ୍ପତ୍ତିର ଏକ ଅଂଶ ସେ ଅମୃତସରରେ ରଖିସାରିଥିଲେ ।

 

ତାଙ୍କର ଏତାଦୃଶ କାର୍ଯ୍ୟକଳାପରୁ ବନ୍ଦୀ ପ୍ରତିରୋଧ ପାଇଁ ପରିକଳ୍ପନା କରିଥିଲେ ବୋଲି କଣ ସାମାନ୍ୟ ସୂଚନା ମିଳୁଛି ? ଏଥିରୁ ସେ ତାଙ୍କ କାର୍ଯ୍ୟକାଳ ସରିଗଲାଣି ବୋଲି ଭାବିଥିବା ସ୍ପଷ୍ଟ ହେଉନାହିଁ କି ? ସେତେବେଳେ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ସେ ବହୁ ଅର୍ଥ ଖଟାଇଥିଲେ ଏବଂ ସେ ସବୁ ଅର୍ଥକୁ ସିକ୍ୟୁରିଟି ଆକାରରେ ରଖିବାର ମଧ୍ୟ କୌଣସି ବ୍ୟବସ୍ଥା କରି ନଥିଲେ । ଏହାଛଡ଼ା ନିଜ ପରିବାରବର୍ଗଙ୍କୁ ଗାଁକୁ ନେଇଯିବା ପାଇଁ ମଧ୍ୟ ସେ ପ୍ରସ୍ତୁତ ହେଉଥିଲେ ।

 

ଏପ୍ରିଲ ୧୮ ତାରିଖ ଦିନ ଏକ ସାକ୍ଷାତ୍‌କାର ବେଳେ ବନ୍ଦୀ ନବନିଯୁକ୍ତ ଦିଓ୍ୱାନ କାହାନ୍‌ ସିଂହ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ ହୋଇଛି; କିନ୍ତୁ ଏହା ଏଭଳି ଏକ ତୁଚ୍ଛ କଥା ଯାହା ଉପରେ କୌଣସି ମନ୍ତବ୍ୟ ଆବଶ୍ୟକତା ନାହିଁ । ଏ ସଂକ୍ରାନ୍ତରେ ମୁଁ ଏତିକି କହିପାରେ ଯେ, ଶ୍ରୀ ଆଗ୍ନିଭ ଏଥିପ୍ରତି ବନ୍ଦୀଙ୍କ ଦୃଷ୍ଟି ଆକର୍ଷଣ କରିବା ଉଚିତ୍‌ ହୋଇଥାନ୍ତା । କଥିତ ସାକ୍ଷାତ୍‌କାର ବେଳେ ଶ୍ରୀ ଆଗ୍ନିଭ ବନ୍ଦୀଙ୍କଠାରୁ ପୂର୍ବ ଦଶ ବର୍ଷର ଖର୍ଚ୍ଚ ହିସାବ ମାଗିଥିଲେ; କିନ୍ତୁ । ଏଭଳି ହିସାବ ମାଗିବା ଯୁକ୍ତିଯୁକ୍ତ ନୁହେଁ ଏବଂ ହଠାତ୍‌ ଦୀର୍ଘ ୧୦ ବର୍ଷର ହିସାବ ଦେବା ମଧ୍ୟ ସମ୍ଭବ ନୁହେଁ । କିନ୍ତୁ ଶ୍ରୀ ଆଗ୍ନିଭଙ୍କ ହିସାବ ମାଗିବା ଏବଂ ଏହି ହିସାବ ଦେବା ପାଇଁ ମୁଲରାଜ ମନା କରିଦେବା ସହିତ ସାମ୍ପ୍ରତିକ ଅଭିଯୋଗର କୌଣସି ସମ୍ପର୍କ ଥିବା ମୁଁ ଦେଖିପାରୁ ନାହିଁ । ନିର୍ଦ୍ଦିଷ୍ଟ ପରିମାଣର ରାଜସ୍ୱ ଦାଖଲ କରିସାରିବା ପରେ ଆଇନତଃ ତାଙ୍କ ଉପରେ କିଛି ଦାବୀ କରାଯାଇ ପାରିବ ନାହିଁ, ଏକଥା ବନ୍ଦୀ ଭଲ ଭାବେ ଜାଣିଥିଲେ ଏବଂ ହିସାବ ମାଗିବା ଭଳି ସାମାନ୍ୟ ଘଟଣାରେ ସେ ଉତ୍‌କ୍ଷିପ୍ତ ହୋଇ ବିଦ୍ରୋହ ଘୋଷଣା କରିଥିଲେ ବୋଲି ଭାବିବା ଅସଙ୍ଗତ । ଅବଶ୍ୟ ଏଭଳି ହିସାବ ମାଗିବାଟା ସୌଜନ୍ୟ ବିରୋଧୀ କାର୍ଯ୍ୟ ।

 

ଶ୍ରୀ ଆଗ୍ନିଭଙ୍କ ଉପରେ ଯେଉଁ ଆକ୍ରମଣ ପ୍ରଥମେ ହୋଇଥିଲା ତାହା ମଧ୍ୟ ସାମାନ୍ୟ ଧରଣର; କାରଣ ଏଥିରେ ସେ ବିଶେଷ ଭାବେ ଆହତ ହୋଇ ନ ଥିଲେ । ଏହାପରେ ଆତତାୟୀ ପୁଣି ଆକ୍ରମଣ କରି ନଥିଲା ଏବଂ ଜଣେ ସାକ୍ଷୀଙ୍କର ବକ୍ତବ୍ୟ ଅନୁଯାୟୀ ଆତତାୟୀ ନିଜ ହାତରୁ ବର୍ଚ୍ଛା ଫିଙ୍ଗିଦେଇ ଗାତ ଭିତରକୁ ହାମୁଡ଼େଇ ପଡ଼ିଥିଲା । ଘୋଡ଼ା ପିଠିରୁ ଓହ୍ଲାଇ ଯାଇ ଅଥବା ପଡ଼ିଯାଇ ଶ୍ରୀ ଆଗ୍ନିଭ ଆତତାୟୀକୁ ଅଥବା ଯିଏ ତାଙ୍କୁ ଆକ୍ରମଣ କରିଥିଲା ବୋଲି ସେ ଭାବିଥିଲେ ତାକୁ ଚାବୁକରେ ମାରିଥିଲେ ।

 

ବନ୍ଦୀଙ୍କୁ ଅପରାଧମୁକ୍ତ କରିବା ପାଇଁ ଶ୍ରେଷ୍ଠ ପ୍ରମାଣ ଶ୍ରୀ ଆଗ୍ନିଭଙ୍କ ଘୋଷଣାରେ ହିଁ ଦେଖିବାକୁ ମିଳେ । ତାଙ୍କ ଉପରେ ହୋଇଥିବା ଆକ୍ରମଣ ସହିତ ବନ୍ଦୀ କୌଣସିମତେ ସମ୍ପୃକ୍ତ ନୁହନ୍ତି ବୋଲି ଆଗ୍ନିଭ ନିଜେ ବାରମ୍ବାର ଉଲ୍ଲେଖ କରିଛନ୍ତି । ସେହି ହତଭାଗ୍ୟ ବ୍ୟକ୍ତି ଜଣକ ଯେଉଁ ଶେଷ ପତ୍ର ଲେଖିଥିଲେ ସେଥିରେ ମୁଲତାନ୍‌ ଗୋଳମାଳକୁ ଲୋକିପ୍ରିୟ ବିଦ୍ରୋହ ବୋଲି ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ବିଚାର ଚାଲିଥିବା ଏହି ‘‘ହଲ’’ ମାତ୍ର କିଛି ବର୍ଷ ତଳେ ବିଶୃଙ୍ଖଳା ଓ ବିଦ୍ରୋହର ଏକ ପୀଠ ହୋଇଥିଲା ଏବଂ ବିଦ୍ରୋହୀ ସୈନ୍ୟମାନେ ଏହିଠାରେ ଠୁଳହୋଇ ରହିଥିଲେ । ଏହି ହଲର ଚାରିକାନ୍ଥରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠିକି ରକ୍ତର ଦାଗ ନ ଲାଗିଛି; କିନ୍ତୁ ମୁଲତାନର ସେନାବାହିନୀ ଓ ସାଧାରଣ ଲୋକ ଅନ୍ୟାନ୍ୟ ରାଜ୍ୟର ଲୋକଙ୍କ ଅପେକ୍ଷା ଏତେ ଅଧିକ ଶାନ୍ତିପ୍ରିୟ ଓ ଅନୁତ୍ତେଜିତ ଥିଲେ ଯେଉଁଥିପାଇଁ ସେମାନଙ୍କୁ ସକ୍ରିୟ କରିବା ନିମନ୍ତେ ଏକ ଦୀର୍ଘସୂତ୍ରୀ ପରିକଳ୍ପନାର ଆବଶ୍ୟକତା ପଡ଼ିଲା ।

 

ଶ୍ରୀ ଆଗ୍ନିଭଙ୍କ ଛିନ୍ନ ମସ୍ତକ ବନ୍ଦୀଙ୍କ ନିକଟକୁ ଅଣାଯାଇଥିଲା କିମ୍ବା ଛିନ୍ନ ମସ୍ତକକୁ ଆମଖାସକୁ ଆଣିଥିବା ବ୍ୟକ୍ତି ପୁରସ୍କୃତ ହୋଇଥିଲା ବୋଲି ବିଶ୍ଵାସ ସୃଷ୍ଟି ହେବାଭଳି କୌଣସି ପ୍ରମାଣ ଆମ ସମ୍ମୁଖରେ ନାହିଁ କି ଶ୍ରୀ ଆଗ୍ନିଭଙ୍କ ଛିନ୍ନ ମସ୍ତକ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇ ଥିଲା ବୋଲି ଯେଉଁ ରିପୋର୍ଟ ମିଳିଛି ତାହା ବିଶ୍ୱାସଯୋଗ୍ୟ ବୋଲି ମଧ୍ୟ ମୋର ମନେହୁଏ ନାହିଁ । ଶ୍ରୀ ଆଗ୍ନିଭଙ୍କ ଶବକୁ ସମାଧିସ୍ଥ କରାଯିବାର କିଛିକ୍ଷଣ ପୂର୍ବରୁ ଜନୈକ ସାକ୍ଷୀ ଦେଖିଥିବା ଏବଂ ଶବର ମସ୍ତକରେ ଅତ୍ୟାଚାରର ଲେଶମାତ୍ର ଚିହ୍ନ ନଥିବା ସେ ପ୍ରକାଶ କରିଛନ୍ତି ।

 

ଭାରତରେ ବ୍ରିଟିଶ୍‌ ସରକାର ସାର୍ବଭୌମକ୍ଷମତା ଗ୍ରହଣ କରିବା ପରଠାରୁ ବୋଧହୁଏ ପ୍ରଥମ ଥର ପାଇଁ ମୁଲରାଜଙ୍କ ଭଳି ଜଣେ ପଦସ୍ଥ ବ୍ୟକ୍ତିଙ୍କୁ ପୂରାପୂରି ଏକ ବ୍ରିଟିଶ୍‌ ଅଦାଲତରେ ବିଚାର କରାଯାଉଛି । ତାଙ୍କ ବିରୁଦ୍ଧରେ ଯେତେବେଳେ ଅଭିଯୋଗ ଆଗତ କରାଗଲା ସେତେବେଳେ ସେ ବ୍ରିଟିଶ୍‌ ନାଗରିକ ହୋଇ ନଥିଲେ; ତେଣୁ ସେ ଆମର ଅଦାଲତ ବା ଆଇନ୍ ନିକଟରେ ଦାୟୀ ନୁହନ୍ତି । କିନ୍ତୁ ମୁଁ ଯାହା ଭାବୁଛି ବ୍ରିଟିଶ୍‌ ଆଇନ୍‌ର ବୈଷୟିକ ଦିଗ ପ୍ରତି ଯଥାର୍ଥ ଧ୍ୟାନ ଦିଆଯାଇ ବନ୍ଦୀଙ୍କ ବିରୁଦ୍ଧରେ ଅଭିଯୋଗମାନ ଆଗତ କରାଯାଇଛି । ତାଙ୍କ ବିରୁଦ୍ଧରେ ଆଇନ ଶେଷ ଅଭିଯୋଗରେ ବନ୍ଦୀ ହତ୍ୟାକାଣ୍ଡରେ ସହାୟତା କରିଥିବା ଦର୍ଶାଯାଇଛି ଏବଂ ତାଙ୍କୁ ଏଥିରୁ ଦୋଷମୁକ୍ତ କରିବାରେ ଯାହା କିଛି ଅସୁବିଧା ଦେଖାଦେବ । ବ୍ରିଟିଶ୍‌ ଆଇନ୍‌ ଅନୁଯାୟୀ ଅପରଧୀକୁ ସାହାଯ୍ୟ କରିଥିବା ବ୍ୟକ୍ତିକୁ କଠୋର ଦଣ୍ଡ ଭୋଗ କରିବାକୁ ପଡ଼ିଥାଏ; କିନ୍ତୁ ପ୍ରଚଳିତ ଦେଶୀୟ ନିୟମରେ ସେଭଳି ବ୍ୟକ୍ତିଙ୍କୁ ଜଣେ ଅସମ୍ମାନିତ ବ୍ୟକ୍ତି ରୂପେ ବିବେଚନା କରଯାଏ । କିନ୍ତୁ ଭଦ୍ର ମହୋଦୟଗଣ ମୋର ବିଶ୍ଵାସ ଆପଣଙ୍କୁ ଏହି ପରିସ୍ଥିତି ବିଷୟ ବିଚାରକୁ ନେବାପାଇଁ ପଡ଼ିବ ନାହିଁ କିନ୍ତୁ ଆମକୁ ସବୁ ପ୍ରକାର ଆକସ୍ମିକ ଅବସ୍ଥା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ନ୍ୟାୟ ପ୍ରତିଷ୍ଠା ଦୃଷ୍ଟିରୁ ବନ୍ଦୀ ବ୍ରିଟିଶ୍‌ ଆଇନ୍‌ର ପରିସରଭୁକ୍ତ ନୁହନ୍ତି ବୋଲି ମୁଁ ଆପଣଙ୍କୁ ପୁଣିଥରେ ସ୍ମରଣ କରାଇଦେଉଛି ।

 

ନିକଟରେ ହୋଇଯାଇଥିବା ଯୁଦ୍ଧମାନଙ୍କର ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଶତ୍ରୁ ହାତରେ ବନ୍ଦୀ ହୋଇଥିବା ଆମର ଭାଇ ବିରାଦର ବା ଦେଶର ଲୋକଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ମାନବିକ ବ୍ୟବହାର । ସେହି କଳାଗାତର ବିଭୀଷିକା, ସିରିଙ୍ଗାପାଟମ୍‌ର ଅନ୍ଧକାର କାରାଗାର ଏବଂ ମରାଠା ଶିବିରର ଅତ୍ୟାଚାରର ପୁନରାବୃତ୍ତି ଆମ୍ଭମାନଙ୍କ ସମୟରେ ଆଉ ହେଉନାହିଁ । ଆମ୍ଭମାନଙ୍କୁ ଆଉ ଅମାନୁଷିକ ଅତ୍ୟାଚାରରେ ଜର୍ଜରିତ ହେଉଥିବା ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ପଡ଼ୁନାହିଁ । ଆମ୍ଭମାନଙ୍କ ଡାକ୍ତରଖାନାରେ ଆଉ ଅତ୍ୟାଚାରରେ ବିକଳାଙ୍ଗ ହୋଇଥିବା ଲୋକମାନଙ୍କର ଭିଡ଼ ଜମୁନାହିଁ । ଆଜି ଆଉ ସିରାଜ-ଉଦୌଲା ବା ହାଇଦର ଆଲୀ ନାହାନ୍ତି ଯାହାଙ୍କ ଉପରେ ଆମେ ଛେପ ପକାଇବା । ଆମର ଯେଉଁ ବନ୍ଧୁମାନେ ଯୁଦ୍ଧରେ ଶତ୍ରୁମାନଙ୍କ ହାତରେ ହେଉଛନ୍ତି ସେମାନଙ୍କ ପ୍ରତି ମାନବୋଚିତ ବ୍ୟବହାର ପ୍ରଦର୍ଶନ କରାଯାଉଛି ଏବଂ ସ୍ଥଳ ବିଶେଷରେ ସେମାନଙ୍କ ପ୍ରତି ସଦୟ ଆଚରଣ ମଧ୍ୟ ପ୍ରଦର୍ଶନ କରାଯାଉଛି । ଶତ୍ରୁ ହୃଦୟରେ ଏଭଳି ପରିବର୍ତ୍ତନ କେବଳ ସମ୍ଭବ ହୋଇଛି ଆମେ ପ୍ରଦର୍ଶନ କରିଥିବା ଆଚରଣ ଯୋଗୁଁ । ଆମେ ସେମାନଙ୍କୁ ମାନବିକତା କଣ ତାହା ଶିଖାଇଛୁ ଏବଂ ନିଷ୍ଠୁରତା ଓ ପ୍ରତିଶୋଧ ଯୁଦ୍ଧର ଅଙ୍ଗ ନୁହେଁ ବୋଲି ଆମେ ତାଙ୍କୁ ଶିକ୍ଷାଦେଇଛୁ । ଏବେ ଆମେ କଣ ଦେଇଥିବା ଶିକ୍ଷା ଭୁଲିଯିବା ? ସଭ୍ୟତାର ବିକାଶ ପାଇଁ ପ୍ରୋତ୍ସାହନ ଦେବା କଣ ଆମ ପକ୍ଷେ ଅସମୀଚୀନ ହେବ ଏବଂ ଆଇନ୍‌ର ଯେତେ ଦ୍ୱାହି ଦେଇ ଏବଂ ଅଦାଲତର ସମସ୍ତ ବିଧି ବିଧାନ ରକ୍ଷାକରି ବନ୍ଦୀ ପ୍ରତି ଦଣ୍ଡବିଧାନ କଲେ ଏହାକୁ ଯୁଦ୍ଧ ପରମ୍ପରାର ବ୍ୟତିକ୍ରମ ଏବଂ ଶତ୍ରୁ ପ୍ରତି ଅନୁଚିତ ଆଚରଣ ପ୍ରଦର୍ଶନ ବୋଲି କଣ ବିବେଚନା କରାଯିବ ନାହିଁ ? ବନ୍ଦୀ ଓ ତାଙ୍କର ସାହସୀ ସେନାବାହିନୀ ଅଭୂତ ବିକ୍ରମ ସହ ନିଜ ଗଡ଼ର ପ୍ରତିରକ୍ଷା କରିବା ପରେ ତାଙ୍କଠାରୁ ଅଧିକ ବିକ୍ରମଶାଳୀ ଏକ ବାହିନୀ ନିକଟରେ ଆତ୍ମସମର୍ପଣ କଲେ । କଠୋରତମ ସାମରିକ ବିଧାନ ଅନୁଯାୟୀ ସେହିଭଳି ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସାମରିକ ଦଣ୍ଡବିଧାନ କରାଯାଇ ନଥାଏ ଏବଂ ଏ କ୍ଷେତ୍ରରେ ଏକ ବେସାମରିକ ଅଦାଲତ ତାଙ୍କର ବିଚାର କରିବା କଣ ଯଥାର୍ଥ ହେବ ? ଜଣେ ଦୁର୍ଗ ରକ୍ଷକ ସେନାଧିନାୟକ ଆତ୍ମ ସମର୍ପଣ କରିବା ପରେ ତାଙ୍କ ପ୍ରତି ଆଇନ୍‌ର ଶେଷ ଦଣ୍ଡ ବିଧାନ କରିବା କଣ ବିଜ୍ଞତା ଓ ପରିଣାମଦର୍ଶିତାର ପରିଚାୟକ ? ଏହା ଯଦି ହୁଏ ତେବେ ଆତ୍ମସମର୍ପଣକାରୀ ନିଜର କାର୍ଯ୍ୟହାରା କେତେକ ବ୍ୟକ୍ତିଙ୍କର ଜୀବନ ରକ୍ଷା କରିଥିବାରୁ ଆତ୍ମସନ୍ତୋଷ ପାଇବା ଛଡ଼ା ଅନ୍ୟ କୌଣସି ଦିଗରୁ ଲାଭବାନ ହୋଇ ପାରିବେ ନାହିଁ । ଏ କ୍ଷେତ୍ରରେ ଯୁଦ୍ଧବେଳେ ମୃତ୍ୟୁ ବରଣ କରିବା ତାଙ୍କ ପକ୍ଷେ ଶ୍ରେୟସ୍କର ହୋଇଥାନ୍ତା; କିନ୍ତୁ ତାଙ୍କ ସୈନ୍ୟମାନଙ୍କ ଜୀବନରକ୍ଷା କରିବା ପାଇଁ ସେ ଯେଭଳି କାର୍ଯ୍ୟ କରିଛନ୍ତି ତା ବିନିମୟରେ ସେ କିଛି ପାଇବାକୁ ହକଦାର । ଆମର ଶତ୍ରୁମାନଙ୍କ ମଧ୍ୟରେ ସବୁଠାରୁ ବଳି ଜଣେ ସାହସୀ ବ୍ୟକ୍ତିଙ୍କୁ ଏଭଳି ଅସମ୍ମାନଜନକ ଭାବେ ମୃତ୍ୟୁର ସମ୍ମୁଖୀନ କରାଇବା ଦ୍ଵାରା ଆମ ସେନାବାହିନୀର ମର୍ଯ୍ୟାଦା ହାନି ହେବା ସଙ୍ଗେ ସଙ୍ଗେ ଓ ଆମର ଯଶ ମଧ୍ୟ ନଷ୍ଟ ହେବ । ୧୮୧୮ ମସିହାର ମରାଠା ଯୁଦ୍ଧ ବେଳେ ତାଲୁନିଏରର କିଲୋଦାରଙ୍କୁ ଦଣ୍ଡବିଧାନ କରାଯିବା ପରଠାରୁ ଆମର ସାମରିକ ଇତିହାସରେ ସେଭଳି ଘଟଣାର ପୁନରାବୃତ୍ତି ହୋଇନାହିଁ ଏବଂ ସେହି ଘଟଣାରେ ସାରା ବିଶ୍ୱରେ ଯେପରି ଆମେ ଭଚ୍ଛିତ ହୋଇଥିଲେ ସେଥିପ୍ରତି ସତର୍କ ରହି ତା ସଦୃଶ କୌଣସି କାର୍ଯ୍ୟ ଯେପରି କରିବାକୁ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ ।

 

ଆମେ ଏକ ଘଟଣାବହୁଳ ଅଧ୍ୟାୟର ଶେଷ ଅବସ୍ଥାରେ ଆସି ପହଞ୍ଚିଛେ । ଏ ପର୍ଯ୍ୟନ୍ତ ଅପରାଧ ଓ ବିଶୃଙ୍ଖଳାର ସ୍ଥାନ ରୂପେ ପରିଗଣିତ ହୋଇ ଆସିଥିବା ଏହି ଭୂମିର ଲୋକେ ଏକ ଉତ୍ତମ ସରକାର ଅଧୀନରେ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବାକୁ ଯାଉଛନ୍ତି । ଭାରତର ଶେଷ ସ୍ଵାଧୀନ ରାଜ୍ୟ ଆମ ସାମ୍ରାଜ୍ୟର ଏକ ପ୍ରଦେଶରେ ପରିଣତ ହେଲାଣି । ଏହି ରାଜ୍ୟର ଶେଷ ସ୍ଵାଧୀନ ଦୁର୍ଗ ଏବେ ଆମ ଅଧୀନସ୍ଥ । ଏହି ବିଜୟ ଉତ୍ସବ ପାଳନ କରିବା ପାଇଁ ଆମେ କଣ ଫାଶୀ କାଠ ଓ ଫାଶୀ ମଞ୍ଚ ଉତ୍ତୋଳନ କରିବା ? ଚାଲନ୍ତୁ ଆମେ ଏହି ଉତ୍ସବ ଅନୁକମ୍ପା ପ୍ରଦର୍ଶନ କରି ପାଳନ କରିବା ଯଦି ନ୍ୟାୟ ପ୍ରତିଷ୍ଠା ଦୃଷ୍ଟିରୁ ଏହା କରିବା ସମ୍ଭବ ନ ହୁଏ । ଆପଣମାନେ ବନ୍ଦୀକୁ କୁହନ୍ତୁ, ତୁମେ ବର୍ତ୍ତମାନ ମୁକ୍ତ, ଯାଅ ଆନନ୍ଦରେ ବିଚରଣ କର । ଆପଣମାନେ ଏହି ସିଦ୍ଧାନ୍ତ ନେଲେ ବିଶାଳ ସାମ୍ରାଜ୍ୟର ଗୋଟିଏ ହେଲେ ଲୋକ ଏହାର ପ୍ରତିବାଦ କରିବ ନାହିଁ ବରଂ ଆନନ୍ଦିତ ହେବ—ଏହା ଧ୍ରୁବ ସତ୍ୟ ।

 

କ୍ୟାପଟେନ ହାମିଲଟନ୍‌ ଜୁନ୍‌ ୨୧ ତାରିଖ ଦିନଟାଯାକ ନିଜ ଯୁକ୍ତି ବାଢ଼ି ବିତାଇଦେଲେ । ତା ପରଦିନ ଶ୍ରୀ ବୋରିଂ ଏକ କ୍ଷୁଦ୍ର ଉତ୍ତର ଦେଇ କ୍ୟାପଟେନ୍ ଅଯଥାରେ ଏତେଗୁଡ଼ାଏ କହିଯିବା ଆବଶ୍ୟକ ନଥିଲା ବୋଲି ଦର୍ଶାଇ ଅଭିଯୋଜନର ସାକ୍ଷ୍ୟ ପ୍ରଶଂସାଯୋଗ୍ୟ ଓ ପ୍ରତି ପକ୍ଷର ସାକ୍ଷ୍ୟ ସନ୍ତୋଷଜନକ ନୁହେଁ ବୋଲି ମତ ଦେଇଥିଲେ । ଏହି ଘଟଣାର ମୁଖ୍ୟ ଆସାମୀ ସମ୍ପର୍କରେ ଶ୍ରୀ ବୋରିଂ ଦୃଢ଼ତାର ସହ କହିଥିଲେ କି—

 

ପ୍ରତିପକ୍ଷର ଓକିଲ ବନ୍ଦୀଙ୍କ ପ୍ରତି ସହାନୁଭୂତି ସୃଷ୍ଟି କରିବା ଲାଗି ଯଥେଷ୍ଟ ଉଦ୍ୟମ କରିଛନ୍ତି ଏବଂ ତାଙ୍କୁ ଜଣେ ବିଶିଷ୍ଟ ଓ ହତଭାଗ୍ୟ ବ୍ୟକ୍ତି ରୂପେ ଅଭିହିତ କରିଛନ୍ତି; କିନ୍ତୁ ଯେଉଁ ବ୍ୟକ୍ତି ନିଜ ସରକାରଙ୍କ ସେନାବାହିନୀର ସଶସ୍ତ୍ର ପ୍ରତିରୋଧ କଲେ ଏବଂ ଯାହାଙ୍କ ବିଦ୍ରୋହ ଫଳରେ ରଣଜିତ ସିଂହଙ୍କ ଦ୍ୱାରା ସୃଷ୍ଟ ସାର୍ବଭୌମତ୍ୱର ଅବସାନ ଘଟିଲା ତାଙ୍କ ପ୍ରତି ଏ ଦୁଇଟିଯାକ ବିଶେଷଣ ମଧ୍ୟରୁ କେଉଁଟା ହେଲେ ପ୍ରଯୁଜ୍ୟ ନୁହେଁ । ଗତ କେତେ ବର୍ଷ ହେଲା ଦେଶର ଏହି ପ୍ରାନ୍ତରେ ଯେଉଁସବୁ ଦୁର୍ଭାଗ୍ୟଜନକ ପରିସ୍ଥିତିମାନ ସୃଷ୍ଟି ହୋଇଛି ତାହାର ମୂଳରେ ରହିଛନ୍ତି ଦିଓ୍ୱାନ ମୁଲରାଜ । ମୁଲରାଜ ନଥିଲେ ଚତ୍ତର ସିଂହ କିମ୍ବା ଅନ୍ୟ କୌଣସି ସିଂହ ସୃଷ୍ଟି ହୋଇ ନଥାନ୍ତେ ଏବଂ ମହାରାଜା ଦିଲୀପ ସିଂହ ତାଙ୍କ ପିତାଙ୍କ ସିଂହାସନ ଆରୋହଣ କରି ଏବେ ବି ଥାନ୍ତେ ।

 

ମୁଲରାଜଙ୍କୁ ସମର୍ଥନ କରି କୁହାଯାଇଛି ଯେ ସେତେବେଳକୁ ସେ କ୍ଷମତାହୀନ ହୋଇ ପଡ଼ିଥିଲେ ଏବଂ ବସ୍ତୁତଃ ନିଜ ବିଦ୍ରୋହୀ ସୈନ୍ୟଙ୍କ ହାତରେ ବନ୍ଦୀ ହୋଇ ରହିଥିଲେ; କିନ୍ତୁ ଏହା ସତ୍ୟ ନୁହେଁ । ୧୮୪୪ ମସିହାରେ ଯେତେବେଳେ ସୈନ୍ୟମାନେ ନିଜର ଦରମା ବୃଦ୍ଧି ଦାବି କରି ବିଦ୍ରୋହ କଲେ ସେତେବେଳେ ଆମେ ଦେଖିଛୁ ମୁଲରାଜ କିପରି ଉତ୍ସାହର ସହିତ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ଆୟତ୍ତ କଲେ । ଏ କ୍ଷେତ୍ରରେ ମଧ୍ୟ ସେ ଯଦି ନିଜର ସୈନ୍ୟମାନଙ୍କୁ ଆୟତ୍ତ କରିବାପାଇଁ ଚେଷ୍ଟା କରିଥାନ୍ତେ ତେବେ କଣ ତାଙ୍କର କର୍ତ୍ତୁତ୍ୱ କାଟୁ କରି ନଥାନ୍ତା ? ମୋର ବିଶ୍ଵାସ ତାହା ହୋଇଥାନ୍ତା । ସୈନ୍ୟମାନଙ୍କୁ ଉପରେ ତାଙ୍କର କର୍ତ୍ତୁତ୍ୱ ଥିଲା କି ନାହିଁ ତାହା ପରବର୍ତ୍ତୀ ଦୁର୍ଗ ଅଧିକାରରୁ ସ୍ପଷ୍ଟ ହୋଇ ଯାଇଛି । ତାଙ୍କର ନିର୍ଦ୍ଦେଶ ଓ ପ୍ରଭୁତ୍ୱ ହିଁ ସୈନ୍ୟମାନଙ୍କୁ ସୁଶୃଙ୍ଖଳ କରିଥିଲା ଏବଂ ସୈନ୍ୟମାନେ ତାଙ୍କ (ମୁଲରାଜ) ବିରୁଦ୍ଧରେ କିଛି କରି ନଥିଲେ କି ତାଙ୍କ ରାଜକୋଷ ଲୁଟି କରି ନ ଥିଲେ । ସୈନ୍ୟମାନେ ବିଶୃଙ୍ଖଳ ଓ ବିଦ୍ରୋହୀ ହୋଇଥିଲେ ନିଶ୍ଚୟ ରାଜକୋଷ ଲୁଣ୍ଠନ କରିଥାନ୍ତେ ଏହା କହିବା ନିଷ୍ପ୍ରୟୋଜନ । ଦୁର୍ଗ ଅଧିକାରର ଶେଷ ପର୍ଯ୍ୟାୟରେ ଯେତେବେଳେ ସୈନ୍ୟମାନେ ଆତ୍ମସମର୍ପଣ କରିବାକୁ ଇଚ୍ଛାକଲେ ସେତେବେଳେ ସେ ସେମାନଙ୍କୁ ସାହସ ଦେଇ ନିଜ ଇଚ୍ଛାନୁଯାୟୀ ପରିଚାଳିତ କରିବାଟା ଦୁଷ୍ଟାମି ଛଡ଼ା ଅନ୍ୟ କିଛି ହୋଇ ନ ପାରେ-

 

ଅଭିଯୋଜନାର ତର୍କ ଶେଷ ହେବା ପରେ ଅଦାଲତ କିଛି ସମୟ ପାଇଁ ମୁଲତବୀ ରହିଥିଲା ଏବଂ ରୁଦ୍ଧ ପ୍ରକୋଷ୍ଠ ଭିତରକୁ ବିଚାରପତିମାନେ ଯାଇ ଚୂଡ଼ାନ୍ତ ଦଣ୍ଡ ବିଧାନ ସଂକ୍ରାନ୍ତରେ ନିଷ୍ପତ୍ତି କଲେ । ରାତି ୯ଟା ବେଳେ ପୁଣି ଅଦାଲତ ବସିଲା ଏବଂ ନିମ୍ନଲିଖିତ ମତେ ଦଣ୍ଡାଦେଶ ହେଲା ।

 

ଯଥାବିଧି ବିଚାର ଆଲୋଚନା କରିବା ପରେ ଏବଂ ଅଭିଯୋଜନା ଓ ପ୍ରତିପକ୍ଷର ସାକ୍ଷ୍ୟ ପ୍ରମାଣକୁ ଗୁରୁତ୍ଵର ସହ ବିବେଚନା କରି ବନ୍ଦୀର ଓକଲି କଣ କହିଛନ୍ତି ତାହା ବିଚାରକୁ ନେବା ପରେ କମିଶନ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି କି ବନ୍ଦୀ ମୁଲରାଜ, ମୁଲତାନର ପୂର୍ବତନ ଶାସକ

 

ପ୍ରଥମ ଅଭିଯୋଗରେ...ଦୋଷୀ

 

ଦ୍ୱିତୀୟ ଅଭିଯୋଗରେ...ଦୋଷୀ

 

ତୃତୀୟ ଅଭିଯୋଗରେ...ଦୋଷୀ

 

ଏବଂ ସେଇଥିପାଇଁ ତାଙ୍କୁ ପ୍ରାଣଦଣ୍ଡାଦେଶ ଦିଆଯାଉଛି; କିନ୍ତୁ ଭାରତର ଗଭର୍ଣ୍ଣର ଜେନେରାଲଙ୍କ ଆଦେଶ ନ ପାଇବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ କାର୍ଯ୍ୟକାରୀ ନ କରି ସ୍ଥଗିତ ରଖିବା ପାଇଁ କମିଶନ ନିର୍ଦ୍ଦେଶ ଦେଉଛନ୍ତି । ଅଧିକନ୍ତୁ ବନ୍ଦୀ ପରିସ୍ଥିତିର ଶରବ୍ୟ ହୋଇ ପଡ଼ିଥିବାରୁ ତାଙ୍କୁ ଦୟା କରିବା ପାଇଁ ମଧ୍ୟ କମିଶନ ଆନ୍ତରିକତାର ସହ ଅନୁମୋଦନ କରୁଛନ୍ତି ।

 

ଲର୍ଡ଼ ଡେଲହାଉସି ଏହି ଦଣ୍ଡ କୋହଳ କରି ଯାବତ୍‌ଜୀବନ ଦ୍ୱୀପାନ୍ତର ଦଣ୍ଡାଦେଶ ଦେବାରୁ ଏହା କାର୍ଯ୍ୟକାରୀ ହେଲା ନାହିଁ । ସାର୍‌ ଉଇଲିଅମଲିଙ୍କ ବର୍ଣ୍ଣନାନୁସାରେ ଗଭର୍ଣ୍ଣର ଜେନେରାଲ ଏହି ଘଟଣାକୁ ଗୁରୁତ୍ୱର ସହିତ ବିଚାର କରିବା ପରେ ଭାବିଲେ ଯେ ଯଦି ମୁଲରାଜ ବିଦ୍ରୋହରେ ଲିପ୍ତଥିବା ଅବସ୍ଥାରେ ଏହି ହତ୍ୟାକାଣ୍ଡ ଘଟିଥାଏ ତେବେ ତାକୁ ହତ୍ୟାକାରୀ ରୂପେ ଅଭିହିତ କରାଯାଇ ପାରିବ ନାହିଁ । ପ୍ରମାଣ ପତ୍ରରୁ ଗଭର୍ଣ୍ଣର ଜେନେରାଲଙ୍କ ହୃଦବୋଧ ହେଲା ଯେ ମୁଲରାଜ ଦୁଇଜଣ ବ୍ରିଟିଶ ଅଫିସରଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଷଡ଼ଯନ୍ତ୍ର କରି ନ ଥିଲେ କି ସେମାନେ ଦୁର୍ଗ ଛାଡ଼ି ବାହାରକୁ ଗଲାବେଳେ ସେମାନଙ୍କୁ ଆକ୍ରମଣ କରିବାକୁ ଅନ୍ୟମାନଙ୍କୁ ମତାଇ ନ ଥିଲେ ।

 

ଏହି ଘଟଣାରେ ଲର୍ଡ଼ ଡେଲହାଉସୀ ସ୍ୱହସ୍ତରେ ଲେଖିଛନ୍ତି—ମୁଁ ତାକୁ ଫାଶୀରେ ଝୁଲାଇ ପାରିବି ନାହିଁ; କିନ୍ତୁ ଏଭଳି କାର୍ଯ୍ୟ କରିବି, ଯାହାକୁ ସେ ଫାଶୀ ଅପେକ୍ଷା ସହସ୍ର ଗୁଣ ଖରାପ ବୋଲି ବିବେଚନା କରିବ । ମୁଁ ତାକୁ ସମୁଦ୍ର ସେପଟକୁ ପଠାଇ ଦେବି ଯାହାକୁ ସେମାନେ କଳାପାଣି ବୋଲି କହନ୍ତି ଏବଂ ମୃତ୍ୟୁ ଅପେକ୍ଷା ଅଧିକ ଭୟ କରନ୍ତି ।

 

ମୁଲରାଜ କଳାପାଣିକୁ ମଧ୍ୟ ଗଲେ ନାହିଁ । ସେ ଯିବା ବାଟରେ କଲିକତାରେ ଗୁରୁତରଭାବେ ଅସୁସ୍ଥ ହୋଇ ପଡ଼ିଲେ ଏବଂ ତାଙ୍କୁ ବନାରସ ଆଣିବା ପାଇଁ ସ୍ଥିର ହେଲା; କିନ୍ତୁ ବନାରସରେ ପହଞ୍ଚିବା ପୂର୍ବରୁ ୧୮୫୧ ମସିହା ଅଗଷ୍ଟ ୧୧ ତାରିଖ ଦିନ ମାତ୍ର ୩୬ ବର୍ଷ ବୟସରେ ସେ ବାଟରେ ପ୍ରାଣତ୍ୟାଗ କଲେ ।

Image

 

Unknown

ସେଣ୍ଟ୍ରାଲ ଜେଲର କେତେକ ଚରିତ୍ର

 

(କ) ମିରିଆମ

ପାଟ୍ରିକ୍‌କୁ ବିବାହ କଲାବେଳେ ମିରିଆମ୍‌ର ବୟସ ହୋଇଥିଲା ମାତ୍ର ସତର ବର୍ଷ । ତାର ବାପ ଥିଲା ମ୍ୟୁନିସିପାଲିଟିର ଜଣେ ଝାଡ଼ୁଦାର । ମିରିଆମ ପିଲାବେଳୁ ଚର୍ଚ୍ଚର ପ୍ରତ୍ୟେକ ବୈଠକରେ ଯୋଗ ଦେବାକୁ ହେଳା କରୁ ନଥିଲା । ଏବଂ ଏହାରି ପ୍ରଭାବ ତାକୁ ଏକ ଉତ୍ତମ ବାଳିକାରେ ପରିଣତ କରିଥିଲା । ସେ ଦେଖିବାକୁ ମଧ୍ୟ ବେଶ ଡଉଲ ଡାଉଲ ଓ ସୁନ୍ଦର ହୋଇଥିଲା । ତାର ଏହି ରୂପଲାବଣ୍ୟ ପାଇଁ ହିଁ ପାଟ୍ରିକ୍‌ ତାକୁ ବିବାହ କରିଥିଲା ।

ବିବାହ ବେଳକୁ ପାଟ୍ରିକର ବୟସ ମିରିଆମଠାରୁ ଢେର ବେଶି ହୋଇ ଯାଇଥିଲା । ସେ ଦେଖିବାକୁ ଥିଲା କଳା ଓ କୁତ୍ସିତ, ତାର ପ୍ରଥମ ସ୍ତ୍ରୀ ମରି ଯାଇଥିଲା ଏବଂ ପୂର୍ବ ସ୍ତ୍ରୀ ଆଡ଼ୁ ଗୋଟିଏ ପୁଅ ହୋଇଥିଲା । ସ୍ତ୍ରୀର ମୃତ୍ୟୁ ପରେ ପାଟ୍ରିକ୍‌ର ବନ୍ଧୁମାନେ ତାକୁ ପୁଣି ବିବାହ କରିବା ପାଇଁ ପ୍ରବର୍ତ୍ତାଇଲେ ଏବଂ ବିବାହ ପାଇଁ ତାର ବୟସ ଯାଇନାହିଁ ବୋଲି ସେ ଅନୁଭବ କଲା । ପାଟ୍ରିକ୍‌ ମିରିଆମ୍‌ ବିଷୟରେ ଆଗରୁ ଶୁଣିଥିଲା । ମିରିଆମ୍‌ ମଧ୍ୟ ପ୍ରକୃତରେ ଦେଖିବାକୁ ସୁନ୍ଦର ଥିଲା । ଉଭୟେ ଭଲପାଇଁ ହେଉ ବା ମନ୍ଦ ପାଇଁ ହେଉ ବିବାହ ବନ୍ଧନରେ ଆବଦ୍ଧ ହେଲେ ।

ପାଟ୍ରିକ୍‌ ସେତେବେଳେ ଉତ୍ତର ପଶ୍ଚିମ ରେଳବାଇର ଜଣେ ଅବିବାହିତ ଯୁବକ ଏ-ଟି-ଏସ୍‌ଙ୍କ ପାଖରେ ଚାକିରୀ କରୁଥିଲା । ପାଟ୍ରିକ୍‌ ତାଙ୍କ ପାଇଁ ରୋଷେଇ କରି ଦେଉଥିଲା ଏବଂ ତାଙ୍କୁ ଖୁବ୍‌ ମଧ୍ୟ ଠକୁଥିଲା; କିନ୍ତୁ ସାହେବ କିଛି ମନେ କରୁ ନଥିଲେ ଏବଂ ତାଙ୍କ ପାଖରେ ରହିବାକୁ ପାଟ୍ରିକ୍‌ର ମଧ୍ୟ କୌଣସି ଆପତ୍ତି ନଥିଲା । ପାଟ୍ରିକ୍‌ ନିଜର ବିବାହ ବିଷୟ ସାହେବଙ୍କୁ କହିବା ପରେ ସାହେବ ଏହା ଶୁଣି ଖୁସି ହେଲେ । ସେ ଭାବିଥିଲେ ଜଣେ ଉତ୍ତମ ବାଳିକାର ସାହଚର୍ଯ୍ୟ ଲାଭକରି ପାଟ୍ରିକ୍‌ ହୁଏତ ଅପେକ୍ଷାକୃତ ଅଧିକ ସାଧୁ ହେବ ।

କିନ୍ତୁ ପାଟ୍ରିକ୍‌ର ଯାହା କିଛି ଘରକରଣା ବୁଦ୍ଧି ଥିଲା ମିରିଆମର ତାହା ନଥିଲା । କେବଳ ନାମକୁ ମାତ୍ର ପାଟ୍ରିକ୍‌ର ସ୍ତ୍ରୀ ହୋଇ ରହିଥିଲା ।

ମିରିଆମ ପାଇଁ ବିବାହର ଅର୍ଥ ଥିଲା, କେବଳ ଏକାଠି ଖାଇବା ଓ ଏକ ଛାତତଳେ ରହିବା । ଏହା ଛଡ଼ା ଯେ ବିବାହର ଅର୍ଥ କିଛି ଅଛି ତାହା ସେ ବୁଝିବାକୁ ଆଦୌ ପ୍ରସ୍ତୁତ ନଥିଲା । ମିରିଆମର ଏହି ଖିଆଲି ମନୋଭାବକୁ ପାଟ୍ରିକ୍‌ ବିଶେଷ ପସନ୍ଦ କରୁ ନଥିଲା; କିନ୍ତୁ ଜଣେ ଉତ୍ତମ ବାଳିକାକୁ ତା ବାଟରେ ଯିବାକୁ ଛାଡ଼ିଦେଲେ ମଧ୍ୟ ତା ଆଡ଼ୁ ବିଶେଷ କିଛି ବିପଦର ସମ୍ଭାବନା ନ ଥାଏ ।

କିନ୍ତୁ କେତେକ ଘଟଣା ଯୋଗୁ ପାଟ୍ରିକ୍‌ ମନରେ ଆଲୋଡ଼ନ ସୃଷ୍ଟି ହେଲା । ସାହେବ ଘରୁ ଯେତେବେଳେ କ୍ଳବକୁ ଚାଲିଯିବେ ସେତେବେଳେ ପାଟ୍ରିକ୍‌ ସାହେବଙ୍କ ଡ୍ରେସିଂ ରୁମରେ ଥିବା ବଡ଼ ଦର୍ପଣରେ ନିଜ ଚେହେରାଟାକୁ ଟିକିଏ ଦେଖିନେବ । ସେ ଯଦିଓ ବିଶେଷ ସୁନ୍ଦରୀ ନୁହେଁ ତଥାପି ସ୍ଵାଭାବିକ ଗାର୍ହସ୍ଥ୍ୟ ଜୀବନ ଯାପନ କରିବା ପାଇଁ ସୁନ୍ଦରୀ ହେବା ନିହାତି ଦରକାର ନୁହେଁ । ସେ ଦେଖିବାକୁ କଳା ଏବଂ ମିରିଆମ ମଧ୍ୟ; କିନ୍ତୁ ସେ ଆଦୌ ଦୁର୍ବଳ ନ ଥିଲା । ସେ ନିଜ ବାହୁର ମାଂସପେଶୀ ଚିପିଦେଇ ଆନନ୍ଦ ପାଏ, ଏଥିରେ ଥାଏ ପ୍ରଚୁର ଶକ୍ତି । ସେ ଅନ୍ୟ ଖାନସମାମାନଙ୍କ ଅପେକ୍ଷା ଅଧିକ ଭଲ ଭାବେ ଜାଳେଣୀ କାଠ ଚିରିପାରେ । ସେ ଶୁଣିଛି ଉତ୍ତମ ମାଂସପେଶୀ ଥିବା ବଳିଷ୍ଠ ପୁରୁଷମାନଙ୍କୁ ଯୁବତୀମାନେ ଖୁବ୍‌ ପସନ୍ଦ କରନ୍ତି ।

ବିବାହ ପରେ ପାଟ୍ରିକ୍‌ର ଆୟ ଯେତିକି ସେତିକି ରହିଥିଲା । ସାହେବଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ରନ୍ଧା ହେଉଥିଲା ଏବଂ ସେହି ରୋଷେଇରେ ମିରିଆମ୍‌ ଓ ପାଟ୍ରିକ୍‌ର ଖାଦ୍ୟ ମଧ୍ୟ ଚଳିଯାଉଥିଲା । ‘‘ପାଟ’’ ନିଜେ ବଜାରରୁ ସଉଦାପତ୍ର ଆଣୁଥିଲେ ବି ଏଥିପାଇଁ ମାଲିକଠୁ କୁଲିଭଡ଼ା ନେଉଥିଲା । ଏହା ସତ୍ତ୍ୱେ ଅନ୍ୟାନ୍ୟ ଖାନସମାଙ୍କଭଳି ପାଟ୍ରିକ୍‌ ହାତରେ ଦି ପଇସା ରହି ପାରୁ ନଥିଲା । ସେ ଯେତେବେଳେ ହଳେ ନୂଆ ଯୋତା କି ସଫା ଲୁଗା ପିନ୍ଧୁଥିଲା ତାକୁ ଦେଖି ବଜାରର ମାଂସକଟାଳି ହସୁଥିଲା ।

 

ସାହେବ ନିଶ୍ଚୟ ତୋ ପ୍ରତି ସଦୟ ହୋଇଛନ୍ତି । —ନୁହେଁ ? ‘ନିଶ୍ଚୟ’ ପାଟ୍ରିକ୍‌ ଉତ୍ତର ଦିଏ ଓ କହେ ସେ କେବେହେଲେ ମତେ ହିସାବ ମାଗନ୍ତି ନାହିଁ ।

 

ମାଂସକଟାଳି ସବୁଜାଣିଲା ଭଳି ମୁଣ୍ଡ ହଲାଇ ପୁଣି ଥରେ ଟିକିଏ ହସିଦିଏ; କିନ୍ତୁ ମାଂସକଟାଳିର ଏହି ହସ ଓ ଚାହାଣୀକୁ କେଜାଣି କାହିଁକି ପାଟ୍ରିକ୍ ଆଦୌ ପସନ୍ଦ କରିପାରୁ ନଥିଲା-

 

ଏହିଭଳି ମାସ ପରେ ମାସ ବିତିଗଲା । ମିରିଆମ କ୍ରମେ ଅଧିକ ସୁନ୍ଦର ଦିଶିଲା । ସେ ବରାବର ନିଜର ମୁଣ୍ଡ ଧୋଇ ତେଲ ଲଗାଇଲା । ଏହା ତାର ସୌନ୍ଦର୍ଯ୍ୟକୁ ଅଧିକ ବିକଶିତ କଲା । ଘନ ଅନ୍ଧାର ରାତିରେ ସେ ଉଜ୍ଜ୍ଵଳ ତାରକା ସଦୃଶ ପ୍ରତିଭାତ ହେଲା ସେ ଇଅରିଂ ଲଗାଇ ଓ ଭଲ ଶାଢ଼ୀ ପିନ୍ଧି କସମୋପଲିଟିକ୍‌ କ୍ଲବକୁ ଯାଉଥିବା ସମ୍ଭ୍ରାନ୍ତ ମହିଳାଙ୍କ ଭଳି ନିଜକୁ ସଜାଇବାରେ ଲାଗିଲା । ପାଟ୍ରିକ୍‌ ତାକୁ ସର୍ବଦା ପାଖରେ ପାଇବାକୁ ଇଚ୍ଛା କଲା; କିନ୍ତୁ ମିରିଆମ ସର୍ବଦା ଭଲ ଝିଅଟିଏ ହୋଇ ରହିବ ବୋଲି କହିଲା ।

 

ଦିନେ ପାଟ୍ରିକ୍‌ ଟିକିଏ ଆଗରୁ ବଜାର ସଉଦା ସାରି ଘରକୁ ଫେରି ଆସି ନ ଥିଲେ କୌଣସି ପ୍ରକାରର ସନ୍ଦେହ କାହା ମନରେ ସୃଷ୍ଟି ହୋଇ ନଥାନ୍ତା । ସେ ଆସିଲା ବେଳକୁ ମିରିଆମ ସାହେବଙ୍କ ଘର ଭିତରୁ ବାହାରି ଆସୁଛି । ମିରିଆମ କହିଲା ସାହେବ ପାଣି ମାଗୁଥିଲେ ଓ ମୁଁ ତାହା ଦେଇ ଆସିଛି । ତାର କେଶରାଶି ସେଦିନ ଆଲୁଳାୟିତ ହୋଇ ଯାଇଥିଲା । ପାଟ୍ରିକ୍‌ ଏ ବିଷୟରେ ସେଦିନ କିଛି ଭାବି ନଥିଲା ଏବଂ ଦିନେ ମିରିଆମ ବସି ସାହେବର ଗୋଡ଼ ଚିପୁଥିବା ନ ଦେଖିଥିଲେ ଅଧିକ କିଛି ମଧ୍ୟ ଭାବି ନଥାନ୍ତା । ସାହେବ ସେଦିନ ଟ୍ରଲିରେ ବହୁତ ଦୂରରୁ ଆସି ଭାରି ହାଲିଆ ହୋଇ ପଡ଼ିଥିଲେ ।

 

ଏହା ଦଶ ବର୍ଷ ତଳର କଥା । ମୁଁ ପାଟ୍ରିକକୁ ଦେଖିଲା ବେଳକୁ ସେ ଅତି ବୁଢ଼ା ହୋଇ ଯାଇଥିଲା । ସେତେବେଳେ ସେ ଖୁବ୍‌ ଭଲ ରୋଷେଇ କରୁଥିଲା ଏବଂ ତାକୁ ସେଣ୍ଟ୍ରାଲ ଜେଲର ୟୁରୋପୀୟ ଓ୍ୱାର୍ଡ଼ରେ ମୁତୟନ କରାଯାଇଥିଲା । ସେ ସର୍ବଦା ଉତ୍‌ଫୁଲ୍ଲ ରହୁଥିଲା ।

 

ଏବଂ କାଠ ଚିରିଲାବେଳେ ସେ ଆହୁରି ଖୁସ୍‌ ରହୁଥିଲା । ବେଳେବେଳେ ସେ ନିଜ ବାହୁର ମାଂସପେଶୀକୁ ଟିପିଦେଇ ଆତ୍ମପ୍ରସାଦ ଲାଭ କରୁଥିଲା ।

 

‘‘ମୁଁ ବୁଝିପାରେନି କାହିଁକି ସେ ମୋର ଅନୁଗତ ସ୍ତ୍ରୀ ହୋଇ ରହିବ ନାହିଁ । ମୁଁ ତ ଦେଖିବାକୁ କିଛି ଖରାପ ନୁହେଁ ।

 

ତୁ ତାକୁ କାହିଁକି ମାରିଦେଲୁ ?

 

ମୁଁ ଜାଣେନା, ଟିକିଏ ଚିନ୍ତା କରି ପାଟ୍ରିକ୍‌ କହିଲା ଦିନେ ମତେ ମାଂସକଟାଳି ପଚାରିଲା ସାହେବ ଏବେ ବି ତୋତେ କଣ ହିସାବ ମାଗୁ ନାହାନ୍ତି ? ମୁଁ ହଁ କହିବାରୁ ସେ ଟିକିଏ ହସିଲା ।

 

ତା’ପରେ ?

 

ମୁଁ ମାଂସକଟାଳିର ସେହି ହସ ଭୁଲି ପାରିଲି ନାହିଁ ଏବଂ ରାତିରେ ବହୁ ଦୁର୍ଭାବନାରେ ମୋ ମୁଣ୍ଡ ଭରିଗଲା । ମୁଁ ଭାବି ଆଶ୍ଚର୍ଯ୍ୟ ହୋଇଗଲି ମିରିଆମ କାହିଁକି ସାହେବର ଗୋଡ଼ ଚିପି ଦେଉଚି—କାଇଁ ଦିନେ ତ ସେ ମୋର ଗୋଡ଼ ଚିପୁ ନାହିଁ—ସେଦିନ ସେ ସାହେବ ଘରୁ ବାହାରି ଆସିଲାବେଳେ କାହିଁକି ତାର ବାଳ ଆଲୁରବାଲୁର ହୋଇଥିଲା । ଏହାପରେ ମୁଁ ମିରିଆମ ଆଡ଼କୁ ଚାହିଁଲି । ସେ ଶେଯରେ ମୋ ପାଖକୁ ଲାଗି ଶୋଇଥିଲା । ମୁଁ ନିଶଃବ୍ଦରେ ଶେଯତଳକୁ ଓହ୍ଲାଇ ଆସିଲି ଓ ରୋଷେଇ ଘରୁ ଛୁରି ଆଣିଲି । ତା’ପରେ ମୁଁ ତାର ଗଳା କାଟିଦେଲି । ମାଂସକଟାଳି ମତେ ଦେଖି ଆଉ ହସିବ ନାହିଁ । ମୁଁ ତା ଗଳାରେ ଛୁରି ଚଳାଉଥିବା ବେଳେ ସେ ଉଠିପଡ଼ିଲା ।

 

ମିରିଆମ୍, ତୁ ଆଉ ହଲଚଲ ହୁଅନା, ମୁଁ ତତେ ସବୁଦିନ ପାଇଁ ଭଲ ଝିଅକରି ରଖିଦେବି, ମୁଁ କହିଲି ।

 

(ଖ) ଅବଦୁଲ କରିମ୍‌

 

କେତେବର୍ଷ ତଳେ ଅବଦୁଲ କରିମ୍‌ ନାମକ ଜଣେ ଲୋକ ଶ୍ରୀନଗର ପୋଷ୍ଟ ଅଫିସକୁ ଆସି ସେଠାରେ ଶ୍ରୀ ସ୍ମିଥଙ୍କର ସବିଶେଷ ଠିକଣା ପଚାରି ବୁଝୁଥିଲା ।

 

ଏଇଟା ଅତି ସାଧାରଣ ନାମ ଏବଂ ଅନ୍ତତଃପକ୍ଷେ ଏହି ନାମଧାରୀ କୋଡ଼ିଏ ଜଣ ବ୍ୟକ୍ତି ନାଗିନ, ଚିନାର ବାଗ ଓ ଗୁଲମାର୍ଗରେ ବାସ କରୁଥିବେ ବୋଲି ଅନୁସନ୍ଧାନ କ୍ଲର୍କ ଉତ୍ତର ଦେଲେ । ଆପଣ କଣ ସେହି ଲୋକର ଅଧିକ କିଛି ବିବରଣୀ ଦେଇପାରିବେ ନାହିଁ ? ନିଶ୍ଚୟ, ଅବଦୁଲ କରିମ୍‌ ଉତ୍ତର ଦେଲା, ‘‘କିଛି ବର୍ଷ ପୂର୍ବେ ସେ ଜଣେ ସେସନ୍‌ସ ଜଜ୍‌ ଥିଲେ ।

 

ସେ ତ ବହୁ ବର୍ଷ ତଳର କଥା । ସେ ଏବେ କେଉଁଠି ଅଛନ୍ତି ଆମେ କିମିତି ଜାଣିବୁ ? ତୁମେ ବରଂ ହାଇକୋର୍ଟ ଯାଇ ସେଠାରେ ତାଙ୍କ ଠିକଣା ବୁଝିପାର କାରଣ ସେମାନେ ସବୁ ସେସନ୍‌ସ ଜଜ୍‌ଙ୍କ ଠିକଣା ଇତ୍ୟାଦି ରଖିଥାନ୍ତି ।

 

ଅବଦୁଲ କରିମ୍‌ ଏହି ଖବର ଯୋଗାଡ଼ କରିବା ପାଇଁ ଶ୍ରୀନଗର ପୋଷ୍ଟ ଅଫିସକୁ ଆସିବାର ଯଥେଷ୍ଟ କାରଣ ଥିଲା । ଖରାଦିନେ ଦେଶର ବିଭିନ୍ନଆଡ଼ୁ ଅବସର ବିନୋଦନ ପାଇଁ ବିଭିନ୍ନ କିସମର ଲୋକ ଏଠାକୁ ଆସନ୍ତି ଏବଂ ସେହି ସବୁ ଲୋକଙ୍କ ବିଷୟରେ ଖବର ରଖିବା ପୋଷ୍ଟ ଅଫିସ ଅନୁସନ୍ଧାନ କ୍ଲର୍କର କର୍ତ୍ତବ୍ୟ । କାଶ୍ମୀରକୁ ଦେଶର ବହୁ ବିଶିଷ୍ଟ ଲୋକ ଆସନ୍ତି । ଏମାନଙ୍କ ଭିତରେ ନଙ୍ଗା ପୂର୍ବତାରୋହଣକରୀ ଗିଲଗିଟକୁ ଯାଉଥିବା କି ସେଠାରୁ ଆସୁଥିବା ସୈନ୍ୟ, ବହୁ ବିଖ୍ୟାତ ଆଇନଜୀବୀ, ବଡ଼ ବଡ଼ ଶିକାରୀ ମଧ୍ୟ ଥାନ୍ତି । ଯେଉଁ ଅଫିସରମାନେ କାଶ୍ମୀରରୁ ଯାଆନ୍ତି ବା ଯେଉଁ ଅଫିସରମାନଙ୍କ ସ୍ତ୍ରୀମାନେ କାଶ୍ମୀର ଛାଡ଼ି ଯାଇପାରି ନଥାନ୍ତି ପୋଷ୍ଟ ଅଫିସ ସେମାନଙ୍କର ଖୋଜ ଖବର ରଖିଥାଏ ।

 

କାଶ୍ମୀର ଯାଉଥିବା ଲୋକଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଅବସରପ୍ରାପ୍ତ ସରକାରୀ ଚାକିରିଆ ଅଥବା ଅବସର ନେବାପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିବୃନ୍ଦ । କେତେକ କାଶ୍ମୀର ଯାନ୍ତି ତୂଳୀରେ ତାର ସୌନ୍ଦର୍ଯ୍ୟକୁ ଧରିରଖିବା ପାଇଁ । କେତେକ ଏହାର ଦୃଶ୍ୟପାଇଁ କେତେକ ଏହାର ଜଳବାୟୁ ପାଇଁ ଓ କେତେକ ଏଠାର ରମଣୀଙ୍କ ପାଇଁ ମଧ୍ୟ ଯାନ୍ତି ।

 

ଭାରତରେ ରହିବା ଭିତରେ କୌଣସି ଇଂରେଜ ବ୍ୟକ୍ତି ସେ ସାନ ଚାକିରି କରିଥାଉ ବା ବଡ଼ ଚାକିରି କରିଥାଉ ଯଦି ଆଗା ଖାଁଙ୍କୁ ସାକ୍ଷାତ୍‌ ନ କରିଛି ତାଜ ନ ଦେଖିଛି ବା ଗୁଲମାର୍ଗରେ ଗୋଲଫ ନ ଖେଳିଛି ତେବେ ତାର ଭାରତ ଦର୍ଶନ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ସେତେବେଳେ ଧରାଯାଉଥିଲା । ତେଣୁ ପ୍ରାୟ ସବୁ ଇଂରେଜ ବ୍ୟକ୍ତି କାଶ୍ମୀରକୁ ବୁଲିଆସିବା ପାଇଁ ସର୍ବଦା ବ୍ୟଗ୍ର ହୋଇ ରହିଥାନ୍ତି ।

 

ସେଇଥିପାଇଁ ଅବଦୁଲ କରିମ କାଶ୍ମୀର ଆସିଥିଲା ଏବଂ କୌଣସି ଅଫିସରଙ୍କ ଖୋଜ ଖବର ନେବାକୁ ଇଚ୍ଛାକଲେ ପୋଷ୍ଟ ଅଫିସର ଅନୁସନ୍ଧାନ କ୍ଲର୍କ ହିଁ ତାହା କହିପାରିବେ ବୋଲି ଭାବିଥିଲା ।

 

‘‘କିନ୍ତୁ ମୁଁ ଆପଣଙ୍କୁ ଅଧିକ କିଛି ବିବରଣୀ ଦେଇ ପାରିବି ନାହିଁ । ଅବଦୁଲ କରିମ୍‌ କହିଲା ।

 

ତେବେ, ମୁଁ ସାହାଯ୍ୟ କରିପାରିବି ନାହିଁ, ଆପଣ ଆଉ କାହାରିକୁ ପଚାରି ପାରନ୍ତି ବୋଲି କ୍ଲର୍କ ଜଣକ ଉତ୍ତର ଦେଲେ ।

 

କି ଆଶ୍ଚର୍ଯ୍ୟର କଥା, ଅବଦୁଲ କରିମ୍‌ ହତାଶ ହୋଇ କହିପକାଇଲା—‘‘ଜଣେ ଲୋକ ସେସନ୍‌ସ ଜଜ ହୋଇଥିଲା ପର୍ଯ୍ୟନ୍ତ ସେ ଏକ ପ୍ରଧାନ ବ୍ୟକ୍ତି ରୂପେ ବିବେଚିତ ହୋଇଥାଏ । ସେ ଇଚ୍ଛାକଲେ ଜଣକୁ ଫାଶୀକାଠରେ ମଧ୍ୟ ଝୁଲାଇ ଦେଇପାରେ । କିନ୍ତୁ ସେ ସେହି କାମ ଛାଟି ସେକ୍ରେଟେରିଏଟ୍‌କୁ ବଦଳି ହୋଇଗଲେ ଅଥବା ଅନ୍ୟ କେଉଁଠିକୁ ଚାଲିଗଲେ କେଡ଼େ ସହଜରେ ଲୋକେ ତାକୁ ଭୁଲି ଯାଆନ୍ତି ?

 

‘‘ଆଚ୍ଛା, ସେ କଣ କେବେ ଏଠାକୁ ଆସିଥିଲେ ?’’

 

ହଁ ସେ ଜଳନ୍ଧରରେ ଥିବାବେଳେ ଦଶଦିନ ଛୁଟି ନେଇ ଏଠାକୁ ଆସିଥିଲେ ।

 

‘‘ତାହା ତ ପ୍ରାୟ ଅଠର ବର୍ଷ ତଳର କଥା ।’’

 

‘‘ଏହା ଭିତରେ ସେ ଅବସର ନେଇ ସାରିଥିବେ ଅଥବା ମରି ଯାଇଥିବେ ।’’

 

ସେ ଅବସର ନେଇ ଥାଇପାରନ୍ତି କିନ୍ତୁ କେବେ ମରିନଥିବେ—ଅବଦୁଲ କରିମ୍‌ ଟିକିଏ ଜୋରଦେଇ ଏଇ କଥା ପଦକ କହିଲା ।

 

ସେ ମରିନାହାନ୍ତି ବୋଲି ତୁମେ କିପରି କହୁଛ ?

 

‘‘ତୁମେ ତାଙ୍କୁ ପ୍ରାୟ ବାର ବର୍ଷ ତଳେ ଶେଷଥର ପାଇଁ ଦେଖିଥିଲ ଏବଂ ଏହା ଭିତରେ ତୁମର ତାଙ୍କ ସହ ଦେଖା ହୋଇନାହିଁ ।’’ ଏହାଟି ?

 

ହଁ ଏହା ଅବଶ୍ୟ ସତ; କିନ୍ତୁ ସେ ମରି ନାହାନ୍ତି ।

 

ମୁଁ ଏକଥା ଜାଣେ ଏବଂ କାହିଁକି ସେ ମରିନାହାନ୍ତି ତା ମଧ୍ୟ ମୁଁ ଆପଣଙ୍କୁ କହିପାରିବି ।

 

କାହିଁକି ?

 

ସେ ମୋତେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ଏବଂ ଭାଇସରାୟ ମୋର ଦଣ୍ଡ କୋହଳ ନ କରିଥିଲେ ମୁଁ ନିଶ୍ଚିତ ଭାବେ ଫାଶୀ ଖୁଣ୍ଟରେ ଝୁଲିସାରିଥାନ୍ତି ।

 

ଏହାପରେ ଅବଦୁଲ କରିମ୍‌ କିପରି ତା ଇଲାକାର ପୋଲିସ ତାକୁ ଏକ ହତ୍ୟାକାଣ୍ଡରେ ଜଡ଼ିତ କରିପକାଇଲା ସେହି ରହସ୍ୟପୂର୍ଣ୍ଣ ଘଟଣାର ପୃଷ୍ଠା ଉନ୍ମୋଚନ କଲା । ଅବଦୁଲ କରିମ କହିଲା ତା ବାପ କୌଣସି ଏକ ଗ୍ରାମର ‘ଲମ୍ବରଦାର’ ଥିଲା । ସେହି ସମୟରେ ଖାଦ୍ୟ ଶସ୍ୟର ମୂଲ୍ୟ ବହୁତ କମିଯାଇଥିଲା କିନ୍ତୁ ଖଜଣା ବଢ଼ାଇ ଦିଆଯାଇଥିଲା । ଫଳରେ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଏହାର ପରିଣତି ସ୍ୱରୂପ ସେ ଅଞ୍ଚଳରେ ଚୋରୀ ଡକାୟତି ଆଦି ବଢ଼ିଲା । ଏହାକୁ ରୋକିବା ପାଇଁ ଜଣେ ଦୁଇଜଣ ଲୋକଙ୍କୁ କଠୋର ଦଣ୍ଡବିଧାନ କରିବା ପାଇଁ ପୋଲିସ ନିଷ୍ପତ୍ତି କଲା । ସ୍ଥାନୀୟ ଥାନା ଇନିସପେକ୍‌ଟର ଏହି ଡକାୟତି କରୁଥିବା ପ୍ରକୃତ ବ୍ୟକ୍ତିଙ୍କୁ ଖୋଜି ପାଇଛି ବୋଲି ଦାବି କରି ପ୍ରକୃତ ପକ୍ଷେ ଏଥିରେ ଲମ୍ବରଦାର ଓ ତାର ଚାରିପୁଅ ସମ୍ପୃକ୍ତ ବୋଲି କହିଲେ । ସେସନ୍‌ସ ଜଜ୍‌ ପୋଲିସ ଇନିସପେକ୍‌ଟରଙ୍କ ଏହି କଥାକୁ ମାନିଗଲେ ଏବଂ ତଦନୁଯାୟୀ ଲମ୍ବରଦାର ଓ ତାର ଚାରିପୁଅଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ । ହାଇକୋର୍ଟରେ ମଧ୍ୟ ଏହି ଦଣ୍ଡାଦେଶ କାଏମ ରହିଲା । ଲମ୍ବରଦାର ଓ ତାର ଅନ୍ୟ ତିନିପୁଅ ଫାଶୀ କାଠରେ ଝୁଲିଲେ; କିନ୍ତୁ ଅବଦୁଲ କରିମ ଏହି ଡକାୟତିରେ ବିଶେଷ ଭାବେ ସମ୍ପୃକ୍ତ ଥିବାର ପ୍ରମାଣ କରାଯାଇ ପାରି ନ ଥିବାରୁ ତା ପ୍ରତି ହୋଇଥିବା ଦଣ୍ଡାଦେଶ କୋହଳ କରାଗଲା ।

 

କିନ୍ତୁ ତୁମେ ଯେଉଁ ଲୋକଙ୍କୁ ଖୋଜୁଛ ତାଙ୍କ ସହିତ ଏସବୁ ଘଟଣାର ସମ୍ପର୍କ କଣ ? ସେସନ୍‌ସ ଜଜ୍‌ ତ ବହୁ ଲୋକଙ୍କୁ ଫାଶୀ ଦିଅନ୍ତି; କାରଣ ଏହା ତାଙ୍କର କର୍ତ୍ତବ୍ୟ । କେତେକ ଅବଶ୍ୟ ଏହି କାମକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ତୁମଭଳି ଲୋକ ହତ୍ୟାକାଣ୍ଡ ଘଟାଇବା ପରେ ନିଶ୍ଚିତରୂପେ ଫାଶୀ ପାଇବା ଉଚିତ ।

 

ହଁ ତାହା ସତକଥା, କିନ୍ତୁ ଆମେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ହୋଇଥିଲାବେଳେ ଅବଶ୍ୟ ଫାଶୀ ପାଇବା ଅନୁଚିତ । ସେମାନେ କହନ୍ତି ଏବେ ଅବସ୍ଥା ବଦଳିଗଲାଣି l ମାତ୍ର ମୁଁ ଯେଉଁ ଦିନର କଥା କହୁଛି ସେତେବେଳେ କଲେକ୍‌ଟର, ଏସ୍‌.ପିଙ୍କ ସଙ୍ଗେ ଏବଂ କଲେକ୍‌ଟର ଓ ଏସ୍‌.ପି ସେସନ୍‌ସ ଜଜ୍‌ଙ୍କ ସଙ୍ଗେ ଦେଖାକରିବା ଏକ ନିତିଦିନିଆ ଘଟଣା ହୋଇଥିଲା । କଲେକ୍‌ଟର, ଏସ୍‌.ପି. ଓ ସେସନ୍‌ସ ଜଜ୍‌ କ୍ଲବରେ ବସି ପ୍ରାୟ ସବୁ ମକଦ୍ଦମା ସଂକ୍ରାନ୍ତରେ ନିଷ୍ପତ୍ତି କରିଦେଉଥିଲେ ।

 

ଠିକ୍‌ ଏଇଭଳି ଭାବେ ହିଁ ମୋର ବାପ ସେହି ଲମ୍ବରଦାରକୁ କଠୋର ଦଣ୍ଡ ଦେବାପାଇଁ ନିଷ୍ପତ୍ତି କରାଯାଇଥିଲା । ଅଦାଲତରେ ଆସେସରମାନଙ୍କୁ ସେସନ୍‌ସ ଜଜ ଦଣ୍ଡାଦେଶ ଘୋଷଣା କରିବା ପୂର୍ବରୁ କହିଥିଲେ ଏହି ଜିଲ୍ଲା ଅପରାଧ ନିମନ୍ତେ କୁଖ୍ୟାତ ହୋଇଗଲାଣି । ମୋ ମତରେ ଅଭିଯୁକ୍ତ ଆସାମୀମାନେ ପ୍ରକୃତରେ ଦୋଷୀ । ଯଦି ଏହି ଲମ୍ବରଦାରକୁ ଫାଶୀ ଦିଆଯାଏ ତେବେ ଅନ୍ୟ ଲମ୍ବରଦାରମାନେ ଏଥିରୁ ଶିକ୍ଷା ଲାଭକରିବେ ଏବଂ ସେମାନେ ଯଥାବିଧି ଖଜଣା ଆଦାୟ କରିବା ସଙ୍ଗେ ସଙ୍ଗେ ଡକାୟତମାନଙ୍କୁ ଆଉ ସାହାଯ୍ୟ କରିବେ ନାହିଁ । ମୁଁ ଜେଲରେ ଥିଲାବେଳେ ପ୍ରତିଦିନ ପାଞ୍ଚମିନିଟଲେଖା ଆଲ୍ଲାଙ୍କୁ ପ୍ରାର୍ଥନା କରି କହେ ସେହି ସେସନ୍‌ସ ଜଜ୍‌ ମୋ ହାତରେ ମରିବା ପାଇଁ ରହିଥାଉ । ଈଶ୍ୱର ମତେ କେବେ ଠକି ନ ଥିବେ ।

 

ସେଠାରୁ ଅବଦୁଲ କରିମ୍‌ ନିରାଶ ହୋଇ ଚାଲିଗଲା । କେତେ ମାସ ପରେ ଶ୍ରୀନଗର ବୁକ୍‌ ଷ୍ଟଲରେ ଡେଲି ‘ଇକୋ’ ଖବରକାଗଜରେ ପ୍ରକାଶ ପାଇଥିବା ଏକ ଫଟୋ ଉକ୍ତ ଅନୁସନ୍ଧାନ କ୍ଲର୍କଙ୍କର ଦୃଷ୍ଟି ଆକର୍ଷଣ କଲା ଏବଂ ସେହି ଫଟୋ ଦେଖି ତାଙ୍କ ମନରେ ଅବଦୁଲ କରିମର ସ୍ମୃତି ଜାଗିଉଠିଲା । ଉକ୍ତ ସମ୍ବାଦରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବ୍ରାଇଟନଠାରେ କୌଣସି ଅଜଣା ଆତତାୟୀ ହତ୍ୟା କରିଥିବାର ଚିତ୍ର ପ୍ରକାଶ ପାଇଥିଲା । ଆତତାୟୀ ହତ୍ୟା କରିବା ପରେ ଏକ କାଗଜରେ କେଇପଦ ଲେଖି ଯାଇଥିଲା । ତାହା ହେଉଛି—

 

ଶ୍ରୀ ସ୍ମିଥ ଅମୁକ ଜିଲ୍ଲାରେ ଅପରାଧ ବଢ଼ି ଚାଲି ଥିବାରୁ ତୁମେ ମୋ ବାପକୁ କଠୋର ଦଣ୍ଡ ଦେଇଥିଲ । ଏବେ ବହୁଲୋକ ଛାଡ଼ପାଇ ଯାଉଛନ୍ତି । ତେଣୁ ତୁମକୁ ଆଦର୍ଶ ଦଣ୍ଡ ଦେବାପାଇଁ ମୁଁ ନିଷ୍ପତ୍ତି କଲି । ସେସନ୍‌ସ ଜଜ୍‌ମାନେ ଏଥିପ୍ରତି ଧ୍ୟାନ ଦେବେ ବୋଲି ଆଶା ।

 

(ଗ) ଜ୍ୟାକ୍‌

 

ଜେଲରେ ସମସ୍ତଙ୍କ ପାଇଁ ଜ୍ୟାକ୍‌ ଏକ ରହସ୍ୟ ହୋଇ ରହିଥିଲା । ସେ ଦେଖିବାକୁ ଥିଲା ଡେଙ୍ଗା, ସୁଠାମ ଓ ସୁନ୍ଦର ଏବଂ ତାକୁ ଦେଖିଲେ ସେ ଜଣେ ଅପରାଧୀ ବୋଲି ମନେ ହେଉ ନଥିଲା । ତାର ଅତୀତ ଥିଲା ଅତି ନିର୍ମଳ । ସେ ଅତୀତରେ ଚୋରାରେ ଗୋଟିଏ ପ୍ୟାକେଟ ସିଗାରେଟ ଆଣିଥିବାର ମଧ୍ୟ ପ୍ରମାଣନାହିଁ ।

 

ସେ ଯଦିଓ ୟୁରୋପିଆନ୍‌ ୱାର୍ଡ଼ରେ ରହୁଥିଲା ତଥାପି ସାଧାରଣତଃ ୟୁରୋପୀୟ ଓ ଆଙ୍ଗ୍ଲୋଇଣ୍ଡିଆନ ମାନେ ଯେଉଁ ସବୁ ଅପରାଧ ଯଥା-ଠକେଇ, ଆତ୍ମସାତ୍‌, କର୍ମବିମୁଖ ଯୁବକମାନଙ୍କ କାର୍ଯ୍ୟକଳାପ; କରି ଦଣ୍ଡିତ ହୋଇଥାନ୍ତି ସେଭଳି ଅଭିଯୋଗ ମଧ୍ୟ ତା ବିରୁଦ୍ଧରେ ନଥିଲା । ସେ ବୋଧହୁଏ ସୈନ୍ୟ ବିଭାଗରେ ଚାକିରୀ କରୁଥିଲା ଏବଂ ନିଜ ଗୃହରକ୍ଷକକୁ ଗୁଳି କିମ୍ବା ଜେଲକୁ ଆସିବା ପାଇଁ ଥିବା ଦୁଇଟି ମୁଖ୍ୟ ରାସ୍ତା—‘‘ମଦ ଓ ମାଇକିନା’’—ବାଟେ ଜେଲକୁ ଆସିଥିଲା ତାହା ଜାଣିବାର ମଧ୍ୟ ଉପାୟ ନଥିଲା ।

 

ଜେଲରେ ଥିବା ଅନ୍ୟ କଏଦୀମାନେ ଈଶ୍ୱରଙ୍କ ଇଚ୍ଛା (କି ଆତ୍ମବିସ୍ମୃତି) ଯୋଗୁ ତାକୁ ଏ ଦୁର୍ଭାଗ୍ୟ ଭୋଗ କରିବାକୁ ପଡ଼ୁଛି ବୋଲି ମତ ଦିଅନ୍ତି; କିନ୍ତୁ ଜ୍ୟାକ୍‌ ଈଶ୍ୱରଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିବା ଆଦୌ ଜଣାପଡ଼େନି । ସେ ପ୍ରତି ରବିବାର ଦିନ ଜେଲରେ ଥିବା ଛୋଟ ଚର୍ଚ୍ଚର ଦ୍ଵାର ଖୋଲି ଓଳାଇ ଦିଏ । ପରେ ପିତ୍ତଳର ବିରାଟ କ୍ରୁଶ୍‌ଟିକୁ ହାତରେ ଧରି ଏହାକୁ ମାଜି ମାଜି ସୁନାପରି ଚିକ୍‌ଚିକ୍‌ କରିଦିଏ । ଏତକ କରିସାରି ସେ ବଗିଚାକୁ ଯାଏ ଏବଂ କିଛି ଫୁଲ ତୋଳିଆଣି ଚର୍ଚ୍ଚ ବେଦି ସଜାଇଦିଏ ।

 

ସେ ଲୋକ ସମ୍ବନ୍ଧରେ କୌତୂହଳ ହୋଇ ମୁଁ ତା ବିଷୟରେ ଜାଣିବାକୁ ଇଚ୍ଛାକଲି । କିଛି ପଶ୍ନ ପଚାରିଲେ ସେ କେବେ ତାର ନିର୍ଦ୍ଦିଷ୍ଟ ଉତ୍ତର ଦିଏ ନାହିଁ । ଅନ୍ୟାନ୍ୟ ବନ୍ଦୀଙ୍କଭଳି ସେ ନିଜ ବିଷୟରେ ସହରବାସୀଙ୍କ ସହିତ ମଧ୍ୟ ଆଲୋଚନା କରେନାହିଁ । ତା ଟିକେଟରେ କେବଳ ପିଙ୍ଗଳ କୋର୍ଡ଼ର କେଉଁ ଦଫା ଅନୁଯାୟୀ ତାକୁ ଜେଲ ଭୋଗିବାକୁ ହେଉଛି ତାହା ଉଲ୍ଲେଖ କରାଯାଇଥିଲା । ସେ ନିଜର ଦଣ୍ଡାଦେଶ ବିରୁଦ୍ଧରେ କୌଣସି ଅପିଲ କରି ନଥିବା ସେଥିରେ ଉଲ୍ଲେଖ ଥିଲା ।

 

ଜ୍ୟାକ୍‌ ଶୋଇଥିବା ଖଟ ପାଖରେ ଏକ ଛୋଟିଆ ଟେବୁଲ ଥିଲା ଏବଂ ଟେବୁଲ ଉପରେ ତାର ଜଗ୍‌ ପ୍ଲେଟ ଓ ଚାମଚ ଆଦି ଥୁଆ ହୋଇଥାଏ । ଏହାଛଡ଼ା ଖଣ୍ଡିଏ ବାଇବେଲ ମଧ୍ୟ ସେଠାରେ ଥାଏ । ମୋର ଅନୁସନ୍ଧିତ୍ସା ସମ୍ପର୍କରେ କୌଣସି ସନ୍ଦେହ ପୋଷଣ ନକରି ସେ ଆଗ୍ରହର ସହିତ ବାଇବେଲଟିକୁ ଦେଖିବା ନିମନ୍ତେ ମୋ ହାତକୁ ବଢ଼ାଇଦେଲା ।

 

ଆପଣ ଏହାକୁ ନିଶ୍ଚୟ ପସନ୍ଦ କରିବେ । ସେ କହିଲା—ଏଥିରେ ଶାନ୍ତି ପାଇବା ପାଇଁ ପ୍ରଚୁର ଉପାଦାନ ରହିଛି ।

 

ବହିଟିର ବହୁସ୍ଥାନରେ ଚିହ୍ନ ଓ ବିଭିନ୍ନ ପୃଷ୍ଠାରେ ଗାର ଦିଆଯାଇଥିଲା ଏବଂ ଏଇ ବହିଟିରୁ ବହି ମାଲିକଙ୍କ ଜୀବନୀ ସମ୍ପର୍କରେ କିଛି ଜାଣିବାକୁ ମୁଁ ଉଦ୍ୟମ କଲି । ବହିରେ ଥିବା ଐଶ୍ୱରିକ ଆଦେଶ ଓ ପବିତ୍ର ସଙ୍ଗୀତଗୁଡ଼ିକୁ ସେ ଚିହ୍ନ ଦେଇ ରଖିଥିଲା । ବହୁ ନୀତିବାକ୍ୟରେ ଭରା ଏହି ପୁସ୍ତକର ବହୁ ପରିଚ୍ଛେଦ ବନ୍ଦୀର ଦୃଷ୍ଟି ଆକର୍ଷଣ କରିଥିଲା । ପୁସ୍ତକଟିର ତ୍ରୟୋଦଶ ଅନୁଚ୍ଛେଦସ୍ଥ ପଲଙ୍କ ଉପଦେଶାବଳୀରେ ସେ ଲାଲ କାଳିରେ ବହୁ ଜାଗାରେ ଗାର ପକାଇଥିଲା । ପୁସ୍ତକଟିର ଗୋଟିଏ ଅନୁଚ୍ଛେଦରେ ଲାଲ କାଳିର ଗାର ନ ପକାଇ ଗୋଟିଏ କଡ଼ରେ ପେନସିଲର ଏକ ଅସ୍ପଷ୍ଟ ଗାର ମାତ୍ର ପଡ଼ିଥିଲା । ଗାରପକା ସ୍ଥାନରେ ଲେଖାଥାଏ—

 

‘‘ଉଲଗ୍ନ ହୋଇ ମୁଁ ମାତୃଗର୍ଭରୁ ଜୟଲାଭ କରିଛି ଏବଂ ଉଲଗ୍ନ ହୋଇ ହିଁ ମୁଁ ଫେରିଯିବି, ସବିନିୟନ୍ତା ଭଗବାନ ମତେ ଧରାପୃଷ୍ଠକୁ ଆଣିଥିଲେ ଏବଂ ସେ ମୋତେ ନେଇଗଲେ-। ସେହି ଈଶ୍ୱରଙ୍କ ମହିମା ସଚରାଚର ବିତରିତ ହେଉ ।’’

 

ସେଦିନ ସକାଳେ ମାମଦୋତର ନବାବ ସାର ସାହନଓ୍ୱାଜ ଖାଁ ପରଲୋକ ଗମନ କରିଥାନ୍ତି । ମୃତ୍ୟୁର ଦିନକ ପୂର୍ବରୁ ସେ ଯୁଦ୍ଧପାଣ୍ଠିକୁ ବିପୁଳ ପରିମାଣର ଦାନ ଦେବେ ବୋଲି ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଘୋଷଣା କରିଥାନ୍ତି । ସେ ଏବେ ପୃଥିବୀର ଦରିଦ୍ରତମ ବ୍ୟକ୍ତିଭଳି ଧରା ପୃଷ୍ଠରେ ଚିର ବିଶ୍ରାମ ଗ୍ରହଣ କରିଛନ୍ତି । ସେ କିଛି ଆଣି ଆସି ନ ଥିଲେ କି ଗଲାବେଳେ କିଛି ନେଇଗଲେ ନାହିଁ ।

 

ମଣିଷ ଓ ସମାଜଦ୍ୱାରା ସୃଷ୍ଟି ଆଇନ ଅନୁଯାୟୀ ଜ୍ୟାକ୍‌ ଏକ ଅମାନୁଷିକ କାର୍ଯ୍ୟରେ ଦୋଷୀ ପ୍ରମାଣିତ ହୋଇଥିଲା । ତା ବିରୁଦ୍ଧରେ ହୋଇଥିବା ଅଭିଯୋଗର ଶୁଣାଣି ହୋଇଥିଲା ଏବଂ ତା ତରଫରୁ ଓକିଲ ଲଢ଼ିଥିଲେ । ବିଚାରପତି କାହିଁକି ତାକୁ ଦୋଷୀ ସାବ୍ୟସ୍ତ କରି ନ ଥାନ୍ତେ ତାର କୌଣସି ଯୁକ୍ତିଯୁକ୍ତ କାରଣ ନ ଥିଲା । ତାର ଦୋଷ ପ୍ରଚଳିତ ଆଇନ ଅନୁସାରେ ପ୍ରମାଣିତ ହେଲା । ବିଚାରପତିଙ୍କ ମୁହକୁ ଛେପ ଅଥବା ତାଙ୍କ ବିରୁଦ୍ଧରେ ଉଦ୍ଦେଶ୍ୟ ଆରୋପ କରିବାର କୌଣସି ଅବକାଶ ନଥିଲା । ପୋଲିସ ବିରୁଦ୍ଧରେ ମଧ୍ୟ ସେ କୌଣସି ଅଭିଯୋଗ ଆଣିପାରି ନ ଥିଲା । ସେଥିପାଇଁ ଓକିଲଙ୍କ ଅଯୋଗ୍ୟତା ହିଁ ଦାୟୀ । ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ଦୀର୍ଘଦିନ ପାଇଁ କାରାଦଣ୍ଡାଦେଶ ହୋଇଥିଲା ଏବଂ ଏହି ଆଦେଶ ବିରୁଦ୍ଧରେ ସେ ହାଇକୋର୍ଟରେ କୌଣସି ଅପିଲ ମଧ୍ୟ କରି ନ ଥିଲା । ତା ନିଜ କହିବା ଅନୁଯାୟୀ ଉପର କୋର୍ଟରେ ବିଚାର ହେଲାଭଳି ତାର କୌଣସି ମକଦ୍ଦମାହିଁ ନ ଥିଲା ।

 

କିନ୍ତୁ ଉଭୟ ମନୁଷ୍ୟ ଓ ଈଶ୍ୱରଙ୍କ ଉପରେ ବିରକ୍ତ ହେବାପାଇଁ ଜ୍ୟାକ୍‌ ପକ୍ଷେ ବହୁ କାରଣମାନ ଥିଲା । ସୈନ୍ୟ ବାହିନୀରେ ଚାକିରୀ କରୁଥିବା ଲୋକେ ସାଧାରଣତଃ ମଦ୍ୟପାନ କରନ୍ତି । ଜ୍ୟାକ୍‌ ଏହାର କୌଣସି ବ୍ୟତିକ୍ରମ ନଥିଲା । ବସ୍ତୁତଃ ସେ ଟିକିଏ ଅଧିକ ସୁରାପାନ କରେ ବୋଲି ତା ବନ୍ଧୁମାନେ କୁହନ୍ତି । ମାତାଲ ହୋଇଥାଉ ବା ସାଧାରଣ ଅବସ୍ଥାରେ ଥାଉ ତାକୁ ଯେଉଁ ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଛି ସେ କଦାପି ତାହା କରିଥିବ ବୋଲି ବିଶ୍ୱାସ କରି ପାରୁନାହିଁ । ଯେଉଁ ରାତିରେ ସେ ଏହି କୁ-କର୍ମ କରିଥିଲା ବୋଲି ଅଭିଯୋଗ ହୋଇଥିଲା ସେହି ରାତିରେ ସେ ନିଶ୍ଚିତ ରୂପେ ଘରେ ନ ଥିଲା, ସେତେବେଳକୁ ସେ କ୍ଲବରେ ଥିଲା । ସେ ମଦ ପିଇ ପାଟ, ବିଲ, ଟେଲର ଓ ସର୍ଜେଣ୍ଟ ହେଣ୍ଡରସନଙ୍କ ପାଖରେ ଥିଲା । କିନ୍ତୁ ସେ ଚାରିଜଣଙ୍କ ମଧ୍ୟରୁ ଜଣେ ହେଲେ କାହିଁକି ଜ୍ୟାକ ସପକ୍ଷରେ କହିଲେନାହିଁ ତାହା ସେ ବୁଝିପାରେ ନାହିଁ । ତା ନିଜ ଝିଅର ମିଛ କଥା ଶୁଣି ସେଦିନ ତାର ମୁଣ୍ଡ ଘୂରି ଯାଇଥିଲା । ବିଚାରପତିମାନେ ପିତା ବିରୁଦ୍ଧରେ କନ୍ୟାର ଅଭିଯୋଗକୁ ଅବିଶ୍ୱାସ କରି ପାରିଲେନାହିଁ ।

 

ଝିଅ କିମ୍ବା ଝିଅର ମା ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ଆଗତ କରି ନ ଥିବା ବିଷୟ ବିଚାରପତି କିମ୍ବା ଆସେସର କେହି ହେଲେ ଚିନ୍ତାକଲେ ନାହିଁ । ଏହି ମକଦ୍ଦମା ନିଜେ ଜ୍ୟାକ୍‌ ଆଗତ କରିଥିଲା ଏବଂ ତା ବିରୁଦ୍ଧରେ ତା ସ୍ତ୍ରୀ ଯେଉଁ କୁତ୍ସାରଟନା କରୁଛି ତାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ସେ ଉକ୍ତ ମକଦ୍ଦମାରେ ଆବେଦନ କରିଥିଲା; କିନ୍ତୁ ପୋଲିସର ଅନୁସନ୍ଧାନ ଓ ମକଦ୍ଦମାର ଶୁଣାଣି ପରେ ବିଚାରା ଜ୍ୟାକ୍‌କୁ ଜେଲଦଣ୍ଡାଦେଶ ହେଲା । ତାର ଦୋଷ ସେ କୁଆଡ଼େ ନିଜ ଝିଅ ପ୍ରତି ବଳାତ୍କାର କରିଥିଲା ।

 

ଜ୍ୟାକ୍‌ ପ୍ରାୟ ପନ୍ଦର ବର୍ଷତଳେ ଭେରାକୁ ବିବାହ କରିଥିଲା । ସୁଷେସ୍ପର ଏକ କମନୀୟ ଗ୍ରୀଷ୍ମଋତୁରେ ପ୍ରକୃତି ଯେତେବେଳେ ନିଜର ଅପାସୋରା ରୂପସମ୍ଭାର ମେଲି ବସିଥିଲା ସେତେବେଳେ ଜ୍ୟାଜ୍‌ ଓ ଭେରା ପରସ୍ପରକୁ ଭେଟିଥିଲେ । ସେହି ସାକ୍ଷାତକାର ହିଁ ପରେ ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିଥିଲା । ବିବାହର କେତେକ ବର୍ଷ ସେମାନେ ସୁଖରେ କଟାଇ ଥିଲେ-। ପରେ ଜ୍ୟାକ୍‌ ସୈନ୍ୟବାହିନୀରେ ଯୋଗ ଦେଲା । ପ୍ରଚୁର ଦରମା, ବହୁତ ଛୁଟି ଓ ମାତ୍ର ଅଳ୍ପ କେତୋଟି ଯୁଦ୍ଧ । ଖୁବ୍‌ ଆରାମରେ ଉଭୟେ ରହିଲେ । ସେମାନେ ଇଜିଷ୍ଟ, ଚୀନ୍‌, ଅଷ୍ଟ୍ରେଲିଆ ଯିବା ପରେ ଭାରତକୁ ଆସିଲେ । ଭେରା ପୂର୍ବରୁ ଥରେ ବିବାହ କରି ଥିଲା ଓ ପ୍ରଥମ ସ୍ଵାମୀଆଡ଼ୁ ଏକ କନ୍ୟା ଜୋସେଲିନ୍‌ ଜାତ ହୋଇଥିଲା ।

 

ଭାରତରେ କିନ୍ତୁ ସବୁକିଛି ନିର୍ବିଘ୍ନରେ ଚାଲିପାରିଲା ନାହିଁ । ଜ୍ୟାକ୍‌ର ରେଜିମେଣ୍ଟ ‘‘ଜୁତୋଘ’’, ରେ ଥିଲା ବେଳେ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଟିକିଏ ମନାନ୍ତର ହେଲା । ଭେରା ନିଜ ସ୍ଵାମୀଙ୍କୁ ନ ଜଣାଇ ସିଗ୍‌ନାଲ ବିଭାଗର ଜଣେ ମେଜରଙ୍କ ସହ ଘୋଡ଼ାରେ ଦୂର ଜଙ୍ଗଲକୁ ଯାଇ ଏକ ଗ୍ରୀଷ୍ମନିବାସରେ ସମୟ କଟାଇ ଫେରି ଆସିଲା ଏହାର ପରିଣତି ଯାହା ହେବା କଥା ହେଲା-। ସୈନ୍ୟ ଛାଉଣୀରେ ଏହାକୁ ଭିତ୍ତି କରି ନାନା ଗୁଜବ ସୃଷ୍ଟି ହେଲା ଏବଂ ଜ୍ୟାକ୍‌ ଭଳି ଜଣେ ସାଧାରଣ ସୈନିକ ମେଜରକୁ ପିଟିବା ପାଇଁ ଧମକାଇଲା ।

 

ଏହି ଘଟଣାରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ବ୍ୟବସ୍ଥା ହୋଇ ଯାଇଥାନ୍ତା କିନ୍ତୁ ସ୍ଥାନୀୟ କର୍ଣ୍ଣେଲ ଘଟଣାରେ ହସ୍ତକ୍ଷେପ କଲେ ଓ ଅବସ୍ଥା ଆପାତତଃ ସମ୍ଭାଳି ନେଲେ ।

 

ଏହାର କିଛି ବର୍ଷ ପରେ ଭେରା ଆର-ଏ-ଏଫ୍‌ର ଜଣେ ସୁନ୍ଦର ଯୁବକଙ୍କ ସହ ବନ୍ଧୁତା ଅପେକ୍ଷା ଅଧିକ ଘନିଷ୍ଠତା ଜନ୍ମାଇଲା ଏବଂ ଏଥର ମଧ୍ୟ ଜ୍ୟାକ୍‌ ତାକୁ କ୍ଷମା ଦେଲା ।

 

ଅମ୍ବାଲାରେ ଭେରା ସବୁକିଛି ଓଲଟାଇ ଦେଲା । ମକଦ୍ଦମାର ଫଳାଫଳ ଯାହା ହେଲା (ଯେଉଁଥିରେ କି ଜ୍ୟାକ୍‌ ଜେଲକୁ ଗଲା) ତାହା ଜ୍ୟାକ୍‌କୁ ଛାଡ଼ପତ୍ର ଦେବା ପାଇଁ ସ୍ତ୍ରୀ ପକ୍ଷେ ଯଥେଷ୍ଟ ଥିଲା । ଛାଡ଼ପତ୍ର ବିରୁଦ୍ଧରେ ଯିବା ନିରର୍ଥକ ବୋଲି ବନ୍ଧୁମାନେ ତାକୁ ଉପଦେଶ ଦେଲେ । ଛାଡ଼ପତ୍ର କାର୍ଯ୍ୟକାରୀ ହେବା ପରେ ଭେରା ଜୁତୋଘର ସେହି ମେଜରକୁ ପୁନର୍ବିବାହ କଲା । ସେ ଆଉ ଜଣେ ସାଧାରଣ ସୈନିକର ସହଧର୍ମିଣୀ ନୁହେଁ । ଜଣେ ଅଫିସରର ସ୍ତ୍ରୀ ଏବଂ ସେ ଏଣିକି ଜିମଖାନାରେ ଯୋଗ ଦେଇ ପାରିବ । ଜୋସେଲିନ୍‌ ପାର୍ବତ୍ୟାଞ୍ଚଳର ଏକ ସ୍କୁଲରେ ଯୋଗ ଦେଲା-। ତାର କଥା ସମସ୍ତଙ୍କଠାରୁ ଗୁପ୍ତ ରଖାଗଲା ।

 

ସେତେବେଳକୁ ଜ୍ୟାକ୍‌ ଜେଲରେ । ଇତିମଧ୍ୟରେ ଚାରି ବର୍ଷ ମଧ୍ୟରୁ ଦୁଇ ବର୍ଷ ଜେଲରେ କଟିଗଲାଣି । ତା ବ୍ୟବହାରରେ ଜେଲ୍‌ କତ୍ତୃପକ୍ଷ ଖୁବ୍‌ ସନ୍ତୁଷ୍ଟ ଏବଂ ତାକୁ ସର୍ବାଧିକ ମାଫି ଦେବା ବିଷୟ ତା ଟିକେଟରୁ ଜଣାପଡ଼ୁଥାଏ । ତଥାପି ଜେଲରେ ଆହୁରି ଦେଢ଼ବର୍ଷ ତାକୁ କଟାଇବାକୁ ପଡ଼ିବ । ସୈନ୍ୟ ବାହିନୀରୁ ସେ ଚାକିରୀ ହରାଇଛି । ସୈନ୍ୟବାହିନୀରେ ଥିଲେ ସେ ତିନୋଟି ‘ଷ୍ଟ୍ରାଇପ୍‌’ (ସୈନ୍ୟମାନଙ୍କର ପଦୋନ୍ନତି ବେଳେ ସାର୍ଟ ହାତରେ ଯେଉଁ ପଟି ଦିଆଯାଏ)ର ଅଧିକାରୀ ହୋଇଥାନ୍ତା ଏବଂ ମାସିକ ଛ ଶହ ଟଙ୍କା ପାଉଥାନ୍ତା । ଜେଲକୁ ଆସିବା ଫଳରେ ପେନ୍‌ସନ ପାଇବାରୁ ସେ ବଞ୍ଚିତ ହେବ ଏବଂ ଖଲାସ ହେଲା ପରେ କେଉଁଠି ଚାକିରୀ କରିବ ତାହା ଏକ ସମସ୍ୟା । ବୋଧହୁଏ କୌଣସି ଭାରତୀୟ ବୀମା କମ୍ପାନୀ ୟୁରୋପୀୟ ବ୍ୟକ୍ତିମାନଙ୍କ ଠାରୁ ବ୍ୟବସାୟ ପାଇବା ଆଶାରେ ହୁଏତ ତାକୁ ମାସିକ ୫୦ ଟଙ୍କାରେ କିଛି ଗୋଟାଏ ଚାକିରୀ ଦେଇ ପାରନ୍ତି; କିନ୍ତୁ ୟୁରୋପୀୟ ଲୋକମାନଙ୍କ ଉପରେ ତାର କୌଣସି ପ୍ରଭାବ ନାହିଁ ବୋଲି ଯେତେବେଳେ ଜଣାପଡ଼ିଯିବ ତାକୁ କେହି ଆଉ ପଚାରିବେ ନାହିଁ । ଏହାଛଡ଼ା ସେ କାହିଁକି ଜେଲ ଭୋଗିଛି ତାହା ପ୍ରଚାରିତ ହୋଇଯିବା ପରେ କୌଣସି ଲୋକ ତାକୁ ଆଉ ଘରେ ପୂରାଇବେ ନାହିଁ-। ବାପାମାନେ ତାର ଆସିବାଟାକୁ ବିରୋଧ କରିବେ ଓ ମା’ମାନେ ନିଜ ନିଜ ଝିଅ ଉପରେ ଦୃଷ୍ଟି ରଖିବେ । କେବଳ ଦକ୍ଷିଣ ଆମେରିକା ଯେଉଁଠିକି ଲୋକେ ନିଜର ବ୍ୟକ୍ତିଗତ ଇତିହାସକୁ ଭିନ୍ନଭାବେ କହିଥାନ୍ତି, ତା ପାଇଁ ଉପଯୁକ୍ତ ସ୍ଥାନବୋଲି ଜ୍ୟାକ୍‌କୁ ଜଳଜଳ ହୋଇ ଦିଶୁଥିଲା ।

 

ଯୁଦ୍ଧ ଆରମ୍ଭ ହେଲା ଏବଂ ସମୟକ୍ରମେ ଏହାର ଘନଘଟା ମଧ୍ୟ ବୃଦ୍ଧି ପାଇଗଲା । ଭାରତ ସରକାର ଯୁଦ୍ଧପାଇଁ ସବୁ ସକ୍ଷମ ଲୋକଙ୍କୁ ନେବାପାଇଁ ଉଦ୍ୟମ କରୁଥାନ୍ତି । ଜେଲରୁ ସୈନ୍ୟବାହିନୀର ଲେବର କୋର ପାଇଁ ଲୋକ ନିଆଯାଉଥାନ୍ତି । ଜ୍ୟାକ୍‌ ଏଥିପାଇଁ ନିଜର ନାଁ ଦେଲା । ସମ୍ପୃକ୍ତ କର୍ତ୍ତୁପକ୍ଷ ଆସି ତାକୁ ଦେଖିଲେ ଏବଂ ବନ୍ଧୁକ ଚଳାଇବା ପାଇଁ ସେ ବେଶ୍‌ ସକ୍ଷମ ଥିବା ସେମାନେ ହୃଦୟଙ୍ଗମ କଲେ । ବର୍ମା ଓ ମଧ୍ୟପ୍ରାଚ୍ୟପାଇଁ ସେମାନେ ଯେଭଳି ଲୋକ ଖୋଜୁଥିଲେ ଜ୍ୟାକ୍‌ ଠିକ୍‌ ସେହିଭଳି ଏକ ବ୍ୟକ୍ତି ଥିଲା ।

 

କିନ୍ତୁ ସବୁସୈନ୍ୟଙ୍କୁ କେବଳ ସେମାନଙ୍କ ଯୋଗ୍ୟତା ଦେଖି ନିଯୁକ୍ତି କରାଯାଏ ନାହିଁ । ଏଥିରେ ହେଡ଼ କ୍ଲର୍କ ମହାଶୟେ ମଧ୍ୟ କିଛି କରାମତି ଦେଖାନ୍ତି । କୌଣସି କୌଣସି ବ୍ୟକ୍ତିଙ୍କ ବିଷୟରେ ନୋଟ ଦେଇ ଫାଇଲ ଦାଖଲ କଲାବେଳେ ସେ ଚାବି ମୋଡ଼ି ଦିଅନ୍ତି । ବଡ଼ ସାହେବ ହେଡ଼ କ୍ଲର୍କଙ୍କ ମତକୁ ପରୀକ୍ଷା କରି ଦେଖିବାକୁ ସମୟ ପାଆନ୍ତି ନାହିଁ । ତେଣୁ ହେଡ଼ କ୍ଲର୍କ ଯାହା ଲେଖିଦିଅନ୍ତି ତାକୁ ସିଏ ଗ୍ରହଣ କରିନିଅନ୍ତି । ଏହିଭଳି ପରିସ୍ଥିତି ପାଇଁ ଜ୍ୟାକ୍‌ ଯୁଦ୍ଧ ବେଳେ ମଧ୍ୟ ଜେଲରେ ରହିଗଲା । ଯଦିଓ ପୂର୍ବରୁ ଠକେଇ ଅଭିଯୋଗରେ ଜେଲ ଭୋଗୁଥିବା କେତେକ ବନ୍ଦୀ ସୈନ୍ୟବାହିନୀରେ ଭର୍ତ୍ତି ହୋଇଗଲେ ।

 

ଏହାପରେ ଏକ ଆକସ୍ମିକ ଘଟଣା ଘଟିଗଲା । ଜୋସେଲିନ ଏକଦା ତାର ଜଣେ ସାଙ୍ଗକୁ ପ୍ରକୃତ ସତକଥା କହିଦେଲା । ତାର ମା କିପରି ନିଜ ସୁବିଧା ପାଇଁ ଜ୍ୟାକ୍‌ ବିରୁଦ୍ଧରେ ଅଭିଯୋଗ ଆଗତ କରିଥିଲା ତାହା ପ୍ରକାଶ ପାଇଗଲା ।

 

ମୋ ମା ମତେ ଧମକ ଦେଇ କହିଲା ମିଛ କହିବା ପାଇଁ । ଏହା ନ କହିଥିଲେ ସେ ମୋତେ ପିଟିଥାନ୍ତା । ଏ କଥା କଣ ବାପା ଜାଣି ପାରିଲେ ନାହିଁ ।

 

ନାଁ; କାରଣ ମା ମତେ ବାଡ଼େଇବାର ଅବକାଶ ସୃଷ୍ଟି ହୋଇ ନଥିଲା । ମା କଥାନୁଯାୟୀ କାମ କରିବାକୁ ମୁଁ ଶପଥକଲି । ବାପା ରାତିରେ ବହୁ ଡେରିରେ ମଦଖାଇ ଘରକୁ ଫେରୁଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା କିଛି କଷ୍ଟକର ହେଲା ନାହିଁ । ମୁଁ ଯାହା କହିଲି ତାକୁ ବିଚାରପତି ପୂରାରୂରି ବିଶ୍ଵାସ କରିଗଲେ ।

 

ଜୋସେଲିନ୍‌ର ଏକଥା ଅତି ଗୁପ୍ତରେ ପ୍ରଧାନ ଶିକ୍ଷୟତ୍ରୀ, ସ୍କୁଲ କମିଟି, ବିଶପ ଏବଂ ପରେ ଜେଲର ବେସରକାରୀ ପରିଦର୍ଶକଙ୍କ କାନକୁ ଗଲା । ଏଇକଥା ପ୍ରଘଟ ହେବାପରେ ଜ୍ୟାକ୍‌ ମୁକ୍ତିପାଇଲା ଏବଂ ସେ ମଧ୍ୟପ୍ରାଚ୍ୟ ପାଇଁ ଯାଉଥିବା ଲେବର ବାଟାଲିଆନରେ ଯୋଗଦେଲା ।

 

ପ୍ରତି ରବିବାର ଦିନ ଚର୍ଚ୍ଚକୁ ଓଳାଇ ସଫା କରୁଥିବା ଓ କ୍ରୁଶ୍‌ଟିକୁ ମାଜି ମାଜି ସୁନାଭଳି ଚକ୍‌ଚକ୍‌ କରୁଥିବା ଜ୍ୟାକ୍‌ର ଏହା ହେଲା ଇତିବୃତ୍ତି । ଜ୍ୟାକ୍‌ ରଖିଥିବା ବାଇବେଲଟି ଦେଖୁଥିବା ବେଳେ ଆଉ ଗୋଟିଏ ପରିଚ୍ଛେଦ ମଧ୍ୟ ମୋର ଦୃଷ୍ଟି ଆକର୍ଷଣ କରିଥିଲା । ପୂର୍ବରୁ ତାହା କହିବାକୁ ମୁଁ ଭୁଲି ଯାଇଛି । ତାହା ହେଉଛି—

 

ଏବଂ ସେଇଥିପାଇଁ ଈଶ୍ୱର ପରବର୍ତ୍ତୀ କାଳରେ ଜବ୍‌କୁ ଆଶୀର୍ବାଦ କଲେ ଏବଂ ଈଶ୍ୱରଙ୍କ କୃପାବଳରୁ ସେ ଚଉଦ ହଜାର ଛେଳି ଓ ଛଅ ହଜାର ଓଟଙ୍କର ଅଧିକାରୀ ହେଲା....ଏହାଛଡ଼ା ତାର ସାତ ପୁଅ ଓ ତିନି ଝିଅ ଥିଲେ । ତାର ଝିଅମାନଙ୍କ ପରି ସୁନ୍ଦରୀ ଯୁବତୀ ସେ ଖଣ୍ଡମଣ୍ଡଳରେ କେଉଁଠି ନ ଥିଲେ । ଏହାପରେ ଜବ୍‌ ଆଉ ୧୪୦ ବର୍ଷ ବଞ୍ଚିଲା ।

 

ମଧ୍ୟପ୍ରାଚ୍ୟରେ ଜ୍ୟାକ୍‌ର କଣ ହେଲା ତାହାର ଖବର ମୁଁ ଆଉ ରଖିନାହିଁ ।

Image

 

ବାଲ୍ୟ ପତ୍ନୀ

 

ଭାରତରେ ବାଲ୍ୟ ବିଧବା ଓ ବାଲ୍ୟପତ୍ନୀମାନଙ୍କ ସମସ୍ୟା ସମ୍ପର୍କରେ ମିସ୍‌ ମାୟୋ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ବହୁ ପୂର୍ବରୁ ଫୁଲମଣି ନାମକ ଜଣେ ଓଡ଼ିଆ କାୟସ୍ଥ ବାଳିକାର ମୃତ୍ୟୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସେତେବେଳେ ବିବାହ ପାଇଁ ସମ୍ମତି ଦେବାର ବୟସ ମାତ୍ର ଦଶ ବର୍ଷକୁ ଧାର୍ଯ୍ୟ କରାଯାଇଥିଲା ଏବଂ ବାଲ୍ୟବିବାହ ପ୍ରତିରୋଧ କରିବା ପାଇଁ ସେଭଳି କିଛି ଆଇନ୍‌ ନ ଥିଲା ।

 

ଏଭଳି ସାମାଜିକ ପରିସ୍ଥିତିରେ ଫୁଲମଣିର ମା ତାକୁ ହରିମୋହନ ମାଇତି ନାମକ ଜଣେ ଯୁବକ ସହିତ ବିବାହ ଦେଇଥିଲା । ଏହା ଘଟିଥିଲା ୧୮୯୦ ମସିହା ମେ ୧୧ ତାରିଖ ଦିନ-। ସେତେବେଳକୁ ଫୁଲମଣିର ବୟସ ମାତ୍ର ୧୧ ବର୍ଷ ୩ ମାସ । ହରମୋହନର ବୟସ ତା ଠାରୁ ଦୁଇଗୁଣ ବେଶି । ସେ ଦେଖିବାକୁ ବେଶ ସୁନ୍ଦର ଓ ସ୍ୱାସ୍ଥ୍ୟବାନ୍‌ ଏବଂ ତାର ଯୌବନ ପରିପୂର୍ଣ୍ଣ ଥିଲା । ସେମାନଙ୍କ ବୈବାହିକ ଜୀବନ ବେଶି ଦିନ ଗଲାନାହିଁ କି ସୁଖରେ କଟିଲା ନାହିଁ । ସେ ବିବାହ ପରେ ନିଜ ସ୍ୱାମୀ ଘରକୁ କେତେଥର ଯାଇଥିଲା କିନ୍ତୁ ତାର ଏଇ ଶ୍ଵଶୁରାଳୟ ଗମନ ସମ୍ପର୍କରେ ବେଶି କିଛି ବାହାରକୁ ଜଣାଯାଇ ନାହିଁ । ବିବାହର ମାତ୍ର ମାସକ ପରେ ଜୁନ୍‌୧୫ ତାରିଖ ଦିନ ହରମୋହନ ନିଜ ସ୍ତ୍ରୀ ଉପରେ ନିଜର ଯୌନ ଅଧିକାର ସାବ୍ୟସ୍ତ କରିବା ଫଳରେ ଫୁଲମଣି ସାଂଘାତିକ ଭାବେ ଆହତ ହୋଇ ପରଦିନ ମୃତ୍ୟୁ ବରଣ କଲା । କୌଣସି ଚିକିତ୍ସା ତାକୁ ବଞ୍ଚାଇ ପାରିଲା ନାହିଁ ।

 

ଫୁଲମଣିର ବୟସ ଅତି ଅଳ୍ପ ହୋଇଥିବାରୁ ହରିମୋହନ ତାର ବାଲ୍ୟପତ୍ନୀର ମୃତ୍ୟୁ ପାଇଁ ଦାୟୀ ବୋଲି ଅଭିଯୁକ୍ତ ହେଲା । ଛ ଜଣ ହିନ୍ଦୁ, ଦୁଇଜଣ ୟୁରୋପୀୟ ଓ ଜଣେ ମୁସଲମାନଙ୍କୁ ନେଇ ଗଠିତ ଜୁରିମଣ୍ଡଳୀ ଏହି ମକଦ୍ଦମାର ବିଚାର କଲେ । କଲିକତା ହାଇକୋର୍ଟ ଅଧୀନସ୍ଥ ତୃତୀୟ କ୍ରିମିନାଲ ସେସନ୍‌ସ କୋର୍ଟରେ ୧୮୯୦ ମସିହାରେ ଏହି ଶୁଣାଣି ହୋଇଥିଲା-

 

ଆସାମୀ ବିରୁଦ୍ଧରେ ଆଗତ ଅଭିଯୋଗଗୁଡ଼ିକ ହେଲା—

 

(କ)

ପିଙ୍ଗଳ କୋର୍ଡ଼ର ୩୦୪-କ ଧାରା ଅନୁଯାୟୀ ନିନ୍ଦନୀୟ ଭାବେ ଅନ୍ୟର ଜୀବନ ନାଶ କରିବା (କିନ୍ତୁ ଏହା ହତ୍ୟାକାଣ୍ଡ ନୁହେଁ)

 

 

(ଖ)

ଏହି ଧାରା ଅନୁଯାୟୀ ନିର୍ମମ ଓ ବେଖାତିର କାମ କରିବା ଯୋଗୁଁ ଅନ୍ୟର ମୃତ୍ୟୁ ଘଟାଇବା

 

 

(ଗ)

ସ୍ୱତଃ ପ୍ରବୃତ୍ତଭାବେ ଅନ୍ୟକୁ ଗୁରୁତର ଭାବେ ଆହତ କରିବା (୩୨୫) ଧାରା ଏବଂ

 

 

(ଘ)

ଅବିବେକୀ ଓ ବେଖାତିର ଭାବେ କାମ କରି ଅନ୍ୟକୁ ଗୁରୁତର ଭାବେ ଆହତ କରିବା ଫଳରେ ତାର ଜୀବନ ବିପନ୍ନ ହେବା (୩୩୮ ଧାରା)

 

ଅଭିଯୋଜନାରେ ନିମ୍ନଲିଖିତ ମତେ ସାକ୍ଷ୍ୟ ପ୍ରମାଣ ଦିଆଯାଇଥିଲା ।

 

ମୃତା ବାଳିକାର ମା ଯାହା ଘରେ ଏହିସବୁ କାଣ୍ଡ ହୋଇଥିଲା । ସେ ନିଜର ସାକ୍ଷ୍ୟ ଦେଇ କହିଲା ଯେ, ମୃତା ବାଳିକା ଓଡ଼ିଆ କାୟସ୍ଥ ଘରର ପିଲା ଏବଂ ତାଙ୍କ ଜାତିରେ ପତ୍ନୀ ଋତୁବତୀ ହେବା ପୂର୍ବରୁ ସ୍ଵାମୀ ତା ସହିତ ସହବାସ କରିବା ନିଷିଦ୍ଧ । ସେ କହିଲା ଯେ, ବିବାହ ବେଳକୁ ଏବଂ ଏ ଘଟଣା ଘଟିବା ବେଳକୁ ତାର ଝିଅ ଋତୁମତୀ ହୋଇ ନଥିଲା । ବିବାହ ପରେ ତାର ଝିଅ ଆସାମୀ ଘରକୁ ଯାଇଥିଲା ଏବଂ ସେଠାରେ ସାତଦିନ ରହିବା ପରେ ପରମ୍ପରା ଅନୁଯାୟୀ ବାପଘରକୁ ଫେରି ଆସିଥିଲା । ଅନ୍ୟ ଏକ ଅବକାଶରେ ମଧ୍ୟ ଫୁଲମଣି ସ୍ଵାମୀ ଘରକୁ ସକାଳେ ଯାଇ ସନ୍ଧ୍ୟାରେ ବାପ ଘରକୁ ଫେରି ଆସିଥିଲା । ଏହି ଘଟଣା ଘଟିବାର ପୂର୍ବଦିନ ଆସାମୀ ନିଜର ଶ୍ଵଶୁର ଘରକୁ ତିନିଦିନ ପାଇଁ ଯାଇଥିଲା ଏବଂ ତଳମହଲାରେ ଥିବା ବୈଠକଖାନା ବାହାରେ ଏକ ଘରେ ଶୋଉଥିଲା । ମୃତ ଫୁଲମଣି ତା ନିଜ ରୁମରେ ଜୁନ୍‌ ୧୫ ତାରିଖ ରାତି ୧୧ଟା ବେଳେ ଶୋଇଥିଲା । ଘର ପିଣ୍ଡାରେ ତାର ଅନ୍ୟ ଦୁଇଜଣ ସାନ ଭଉଣୀ ଶୋଇଥିଲେ ଏବଂ ତା ରୁମକୁ ଲାଗିଥିବା ଅନ୍ୟ ଏକ ରୁମରେ ଆସାମୀ ଶୋଇଥିଲା । ପ୍ରାୟ ଅଧ ରାତି ବେଳକୁ ସେ ନିଜ ଝିଅର ଚିତ୍କାର ଶୁଣି ଉଠିଗଲା ଏବଂ ଯାଇ ଦେଖିଲା ବେଳକୁ ତା ଝିଅ ଆସାମୀର ଶେଯ ଉପରେ ଶୋଇଛି ଓ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଛି । ଘରର ଅନ୍ୟ ମହିଳାମାନେ ପାଟି ତୁଣ୍ଡରେ ଉଠିବା ପରେ ଝିଅର ଗୋସାଁଇମା ଘଟଣା ସ୍ଥଳକୁ ଆସି ଆସାମୀକୁ ତାର କାର୍ଯ୍ୟପାଇଁ ଭର୍ତ୍ସନା କରିଥିଲା ଏବଂ ଆସାମୀ ନିରୁତ୍ତର ହୋଇ ଠିଆ ହୋଇଥିଲା । ମୃତା ଫୁଲମଣି ତା ମାକୁ ଦେଖିବା ପରେ କେବଳ ପାଣି ମାଗିବା ଛଡ଼ା ଆଉ କିଛି କହି ନଥିଲା ଏବଂ ପରେ ଡାକ୍ତରଙ୍କୁ ଡକାଗଲା । ଡାକ୍ତର ସକାଳେ ଆସି ରୋଗୀ ପାଖରେ ପହଞ୍ଚିଲେ କିନ୍ତୁ ରୋଗୀର କୌଣସି ଆଭ୍ୟନ୍ତରୀଣ ପରୀକ୍ଷା କଲେ ନାହିଁ । ସେଦିନ ମଧ୍ୟାହ୍ନ ପ୍ରାୟ ଦୁଇଟା ବେଳେ ଫୁଲମଣିର ମୃତ୍ୟୁ ହେଲା । ଏହି ସାକ୍ଷ୍ୟ ପ୍ରମାଣକୁ ଘରେ ଥିବା ଅନ୍ୟାନ୍ୟ ବ୍ୟକ୍ତି ତଥା ଫୁଲମଣିର ଆତ୍ମୀୟସ୍ୱଜନମାନେ ଅନୁମୋଦନ କଲେ । ଫୁଲମଣିର ବୟସ ତାର ମା ପ୍ରାମାଣିତ କଲା ଏବଂ ଥାନାରେ ଥିବା ରେଜିଷ୍ଟରରୁ ମଧ୍ୟ ବୟସ ସମ୍ପର୍କରେ ପ୍ରମାଣ ମିଳିଲା । ଫୁଲମଣିର ବାପା ୧୮୭୯ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ମାର୍ଚ୍ଚ ୨ ତାରିଖରେ ନିଜର ଏକ ଝିଅ ହୋଇଥିବା ଥାନା ରେଜିଷ୍ଟରରେ ଉଲ୍ଲେଖ କରିଥିଲେ । ଏହି ଘଟଣାର ଚାରି ବର୍ଷ ପୂର୍ବରୁ ବାପା ମରିଯାଇ ଥିବାରୁ ଥାନା ରେଜିଷ୍ଟରରେ ଉଲ୍ଲିଖିତ କନ୍ୟା ଫୁଲମଣି ବୋଲି ତାର ମା ଓ ଅନ୍ୟ ଆତ୍ମୀୟମାନେ ପ୍ରମାଣ ଦେଲେ ।

 

ଏ ଘଟଣାରେ ଚାରିଜଣ ଡାକ୍ତରଙ୍କ ବିଶେଷଜ୍ଞ ମତ ନିଆଯାଇ ଥିଲା । ଏମାନଙ୍କ ଭିତରେ ଥିଲେ ଡାକ୍ତର ଅନ୍ନଦା ପ୍ରସାଦ ଦାସ ଯିଏକି ଜୁନ୍‌ ୧୬ ତାରିଖ ସକାଳେ ଫୁଲମଣିକୁ ଦେଖିବାକୁ ଯାଇଥିଲେ, ଡାକ୍ତର କବ୍‌, ପୋଲିସ୍‌ ସର୍ଜନ ଯିଏ କି ଶବ ବ୍ୟବଚ୍ଛେଦ କରିଥିଲେ ଏବଂ ଡାକ୍ତର ମାକ୍‌ଲେ ଓଡ ଓ ଡାକ୍ତର ଜୁବର୍ଟ ଯିଏ କି ବିଶେଷଜ୍ଞ ମତ ଦେବାପାଇଁ ସାକ୍ଷ୍ୟ ପ୍ରମାଣ ଗ୍ରହଣ ବେଳେ ଅଦାଲତରେ ଉପସ୍ଥିତ ଥିଲେ । ଡାକ୍ତର ଅନ୍ନଦା ପ୍ରସାଦ ରାୟ ନିମ୍ନମତେ ନିଜର ସାକ୍ଷ୍ୟ ଦେଇଥିଲେ ।

 

ମୁଁ ଜଣେ ଚିକିତ୍ସକ । ଜୁନ୍‌ ୧୬ ତାରିଖ ସକାଳେ ଫୁଲମଣିକୁ ଦେଖିବାପାଇଁ ମୋତେ ଡକାଗଲା । ମୁଁ ସକାଳ ୬ଟାରୁ ୭ଟା ଭିତରେ ସେଠାକୁ ଗଲି । ମତେ ଦୁଇଟା ବେଳେ ଖବର ଦିଆଯାଇଥିଲା । ମୁଁ ଫୁଲମଣିକୁ ଦେଖିଲା ବେଳେ ସେ ପ୍ରାୟ ମରିବା ଉପରେ । ତାର ନାଡ଼ି ମିଳୁ ନଥିଲା । ସେ ଘନଘନ ନିଃଶ୍ଵାସ ନେଉଥିଲା । ମୁଁ ବାହାରୁ ତାର ଜନନାଙ୍ଗ ପରୀକ୍ଷା କଲି । ଜନନାଙ୍ଗର ଦ୍ଵାରଦେଶରୁ ମୁଣ୍ଡା ମୁଣ୍ଡା ରକ୍ତ ବାହାରି ଶୁଖିଯାଇଥିଲା । ମୁଁ ଆଭ୍ୟନ୍ତରୀଣ ପରୀକ୍ଷା କରିଥିଲେ ଏହି ମୁଣ୍ଡା ରକ୍ତ ସେଠାରୁ ପୋଛି ହୋଇଯାଇଥାନ୍ତା ଏବଂ ସେତେବେଳେ ଏହି ପରୀକ୍ଷା ଅତି ଜରୁରୀ ବୋଲି ମୁଁ ମନେକଲି ନାହିଁ । ଚିକିତ୍ସା ନିମନ୍ତେ ମୁଁ ଔଷଧ ଲେଖିଦେଲି । ସେତେବେଳେ ଆସାମୀ ସେଠାରେ ନଥିଲା । ମୁଁ ପୁନରାୟ ଫୁଲମଣିକୁ ଦେଖି ନାହିଁ । ଅପରାହ୍ନ ପ୍ରାୟ ତିନିଟା ବେଳେ ଆସାମୀ ପାଖକୁ ଆସି ଫୁଲମଣି ମରିଗଲା ବୋଲି କହିଲା । ମୁଁ ତା ସହିତ କିଛି କଥାବାର୍ତ୍ତା କରିନାହିଁ । ମୁଁ କେବଳ ତାକୁ ପଚାରିଥିଲି ଏହି ଦୁର୍ଘଟଣା କିପରି ଘଟିଲା ? ସହବାସ ଫଳରେ ଘଟିଲା ବୋଲି ସେ କହିଥିଲା । ମୋ ବିଚାରରେ ଝିଅଟିକୁ ୧୧, ୧୨ ବର୍ଷ ହୋଇଥିଲା । ପୋଲିସ ସର୍ଜନ ଡାକ୍ତର କବ୍‌ ତାଙ୍କର ଯୋଗ୍ୟତା ଆଦି କହିସାରିବା ପରେ ଜୁନ୍‌ ୧୭ ତାରିଖ ଦିନ ସେ ଫୁଲମଣିର ଶବ ବ୍ୟବଚ୍ଛେଦ କରିଥିବା କହିଥିଲେ ।

 

ମୁଁ ସେତେବେଳେ ଯାହା ଟିପିଥିଲି ତାହା ଏବେ ଦେଖୁଛି । ମୋ ମତରେ ତାର ବୟସ ୧୧ ରୁ ୧୨ ବର୍ଷ ଭିତରେ ହେବ । ଶରୀରର ଗଠନ ଉତ୍ତମ । ମୋ ମତରେ ସେ ଋତୁମତୀ ହୋଇ ନଥିଲା । ମୁଁ ଶବ ବ୍ୟବଚ୍ଛେଦରୁ ଯାହା ଜାଣିଲି ତାର ଜନନାଙ୍ଗ ଛିଣ୍ଡିଯିବା ଫଳରେ ହୋଇଥିବା କ୍ଷତ ହିଁ ତା ମୃତ୍ୟୁର କାରଣ । କୌଣସି ପରିପୂର୍ଣ୍ଣ ଯୁବକ ସେହିଭଳି ଝିଅ ସହ ଯୌନ ସମ୍ପର୍କ ସ୍ଥାପନ କଲେ ହିଁ ଜନନାଙ୍ଗ ସେଭଳି ଛିଣ୍ଡି ଯିବାର ଆଶଙ୍କା ଥାଏ । ଫୁଲମଣି କ୍ଷେତ୍ରରେ ତାହାହିଁ ହୋଇଛି ବୋଲି ମୋର ମତ ।

 

ଜେରାର ଉତ୍ତର ଦେଇ ସାକ୍ଷୀ କହିଲେ ଯେ, ଫୁଲମଣିର ଛାତି କ୍ରମେ ଉଚ୍ଚା ହୋଇ ଆସୁଥିଲା, କିନ୍ତୁ ଛାତି ଉଚ୍ଚା ହୋଇ ଆସିବାଟା ଋତୁମତୀ ହେବାର ପୂର୍ବ ଲକ୍ଷଣ ନୁହେଁ । ମୋ ମତରେ ପୂର୍ବରୁ ଫୁଲମଣି ବହୁଥର ରତିକ୍ରୀଡ଼ା କରିଛି ଏବଂ ଘଟଣା ଦିନ ତା ଉପରେ ଅତ୍ୟଧିକ ବଳ ପ୍ରୟୋଗ କରାଯାଇ ନାହିଁ ।

 

ପ୍ରଶ୍ନ—ଯଦି ଆପଣଙ୍କ ମତରେ ଆସାମୀ ପୂର୍ବରୁ ବହୁ ଥର ସେହି ଝିଅ ସହ ସହବାସ କରିଛି ଏବଂ ତାର ପରିଣତି ଖରାପ ହୋଇନାହିଁ ତେବେ ଘଟଣା ଦିନ ସହବାସ କଲା ବେଳେ ଜନନାଙ୍ଗ କ୍ଷତବିକ୍ଷତ ହୋଇଯିବ ବୋଲି ଆସାମୀ ଆଗରୁ ଜାଣିବାର କିଛି ଅବକାଶ ଥିଲା କି ?

 

ଉତ୍ତର—ନା

 

ଏହି ପ୍ରମାଣ ଲିପିବଦ୍ଧ କରାଯିବା ପରେ ବିଶେଷଜ୍ଞମାନଙ୍କ ମତ ନିଆଗଲା । ଡାକ୍ତର ମାକଲେଓଡ୍‌ ନିଜର ଯୋଗ୍ୟତାଦି କହିସାରିବା ପରେ ନିଜର ମତଦେଇ କହିଲେ ଯେ, ମୃତ୍ୟୁର କାରଣ ସମ୍ପର୍କରେ ଡାକ୍ତର କବ୍‍ ଯାହା କହିଛନ୍ତି ସେଥି ସହିତ ମୁଁ ସମ୍ପୂର୍ଣ୍ଣ ଏକମତ । ଡାକ୍ତର କବ୍‌ ଯେଉଁ ବର୍ଣ୍ଣନା ଦେଲେ ସେଥିରୁ ଜଣେ ପ୍ରାପ୍ତବୟସ୍କ ଯୁବକ ଜଣେ ଅପ୍ରାପ୍ତ ବୟସ୍କା ବାଳିକା ସହ ସହବାସ କରିବା ଯୋଗୁ ବାଳିକାର ମୃତ୍ୟୁ ହେଲା ବୋଲି ମୁଁ ସିଦ୍ଧାନ୍ତ କରୁଛି । ଏହି ସହବାସ ଫଳରେ ବାହିକ କିମ୍ବା ଆଭ୍ୟନ୍ତରୀଣ ଅଥବା ଉଭୟ ପ୍ରକାର କ୍ଷତ ହୋଇପାରେ । ବାଳିକାଟି ଋତୁମତୀ ହୋଇ ନଥିଲା ବୋଲି ଡାକ୍ତର କବ୍‌ ଯାହା କହିଛନ୍ତି ସେଥିସହ ମୁଁ ଏକମତ । ସେ ସହବାସ ପାଇଁ ଅନୁପଯୁକ୍ତ ଥିଲା । ଏ ବିଷୟରେ ମୋର କୌଣସି ସନ୍ଦେହ ନାହିଁ ।

 

ଡାକ୍ତର ଜୁବର୍ଟ ମଧ୍ୟ ଅନୁରୂପ ମତ ଦେଲେ । ‘‘ମୋର ଚିକିତ୍ସା ବୃତ୍ତିରେ ୨୬ ବର୍ଷର ଅଭିଜ୍ଞତା ଅଛି । ତାହା ମଧ୍ୟରୁ ୧୮ବର୍ଷ କେବଳ ଭାରତରେ ହିଁ କଟିଛି । ମୁଁ ମହିଳାମାନଙ୍କ ରୋଗ ବିଷୟରେ ସ୍ଵତନ୍ତ୍ରଭାବେ ଅଧ୍ୟୟନ କରିଛି । ମୁଁ ପ୍ରସୂତି ଓ ସ୍ତ୍ରୀରୋଗ ସମାଜର ଜନୈକ ସଦସ୍ୟ । ଯେଉଁ ସାକ୍ଷ୍ୟ ପ୍ରମାଣାଦି ଦିଆ ଗଲା ମୁଁ ଶୁଣିଛି । ମୋ ମତରେ ମୃତ ବାଳିକା ଅପ୍ରାପ୍ତବୟସ୍କା ଥିଲା ଏ ସମ୍ପର୍କରେ ମୋର ତିଳେ ହେଲେ ସନ୍ଦେହ ନାହିଁ । ଡାକ୍ତର କବ୍‌ ଯେଉଁ ସବୁ ଚିହ୍ନର ବର୍ଣ୍ଣନା ଦେଇଛନ୍ତି ସେଥିରୁ କେବଳ ତା ସ୍ତନ ଦ୍ଵୟର କ୍ରମବିକାଶ ଆରମ୍ଭ ହୋଇଥିବା ଛଡ଼ା ଋତୁମତୀ ହେବାର କୌଣସି ଲକ୍ଷଣ ଜଣା ଯାଉନାହିଁ । ଋତୁମତୀ ହେବା ଏକ ଆକସ୍ମିକ ପ୍ରକ୍ରିୟା ନୁହେଁ ଏହି ପ୍ରକ୍ରିୟା ମାସ ମାସ ବର୍ଷ ବର୍ଷ ଧରି ଚାଲିଥାଏ ।

 

ଜୋରାର ଉତ୍ତରରେ ସେ କହିଲେ, ଜଣେ ଅପ୍ରାପ୍ତ ବୟସ୍କ ବାଳିକା ସହ ରତିକ୍ରୀଡ଼ା କରିବାଦ୍ୱାର ସମ୍ପୃକ୍ତ ବାଳିକାର ଅଧିକ କ୍ଷତି ହେବ ବୋଲି ଏ କ୍ଷେତ୍ରରେ ଯୁବକ ଜଣକ ଜାଣି ନଥାଇ ପାରେ । ଜଣେ ପ୍ରାପ୍ତ ବୟସ୍କ ଯୁବତୀ ସହ ଜଣେ ପ୍ରାପ୍ତ ବୟସ୍କ ଯୁବକର ସହବାସ ଫଳରେ ଯୁବତୀର ଜନନାଙ୍ଗ କ୍ଷତ ବିକ୍ଷତ ହୋଇଥିବାର କୌଣସି ନଜିର ଚିକିତ୍ସା କାଳ ଭିତରେ ମୁଁ ପାଇନାହିଁ; କିନ୍ତୁ ଏଭଳି କେତେକ ଘଟଣାର ରେକର୍ଡ଼ ଅଛି ।

 

ଅଭିଯୋଜନାର ସାକ୍ଷ୍ୟ ଗ୍ରହଣ ଶେଷ ହେବାପରେ କୋର୍ଟର କେତେକ ପ୍ରଶ୍ନର ଉତ୍ତର ଦେଇ ଆସାମୀ ଏକ ଦୀର୍ଘ ବିବୃତି ଦେଇଥିଲା । ସେ କହିଲା ଯେ ପୂର୍ବରୁ ଅନେକ ଥର ସେ ତା ସ୍ତ୍ରୀ ସହିତ ରତିକ୍ରୀଡ଼ା କରିଛି । ଜୁନ୍‌ ୧୫ ତାରିଖ ରାତିରେ ସେ ଏକୁଟିଆ ଶୋଇଥିଲା ଏବଂ ଭୋର ତିନିଟା ବେଳେ ଉଠିଲା ତା ସ୍ତ୍ରୀ ତା ନିକଟରେ ଶୋଇଥିବା ଓ ତାର ରକ୍ତରେ ଶେଯ ଓଦା ହୋଇ ଯାଇଥିବା ଦେଖିଲା । ସେତେବେଳେ ସ୍ୱାଭାବିକ ପ୍ରକ୍ରିୟାରେ ଫୁଲମଣିର ରକ୍ତସ୍ରାବ ହୋଇଥିବା ଏବଂ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିବା ଭାବିଥିଲା । ତାର ଆତ୍ମପକ୍ଷ ସମର୍ଥନ ପାଇଁ ଅଧିକ ପ୍ରମାଣପତ୍ର ଆଦି ମାରିବାର ଆବଶ୍ୟକତା ଉପୁଜି ନଥିଲା ।

 

ଶ୍ରୀ ପୁରା ଜୁରିମାନଙ୍କୁ ଅଭିଯୋଜନାର ବିବରଣୀ ପ୍ରଦାନ କରି କହିଲେ ଯେ ଆସାମୀ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଗତ କରଯାଇଛି ତାହା ପିଙ୍ଗଳ କୋର୍ଡ଼ରେ ପ୍ରଦତ୍ତ ସଂଜ୍ଞା ଅନୁଯାୟୀ ପାଶବିକ ଅତ୍ୟାଚାର ନୁହେଁ । ସ୍ତ୍ରୀର ବୟସ ଦଶ ବର୍ଷରୁ ଅଧିକ ହୋଇ ସାରି ଥିବା ଦୃଷ୍ଟିରୁ ଦଣ୍ଡବିଧି ଆଇନ୍‌ର ଅନ୍ୟ କୌଣସି ଧାରା ଅନୁଯାୟୀ ମଧ୍ୟ ଆସାମୀ ଅପରାଧୀ ନୁହେଁ । ସ୍ତ୍ରୀ ଋତୁମତୀ ହେବା ପୂର୍ବରୁ ସ୍ୱାମୀ ତା ସହିତ ସହବାସ କରିବା ହିନ୍ଦୁ ଓ ମୁସଲମାନ ଆଇନ ଅନୁଯାୟୀ ଦୋଷାବହ ଏବଂ ଇଂରେଜ ଆଇନରେ ଏଭଳି ଏକ ଅପରାଧ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ । ଯଦି ଚ ପିଙ୍ଗଳ କୋର୍ଡ଼ କାର୍ଯ୍ୟକାରୀ ହେବା ଦିନଠାରୁ ଏଭଳି କୌଣସି ଘଟଣା ଘଟିନାହିଁ ତଥାପି ନିଜାମତ ଅଦାଲତରେ ଏଭଳି କେତେକ ଘଟଣାର ବିଚାର ହୋଇଥିବା ଉଲ୍ଲେଖ ଅଛି ଏବଂ ନିଜାମତ ଅଦାଲତ ସେ କ୍ଷେତ୍ରରେ ଆସାମୀକୁ ଦଣ୍ଡ ଦେଇଛନ୍ତି । ଏ କ୍ଷେତ୍ରରେ ବିଚାରପତି ଚିଉରସ୍‌ ଓ ଟେଲରସ୍‌ଙ୍କ ମେଡ଼ିକାଲ ଜୁରିସ୍‌ ପ୍ରୁଡେନ୍‌ସର ଅବତାରଣା କରିଥିଲେ ଏବଂ ହରି ମୋହନ ମାଇତିକୁ ଭାରତୀୟ ଦଣ୍ଡବିଧି ଆଇନର ୩୦୪ ଓ ୩୨୫ ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ ।

 

ଆସାମୀ ପକ୍ଷରୁ ଲଢ଼ୁଥିବା ଓକିଲ ଶ୍ରୀ ଏମ୍‌. ଏଲ୍‌. ଦତ୍ତ ଯୁକ୍ତିକରି କହିଲେ ଯେ, ଜୁରିମାନେ ଆସାମୀକୁ ଦଣ୍ଡାଦେଶ ଦେବା ପୂର୍ବରୁ ଆସାମୀର ଅପରାଧଜ୍ଞାନ ଉଦ୍ଦେଶ୍ୟ ଓ ଅବିବେକିତା ପ୍ରମାଣିତ ହୋଇଛି କି ନାହିଁ ସେ ବିଷୟରେ ନିଜକୁ ସନ୍ତୁଷ୍ଟ କରିବା ଉଚିତ । ଅଭିଯୋଜନାରେ ଆସାମୀ କୌଣସି ଅପରାଧ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିଥିବା ଅଭିଯୋଗ କରାଯାଇ ନାହିଁ ଏବଂ ଉପସ୍ଥାପିତ ହୋଇଥିବା ସାକ୍ଷ୍ୟ ପ୍ରମାଣରୁ ଏ କାର୍ଯ୍ୟ କଲେ ସମ୍ପୃକ୍ତ ବାଳିକାର ମୃତ୍ୟୁ ହେବ ବୋଲି ଆସାମୀ ଜାଣି ନଥିବା ବା ତାର ଜ୍ଞାନ ନଥିବା ପ୍ରମାଣିତ ହୋଇଛି । ଏହାଛଡ଼ା ଏହି ଘଟଣା ପୂର୍ବରୁ । ବହୁଥର ଆସାମୀ ତା ସ୍ତ୍ରୀ ସହିତ ସହବାସ କରିଥିବା ମଧ୍ୟ ପ୍ରମାଣିତ ହୋଇଛି । ହିନ୍ଦୁ ଆଇନ୍‌, ମୁସଲମାନ ଆଇନ ବା ପ୍ରାକୃତିକ ଆଇନ ସହ ଏ ଘଟଣାର କୌଣସି ସମ୍ପର୍କ ନାହିଁ । ଆସାମୀ ପିଙ୍ଗଳ କୋର୍ଡ଼ ଅନୁଯାୟୀ କୌଣସି ଅପରାଧ କରିଛି କି ନାହିଁ ତାହାହିଁ କେବଳ ଜୁରିମାନେ ବିଚାର କରିବା କଥା ଏବଂ ସେମାନେ ଦଣ୍ଡ ଦେବା ପୂର୍ବରୁ ବିଚାରରେ ସନ୍ତୁଷ୍ଟ ହେବା ଉଚିତ । କୌଣସି ବ୍ୟକ୍ତି ତାର ଦଶ ବର୍ଷ ବୟସରୁ କମ୍‌ ବୟସ୍କ ସ୍ତ୍ରୀସହ ସହବାସ କଲେ ଏହାକୁ ଏକ ଅପରାଧ ରୂପେ ବିବେଚନା କରାଯିବ ଏବଂ ଏ ଘଟଣାରେ ବନ୍ଦୀ କୌଣସି ଅସତ୍‍ ଉଦ୍ଦେଶ୍ୟ ନେଇ ଜାଣିଶୁଣି ବେଖାତିର ଭାବେ କାର୍ଯ୍ୟ କରିଛି ବୋଲି ପ୍ରମାଣିତ ହୋଇ ନ ପାରିଲେ ତାକୁ ଦୋଷମୁକ୍ତ କରାଯିବା ଉଚିତ । ବନ୍ଦୀ ଯେଉଁ କାର୍ଯ୍ୟ କରିଛି ତାହା ଆଇନସିଦ୍ଧ ଏବଂ ବନ୍ଦୀକୁ ଦୋଷମୁକ୍ତ ଘୋଷାଣା କରିବା ପାଇଁ ପ୍ରକୃତରେ ତାର ଅବହେଳା ବା ଅବିବେକୀ ପଣିଆରୁ ଫୁଲମଣିର ମୃତ୍ୟୁ ହୋଇନାହିଁ ବରଂ ତାର ମୃତ୍ୟୁ ସମ୍ପୂର୍ଣ୍ଣ ଆକସ୍ମିକ ଓ ଏଥିପାଇଁ ବନ୍ଦୀ ଆଦୌ ଦାୟୀ ନୁହେଁ ବୋଲି ଜୁରିମାନଙ୍କର ହୃଦବୋଧ ହେବା ଉଚିତ୍‌ ।

 

ଜୁରି ମଣ୍ଡଳୀର ଅଧ୍ୟକ୍ଷତା କରୁଥିବା ବିଚାରପତି ଶ୍ରୀ ୱିଲସନ୍‌ ଜୁରିମାନଙ୍କୁ ସମ୍ୱୋଧନରକରି ସେମାନଙ୍କୁ ଦିଗଦର୍ଶନ ଦେବା ନିମନ୍ତେ ଆଇନ୍‌ କଣ କହୁଛି ତାହା ବର୍ଣ୍ଣନା କରିଥିଲେ ଏବଂ ଘଟଣାର ଅବତାରଣା କରି ସିଦ୍ଧାନ୍ତର ଭାର ଜୁରିମାନଙ୍କ ହାତରେ ଛାଡ଼ି ଦେଇଥିଲେ ।

 

‘‘ଆସାମୀ ବିରୁଦ୍ଧରେ ବହୁ କିସମର ଅଭିଯୋଗ ଆଗତ କରାଯାଇଛି କିନ୍ତୁ ସବୁଯାକ ଅଭିଯୋଗ ଗୋଟିଏ ଘଟଣାରୁ ସୃଷ୍ଟି । ଆପଣମାନେ ବିଚାର କରୁଥିବା ବିଷୟଟି ହେଉଛି ବନ୍ଦୀର ଧର୍ମପତ୍ନୀ ଫୁଲମଣିର ମୃତ୍ୟୁ । ତାର ମୃତ୍ୟୁ ଜୁନ୍‌ ୧୫ ତାରିଖ ଅପରାହ୍ନରେ ହୋଇଥିଲା ଏବଂ ତା ପୂର୍ବଦିନ ଆସାମୀ ତାକୁ କ୍ଷତବିକ୍ଷତ କରିଥିବାରୁ ତାର ମୃତ୍ୟୁ ହେଲା ବୋଲି କୁହାଯାଉଛି । ଆସାମୀର କାର୍ଯ୍ୟପାଇଁ ତା ସ୍ତ୍ରୀର ମୃତ୍ୟୁ ହେଲା ବା ଆହତ ହେଲା ବୋଲି ଅଭିଯୋଗ କରାଯାଇଛି-। ତା ବିରୁଦ୍ଧରେ ଆଗତ ଅଭିଯୋଗରେ ସେ ଅବିବେକୀଭାବେ ପରଜୀବନ ନାଶ କରିଛି (ହୋମିସାଇଡ଼ି) କିନ୍ତୁ ହତ୍ୟା କରି ନାହିଁ ବୋଲି କୁହାଯାଇଛି । ନିନ୍ଦନୀୟ ବା ଅବିବେକୀଭାବେ ପରଜୀବନ ନାଶ କରିବାର ଅର୍ଥ ହେଉଛି—

 

ଏହା ଏଭଳି ଏକ କାର୍ଯ୍ୟ ଯାହାକି ଅନ୍ୟ ମୃତ୍ୟୁ ଘଟାଇବା ଉଦ୍ଦେଶ୍ୟ ନେଇ କରାଯାଇଥାଏ ଅଥବା ଅନ୍ୟର ମୃତ୍ୟୁ ହେବ ବୋଲି ଜାଣିଶୁଣି ମଧ୍ୟ ଏହା କରାଯାଇଥାଏ । ଆଲୋଚ୍ୟ କ୍ଷେତ୍ରରେ ଆସାମୀ ମାରିବା ଉଦ୍ଦେଶ୍ୟରେ ଏ କାର୍ଯ୍ୟ କରିଥିବାର ପ୍ରମାଣ ନାହିଁ; ତେଣୁ ଆସାମୀ ତା ସ୍ତ୍ରୀର ମୃତ୍ୟୁ ହେବ ବୋଲି ଜାଣିଶୁଣି ମଧ୍ୟ ଏ କାର୍ଯ୍ୟ କରିଥିଲା ବୋଲି ଆପଣମାନେ କହିପାରନ୍ତି । ଆସାମୀ ବିରୁଦ୍ଧରେ ଆଗତ ଅନ୍ୟ ଏକ ଅଭିଯୋଗର ମୁଁ ଏବେ ଅବତାରଣା କରୁଛି-। ଏହା କ୍ରମାନ୍ୱୟରେ ଥିବାରୁ ମୁଁ କହୁନାହିଁ । ନୀତି ଦୃଷ୍ଟିରୁ ପ୍ରଥମ ଅଭିଯୋଗ ଭଳି ଏହା ଗୁରୁତର ହୋଇଥିବାରୁ ମୁଁ ତାହାର ଅବତାରଣା କରୁଛି । ଏହି ଅଭିଯୋଗ ଅନୁଯାୟୀ ଆସାମୀ ସ୍ୱତଃପ୍ରବୃତ୍ତଭାବେ ଅନ୍ୟର ମରଣାନ୍ତକ କ୍ଷତି ଘଟାଇଛି । ଏହି ମରଣାନ୍ତକ କ୍ଷତ ଜନାନଙ୍ଗରେ କରାଯାଇଛି । ସ୍ୱତଃପ୍ରବୃତ୍ତଭାବେ ଆସାମୀ ଯଦି ଉକ୍ତ କ୍ଷତି କରିଥାଏ ତେବେ ତାହାର କାର୍ଯ୍ୟଦ୍ୱାରା ଏଭଳି କ୍ଷତି ହେବ ବୋଲି ସେ ନିଶ୍ଚୟ ଆଗରୁ ଜାଣିଥିବ; କିନ୍ତୁ ଆସାମୀ ଯେଉଁ କାର୍ଯ୍ୟ କଲା ତାହାଦ୍ୱାରା ବାଳିକାର ମୃତ୍ୟୁ ହୋଇପାରେ ବା ଗୁରୁତର କ୍ଷତି ହୋଇପାରେ ବୋଲି ଆଗରୁ ଜାଣିଥିଲା କି ନାହିଁ ତାହା ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ଏହି ଅଭିଯୋଗ ସାବ୍ୟସ୍ତ ହୋଇପାରିବ ନାହିଁ । ଏହାଛଡ଼ା ଅନ୍ୟ ଯେଉଁ ଦୁଇଟି ଅଭିଯୋଗ ଆସାମୀ ବିରୁଦ୍ଧରେ ଆଗତ କଗଯାଇଛି ତାହା ପରସ୍ପରର ପରିପୂରକ । ଗୋଟିଏ ଅଭିଯୋଗରେ ବନ୍ଦୀ ଅମାନୁଷିକ ଓ ଅବିବେକୀଭାବେ କାର୍ଯ୍ୟ କରିବା ଫଳରେ ବାଳିକାର ମୃତ୍ୟୁ ହେଲାବୋଲି କୁହାଯାଇଛି ଏବଂ ଶେଷ ଅଭିଯୋଗରେ କୁହାଯାଇଛି ଯେ ଆସାମୀ ନିଷ୍ଠୁର ଓ ଅବିବେକୀ ଭାବେ କାର୍ଯ୍ୟ କରିବାଯୋଗୁ ବାଳିକା କ୍ଷତ ବିକ୍ଷତ ହେଲା ଓ ତାର ଜୀବନ ବିପନ୍ନ ହୋଇଗଲା । ଆପଣମାନେ ଯଦି ଏହି ଦୁଇହଳ ଅଭିଯୋଗର ଚରିତ୍ର ମଧ୍ୟରେ କି ପାର୍ଥକ୍ୟ ରହିଛି ତାହା ମନେ ମନେ ଭାବିବେ ତେବେ ଏହାର ଗୁରୁତ୍ଵ ସହଜରେ ଉପଲବ୍‌ଧି କରିପାରିବେ । ପ୍ରଥମ ଦୁଇଟି ଅଭିଯୋଗରେ ତା କାର୍ଯ୍ୟର ପରିଣତି ସମ୍ପର୍କରେ ନିଜର ଜ୍ଞାନ ହିଁ ଗୁରୁତ୍ୱପୂର୍ଣ୍ଣ । ପରବର୍ତ୍ତୀ ଦୁଇଟି ଅଭିଯୋଗରେ ଏହି ଜ୍ଞାନ ବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

 

ଏହାପରେ ମାନ୍ୟବର ବିଚାରପତି ସାକ୍ଷ୍ୟ ପ୍ରମାଣାଦି ଜୁରିଙ୍କ ସମ୍ମୁଖରେ ପାଠ କରିବା ଅବକାଶରେ ସୂଚାଇଲେ କି ଏ ଘଟଣାରେ ଫୁଲମଣିର ବୟସ କେତେ ହୋଇଥିଲା ତାହା ମୌଳିକ ବା ଗୁରୁତ୍ଵପୂର୍ଣ୍ଣ ବିଷୟ ନୁହେଁ କାରଣ ସେମାନଙ୍କର ନିଷ୍ପତ୍ତି ଫୁଲମଣିର ବୟସ ଉପରେ ନିର୍ଭର କରିବ ନାହିଁ, ବାସ୍ତବିକ ଘଟଣା ଉପରେ ନିର୍ଭର କରିବ । ସେ ଆହୁରି ମଧ୍ୟ ସୂଚାଇଥିଲେ ଯେ ଚିକିତ୍ସକମାନେ ଦେଇଥିବା ସାକ୍ଷ୍ୟ ପ୍ରମାଣରେ ସମସ୍ତେ ଫୁଲମଣିର କୌଣସି ବାହ୍ୟିକ କ୍ଷତି ହୋଇନଥିବା କହିଛନ୍ତି ତେଣୁ ଫୁଲମଣିର ଜନନାଙ୍ଗ ପୂର୍ବରୁ ସ୍ଵାଭାବିକ ରୀତିରେ ହେଉ ବା ଅସ୍ୱାଭାବିକ ଭାବରେ ହେଉ ବିସ୍ମୃତ ହୋଇଯାଇଛି । ସେ ଏହାପରେ ବନ୍ଦୀର ବିବୃତି ଉଦ୍ଧାର କରି କହିଲେ ଯେ, ‘‘ସମସ୍ତ ବିଷୟ ଏବେ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଛି, ଏହାକୁ ଭିତ୍ତି କରି ଆପଣମାନେ ସତ୍ୟ ଉଦ୍‌ଘାଟନ କରିବେ ଏବଂ ଏହିସବୁ ତଥ୍ୟ ବନ୍ଦୀଙ୍କୁ ଫୌଜଦାରି ଦଣ୍ଡବିଧି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରୁଛି କି ନାହିଁ ତାହା ଘୋଷଣା କରିବେ । ଆପଣମାନଙ୍କୁ ପ୍ରଥମେ କହିବାକୁ ପଡ଼ିବ ଆସାମୀର କାର୍ଯ୍ୟ ଫଳରେ ବାଳିକାର ମୃତ୍ୟୁ ହେଲା କି ନାହିଁ । ଏ କ୍ଷେତ୍ରରେ ଫୁଲମଣିର ପରିବାରବର୍ଗଙ୍କ ସାକ୍ଷ୍ୟ ପ୍ରମାଣ ଅଛି । ସେମାନେ ଝିଅ ପାଟିଶୁଣି ତା ପାଖକୁ ଗଲାବେଳେ ଆସାମୀ ତା ପାଖରେ ଠିଆ ହୋଇଥିବା ଦେଖିଥିଲେ । ଆପଣମାନେ ଯଦି ଝିଅ ମାର କଥା ବିଶ୍ୱାସ କରନ୍ତି ତେବେ ଝିଅଟି ‘‘ବାପାରେ, ମା’ରେ’’ ବୋଲି ପାଟି କରିବାରୁ ତା ପାଟି ଶୁଣି ସେ ଝିଅ ଶୋଇଥିବା ଜାଗାକୁ ଯାଇ ଝିଅ ଓ ଆସାମୀ ଏ ଦୁଇଜଣ ରୁମରେ ଥିବାର ଦେଖିଥିଲେ । ସେତେବେଳକୁ ଝିଅଟି ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଯାଇଥିଲା ଓ ତାର ଲୁଗାପଟା ରକ୍ତରେ ଓଦା ହୋଇ ଯାଇଥିଲା । ଏହିସବୁ ବର୍ଣ୍ଣନା ଯଦି ସତ୍ୟ ହୁଏ ତେବେ ଝିଅର ରକ୍ତସ୍ରାବ କାହିଁକି ହେଉଥିଲା ସେଥିରୁ ତାହାର ସୂଚନା ମିଳିବ ଏବଂ ରକ୍ତସ୍ରାବର କାରଣ ବନ୍ଦୀ ବିରୁଦ୍ଧରେ ଆରୋପ କରାଯାଇଥିବା ଅଭିଯୋଗ ଭିତରୁ କିଛି ଗୋଟାଏ ହୋଇଥିବା । ଏହାପରେ ଝିଅର ଗୋସଁମା ଓ ଆସାମୀ ଭିତରେ କି କଥାବାର୍ତ୍ତା ହୋଇଥିଲା ତାହାର ସାକ୍ଷ୍ୟ ପ୍ରମାଣ ରହିଛି । ବୃଦ୍ଧା ଯେତେବେଳେ ଆସାମୀକୁ ତା କାର୍ଯ୍ୟ ପାଇଁ ଗାଳିଦେଲେ ସେତେବେଳେ ଆସାମୀ ନୀରବ ରହିଥିବା କୁହାଯାଇଛି । ଏହା ସାଙ୍ଗକୁ ଡାକ୍ତର ଅନ୍ନଦା ପ୍ରସାଦ ରାୟଙ୍କ ସାକ୍ଷ୍ୟ ପରବର୍ତ୍ତୀ ପ୍ରମାଣ ରହିଛି । ଘଟଣାର ପରବର୍ତ୍ତୀ ଦିବସରେ ଆସାମୀ ଡାକ୍ତର ରାୟଙ୍କୁ ସହବାସ କରିବା ଯୋଗୁ ଏଭଳି କାଣ୍ଡ ଘଟିଗଲା ବୋଲି କହିଥିଲା ।

 

ଏହି ସାକ୍ଷ୍ୟ ପ୍ରମାଣରେ ସନ୍ତୁଷ୍ଟ ହେଲେ ଆପଣମାନେ ଏହି ସିଦ୍ଧାନ୍ତରେ ଉପନୀତ ହେବେ ଯେ, ଆସାମୀ ଝିଅ ସହିତ ସହବାସ କରିଥିଲା ଏବଂ ଝିଅଟିର ଜନନାଙ୍ଗରେ ଯେଉଁ କ୍ଷତ ହୋଇଥିଲା ତାହା ଏହି ସହବାସର ପରିଣତି ବୋଲି କୁହାଯାଇପାରେ । ଅନ୍ୟ ପକ୍ଷରେ ଆସାମୀ ଆଜି ଯେଉଁ ବୟାନ ଦେଇଛି ସେଥିପ୍ରତି ଆବଶ୍ୟକୀୟ ଗୁରୁତ୍ଵ ଦିଆଗଲେ ସେ ସେଦିନ ରାତିରେ ଝିଅ ସହ ରତିକ୍ରୀଡ଼ା କରି ନଥିଲା ବୋଲି ବସ୍ତୁତଃ କୁହାଯିବ । ମୁଁ ଯେଉଁ ସାକ୍ଷ୍ୟ ପ୍ରମାଣ କଥା ଏବେ ଉଲ୍ଲେଖ କଲି ସେଥିରେ ଆପଣମାନେ ସନ୍ତୁଷ୍ଟ ହେଲେ ଏହି ସିଦ୍ଧାନ୍ତରେ ଉପନୀତ ହେବେ ଯେ ବନ୍ଦୀ ସେହି ଅବକାଶରେ ଝିଅଟି ସହ ରତିକ୍ରୀଡ଼ା କରିବା ଫଳରେ ତାର ମୃତ୍ୟୁ ହେଲା । ଏହା ଅବଶ୍ୟ ଆସାମୀକୁ ଫୌଜଦାରି ଦୋଷରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ପ୍ରଥମ ପଦକ୍ଷେପ ।

 

ଏହାପରେ ମାନ୍ୟବର ବିଚାରପତି ଆସାମୀ ବଳପୂର୍ବକ ପାଶବିକ ଅତ୍ୟାଚାର କରିଥିବା ଅଭିଯୋଗରେ ଦୋଷୀ କି ନୁହେଁ ସେ ବିଷୟର ଆଲୋଚନା କରିଥିଲେ ।

 

‘‘ଏ ବିଷୟରେ ଆଲୋଚନା କରିବା ପୂର୍ବରୁ ଏହି ଘଟଣା ସହ ସମ୍ପର୍କ ଥିବା କେତେକ ଆଇନ୍‌କୁ ଏହା ସହିତ ସମ୍ପର୍କ ନଥିବା କେତେକ ଆଇନ୍‌ଠାରୁ ପ୍ରଥମେ ପୃଥକ କରିଦେବା ସୁବିଧାଜନକ ହେବ ବୋଲି ମୁଁ ଭାବୁଛି । ପାଶବିକ ଅତ୍ୟାଚାରର ଅର୍ଥ ହେଉଛି କୌଣସି ମହିଳାର ସମ୍ମତି ବିନା ତା ସହିତ ସହବାସ କରିବା ଅଥବା ଆଇନ ଅନୁସାରେ ଏଥିପାଇଁ ସମ୍ମତି ଦେବା ନିମନ୍ତେ ବୟସ ହୋଇ ନ ଥିବା ବାଳିକା ସହିତ ସହବାସ କରିବା । ଏ କ୍ଷେତ୍ରରେ କେବଳ ଅପରାଧ ହେଉଛି ସହବାସ କରିବା । ପରିବେଶ, ଉଦ୍ଦେଶ୍ୟ, ଜ୍ଞାନ ବା ପରିଣତି କଥା ଏଥିରେ ବିଚାରକୁ ନିଆଯାଇ ନଥାଏ । ବିବାହିତ ମହିଳାଙ୍କ କ୍ଷେତ୍ରରେ ସ୍ତ୍ରୀର ବୟସ ଦଶ ବର୍ଷ ହୋଇଗଲେ ସ୍ଵାମୀ ଓ ସ୍ତ୍ରୀ ସମ୍ପର୍କ ଭିତରେ ପାଶବିକ ଅତ୍ୟାଚାରର ଆଇନ ଲାଗୁ ହୋଇପାରେ ନାହିଁ । ଏକଥା ଆପଣମାନେ ଜାଣନ୍ତି; କିନ୍ତୁ ଏହାର ଅର୍ଥ ନୁହେଁ ଯେ ସ୍ତ୍ରୀକୁ ଦଶ ବର୍ଷ ହୋଇଗଲେ ପାଶବିକ ଅତ୍ୟାଚାର ଆଇନ ଲାଗୁ ହୁଏନାହିଁ ବୋଲି ସ୍ତ୍ରୀ, ସ୍ଵାମୀର କରାୟତ୍ତ ସମ୍ପତ୍ତି ହୋଇଯାଏ ନାହିଁ କି ସ୍ଵାମୀ ଫୌଜଦାରି ଆଇନର ସୀମା ବାହାରକୁ ଚାଲିଯାଏ ନାହିଁ । କୌଣସି ଦେଶର ଆଇନରେ ସ୍ଵାମୀ ତା ସ୍ତ୍ରୀର ନିରାପତ୍ତା ପ୍ରତି ଦୃଷ୍ଟି ନ ଦେଇ ତାକୁ ଇଚ୍ଛା ଅନୁଯାୟୀ ଉପଭୋଗ କରିପାରିବ ବୋଲି ଉଲ୍ଲେଖ ନାହିଁ । ଅବଶ୍ୟ ଦାମ୍ପତ୍ୟ ଜୀବନ କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ଆଇନ୍ ଆଦୌ ଇଚ୍ଛୁକ ନୁହେଁ ଏବଂ ସ୍ଵାମୀ ସ୍ତ୍ରୀ ଏକାଠି ରହୁଥିବା ଘର ଭିତରୁ ବିନାନୁମତି ପ୍ରବେଶ କରିବାକୁ ଆଇନ୍‌ ଆଦୌ ସୁବିଧା ଦିଏନାହିଁ; କିନ୍ତୁ ସ୍ଵାମୀ ଓ ସ୍ତ୍ରୀର ସମ୍ପର୍କ ମଧ୍ୟ ସ୍ଥଳବିଶେଷରେ ଫୌଜଦାରି ଆଇନର ପରିସରଭୁକ୍ତ ହୋଇପାରେ ।

 

ଗତ ଅଳ୍ପ କେତେ ବର୍ଷ ଭିତରେ ଏଭଳି କୌଣସି ଘଟଣାର ବିଚାର ଅଦାଲତରେ ହୋଇଥିବା ମୋର ମନେ ପଡ଼ୁନାହିଁ; କିନ୍ତୁ ବହୁବର୍ଷ ପୂର୍ବେ ସଦର ନିଜାମତ କେତେକ ଘଟଣାରେ ସ୍ଵାମୀମାନଙ୍କୁ ନିଜର ଅପ୍ରାପ୍ତ ବୟସ୍କା ସ୍ତ୍ରୀଙ୍କ ସହ ସହବାସ କରି ସେମାନଙ୍କ ମୃତ୍ୟୁର କାରଣ ହୋଇଥିବା ଅଭିଯୋଗରେ ଫୌଜଦାରି ଦଣ୍ଡବିଧି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିବାର ନଜିର ରହିଛି । ଯଦିଓ ସେସବୁ ଘଟଣା ପାଶବିକ ଅତ୍ୟାଚାର ଆଇନର ପରିସରଭୁକ୍ତ ହୋଇ ନ ଥିଲା । କିନ୍ତୁ ବର୍ତ୍ତମାନର ଘଟଣାରେ ଆମେ କେବଳ ପିଙ୍ଗଳ କୋର୍ଡ଼ଦ୍ଵାର ପରିଚାଳିତ ଏବଂ ପିଙ୍ଗଳ କୋର୍ଡ଼ର କୌଣସି ଧାରା ଏ ଘଟଣାରେ ପ୍ରଯୁଜ୍ୟ ହେବ କି ନା ତାହା ଆମର ଦେଖିବାର କଥା । ସାଧାରଣଭାବେ ଏହି ମକଦ୍ଦମାର ପ୍ରତ୍ୟେକ ଦିଗ ବିଚାର କଲାପରେ ତା ବିରୁଦ୍ଧରେ ଆଗତ ବିଭିନ୍ନ ଅଭିଯୋଗକୁ ସ୍ୱତନ୍ତ୍ର ଭାବେ ବିଚାର କରିବା ସମୀଚୀନ ହେବ ବୋଲି ମୁଁ ଭାବୁଛି । ଆସାମୀ ବିରୁଦ୍ଧରେ ପ୍ରଥମ ଅଭିଯୋଗ ହେଉଛି । ସେ ନିନ୍ଦନୀୟ ଉପାୟରେ ଅନ୍ୟର ଜୀବନନାଶ କରିଛି । ମୁଁ ପୂର୍ବରୁ କହିଛି ନିନ୍ଦନୀୟ ଭାବେ ଜୀବନନାଶ (ହୋମିସାଇଡ଼) କରିଛି ବୋଲି ପ୍ରମାଣିତ କରିବାକୁ ହେଲେ ତାହାର ଅପରାଧ କରିବାର ଉଦ୍ଦେଶ୍ୟ ଥିଲା ବୋଲି ପ୍ରଥମେ ପ୍ରମାଣିତ କରିବାକୁ ହେବ କିନ୍ତୁ ଏ କ୍ଷେତ୍ରରେ ସେ ଉଦ୍ଦେଶ୍ୟର ସୂଚନା ମଧ୍ୟ ମିଳୁନାହିଁ । ସେହିଭଳି ନିଜ କାର୍ଯ୍ୟର ପରିଣତି ସମ୍ପର୍କରେ ଆସାମୀ ପୂର୍ବରୁ ଅବହିତ ଥିଲା ବୋଲି ପ୍ରମାଣିତ ହେଲେ ଆପଣମାନେ ତାକୁ ଏହି ଅଭିଯୋଗରେ ଦୋଷୀ ସବ୍ୟସ୍ତ କରିପାରିବେ । ମୁଁ ଆପଣମାନଙ୍କ ବିଚାର ପରିସରରୁ ଏହି ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ଯାଉନାହିଁ; କିନ୍ତୁ ମୋର ମତ ହେଉଛି ଆସାମୀ ନିଜ କାର୍ଯ୍ୟର ଦାରୁଣ ପରିଣତି ସମ୍ପର୍କରେ ପୂର୍ବରୁ ଅବହିତ ଥିଲାବୋଲି ନିର୍ଦ୍ଦିଷ୍ଟ ଓ ସନ୍ତୋଷଜନକ ଭାବେ କହିବାର କିଛି ଭିତ୍ତି ନାହିଁ ।

 

ଏ ସଂକ୍ରାନ୍ତରେ ଚିକିତ୍ସକମାନଙ୍କ ମତରେ ଗୋଟିଏ ଅଂଶ ଯାହା ଉପରେ କି ଆସାମୀ ପକ୍ଷର ଓକିଲ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି ସେ ସମ୍ପର୍କରେ ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ତାହା ହେଉଛି ଉକ୍ତ ଝିଅ ସହିତ ଆସାମୀ ଏ ଘଟଣାର ପୂର୍ବରୁ ସହବାସ କରିଥିଲେ କି ନାହିଁ ପୂର୍ବରୁ ଆସାମୀ ତା ନିଜ ସ୍ତ୍ରୀସହ ସହବାସ କରଥିବା ସତ୍ତ୍ୱେ ଯଦି ସେଥିରୁ କୌଣସି ବିପତ୍ତି ଉପୁଜି ନଥିଲା ଆଲୋଚ୍ୟ ଘଟଣାରେ ଆସାମୀ ପରିଣତିର ଭୟାବହତା ସମ୍ପର୍କରେ ଆଗରୁ ଜାଣି ମଧ୍ୟ ନିଜର ଅପ୍ରାପ୍ତବୟସ୍କା ସ୍ତ୍ରୀ ସହ ରାତିକ୍ରୀଡ଼ାରେ ପ୍ରବୃତ୍ତ ହୋଇଥିଲେ ବୋଲି କହିବା କଷ୍ଟକର-

 

ଏ କ୍ଷେତ୍ରରେ ଫୁଲମଣି ଘରର ଅନ୍ୟ ମହିଳାମାନେ ପ୍ରଥମ ସାକ୍ଷ୍ୟ ପ୍ରମାଣ ଦେଇଛନ୍ତି । ସେମାନେ ଯାହା କହିଛନ୍ତି ତାହା ଯଦି ସତ୍ୟ ବୋଲି ଧରାଯାଏ ତେବେ ଆସାମୀ ଝିଅର ଗୋସଁମା ଘରେ ପୂର୍ବରୁ କେବେ ନିଜର ସ୍ତ୍ରୀସହ ସହବାସ କରି ନଥିଲା ବୋଲି ଧରାଯିବ; କିନ୍ତୁ ଏଥିରୁ ଆସାମୀ ପୂର୍ବରୁ କେବେ ନିଜ ଘରେ ଅର୍ଥାତ୍ ଝିଅର ଶ୍ୱଶୁର ଘରେ ତା ସହିତ ରତିକ୍ରୀଡ଼ା କରି ନଥିଲା ବୋଲି କୁହାଯାଇ ପାରିବ ନାହିଁ । ଝିଅଟି ଶ୍ୱଶୁର ଘରକୁ ଯାଇଥିଲାବେଳେ ଆସାମୀ ତା ସହିତ ସହବାସ କରିଥିଲାବୋଲି କହିଛି । ପ୍ରକୃତରେ ଏହା ଘଟିଥାଇପାରେ କି ନାହିଁ ମୋ ଅପେକ୍ଷା ଜୁରିମାନେ ଭଲଭାବେ କହିପାରିବେ । ଜନୈକ ମହିଳାଙ୍କ ବକ୍ତବ୍ୟ ହେଉଛି ଝିଅକୁ କନ୍ୟା ରୂପରେ ତାର ଶାଶୁଘରକୁ ପଠାଯାଇଥିଲା; କିନ୍ତୁ ଏ କ୍ଷେତ୍ରରେ ତାକୁ ତାର ସ୍ଵାମୀସହ ରତିକ୍ରୀଡ଼ା କରିବା ପାଇଁ ଶାଶୁଘରକୁ ପଠାଯାଇ ଥିଲା କି ନାହିଁ ତାହା ମୁଁ କହିପାରିବି ନାହିଁ । ତାହା ଆପଣମାନେ କହିପାରିବେ; କିନ୍ତୁ ସେହି ସମୟ ଭିତରେ ନିଜ ସ୍ତ୍ରୀସହ ସହବାସ କରିଥିବା ଆସାମୀ କହୁଛି ।

 

ମୁଁ ବର୍ତ୍ତମାନ ଅନ୍ୟ ଦୁଇଟି ଅଭିଯୋଗ ସମ୍ପର୍କରେ ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି ଯେଉଁଥିପାଇ ଭିନ୍ନ ବିଚାର ଲୋଡ଼ା ପଡ଼ୁଛି । ସେହି ଅଭିଯୋଗ ଆସାମୀର ନିଷ୍ଠୁର ଓ ଅବିବେକୀ କାର୍ଯ୍ୟ ଉପରେ ପର୍ଯ୍ୟବେସିତ । ଝିଅଟିର ବୟସ ଦଶ ବର୍ଷରୁ ଅଧିକ ହୋଇ ସାରିଥିବା ଦୃଷ୍ଟିରୁ ମକଦ୍ଦମାଟିର ବିଚାର ଏଥିରେ ମିଳିଥିବା ସାକ୍ଷ୍ୟପ୍ରମାଣକୁ ହିଁ ଭିତ୍ତିକରି କରାଯାଇ ପାରିବ ଏବଂ ଏ ପରିସ୍ଥିତିରେ ଆସାମୀ ଝିଅଟି ପ୍ରତି ନିଷ୍ଠୁର ଓ ଅବିବେକୀ ଆଚରଣ ପ୍ରଦର୍ଶନ କରିଥିଲା କି ନାହିଁ ତାହା ପ୍ରମାଣ କରିବାକୁ ହେବ । ବର୍ତ୍ତମାନ ନିଷ୍ଠୁର ଓ ଅବିବେକୀ କାର୍ଯ୍ୟ ଫଳରେ ଅନ୍ୟର ମୃତ୍ୟୁ ଘଟାଇବାକୁ ଏକ ଅପରାଧ ରୂପେ ପରିଗଣିତ କରିବାକୁ ହେଲେ ସେହି ମୃତ୍ୟୁ ଆସାମୀର କାର୍ଯ୍ୟଦ୍ଵାରା ହୋଇଛି ଏବଂ ଆସାମୀର ଉକ୍ତ କାର୍ଯ୍ୟ ନିଷ୍ଠୁର ଓ ଅବିବେକୀ ବୋଲି ପ୍ରମାଣ କରିବାକୁ ହେବ । ମୁଁ ଏ ଅବକାଶରେ ଆଇନରେ ଯେଉଁ ସବୁ ଶବ୍ଦର ସଂଯୋଜନା କରାଯାଇଛି ତାହାର ଅର୍ଥହୀନ ସଂଜ୍ଞା ନିରୂପଣ କରିବାକୁ ଯାଉନାହିଁ; କାରଣ ଆଇନ୍‌ ପ୍ରଣେତାମାନେ ସେସବୁ ଶବ୍ଦର ସଂଜ୍ଞା ନିରୂପଣ କରିନାହାନ୍ତି । ତେଣୁ ସେହି ଶବ୍ଦଗୁଡ଼ିକର ସଂଜ୍ଞା କେବଳ ବର୍ତ୍ତମାନର ଆବଶ୍ୟକତାନୁଯାୟୀ ନିରୂପଣ କରିବା ଅଧିକ ସମୀଚୀନ ହେବ ବୋଲି ମୁଁ ଭାବୁଛି ।

 

ଆପଣମାନଙ୍କ ମତରେ ଯଦି ଆସାମୀର କାର୍ଯ୍ୟ ଫଳରେ ଉକ୍ତ ବାଳିକାର ମୃତ୍ୟୁ ହେଲା ବା ସ୍ପଷ୍ଟ ଭାଷାରେ କହିବାକୁ ଗଲେ ଆସାମୀ ସେହି ଝିଅ ସହ ସହବାସ କରିବା ଫଳରେ ତାର ଜନନାଙ୍ଗ କ୍ଷତବିକ୍ଷତ ହେଲା ଏବଂ ଏଥିରୁ ତାର ମୃତ୍ୟୁ ହେଲା ତେବେ ଆସାମୀର ଏତାଦୃଶ କାର୍ଯ୍ୟ ନିଶ୍ଚୟ ବିପଜ୍ଜନକ ।

 

ଝିଅଟି ଅପ୍ରାପ୍ତବୟସ୍କା ହୋଇଥିବାରୁ ଜଣେ ପ୍ରାପ୍ତ ବୟସ୍କ ଯୁବକ ତା ସହ ଯୌନ ସମ୍ପର୍କ ରଖିବା କଣ ବିପଜ୍ଜନକ ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଡାକ୍ତରମାନେ ଯେଉଁ ମତ ଦେଇଛନ୍ତି ତାହା ଆପଣମାନେ ଶୁଣିଛନ୍ତି । ସେମାନଙ୍କ ମତରେ ଜଣେ ଅସାପ୍ତ ବୟସ୍କା ବାଳିକା ସହ ଜଣେ ପ୍ରାପ୍ତ ବୟସ୍କ ଯୁବକ ଯୌନ ସମ୍ପର୍କ ପ୍ରତିଷ୍ଠା କଲେ ସେଥିରୁ ନାନା ବିପତ୍ତି ଉପୁଜିବାର ଆଶଙ୍କା ରହିଛି ଏବଂ ଝିଅଟି ମଧ୍ୟ ଗୁରୁତର ଭାବେ ଆହତ ହେବାର ଆଶଙ୍କା ରହିଛି । ଆଲୋଚ୍ୟ ଘଟଣାରେ ଝିଅଟି ଯେଭଳିଭାବେ କ୍ଷତବିକ୍ଷତ ହେଲା ତାହା ଯୌନ ସମ୍ପର୍କ ପ୍ରତିଷ୍ଠାର ସ୍ଵାଭାବିକ ପରିଣତି ।

 

ଯଦି ସେହି କାର୍ଯ୍ୟ ବିପଜ୍ଜନକ ବୋଲି ଆପଣମାନେ ଭାବୁଥା’ନ୍ତି ତେବେ ଅବିବେକୀଭାବେ ଆସାମୀ ସେହି କାର୍ଯ୍ୟ କରିଛି କି ନାହିଁ ତାହା ବିଚାର କରିବାକୁ ବାକି ରହିଲା । ଏହି ପ୍ରଶ୍ନର ବିଚାର କଲାବେଳେ ଆସାମୀ ପୂର୍ବରୁ ସେହି ଝିଅ ସହିତ ସହବାସ କରିଥିଲା ବୋଲି ଯାହା କୁହାଯାଉଛି ତାହା ବିବେଚନା କରାଯାଇପାରେ; କିନ୍ତୁ ଆସାମୀ ଅବିବେକୀ ଓ ନିଷ୍ଠୁର କାର୍ଯ୍ୟ କରିଛି ବୋଲି ଯେଉଁ ପ୍ରଶ୍ନ ଉଠିଛି ପୂର୍ବରୁ ସହବାସ କରିଥିବାଟା ତାହାର ଯଥାର୍ଥ ଉତ୍ତର ନୁହେଁ ।

 

ଅବିବେକୀ ଓ ନିଷ୍ଠୁର କାର୍ଯ୍ୟ ବୋଲି ଯାହାକୁ କୁହାଯାଉଛି ସେହି କାର୍ଯ୍ୟ କୌଣସି ବ୍ୟକ୍ତି ନିଜ ସ୍ତ୍ରୀର ନିରାପତ୍ତା ପ୍ରତି ସତର୍କ ଥିଲେ ନ କରିବା ସ୍ଵାଭାବିକ; ତଥାପି ଏହି କାର୍ଯ୍ୟ ପ୍ରକୃତରେ ଅବିବେକୀତା ଓ ନିଷ୍ଠୁରତାର ପରିଚାୟକ ବୋଲି ସେ ନ ଜାଣିପାରି ଥିବାର ମଧ୍ୟ ଅବକାଶ ଅଛି । ବର୍ତ୍ତମାନର ଘଟଣାରେ ମୁଁ ଯେଉଁ ଅବିବେକୀ ଓ ନିଷ୍ଠୁର କାର୍ଯ୍ୟ ବୋଲି ଯାହାକୁ କହୁଛି ସେହି ଅର୍ଥରେ ଆସାମୀ ପ୍ରକୃତରେ ନିଷ୍ଠୁର ଓ ଅବିବେକୀ କାର୍ଯ୍ୟ କରିଛି କି ନାହିଁ ତାହା ଆପଣମାନେ ବିଚାର କରିବେ ।

 

ବାକି ରହିଲା ଅବିବେକୀ ଓ ନିଷ୍ଠୁରଭାବେ କାର୍ଯ୍ୟ କରିବା ଦ୍ଵାରା ଝିଅଟି ଆହତ ହୋଇ ମୃତ୍ୟୁ ବରଣ କରି ଥିବା ଅଭିଯୋଗ । ପୂର୍ବ ଅଭିଯୋଗ ସମ୍ପର୍କରେ ମୁଁ ଯେଉଁ ବିଚାରଧାରାର ଆଶ୍ରୟ ନେଇଥିଲି ଏ କ୍ଷେତ୍ରରେ ମଧ୍ୟ ତାହା ପ୍ରଯୁଜ୍ୟ । ଆସାମୀ ଯେଉଁ କାର୍ଯ୍ୟ କରିଛି ତାହା ଫଳରେ ଝିଅଟିର ଗୁରୁତର କ୍ଷତ ହୋଇଛି ଅର୍ଥାତ୍‌ ଜନନାଙ୍ଗ ଫାଟି ଯାଇଛି ଏବଂ ଏହାଯୋଗୁ ହିଁ ତାର ମୃତ୍ୟୁ ହେଲା ଏବଂ ଆସାମୀର ଏତାଦୃଶ କାର୍ଯ୍ୟ ଅବିବେକୀ, ନିଷ୍ଠୁର ଓ ଜୀବନ ପ୍ରତି ବିପଜ୍ଜନକ ବୋଲି ଆପଣମାନେ ହୃଦୟଙ୍ଗମ ନକଲା ପର୍ଯ୍ୟନ୍ତ ତାକୁ ଦଣ୍ଡିତ କରିପାରିବେ ନାହିଁ ।

 

ଜୁରିମାନେ ପ୍ରଥମ ତିନୋଟି ଅଭିଯୋଗରୁ ଆସାମୀକୁ ଖଲାସ କରିଦେଲେ; କିନ୍ତୁ ଚତୁର୍ଥ ଅଭିଯୋଗରେ ଭାରତୀୟ ପିଙ୍ଗଳ କୋର୍ଡ଼ର ୩୩୮ ଧାରା ଅନୁଯାୟୀ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ ।

 

ଏହି ମକଦ୍ଦମା ଫଳରେ ୧୮୯୧ ମସିହାର ୧୦ ଆଇନ୍‌ ଗୃହୀତ ହେଲା ଏବଂ ଭାରତୀୟ ପିଙ୍ଗଳ କୋର୍ଡ଼ର ୩୭୫ ଧାରାରେ ଥିବା ସମ୍ମତି ପ୍ରଦାନର ବୟସ ସୀମା ୧୦ ରୁ ୧୨ବର୍ଷକୁ ବୃଦ୍ଧି କରାଗଲା । ୧୯୨୫ ମସିହାରେ ସାର ହରି ସିଂହ ଗୌରଙ୍କ (ତଦାନୀନ୍ତନ କେନ୍ଦ୍ରୀୟ ବ୍ୟବସ୍ଥା ସଭା ସଭ୍ୟ) ଦାବୀ ଫଳରେ ଏହି ବୟସ ସୀମା ୧୩ ବର୍ଷକୁ ବୃଦ୍ଧି ପାଇଲା ।

 

କେନ୍ଦ୍ର ବ୍ୟବସ୍ଥା ସଭା ୧୯୨୯ ମସିହାରେ ବାଲ୍ୟ ବିବାହ ସମ୍ପର୍କରେ ଅଧିକ ଆଇନ ପ୍ରଣୟନ କଲେ । ଏହି ବିଷୟ ଉପରେ ବହୁ ଆଲୋଚନା ହେବା ପରେ ରକ୍ଷଣଶୀଳ ହିନ୍ଦୁମାନଙ୍କର ପ୍ରତିବାଦ ସତ୍ତ୍ୱେ ବାଲ୍ୟବିବାହ ପ୍ରତିରୋଧ ଆଇନ ଗୃହୀତ ହେଲା ଏବଂ ବାଲ୍ୟ ବିବାହ ଏକ ଅପରାଧରେ ପରିଣତ ହେଲା । ଚଉଦ ବର୍ଷରୁ କମ୍‌ ବୟସ୍କ ଝିଅ ଓ ୧୮ ବର୍ଷରୁ କମ୍‌ ବୟସ୍କ ପୁଅର ବିବାହ ହୋଇ ପାରିବ ନାହିଁ ବୋଲି ଆଇନ ପ୍ରଣୀତ ହୋଇ ଏଥିପାଇଁ ଦଣ୍ଡର ବ୍ୟବସ୍ଥା କରାଯାଇ ଥିଲେ ମଧ୍ୟ ଲୋକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିବା ଅଭିଜ୍ଞତାରୁ ଜଣାଯାଉଛି ।

 

ଗଭୀର ଅନୁତାପର ବିଷୟ ଯେ ଦେଶରେ ଏବେ ବି ଏଭଳି ଅନେକ ପିତାମାତା ଅଛନ୍ତି ଯେଉଁ ମାନେ କି ବାଲ୍ୟ ବିବାହରେ ଏକ ଆଧ୍ୟାତ୍ମିକ ସାର୍ଥକତା ଅଛି ବୋଲି ଅନୁଭବ କରି ପିଲାଦିନରୁ ନିଜ ସନ୍ତାନ ସନ୍ତତିଙ୍କୁ ବିବାହ ଦିଅନ୍ତି ଯେଉଁ ବିବାହର ଅର୍ଥ କେବଳ ହେଉଛି ସମ୍ମତି ସହ ପାଶବିକ ଅତ୍ୟାଚାର କରିବା ।

Image

 

Unknown

ହୋମିସାଇଡ଼ ହତ୍ୟା ଅପରାଧ ନୁହେଁ

 

ଆଇନସମ୍ମତ ଉପାୟରେ ସବୁ ଦିଗ ପ୍ରତି ଯଥାଯଥ ଧ୍ୟାନ ଦେଇ ଆଇନାନୁମୋଦିତ କାର୍ଯ୍ୟ କରୁଥିବା ବେଳେ ଦୁର୍ଭାଗ୍ୟବଶତଃ କିମ୍ବା ଆକସ୍ମିକ ଦୁର୍ଘଟଣା ବଶତଃ ପରଜୀବନ ନାଶ (ହୋମିସାଇଡ଼) କଲେ ତାହା ମାର୍ଜନୀୟ । ଏ କ୍ଷେତ୍ରରେ କୌଣସି ଅପରାଧ ପ୍ରବଣ ମନୋଭାବ ବା ଉଦ୍ଦେଶ୍ୟ ନଥିବା ଚାହି । ଏଭଳି ଭାବେ ପରଜୀବନ ନାଶ ହୋଇଥିଲେ ଏଥିପାଇଁ ଆଇନ ଆପଣଙ୍କୁ ଦାୟିତ୍ଵମୁକ୍ତ କରିଦେବ ଯଦି ଆପଣ ଅପ୍ରାପ୍ତବୟସ୍କ ହୋଇଥାନ୍ତି, ପାଗଳ ହୋଇଥାନ୍ତି ବା ନିହତ ବ୍ୟକ୍ତିର ଭଲ କରିବାକୁ କୌଣସି କାର୍ଯ୍ୟ କରୁ ଥିଲାବେଳେ ତାହାର ମୃତ୍ୟୁ ହୋଇଥାଏ ।

 

ପିଙ୍ଗଳ କୋର୍ଡ଼ ଦ୍ୱାରା ନିର୍ଦ୍ଧାରିତ କେତେକ ଅସାଧାରଣ କ୍ଷେତ୍ରରେ ପରଜୀବନ ନାଶର (ହୋମିସାଇଡ଼ର) ଯଥାର୍ଥତା ମଧ୍ୟ ପ୍ରତିପାଦିତ କରାଯାଇଛି ।

 

ପରଜୀବନ ନାଶ ଏକ ଅପରାଧ ରୂପେ ବିବେଚିତ ହୋଇ ଦଣ୍ଡନୀୟ ହୁଏ ଯଦି ଅନ୍ୟର ମୃତ୍ୟୁ ଘଟାଇବା ଉଦ୍ଦେଶ୍ୟରେ କିମ୍ବା ଅନ୍ୟର ଶରୀରକୁ ଆହତ କରିବା ଉଦ୍ଦେଶ୍ୟରେ ଯାହା ଫଳରେ କି ସମ୍ପୃକ୍ତ ବ୍ୟକ୍ତିର ମୃତ୍ୟୁ ହେବ ବୋଲି ଜାଣି ମଧ୍ୟ ସେହି କାର୍ଯ୍ୟ କରଯାଏ । ଏସବୁ ବିଷୟ ପୂର୍ବ ଅଧ୍ୟାୟରେ ବିଚାର ପତି ୱିଲସବଙ୍କ ରାୟରେ ବିଶଦଭାବେ ବର୍ଣ୍ଣିତ ହୋଇଛି ।

 

ଆଇନରେ ସ୍ଵୀକୃତ ବ୍ୟତିକ୍ରମ ଭିନ୍ନ ଅନ୍ୟ ସମସ୍ତ କ୍ଷେତ୍ରରେ ଅପରାଧମୂଳକ ଭାବେ ପରଜୀବନ ନାଶ କରିବା (କଲପେବଲ ହୋମିସାଇଡ଼) ହତ୍ୟା ଅପରାଧ ରୂପେ ବିବେଚିତ ହେବ-। ହତ୍ୟା ଅପରାଧର ସଂଜ୍ଞା ନିରୂପଣ କଲାବେଳେ ପିଙ୍ଗଳ କୋର୍ଡ଼ ସେହିଭଳି ପାଞ୍ଚଟି ବ୍ୟତିକ୍ରମକୁ ସ୍ଵୀକାର କରିଛି । ନିମ୍ନଲିଖିତ ପାଞ୍ଚଟି କ୍ଷେତ୍ରରେ ନିନ୍ଦନୀୟଭାବେ ପରଜୀବନ ନାଶ କଲେ ମଧ୍ୟ ତାହା ହତ୍ୟାକାଣ୍ଡରୂପେ ବିବେଚିତ ହେବ ନାହିଁ ବୋଲି କୁହାଯାଇଛି ।

 

(୧)

ହଠାତ୍‌ ଉତ୍ତେଜିତ ହୋଇ ଦୋଷୀ ଯଦି ନିଜ ଉପରୁ ସମସ୍ତ ନିୟନ୍ତ୍ରଣ ହରାଇ ବସି ସେଭଳି କାର୍ଯ୍ୟ କରେ ।

 

 

(୨)

କୌଣସି ବ୍ୟକ୍ତି ଆତ୍ମରକ୍ଷା କରିବା ଏବଂ ନିଜର ସମ୍ପତ୍ତି ରକ୍ଷା କରିବା ପାଇଁ ଅନ୍ୟ କୌଣସି ଉଦ୍ଦେଶ୍ୟ ନ ରଖି କେବଳ ଆବଶ୍ୟକତା ଦୃଷ୍ଟିରୁ ଏହି ଭଳି କାର୍ଯ୍ୟକରେ ।

 

 

(୩)

ଯେତେବେଳେ କୌଣସି ସରକାରୀ କର୍ମଚାରୀ ନିଜର କର୍ତ୍ତବ୍ୟ କରିବା ଦୃଷ୍ଟିରୁ ସେଭଳି କାର୍ଯ୍ୟ କରିବା ଆଇନସଙ୍ଗତ ଓ ଆବଶ୍ୟକ ବୋଲି ଅନୁଭବ କରେ ଏବଂ ସମ୍ପୃକ୍ତ ବ୍ୟକ୍ତି ପ୍ରତି କୌଣସି ଦୁରଭିସନ୍ଧି ନ ରଖି ଏ କାର୍ଯ୍ୟ କରେ ।

 

 

(୪)

ପୂର୍ବରୁ ପରିକଳ୍ପିତ ହୋଇ ନଥିବା ହଠାତ୍‌ ଏକ ସଂଘର୍ଷ ଯୋଗୁ ଯଦି ଅନ୍ୟର ମୃତ୍ୟୁ ଘଟେ-

 

 

(୫)

ଯଦି କୌଣସି ବ୍ୟକ୍ତି ସ୍ଵତଃ ମୃତ୍ୟୁ ବରଣ କରେ ।

 

ୟାସିନ୍‌ ଏବଂ ସାହେବ ମକଦ୍ଦମା

 

ସାଧାରଣ ପରିସ୍ଥିତିରେ ଉକ୍ତ ପାଞ୍ଚଟି କ୍ଷେତ୍ରରେ ପର ଜୀବନ ନାଶର ଯଥାର୍ଥତା ପ୍ରତିପାଦିତ ହୁଏ ।

 

କିନ୍ତୁ କୌଣସି ଉତ୍ତେଜନା ବା ଅନୁରାଗ ମୁହୂର୍ତ୍ତରେ ସର୍ବଦା ଜଣଙ୍କ ପକ୍ଷେ ଏହି ସୀମା ସରହଦ ଭିତରେ ରହି କାମ କରିବା ସମ୍ଭବ ନୁହେଁ । ବେଳେ ବେଳେ କୌଣସି ବ୍ୟକ୍ତି କ୍ରୋଧରେ ଦୁଃସାହସରେ, ଅବହେଳାରେ କିମ୍ବା ଅଭାବରେ ମାନସିକ ଭାରସାମ୍ୟ ନଷ୍ଟ ହେବାରେ ଯେଉଁ କାର୍ଯ୍ୟ କରି ପକାଏ ପରବର୍ତ୍ତୀ ଅବସ୍ଥାରେ ମିଜାଜ ଥଣ୍ଡା ହୋଇଗଲେ ସେ ନିଜେ ନିଜ କାର୍ଯ୍ୟର ନିନ୍ଦା କରେ । କିନ୍ତୁ କେଉଁ କ୍ଷେତ୍ରରେ ପରିସ୍ଥିତିରେ ପଡ଼ି ପର ଜୀବନ ନାଶ କଲେ ମଧ୍ୟ ତାହା ମାର୍ଜନୀୟ ତାହା ପୂର୍ବରୁ କୁହାଯାଇଛି । ଏହି ସୀମା ବାହାରେ ଯଦି କିଛି କରାଯାଏ ତେବେ ସେହି କାର୍ଯ୍ୟକୁ ଧୀରସ୍ଥିର ଅବସ୍ଥାରେ ଅନ୍ୟକୁ ହତ୍ୟା କରିବା କାର୍ଯ୍ୟଠାରୁ ପୃଥକ୍‌ଭାବେ ଆଇନ ବିଚାର କରେ ନାହିଁ ।

 

ଭାରତୀୟ ପିଙ୍ଗଳ କୋର୍ଡ଼ର ରଚୟିତାମାନେ ଲେଖିଛନ୍ତି ‘‘ଉତ୍ତେଜନାଉଦ୍ଦୀପକ କାର୍ଯ୍ୟ ଅଦଣ୍ଡିତ ହେବା ଅନୁଚିତ୍‌ ବୋଲି ସାଧାରଣ ଜନତା ଏବଂ ପ୍ରାଚୀନ ଓ ଆଧୁନିକ ବିଚାରକମାନଙ୍କ ସହ ଆମ୍ଭେମାନେ ଏକମତ; କିନ୍ତୁ ସାଧାରଣ ଭାବେ ସେଭଳି କାର୍ଯ୍ୟ କରିଥିବା ବ୍ୟକ୍ତିକୁ କେବଳ ମାନବ ଜୀବନ ପ୍ରତି ସମ୍ମାନବୋଧ ସୃଷ୍ଟି କରିବା ପାଇଁ ଦଣ୍ଡ ଦିଆଯିବା ଉଚିତ୍‌ ନୁହେଁ; ସେ ଯେପରି ନିଜର ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଶିକ୍ଷାଲାଭ କରିବ ସେଥିପାଇଁ ହିଁ ତାକୁ ଦଣ୍ଡ ଦିଆଯିବା ଉଚିତ୍‌ ଏବଂ କେତେକ କ୍ଷେତ୍ରରେ (ଯାହା ସବୁ ଆମେ ନିର୍ଦ୍ଧାରଣ କରିଛୁ) ଦୋଷୀକୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି ଆମେ ଅନୁଭବ କରୁଛୁ । ସେ ଯାହାହେଉ ହଠାତ୍‌ କୌଣସି ଉତ୍ତେଜନାର ବଶବର୍ତ୍ତୀ ହୋଇ ଯଦି ଅନ୍ୟର ପରଜୀବନ ନାଶ କରିଥିବା ବ୍ୟକ୍ତି ପ୍ରତି ଆଇନ୍‌ର ସର୍ବୋଚ୍ଚ ଦଣ୍ଡ ବିଧାନ କରାଯିବ ଏବଂ ତାହାକୁ ହତ୍ୟାକାଣ୍ଡ ରୂପେ ବିବେଚନା କରାଯିବ ତେବେ ତାହା ସାମୂହିକ ମାନବୀୟ ଭାବଧାରାକୁ କ୍ଷୁଣ୍ଣ କରିବ ଏବଂ ସାଧାରଣ ଲୋକଙ୍କ ସହାନୁଭୂତି ଆଇନ୍‌ ବିରୁଦ୍ଧରେ ଓ ଦୋଷୀ ସପକ୍ଷରେ ସୃଷ୍ଟି ହେବ ।

 

ଦଣ୍ଡବିଧି ଆଇନ୍‌ର ବିଖ୍ୟାତ ଭାଷ୍ୟକାର ସତ୍ତାରିଜଫରଙ୍କ ମତରେ ସାମୟିକ ଉତ୍ତେଜନାର ତାଡ଼ନାରେ କୌଣସି ବ୍ୟକ୍ତି ଯେତେବେଳେ ବିବେକର ଆହ୍ୱାନ ଶୁଣି ନ ପାରି ପରଜୀବନ ନାଶ କରିପକାଏ ତାର ସେହି ଅବସ୍ଥା କେବଳ କେତେକ ମୁହୂର୍ତ୍ତ ପାଇଁ ହିଁ ରହିଥାଏ ଏବଂ ପରେ ସେହି ଅବସ୍ଥାର ଅବସାନ ହେଲେ ବିବେକର ସ୍ୱର ସେ ଶୁଣିପାରେ ଏବଂ ସ୍ଵକର୍ମକୁ ନିନ୍ଦାକରେ । ଆଇନ୍‌ ସେହିଭଳି ଉତ୍ତେଜିତ ଅବସ୍ଥାକୁ ସ୍ୱୀକାର କରି ଏହାକୁ ଅପରାଧ ଠାରୁ ଏକ ଲଘୁ କାର୍ଯ୍ୟ ବୋଲି ବିବେଚନା କରେ ଏବଂ ମନୁଷ୍ୟ ଚରିତ୍ରର ଅସ୍ଥିରତା ଓ ଦୁର୍ବଳତା ପ୍ରତି ମଧ୍ୟ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରେ । ଏହିଭଳି କାର୍ଯ୍ୟକୁ ଆଇନ୍‌ ଏକ ତ୍ରୁଟି ରୂପେ ବିବେଚନା କରେ କାରଣ ସେତେବେଳେ ସମ୍ପୃକ୍ତ ବ୍ୟକ୍ତି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥାଏ । ମଣିଷକୁ ଅତି ମାତ୍ରାରେ ଉତ୍ତେଜିତ କରିଦେଲେ ସେ ଆଇନ୍‌ ବିରୋଧୀ କାର୍ଯ୍ୟ କରିପକାଏ । ମଣିଷ ଏକ ଅଦମନୀୟ ଆବେଗର ବଶବର୍ତ୍ତୀ ହୋଇ କୌଣସି କାର୍ଯ୍ୟ କରିପକାଇଲେ ତାକୁ ସେଥିପାଇଁ ଦଣ୍ଡ ଦେବା ଅନ୍ୟାୟ ଓ ନିଷ୍ଠୁରତା ହେବ । ଏ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତି ଯେଉଁ କାର୍ଯ୍ୟ କରିଥାଏ ତାହା ସ୍ଥିର ଓ ପୂର୍ବ ସିଦ୍ଧାନ୍ତର ପରିଚାୟକ ହୋଇ ନ ଥିବାରୁ ମନୁଷ୍ୟର ମାନସିକ ଅସ୍ଥିରତା ଦୃଷ୍ଟିରୁ ମାର୍ଜ୍ଜନୀୟ । ଯେଉଁ ତିନୋଟି ବ୍ୟତିକ୍ରମରେ ଏହି ଆଇନ୍‌ ଲାଗୁକରାଯାଏ ନାହିଁ ତାହା ମୋଟାମୋଟି ଭାବେ ଉପରେ କୁହାଗଲା ।

 

ଇଂଲଣ୍ଡରେ ବାକ୍ୟବାଣ ଏବଂ କେତେକ କାର୍ଯ୍ୟ ସେଭଳି ଉତ୍ତେଜନା ସୃଷ୍ଟି କରିବାର ଅବକାଶ ରହିଛି । ତେଣୁ ବ୍ଲାକବର୍ଣ୍ଣ, ଏକ ସ୍ତ୍ରୀ ହତ୍ୟା ମକଦ୍ଦମାର ଶୁଣାଣିବେଳେ ଜୁରିମାନଙ୍କୁ କହିଥିଲେ ଯେ, ଆଇନ୍‌ର ସାଧାରଣ କାର୍ଯ୍ୟକାରିତା ଦୃଷ୍ଟିରୁ ବାକ୍ୟବାଣ ପ୍ରୟୋଗ ହତ୍ୟାପରାଧକୁ ନରବଧରେ ପରିଣତ କରିଦେଇ ପାରିବ ନାହିଁ; କିନ୍ତୁ ସ୍ୱତନ୍ତ୍ର ପରିବେଶରେ ସେଭଳି ବାକ୍ୟବାଣ ପ୍ରୟୋଗର ପ୍ରତିକ୍ରିୟା ହତ୍ୟା ଅପରାଧ ଅନୁରୂପ ହୋଇପାରେ । ଉଦାହରଣ ସ୍ଵରୂପ ଯଦି କୌଣସି ସ୍ଵାମୀ ହଠାତ୍‌ ଦିନେ ତା ସ୍ତ୍ରୀ ପରପୁରୁଷ ସହ ସହବାସ କରିଛି ବୋଲି ଶୁଣେ ଓ ତତ୍‌କ୍ଷଣାତ୍‌ ସ୍ତ୍ରୀକୁ ହତ୍ୟାକରେ ତେବେ ଏହାକୁ ହତ୍ୟା ଅପରାଧ ବୋଲି କୁହା ନଯାଇ ‘ନରବଧ’ ବୋଲି କୁହାଯିବ । ଏ କ୍ଷେତ୍ରରେ ନିହତ ମହିଳା ତା ସ୍ଵାମୀଠାରୁ ମାଡ଼ ଖାଇବାର ଠିକ୍‌ ପୂର୍ବରୁ କହିଥିଲା । ଏ, ମୁଁ ଆଉ ତୁମର ଏତେ ସହି ପାରିବି ନାହିଁ କି ତୁମର ପିଲାକୁ ପେଟରେ ରଖିପାରିବି ନାହିଁ । ଯାହା କରିଥିଲି ଥରେ । ଆଉ ନୁହେଁ । ଆପଣମାନଙ୍କର ଏଠାରେ ବିଚାର୍ଯ୍ୟ ବିଷୟ ହେଉଛି ଆସାମୀ ତା ସ୍ତ୍ରୀକୁ ମାରିବା ପୂର୍ବରୁ ଯେଉଁଭଳି ବାକ୍ୟବାଣର ସମ୍ମୁଖୀନ ହୋଇଥିଲା ତାହା ଜଣେ ସାଧାରଣଲୋକକୁ ଯାହାର କି ହିଂସାଚରଣ ପ୍ରତି ଆଗ୍ରହ ନଥିବ । ଏଭଳି କାର୍ଯ୍ୟ କରିବା ପାଇଁ ଉତ୍ତେଜିତ କରିବ କି ନାହିଁ ।

 

ପୂର୍ବରୁ କେତେକ ଘଟଣାରେ ମତ ଦିଆଯାଇ ଥିଲା ଯେ କୌଣସି କାର୍ଯ୍ୟବିନା ଖାଲି ବାକ୍ୟବାଣ ପ୍ରୟୋଗ ଜଣେ ଲୋକକୁ ଏଭଳିଭାବେ ଉତ୍ତେଜିତ କରିବାର କାରଣ ହୋଇ ନପାରେ; କିନ୍ତୁ ଏହି ମତକୁ ଯଦି ଗ୍ରହଣ କରାଯାଏ ତେବେ ଏହାକୁ ପିଙ୍ଗଳ କୋର୍ଡ଼ ବା ଦଣ୍ଡ ସଂହିତାର ମତ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ । ଯଦି କୌଣସି ବ୍ୟକ୍ତି ଜଣେ ଇସଲାମ ଧର୍ମର ଅନ୍ଧାନୁସରଣ କରୁଥିବା ଲୋକ ଆଗରେ ସେହି ଧର୍ମ ପ୍ରତି ଅପମାନଜନକ କଥା କୁହେ, କୌଣସି ଉଚ୍ଚକୁଳଜାତ ରାଜପୁତକୁ ଯଦି ଜାତିଚ୍ୟୁତ କରାଯାଏ ବା କୌଣସି ସମ୍ଭ୍ରାନ୍ତ ଘରର ରମଣୀ ପାଲିଙ୍କି ଭିତରେ ଯାଉଥିବା ବେଳେ ପାଲିଙ୍କି ଭିତରକୁ ମୁଣ୍ଡ ଗଳେଇ ଅନ୍ୟ ଯେହି ତାଙ୍କୁ ଦେଖିବାକୁ ଚେଷ୍ଟାକରେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଭାବେ ଶାରୀରିକ ଆଘାତ ଦେଇଥିଲେ ସେମାନେ ଯେତେ ରାଗି ନଥାନ୍ତେ ଏହି ସବୁ କାର୍ଯ୍ୟ ସେମାନଙ୍କୁ ତା ଅପେକ୍ଷା ଅଧିକ କ୍ରୋଧାନ୍ୱିତ କରିପକାଇବା ସ୍ୱାଭାବିକ ଆଲୋଚ୍ୟ ବିଷୟ ମାନଙ୍କରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ଧାରଣା ଓ ମନୋଭାବ ଆମଠାରୁ ସମ୍ପୂର୍ଣ୍ଣ ପୃଥକ୍‌ ଏବଂ କଥିତ ମକଦ୍ଦମା ସହିତ ଏହାର କିଛି ସମ୍ପର୍କ ନାହିଁ; କିନ୍ତୁ ଉତ୍ତେଜକ ଗୁରୁତର ହୋଇଥିବା ଆବଶ୍ୟକ । ଉତ୍ତେଜନା କେବଳ ହଠାତ୍‌ ସୃଷ୍ଟି ହୋଇଗଲେ ଚଳିବ ନାହିଁ, ଏହାର ଚରିତ୍ର ମଧ୍ୟ ଗୁରୁତର ହୋଇଥିବା ବିଧେୟ । ଉତ୍ତେଜନାର ଗୁରୁତ୍ୱ ସମ୍ପୃକ୍ତ ବ୍ୟକ୍ତିର ଆତ୍ମନିୟନ୍ତ୍ରଣ ଲୋପ ଘଟଣାରୁ ହିଁ କଳନା କରିହେବ । କୌଣସି ଉତ୍ତେଜନା ଅଦାଲତ ଆଖିରେ ଗୁରୁତର ହେବାକୁ ହେଲେ ଏହା ସମ୍ପୃକ୍ତ ବ୍ୟକ୍ତିର ଉଚ୍ଛ୍ୱାସକୁ ଉଦ୍‌ଜୀବିତ କରିବା କ୍ଷମ ହୋଇଥିବା ଆବଶ୍ୟକ । ବସ୍ତୁତଃ ଏହା ଅସହ୍ୟ ହୋଇ ନଥିଲେ ବି ଏହା ତାର କାର୍ଯ୍ୟର ଯଥାର୍ଥତା ପ୍ରତିପାଦନକ୍ଷମ ହୋଇଥିବା ଆବଶ୍ୟକ । ଏଇଥିରୁ ଏକ ନିର୍ଦ୍ଦିଷ୍ଟ ଭାବନା ଜାଗ୍ରତ ହେବାର ଯଥେଷ୍ଟ କାରଣ ଥିଲା ବୋଲି ବୁଝାପଡ଼ିବ । ଏହାର ଅର୍ଥ ହେଉଛି ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ ହୁଏତ ବେଆଇନ୍‌ ହୋଇଥିବ କିମ୍ବା ଆଇନସିଦ୍ଧ ହୋଇଥିଲେ ଅସଙ୍ଗତ ହୋଇଥିବ । ଏ ଦୁଇଟି କାରଣ ଭିନ୍ନ ଅନ୍ୟ କୌଣସି କ୍ଷେତ୍ରରେ ସୃଷ୍ଟି ହୋଇଥିବା ସାମୟିକ ଉତ୍ତେଜନାକୁ ଆଇନ୍‌ ବୃଷ୍ଟିରୁ ଯୁକ୍ତିଯୁକ୍ତ ବୋଲି ପ୍ରତିପାଦିତ କରିହେବ ନାହିଁ । ଏ କ୍ଷେତ୍ରରେ ଗୋଟିଏ ଉଦାହରଣ ଦେଲେ କଥାଟା ସହଜରେ ବୁଝାପଡ଼ିବ । ଯଦି ଗୋଟିଏ ଚୋର ଜଣକର ଘର ଭାଙ୍ଗି ପଶିଲା ବେଳେ ଗୃହକର୍ତ୍ତା ଉଠି ପାଟିକରେ ଏବଂ ଗୃହକର୍ତ୍ତାର ପାଟିରେ ବିରକ୍ତ ବା ଉତ୍‌କ୍ଷିପ୍ତ ହୋଇ ଚୋର ତାଙ୍କୁ ହତ୍ୟାକରେ ତେବେ ଏ କ୍ଷେତ୍ରରେ କଣ ତାର ବୟାନ୍ ‘‘ମୋତେ ଧରାଇଦେବାକୁ ପାଟି କରିବାରୁ ମୁଁ ତାକୁ ହତ୍ୟାକଲି’’ ଗ୍ରହଣୀୟ ହେବ ? ଗୋଟିଏ ଘଟଣାରେ ଜଣେ ଆସାମୀ—୪୫ ବର୍ଷ ବୟସ୍କ ବ୍ରାହ୍ମଣ ତାର ୧୬ ବର୍ଷ ବୟସ୍କା ସ୍ତ୍ରୀକୁ ହତ୍ୟାକଲା । କାରଣ ସ୍ତ୍ରୀ ସ୍ଵାମୀକୁ ରତିକ୍ରୀଡ଼ା କରିବା ନିମନ୍ତେ ପ୍ରଶ୍ରୟ ଦେଲାନାହିଁ । ପୂର୍ବରୁ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ତାର ସ୍ତ୍ରୀ ପରପୁରୁଷ ସହ ସହବାସ କରୁଥିବା ଦେଖି ନିଜ ସ୍ତ୍ରୀକୁ ହତ୍ୟାକରେ ତେବେ ତାହା ନରବଧ ରୂପେ ବିବେଚିତ ହେବ କାରଣ ସେତେବେଳେ ସେ ଏଭଳି ଏକ ହିଂସାତ୍ମକ ପ୍ରବୃତ୍ତି ଦ୍ଵାରା ପ୍ରଭାବିତ ହୋଇ ପଡ଼ିଥିଲା ନିଜକୁ ଆଉ ନିୟନ୍ତ୍ରଣ କରି ପାରିଲା ନାହିଁ । କିନ୍ତୁ ଏକଥା ମଧ୍ୟ ନିଃସନ୍ଦେହରେ କୁହାଯାଇପାରେ ଯେ କୌଣସି ସ୍ତ୍ରୀ ଲୋକକୁ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିବା ସନ୍ଦେହକରି ତାର ଜୀବନ ନେଲେ ସେ ନିଜର ସ୍ତ୍ରୀ ହୋଇଥିଲେ ମଧ୍ୟ ତାହା ହତ୍ୟା ଅପରାଧ ରୂପେ ବିବେଚିତ ହେବ । ଆପଣ ଏଥିପାଇଁ ଯେତେ ଗୁରୁତର ସନ୍ଦେହ ଆରୋପକଲେ ମଧ୍ୟ ତାହା ହତ୍ୟାପରାଧ ହେବ; କିନ୍ତୁ ଆପଣମାନେ ଯଦି ଏହାକୁ ଅନ୍ୟ ଭାବରେ ବିଚାର କରନ୍ତି ବା ମୁଁ ବିବେଚନା କରେ ତେବେ ଆମେ ନିଜ କର୍ତ୍ତବ୍ୟରେ ଖୁବ୍‌ ଅବହେଳା କରୁଛେ ବୋଲି ଜଣାଯିବ; କିନ୍ତୁ ମନରେ ସନ୍ଦେହ ସୃଷ୍ଟି ହେଲେ ତାହା ମଣିଷକୁ ପାଗଳ ସଦୃଶ କରିଦେବାରେ ମଧ୍ୟ ଆଶଙ୍କା ରହିଛି । ଏ କ୍ଷେତ୍ରରେ ସମ୍ପୃକ୍ତ ଦୋଷୀ ପ୍ରତି କେବଳ ଲଘୁ ଦଣ୍ଡ ପ୍ରୟୋଗ କରାଯିବା ଉଚିତ୍ ନୁହେଁ ତାକୁ ପୂରାପୂରି କ୍ଷମା କରାଯିବା ବିଧେୟ ।

 

ଏହି ପାର୍ଥକ୍ୟ ୟାସିନ୍‍ ଓ ସାହେବ ଘଟଣାରେ ପ୍ରାଞ୍ଜଳ ଭାବେ ଦର୍ଶାଯାଇଛି ।

 

ୟାସିନ୍‌ ନିହତ ବ୍ୟକ୍ତିକୁ ତା ସ୍ତ୍ରୀ ସହିତ ଥିବାର ଦେଖି ପ୍ରଥମେ ଖୁବ୍ ଟାଙ୍କେ ଛେଚିଲା; କିନ୍ତୁ କେବଳ ମାଡ଼ ଦେଇ ସେ ସନ୍ତୁଷ୍ଟ ହେଲାନାହିଁ । ନିହତ ବ୍ୟକ୍ତି ମାଡ଼ ଖାଇଲା ପରେ ଜୀବିତ ଥାଇ ଗଁ ଗାଁ ହେଉଥିଲା ବେଳେ ଆସାମୀ (ୟାସିନ୍‌) ତାକୁ ନଦୀ ବନ୍ଧ ପର୍ଯ୍ୟନ୍ତ ଘୋଷାଡ଼ି ନେଇଗଲା । ନଦୀ ବନ୍ଧରେ ସେ ନିଜ ସ୍ତ୍ରୀର ପ୍ରେମିକକୁ ଦୁଇଖଣ୍ଡ କରି କାଟି ମୁଣ୍ଡ ଓ ଗଣ୍ଡିକୁ ନଦୀକୁ ଫିଙ୍ଗିଦେଲା । ସେସନ୍‌ସ ଜର୍ଜ କୋର୍ଟ ନରହତ୍ୟା କରିଥିବା ଅଭିଯୋଗରେ ମଇମନ ସିଂହର ବିଚାର କରିଥିଲେ କିନ୍ତୁ ଜର୍ଜ ତାକୁ ହତ୍ୟାପରାଧରୁ ମୁକ୍ତ କରି ନିନ୍ଦନୀୟ ଭାବେ ପର ଜୀବନ ନାଶ କରିଥିବାରୁ (ଯାହାକି ହତ୍ୟା ଅପରାଧ ସହ ସମାନ ନୁହେଁ) ତାକୁ ଜେଲ ଦଣ୍ଡ ଦେଇଥିଲେ ।

 

ବେଙ୍ଗଲ ହାଇକୋର୍ଟ ଯେତେବେଳେ ପୁନରାୟ ଏହି ମକଦ୍ଦମାର ବିଚାର କଲେ ସେତେବେଳେ ମାନ୍ୟବର ବିଚାରପତି ଶ୍ରୀ ହକ୍‌ ଓ ଶ୍ରୀ ଗ୍ଲୋଭର ମତ ଦେଲେ ଯେ ଆସାମୀର କାର୍ଯ୍ୟ ଏକ ହତ୍ୟା ଅପରାଧ । କାରଣ ପ୍ରଥମ ଉତ୍ତେଜନାର ଢେଉ ଚାଲିଯିବା ପରେ ଆସାମୀ କଣ କରୁଛି ଏବଂ ତାହାର ପରିଣତି କଣ ହେବ ତାହା ଭାବିବା ପାଇଁ ଓ ନିଜ ଉତ୍ତେଜନାକୁ ଉପଶମ କରିବା ପାଇଁ ଯଥେଷ୍ଟ ସମୟ ପାଇଥିଲା । ସଂକ୍ଷେପରେ କହିବାକୁ ଗଲେ ସହସା ଉତ୍ତେଜନାର ବଶବର୍ତ୍ତୀ ହୋଇ ସେ ଏହି କାର୍ଯ୍ୟ କରି ନଥିଲା ।

 

ୟାସିନ୍‌ର ଭାଗ୍ୟ ଭଲ ଯେ ଦଣ୍ଡ ବଢ଼ାଇବା ପାଇଁ ସେତେବେଳେ ହାଇକୋର୍ଟର କ୍ଷମତା ନଥିଲା ।

 

ଏହାର କିଛି ବର୍ଷ ପରେ ସାହେବ ନାମକ ଅନ୍ୟ ଜଣେ ବ୍ୟକ୍ତି ଅନୁରୂପ ପାରିବାରିକ ସମସ୍ୟାର ସମ୍ମୁଖୀନ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସେ ଘଟଣାସ୍ଥଳରେ ହିଁ ନିଜ ସ୍ତ୍ରୀର ପ୍ରେମିକକୁ ତଣ୍ଟି ଚିପି ହତ୍ୟା କଲା ଓ ପ୍ରଚଣ୍ଡ କ୍ରୋଧରେ ତାର ଅଣ୍ଡକୋଷ ଦ୍ଵୟକୁ ଛିଣ୍ଡାଇ ପକାଇଥିଲା । ଝେଲମର ସେସନ୍‌ସ ଜଜ ଏହି ଘଟଣାର ବିଚାର କରି ଆସାମୀକୁ ପିଙ୍ଗଳ କୋର୍ଡ଼ର ୩୦୦ ଧାରା ଅନୁଯାୟୀ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ; କିନ୍ତୁ ପଞ୍ଜାବର ଚିଫ୍‌ କୋର୍ଟ ଏ କ୍ଷେତ୍ରରେ ଟିକିଏ ଉଦାର ନୀତି ଗ୍ରହଣ କରିଥିଲେ । ଏହାର ବିଚାର କରି ମୁଖ୍ୟ ବିଚାରପତି ମାନ୍ୟବର ରବର୍ଟସନ୍‌ ଓ ବିଚାରପତି କ୍ଲର୍କ ନିଷ୍ପତ୍ତି କଲେ ଯେ, ‘‘ଜଣେ ମନୁଷ୍ୟ ସର୍ବାଧିକ ଯେତେ ଉତ୍ତେଜିତ ହେବ ବୋଲି କଳ୍ପନା କରାଯାଇ ପାରେ ଆସାମୀ ଉପସ୍ଥିତ କ୍ଷେତ୍ରରେ ସେଭଳି ଚରମ ଅବସ୍ଥାରେ ପହଞ୍ଚିଥିଲା । ନିଜ ସ୍ତ୍ରୀ ସହିତ ନିହତ ବ୍ୟକ୍ତିକୁ ରତିକ୍ରୀଡ଼ା କରୁଥିବା ଅବସ୍ଥାରେ ଧରି ଆସାମୀ ଏହି କାଣ୍ଡ କରି ପକାଇଛି । ଏହି କାର୍ଯ୍ୟ ପୂର୍ବ ପରିକଳ୍ପିତ ନୁହେଁ କି ନିଜ ଉତ୍ତେଜନା ହ୍ରାସକରିବା ପାଇଁ ଆସାମୀ ସମୟ ମଧ୍ୟ ପାଇନାହିଁ ।

 

ବିଚାରପତିମାନେ ମତଦେଇ କହିଥିଲେ ଯେ ଆସାମୀ ଯଦି ଅତି ନିର୍ମମ ଭାବେ ହତ୍ୟାକରି ନଥାନ୍ତା ଆମେ ତାକୁ ଏହି ଅପରାଧ ପାଇଁ ଯେଉଁ ତିନି ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲୁ ତାହା ମଧ୍ୟ ଏ କ୍ଷେତ୍ରରେ ଅତି କଠୋର ବୋଲି ବିବେଚିତ ହୋଇଥାନ୍ତା ।

Image

 

ଅନନ୍ତ ରୁର୍ଣ୍ଣାଗତର ଅଦ୍ଭୁତ ଘଟଣା

 

ଆସାମୀ ଅନନ୍ତ ରୁର୍ଣ୍ଣାଗତକୁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅପରାଧରେ ମୃତ୍ୟୁ ଦଣ୍ଡାଦେଶ ଦିଆଗଲା ବେଳେ ତାର ବୟସ ୨୬ ବର୍ଷରୁ ବେଶି ହୋଇନଥିଲା । ସେ ହତ୍ୟା କରିଥିବା ନିଜ ସ୍ତ୍ରୀର ବୟସ ହୋଇଥିଲା ପ୍ରାୟ କୋଡ଼ିଏ ବର୍ଷ । ଅନନ୍ତ ନିଜ ସ୍ଵୀକାରୋକ୍ତି ବଳରେ ଏହି ଦଣ୍ଡ ପାଇଥିଲା ଏବଂ ସେ ନିଜେ ଫାଶୀ ଦଣ୍ଡ ପାଇବାକୁ ଇଚ୍ଛା ପ୍ରକାଶ କରିଥିଲା । ବସ୍ତୁତଃ ଆସାମୀ ନିଜ ଦୋଷକୁ ଅଦାଲତରେ ଘୋଡ଼ାଇ ନଥିଲା କି ଆତ୍ମପକ୍ଷ ସମର୍ଥନ କରି ମଧ୍ୟ କିଛି କହିନଥିଲା ।

 

ଅନନ୍ତ ଅଦାଲତରେ ଯାହା କହିଥିଲା ତାହା ହେଉଛି ଏହି—ନିଜ ସନ୍ତାନର ମୃତ୍ୟୁରେ ସେ ଓ ତାର ସ୍ତ୍ରୀ ଅତିମାତ୍ରାରେ ଶୋକାଭିଭୂତ ହୋଇପଡ଼ି ଉଭୟେ ଆତ୍ମହତ୍ୟା କରିବା ପାଇଁ ମନସ୍ଥ କଲେ । ଏହିଭଳି ଦୁଃଖରେ ସେମାନେ କେତେ ସପ୍ତାହ ବିଭିନ୍ନ ଆଡ଼େ ବୁଲିଲେ ଏବଂ ଦିନେ ଅନନ୍ତ ଆତ୍ମହତ୍ୟା କରିବାପାଇଁ ଦୃଢ଼ପ୍ରତିଜ୍ଞ ହୋଇଥିବା ପ୍ରକାଶ କଲା । କିନ୍ତୁ ତାର ସ୍ତ୍ରୀ ଆତ୍ମହତ୍ୟା କରିବାକୁ ଯଥେଷ୍ଟ ସାହସ ସଞ୍ଚୟ କରି ନ ପାରିବାକୁ ନିଜେ ମରିବା ପୂର୍ବରୁ ତାକୁ ପ୍ରଥମେ ମାରିଦେବାକୁ ସ୍ୱାମୀ ପାଖରେ ଅଳି କଲା । ଅନନ୍ତ ସ୍ତ୍ରୀର ଆନ୍ତରିକତା ପରୀକ୍ଷା କରିବା ପାଇଁ ତିନିଥର ମିଛରେ ଏକ କୁରାଢ଼ି ସାହାଯ୍ୟରେ ତା ଉପରକୁ ଚୋଟ ପକାଇଥିଲା; କିନ୍ତୁ ଏଥିରେ ତା ସ୍ତ୍ରୀ ବିଚଳିତ ହୋଇ ନଥିଲା କି ପଳାଇ ଯାଇନଥିଲା । ଏଥିରୁ ଆତ୍ମହତ୍ୟା କରିବା ପାଇଁ ସ୍ତ୍ରୀର ମଧ୍ୟ ଆନ୍ତରିକ ଅଭିଳାଷ ଅଛି ବୋଲି ଅନନ୍ତ ଉପଲବ୍‌ଧି କଲା; କିନ୍ତୁ ସେତେବେଳେ ନିଜେ ଆତ୍ମହତ୍ୟା କରିବା ପାଇଁ କିମ୍ବା ସ୍ତ୍ରୀକୁ ମାରିବା ପାଇଁ ଅଧିକ ଚିନ୍ତା ନକରି ସସ୍ତ୍ରୀକ ନିଜ ଗାଁକୁ ଫେରିଆସିଲା । ସେହି ଗାଁ ତାର ଭାଇ କାଣ୍ଟୋ ‘‘ନଫର'’ ନାମକ ଜଣେ ଚକ ତିଆରି କରୁଥିବା ଲୋକ ଘରେ ରହୁଥିଲା । ଅନନ୍ତ ଆସି ତା ଭାଇ ପାଖରେ ରହିଲା । ଅନନ୍ତ ନିଜେ ଚକ ତିଆରି ଜାଣିଥିବାରୁ ସେଠାରେ ‘‘ନଫର’’ ପାଖରେ କାମକଲା । ଏଭଳି ଭାବେ ସେଠାରେ ରହିବାର ମାତ୍ର ଚାରି ପାଞ୍ଚ ଦିନ ପରେ ସ୍ଵାମୀ ସ୍ତ୍ରୀ ସେଠାରେ ଗୋଟିଏ ପିଲା ଖେଳୁଥିବାର ଦେଖିଲେ । ସେହି ପିଲାଟିର ଆକୃତି ଓ ଚେହେରା ନିଜେ ହରାଇଥିବା ପିଲାସହ ପୂରାପୂରି ମିଶି ଯାଉଥିଲା । ଏହି ପିଲାଟିକୁ ଦେଖିବା ପରେ ସେମାନଙ୍କର ପୂର୍ବ ସ୍ମୃତି ଜାଗ୍ରତ ହେଲା ଏବଂ ଦୁଃଖରେ ସେମାନେ ପୁଣି କାନ୍ଦିଲେ-। ଏଥର ଆତ୍ମହତ୍ୟା କରିବା ପାଇଁ ଉଭୟେ ପୁନର୍ବାର ଶପଥ କଲେ । ପୂର୍ବଭଳି ଏହିଥର ମଧ୍ୟ ତାକୁ ପ୍ରଥମେ ମାରିଦେବା ପାଇଁ ତାର ସ୍ତ୍ରୀ ଅନନ୍ତକୁ ଗୁହାରି କଲା ଏବଂ ସ୍ତ୍ରୀର କଥା ମାନି ସେ (ଆସାମୀ) ତାକୁ ଏକ କରତ ସାହାଯ୍ୟରେ ତିନିଥର ଚୋଟମାରି ହତ୍ୟାକଲା । ନିଜ ସ୍ତ୍ରୀକୁ ମାରିସାରିବା ପରେ ସେ ଆଉ ଆତ୍ମହତ୍ୟା କରିପାରିଲା ନାହିଁ; କିନ୍ତୁ ପାଟିକରି ନିଜ ଭାଇକୁ ଡାକ ପକାଇଲା । ଭାଇ ଆସି ତା ହାତରୁ କରତଟିକୁ ଛଡ଼େଇନେଲା । ଏହାପରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପରିବର୍ତ୍ତେ ପୋଲିସକୁ ଖବର ଦେବାପାଇଁ କହିଲା । ଏହାପରେ ତାକୁ ମାଜିଷ୍ଟ୍ରେଟଙ୍କ ପାଖକୁ ନିଆଗଲା ଏବଂ ସେଠାରେ ନିଜ କାର୍ଯ୍ୟକୁ ସ୍ୱୀକାରକରି ଫାଶୀପାଇବା ପାଇଁ ଇଚ୍ଛା ପ୍ରକାଶ କଲା । ସେହିଦିନ ଠାରୁ ସେ ଫାଶୀକାଠରେ ଝୁଲିବାପାଇଁ ବରାବର କହିଆସୁଛି-

 

ସେସନ୍‌ସ ଜଜଙ୍କ ସମ୍ମୁଖରେ ମୁଖ୍ୟ ବିଚାର୍ଯ୍ୟ ବିଚାର ଥିଲା ଆସାମୀ ଯାହା କହୁଛି ତାହା ଯଦି ସତ୍ୟ ହୁଏ ତେବେ ସେ ପିଙ୍ଗଳ କୋର୍ଟର ୩୦୦ ଧାରାରେ ଥିବା ପଞ୍ଚମ ବ୍ୟତିକ୍ରମର ପରିସର ଭୁକ୍ତ ହେଉଛି କି ନାହିଁ । କାରଣ ଏହି ବ୍ୟତିକ୍ରମ ଅନୁଯାୟୀ ୧୮ ବର୍ଷରୁ ବେଶି ବୟସ ହୋଇଥିବା କୌଣସି ବ୍ୟକ୍ତି ଯଦି ସ୍ଵେଚ୍ଛାରେ ମୃତ୍ୟୁ ବରଣ କରେ କିମ୍ବା ମୃତ୍ୟୁ ହେବାର ଆଶଙ୍କା ଥିବା ବିପଦ ବରଣ କରେ ତେବେ ଏ କ୍ଷେତ୍ରରେ ନିନ୍ଦନୀୟ ଭାବେ ପରଜୀବନ ନାଶ (କଲପେବଲ ହୋମିସାଇଡ଼) କରିଥିବା କାର୍ଯ୍ୟକୁ ହତ୍ୟା ଅପରାଧ ବୋଲି କୁହାଯିବ ନାହିଁ ।

 

ସେସନ୍‌ସ ଜଜ୍‍ ମତ ଦେଇଥିଲେ ଯେ, ମହିଳା ଜଣକ ଶୋଇଥିବା ଅବସ୍ଥାରେ ତାକୁ ହତ୍ୟା କରାଯାଇ ଥିବାରୁ ଆସାମୀ ପାଇଁ ଏହି ଧାରା ପ୍ରଯୁଜ୍ୟ ନୁହେଁ ।

 

କିନ୍ତୁ ଏହି ଦଣ୍ଡାଦେଶର ଅନୁମୋଦନ ନିମନ୍ତେ କଲିକତା ହାଇକୋର୍ଟରେ ଏହା ଆଗତ ହେବାପରେ ବିଚାରପତି ‘‘କେମ୍ପ’’ ଓ ବିଚାରପତି ‘‘ମାର୍କ’’ ସେସନ୍‌ସ ଜଜ୍‍ଙ୍କ ସହିତ ଏକମତ ହୋଇ ନଥିଲେ । ସେମାନେ ଭିନ୍ନ ମତ ପୋଷଣକରି କହିଥିଲେ ଯେ—

 

ଯାହା ଘଟିଛି ଘଟଣାଟିକୁ ସେହିଭଳି ଭାବେ ଗ୍ରହଣ କଲେ ମଧ୍ୟ ପ୍ରଶ୍ନ ଉଠୁଛି ଆସାମୀ ହତ୍ୟାକଲା ବେଳେ ନିହତ ମହିଳା ମୃତ୍ୟୁ ବରଣ କରିବାକୁ ଇଚ୍ଛୁକ ଥିଲା ବୋଲି ବିଶ୍ୱାସ କରିବା ନିମନ୍ତେ ଯଥେଷ୍ଟ କାରଣ ଥିଲା କି ନାହିଁ । ଆସାମୀ ଯାହା କହୁଛି ତାହା ସତ ବୋଲି ମନେକଲେ (ଆମେ ସତ ବୋଲି ଯେପରି ମନେକରୁଛୁ) ଆମେ କାହିଁକି ଭାବିବା ଯେ ଏ ପର୍ଯ୍ୟନ୍ତ ସ୍ଵାମୀ ହାତରେ ନିହତ ହେବାପାଇଁ ଇଚ୍ଛା ପ୍ରକାଶ କରିଥିବା ଉକ୍ତ ମହିଳା ଜଣକ ସେ ଉଦ୍ଦେଶ୍ୟ ପରିହାର କରିଥିବ ଓ ତାର ପୁର୍ନଚିନ୍ତନ ହୋଇଥିବ; ଯଦିଚ ଆସାମୀ ତାକୁ ଚୋଟ ପକାଇଲା ବେଳେ ସେ ନିହତ ହେବାପାଇଁ ପୁନରାୟ କହିନଥିଲା । ଏହା ଯଦି ଏକ ପ୍ରକାଶ୍ୟ କାର୍ଯ୍ୟ ହୋଇଥାନ୍ତା । ତେବେ ସମ୍ମତିର ବହୁ ପ୍ରମାଣ ରହିଥାନ୍ତା । ଏବଂ ପ୍ରକାଶ୍ୟ କାର୍ଯ୍ୟକ୍ଷେତ୍ରରେ ଯେଉଁ ସବୁ ପ୍ରମାଣକୁ ଯଥେଷ୍ଟ ବୋଲି ବିବେଚନା କରାଯିବ ସେ ସବୁ ପ୍ରମାଣ ଜଣେ ଆସାମୀକୁ ଦୋଷମୁକ୍ତ କରିବାପାଇଁ ଯଥେଷ୍ଟ ନୁହେଁ ବୋଲି କହିବାର ଯଥାର୍ଥତା ନାହିଁ ।

 

ବନ୍ଦୀର ସ୍ଵୀକାରୋକ୍ତି ଏଭଳି ଅସଙ୍ଗତ ନୁହେଁ ଯାହାକୁ ପୂରାପୂରି ଖାରଜକରି ଦିଆଯାଇପାରେ ବୋଲି ମତଦେଇ କୋର୍ଟ କହିଥିଲେ ଆସାମୀ ଯେଉଁ ପ୍ରବୃତ୍ତିଦ୍ୱାରା ପରିଚାଳିତ ହୋଇ ଏ କାର୍ଯ୍ୟ କରିଛି ବୋଲି କହୁଛି ତାହାଛଡ଼ା ଅନ୍ୟ କିଛି କହିଥିଲେ ଆମେ ବିଶ୍ଵାସ କରିପାରି ନଥାନ୍ତୁ; କିନ୍ତୁ କେବଳ ଏ କ୍ଷେତ୍ରରେ ଗୋଟିଏ ସନ୍ଦେହ ରହିଯାଉଛି । ତାହା ହେଉଛି ଆସାମୀ ନିଜ ସ୍ତ୍ରୀକୁ ହତ୍ୟା କଲାପରେ ଆତ୍ମହତ୍ୟା କରିବାର ଉଦ୍ୟମ ନ କରି ନିଜ ଭାଇକୁ କାହିଁକି ଉଠାଇଲା । ସେତେବେଳେ ଯଦିଚ ଆତ୍ମହତ୍ୟା କରିବା ପାଇଁ ସେ ସାହସ ସଞ୍ଚୟ କରିପାରିଲା ନାହିଁ ତଥାପି ଏ ପର୍ଯ୍ୟନ୍ତ ସେ ନିଜ ମନୋଭାବ ବଦଳାଇ ନାହିଁ ଏବଂ ମରିବା ପାଇଁ ନିଜର ବ୍ୟଗ୍ରତା ପ୍ରକାଶ କରୁଛି ତେଣୁ ଆମମାନଙ୍କ ମତରେ ନିହତ ମହିଳା ଜଣକ ସ୍ୱେଚ୍ଛାରେ ମୃତ୍ୟୁବରଣ କରିଛି ଏବଂ ଆସାମୀ କ୍ଷେତ୍ରରେ ୩୦୦ ଧାରାର ୫ମ ବ୍ୟତିକ୍ରମ ପ୍ରଯୁଜ୍ୟ ।

 

ଅନନ୍ତ ଆଇନର ସର୍ବଶେଷ ଦଣ୍ଡ; ମୃତ୍ୟୁ-ଭୋଗ କରିବା ପାଇଁ ପ୍ରସ୍ତୁତ ବୋଲି ବାରମ୍ବାର କହିଲେ ମଧ୍ୟ ଆଇନ୍‌ ତା ଦାବୀକୁ ମାନିନେବା ପାଇଁ ରାଜିହେଲେ ନାହିଁ । ସେ ୩୦୪ ଧାରା ଅନୁଯାୟୀ ଦୋଷୀ କିନ୍ତୁ ୩୦୨ ଧାରା ଅନୁଯାୟୀ ନୁହେଁ । ତେଣୁ ତାକୁ ଫାଶୀ ଦିଆଯାଇ ପାରିବ ନାହିଁ । ତାକୁ ଏହି ଅପରାଧରେ ୧୫ ବର୍ଷ ସଶ୍ରମ କାରାଦଣ୍ଡ ଦିଆଗଲା । ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଯୋଗୁ ସେ ଏ ଦଣ୍ଡ ଭୋଗକଲା ନାହିଁ । ନିଜ ମନୋଭାବର ପରିବର୍ତ୍ତନ କରିବା ନିମନ୍ତେ ତାକୁ ଯଥେଷ୍ଟ ସମୟ ଦେବାପାଇଁ ହିଁ ତାକୁ ଏହି ଦଣ୍ଡ ଦିଆଗଲା । ୧୫ ବର୍ଷ ଜେଲ ଭୋଗିବା ପରେ ବାକି ଯେତେଦିନ ଆୟୁ ରହିଲା ତାକୁ ଆଉରି କମାଇ ଦେବାକୁ ଅନନ୍ତ ମନ କରିବ ନାହିଁ ବୋଲି ଆଶାରଖି ବିଚାରପତିମାନେ ତାକୁ ଏହି ଦଣ୍ଡ ଦେଲେ ।

Image

 

ବାୱଲା ହତ୍ୟାକାଣ୍ଡ

 

ମାଲବାର ହିଲ ନିକଟରେ ବମ୍ବେର ଅନ୍ୟତମ ବିଶିଷ୍ଟ ନାଗରିକ ତଥା ନଗରପାଳ ଶ୍ରୀ ବାୱଲାଙ୍କୁ ଯେତେବେଳେ ହତ୍ୟା କରାଗଲା ସେତେବେଳେ ଭାରତୀୟ ରାଜାମାନଙ୍କର ବିଶେଷ ସୁନାମ ନଥିଲା । ଦେଶୀୟ ରାଜ୍ୟଗୁଡ଼ିକରେ କୌଣସି ଘଟଣା ବା ମକଦ୍ଦମାର ବିଶେଷ ବିବରଣୀ ଜଣାପଡ଼ିଲେ ତାହା ଖବରକାଗଜ ଗୁଡ଼ିକର ପ୍ରଥମ ପୃଷ୍ଠା ମଣ୍ଡନ କରୁଥିଲା ଏବଂ ବିଭିନ୍ନ ଘଟଣାରେ ଇନ୍ଦୋର; ପାତିଆଲା, ଭରତପୁର; ଆଲାୱାର ଓ ଅନ୍ୟାନ୍ୟ ରାଜାମାନଙ୍କ ବିରୁଦ୍ଧରେ ଭାରତ ସରକାରଙ୍କ ଚାଞ୍ଚଲ୍ୟକର ତଥ୍ୟ ସମ୍ବଳିତ ପିଟିସନ ବା ଆବେଦନ ପତ୍ରମାନ ଜନସାଧାରଣଙ୍କ ପକ୍ଷରୁ ଦିଆଯାଉଥିଲା; କିନ୍ତୁ ଦେଶୀୟ ରାଜାମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର ସେତେବେଳେ ଆଦୌ ପ୍ରସ୍ତୁତ ନଥିଲେ । ଏହି ରାଜ୍ୟ ଗୁଡ଼ିକରେ କଣ ହେଉଛି ସେତେବେଳେ ଲର୍ଡ଼ ରିଡ଼ିଙ୍ଗଙ୍କ ସରକାର ଜାଣି ମଧ୍ୟ ନ ଜାଣିଲା ପରି ରହୁଥିଲେ । ଯଦି ଭାଗ୍ୟକୁ ସେଦିନ ‘‘ଗୋଲ୍‌ଫ’’ ଖେଳସାରି ଫେରିଲା ବେଳେ ଚାରିଜଣ ବ୍ରିଟିଶ ଅଫିସର ଭୁଲ ବାଟରେ ଆସି ନଥାନ୍ତେ ତେବେ ଇନ୍ଦୋର ମହାରାଜା ଗାଦିଚ୍ୟୁତ ହୋଇ ନଥାନ୍ତେ କି ନିଜର କାହାଣୀ କହିହାକୁ ଓ ଆତତାୟୀମାନଙ୍କୁ ଚିହ୍ନୋଟ କରିବାକୁ ‘‘ମମତାଜ୍‌ ବେଗମ୍‌'’ ମଧ୍ୟ କହି ନଥାନ୍ତେ ।

 

୧୯୨୫ ମସିହା ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଅମୃତସରର ଜନୈକା ନର୍ତ୍ତକୀ ମମତାଜର ନାମ କିଏ ହେଲେ ଶୁଣି ନଥିଲେ । ପରବର୍ତ୍ତୀ କାଳରେ ଏହି ଯୁବତୀର ପ୍ରେମସୁଧା ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଭାଗ୍ୟକୁ ନିୟନ୍ତ୍ରଣ କଲା । ସେତେବେଳକୁ ଅବଶ୍ୟ ଇନ୍ଦୋର ବମ୍ବେ ଓ ହାଇଦ୍ରାବାଦରେ ତାର ଯଶ ବ୍ୟାପିଯାଇଥିଲା । ଶହ ଶହ ବର୍ଷ ଧରି ନିଜର ସୌନ୍ଦର୍ଯ୍ୟ ଓ ଅନୁରାଗକୁ ନେଇ ସଉଦା କରୁଥିବା ଏକ ପରିବାରରେ ମମତାଜ ଜନ୍ମ ହୋଇଥିଲା । ତାର ସୌନ୍ଦର୍ଯ୍ୟ ଥିଲା ଅନୁପମ । ତେଣୁ ତାର ସୌନ୍ଦର୍ଯ୍ୟ ପୁଷ୍ପ ବିକଶିତ ହେବାକ୍ଷଣି ଡୁକୋଜି ରାଓ ହୋଲକର ତାକୁ ପାଇବାପାଇଁ ବ୍ୟାକୁଳ ହେବା କିଛି ଅସ୍ଵାଭାବିକ ନ ଥିଲା ଏବଂ ଦୀର୍ଘ ଦଶବର୍ଷ କାଳ ମମତାଜ ହୋଲକରଙ୍କ ମନ ଉଦ୍ୟାନକୁ ମଣ୍ଡନ କରିବା ପରେ ସେ ଯେତେବେଳେ ଚାଲିଗଲା ତାକୁ ଫେରି ପାଇବା ପାଇଁ ହୋଲକରଙ୍କ ପକ୍ଷରୁ ସମସ୍ତ ଷଡ଼ଯନ୍ତ୍ର ଆରମ୍ଭ ହୋଇଗଲା-। ହୋଲକରଙ୍କ ପରେ ବାୱାଲା ଏବଂ ତାଙ୍କ ପରେ ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ମମତାଜର ସାନ୍ନିଧ୍ୟ ଲାଭପାଇଁ ପାଗଳ ହୋଇଉଠିଲେ ।

 

୧୯୨୪ ମସିହା ଜୁନ ୨୪ ତାରିଖ ଦିନ ମମତାଜର ମା ୱାଜିର ବେଗମ୍‌ ବମ୍ବେସ୍ଥ ଚିଫ୍‌ ପୋଲିସ୍‌ କମିଶନରଙ୍କ ନିକଟରେ ଇନ୍ଦୋରର ରାଜା ଡୁକୋଜି ରାଓ ହୋଲକରଙ୍କ ବିରୁଦ୍ଧରେ ଆବେଦନ କଲା । ଓ୍ୱାଜିର ବେଗମ୍‌ ତାର ଯୌବନରେ ଜଣେ ଗାୟିକା ରୂପେ ଖ୍ୟାତି ଅର୍ଜନ କରିଥିଲା । ତାର ଏହି ଦରଖାସ୍ତଟିକୁ ପ୍ରାପ୍ତି ସ୍ଵୀକାର ପୂର୍ବକ ସରକାରୀ ଫାଇଲ ଭିତରେ ଚାପି ଦିଆଗଲା । ପରବର୍ତ୍ତୀ ଘଟଣାବଳୀରୁ ୱାଜିରର ଆଶଙ୍କା ଅମୂଳକ ନଥିବା ପ୍ରମାଣିତ ହେଲା । ମାଲବାରହିଲ ଘଟଣା ପରେ ଲାହୋରରୁ ପ୍ରକାଶ ପାଉଥିବା ‘‘ସିଭିଲ ଆଣ୍ଡ ମିଲିଟାରୀ ଗେଜେଟ’’ରେ ପ୍ରଥମ ଥର ପାଇଁ ଉକ୍ତ ଆବେଦନ ପତ୍ରଟି ପ୍ରକାଶ ପାଇଥିଲା । ଉକ୍ତ ଆବେଦନ ପତ୍ରର ବିଷୟବସ୍ତୁ ହେଉଛି ଏହି—

 

ମୁଁ ବୃତ୍ତିରେ ଜଣେ ଗାୟିକା ଏବଂ ମୋର ଝିଅ ମଧ୍ୟ ଜଣେ ଗାୟିକା । ୧୯୧୭ ମସିହାରେ ମହାମାନ୍ୟ ତୁକୋଜିରାଓ ହୋଲକର ମୋତେ ଓ ମୋର ଝିଅକୁ ଏକ ନିର୍ଦ୍ଦଷ୍ଟ ଦରମା ହାରରେ ତାଙ୍କ ଦରବାରର ଗାୟିକା ରୂପେ ନିଯୁକ୍ତ କଲେ । ମୋର ଝିଅ ଋତୁମତୀ ହେବା ପରେ ମହାରାଜା ତାକୁ ତାଙ୍କର ଅନ୍ୟତମ ଉପପତ୍ନୀ ରୂପେ ରଖିଲେ ଏବଂ ଆମ ଦୁଇଜଣଙ୍କ ଉପରେ ଦିନରାତି ସତର୍କ ଦୃଷ୍ଟି ରଖାଗଲା ।

 

୧୯୧୯ ମସିହା ଏପ୍ରିଲ ମାସରେ ମହାରାଜା ବମ୍ବେକୁ ଆସିଲେ ଏବଂ ତାଙ୍କ ସାଙ୍ଗରେ ଆମକୁ ମଧ୍ୟ ଆଣିଲେ । ମହାରାଜା ତାଜମହଲ ହୋଟେଲରେ ରହିଲେ ଏବଂ ଆମକୁ ସ୍ୱତନ୍ତ୍ର ଭାବେ ‘‘ନେପିନ୍‌-ସି-ରୋଡ଼ସ୍ଥ’’ ‘‘ହୁସେନ୍‌ ଭାଇ’’ ବଙ୍ଗଳାରେ ସତର୍କ ପ୍ରହରା ମଧ୍ୟରେ ରଖାଗଲା ।

 

ଏପ୍ରିଲ ୨୭ ତାରିଖ ଦିନ ମହାରାଜା ତାଙ୍କର ଜନୈକ ମ୍ୟାନେଜର ଶଙ୍କର ରାଓ ବାପୁ ରାଓଙ୍କ ସହାୟତାରେ ମୋ ପାଖରୁ ମୋ ଝିଅକୁ ସିନେମା ଦେଖାଇବା ବାହାନାରେ ନେଇଯାଇ ତାକୁ ମୋର ବିନାନୁମତିରେ ଇନ୍ଦୋରକୁ ପଠାଇଦେଲେ । ସେତେବେଳେ ତାକୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା । ମୁଁ ସେତେବେଳେ ବମ୍ବେର ତଦାନୀନ୍ତନ ପୋଲିସ୍‌ କମିଶନରଙ୍କ ନିକଟରେ ଆପତ୍ତି ଅଭିଯୋଗ କଲି ଏବଂ ଏହାର ପରିଣତି ସ୍ୱରୂପ ଶଙ୍କର ରାଓ ବାପୁ ରାଓ ଗିରଫ ହେଲେ ଏବଂ ପୋଲିସ୍‌ ତଦନ୍ତ ଆରମ୍ଭ କଲା କିନ୍ତୁ ମୋ ଝିଅର ଜନ୍ମ ତାରିଖ ସମ୍ପର୍କରେ କୌଣସି ପ୍ରମାଣିକ ତଥ୍ୟ ନ ମିଳିବାରୁ ଏହି ତଦନ୍ତ କାର୍ଯ୍ୟ ବନ୍ଦକରି ଦିଆଗଲା ଏବଂ ମୋର ଝିଅ ଇନ୍ଦୋର ମହାରାଜାଙ୍କ ନିୟନ୍ତ୍ରଣ ଓ କର୍ତ୍ତୃତ୍ୱାଧୀନ ହୋଇ ରହିଲା ।

 

୧୯୨୧ ମସିହା ଏପ୍ରିଲ ମାସରେ ମହାରାଜା ଇଂଲଣ୍ଡ ଗଲେ ଏବଂ ତାଙ୍କରି ନିର୍ଦ୍ଦେଶରେ ମୋର ଝିଅକୁ ଗୁପ୍ତରେ ବମ୍ବେ ଅଣାଯାଇ ଚଉପାଟିସ୍ଥ ଏକ ବଙ୍ଗଳାରେ ରଖାଯାଇଛି ବୋଲି ମୁଁ ଜାଣିବାକୁ ପାଇଲି । ସେଠାରୁ ତାକୁ ‘‘କମଳା ବାଈ’’ ନାମରେ ଇଂଲଣ୍ଡକୁ ନେଇଯିବା ପାଇଁ ଶଙ୍କର ରାଓ ବାପୁରାଓକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ମଧ୍ୟ ମୁଁ ଖବର ପାଇଲି । ଏପ୍ରିଲ ୩୦ ତାରିଖ ଦିନ ପୋଲିସ୍‌ କମିଶନରଙ୍କ ନିକଟରେ ମୁଁ ଫୌଜଦାରି ଦଣ୍ଡବିଧି ଆଇନ୍‌ର ୧୦୦ ଧାରା ଅନୁଯାୟୀ ଶଙ୍କର ରାଓଙ୍କୁ ଅଭିଯୁକ୍ତ କରି ଏକ ଆପତ୍ତି ଦରଖାସ୍ତ ଦାଖଲ କଲି । ପୋଲିସ୍‌ କମିଶନର ବମ୍ବେ ପୋଲିସ ବିଭାଗର ଶ୍ରୀ ଫୁଲର ନାମକ ଜନୈକ ବ୍ୟକ୍ତିଙ୍କ ହାତରେ ଏହି ଅଭିଯୋଗର ତଦନ୍ତଭାର ଅର୍ପଣ କଲେ ଏବଂ ମୋ ଝିଅ ଷ୍ଟିମରରେ ବସିଥିଲା ବେଳେ ଜଣେ ୟୁରୋପୀୟ ମହିଳା ତା ସହିତ ସାକ୍ଷାତ୍‌ ଆଲୋଚନା କରି ସେ ସ୍ୱେଚ୍ଛାରେ ଇଂଲଣ୍ଡ ଯାଉଛି ବୋଲି ଖବର ଦେବାରୁ ତାକୁ ଇଂଲଣ୍ଡ ଅଭିମୁଖେ ଯିବାକୁ ଅନୁମତି ଦିଆଗଲା । ମୋ ଝିଅକୁ ଦେଖିବା ପାଇଁ ମୋତେ ଅନୁମତି ମିଳି ନଥିଲା କିମ୍ବା ମୋ ଉପସ୍ଥିତିରେ ତାକୁ ପ୍ରଶ୍ନ କରାଯାଇ ନ ଥିବାରୁ ତାର ଏ ଉତ୍ତରର କିଛି ମୂଲ୍ୟ ନ ଥିଲା ।

 

ପ୍ରାୟ ଅଢ଼େଇ ବର୍ଷତଳେ ମୁଁ ମହମ୍ମଦ ଆଲ୍ଲୀଙ୍କୁ ବିବାହ କଲି । ସେ ପର୍ଯ୍ୟନ୍ତ ମୋ ଝିଅକୁ ଏକ ପ୍ରକାର ବନ୍ଦୀରୂପେ ରଖାଯାଇଥିଲା ଏବଂ ମୋତେ କିମ୍ବା ମୋର ଅନ୍ୟ କୌଣସି ଆତ୍ମୀୟଙ୍କୁ ତାକୁ ଦେଖିବା ନିମନ୍ତେ ଅନୁମତି ଦିଆଯାଉ ନଥିଲା । ମୋ ଝିଅ ଭାରତକୁ ଫେରିବାର ପ୍ରାୟ ବର୍ଷକ ପରେ ଗର୍ଭବତୀ ହେଲା । ତାର ସାତ ମାସ ଗର୍ଭ ହେବାପରେ ମୋର ଆକୁଳ ମିନତି କ୍ରମେ ମୋତେ ଓ ମୋର ପରିବାରବର୍ଗଙ୍କୁ ଇନ୍ଦୋର ଡକାଗଲା ଏବଂ ସତର୍କ ପ୍ରହରା ମଧ୍ୟରେ ଝିଅ ସହିତ ରହିବାକୁ ଆମକୁ ଅନୁମତି ଦିଆଗଲା । ଠିକ୍‌ ସମୟରେ ତାର ଏକ କନ୍ୟା ସନ୍ତାନ ଜାତହେଲା; କିନ୍ତୁ ସନ୍ତାନଟି ଜନ୍ମ ହେବାକ୍ଷଣି ମରିଗଲା ବୋଲି ନର୍ସ ଆମକୁ ଖବର ଦେଲା । ଏ ଘଟଣା ମୋ ଝିଅକୁ ଏଭଳି ବ୍ୟଥିତ କରିପକାଇଲା ଯେ ମହାରଜାଙ୍କ ସହିତ କ୍ଷଣମାତ୍ର ରହିବାପାଇଁ ଆଉ ମନ କଲାନାହିଁ । କିନ୍ତୁ ଆମେ ସତର୍କ ପ୍ରହରା ଭିତରେ ଥିବାରୁ ପ୍ରାସାଦ ଛାଡ଼ିଯିବା ଆମ ପକ୍ଷେ ସମ୍ଭବ ହେଲାନାହିଁ ।

 

୧୯୨୪ ମସିହା ଫେବୃଆରୀ ମାସରେ ଆମେ ଭାନପୁରକୁ ଯିବା ନିମନ୍ତେ ମହାରାଜାଙ୍କ ନିର୍ଦେଶ ପାଇଲୁ । ମହାରଜା ସେଠାକୁ ଶିକାର ପାଇଁ ଯାଇଥାନ୍ତି । ଆମେ ଚାକରବାକର ଏବଂ ମହାରାଜାଙ୍କ ପ୍ରାସାଦର ଜଣେ ଅଫିସର ଶ୍ରୀ ସୁଲେଙ୍କ ତତ୍ୱାବଧାନରେ ଥିବା ରକ୍ଷୀବର୍ଗଙ୍କ ସହ ସେଠାକୁ ଗଲୁ । ଗଲାବେଳେ ଆମେ ସାଙ୍ଗରେ ବେଶି କିଛି ଜିନିଷପତ୍ର ନେଇ ନଥିଲୁ । ଇନ୍ଦୋର ଛାଡ଼ିଲାବେଳେ କେତୋଟି ଲୁଗା ଏବଂ ସାଧାରଣ ଅଳଙ୍କାରପତ୍ର ଆଦି ଛଡ଼ା ଅନ୍ୟ କିଛି ଆମେ ନେଇ ନଥିଲୁ । ଆମର ସମସ୍ତ ମୂଲ୍ୟବାନ ଗହଣାପତ୍ର ଆଦି ମହାରାଜାଙ୍କ ଦାୟିତ୍ଵରେ ରଖି ଆସିଥିଲୁ । ଇନ୍ଦୋରରେ ଏବଂ ଭାନପୁରରେ ମହାରାଜା ମୋର ଝିଅକୁ ଅଶାନ୍ତି ଭୋଗୁଥିବା ଦେଖି ଇଚ୍ଛାକଲେ ସେ ଇନ୍ଦୋର ଛାଡ଼ି ଚାଲି ଯାଇପାରେ ବୋଲି କହିଥିଲେ; କିନ୍ତୁ ଏହି ମର୍ମରେ ସେ କୌଣସି ଲିଖିତ ନିର୍ଦ୍ଦେଶ ଦେଇ ନଥିଲେ । ଭାନ୍‌ପୁରରେ କିଛିଦିନ ରହିଲା ପରେ ଆମକୁ ମସୋରି ଯିବାପାଇଁ ନିର୍ଦ୍ଦେଶ ମିଳିଲା ଏବଂ ସେତେବେଳେ ମୁଁ ବମ୍ବେ ଓ ଦିଲ୍ଲୀର ପୋଲିସ୍‌ କମିଶନରଙ୍କୁ ସେମାନଙ୍କର ସାହାଯ୍ୟ ଭିକ୍ଷାକରି ଆବେଦନ କଲି । ଆମେ ଦିଲ୍ଲୀରେ ୧୯୨୪ ମସିହା ମାର୍ଚ୍ଚ ୨୨ ତାରିଖରେ ପହଞ୍ଚିଲୁ ଏବଂ ଦିଲ୍ଲୀରେ ପହଞ୍ଚିବାକ୍ଷଣି ମୁଁ ଭାଇସ୍‌ରାୟ ଏବଂ ଦିଲ୍ଲୀର ପୋଲିସ୍‌ କମିଶନରଙ୍କ ନିକଟକୁ ତାର ବାର୍ତ୍ତା ପଠାଇଲି । ସେଠାରେ ଆମେ ମସୋରି ଯିବାପାଇଁ ମନା କରିଦେଲୁ ଏବଂ ତା ବଦଳରେ ଅମୃତସର ଯିବାପାଇଁ ଇଚ୍ଛା ପ୍ରକାଶ କଲୁ । ଉପରୋକ୍ତ ଶ୍ରୀ ସୁଲେ ଓ ଅନ୍ୟାନ୍ୟ ରକ୍ଷୀବର୍ଗ ସେଠାରେ ପାଟିତୁଣ୍ଡକରି ଆମକୁ ସେମାନଙ୍କ କର୍ତ୍ତୃତ୍ୱାଧୀନକୁ ନେଇଯିବା ପାଇଁ ଧମକଦେଲେ କିନ୍ତୁ ରେଳବାଇ ପୋଲିସ ଏ ଘଟଣାରେ ହସ୍ତକ୍ଷେପ କରିବା ଫଳରେ ଆମେ ଅମୃତସର ଯିବାକୁ ସକ୍ଷମ ହେଲୁ । ସେଠାରୁ ଆମେ ମହାରାଜାଙ୍କ ନିକଟକୁ ଟେଲିଗ୍ରାମ ପଠାଇ ୧୯୨୪ ମସିହା ମାର୍ଚ୍ଚ ୨୩ ତାରିଖ ଦିନ ତାର ଉତ୍ତର ପାଇଲୁ । ଆମେ ଅମୃତସରର ଡେପୁଟି କମିଶନରଙ୍କ ନିକଟକୁ ମାର୍ଚ୍ଚ ୨୫ ତାରିଖ ଦିନ ଏକ ପିଟିସନ ପଠାଇଥିଲୁ କିନ୍ତୁ ସେ ତାହା ପାଇଲେ ନାହିଁ ।

 

ମହାରାଜାଙ୍କ ଲୋକେ ଆମକୁ ଅମୃତସର ପର୍ଯ୍ୟନ୍ତ ଅନୁସରଣ କଲେ ଏବଂ ବହୁବିଧ ଉପାୟରେ ଆମକୁ ଭୟଭୀତ କରାଇଲେ । ମହାରାଜାଙ୍କ ଭୃତ୍ୟବର୍ଗଙ୍କ ମୁଖ୍ୟ ଶ୍ରୀ ରାମ ବାବୁ ଅମୃତସରରେ ଆମକୁ ଦେଖା କରି ଆମେ ଇନ୍ଦୋର ଫେରି ନ ଗଲେ ପରିଣତି ଭୟାବହ ହେବ ବୋଲି ଧମକାଇଲେ; ଏହା ସତ୍ତ୍ୱେ ଆମେ ଇନ୍ଦୋର ଫେରିଲୁ ନାହିଁ ।

 

ଅମୃତସରରେ ଥିଲାବେଳେ ଆମର ଡ୍ରାଇଭର ଜରିଆରେ ବିହାରିଲାଲ ନାମକ ଜଣେ ବ୍ୟକ୍ତି ମୋ ସ୍ଵାମୀଙ୍କ ସମ୍ପର୍କରେ ଆସିଲା । ଏହି ବିହାରିଲାଲ ଜଣକ କିଏ ତାହା ଆମେ ସେତେବେଳେ ଜାଣି ନ ଥିଲୁ; କିନ୍ତୁ ସେ ଆମକୁ ମିଛରେ କହିଥାଏ ଯେ ସେ ଜଣେ ଶାଲ ବ୍ୟବସାୟୀ । ତାର ଦିଲ୍ଲୀରେ ଟି. ଆର ଆର. ଟି ଦାସ ମଣିଲାଲ ଆଣ୍ଡ କୋ. ନାମରେ ଏକ ପ୍ରତିଷ୍ଠାନ ଅଛି ଏବଂ ବମ୍ବେରେ ମଧ୍ୟ ତାର ଏକ ଦୋକାନ ଅଛି । ତାର ଜଣେ ଭାଇ ବାରିଷ୍ଟର ଓ ଅନ୍ୟ ଜଣେ ଭାଇ ବୁଲକି ଦାସ ବି.ବି ଓ ସି. ଆଇ. ରେଲୱେର ସହକାରୀ କନସଲଟିଂ ଇଞ୍ଜିନିୟର-। କଥିତ ବିହାରିଲାଲକୁ ଆମେ ଆମର କାଗଜପତ୍ର ସବୁ ଦେଖାଇଲୁ ଏବଂ ସେ ଆମକୁ ଇନ୍ଦୋରର ମହାରଜାଙ୍କ ବିରୁଦ୍ଧରେ ମକଦ୍ଦମା କରିବା ପାଇଁ ସବୁମନ୍ତେ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଲା । ସେ ଆମକୁ ବମ୍ବେ ଯାଇ ତାର ଭାଇ ଅନ୍ଧେରିରେ ରହୁଥିବା ବଙ୍ଗଳାରେ ରହିବାକୁ ଉପଦେଶ ଦେଲା ଓ ଆମ ସାଙ୍ଗରେ ତାର ଜଣେ ଚାକର ରାମଲାଲକୁ ମଧ୍ୟ ପଠାଇଲା । ଆମେ ସେଠାରୁ ପ୍ରଥମେ ନାଗପୁର ଓ ପରେ ବମ୍ବେକୁ ଗଲୁ । ଜୁନ୍ ୧୮ ତାରିଖରେ ନାଗପୁର ବୁଲକି ଦାସ ଆମକୁ ଭିକ୍‌ଟୋରିଆ ଛକରେ ସାକ୍ଷାତ କଲା ଏବଂ ଅନ୍ଧେରି ପରିବର୍ତ୍ତେ ଭେରସୋଭାରେ ଥିବା ତାର ବଙ୍ଗଳାକୁ ନେଲା ।

 

ଭେରସୋଭାରେ ଥିବାବେଳେ ସେ ଜାଗା ଆମକୁ ଭାରି ନିଛାଟିଆ ବୋଧହେଲା ଏବଂ ଆମର ନୂତନ ବନ୍ଧୁ ବର୍ଗ ମହାରଜାଙ୍କ ଲୋକ ଓ ଆମକୁ ମାରିବାପାଇଁ କିମ୍ବା ଆମର କ୍ଷତି ଘଟାଇବାକୁ ସେମାନେ ରାମବାବୁର ଇଙ୍ଗିତରେ କାମ କରୁଛନ୍ତି ବୋଲି ଆମେ ଖବର ପାଇଲୁ । ଏହାପରେ ଆମେ ସେ ସ୍ଥାନ ଛାଡ଼ି ମଦନପୁରାରେ ହକିମ ପ୍ରାସାଦରେ ରହିବାକୁ ମନସ୍ଥ କଲୁ । ବୁଲକି ଦାସ ଆମକୁ ସେ ସ୍ଥାନ ଛାଡ଼ି ନ ଯିବା ପାଇଁ ବହୁତ ବୁଝାଇଲା; କିନ୍ତୁ ଆମେ ତା କଥାରେ ରାଜି ନ ହେବାରୁ ମଦନପୁରାରେ ଆମର ଦେଖା ଚାହାଁ କରିବା ପାଇଁ ତାର ଜଣେ ଚାକର ରାମଲାଲକୁ ଆମସହ ପଠାଇଲା । ଆମେ ଭେରସୋଭାରୁ ଆସିବା ପୂର୍ବରୂ ବମ୍ବେ ପୋଲିସ ବିଭାଗର ପୂର୍ବୋକ୍ତ ଅଫିସର ଶ୍ରୀ ଫୁଲରଙ୍କୁ ସାକ୍ଷାତ କଲୁ ଏବଂ ସେ ଆମକୁ ତୁରନ୍ତ ଭେରସୋଭା ତ୍ୟାଗ କରିବା ପାଇଁ ଉପଦେଶ ଦେଲେ ।

 

ଆମେ ହକିମ ପ୍ରାସାଦରେ ରହିବାପରେ ରାମଲାଲ ଦିନେ ଦୁଇଦିନ ପାଇଁ ବାହାରକୁ ଗଲା ଏବଂ ୧୯୨୪ ମସିହା ଜୁନ ୨୫ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିହାରିଲାଲ ସହ ଫେରିଲା । ଉଭୟେ ସେହି ରାତିକ ପାଇଁ ଆମଘରେ ରହିଲେ । ୨୬ ତାରିଖ ସକାଳେ ମୋର ସ୍ଵାମୀ ପ୍ରାର୍ଥନା କରିବାକୁ ଗଲେ ଏବଂ ଗଲାବେଳେ ସେ ତାଙ୍କ ଶେଯତଳେ ଟଙ୍କା ପଇସା ଓ କାଗଜପତ୍ର ଆଦି ରଖି ଦେଇଥିଲେ । ସେହି ଘରେ ରାମଲାଲ ଓ ବିହାରିଲାଲ ଶୋଇଥାନ୍ତି । ପ୍ରାର୍ଥନା ସାରି ମୋର ସ୍ଵାମୀ ଫେରିଲାବେଳକୁ କୋଠା ପାହାଚରେ ସେ ବିହାରିଲାଲକୁ ଭେଟିଲେ ଏବଂ ଏତେ ସକାଳୁ କୁଆଡ଼େ ଯାଉଛି ବୋଲି ପଚାରିଲେ । ସେ ଚାହାଖାଇ ଶୀଘ୍ର ଫେରିଆସିବ ବୋଲି କହିଲା କିନ୍ତୁ ସେ ଆଉ ଫେରିଲା ନାହିଁ ।

 

ମୋ ସ୍ଵାମୀ ନିଜ ବଖରାକୁ ଫେରିଲାବେଳେ ଦେଖିଲେ ଯେ ରାମଲାଲ ଲୁଗାପଟା ପିନ୍ଧି ଯିବାକୁ ପ୍ରସ୍ତୁତ ହେଉଛି । ସେ ସନ୍ଦେହ କରି ନିଜେ ରଖି ଯାଇଥିବା ୧୪୯୦ ଟଙ୍କା ଓ କାଗଜପତ୍ର ଖୋଜିଲେ କିନ୍ତୁ ସେତେବେଳକୁ ସେସବୁ କିଛି ନଥିଲା । ସେ ରାମଲାଲକୁ ଏହି ଟଙ୍କା ଓ କାଗଜପତ୍ର କଥା ପଚାରିବାରୁ ବିହାରିଲାଲ ଏସବୁକୁ ନେଇ ଯାଇଛି ବୋଲି କହିଲା । ଆମେ ଏହାପରେ ରାମଲାଲକୁ ପୋଲିସ ହାତରେ ଅର୍ପଣ କଲୁ ଏବଂ ସେ ଆମକୁ କହିଲା ଯେ ସେ ରାମଲାଲ । ସଦଳବଳେ ମହାରାଜାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀରାମ ବାବୁର ଇଙ୍ଗିତରେ ଏହି କାର୍ଯ୍ୟରେ ମୁତୟନ ହୋଇଥିଲା । ମୋ ସ୍ୱାମୀଙ୍କୁ ଲିଖିତ ଭାବେ ସେ ଏହି ମର୍ମରେ ଯାହା ଜଣାଇଥିଲା ତାହା ହେଉଛି ଏହି ଯେ ତା ଦଳର ସଭ୍ୟମାନଙ୍କ ନାମ ହେଉଛି–

 

(୧) ବିହାରିଲାଲ, ଯେ କି ଶାଲ ବ୍ୟବସାୟୀ ନୁହେଁ ମାତ୍ର ଇନ୍ଦୋର ଦରବାରର ଜଣେ ଆକାଉଣ୍ଟାଣ୍ଟ ଏବଂ ସେ ଇନ୍ଦୋରର ଇମଂହି ବଜାରରେ ରହେ (୨) ଆନ୍ନା ସାହେବ, ମହାରାଜାଙ୍କର ଏ. ଡି. ସି. ଏବଂ ଚଉପାଟିରେ ସେ ରହେ (୩) ବୁଲକି ଦାସ—ବିହାରିଲାଲର ଜନୈକ ବନ୍ଧୁ ଏବଂ ମଣିଲାଲ ଆଣ୍ଡ କୋ.ର ମାଲିକ ଆର.ଏସ. ଦାସର ଜଣେ ଭାଇ । ଏହି ଦଳର ସବୁ ଚିଠିପତ୍ର ଦିଲ୍ଲୀକୁ ଏହି ଠିକଣାରେ ଯାଉଥିଲା । ରାମଲାଲକୁ ଆମର ଚାକର ରୂପେ ରହି କାମ କରି ସମସ୍ତ ଖବର ଯୋଗାଇବା ନିମନ୍ତେ ମାସିକ ୨୦୦ ଟଙ୍କା ବେତନରେ ବିହାରିଲାଲ ଓ ଶ୍ରୀରାମ ବାବୁ ନିଯୁକ୍ତ କରିଥିଲେ । (୪) ନାଥୁବାଈ (ମୋର ଭଉଣୀ) କିଛିଦିନ ମାସିକ ୩୦୦ ଟଙ୍କା ବେତନରେ ଇନ୍ଦୋର ପ୍ରାସାଦରେ ନିଯୁକ୍ତି ପାଇଛି ଏବଂ ଏହାଛଡ଼ା ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିଯୁକ୍ତି କରାଯାଇଛି ଯେଉଁ ମାନଙ୍କୁ କି ଆମେ ଜାଣିନାହୁଁ ।

 

ରାମଲାଲର କହିବା ଅନୁଯାୟୀ ଏହି ଦଳର ଲକ୍ଷ୍ୟ ଥିଲା ମୋ ଝିଅକୁ ଜବରଦସ୍ତ ଇନ୍ଦୋର ନେଇଯାଇ ସେଠାରେ ତାର ନାକ କାଟିଦେବା ଏବଂ ମୋତେ ଓ ମୋ ସ୍ଵାମୀକୁ ଯେ କୌଣସିମତେ ହତ୍ୟା କରିବା ।

ଏହି ପରିସ୍ଥିତିରେ ଆମ୍ଭେମାନେ ଉକ୍ତ ଦଳର କାର୍ଯ୍ୟରେ ଆତଙ୍କିତ ହୋଇ ପଡ଼ିଛୁ ଏବଂ ଏ ଘଟଣାର ତୁରନ୍ତ ତଦନ୍ତ କରି ଉଲ୍ଲିଖିତ ପକ୍ଷ ଆମର ଯେପରି କୌଣସି କ୍ଷତି ସାଧନ ନ କରନ୍ତି ସେଥିପାଇଁ ସେମାନଙ୍କୁ ସତର୍କ କରାଇ ଦେବାକୁ ମୁଁ ନିଶ୍ଚେଁ ନିବେଦନ କରୁଛି । ଆହୁରି ମଧ୍ୟ ଆମେ ବମ୍ବେର ପୋଲିସ ସୁପରିନଟେଣ୍ଡେଣ୍ଟ ଶ୍ରୀ ଫୁଲରଙ୍କ ବାସଭବନ ନିକଟରେ ରହୁଥିବାରୁ ସେ ପୂର୍ବରୁ ଏହି ଘଟଣାସବୁ ଜାଣିଥିବାରୁ ତାଙ୍କୁ ଏହି ଅଭିଯୋଗର ତଦନ୍ତ ଭାର ଦିଆଯାଉବୋଲି ଆମେ ପ୍ରାର୍ଥନା କରୁଛୁ ।

ବମ୍ବେରେ ସେ ପ୍ରଶାସନଠାରୁ ସନ୍ତୋଷଜନକ ସାହାଯ୍ୟ ନ ପାଇବା ଫଳରେ ୱାଜିର ବେଗମ୍ ନିଜର କନ୍ୟା ମମତାଜ ସହ ନିରାପଦରେ ରହିବାକୁ ଉତ୍ତର ଭାରତକୁ ଚାଲି ଆସିଲା । ଡିସେମ୍ବର ୨୯ ତାରିଖ ଦିନ ବମ୍ବେର ପୋଲିସ କମିଶନରଙ୍କୁ ଆବେଦନ କରିବାର ଦୀର୍ଘ ଛ’ମାସ ପରେ ସେ ପୁନରାୟ ଅମୃତସରର ଡେପୁଟି କମିଶନରଙ୍କ ନିକଟକୁ ଏକ ପତ୍ର ଲେଖି ତାଙ୍କର ଅଭୟ ଭିକ୍ଷାକଲା । ଏହା ସହିତ ଜୁନ୍‌ ୨୪ ତାରିଖରେ ଲେଖିଥିବା ପତ୍ରର ନକଲ ମଧ୍ୟ ସଂଲଗ୍ନ କଲା । ଉକ୍ତ ପତ୍ରରେ କହିଥିଲା—

୧୯୨୪ ମସିହା ଜୁନ୍‌ ୩୦ ତାରିଖ ଦିନ ଏହି ଆବେଦନକାରିଣୀ ଆପଣଙ୍କ ପାଖକୁ ଲେଖିଥିବା ପତ୍ରରେ ଇନ୍ଦୋରର ମହାରାଜା ତୁକୋଜିରାଓ ହୋଲକର ମୋ ପ୍ରତି, ମୋ ଝିଅ ପ୍ରତି ଓ ମୋ ପରିବାରବର୍ଗଙ୍କ ପ୍ରତି କିପରି ମନ୍ଦ ବ୍ୟବହାର ପ୍ରଦର୍ଶନ କରିଥିଲେ ତାହା ଦର୍ଶାଇଥିଲା । ମୁଁ ଓ ମୋର ପରିବାରବର୍ଗ ଏବେ ବି ମହାରାଜାଙ୍କ ଲୋକଙ୍କ ଦାଉରୁ ରକ୍ଷା ପାଇନାହୁଁ ଏବଂ ସେମାନେ ଆମ ପଛରେ ଛାଇଭଳି ଲାଗିଛନ୍ତି ଓ ଆମକୁ ବିପଦରେ ପକାଇବା ଲାଗି ଉଦ୍ୟମ କରୁଛନ୍ତି । ନଭେମ୍ବର ମାସରେ ମୁଁ ସପରିବାର ଅମୃତସରକୁ ଫେରି ଆସିଛି । ସେହି ଦିନଠାରୁ ମହାରଜାଙ୍କ ଲୋକ ମୋର କ୍ଷତି ସାଧନ କରିବେ ବୋଲି ମୁଁ ଆଶଙ୍କା କରୁଛି । ମହାରାଜାଙ୍କ ଭଳି ଜନୈକ ବ୍ୟକ୍ତି ନିଜର ପଦାଧିକାର ଓ ସମ୍ପତ୍ତି ବଳରେ ମୋ ଭଳି ଜଣେ ଅକିଞ୍ଚନ ବ୍ୟକ୍ତିର ଯେ କୌଣସି କ୍ଷତି କରିବାର ଆଶଙ୍କା ରହିଥିବାରୁ ମୁଁ ତାଙ୍କ କବଳରୁ ରକ୍ଷା ପାଇବା ଲାଗି ସରକାରଙ୍କ ଅଭୟ ଭିକ୍ଷା କରୁଛି । ମୁଁ ଏହାମଧ୍ୟ କହିବାକୁ ଚାହେଁ ଯେ ପତ୍ରରେ ମୁଁ ଯେଉଁ ଶ୍ରୀରାମ ବାବୁ କଥା ଉଲ୍ଲେଖ କରିଛି ତା ବିରୁଦ୍ଧରେ ବମ୍ବେ ପୋଲିସ ପକ୍ଷରୁ ୧୯୨୪ ମସିହା ସେପ୍ଟେମ୍ବର ମାସରେ ଅଭିଯୋଜନା କରାଯାଇଥିଲା । ସେ ସେତେବେଳେ ଚିଫ୍ ପ୍ରେସିଡେନ୍‌ସି ମାଜିଷ୍ଟ୍ରେଟଙ୍କ ଅଦାଲତରେ କହିଥିଲା କି ମୋ ଝିଅକୁ ଜବରଦସ୍ତ ଇନ୍ଦୋର ନେଇଯିବା ପାଇଁ ମହାରାଜା ସାହେବ ତାକୁ ମୁତୟନ କରିଛନ୍ତି ଏବଂ ଏହି ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ନିମନ୍ତେ ସେ ପ୍ରାୟ ତିରିଶ ହଜାର ଟଙ୍କା ପାଇଛି । ଏହିଭଳି ପରିସ୍ଥତିରେ କିଭଳି ଆଶଙ୍କା ଓ ଆତଙ୍କ ଭିତର ଦେଇ ମୁଁ ଗତି କରୁଥିବି ତାହା ଆପଣ ସହଜରେ ଅନୁମାନ କରିପାରୁଥିବେ ।

ୱାଜିର ମହମ୍ମଦ ଯେଉଁ ଅଭୟ ଭିକ୍ଷା କରିଥିଲା ନିମ୍ନଲିଖିତମତେ ତାର ସହାନୁଭୂତିପୂର୍ଣ୍ଣ ଉତ୍ତର ପାଇଥିଲା ।

ଆବେଦନକାରୀଙ୍କୁ ଏହା ପ୍ରତ୍ୟାର୍ପଣ କରାଗଲା । ଆବେଦନ ପତ୍ରରେ ଯେଉଁ ସବୁ ବିଷୟର ଅବତାରଣା କରାଯାଇଛି ତାକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାଭଳି କୌଣସି ବିଷୟ ଏଥିରେ ନାହିଁ ।

୬ । ୧ । ୨୫ ସ୍ଵା—ଏଫ୍‌. ଏଚ୍‌. ପକଲେ, ଡି. ସି

କିନ୍ତୁ ଏହାର ସାତଦିନ ଭିତରେ ୱାଜିର ବେଗମ୍‌ର ଆଶଙ୍କା ଅମୂଳକ ନୁହେଁ ବୋଲି ପ୍ରମାଣିତ ହୋଇଗଲା ।

 

ଅବ୍‌ଦୁଲ କାଦିର ବାୱଲାଙ୍କ କାର୍‌ ମାଲବାର ହିଲ ନିକଟବର୍ତ୍ତୀ ଭାସମାନ ଉଦ୍ୟାନ ପାଖରେ ଏକ ମୋଡ଼ ପାର ହେଉଥିଲାବେଳେ ପଛରୁ ଅନ୍ୟ ଏକ କାର୍‌ ଆସି ବାୱଲାଙ୍କ କାର୍‌ଟିକୁ ସାମାନ୍ୟ ଧକ୍କା ଦେଲା I ପଛ କାର୍‌ର ଡ୍ରାଇଭର ମାତାଲ ହୋଇ ଏଭଳି କାଣ୍ଡ କରୁଛି ବୋଲି ଭାବି ଅବ୍‌ଦୁଲ କାଦିରଙ୍କ ଡ୍ରାଇଭର ନିଜର ଲିମୋସିନ କାର୍‌ଟିକୁ ଅଟକାଇ ଦେଲା । ତତ୍‌କ୍ଷଣାତ୍‌ ପଛ ଗାଡ଼ିରୁ ୫ ଜଣ ଲୋକ ବାହାରି ଆସି ଅବ୍‌ଦୁଲ କାଦିରଙ୍କ ଡ୍ରାଇଭରକୁ ପ୍ରଥମେ ଆକ୍ରମଣ କଲେ । ସେମାନଙ୍କ ଆକ୍ରମଣରେ ଡ୍ରାଇଭର ବିଚାରା ପ୍ରତିରୋଧ କରିବାର ସମସ୍ତ ଶକ୍ତି ହରାଇ ବସିଲା । ବାୱଲାଙ୍କ ପାଖରେ ଗୋଟିଏ ପଟେ ମମତାଜ ଓ ଅନ୍ୟପଟେ ବାୱଲା ଇଷ୍ଟେଟର ମ୍ୟାନେଜର ମାଥିଉସ ବସିଥିଲେ । ଆତତାୟୀଙ୍କର ମୁଖ୍ୟ ଶରବ୍ୟ ମମତାଜ ନିକଟରେ ବାୱଲା ବସି ଥିବାରୁ ପ୍ରଥମେ ତାଙ୍କୁ ଆତତାୟୀମାନେ ଗୁଳିକରି କାର୍ ଭିତରୁ ବାହାରକୁ ଟାଣି ଆଣିଲେ । ଇତି ମଧ୍ୟରେ ମାଥିଉସ୍‌ ଧସ୍ତାଧସ୍ତି ବେଳେ କାର୍‌ରୁ ଖସି ଚାଲିଯିବାକୁ ବସିଥିଲେ କିନ୍ତୁ ସେ ମଧ୍ୟ ଆତତାୟୀଙ୍କ ଆକ୍ରମଣରେ ଆହତ ହେଲେ । ଏହିଭଳି ଆକ୍ରମଣ ଚାଲିଥିଲାବେଳେ ଚାରିଜଣ ବ୍ରିଟିଶ ଅଫିସର ଓ୍ୱାଲିଙ୍ଗଟନ୍ କ୍ଲବରୁ ଫେରିବା ବାଟରେ ଭୁଲକ୍ରମେ ସେହି ରାସ୍ତାଦେଇ ଯାଉଥିଲେ । ସେମାନେ ଗୁଳି ଶବ୍ଦ ଶୁଣିବାକ୍ଷଣି ଘଟଣା ସ୍ଥଳକୁ ଦୌଡ଼ିଗଲେ । ଆତତାୟୀମାନଙ୍କ ଭିତରୁ ଜଣେ ସେତେବେଳେ ଏକ ଛୁରା ସାହାଯ୍ୟରେ ମମତାଜକୁ ଆକ୍ରମଣ କରୁଥିଲା । ଲେଫ୍‌ଟନାଣ୍ଟ ସାର୍ଗଟ ତା ଆଡ଼କୁ ମାଡ଼ିଗଲେ । ଆତତାୟୀ ଲେଫ୍‌ଟନାଣ୍ଟ ସାର୍ଗଟଙ୍କୁ ଦେଖି ପକେଟରୁ ରିଭଲଭର ବାହାରକରି ତାଙ୍କ ଉପରକୁ ତିନିଥର ଗୁଳି ଚଳାଇଲା ଏବଂ ଗୁଳିମାଡ଼ରେ ସେ ଆହତ ହେଲେ; ତଥାପି ଏହାକୁ ଖାତିର ନକରି ଆତତାୟୀକୁ ଶେଷରେ ବହୁ କଷ୍ଟରେ କାବୁକରି ପକାଇଲେ । ସାର୍ଗଟଙ୍କ ଛଡ଼ା ଅନ୍ୟ ବ୍ରିଟିଶ ଅଫିସରମାନଙ୍କ ନାମ ହେଲା ଲେଫ୍‌ଟନାଣ୍ଟ କର୍ଣ୍ଣେଲ ବିକରସ୍, ଲେଫ୍‌ଟନାଣ୍ଟ ବାଟଲେ ଓ ଲେଫ୍‌ଟନାଣ୍ଟ ଷ୍ଟିଭେନ୍‌ସ । ଲେଫ୍‌ଟନାଣ୍ଟ ବାଟଲେଙ୍କ ହାତରେ କେବଳ ଖଣ୍ଡେ ଗୋଲ୍‌ଫ ଖେଳା ବାଡ଼ି ଥିଲା । ଅନ୍ୟମାନଙ୍କ ହାତରେ ଅସ୍ତ୍ର ବୋଲି ଆଉ କିଛି ବି ନଥିଲା ।

 

ସେମାନେ ଏହି ବାଡ଼ି ଖଣ୍ଡକର ପୂର୍ଣ୍ଣ ସଦ୍‌ବ୍ୟବହାର କଲେ । ଆତତାୟୀମାନେ ମମତାଜକୁ ଗାଡ଼ିରେ ବସାଇ ନେଇ ପଳାଇ ଯିବାକୁ ବସିଥିଲା ବେଳେ ଇଂରେଜ ଅଫିସରମାନେ ତାକୁ ଉଦ୍ଧାର କଲେ; କିନ୍ତୁ ସେତେବେଳକୁ ମମତାଜର ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ହୋଇସାରିଥାଏ । ତାର ନାକ ଅବଶ୍ୟ ପୂରାପୂରି କାଟି ହୋଇଯାଇ ନଥାଏ । ପାଟିତୁଣ୍ଡ ଶୁଣି ସାଇ ପଡ଼ିଶା ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଆତତାୟୀମାନେ ପଳାଇଗଲେ; କିନ୍ତୁ ଲେଫ୍‌ଟନାଣ୍ଟ ସାର୍ଗଟ ଯାହାକୁ ଧରିଥିଲେ କେବଳ ସେହି ରହିଗଲା । ପରେ ସେହି ବ୍ୟକ୍ତି ଜଣକ ଏକ ନମ୍ବର ଆସାମୀସଫି ଅହମ୍ମଦ ରୂପେ ଅଦାଲତରେ ହାଜିର ହେଲା । ସେ ମଧ୍ୟ ଖସି ପଳାଇ ଯିବାପାଇଁ ଆଖିବୁଜା ଚାରିଆଡ଼େ ଗୁଳି ଚଳାଇ ଉଦ୍ୟମ କରିଥିଲା; କିନ୍ତୁ ତାର ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇ ଯାଇଥିଲା ।

 

ଅବ୍‌ଦୁଲ କାଦିର ବାୱଲା ଓ ଅନ୍ୟାନ୍ୟ ଆହତ ବ୍ୟକ୍ତିମାନଙ୍କୁ ଜେ. ଜେ. ହସ୍‌ପିଟାଲକୁ ନିଆଗଲା । ବାୱଲା ତା ପରଦିନ ପ୍ରାଣ ହରାଇଲେ । ଶବ ବ୍ୟବଚ୍ଛେଦରୁ ଗୁଳିମାଡ଼ରେ ତାଙ୍କର ବୃହତ ଅନ୍ତ୍ରନାଳି କଣା ହୋଇଯାଇଥିବା ଓ କଲିଜା ଛିଣ୍ଡିଯାଇଥିବା ଜଣାଗଲା । ତା ସାଙ୍ଗକୁ ଆଗପଟ ହାଡ଼ ମଧ୍ୟ ଭାଙ୍ଗି ଯାଇଥିଲା । ଆତତାୟୀମାନଙ୍କୁ ଧରିବା ପାଇଁ ତୁରନ୍ତ ବିହିତ ବ୍ୟବସ୍ଥା ଗ୍ରହଣ କରାଗଲା । ଆତତାୟୀମାନେ ଯେ ଇନ୍ଦୋରର ଲୋକ ଏଥିରେ କାହାର ସନ୍ଦେହ ରହିଲା ନାହିଁ ।

ବମ୍ବେ, ପୁନା, ଇନ୍ଦୋର ଓ ଅମୃତସରରେ ପୋଲିସ୍‌ ବ୍ୟାପକ ଭାବେ ଖାନତଲାସ କଲେ । ସନ୍ଦେହରେ ବହୁ ଲୋକଙ୍କୁ ଗିରଫ କରାଗଲା ଓ ସେମାନଙ୍କର ଜମାନବନ୍ଦୀ ନିଆଗଲା । ସଫି ଅହମ୍ମଦ ଘଟଣାସ୍ଥଳରେ ଧରାପଡ଼ି ନ ଥିଲେ ଆତତାୟୀମାନଙ୍କୁ ଗିରଫ କରିବା ଖୁବ୍‌ କଷ୍ଟସାଧ୍ୟ ହୋଇଥାନ୍ତା । ପୋଲିସ୍‌ ବିଭିନ୍ନ ପ୍ରଣାଳୀ ଅବଲମ୍ବନ କରି ଏହି ହତ୍ୟାକାଣ୍ଡ ସମ୍ପର୍କରେ ବହୁ ସୂତ୍ର ପାଇଲେ ଏବଂ ଆତତାୟୀମାନେ ଯେ ଅଚିରେ ଧରାପଡ଼ିବେ ଏଥିରେ କାହାରିହେଲେ ସନ୍ଦେହ ରହିଲା ନାହିଁ । ମମତାଜ ଓ ୱାଜିର ବେଗମ୍‌ ମଧ୍ୟ ମାଲବାର ହିଲ ଷଡ଼ଯନ୍ତ୍ରର ପଟ୍ଟଭୂମି ସମ୍ପର୍କରେ ବହୁ ମୂଲ୍ୟବାନ୍‌ ତଥ୍ୟ ଯୋଗାଇ ପୋଲିସ୍‌କୁ ସାହାଯ୍ୟ କଲେ । ଲେଫ୍‌ଟନାଣ୍ଟ ସର୍ଗଟ, ମମତାଜ ଓ ଅନ୍ୟମାନେ ଅବ୍‌ଦୁଲ କାଦିର ବାୱଲାଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ପ୍ରାଥମିକ ଜମାନବନ୍ଦୀ ଦେବାପରେ ନଅ ଜଣ ଆସାମୀଙ୍କୁ ବିଚାର ଲାଗି ବମ୍ବେ ହାଇକୋର୍ଟରେ ହାଜର କରାଗଲା ।

୧୯୨୫ ମସିହା ଏପ୍ରିଲ ୨୭ ତାରିଖରୁ ବମ୍ବେ ହାଇକୋର୍ଟର ମାନ୍ୟବର ବିଚାରପତି ଶ୍ରୀ କ୍ରୁମ୍ପଙ୍କ ଇଜଲାସରେ ଓ ଏକ ସ୍ୱତନ୍ତ୍ର ଜୁରିମଣ୍ଡଳୀର ଉପସ୍ଥିତିରେ ଅବ୍‌ଦୁଲ କାଦିର ବାୱଲା ହତ୍ୟାକାଣ୍ଡର ଶୁଣାଣି ଆରମ୍ଭ ହେଲା ।

ଇନ୍ଦୋର ରାଜ୍ୟର ୯ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ କରାଯାଇଥିଲା । ମମତାଜ ବେଗମ୍‌କୁ ହରଣଚାଲ କରିନେବା ପାଇଁ ମଧ୍ୟ ସେମାନେ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଆସାମୀମାନଙ୍କର ନାମ ହେଲା—

(୧) ସଫି ଅହମ୍ମଦ, ୨୧, ଇନ୍ଦୋର ଘୋଡ଼ସବାର ବାହିନୀର ରିସଲଦାର, (୨) ପୁଷ୍ପଶୀଳପାଣ୍ଡେ, ୨ (୩) ଇନ୍ଦୋରର ସହକାରୀ ଏ ଡ଼ି-ସି-୩) ବାହାଦୁର ଶାହା, ଇନ୍ଦୋରର ମୋଟର ଡ୍ରାଇଭର; (୪) ଆକବର ଶାହା, ଇନ୍ଦୋରର ଜଣେ ଅଧିବାସୀ, (୫) ଶାମରାଓ ଦଘେ, ୨୮) କ୍ୟାପଟେନ, ଇନ୍ଦୋର ଏୟାର ଫୋର୍ସ (୬) ମମତାଜ ମହମ୍ମଦ, ୨୫, ସବ୍-ଇନ୍‌ସପେକ୍‌ଟର ଇନ୍ଦୋର ସି-ଆଇ-ଡ଼ି; (୭) ଅବ୍‌ଦୁଲ ଲତିଫ, ୨୫, ଇନ୍ଦୋରର ମୋଟର ଡ୍ରାଇଭର (୮) କରାମତ ଖାଁ ୨୮, ପେ ସରଜେଣ୍ଟ, ଇମ୍ପେରିଆଲ ଲେନ୍‌ସର, ଇନ୍ଦୋର, (୯) ଆନନ୍ଦ ରାଓ ଫାନସେ, ୩୨, ଆଡ଼ଜୁଟାଣ୍ଟ ଜେନେରାଲ, ଇନ୍ଦାର ଫୋର୍ସ ।

 

ଏହି ମକଦ୍ଦମାର ବିଚାର ଶୁଣିବା ପାଇଁ ପ୍ରତ୍ୟହ ପ୍ରବଳ ଭିଡ଼ ହେଉଥିଲା ଏବଂ ଅଦାଲତ କକ୍ଷକୁ ଲୋକଙ୍କୁ ନିୟନ୍ତ୍ରଣ କରି ଛାଡ଼ିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

 

ମକଦ୍ଦମାରେ ବିଖ୍ୟାତ ଆଇନଜ୍ଞମାନେ ବିଭିନ୍ନ ପକ୍ଷରୁ ଲଢ଼ିଲେ । ଅଭିଯୋଜନା ପକ୍ଷରୁ ‘‘ସାର୍ ଜାମସେଦ୍‌ଜୀ କାଙ୍ଗା’’ ବମ୍ବେର ଆଡଭୋକେଟ୍‍ ଜେନେରାଲ ଏବଂ ତାଙ୍କର ସହଯୋଗୀ ରୂପେ ଶ୍ରୀ କେନିଥ୍ କେମ୍ପ (ପରେ ହାଇକୋର୍ଟ ଜଜ) ମକଦ୍ଦମା ଲଢ଼ିଲେ । ଏକ ନମ୍ବର ଆସାମୀ ପାଇଁ କଲିକତାର ବାରିଷ୍ଟର ଶ୍ରୀ ଜେ-ଏନ୍-ସେନ୍‌ଗୁପ୍ତ, ୨ ରୁ ୮ ନମ୍ବର ଆସାମୀମାନଙ୍କ ପାଇଁ ବମ୍ବେର ବାରିଷ୍ଟର ଶ୍ରୀ ବେଲିଙ୍କର ଏବଂ ୯ ନମ୍ବର ଆସାମୀ ପାଇଁ ଶ୍ରୀ ଏସ-ଏ. ଜିନ୍ନା ସୁଆଲ କଲେ । ଆତ୍ମପକ୍ଷର ଓକିଲମାନେ ଇନ୍ଦୋର ରାଜ୍ୟର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ଟି. ରାମସିଂହଙ୍କ ଦ୍ୱାରା ପରିଚାଳିତ ହେଲେ ।

 

ଆସାମୀମାନେ ନିଜକୁ ନିର୍ଦ୍ଦୋଷ ବୋଲି ଅଭିହିତ କରିବା ପରେ ଜୁରିମଣ୍ଡଳୀ ଗଠିତ ହେଲା ଏବଂ ଏହା ପରେ କ୍ରାଉନ୍ ବା ସରକାରଙ୍କ ପକ୍ଷରୁ ଆଡଭୋକେଟ୍‍ ଜେନେରାଲ ତାଙ୍କ ସୁଆଲ ଆରମ୍ଭ କଲେ । ଆଡଭୋକେଟ୍‍ ଜେନେରାଲ ତାଙ୍କ ସୁଆଲରେ କହିଲେ ଯେ ଆସାମୀମାନେ ଗିରଫ ହେବା ପୂର୍ବରୁ ଇନ୍ଦୋର ମହାରାଜାଙ୍କ ପାଖରେ ଚାକିରୀ କରୁଥିଲେ ଏବଂ ସେମାନେ ସମସ୍ତେ ଇନ୍ଦୋରର ଅଧିବାସୀ । ସେମାନେ ବ୍ରିଟିଶ ଇଣ୍ଡିଆରୁ ମମତାଜ ବେଗମକୁ ହରଣଚାଳ କରିନେବା ପାଇଁ ୧୯୨୪ ମସିହା ଅକ୍ଟୋବର ୨୪ ତାରିଖରୁ ୧୯୨୫ ମସିହା ଜାନୁଆରୀ ୧୨ ତାରିଖ ଭିତରେ ବମ୍ବେ, ପୁନା, ଲୋନାଭଲା ଓ ଅନ୍ୟ ସ୍ଥାନମାନଙ୍କରେ ଏକାଠି ବସି ଷଡ଼ଯନ୍ତ୍ର କରିଥିଲେ । ଏହି ଷଡ଼ଯନ୍ତ୍ରର ଚୂଡ଼ାନ୍ତ ପରିଣତି ସଦୃଶ ଜାନୁଆରୀ ୧୨ ତାରିଖ ସନ୍ଧ୍ୟା ସାଢ଼େ ୭ଟାବେଳେ ଏ ହତ୍ୟାକାଣ୍ଡ ଘଟିଲା । କଥିତ ମମତାଜ ବେଗମ୍ ଏକଦା ଇନ୍ଦୋର ମହାରାଜାଙ୍କ ଉପପତ୍ନୀ ଥିଲା ଏବଂ କମଳା ବାଇ ନାମରେ ତାକୁ ଇଂଲଣ୍ଡକୁ ନିଆ ଯାଇଥିଲା । ଆସାମୀ ଫାନଜେ ହତ୍ୟାକାଣ୍ଡ ଘଟିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ନଥିଲା । ତେଣୁ ତା ବିରୁଦ୍ଧରେ ଷଡ଼ଯନ୍ତ୍ରରେ ସହାୟତା କରିଥିବା ଅଭିଯୋଗ ଆଗତ କରାଯାଇଛି । ମକଦ୍ଦମାର ବିଷୟବସ୍ତୁ ବର୍ଣ୍ଣନା କରିବା, ପ୍ରସଙ୍ଗରେ ଆଡଭୋକେଟ୍‌ ଜେନେରାଲ କହିଲେ ମମତାଜର ବର୍ତ୍ତମାନ ବୟସ ହେଉଛି ୨୨ ବର୍ଷ । ସେ ମହାରାଜାଙ୍କ ଉପପତ୍ନୀରୂପେ ଇଂଲଣ୍ଡରୁ ଫେରିବା ପର୍ଯ୍ୟନ୍ତ ରହିଥିଲା; କିନ୍ତୁ ମହାରାଜାଙ୍କ ସହିତ ଟିକିଏ ଝଗଡ଼ା ହୋଇଗଲା ଏବଂ ଏହାପରେ ତାଙ୍କ ସହିତ ଏକ ଶିକାରକୁ ଯାଇଥିଲା ବେଳେ ୧୯୨୪ ମସିହା ଫେବୃୟାରୀ ମାସରେ ତାର ମହାରାଜାଙ୍କ ସହିତ ଆଉ ନ ରହିବାକୁ ମମତାଜ ସ୍ଥିର କଲା । ମାର୍ଚ୍ଚ ୧୮ ତାରିଖ ଦିନ ସେ କମଳା ବାଇ ନାମରେ ମହାରାଜାଙ୍କ ବିରୁଦ୍ଧରେ ବମ୍ବେର ପୋଲିଶ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲା । ପରେ ମହାରାଜା ତାକୁ ‘ସୁଲେ’ ନାମକ ଏକ କର୍ମଚାରୀର ତତ୍ତ୍ୱାବଧାନରେ ମସୋରିକୁ ପଠାଇ ଦେଲେ । ସେ ଦିଲ୍ଲୀରେ ପହଞ୍ଚିବା ପରେ ଅଧିକ ବାଟ ଯିବାକୁ ମନା କରିଦେଲା ଓ ନିଜ ପିତାମାତାଙ୍କ ସହ ଅମୃତସର ଗଲା । ଅମୃତସରରେ ତାକୁ ମହାରାଜାଙ୍କ ନିକଟକୁ ଫେରିଯିବା ଲାଗି ପ୍ରବର୍ତ୍ତା ଯାଇଥିଲା । ସେଇଥିପାଇଁ ସେ ଅମୃତସରରୁ ଚାଲି ଆସିଲା ଏବଂ ନାଗପୁର ଯିବା ପରେ ବମ୍ବେରେ ଆସି ପହଞ୍ଚିଲା । ବମ୍ବେରେ ସେ ଶ୍ରୀ ବାୱଲାଙ୍କ ସହ ପରିଚିତ ହୋଇ ତାଙ୍କର ଉପପତ୍ନୀରୂପେ ରହିଲା । ଶ୍ରୀ ବାୱଲା ଓ ମମତାଜ ବହୁବାର ଅବସର ବିନୋଦନ ଲାଗି ବିଭିନ୍ନ ଆଡ଼େ ଯିବାପରେ ଶେଷରେ ଜାନୁଆରୀ ୧୦ ତାରିଖ ଦିନ ଆସି ବମ୍ବେରେ ପହଞ୍ଚିଲେ । ଜାନୁଆରୀ ୧୨ ତାରିଖ ଦିନ ତାଙ୍କୁ ହତ୍ୟା କରାଗଲା । ବମ୍ବେରେ ଇନ୍ଦୋର ରାଜ୍ୟର ବହୁ ଘର ରହିଛି । ଏହି ଘରଗୁଡ଼ିକ ଭିତରୁ ‘‘ସମରସେଟ ହାଉସ’’ ଓ ‘‘ଆରୋରା ହାଉସ’’ ଏ ମକଦ୍ଦମା ପାଇଁ ବିଶେଷ ଗୁରୁତ୍ଵପୂର୍ଣ୍ଣ; କାରଣ ଏ ଦୁଇ ଘରେ ମମତାଜକୁ ହରଣଚାଳ କରିନେବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା । ଆସାମୀ ନମ୍ବର ୨ ଏବଂ ୯ ଏହି ଷଡ଼ଯନ୍ତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜଣାଯାଉଛି । ଏହି ଷଡ଼ଯନ୍ତ୍ର ରୂପାୟିତ ହେବା ପୂର୍ବରୁ ବହୁବାର ସେମାନେ ବମ୍ବେରେ ରହିଥିଲେ । ଅକ୍ଟୋବର ୧୪ ତାରିଖ ଦିନ ଫାନଜେ ଏକ କାର୍‌ କିଣିବା ପାଇଁ ଷୋହଳ ହଜାର ଟଙ୍କା ଋଣ କରିଥିଲା । ଏହି କାରରେ ମମତାଜକୁ ଜବରଦସ୍ତ ବସାଇ ଇନ୍ଦୋରକୁ ନେଇଯିବା ତାର ଉଦ୍ଦେଶ୍ୟ ଥିଲା । ଉପରୋକ୍ତ ଦୁଇଜଣ ଆସାମୀ ଅକ୍ଟୋବର ୨୩ ତାରିଖ ଦିନ ଏକ ‘‘ମାକ୍‌ସୱେଲ’’ କାର କିଣିଲେ । ଏହାପରେ ଷଡ଼ଯନ୍ତ୍ରକାରୀମାନେ ମମତାଜର ଗତିବିଧି ଠଉରେଇବା ପାଇଁ ତାର ଜ୍ଞାତି କୁଟୁମ୍ବଙ୍କ ସହାୟତା ଲୋଡ଼ିଲେ । ସେ ଡିସେମ୍ବର ମାସ ମଧ୍ୟଭାଗରେ ଲୋନାଭଲାରେ ଅଛି ବୋଲି ଜାଣିବା ପରେ ଷଡ଼ଯନ୍ତ୍ରକାରୀମାନେ ନିଜ କର୍ମସ୍ଥଳୀ ପୁନାକୁ ଉଠାଇ ନେଲେ; କାରଣ ପୁନା ଓ ଲୋନାଭଲା ମଧ୍ୟରେ ଦୂରତା ଥିଲା ମାତ୍ର କେତେ ମାଇଲ ।

 

ପ୍ରୋସିଡିଂ କାଉନସେଲ ହତ୍ୟାକାଣ୍ଡର ପୂର୍ବବର୍ତ୍ତୀ ଘଟଣାବଳୀ ବର୍ଣ୍ଣନା କରି କହିଲେ ଯେ ଷଡ଼ଯନ୍ତ୍ରକାରୀମାନେ ଯାଉଥିବା ମାକ୍‌ସୱେଲ କାରଟି ସନ୍ଧ୍ୟା ୬ଟା ୧୫ମି. ରେ କ୍ରଫୋର୍ଡ଼ ମାର୍କେଟ ଏବଂ ପରେ ମାଲବାର ହିଲ ନିକଟବର୍ତ୍ତୀ ଫିରୋଜଶାହା ମେହେଟା ଗାର୍ଡ଼ନ ପାଖଦେଇ ଯାଉଥିବା ଦେଖାଯାଇଥିଲା । ଏହି କାର୍‌ଟି ଶ୍ରୀ ବାୱଲାଙ୍କ କାରକୁ ସାରାସହର ଖେଦିଗଲା । ଅବଶେଷରେ ସେମାନେ ମେହେଟା ଗାର୍ଡ଼ନ ପାଖରେ ବାୱଲାଙ୍କ କାରକୁ ଟପିଗଲେ । ସେମାନେ ବାୱଲାଙ୍କୁ ଜଖମ କରିଦେଇ ମମତାଜକୁ ଟାଣିଆଣି ଇନ୍ଦୋରକୁ ପଳାଇବେ ବୋଲି ଭାବିଥିଲେ । ମାକ୍‌ସୱେଲ କାରରେ ଦୁଇଜଣ ଡ୍ରାଇଭର ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବାୱଲାଙ୍କ କାର୍‌ଟିକୁ ଖଣ୍ଡେବାଟ ନେଇ ଯାଇଥାନ୍ତା । ଏହାପରେ ଷଡ଼ଯନ୍ତ୍ରକାରୀମାନଙ୍କ ସହିତ ୪ଜଣ ବ୍ରିଟିଶ ଅଫିସରଙ୍କର କିପରି ସଂଘର୍ଷ ହେଲା ତାହା ସେ ବର୍ଣ୍ଣନା କଲେ । ସେ କହିଲେ ଯେ ଆତତାୟୀମାନଙ୍କର ଗୁଳି ଶବ୍ଦ ଶୁଣି ୪ ଜଣ ବ୍ରିଟିଶ ଅଫିସର ଯଦି ଘଟଣାସ୍ଥଳରେ ପହଞ୍ଚି ନ ଥାନ୍ତେ ଏବଂ ଅତ୍ୟନ୍ତ ସାହସର ସହିତ ଆତତାୟୀମାନଙ୍କର ସାମନା କରି ନ ଥାନ୍ତେ ତେବେ ପ୍ରକୃତ ଦୋଷୀକୁ ଧରିବା ଅତ୍ୟନ୍ତ କଷ୍ଟକର ହୋଇଥାନ୍ତା । ଏହି ଅଫିସରମାନେ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଏକ ନମ୍ବର ଆସାମୀକୁ କାବୁ କରି ତା ଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଛୁରୀ ଜବତ କଲେ । ଏହାପରେ ତଦନ୍ତ ଆରମ୍ଭ ହୋଇ ଆସାମୀମାନଙ୍କୁ ଗିରଫ କରାଗଲା । ଆଡଭୋକେଟ ଜେନେରାଲ ତାଙ୍କ ସୁଆଲରେ ଆସାମୀମାନଙ୍କ ସହିତ ବିଶେଷ କରି ସଫି ଅହମ୍ମଦ ସହିତ ବ୍ରିଟିଶ ଅଫିସରମାନଙ୍କର କିଭଳି ସଂଘର୍ଷ ହୋଇଥିଲା ତାହା ସୂଚାଇଥିଲେ । ଆତତାୟୀମାନଙ୍କ ଆକ୍ରମଣରେ ଶ୍ରୀ ବାୱଲା ଓ ଶ୍ରୀ ସର୍ଗଟ ଆହତ ହୋଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରେ ଶ୍ରୀ ବାୱଲାଙ୍କ ପରଲୋକ ହେଲା ଏବଂ ଶ୍ରୀ ସର୍ଗଟ ବହୁଦିନ ଚିକିତ୍ସାଧୀନ ରହିଲା ପରେ ଭଲ ହେଲେ ।

 

ମଧ୍ୟାହ୍ନ ଭୋଜନ ପରେ ଆଡଭୋକେଟ୍‌ ଜେନେରାଲ ଅଭିଯୋଜନାର ପ୍ରଥମ ସାକ୍ଷୀ ମମତାଜ ବେଗମକୁ ଜେରା କଲେ । ମମତାଜ ବକ୍‌ସରେ ଠିଆ ହେଲାବେଳେ ଟିକିଏ ଭୟଭୀତ ହୋଇ ପଡ଼ିଲା ଭଳି ଜଣାଯାଉଥିଲା; କିନ୍ତୁ ଅତି ନାଟକୀୟ ଭଙ୍ଗୀରେ ତାର ଅନୁଭୂତି ବର୍ଣ୍ଣନା କଲା-। ତା କପାଳରେ ଛୁରା ମାଡ଼ର ଦାଗ ରହି ଯାଇଥିଲେ ବି ସେ ସେତେବେଳେ ଖୁବ୍ ସୁନ୍ଦର ଦିଶୁଥିଲା । ମମତାଜ କହିଲା—ଏଗାର, ବାର ବର୍ଷ ତଳେ ସେ ପ୍ରଥମେ ତା ମା ସହିତ ଇନ୍ଦୋରକୁ ଯାଇଥିଲା । ସେଠାରେ ମହାରାଜା ତାକୁ ଜଣେ ଗାୟିକା ରୂପେ ନିଯୁକ୍ତ କଲେ । ଇନ୍ଦୋରରେ ସେ କିଛିଦିନ ରହିବା ପରେ ସେ ଦୁଇ ମାସ ଛୁଟି ନେଇ ହାଇଦ୍ରାବାଦ ଗଲା ଏବଂ ଛୁଟି କଟାଇ ପୁଣି ଇନ୍ଦୋର ଫେରି ଆସି ପ୍ରାୟ ବର୍ଷେ କାଳ ରହିଲା । ସେତେବେଳେ ମହାରାଜାଙ୍କ ସହିତ ତାର ଟିକିଏ ମତଭେଦ ହେଲା ଏବଂ ମହାରାଜା ତାକୁ ଦେଇଥିବା ସମସ୍ତ ଅଳଙ୍କାରପତ୍ର କାଢ଼ିନେଇ ତାକୁ ରାଜ୍ୟ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଲେ ।

 

ଏ କଥାରେ ଆତ୍ମପକ୍ଷ ସମର୍ଥନକାରୀ ଓକିଲ ଶ୍ରୀ ସେନଗୁପ୍ତ ହସ୍ତକ୍ଷେପ କରି ଆପତ୍ତି କଲେ ଯେ ଏ ସାକ୍ଷ୍ୟ ପ୍ରମାଣ ଦ୍ଵାରା ଏ ମକଦ୍ଦମା ସହିତ ସମ୍ପୃକ୍ତ ନ ଥିବା ଏବଂ ଏଠାରେ ଉପସ୍ଥିତ ନ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଯଥା ସନ୍ଦେହ ପୋଷଣ କରାଯାଉଛି । ମାନ୍ୟବର ବିଚାରପତି ଆଡଭୋକେଟ ଜେନେରାଲଙ୍କ ଉପୋଦ୍‌ଘାତର ବିଷୟବସ୍ତୁକୁ ଯଥାସମ୍ଭବ ସଂକ୍ଷିପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ।

 

ମମତାଜ ବେଗମ ତାର ବକ୍ତବ୍ୟ ଅବ୍ୟାହତ ରଖି କହିଲା; ଏହାପରେ ସେ ଅମୃତସର ଚାଲିଗଲା । ସେଠାରେ ତିନି ମାସ ରହିବା ପରେ ଶଙ୍କର ରାଓ ନାମକ ଇନ୍ଦୋରର ଜଣେ ଅଫିସର ଆସି ତାକୁ ପୁଣି ଇନ୍ଦୋରକୁ ଡାକିନେଲା । ସେ ଇନ୍ଦୋର ଫେରିଆସି ମହାରାଜାଙ୍କର ଅନ୍ୟତମ ଉପପତ୍ନୀ ରୂପେ ରହିଲା । ଏହିଭଳି ଭାବରେ ସେ ସେଠାରେ ପ୍ରାୟ ଦଶ ବର୍ଷ ରହିଲା । ପ୍ରଥମେ ସେ ପ୍ରାସାଦରେ ମମତାଜ ବେଗମ୍ ରୂପେ ପରିଚିତ ଥିଲା; କିନ୍ତୁ ମହାରଜାଙ୍କ ସହିତ ଇଂଲଣ୍ଡ ଗଲାବେଳେ ତାର ନାମ ପରିବର୍ତ୍ତନ କରାଯାଇ କମଳା ବାଈ ରଖାଗଲା । ଇନ୍ଦୋରର ଜ୍ୟେଷ୍ଠ ମହାରାଣୀ ଏବଂ ଶଙ୍କର ରାଓ ତା ସହିତ ଇଂଲଣ୍ଡକୁ ଯାଇଥିଲେ । ସେ ଇଂଲଣ୍ଡରୁ ଫେରିଆସିବା ପରେ ମହାରାଜାଙ୍କ ଔରସରୁ ୧୯୨୪ ମସିହାରେ ତାର ଗୋଟିଏ ଝିଅ ହେଲା । ଏହାପରେ ସେ ମହାରାଜାଙ୍କ ସହିତ ଭାନପୁର ଗଲା ଏବଂ ସେଠାରେ ସେ ବମ୍ବେର ପୋଲିସ କମିଶନରଙ୍କ ନିକଟକୁ ଏକ ପତ୍ର ଲେଖି ନିଜର ତଥା ନିଜ ପିତାମାତାଙ୍କ ଅଭୟ ଭିକ୍ଷାକଲା ଏବଂ ସେ ମହାରାଜାଙ୍କୁ ତ୍ୟାଗ କରିବାକୁ ନିଜର ଅଭିଳାଷ ପ୍ରକାଶକଲା । ସେହି ପତ୍ରରେ ମହାରାଜା ତାକୁ ଦେଇଥିବା ପ୍ରାୟ ଅଧକୋଟି ଟଙ୍କା ମୂଲ୍ୟର ଅଳଙ୍କାରପତ୍ର ନେଇ ଯାଇଥିବା ସେ ଅଭିଯୋଗ କରିଥିଲା । ଏହି ଚିଠି ପରେ ମହାରାଜା ତାକୁ ମସୋରି ପଠାଇଦେଲେ । ମସୋରି ଗଲାବେଳେ ଇନ୍ଦୋର ପ୍ରାସାଦର ଆସିଷ୍ଟାଣ୍ଡ ହାଉସହୋଲଡ୍ ଅଫିସର ଶ୍ରୀ ସୁଲେ ତାକୁ ଜଗି ରହିଥିଲେ । ଦିଲ୍ଲୀରେ ସେ ଟ୍ରେନ୍‌ରୁ ଓହ୍ଲାଇପଡ଼ି ମସୋରି ଯିବାକୁ ମନା କରିଦେଇ ଅମୃତସର ଯିବାପାଇଁ ଇଚ୍ଛା ପ୍ରକାଶ କଲା । ପୂର୍ବ ନିର୍ଦ୍ଧାରିତ ଗତିପଥ ପରିବର୍ତ୍ତନ କରିହେବ ନାହିଁ ବୋଲି ସୁଲେ ସେତେବେଳେ କହିଥିଲେ; କିନ୍ତୁ ପରିଶେଷରେ ମମତାଜ ନିଜ ଇଚ୍ଛାନୁଯାୟୀ ଅମୃତସର ଯିବାକୁ ସକ୍ଷମ ହୋଇଥିଲା । ସେଠାରେ ସେ ଡେପୁଟି କମିଶନରଙ୍କ ନିକଟରେ ଏକ ଆବେଦନ ପତ୍ର ଦାଖଲ କରି ତାକୁ ମହାରାଜାଙ୍କ ଲୋକେ କିପରି ହଇରାଣ କରୁଛନ୍ତି ଓ ତାର ପିଛା ଧରିଛନ୍ତି ତାହା ଦର୍ଶାଇଥିଲା-। ଅମୃତସରରେ ସେ ଦୁଇଜଣ ଗୁର୍ଖା ଜଗୁଆଳଙ୍କୁ ମୁତୟନ କରିଥିଲା । ନାଗପୁରରୁ ବମ୍ବେ ଆସିବା ପରେ ସେ ବାୱଲାଙ୍କ ସହ ପରିଚିତ ହେଲା ଏବଂ ଶ୍ରୀ ବାୱଲା ତାଙ୍କୁ ରହିବା ପାଇଁ ଗୋଟିଏ ଘର ଯୋଗାଇଦେଲେ । ସେ ଶ୍ରୀ ବାୱଲାଙ୍କ ସହିତ ବହୁବାର ଅବସର ବିନୋଦନ ପାଇଁ ଯିବା ପରେ ପରିଶେଷରେ ତାଙ୍କ ସହିତ ଚଉପାଟି ଘରେ ରହିବା ପାଇଁ ଯାଉଥିଲା ।

 

ମମତାଜ କହିଲା ଯେ ସେ ଶ୍ରୀ ବାୱଲାଙ୍କ ସହିତ ଲୋନାଭଲାକୁ ଡିସେମ୍ବର ମାସରେ ଯାଇ ସେଠାରେ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ୨୦ ଦିନ କାଳ ରହିଥିଲା । ସେଠାରୁ ଫେରିବାର ଦୁଇଦିନ ପରେ ଶ୍ରୀ ବାୱଲାଙ୍କୁ ହତ୍ୟା କରାଗଲା । ସେମବନ ଫେରିବାର ଦୁଇଦିନ ପରେ ଶ୍ରୀ ବାୱଲାଙ୍କ ସହିତ ତାଙ୍କ କାରରେ ସେ ବୁଲିବା ପାଇଁ ଯାଇଥିଲା ଏବଂ ସେହି କାରଟିକୁ ସେତେବେଳେ ତାଙ୍କର ଡ୍ରାଇଭର ମହମ୍ମଦ ସଫି ଚଳାଉଥିଲା । ଏହାପରେ କିପରି ମାକ୍‌ସୱେଲ କାର୍ ଆସି ତାଙ୍କ କାରକୁ ଧକ୍‌କା ଦେଲା ତାହା ସେ ବର୍ଣ୍ଣନା କଲା । ଆତତାୟୀମାନେ ଶ୍ରୀ ବାୱଲାଙ୍କୁ ଗାଳିଦେଇ ‘ଅମର ମହିଳାକୁ ଫେରାଇଦିଅ’ ବୋଲି କହୁଥିବା ସେ ଶୁଣିଥିଲା । ଏହାପରେ ମାକ୍‌ସୱେଲ କାରରେ ଥିବା ଲୋକେ ଦୁଇଟି ଦଳରେ ବିଭକ୍ତ ହୋଇ ତାଙ୍କ କାର୍‌କୁ ଘେରିଗଲେ । ସେମାନଙ୍କ ଭିତରୁ ଜଣେ ବାୱଲାଙ୍କ କାର୍ ଭିତରକୁ ମୁଣ୍ଡ ଗଳେଇ ସେ ବସିଥିବା ପାଖରୁ ଗୁଳି ଚଳାଇଲା । ଗୁଳି ଚଳାଇବା ପରେ ସେମାନଙ୍କ ଭିତରୁ ଜଣେ ତାକୁ ବାହାରକୁ ଟାଣିଆଣି ତା କପାଳକୁ ଛୁରିରେ ଆଘାତ କଲା ଏବଂ ତାକୁ ଆତତାୟୀମାନେ ରାସ୍ତାର ଆରପଟକୁ ଟେକି ନେଉଥିଲେ । ଏହି ସମୟରେ ଅନ୍ୟ ଏକ କାରରେ ବ୍ରିଟିଶ ଅଫିସରମାନେ ଆସି ସେଠାରେ ପହଞ୍ଚି ଗଲେ । ସେମାନଙ୍କୁ ଦେଖି ସେ ସାହାଯ୍ୟ ଲାଗି ପାଟିକଲା । ସେମାନେ କାର୍‌ ରଖି ଓହ୍ଲାଇଗଲେ । ଯେଉଁ ଲୋକ ତାକୁ ଟେକି ନେଉଥିଲା ସେ ମମତାଜକୁ ଅନ୍ୟ ଏକ କାରରେ ଜବରଦସ୍ତ ବସାଇଦେଲା; କିନ୍ତୁ ମମତାଜ ସେଠାରୁ ଉଠିପଡ଼ିଲା । ଏହାପରେ ତା ମୁହଁକୁ ପୁଣି ଥରେ ସେହି ଲୋକ ଆଘାତ କଲା । ଏହା ପରେ ଜଣେ ଅଫିସର ତାକୁ ରକ୍ଷାକଲେ । ସେତେବେଳେ ବାୱଲା ବେହୋସ ହୋଇ ପଡ଼ିଥିବା ସେ ଦେଖିଥିଲା । ବ୍ରିଟିଶ ଅଫିସର ଜଣକ ତାକୁ ଛୁରି ମାରିଥିବା ଲୋକକୁ କାବୁ କରି ପକାଇଥିବା ସେ ଦେଖିଥିଲା । ବ୍ରିଟିଶ ଅଫିସର ଜଣକ କାବୁକରି ପକାଇଥିବା ଆତତାୟୀ ଜଣକ ହେଉଛି ଆମର ଏକ ନମ୍ବର ଆସାମୀ ‘‘ସଫି ଅହମ୍ମଦ ।’’

 

ଲୋତକାପ୍ଲୁତ ନୟନରେ ସେ ହତ୍ୟାକାଣ୍ଡ ବେଳେ ଶ୍ରୀ ବାୱଲା ପିନ୍ଧିଥିବା ରକ୍ତରଞ୍ଜିତ ଲୁଗାକୁ ଚିହ୍ନଟ କଲା । ସେ ନିଜ କପାଳରେ ହୋଇଥିବା ଏକ କ୍ଷତ ଦେଖାଇଲା । ଯାହାଦ୍ଵାରା କି ସ୍ଥାୟୀ ଭାବେ ତାର ସୌନ୍ଦର୍ଯ୍ୟ ହାନି ହୋଇଥିବା ଆଡଭୋକେଟ ଜେନେରାଲ ଦର୍ଶାଇଥିଲେ ।

 

ସଫି ଅହମ୍ମଦର ଓକିଲ ଶ୍ରୀ ସେନଗୁପ୍ତଙ୍କ ଜେରାର ଉତ୍ତର ଦେଇ ମମତାଜ କହିଲା ଯେ ସେ ହାଇଦ୍ରାବାଦରେ ଅଢ଼େଇ ବର୍ଷ ରହିବା ଭିତରେ ଗୀତ ଗାଇବା ଶିଖିଥିଲା । ଏହାପରେ ସେ ପ୍ରଥମ ଥର ପାଇଁ ଇନ୍ଦୋର ଯାଇଥିଲା । ଇନ୍ଦୋରକୁ ସେ ତୃତୀୟ ଥର ଯିବା ପରେ ସେ ମହରାଜାଙ୍କର ଉପପତ୍ନୀ ହୋଇଥିଲା । ତାର ତୃତୀୟ ଥର ପାଇଁ ଇନ୍ଦୋର ପରିଦର୍ଶନ କାଳରେ ମହାରାଜାଙ୍କ ଉପପତ୍ନୀ ହେବା ପୂର୍ବରୁ ସେ ସେଠାରେ ଏକ ବର୍ଷ ପାଇଁ ରହିଥିଲା । ତାକୁ ସେତେବେଳେ ୨୫ ବର୍ଷ ହୋଇଥିଲା ବୋଲି ଯାହା କୁହାଯାଉଛି ତାହା ସତ୍ୟ ନୁହେଁ । ସେ ଶେଷଥର ପାଇଁ ଇନ୍ଦୋର ଛାଡ଼ିବାର ଛ’ଘଣ୍ଟା ପୂର୍ବରୁ ତାକୁ ଜବରଦସ୍ତ ଇନ୍ଦୋର ନିଆଯାଉଛି ବୋଲି ତାର ମା ଯେଉଁ ଅଭିଯୋଗ କରିଥିଲା ତାହା ସତ୍ୟ ନୁହେଁ । ଶ୍ରୀମତୀ ସେଡ଼ନ ତାର ବୟସ ୧୭ ବୋଲି ସାର୍ଟିଫିକେଟ ଦେଇଥିବା ମଧ୍ୟ ସେ ଜାଣିନାହିଁ ବୋଲି କହିଥିଲା । ତଦନ୍ତକୁ ଯଥାସମ୍ଭବ ସଂକ୍ଷିପ୍ତ କରିବା ପାଇଁ ତାର ଜନ୍ମ ତାରିଖ ସଂକ୍ରାନ୍ତୀୟ ସାର୍ଟିଫିକେଟ ଆଡଭୋକେଟ ଜେନେରାଲ ଦାଖଲ କରିବେ ବୋଲି କହିଥିଲେ । ମମତାଜର ବୟସ ସେତେବେଳକୁ ୨୨ ହୋଇଥଉ ବା ୨୪ ହୋଇଥାଉ ସେଥିରେ କିଛି ଯାଏ ଆସେ ନାହିଁ । ମାନ୍ୟବର ବିଚାରପତି ମତ ଦେଇଥିଲେ । ତାଙ୍କ ମତରେ ମୂଳ ମକଦ୍ଦମା ସହିତ ଏହି ବୟସର କୌଣସି ସମ୍ପର୍କ ନାହିଁ ।

 

ସାକ୍ଷୀ ଦୃଢ଼ଭାବରେ କହିଲା ଯେ ତାକୁ ମହାରାଜା ଦେଇଥିବା ଅଳଙ୍କାରପତ୍ର ତାର ମା ରଖିଛି ବୋଲି ସେ କେବେ କହିନାହିଁ । ଇନ୍ଦୋରରେ ସାକ୍ଷୀକୁ ରହିବା ପାଇଁ ଗୋଟିଏ ବଙ୍ଗଳା ଦିଆଯାଇ ଥିଲା । ପରେ ପୁରୁଣା ରାଜପ୍ରାସାଦକୁ ନିଆଯିବା ପରେ ତାକୁ ଆଉ ଇନ୍ଦୋର ବାହାରକୁ ଯିବାପାଇଁ ପ୍ରଶ୍ରୟ ବା ସୁବିଧା ଦିଆଯାଇ ନଥିଲା; କିନ୍ତୁ ସନ୍ତାନ ଜନ୍ମ ହେବା ବେଳେ ତାର ଜ୍ଞାତି କୁଟୁମ୍ବଙ୍କୁ ତା ପାଖରେ ରହିବା ପାଇଁ ଅନୁମତି ମିଳିଥିଲା । ଭାନପୁରାରୁ ତାର ସାବତ ବାପ ବମ୍ବେ ପୋଲିସ୍‌ର ଅଭୟ ଭିକ୍ଷା କରିଥିଲେ ଏବଂ ସେଠାରେ ତାଙ୍କୁ ପ୍ରହରା ମଧ୍ୟରେ ରଖାଯାଇ ଥିଲେ ବି କଠୋର ପ୍ରହରାର ବ୍ୟବସ୍ଥା କରାଯାଇ ନଥିଲା । ପ୍ରଥମେ ଇନ୍ଦୋରରେ ତା ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା କିନ୍ତୁ ପରେ ବ୍ୟବହାରର ପରିବର୍ତ୍ତନ ହୋଇଥିଲା । ସେତେବେଳେ ସୁବିଧା ପାଇଥିଲେ ନିଶ୍ଚିତ ଭାବେ ମହାରାଜାଙ୍କୁ ଛାଡ଼ି ଚାଲି ଯାଇଥାନ୍ତା ବୋଲି ସେ କହିଥିଲା । ବମ୍ବେରେ ସେ ଇଂଲଣ୍ଡ ଯିବା ପାଇଁ ଷ୍ଟିମରରେ ବସିଥିଲା ବେଳେ ତା ସହିତ ଜଣେ ପୋଲିସ୍ ଅଫିସର ସାକ୍ଷାତ୍‌ କରିଥିଲେ ଏବଂ ସେତେବେଳେ ସେ ସ୍ୱେଚ୍ଛାରେ ଇଂଲଣ୍ଡ ଯାଉଛି ବୋଲି କହିଥିଲା । ତାକୁ ସେତେବେଳେ ଏଭଳି କହିବା ପାଇଁ ବାଧ୍ୟ କରାଯାଇ ଥିଲା ଏବଂ ଏପରି ନ କହିଲେ ତାକୁ ମାରି ଦିଆଯିବ ବୋଲି ଧମକ ଦିଆଯାଇଥିଲା । ମହାରାଜା ସେତେବେଳକୁ ୧୫ ଦିନ ଆଗରୁ ଇଂଲଣ୍ଡ ଚାଲିଯାଇ ଥାନ୍ତି । ମହାରାଜାଙ୍କ କବଳରୁ ରକ୍ଷା ପାଇବା ଲାଗି ଏହା ଏକ ସୁନ୍ଦର ମଉକା ବୋଲି ସେ ଭାବିଥିଲା; କିନ୍ତୁ ପ୍ରାଣଭୟରେ ସେ କିଛି କରି ପାରିନଥିଲା । ଏ ଘଟଣାର ଦୁଇ ମାସ ପୂର୍ବରୁ ଯୁବରାଜଙ୍କ ବିବାହୋତ୍ସବରେ ତାକୁ ମୂଲ୍ୟବାନ ଗହଣାପତ୍ର ଆଦି ଯାଇଥିଲା । ସେ ଇନ୍ଦୋରରେ ରହିବାର ୧୦ ବର୍ଷ ଭିତରେ ତାକୁ କେବେ ଅର୍ଥ ଦିଆଯାଇ ନଥିଲା; କିନ୍ତୁ ବରାବର ତାକୁ ଗହଣାପତ୍ର ହିଁ ଦିଆଯାଉଥିଲା । ସେ ଦିଲ୍ଲୀରେ ପହଞ୍ଚିଲା ବେଳକୁ ତା ପାଖରେ ୨୨ଟି ବାକ୍‌ସ ବୋଝେଇ ସୁନାକାଚ ଥିଲା ବୋଲି ଯାହା କୁହାଯାଇଛି ତାହା ସତ୍ୟ ନୁହେଁ-। ପ୍ରକୃତ ପକ୍ଷେ ତା ପାଖରେ ମାତ୍ର ଛ ସାତ ବାକ୍‌ସ ବୋଝେଇ ସୁନାକାଚ ଥିଲା ।

 

ମମତାଜକୁ ଦୁଇଦିନ ପାଇଁ ଜେରା କରାଗଲା । ସେତେବେଳେ ଜେରା କରିବାରେ ଶ୍ରେଷ୍ଠ ଓକିଲ ରୂପେ ପରିଚିତ ତିନିଜଣ ଓକିଲଙ୍କ ସମ୍ମୁଖୀନ ହୋଇ ମଧ୍ୟ ପ୍ରଶଂସନୀୟ ଭାବେ ଉତ୍ତର ଦେଇଥିଲା । ଏହି ଶୁଣାଣି ଦୀର୍ଘଦିନ ଧରି ଚାଲିଲା ଏବଂ ବହୁସଂଖ୍ୟକ ଅଭିଯୋଜନା ସାକ୍ଷ୍ୟଙ୍କୁ ଜେରା କରାଗଲା । ସେମାନଙ୍କ ମଧ୍ୟରୁ ଗୁରୂତ୍ୱପୂର୍ଣ୍ଣ ସାକ୍ଷୀ ହେଲା, ‘‘ଆଲ୍ଲାବକ୍‌ସ’’ ନାମକ ବମ୍ବେର ଜଣେ ଟାକ୍‌ସି ଡ୍ରାଇଭର । ସେ ମମତାଜ ମା’ର ଲେଖାଯୋଖା ଭାଇ । ସେ ବାୱଲା ସହିତ ମମତାଜକୁ ପରିଚିତ କରାଇଥିବା କହିଥିଲା । ଅବ୍‌ଦୁଲ କରିମ ନାମକ ଏକ ବ୍ୟକ୍ତିଠାରୁ ଇନ୍ଦୋର ମହାରାଜା ତାକୁ ଡକାଇଛନ୍ତି ବୋଲି ସେ ଶୁଣିଲା । ଏହାର ଦୁଇଦିନ ପରେ ମହାରାଜାଙ୍କ ଏ. ଡ଼ି. ସି ଜାକାଉଲ୍ଲା ତାକୁ ଅରୋରା ହାଉସକୁ ଯିବା ପାଇଁ ନିମନ୍ତ୍ରଣ କଲା । ସେ ନିମନ୍ତ୍ରଣ ରକ୍ଷା ପାଇଁ ସେଠାକୁ ଯିବାରେ ସେଠାରେ ଆସାମୀବୃନ୍ଦ ସଫୀ ଅହମ୍ମହ, ପାଣ୍ଡେ, ବାହାଦୁର ଶାହା, ଆକବର ଶାହା, ମମତାଜ ମହମ୍ମଦ ଓ ଫାନଜେ ବସିଥିବା ଦେଖିଲା । ମମତାଜକୁ ହରଣଚାଳ କରିନେବା ପାଇଁ ସେ ସମସ୍ତଙ୍କୁ ମହାରାଜା ମୁତୟନ କରିଥିବା ସେ ଜାଣିବାକୁ ପାଇଲା । ସେ ସମୟରେ ମମତାଜ ଶ୍ରୀ ବାୱଲାଙ୍କ ସହିତ ବାହାରକୁ ଚାଲିଯାଇଥିଲା । ଏବଂ ସଫୀ ଅହମ୍ମଦ ଓ ଆକବର ଶାହା ଉଭୟଙ୍କୁ ସର୍ବଦା ଅନୁସରଣ କରୁଥାନ୍ତି । ଏହାପରେ ସାକ୍ଷୀ ବାୱଲାଙ୍କ ଡ୍ରାଇଭରକୁ ଏ ବିଷୟ ଜଣାଇ ତା ମୁନିବକୁ ତାର ଯୋଗେ ସତର୍କ କରି ଦେବାପାଇଁ କହିଲା । ପରେ ଅବ୍‌ଦୁଲ କରିମ ଓ ଜାକାଉଲ୍ଲା । ସହିତ ତାର ସାକ୍ଷାତ ହେବାବେଳେ ବାୱଲାଙ୍କ ଜଗୁଆଳିକୁ ଲାଞ୍ଚଦେଇ ଆସାମୀମାନେ କରଗତ କରି ନେଇଥିବା ଜାଣିବାକୁ ପାଇଲା । ଆସାମୀମାନେ ବାୱଲାଙ୍କ ଜଗୁଆଳିକୁ ଦୁଇ ହଜାର ଟଙ୍କା ଦେବାକୁ କହି ଏକ ହଜାର ଟଙ୍କା ଅଗ୍ରୀମ ଦେଇ ଆସିଥିଲେ । ଜଗୁଆଳ ଜଣକ ବାୱଲା ଘରୁ ବାହାରକୁ ଗଲାବେଳେ ପଛପଟ କବାଟ ଖୋଲା ରଖିବ ବୋଲି ରାଜି ହୋଇଥିଲା । ଏହା ହୋଇଥିଲେ ମମତାଜକୁ ହରଣଚାଳ କରିନେବା ଆସାମୀଙ୍କ ପକ୍ଷେ ସୁବିଧାଜନକ ହୋଇଥାନ୍ତା । ସାକ୍ଷୀ ଏ ବିଷୟ ବାୱଲାଙ୍କୁ ଜଣାଇଦେଲା ଏବଂ ସାକ୍ଷୀ ଆହୁରି କହିଲେ ଯେ ସେ କାଲି ମାକ୍‌ସୱେଲ କାର୍‌ ଚଳାଇ ଅରୋରା ହାଉସକୁ ଯାଇଥିଲା । ସେହି କାରରେ ଅବ୍‌ଦୁଲ କରିମ, ପାଣ୍ଡେ, ସଫୀ, ଅହମ୍ମଦ ଓ ମେହେର ଶାହା ବସିଥିଲେ ।

 

ଲେଫ୍‌ଟନାଣ୍ଟ ସର୍ଗଟ ନିଜର ସାକ୍ଷ୍ୟ ଦେବାକୁ ଆସିଲାବେଳେ ଅଦାଲତରେ ପୂର୍ବାପେକ୍ଷା ଅଧିକ ଲୋକସମାଗମ ହୋଇଥିଲା ଏବଂ ତାଙ୍କର ବୀରତ୍ୱପୂର୍ଣ୍ଣ କାହାଣୀ ଶୁଣିବା ପାଇଁ ବହୁ ମହିଳା ମଧ୍ୟ ଅଦାଲତ ପ୍ରକୋଷ୍ଠରେ ଉପସ୍ଥିତ ଥିଲେ । ଲେଫ୍‌ଟନାଣ୍ଟ ସର୍ଗଟ କହିଲେ ଯେ ଜାନୁଆରୀ ୧୨ ତାରିଖ ସନ୍ଧ୍ୟାରେ ସେ କର୍ଣ୍ଣେଲ ଭିକରସ, ଲେଫ୍‌ଟନାଣ୍ଟ ବାଟଲେ ଓ ଲେଫ୍‌ଟନାଣ୍ଟ ଷ୍ଟିଭେନ୍‌ସଙ୍କ ସହିତ ୱିଲଙ୍ଗଟନ ସ୍ପୋର୍ଟସ କ୍ଲବରେ ଗୋଲଫ୍‌ ଖେଳ ସାରି କାର୍‌ ଯୋଗେ ନିଜେ ରହୁଥିବା ହୋଟେଲକୁ ଫେରୁଥିଲେ; କିନ୍ତୁ ଗୋଟିଏ ଛକରେ ସେମାନେ ବାଟ ଭୁଲିବାରୁ ଘଟଣାସ୍ଥଳରେ ପହଞ୍ଚିଗଲେ ଏବଂ ସେତେବେଳକୁ ତାଙ୍କ କାର୍‌ରୁ ମାତ୍ର ୩୦ ଗଜ ଦୂରରେ ଅନ୍ୟ ଦୁଇଟି କାର୍, ରାସ୍ତା ଉପରେ ଅଟକି ରହିଥିବା ସେ ଦେଖିଲେ । ଆଗ କାର୍‌ରୁ ଲୋକମାନେ ଓହ୍ଲାଇ ଆସି ଅନ୍ୟ କାର୍‌ଟିକୁ ଘେରିଗଲେ । ସେ ପିସ୍ତଲ ଫୁଟିଲାବେଳେ ଯେଉଁ ଅଗ୍ନି ସ୍ଫୁଲିଙ୍ଗ ବିଛୁରିତ ହୁଏ ତାହା ଦେଖିପାରି ଦ୍ଵିତୀୟ କାର୍‌ରୁ ଆର୍ତ୍ତ ଚିତ୍କାର ଶୁଣି ପାରିଲେ । ସେ ନିଜ କାର୍‌ ଅଟକାଇ ଅନ୍ୟ କାର୍‌ ଦୁଇଟି ଆଡ଼େ ଧାଇଁ ଗଲେ । ତାଙ୍କର ସହଯୋଗୀମାନେ ତାକୁ ଅନୁଧାବନ କଲେ । ସେତେବେଳେ ତିନିଜଣ ଲୋକ ଡ୍ରାଇଭର ସିଟ୍‌ ପାଖରେ ଛିଡ଼ା ହୋଇଥାନ୍ତି । ଯେଉଁ ତିନିଜଣ ଗାଡ଼ି ଭିତରୁ ଜଣେ ମହିଳାକୁ ଘୋଷାରୁଥାନ୍ତି ସେମାନେ ଉକ୍ତ ମହିଳାଙ୍କୁ ଗୋଟିଏ ଛୁରି ଧରି ମଧ୍ୟ ଧମକାଉଥାନ୍ତି । ସେ ଏ ଘଟଣାରେ ହସ୍ତକ୍ଷେପ କରିବାକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଛୁରି ସାହାଯ୍ୟରେ ତାଙ୍କୁ ଆକ୍ରମଣ କଲା; କିନ୍ତୁ ସାକ୍ଷୀ ଆତତାୟୀ ଦୁଇଜଣକୁ ଟାଣିଆଣି ତୃତୀୟ ବ୍ୟକ୍ତିକୁ କାବୁ କରି ପକାଇଲେ ଓ ଉକ୍ତ ମହିଳାକୁ ନିଜ ଗାଡ଼ିକୁ ନେଇଯିବା ପାଇଁ ଉଦ୍ୟତ ହେଲେ । ସେ ମମତାଜକୁ ନେଇ ଯାଉଥିବାବେଳେ ଜଣେ ଆତତାୟୀ ତାଙ୍କର ଉପରକୁ ଗୁଳି ଚାଳନ କଲା । ସାକ୍ଷୀ ମମତାଜକୁ ଆକ୍ରମଣକାରୀ ଆଡ଼କୁ ଧାବିତ ହେଲେ । ସେହି ଆତତାୟୀକୁ ଜବତ କଲାବେଳେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଗୁଳି ଚଳାଇଲା । ଏହି ସମୟରେ ତାଙ୍କ କାର୍ ଆଡ଼ୁ ଆର୍ତ୍ତ ଚିତ୍କାର ଶୁଣାଗଲା । ସେ ବୁଲିପଡ଼ି ଦେଖିଲେ ଯେ ଦୁଇଜଣ ଲୋକ ପୁନରାୟ ଉକ୍ତ ମହିଳାକୁ ଆକ୍ରମଣ କରୁଛନ୍ତି । ମମତାଜକୁ ଉଦ୍ଧାର କରିବା ନିମନ୍ତେ ସେ ଆତତାୟୀକୁ ଛାଡ଼ି ସିଆଡ଼େ ଦୌଡ଼ିଲେ । ମମତାଜକୁ ଆକ୍ରମଣ କରୁଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ହାତରେ ଗୋଟିଏ କୁକ୍ରିଥିଲା । ସାକ୍ଷୀ ତାହା ଛଡ଼ାଇ ଆଣିଲେ । ସେତେବେଳକୁ ତାଙ୍କ କାର୍‌ର ହେଡ୍‌ଲାଇଟ ଜଳୁଥିଲା-। ସାକ୍ଷୀ ରାସ୍ତା କଡ଼ ପଥର ଉପରେ ପଡ଼ିଗଲା ପର୍ଯ୍ୟନ୍ତ ସେମାନଙ୍କ ସହ ଲଢ଼ୁଥାନ୍ତି । ତଳେ ପଡ଼ି ଉଠିଲା ବେଳକୁ ସେ ଦେଖିଲେ ଯେ ତାଙ୍କ କାର୍‌ର ପଛପଟ ସିଟରେ ଉକ୍ତ ମହିଳା ଜଣକ ବସିଛି ଏବଂ ପ୍ରଥମେ ଗୁଳି ଚାଳନା କରିଥିବା ଆତତାୟୀ ଜଣକ କାର ପାଖରେ ଛିଡ଼ା ହୋଇଛି, ସାକ୍ଷୀ ସେହି ଲୋକର ନିକଟବର୍ତ୍ତୀ ହେବାକ୍ଷଣି ଆତତାୟୀ ତାଙ୍କ ଉପରକୁ ଗୁଳି ଚଳାଇଲା । ଏହାପରେ କିନ୍ତୁ ଆତତାୟୀ ସେଠାରୁ ଦୌଡ଼ି ପଳାଇଗଲା । ସାକ୍ଷୀ ଚାରିଆଡ଼େ ଚାହିଁ ଦେଖିଲେ ଯେ ଦ୍ଵିତୀୟ କାର୍ ପଛରେ ଦୁଇ ତିନିଜଣ ଲୋକ ତଥାପି ଠିଆ ହୋଇଛନ୍ତି । ସେ ସେମାନଙ୍କ ଆଡ଼କୁ ଆଗେଇଗଲେ । ସେ ସମସ୍ତଙ୍କ ହାତରେ ଛୁରିଥିଲା ଏବଂ ସେମାନେ ମିଳିତ ଭାବରେ କାର୍‌ର ମାଲିକଙ୍କୁ ଆକ୍ରମଣ କରୁଥିଲେ । ସାକ୍ଷୀ ସେମାନଙ୍କ ଉପରକୁ ଝାମ୍ପଦେଇ ଜଣକୁ ଧରି ପକାଇଲେ-। ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଚାଲିଥିଲାବେଳେ ପୁଣିଥରେ ତାଙ୍କ କାର୍‌ ଆଡ଼ୁ ଚିତ୍କାର ଶୁଣାଗଲା ଏବଂ ଦୁଇଜଣ ଲୋକ ପୁଣି ଥରେ ସେହି ମହିଳାକୁ ଆକ୍ରମଣ କରୁଥିବା ସେ ଦେଖିଲେ । ଏତିକିବେଳେ ପ୍ରଥମ ଗାଡ଼ିଟି ଭିତରକୁ କେତେକ ଲୋକ ପଶିଯାଉଥିବା ମଧ୍ୟ ସେ ଦେଖିଲେ । ସେ ଏହାପରେ ନିଜ କାର ଆଡ଼କୁ ଗଲେ । ସେହି କାର୍ ଭିତରେ ଦୁଇଜଣ ଆତତାୟୀ ବସି ମମତାଜକୁ ଆକ୍ରମଣ କରୁଥାନ୍ତି । ଉଭୟଙ୍କ ମଧ୍ୟରୁ ଜଣକୁ ସେ ଟାଣି ବାହାରକୁ ଫୋପାଡ଼ି ଦେଲେ ଏବଂ ଅନ୍ୟ ଜଣକୁ କାର୍ ଭିତରେ ରଖି ସେ କବାଟ ବନ୍ଦକଲେ ଓ ତା ପାଖରେ ଥିବା ପିସ୍ତଲଟିକୁ ଜବତ କରିନେଲେ ।

ଏହାପରେ ପୁଣି ଏକ ସଂଘର୍ଷ ସୃଷ୍ଟିହେଲା ଏବଂ ସାକ୍ଷୀ ଅନ୍ୟ ଜଣେ ଆତତାୟୀକୁ ସେତେବେଳକୁ ନିଜେ ଧରିଥିବା କୁକ୍ରି ସାହାଯ୍ୟରେ ଆକ୍ରମଣ କଲେ ଏବଂ ପିସ୍ତଲଧରି ସେହି ଲୋକକୁ ଧରି ପକାଇଲେ । ଏହି ସମୟରେ କର୍ଣ୍ଣେଲ ଭିକରସ୍ ଓ ଅନ୍ୟ ଦୁଇଜଣ ଅଫିସର ପହଞ୍ଚିଗଲେ ଓ ସେ ଲୋକ ଆଉ ଖସିଯାଇ ପାରିଲା ନାହିଁ । ଏସବୁ କାଣ୍ଡ ପରେ ସାକ୍ଷୀ ନିଜ କ୍ଷତକୁ ବ୍ୟାଣ୍ଡେଜ କରି ଅନ୍ୟ କାର୍ ନିକଟରେ ଆହତ ହୋଇ ପଡ଼ିଥିବା ଲୋକ ନିକଟକୁ ଗଲେ । ସେହି ଆହତ ଲୋକର ନାମ ଶ୍ରୀ ବାୱଲା ବୋଲି ସାକ୍ଷୀ ପରେ ଜାଣିବାକୁ ଯାଇଥିଲେ । ସେମାନେ ଯେଉଁ ଆତତାୟୀକୁ ଧରିଥିଲେ ତାକୁ ପୋଲିସ ହାତରେ ଅର୍ପଣ କରାଗଲା । ପରେ ସେଣ୍ଟ୍ ଜର୍ଜ ହସ୍‌ପିଟାଲକୁ ଯାଇ ଚିକିତ୍ସା ନିମନ୍ତେ ସେଠାରେ ଦଶ ଦିନ ରହିଲେ । ସାକ୍ଷୀ ଆସାମୀ ସଫି ଅହମ୍ମଦ (ଯାହାକୁ ସିଏ ଧରିଥିଲେ) ଓ ଶ୍ୟାମ ରାଓ ଦିଘେ (ଯାହାକୁ ନିଜ କାର୍‌ ଭିତରୁ ବାହାରକୁ ଟାଣି ଫୋପାଡ଼ି ଦେଇଥିଲେ) କୋର୍ଟରେ ଚିହ୍ନଟ କଲେ ।

ଲେଫ୍‌ଟନାଣ୍ଟ ବାଟଲେ ଓ କର୍ଣ୍ଣେଲ ଭିକ୍‌ରସ ସର୍ଗଟଙ୍କ ବକ୍ତବ୍ୟ ସହିତ ଏକମତ ହୋଇ ଏ ସଂଘର୍ଷରେ ନିଜର ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ସାକ୍ଷୀମାନଙ୍କୁ ପ୍ରତିପକ୍ଷର ଓକିଲ ଦୀର୍ଘ ସମୟ ଧରି ଜେରା କରିଥିଲେ ବି ମକଦ୍ଦମା ଉପରେ ତାହା କୌଣସି ଆଞ୍ଚ ଆଣି ନଥିଲା ।

ଏହି ମକଦ୍ଦମାର ବିଚାର ସାରାଦେଶରେ ବିଶେଷ କରି ବମ୍ବେ ସହରରେ ଯୁଗପତ୍ ଆଗ୍ରହ ସୃଷ୍ଟି କରିଥିଲା । ନିହତ ଶ୍ରୀ ବାୱଲା ବମ୍ବେର ଜଣେ ବିଶିଷ୍ଠ ନାଗରିକ ହୋଇଥିବାରୁ ଏବଂ ଇନ୍ଦୋର ମହାରାଜା ବେଳେବେଳେ ସେଠାରେ ରହୁଥିବାରୁ ବମ୍ବେବାସିମାନେ ଏ ବିଷୟରେ ବିଶେଷ କୌତୂହଳ ହୋଇ ଉଠିଲେ । ପ୍ରତ୍ୟେକ ଖବର କାଗଜ ଏହି ଶୁଣାଣି ପୂରା ବିବରଣୀ ଛାପୁଥାନ୍ତି । ବିଶେଷ କରି ଟାଇମସ ଅଫ ଇଣ୍ଡିଆ ଏ ମକଦ୍ଦମାର ସବୁ ବିବରଣୀ ଟିକିନିଖି କରି ଛାପୁଥାଏ । ଏହି କାଗଜରେ ଅଭିଯୋଜନାର ସାକ୍ଷୀମାନଙ୍କୁ ଯେଭଳି ଗୁରୁତ୍ୱ ଦିଆଯାଇ ଖବର ପ୍ରକାଶ ପାଉଥାଏ ତାହା ଆସାମୀମାନଙ୍କୁ ଯଥେଷ୍ଟ କ୍ଷୁବ୍‌ଧ କରୁଥାଏ ।

ଏହି ପତ୍ରିକାର ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକରଙ୍କୁ ଏଭଳି ପ୍ରକାଶନରୁ ନିବୃତ୍ତ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଉ ବୋଲି ଶ୍ରୀ ଜିନ୍ନା ଆବେଦନ କଲେ । ସେଦିନ ପାଇଁ ଯେଉଁ ସବୁ ସାକ୍ଷ୍ୟ ପ୍ରମାଣ ଆଗତ କରାଯିବା କଥା ତାହା ସରିଲେ ଏ ବିଷୟ ବିଚାର କରାଯିବ ବୋଲି ମାନ୍ୟବର ବିଚାରପତି ନିର୍ଦେଶ ଦେଲେ ।

ସାକ୍ଷ୍ୟ ପ୍ରମାଣରୁ ଆସାମୀ ସଫି ଅହମ୍ମଦ, ପାଣ୍ଡେ ଓ ଫାନଜେ ଡିସେମ୍ବର ମାସରେ ପୁନାର ଏକ ହୋଟେଲରେ ରହୁଥିବା ଦର୍ଶାଗଲା । ସାକ୍ଷୀମାନେ ମଧ୍ୟ ହତ୍ୟାକାଣ୍ଡର ଦୁଇଦିନ ପୂର୍ବରୁ ନାଲି କାର୍‌ଟିକୁ ସେ ହୋଟେଲ ପାଖରେ ଦେଖିଥିବା କହିଲେ । ଆସାମୀ ପାଣ୍ଡେ ପୁନାରେ ଡିସେମ୍ବର ୧୩ ତାରିଖରୁ ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ରହିଥିଲା ଓ ତାର ରହଣୀକାଳ ମଧ୍ୟରେ ସେ ଦୁଇଟି ଟେଲିଗ୍ରାମ ପାଇଥିଲା ବୋଲି ମଧ୍ୟ ପ୍ରମାଣ ଦାଖଲ କରାଗଲା । ଏହାର ଶୁଣାଣି ମୁଲତବୀ ରହିବା ପରେ ଶ୍ରୀ ଜିନ୍ନା ପୁଣି ଥରେ ନିଜ ଆବେଦନ ଉପସ୍ଥାପିତ କରି ଟାଇମ୍‌ସ ଅଫ ଇଣ୍ଡିଆ ବିରୁଦ୍ଧରେ ଅଦାଲତ ଅବମାନନା ଅଭିଯୋଗ କଲେ । ଶ୍ରୀ ଜିନ୍ନା କହିଲେ ଯେ ଉକ୍ତ ସମ୍ବାଦପତ୍ରଟି ଶୁଣାଣିର ଧାରା ବିବରଣୀ ନ ଦେଇ ସାରାଂଶ ସମୀକ୍ଷା କରୁଛି । ତାର ଏ ପ୍ରକାର ସମ୍ବାଦ ପରିବେଷଣ ଦୋଷାବହ । ମମତାଜର ସନ୍ତାନ ଜନ୍ମ ସଂକ୍ରାନ୍ତୀୟ ଏକ ପଂକ୍ତି ଉଦ୍ଧାର କରି ଶ୍ରୀ ଜିନ୍ନା କହିଲେ ଯେ ଆଡ଼ଭୋକେଟ ଜେନେରାଲ ଏହି ସନ୍ତାନର ଜନ୍ମ ସଂକ୍ରାନ୍ତୀୟ ବିବୃତି ଉପରେ କୌଣସି ଗୁରୁତ୍ଵ ଆରୋପ କରି ନଥିବା ଘୋଷଣା କରିଛନ୍ତି ଏବଂ ମାନ୍ୟବର ବିଚାରପତି ମଧ୍ୟ ଏହି ସନ୍ତାନ ମୃତାବସ୍ଥାରେ ଜନ୍ମ ହୋଇଥିଲା କି ଜନ୍ମ ହେବ ପରେ ତାକୁ ମାରି ଦିଆଗଲା ସେ ପ୍ରଶ୍ନର ବିଚାର ଏଠାରେ ଅପ୍ରାସଙ୍ଗିକ ବୋଲି ମତ ଦେଇଛନ୍ତି । ଏହାସତ୍ତ୍ୱେ ଉକ୍ତ ସମ୍ବାଦପତ୍ର ଏହା ଉପରେ ଯେଭଳି ଟିପ୍ପଣୀ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ । ଏହାପରେ ସେ ଅନ୍ୟ ଏକ ପଂକ୍ତି ଉଦ୍ଧାର କଲେ ଏବଂ ଏଥିରେ ବ୍ୟବହାର କରାଯାଇଥିବା ଶବ୍ଦପୁଞ୍ଜ କେବଳ ଆଡ଼ଭୋକେଟ ଜେନେରାଲଙ୍କ ମୁହଁରେ ଶୋଭାପାଏ ବୋଲି ମତ ଦେଲେ । ମମତାଜ ସନ୍ତୋଷଜନକ ଭାବେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା ଏହି ପଂକ୍ତିରେ ମୋଟାମୋଟି କୁହାଯାଇଥିଲା । ସମ୍ବାଦ ପତ୍ରରେ ବର୍ଣ୍ଣିତ ସବୁକିଛି ବିଷୟ ଅତିରଞ୍ଜିତ ହୋଇଛି ବୋଲି ଶ୍ରୀ ଜିନ୍ନା କହିଲେ ।

ମାନ୍ୟବର ବିଚାରପତି କ୍ରମ୍ପ—ଆପଣ ଯାହା ସବୁ କହିଲେ ତାହାକୁ ମୋଟାମୋଟି ଭାବେ ଚମକପ୍ରଦ ସାମ୍ବାଦିକତା ବୋଲି କୁହାଯାଇପାରେ ।

ଶ୍ରୀ ଜିନ୍ନା—ଶୁଣାଣି ଚାଲିଥିଲାବେଳେ କେଉଁ କେଉଁ ବିଷୟ ପ୍ରକାଶ ପାଇଲେ ଅଦାଲତ ତାକୁ ବରଦାସ୍ତ କରିବ ନାହିଁ ତାହା ଆଇନର ଭାଷ୍ୟକାରମାନେ ସ୍ଥିର କରିଦେଇଛନ୍ତି ।

ବିଚାରପତି କ୍ରମ୍ପ—ଏଗୁଡ଼ିକ ଚାଞ୍ଚଲ୍ୟକର ଓ ଅବାଞ୍ଛନୀୟ ଲେଖା ବୋଲି ଆପଣଙ୍କ ସହ ଏକମତ ହେଉଛି ।

ଶ୍ରୀ ଜିନ୍ନା—ମାନ୍ୟବର ବିଚାରପତି କଣ କହୁଛନ୍ତି ପ୍ରତ୍ୟେକ ସାକ୍ଷୀର ପ୍ରମାଣ ଉପରେ ଟାଇମ୍‌ସ ଅଫ ଇଣ୍ଡିଆ ଅବାଧରେ ଏଭଳି ଟିପ୍ପଣୀ ଦେଇ ଚାଲିଥିବ ? ପ୍ରମାଣ ଉପରେ ନିଜ ମନ୍ତବ୍ୟ ଦେବାଟା ଖବର କାଗଜ ନୁହେଁ । ଖବର କାଗଜ ଯଦି ଚାଞ୍ଚଲ୍ୟ ସୃଷ୍ଟି କରିବାକୁ ଚାହେଁ ତେବେ ଅଦାଲତର ବିଚାରଧାରା ଉପରେ ହସ୍ତକ୍ଷେପ କରି ସେ କଦାପି ତାହା କରିପାରିବ ନାହିଁ ।

 

ବିଚାରପତି କ୍ରମ୍ପ—ଖବରକାଗଜଟି ଅଦାଲତରେ ବିଚାରଧାରା ଉପରେ ହସ୍ତକ୍ଷେପ କରୁଛି ବୋଲି କହିବା କଷ୍ଟକର ।

 

ଶ୍ରୀ ଜିନ୍ନା—ହସ୍ତକ୍ଷେପ ସର୍ବଦା କାର୍ଯ୍ୟତଃ ହେବାର କୌଣସି ଆବଶ୍ୟକତା ନାହିଁ ।

 

ବିଚାରପତି କ୍ରମ୍ପ—ଅଦାଲତ ଅବମାନନା ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଧୀରେ ସୁସ୍ଥେ ଭାବିଚିନ୍ତି ତାହା କରିବା ହେଉଛି ଆଧୁନିକ ଯୁଗର ନୀତି । ଯାହାକିଛି କଲେ ମଧ୍ୟ ଫଳ କିଛି ନ ହେବାର ଆଶଙ୍କା ଅଛି । ଖବର କାଗଜ କର୍ତ୍ତୁପକ୍ଷ ଆସାମୀ ଦୋଷୀ କି ନିର୍ଦ୍ଦୋଷୀ ତାହା କହିବାକୁ ପ୍ରୟାସ କରିନାହାନ୍ତି ।

 

ଶ୍ରୀ ଜିନ୍ନା—ସେମାନେ ଏହା କହିଥିଲେ ତାହା ଏକ ମସ୍ତବଡ଼ ଅବମାନନା ହୋଇଥାନ୍ତା-। ବର୍ତ୍ତମାନ ଯାହା ହୋଇଛି ତାହା ଅଦାଲତ ଅବମାନନାର ଚୂଡ଼ାନ୍ତ ପରିପ୍ରକାଶ । ଯଦିବା ଏହାକୁ ଅବମାନନାର ଶ୍ରେଷ୍ଠ ନିଦର୍ଶନ ବୋଲି ଅଭିହିତ କରାଯାଇ ନ ପାରେ ।

 

ବିଚାରପତି କ୍ରମ୍ପ—ସମ୍ବାଦପତ୍ରରେ ପ୍ରକାଶିତ ମନ୍ତବ୍ୟ ସବୁ ଆପତ୍ତିଜନକ ଏଥିରେ ସନ୍ଦେହ ନାହିଁ ଏବଂ ଏଭଳି ପ୍ରକାଶ ପାଇବା ଉଚିତ୍‌ ହୋଇନାହିଁ । କିନ୍ତୁ ସେସବୁ ମନ୍ତବ୍ୟ ବିଚାରଧାରାକୁ କିପରି ପ୍ରଭାବିତ କରୁଛି ମୁଁ ବୁଝି ପାରୁନାହିଁ ।

 

ଶ୍ରୀ ଜିନ୍ନା—ଏହିସବୁ ପଂକ୍ତିଗୁଡ଼ିକ ଜୁରି ମଣ୍ଡଳୀକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି ଏବଂ ଖବରକାଗଜକୁ କେବଳ ଏଥିରୁ ହିଁ ବାରଣ କରାଯିବା ବିଧେୟ । ଟାଇମ୍‌ସ ଅଫ ଇଣ୍ଡିଆ ବମ୍ବେର ଅଗ୍ରଗାମୀ ସମ୍ବାଦପତ୍ର ହୋଇଥିଲେ ବି କୌଣସି ମକଦ୍ଦମାର ବିଚାର ଚାଲିଥିବାବେଳେ ସେ ଏଭଳି ମନ୍ତବ୍ୟ ଦେଇ ପାରିବ ନାହିଁ ବୋଲି ଉପଲବ୍‌ଧି କରିବା ଆବଶ୍ୟକ ।

 

ବିଚାରପତି କ୍ରମ୍ପ—ସେହି ସମ୍ବାଦ ପତ୍ରର ପ୍ରତିନିଧିଙ୍କୁ ଏଠାରେ ବସିବାପାଇଁ ସୁବିଧା ନ ଦେଲେ ଏତାଦୃଶ ସମ୍ବାଦ ପରିବେଷଣ ବନ୍ଦ କରାଯାଇ ପାରିବ ।

 

ଶ୍ରୀ ଜିନ୍ନା—ମାନ୍ୟବର ବିଚାରପତି ପ୍ରଥମେ ଉକ୍ତ ସମ୍ବାଦପତ୍ର ବିରୁଦ୍ଧରେ ନିଷେଧାଦେଶ ଦେଇ ପରେ ନିଜେ ଯେଭଳି ଭାବୁଛନ୍ତି ସେପରି ଭାବେ ଚୂଡ଼ାନ୍ତ ରାୟ ଦେବେ । ପ୍ରତିପକ୍ଷ ପକ୍ଷରୁ ମୁଁ ଏକଥା ନିଧାର୍ଯ୍ୟ ଭାବେ କହି ରଖୁଛି ଯେ ନ୍ୟାୟ ପ୍ରତିଷ୍ଠାରେ ଉକ୍ତ ସମ୍ବାଦପତ୍ର ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବାରୁ ହିଁ ଯାହା କିଛି ଆମେ ଆପତ୍ତି କରୁଛୁ । ଏହାଛଡ଼ା ସମ୍ବାଦପତ୍ର ବିରୁଦ୍ଧରେ କହିବା ପାଇଁ ଆମ ପକ୍ଷେ ଅନ୍ୟ କୌଣସି କାରଣ ନାହିଁ ।

 

ବିଚାରପତି କ୍ରମ୍ପ—ଏହା କେବଳ ଚା’କପରେ ଝଡ଼ ।

 

ଶ୍ରୀ ଜିନ୍ନା—ହେ ମହାମହିମ ତେବେ ଆମେ ଚା କପକୁ ରଖିବା ହିଁ ଉଚିତ ହେବ । ଟାଇମ୍‌ସ ଅଫ ଇଣ୍ଡିଆ କର୍ତ୍ତୃପକ୍ଷ ଏଠାକୁ ଆସି କାହିଁକି ସେଭଳି ମନ୍ତବ୍ୟ ଦେଇଛନ୍ତି ତାହା ବୁଝାନ୍ତୁ-

 

ମାନ୍ୟବର ବିଚାରପତି ଏ ବିଷୟ ବିଚାର କରି ପରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ; କିନ୍ତୁ ପରେ ଏ ବିଷୟରେ ଆଉ କିଛି ହୋଇ ନଥିଲା ।

 

ଅଭିଯୋଜନାର ସମସ୍ତ ସାକ୍ଷ୍ୟ ପ୍ରମାଣ ଉପସ୍ଥାପନ କରାଯିବା ପରେ ଆସାମୀମାନଙ୍କ ବକ୍ତବ୍ୟ ଲିପିବଦ୍ଧ କରାଗଲା । ନିଜର ବୟାନ ଦେବା ପୂର୍ବରୁ ଆସାମୀମାନେ ନିଜର ବୟାନ ଦେବାପାଇଁ କିଛି ସମୟ ମାଗିଥିଲେ ।

 

ପ୍ରଥମ ଆସାମୀକୁ ତା ବୟାନ ଦେବା ନିମନ୍ତେ କୁହାଯିବାରୁ ସେ କହିଲା ଯେ ତା ମାମୁଁର ଅନୁରୋଧ କ୍ରମେ ସେ ତାକୁ ଦେଖିବାକୁ ଯାଇଥିଲା ଏବଂ ସେତେବେଳେ ମାମୁଁ ତାକୁ ଦୁଇଟି ହଜାର ଟଙ୍କିଆ ନୋଟ ଦେଇଥିଲେ, କାରଣ ଆସାମୀ ତା ମାମୁଁର ଜଣେ ସମ୍ପର୍କୀୟାଙ୍କୁ ବିବାହ କରିବା କଥା ଥିଲା । ସେ ଏହାପରେ ବମ୍ବେରେ ପହଞ୍ଚି ତାର ବନ୍ଧୁ ଲତିଫ୍‌ (ଜଣେ ଫଳ ବ୍ୟବସାୟୀ) କୁ ଖୋଜିଲା । ବନ୍ଧୁକୁ ନ ପାଇ ସେ ଭାସମାନ ଉଦ୍ୟାନକୁ ସୂର୍ଯ୍ୟାସ୍ତ ଦେଖିବା ନିମନ୍ତେ ଯାଇଥିଲା । ସେ ଭାସମାନ ଉଦ୍ୟାନ ପାଖରୁ ବାହାରି ଆସୁଥିଲାବେଳେ ପାଟିତୁଣ୍ଡ ଶୁଣିଲା ଏବଂ ସିଆଡ଼କୁ ଅନାଇ ଦେଖିଲା । ଜଣେ ପୁରୁଷ ଜଣେ ମହିଳାକୁ ଜବରଦସ୍ତ ଅଟକାଇ ରଖିଛି । ଆସାମୀ ଉକ୍ତ ପୁରୁଷକୁ ଧରିପକାଇ ମହିଳା ଜଣକୁ ମୁକ୍ତ କଲା । ଏତିକିବେଳେ ଜଣେ ୟୁରୋପୀୟ ସେଠାରେ ପହଞ୍ଚି ସେହିଲୋକକୁ ଟାଣିନେଲା ଓ ତଳେ କଚାଡ଼ି ଦେଲା । ପରେ ଅନ୍ୟ ଜଣେ ୟୁରୋପୀୟ ଆସି ତାକୁ (ଆସାମୀକୁ) ଧରି ମାଡ଼ ଚଢ଼ାଇଲା । ଆସାମୀ ଏହାର ପ୍ରତିବାଦ କରି ତୃତୀୟ ୟୁରୋପୀୟ ଅଫିସରଙ୍କୁ ନିବେଦନ କଲା କିନ୍ତୁ ଫଳ କିଛି ହେଲା ନାହିଁ । ସେହି ଅଫିସର ଜଣକ ତାଙ୍କୁ (ଆସାମୀକୁ) ବାନ୍ଧି ପକାଇଲା ଏବଂ ପ୍ରକୃତ ଆତତାୟୀଠୁ ସେ ଛଡ଼ାଇ ଧରିଥିବା ଛୁରିଟିକୁ ଟାଣିନେଲେ । ପରେ ତାକୁ ଡାକ୍ତରଖାନା ନିଆଗଲା । ଚାରି ପାଞ୍ଚ ଘଣ୍ଟା ପରେ ଉଠିଲାବେଳକୁ ସେ ଦେଖିଲା ଯେ ଇନିସପେକ୍‌ଟର ଜେଫ୍ରେଜ ତା ପାଖରେ ଚାରି ପାଞ୍ଚ ଜଣ ଇନ୍ଦୋର ଲୋକଙ୍କୁ ଧରି ବସିଛନ୍ତି । ସେହି ସବୁ ଇନ୍ଦୋର ଲୋକ ଏକା ଦଳର ଏବଂ ଆସାମୀ ସେମାନଙ୍କୁ ସତକଥା କହିଦେଉ ବୋଲି ଇନିସପେକ୍‌ଟର କହିଲେ । ଇନିସପେକ୍‌ଟରଙ୍କୁ ସେ ନିଜେ ନିର୍ଦ୍ଦୋଷ ବୋଲି ଜଣାଇଲା ।

 

ବିଚାରପତି ପଚାରିଲେ ମମତାଜ ଜଣେ ନିର୍ଦ୍ଦୋଷ ବାଟୋଇକୁ ଏ ଘଟଣାରେ ସମ୍ପୃକ୍ତ କରିବାର କଣ କାରଣ ଥାଇପାରେ । ଆସାମୀ ଏହାର ଉତ୍ତର ଦେଇ କହିଲା—‘‘ମୁଁ ଜାଣେ ନାହିଁ-।”

 

ଆସାମୀ ପାଣ୍ଡେ ନିଜ ବୟାନରେ କହିଲା—ସେ କେବେ ଅରୋରା ହାଉସରେ ରହି ନଥିଲା । ସେ ପୁନାରେ କଲେଜରେ ନାମ ଲେଖାଇବାକୁ ଇଚ୍ଛାକରି ଥିଲା ଏବଂ ତଦନୁଯାୟୀ ଡିସେମ୍ବର ମାସରେ ଛୁଟି ପାଇସାରିବା ପରେ ପୁନାକୁ ଆସିଲା । ସେଠାରେ ତାର ସାନଭାଇ ଇନ୍ଦୋରରେ ବାହା ହେଉଛି ବୋଲି ଖବର ପାଇଲା । ତେଣୁ ସେ ଜାନୁଆରୀ ୧୧ ତାରିଖରେ ପୁନାରୁ ଆସି ୧୨ ତାରିଖ ଦିନ ଇନ୍ଦୋରରେ ପହଞ୍ଚିଲା । ସେ ହତ୍ୟାକାଣ୍ଡ ଘଟିବା ଦିନ ଆଦୌ ବମ୍ବେରେ ନଥିଲା । ଲେଫ୍‌ଟନାଣ୍ଟ ବାଟଲେ ତାକୁ ଚିହ୍ନଟ କରିବା ତାଙ୍କ ପକ୍ଷରେ ଏକ ଗୁରୁତର ପ୍ରମାଦ । ସେ ଅଧ୍ୟୟନ ଲାଗି ଅତ୍ୟନ୍ତ ଆଗ୍ରହୀ । ସେ ଜୀବନରେ କେବେ ପିସ୍ତଲ ବ୍ୟବହାର କରିନାହିଁ କି କୌଣସି ଷଡ଼ଯନ୍ତ୍ରରେ ଯୋଗଦେବା ତାର ଅଭିଳାଷ ନଥିଲା । ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ।

 

ବିଚାରପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲା ଯେ ପୁନାରେ ଥିଲାବେଳେ ସେ ଫାନଜେଠାରୁ କୌଣସି ଟେଲିଗ୍ରାମ ପାଇ ନାହିଁ । ନିଜର ବକ୍ତବ୍ୟ ଶେଷ କରିବା ପୂର୍ବରୁ କହିଲା ଯେ, ସେ ଇନ୍ଦୋର ରାଜ୍ୟ ସର୍ଭିସରେ ନଥିଲା କି କୌଣସି ବିଭାଗର ଦାୟିତ୍ଵରେ ନଥିଲା । ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ସେ କେବଳ ମାକ୍‌ସୱେଲକାର କିଣିଲାବେଳେ ଫାନଜେ ସହିତ ଯାଇଥିଲା । ଫାନଜେ ତା ନିଜ ବ୍ୟବହାର ପାଇଁ ଏ କାର୍ ନେଉଛି ବୋଲି କହିଥିଲା । ସେ ଏବଂ ଫାନଜେ ପୁନା ଓ ବମ୍ବେରେ ଏକାଠି ରହିଥିବା ଏକ ଆକସ୍ମିକ ଘଟଣା । ତାକୁ ଫାନଜେ କହିଥିଲା ଯେ ମମତାଜ ଇନ୍ଦୋରକୁ ଫେରିଯିବା ପାଇଁ ରାଜିଅଛି ଏବଂ ତାକୁ ଫେରାଇ ନେବା ପାଇଁ ନଟ୍ଟଞ୍ଜନ ଓ ବାଚୁଭାଇ ମଧ୍ୟସ୍ଥ ରୂପେ କାର୍ଯ୍ୟ କରୁଛନ୍ତି ।

 

ତୃତୀୟ ଆସାମୀ ବାହାଦୁର ଶାହା ଯିଏ କି ମାକ୍‌ସୱେଲ କାରର ଡ୍ରାଇଭର ରୂପେ ପୂର୍ବରୁ ବର୍ଣ୍ଣିତ ହୋଇଛି ସେ କହିଲା ଯେ ଇନ୍ଦୋର ରାଜ୍ୟର ମଟର ଡ୍ରାଇଭର ରୂପେ ଇସ୍ତଫା ଦେବା ପରେ ସେ ବମ୍ବେକୁ ଆଉ ଆସିନାହିଁ ।

 

ପଞ୍ଚମ ଆସାମୀ କ୍ୟାପଟେନ ଡିଘେ କହିଲା, ସେ ଘଟଣା ବେଳେ ବମ୍ବେରେ ନଥିଲା ଏବଂ ସେ ଏ ବିଷୟରେ କିଛି ହେଲେ ଜାଣିନାହିଁ । ଚିହ୍ନଟ ପ୍ୟାରେଡ଼ ବେଳେ ସେ ଏକମାତ୍ର ଭଲଭାବେ ଦାଢ଼ି ଫାଡ଼ି କାଟି ଯାଇଥିବାରୁ ବ୍ରିଟିଶ ଅଫିସରମାନେ ତାକୁ ଭ୍ରମବଶତଃ ଚିହ୍ନଟ କରି ପକାଉଛନ୍ତି ବୋଲି ତାର ଦୃଢ଼ ଧାରଣା ହୋଇଛି ।

 

ତା ଦେହ କିପରି ଖଣ୍ଡିଆ ଖାବରା ହୋଇଛି ବୋଲି ପଚାରିବାରୁ ସେ କହିଲା ବାଲିରେ ସାଇକେଲ ଚଳାଉଥିବାବେଳେ ପଡ଼ିଯିବାରୁ ଏମିତି ଦେହସାରା ଆଞ୍ଚୁଡ଼ି ହୋଇ ଯାଇଛି । ଗୁଡ଼ି ଉଡ଼ାଉଥିବାବେଳେ ସୂତାରେ ତାର ଗୋଟିଏ ଆଙ୍ଗୁଠି କଟି ଯାଇଛି ।

 

ଷଷ୍ଠ ଆସାମୀ ମମତାଜ ମହମ୍ମଦ; ଇନ୍ଦୋରର ପୋଲିସ ସବ୍‌ଇନିସପେକ୍‌ଟର କହିଲେ-। ଯେ ଘଟଣା ଦିନ ସେ ଇନ୍ଦୋରରେ ରହି ତାର ରୁଗ୍‌ଣ ପୁଅର ସେବାସୁଶ୍ରୁଷା କରୁଥିଲା ଏବଂ ତାର ଅନୁପସ୍ଥିତିରେ ତା ଘର ଅନୁସନ୍ଧାନ କରାଯାଇଥିଲା ।

 

ସପ୍ତମ ଆସାମୀ ଅବଦୁଲ ଲତିଫ କହିଲା, ସେଦିନ ସେ ଇନ୍ଦୋରରେ ନିଲାମରେ କିଣିଥିବା ଏକ ମଟର ଗାଡ଼ି ସଜାଡ଼ିବା କାମରେ ବ୍ୟସ୍ତ ଥିଲା । ଜୋତା ଯୋଗୁ ତା ପାଦରେ କ୍ଷତ ହୋଇଛି ।

 

ଅଷ୍ଟମ ଆସାମୀ କରାମତ ଖାଁ, ସର୍ଜେଣ୍ଟ ଇମ୍ପେରିଆଲ୍‌ କନଭେନ୍‌ସ୍‌, ଇନ୍ଦୋର ନିଜର ବକ୍ତବ୍ୟ ଦେଇ କହିଲା ଗାଁ ଘଟଣା ଦିନ ସେ ବମ୍ବେରେ ନ ଥିଲା । ସେ ଶିକାର କରିବାକୁ ତାର ବନ୍ଧୁମାନଙ୍କ ସହିତ ଯାଇଥିଲା ବେଳେ ଗାଡ଼ିରେ ଗୁଳିଚୋଟ ବାଜିଥିଲା । ସେହି ଗୁଳିମାଡ଼ ପରେ ପଡ଼ିଯିବାରୁ ତାର ହାତ ଓ କାନ୍ଧରେ କ୍ଷତ ହୋଇଛି । ତା ଘରେ ଅନୁସନ୍ଧାନ ବେଳେ ଯେଉଁ ୯୪୫ ଟଙ୍କା ମିଳିଥିଲା । ତା ଭିତରୁ ୬୦୦ ଟଙ୍କା ତା ଭାଇର ବୋଲି ସେ କହିଥିଲା ।

 

ନବମ ଆସାମୀ ଆନନ୍ଦ ରାଓ ଫାନଜେ ଆଡ଼ଜୁଟାଣ୍ଟ ଜେନେରାଲ, ଇନ୍ଦୋର ଷ୍ଟେଟଫୋର୍ସ କହିଲା ଯେ ତାର ବନ୍ଧୁ ତଥା ଆତ୍ମୀୟ ଶଙ୍କର ରାଓ ଇନ୍ଦୋର ହାଉସହୋଲ୍‌ଡ ମନ୍ତ୍ରୀ ଥିଲା ଏବଂ ମମତାଜ ଇନ୍ଦୋର ଛାଡ଼ି ଚାଲିଯିବା ପରେ ୧୯୨୪ ମସିହା ମାର୍ଚ୍ଚ ମାସରେ ତାକୁ ଗିରଫ କରାଗଲା । ମମତାଜର ଇନ୍ଦୋର ତ୍ୟାଗ ସହିତ ଶଙ୍କର ରାଓ ଗିରଫଦାରୀର ସମ୍ପର୍କ ଅଛିବୋଲି ଲୋକେ ବିଶ୍ଵାସ କଲେ । ଅଗଷ୍ଟ ମାସରେ ମମତାଜକୁ ଫେରାଇ ଆଣିବାଲାଗି ଆସାମୀ ଉଦ୍ୟମ କରୁ ଶଙ୍କର ରାଓ ତାକୁ ନିବେଦନ କଲା ।

 

ଅକ୍ଟୋବର ମାସରେ ଆସାମୀ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବମ୍ବେ ଆସିଲା ଏବଂ ଅବ୍‌ଦୁଲ କରିମ ଜରିଆରେ ମମତାଜ ନିକଟକୁ ଖବର ପଠାଇଲା । ଏହାର ଉତ୍ତର ଦେଇ ମମତାଜ ଇନ୍ଦୋରକୁ ଫେରି ଯିବାପାଇଁ ଇଚ୍ଛା ପ୍ରକାଶ କଲା ଏବଂ ଏଥି ନିମନ୍ତେ ଏକ କାର୍‌ କିଣିବାକୁ ବରାଦ ଦେଲା । ଏହାପରେ ଆସାମୀ କାର୍ କିଣିଲା । ମମତାଜ କିନ୍ତୁ ଶୀଘ୍ର ଯିବା ଅବସ୍ଥାରେ ନାହିଁ ବୋଲି ସେ ଜାଣିବା ପରେ କାର୍‌ଟିକୁ ଇନ୍ଦୋର ବାହାରକୁ ପଠାଇଦେଲା । ଜାନୁଆରୀ ୬ ଓ ୭ ତାରିଖ ଦିନ ସେ ଇନ୍ଦୋରରେ ଏକ ଟେଲିଗ୍ରାମ୍‌ ପାଇଲା କିନ୍ତୁ ଏହାର ଅର୍ଥ କିଛି ବୁଝି ପାରିଲା ନାହିଁ । ମମତାଜକୁ ବେଆଇନ୍ ଭାବେ ନେଇ ପଳାଇ ଆସିବାକୁ ସେ ଆଦୌ ଚିନ୍ତା ମଧ୍ୟ କରି ନ ଥିଲା । ଆସାମୀ ତାର ବୟାନ ଦେବା ବେଳେ ମମତାଜକୁ କମଳା ବାଇ ସାହିବା ବୋଲି ସମ୍ବୋଧନ କରୁଥିଲା । ଏହା ଉପରେ ଅଧିକ କିଛି ପ୍ରମାଣ ନେବା ପାଇଁ ପ୍ରତିପକ୍ଷ ଓକିଲ ଇଚ୍ଛା କଲେ ନାହିଁ ।

 

ଆଡ଼ଭୋକେଟ ଜେନେରାଲ ଓ ପ୍ରତିପକ୍ଷ ଓକିଲ ସ୍ଵାଭାବିକଭାବେ ନିଜ ନିଜ ପକ୍ଷରୁ ପ୍ରମାଣପତ୍ରର ସାରାଂଶ ସମୀକ୍ଷା କଲେ । ଜବାବ ସୁଆଲ ଦୁଇଦିନ କାଳ ଚାଲିଲା । ଏବଂ ମାନ୍ୟବର ବିଚାରପତି କ୍ରମ୍ପ ୨୩ ତାରିଖ ଶନିବାର ଦିନସାରା ମକଦ୍ଦମାର ସାରାଂଶ ସମୀକ୍ଷା କଲେ ।

 

ଆଡ଼ଭୋକେଟ ଜେନେରାଲ ଜୁରିମଣ୍ଡଳୀକୁ ଆସାମୀମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ସ୍ମରଣ କରାଇଦେଇ କ୍ରମାନ୍ୱୟରେ ବିଶଦଭାବେ ବୁଝାଇଦେଲେ ଏବଂ ଅଭିଯୋଜନାରେ ଆସାମୀମାନଙ୍କ ଦୋଷ ସାବ୍ୟସ୍ତ ହୋଇଛି ବୋଲି ନିବେଦନ କଲେ । ସେ କହିଲେ ପ୍ରମାଣପତ୍ରରୁ ଏହା ନିର୍ଦ୍ଦିଷ୍ଟଭାବେ ପ୍ରମାଣିତ ହୋଇଛି ଯେ ମମତାଜ ଦଶ ବର୍ଷ ତଳେ ମହାରାଜାଙ୍କ ଉପପତ୍ନୀରୂପେ ରହିଥିଲା, ତାକୁ କମଳା ବାଇ ନାମରେ ଇଂଲଣ୍ଡକୁ ନିଆଯାଇଥିଲା ଏବଂ ୧୯୨୪ ମସିହା ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ସେ ମହାରାଜାଙ୍କ ଉପପତ୍ନୀରୂପେ ରହିଥିଲା ଓ ମସୋରି ଯିବା ବାଟରେ ଦିଲ୍ଲୀରେ ପହଞ୍ଚିବା ପରେ ସେ ଅଧିକା ବାଟ ଯିବାକୁ ମନା କରି ଦେଇଥିଲା । ଦିଲ୍ଲୀରେ ପହଞ୍ଚିବା ପରଠାରୁ ହତ୍ୟାକାଣ୍ଡ ହେଲା ପର୍ଯ୍ୟନ୍ତ ମମତାଜ କ’ଣ କରୁଥିଲା ଏବଂ ଏହି ସମୟ ଭିତରେ ଆସାମୀମାନେ କଣ କରୁଥିଲେ ସେ ବିଷୟ ଚୁମ୍ବକରେ ଆଡ଼ଭୋକେଟ ଜେନେରାଲ କହିଲେ । ଏ ପରିପ୍ରେକ୍ଷୀରେ ଜାକାଉଲ୍ଲା ଅମୃତସରରେ ମମତାଜକୁ ଧମକ ଦେଇ ଯାହା କହିଥିଲା ‘‘ସେ ଭଲରେ ଇନ୍ଦୋର ଫେରି ନ ଗଲେ ଅନ୍ୟ ପନ୍ଥା ଗ୍ରହଣ କରାଯିବ ସେ ବିଷୟ ମଧ୍ୟ ଏ. ଜି. ସୂଚାଇ ଦେଲେ । ଏହାପରେ ଆସାମୀ ପାଣ୍ଡେର ଛୁଟି ଦରଖାସ୍ତ କଥା ଉଲ୍ଲେଖ କଲେ । ସେହି ଦରଖାସ୍ତରେ ଆସାମୀ ସ୍ୱାସ୍ଥ୍ୟ ପରିବର୍ତ୍ତନ ନିମନ୍ତେ ଯିବାକୁ ଇଚ୍ଛା କରୁଛି ବୋଲି ଦର୍ଶାଇ ଥିଲାବେଳେ ପ୍ରଥମ ଆସାମୀ ତା ରୁଗ୍‌ଣା ଭଉଣୀର ସେବା କରୁଥିଲା ବୋଲି କହିଛି । ତାକୁ ସେତେବେଳେ ବମ୍ବେରେ ଥିବା ଦେଖାଯାଇଥିଲା । ଫାନଜେ ଷୋହଳ ହଜାର ଟଙ୍କା ଉଧାର ଆଣିଥିଲା ଏବଂ ପାଣ୍ଡେ ସହ ବମ୍ବେରେ ରହି ସାଙ୍ଗହୋଇ ମାକ୍‌ସୱେଲ କାର୍ କିଣିଥିଲା । ଏହି କାର କିଣାଯିବା ହିଁ ମମତାଜକୁ ହରଣଚାଳ କରିବା ଦିଗରେ ପ୍ରଥମ ପଦକ୍ଷେପ । କେବଳ ୫, ୭ ଓ ୮ ନମ୍ବର ଆସାମୀମାନଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ଆସାମୀ ଅକ୍ଟୋବର ମାସରେ ବମ୍ବେରେ ଜାକାଉଲ୍ଲା ସହିତ ରହିଥିଲେ ଏବଂ ମମତାଜକୁ ହରଣଚାଳ କରିବାପାଇଁ ମମତାଜର ମାମୁଁ ଟ୍ୟାକ୍‌ସି ଡ୍ରାଇଭର ଆଲ୍ଲାବକ୍‌ସର ସହାୟତା ଲୋଡ଼ିଥିଲେ । ଅକ୍ଟୋବର ମାସରେ କାର୍‌ କିଣିଲାବେଳେ ଆଲ୍ଲାବକ୍‌ସ ତା ସହିତ ଥିଲା ବୋଲି ଫାନଜେ ଯାହା କହିଥିଲା ସେଥିପ୍ରତି ଆଡ଼ଭୋକେଟ ଜେନେରାଲ ବିଶେଷଭାବେ ଜୁରିମଣ୍ଡଳୀର ଦୃଷ୍ଟି ଆକର୍ଷଣ କରିଥିଲେ ।

 

ଆଡ଼ଭୋକେଟ୍‌ ଜେନେରାଲ ତାଙ୍କର ସୁଆଲ ଚାଲୁରଖି କହିଲେ ଯେ ଆସାମୀମାନଙ୍କ ହାତରେ ଘଟଣାବେଳକୁ ତିନୋଟି ପିସ୍ତଲ, ଗୋଟିଏ କୁକ୍ରି ଓ ଗୋଟିଏ ବଡ଼ ଛୁରି ଥିଲା ଏବଂ ସେମାନେ ଜୋରଜବରଦସ୍ତ ମମତାଜକୁ ନେଇ ଯିବାପାଇଁ କୃତସଂକଳ୍ପ ହୋଇଥିଲେ ବୋଲି ଉପସ୍ଥାପିତ ହୋଇଥିବା ପ୍ରମାଣପତ୍ରରୁ ନିଧାର୍ଯ୍ୟରୂପେ ସିଦ୍ଧାନ୍ତ କରାଯାଇ ପାରିବ । ଏହାପରେ ବ୍ରିଟିଶ ସାମରିକ ଅଫିସରମାନେ ସାହସର ସହିତ ଯେଉଁ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ ସେଥିପ୍ରତି ସେ ଜୁରିମଣ୍ଡଳୀର ଦୃଷ୍ଟି ଆକର୍ଷଣ କଲେ । ସେମାନଙ୍କ ସାକ୍ଷ୍ୟରୁ ଜଣାଯାଉଛି ଯେ ଜଣେ ଲୋକ ଶ୍ରୀ ସର୍ଗଟଙ୍କୁ ଗୁଳିକଲା ଓ ଅନ୍ୟ ଜଣେ ଛୁରି ମାରିଲା । ଏହାସତ୍ତ୍ୱେ ଅପୂର୍ବ ବୀରତ୍ଵ ପ୍ରଦର୍ଶନ କରି ସେ ଆତତାୟୀଙ୍କ କବଳରୁ ମମତାଜକୁ ଉଦ୍ଧାର କଲେ । ଏହାପରେ ତୃତୀୟ ବ୍ୟକ୍ତି-ଆସାମୀ ଶ୍ରୀ ପାଣ୍ଡେ ଶ୍ରୀ ବାଟଲେଙ୍କ ଉପରକୁ ଗୁଳି ଚାଳନା କଲା ।

 

ଏହି ଅଫିସରମାନେ ଯେଉଁ ସବୁ ପ୍ରମାଣ ଦେଇଥିଲେ ତାହା କହିସାରିବା ପରେ ଆଡ଼ଭୋକେଟ ଜେନେରାଲ ପ୍ରତିପକ୍ଷର ଓକିଲ ଆତ୍ମପକ୍ଷ ସମର୍ଥନ କରି ଯାହା କହୁଥିଲେ ତାର ପର୍ଯ୍ୟାଲୋଚନା କଲେ । ମମତାଜ ଇନ୍ଦୋରକୁ ଫେରିଯିବା ପାଇଁ ଇଚ୍ଛା କରୁଥିଲା । ତେଣୁ ତାକୁ ଫେରାଇ ଆଣିବା ନିମନ୍ତେ କୌଣସି ଅପରାଧ କରିବାର ଅବକାଶ ନଥିଲା ବୋଲି ପ୍ରତିପକ୍ଷରୁ ପ୍ରତିପାଦିତ କରିବାପାଇଁ ଉଦ୍ୟମ ହୋଇଛି । ଏଇଥିପାଇଁ ମମତାଜକୁ ଆଜି କଠୋର ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ସେଥିପାଇଁ ତାକୁ ଦୁଇଦିନ କାଳ ଜେରା କରାଯାଇଥିଲା । ମମତାଜ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସିଧାସଳଖ ଦେଇଥିଲା ଏବଂ ବିନା ଦ୍ୱିଧାରେ ସେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲା । ତେଣୁ ତାଭଳି ଜଣେ ସତ୍ୟବାଦୀ ସାକ୍ଷୀର ସମସ୍ତ କଥା ପୂରାପୂରି ଗ୍ରହଣ କରି ନିଆଯିବା ଆବଶ୍ୟକ । ଯଦି ସେ ସ୍ଵେଚ୍ଛାରେ ମହାରାଜାଙ୍କ ନିକଟକୁ ଫେରିଯିବାକୁ ଚାହୁଁ ଥିଲା ତେବେ ଅମୃତସରରୁ ଇନ୍ଦୋର କିମ୍ବା ମସୋରିକୁ ଯିବାପାଇଁ କଣ ତାକୁ ବାଧା ଦେଲା ? ପୁନରାୟ ଜୁଲାଇ ମାସରେ ତା ବିରୁଦ୍ଧରେ ଏବଂ ତାର ପିତାମାତାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ ଆଗତ କରାଯାଇଥିଲା ଏବଂ ଶ୍ରୀ ନରିମାନ୍‌ ଦେଇଥିବା ପ୍ରମାଣକୁ ବିଶ୍ଵାସ କଲେ ମମତାଜ ଇନ୍ଦୋରକୁ ଗଲେ ତାର ଜୀବନ ବିପନ୍ନ ହେବ ବୋଲି ସେ ନିଜେ ଆଶଙ୍କା କରିଥିଲା ବୋଲି ନରିମାନ୍‌କୁ କହିଥିଲା । ଏଣୁ ଏଇ କଥାକୁ ମମତାଜ ସ୍ୱେଚ୍ଛାରେ ଇନ୍ଦୋର ଫେରି ଯିବାକୁ ଚାହୁଁଥିଲା ବୋଲି କହିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଏ. ଜି. ଦର୍ଶାଇଲେ ।

 

ତାଙ୍କର ସୁଆଲ ଶେଷକରି ଆଡ଼ଭୋକେଟ୍ ଜେନେରାଲ କହିଲେ ଯେ ମହାରଜାଙ୍କଠାରୁ ନିଜକୁ ବିଚ୍ଛିନ୍ନ କରି ନେଇଥିବା ମମତାଜ ପୁନରାୟ ଫେରି ଯିବାପାଇଁ ଇଚ୍ଛା କରୁଥିଲା ବୋଲି ଜୁରିମଣ୍ଡଳୀ ବିଶ୍ୱାସ କରିବାକୁ ପ୍ରତିପକ୍ଷରୁ ନିବେଦନ କରାଯାଇଛି; କିନ୍ତୁ ଏକଥା କଣ ବିଶ୍ଵାସ କରାଯାଇଥିଲା ଯେ ଇନ୍ଦୋରର ୪ ଜଣ ଉଚ୍ଚପଦସ୍ଥ ଅଫିସର ଯେଉଁମାନେ କି ଫୌଜଦାରୀ ମକଦ୍ଦମାରେ ଦଣ୍ଡ ଭୋଗ କରୁଥିଲେ ସେମାନେ ମମତାଜକୁ ଇନ୍ଦୋର ଫେରାଇ ଆଣିବା ପରେ ମୁକ୍ତି ପାଇବେ ବୋଲି ପ୍ରତିଶ୍ରୁତି ପାଇଥିଲେ । ଜାନୁଆରୀ ୬ ତାରିଖ ଦିନ ୪ ଜଣ ଆସାମୀ ଛୁଟି ନେବା ଏବଂ ୯ ତାରିଖ ଯେଉଁ ଦିନ କି ଫଳ ପଠାଗଲା ବୋଲି ଟେଲିଗ୍ରାମ୍‌ ମିଳିଲା, ସେଦିନ ବାକିତକ ଆସାମୀ ଛୁଟି ନେବା କଣ କେବଳ ଦୁଇଟି ବିଷୟ ମିଳି ଯାଉଥିବା ଭଳି ଏକ ସାମାନ୍ୟ ଘଟଣା ? ପୁନରାୟ କେବଳ ଆସାମୀମାନଙ୍କ ଦେହରେ ଏକ ସପ୍ତାହ ଭିତରେ କ୍ଷତ ହେବା ମଧ୍ୟ ସାମାନ୍ୟ ସାଦୃଶ୍ୟ ଘଟଣା ? ଏସବୁ ପ୍ରମାଣ ପତ୍ରରୁ ଆସାମୀମାନଙ୍କର ଦୋଷ ସମ୍ପର୍କରେ ସାମାନ୍ୟ ସନ୍ଦେହ ପୋଷଣ କଲାଭଳି ବିଷୟ ନାହିଁ । ଆସାମୀମାନେ ଉଦ୍ଦେଶ୍ୟମୂଳକ ଭାବେ ବ୍ୟବହାର କରିଥିବା କାର୍‌ଟିକୁ ଲୁଚାଇ ଦେଇଛନ୍ତି ଏବଂ ପରେ ହୁଏତ ସେହି କାର୍‌ଟିକୁ ଆବିଷ୍କାର କରାଯାଇପାରେ । ତେଣୁ ଜୁରିମାନେ ଆସାମୀମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରନ୍ତୁ ।

 

ଆଡ଼ଭୋକେଟ ଜେନେରାଲଙ୍କ ସୁଆଲ ପରେ ଶ୍ରୀ ସେନଗୁପ୍ତ ପ୍ରଥମ ଆସାମୀ ସଫି ଅହମ୍ମଦ (ଇନ୍ଦୋର ମାଉଣ୍ଟେଡ଼ ପୋଲିସର ରିସଳ୍‌ଦାର) ପକ୍ଷରୁ ଜବାବ ଦେଲେ । ସେ କହିଲେ ଯେ ଆଡ଼ଭୋକେଟ ଜେନେରାଲ ତାଙ୍କ ସୁଆଲରେ ଜେରା ବେଳେ ଉତ୍‌ଥାପିତ ହୋଇଥିବା ବହୁବିଧ ପ୍ରସଙ୍ଗର ଯଥାର୍ଥ ମୂଲ୍ୟାୟନ କରିପାରି ନାହାନ୍ତି ତେଣୁ ପ୍ରତିପକ୍ଷ କିପରି ନିଜର ଯୁକ୍ତି ପ୍ରତିପାଦିତ କରିପାରିଛନ୍ତି ତାହା ବୁଝାଇ କହିବା ଆବଶ୍ୟକ ହେବ । ଶ୍ରୀ ବାୱଲାଙ୍କୁ ହତ୍ୟା କରାଯାଇଛି ଏବଂ ଶ୍ରୀ ସର୍ଗଟଙ୍କୁ ଗୁଳି କରାଯାଇଛି; ଏ ବିଷୟରେ ଦ୍ଵିମତ ହେବାର କିଛି ନାହିଁ; କିନ୍ତୁ କିଏ ହତ୍ୟା କଲା ତାହା ଏଇଠି ଆମକୁ ପ୍ରଶ୍ନ ନୁହେଁ । ଏ କିନ୍ତୁ ସୀମିତ ଅର୍ଥରେ ଅଭିଯୋଜନା ପକ୍ଷରୁ ପ୍ରତ୍ୟେକ ଆସାମୀଙ୍କ ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ ଆଗତ କରାଯାଇଛି ତାହା ପ୍ରତିପାଦିତ କରାଯାଇ ପାରିଛି କି ନାହିଁ ତାହା ହେଉଛି ଅସଲ ପ୍ରଶ୍ନ । ପ୍ରତିପକ୍ଷର ଓକିଲ ଯାହା ସବୁ ପ୍ରତିପାଦିତ କରିବାକୁ ଚେଷ୍ଟା କରିଥିଲେ ସେଗୁଡ଼ିକ ହେଲା ଆସାମୀ ସଫି ଅହମ୍ମଦକୁ ଲେଫଟନାଣ୍ଟ ସର୍ଗଟ ନ ଧରିଲା ପର୍ଯ୍ୟନ୍ତ ସେ ସଙ୍ଘର୍ଷରେ ବ୍ୟାପୃତ ହୋଇନଥିଲା । ସେ ଶ୍ରୀ ବାୱଲା କି ଲେଫଟନାଣ୍ଟ ସର୍ଗଟଙ୍କୁ ଅଥବା ମାଥିଉସ୍‌ଙ୍କୁ ଗୁଳି ଚଳାଇ ନଥିଲା କିମ୍ବା ମମତାଜକୁ ଛୁରି ମାରି ନଥିଲା । ସର୍ବୋପରି ତା ହାତରେ ପିସ୍ତଲ ନଥିଲା । ପ୍ରଥମ ଆସାମୀ ବିରୁଦ୍ଧରେ ହୋଇଥିବା ଅଭିଯୋଗର ଅସଲ କଥା ଶ୍ରୀ ସର୍ଗଟଙ୍କ ସାକ୍ଷ୍ୟରେ ରହିଛି । ଆସାମୀ ହାତରେ ପିସ୍ତଲକୁ ଧରିଥିବା ଶ୍ରୀ ସର୍ଗଟ ଦେଖିଥିବା ତାଙ୍କ ସାକ୍ଷ୍ୟରେ କହିଥିଲେ । ପ୍ରଥମ ଆସାମୀ ପାଇଁ ତାଙ୍କ ସାକ୍ଷ୍ୟର ଏଇତକ ଅଂଶ ହିଁ ବିଶେଷ ଗୁରୁତ୍ଵପୂର୍ଣ୍ଣ; କିନ୍ତୁ ଏଇତକ ପ୍ରମାଣ କିଭଳି ବିଶ୍ୱାସଯୋଗ୍ୟ ନୁହେଁ ତାହା ପ୍ରତିପାଦିତ କରିବା ପାଇଁ ଶ୍ରୀ ସେନଗୁପ୍ତ ଉଦ୍ୟମ କଲେ । ସେ କହିଲେ ଯେ ମମତାଜ ଶ୍ରୀ ବାଓ୍ୱାଲାଙ୍କ କାରରେ ଥିଲାବେଳେ ତା ଦେହ କାଟି ହୋଇ ଯାଇଥିଲା ଓ ରକ୍ତ ବୋହୁଥିଲା ବୋଲି ଶ୍ରୀ ସର୍ଗଟଙ୍କ ସାକ୍ଷ୍ୟରୁ ଜଣାଯାଉଛି । ଏହି ସାକ୍ଷ୍ୟରୁ ମମତାଜ ଏ ନିର୍ଦ୍ଧିଷ୍ଟ ବିଷୟରେ ଯାହା କହିଛି ତାହା ବିଶ୍ଵାସଯୋଗ୍ୟ ନୁହେଁ ବୋଲି ଜଣାପଡ଼ୁଛି ଏବଂ ସେଇଥିପାଇଁ ମମତାଜ ଆସାମୀକୁ ଏକ ଆତତାୟୀ ଯେଉଁ ଚିହ୍ନଟ କରିଛି ତାହା ବିଶ୍ଵାସ କରାଯାଇ ନ ପାରେ । ମମତାଜକୁ ଛୁରି ମାରୁଥିବା ବେଳେ ଆତତାୟୀକୁ ଲେଫ୍‌ଟନାଣ୍ଟ୍‌ ସର୍ଗଟ ଟାଣି ଆଣିଥିଲେ । ସେତେବେଳେ ସେ ଯଦି ଆସାମୀକୁ ଦେଖିଥାନ୍ତେ ତେବେ ତାହା ସାକ୍ଷ୍ୟ ଦେଲାବେଳେ ନିଶ୍ଚୟ କହିଥାନ୍ତେ । ସେଇଭଳି ଶ୍ରୀ ମାଥିଉସ ଆସାମୀମାନଙ୍କୁ ଯେଭଳି ଚିହ୍ନଟ କରିଛନ୍ତି ତାକୁ ମଧ୍ୟ ଜୁରୀମାନେ ବିଶ୍ୱାସ କରିବା ଉଚିତ୍‌ ନୁହେଁ କାରଣ ତାଙ୍କ ଉପରକୁ କିଏ ଗୁଳି ଚଳାଇଥିଲା ଓ ତାଙ୍କସହ କିଏ ସଂଘର୍ଷ କରୁଥିଲା ତାକୁ । ସିଏ ଚିହ୍ନିପାରି ନାହାନ୍ତି । ଏହାଛଡ଼ା ଲେଫ୍‌ଟନାଣ୍ଟ ସର୍ଗଟଙ୍କ ସାକ୍ଷ୍ୟରୁ ଆହୁରି ମଧ୍ୟ ଜଣାଯାଉଛି ଯେ ତାଙ୍କର ମହକିଲ ମମତାଜକୁ କୁକ୍ରି ସାହାଯ୍ୟରେ ଆକ୍ରମଣ କରୁନଥିଲା । ତାଙ୍କର ମହକିଲ ସଂଘର୍ଷରତ ଥିଲା ବୋଲି ସନ୍ଦେହମୁକ୍ତ ଭାବେ ପ୍ରତିପାଦିତ କରାଯାଇ ପାରିନାହିଁ; କିନ୍ତୁ ସଂଘର୍ଷ ଶେଷରେ ତାକୁ ଲେଫ୍‌ଟନାଣ୍ଟ ସର୍ଗଟ ଧରିଥିଲେ ବୋଲି ଯାହା ପ୍ରତିପାଦିତ ହୋଇଛି ।

 

ପ୍ରତିପକ୍ଷ ଓକିଲ ଏହାପରେ ଲେଫ୍‌ଟନାଣ୍ଟ ସର୍ଗଟ ଆସାମୀ ହାତରେ ପିସ୍ତଲ ଥିବା ଦେଖିଥିଲେ ବୋଲି ଯେଉଁ ସାକ୍ଷ୍ୟ ଦେଇଥିଲେ ତାର ପର୍ଯ୍ୟାଲୋଚନା କଲେ । ସେ କହିଲେ ଯେ, ଲେଫ୍‌ଟନାଣ୍ଟ ସର୍ଗଟ ଶେଷରେ ସଫି ଅହମ୍ମଦକୁ ଧରିଲାବେଳେ ଅନ୍ଧାର ହୋଇ ଯାଇଥିଲା ଏବଂ ସେତେବେଳକୁ ସେ ନିଜେ ମଧ୍ୟ ଆହତ ହୋଇ ମ୍ରିୟମାଣ ହୋଇ ପଡ଼ିଥିଲେ । ଏ ଅବସ୍ଥାରେ ସେ ଆସାମୀ ହାତରେ ପିସ୍ତଲ ଧରିଥିଲା ବୋଲି କହି ଏକ ଉଦ୍ଦେଶ୍ୟହୀନ ମିଥ୍ୟା କହି ପକାଇଛନ୍ତି । ଆସାମୀ ପିସ୍ତଲରେ ମମତାଜ ମୁଣ୍ଡକୁ ଛେଚୁଥିଲା ବୋଲି ଲେଫ୍‌ଟନାଣ୍ଟ ସର୍ଗଟ ତାଙ୍କ ସାକ୍ଷ୍ୟରେ କହିଛନ୍ତି କିନ୍ତୁ ଡାକ୍ତରୀ ପରୀକ୍ଷାରେ ତାଙ୍କର ଏ ଉକ୍ତିର ସତ୍ୟତା ପ୍ରମାଣିତ ହୋଇ ପାରିନାହିଁ । ସେତେବେଳକୁ ଲେଫ୍‌ଟନାଣ୍ଟ ସର୍ଗଟଙ୍କ ହାତରେ ଗୋଟିଏ କୁକ୍ରି ଥିଲା । ଆସାମୀ ଯଦି ପିସ୍ତଲରେ ମମତାଜକୁ ଛେଚୁଥିବା ସେ ଦେଖିଥାନ୍ତେ ତେବେ କୁକ୍ରି ସାହାଯ୍ୟରେ ସର୍ଗଟ ଆସାମୀକୁ ଚୋଟେ ପକାଇବାକୁ ହେଳା କରି ନଥାନ୍ତେ; କିନ୍ତୁ ସେ ସେଭଳି କୌଣସି କାମ କରି ନାହାନ୍ତି । ଆସାମୀ ସଫି ଅହମ୍ମଦ ସେତେବେଳକୁ କୁକ୍ରି ଧରିଥିବା ସାକ୍ଷ୍ୟ ପ୍ରମାଣରୁ ଜଣାଯାଉଛି ଏବଂ କୁକ୍ରିଟିର ବେଣ୍ଟ କଳା ହୋଇଥିବାରୁ ଲେଫ୍‌ଟନାଣ୍ଟ ସର୍ଗଟ ଭୁଲରେ ତାକୁ ପିସ୍ତଲ ବୋଲି ଭାବିଥିବେ ।

 

ଶ୍ରୀ ସେନଗୁପ୍ତ ତାଙ୍କ ମହକିଲଙ୍କ ବିରୁଦ୍ଧରେ ହୋଇଥିବା ଅନ୍ୟାନ୍ୟ ପ୍ରମାଣ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ କହିଲେ ଯେ, ଏହି ମକଦ୍ଦମାରେ ହୋଇଥିବା ତଦନ୍ତ ସାଧୁଭାବରେ କରାଯାଇନାହିଁ-। କେତେକ ଲୋକଙ୍କର ବାକ୍‌ ସ୍ଵାଧୀନତାକୁ ସଙ୍କୁଚିତ କରାଯାଇ ସେମାନଙ୍କ ଜରିଆରେ ପ୍ରଥମ ଆସାମୀକୁ ଜବରଦସ୍ତ ଚିହ୍ନଟ କରାଯାଇଛି । ସଫି ଅହମ୍ମଦକୁ ଅକ୍ଟୋବର ଓ ଜାନୁଆରୀ ମାସରେ ବହୁ ସ୍ଥାନରେ ବୁଲୁଥିବା ଦେଖା ଯାଇଥିଲା ବୋଲି ସାକ୍ଷୀମାନେ ଯାହା କହିଛନ୍ତି ତାହା ଅପ୍ରାସଙ୍ଗିକ ବୋଲି ମତ ଦେଇ ତାଙ୍କର ମହକିଲକୁ ଜୁରିମାନେ ନିର୍ଦ୍ଦୋଷରେ ଖଲାସ କରନ୍ତୁ ବୋଲି ଶେଷରେ ସେ ନିବେଦନ କରିଥିଲେ ।

 

ଶ୍ରୀ ଭେଲିଙ୍କର ତାଙ୍କ ମହକିଲମାନଙ୍କ ପକ୍ଷରୁ ଜୁରି ମଣ୍ଡଳୀକୁ ସମ୍ବୋଧନ କଲେ । ଜୁରିମଣ୍ଡଳୀ ନିଜର ନାଗରିକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ଯେଉଁ ଜଟିଳ କାର୍ଯ୍ୟରେ ହାତ ଦେଇଥିଲେ ତାହା ଶେଷ ହେବାକୁ ଯାଉଥିବାରୁ ପ୍ରଥମେ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ-। ସେ କହିଲେ ଯେ, ମାଲବାସହିଲ ହତ୍ୟାକାଣ୍ଡ ସବୁ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବଂ ସମ୍ବାଦପତ୍ର ଗୁଡ଼ିକ ପରସ୍ପର ପ୍ରତିଦ୍ୱନ୍ଦିତା କରି ଏ ଶୁଣାଣି ବିଷୟରେ ଯାହାସବୁ ପ୍ରକାଶ କରିଛନ୍ତି ତାକୁ ସାଧାରଣ ଜନତା ସହିତ ଆପଣମାନେ ମଧ୍ୟ ପଢ଼ିଥିବେ । ଚାଞ୍ଚଲ୍ୟ ସୃଷ୍ଟି କରି ଖବର କାଗଜର କାଟତି ବଢ଼ାଇବା ବ୍ୟବସାୟଗତ ବିଷୟ ହୋଇପାରେ । ଏଭଳି ସାମ୍ବାଦିକତା କିପରି ନୀତିର ପରିଚାୟକ ତାହା ବିଚାର୍ଯ୍ୟ ବିଷୟ ନୁହେଁ; କିନ୍ତୁ ସାମ୍ବାଦିକତା ମକଦ୍ଦମାର ବିଷୟବସ୍ତୁକୁ ପ୍ରଭାବିତ କରିଥିବା ଉଦବେଗର ବିଷୟ । ତେଣୁ ସେଇସବୁ ସମ୍ବାଦପତ୍ର ଯଦି ଜୁରିମାନେ କୌଣସି ଧାରଣାର ବଶବର୍ତ୍ତୀ ହୋଇଥାନ୍ତି ସେ ସବୁକୁ ମନରୁ ପୋଛି ଦେବାପାଇଁ ପ୍ରଥମେ ସେ ନିବେଦନ କରିଥିଲେ ।

 

ଶ୍ରୀ ଭେଲିଙ୍କର ଏହାପରେ ବ୍ରିଟିଶ ଅଫିସରମାନଙ୍କର ସାହସର ଭୂୟସୀ ପ୍ରଶଂସା କରିଥିଲେ । ଏହା ସଙ୍ଗେ ସଙ୍ଗେ ଏଭଳି ପ୍ରଶଂସା ଜୁରିମାନଙ୍କର ବିଚାରବୋଧକୁ ଯେପରି ପ୍ରଭାବିତ ନ କରେ ସେଥିପାଇଁ ମଧ୍ୟ ସେ ସତର୍କ କରି ଦେଇଥିଲେ । ଜୁରିମାନଙ୍କର କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ସେ ପ୍ରାଥମିକଭାବେ ଆଲୋଚନା କରିବା ପରେ ଅଭିଯୋଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରିଥିଲେ ।

 

ଉଭୟ ପକ୍ଷର ଜବାଦ ସୁଆଲ ପରେ ମାନ୍ୟବର ବିଚାରପତି ଜୁରିମାନଙ୍କ ପାଇଁ ମକଦ୍ଦମାର ସାରାଂଶ ସମୀକ୍ଷା କଲେ । ଏହା ଶୁଣି ଜୁରିମାନେ ବିଦାୟ ନେଲେ । ନିଜ ଭିତରେ ଦୀର୍ଘ ଏକଘଣ୍ଟା କାଳ ଆଲୋଚନା କରିବା ପରେ ସାତଟା ୪୫ ମିନିଟରେ ସେମାନେ କକ୍ଷକୁ ଫେରିଲେ ସେମାନେ ଆସାମୀମାନଙ୍କ ମଧ୍ୟରୁ କେବଳ ମମତାଜ ମହମ୍ମଦ ଓ କରାମତ ଖାଁଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଦୋଷୀ ବୋଲି ମତ ଦେଲେ ।

 

ସଫି ଅହମ୍ମଦ, ପାଣ୍ଡେ ଓ ଦିଘେ ମଲା ପର୍ଯ୍ୟନ୍ତ ଫାଶୀ କାଠରେ ଝୁଲିବେ ବୋଲି ମାନ୍ୟବର ବିଚାରପତି ଘୋଷଣା କଲେ । ମମତାଜ ମହମ୍ମଦ ଓ କରାମତ ଖାଁ ଖଲାସ ହେଲେ । ବାକି ସମସ୍ତଙ୍କୁ କଳାପାଣି ହେଲା । ବିଚାରପତିଙ୍କ ରାୟ ଓ ଜୁରିମଣ୍ଡଳୀର ମତାମତ ଶୁଣିବାକୁ ବହୁସଂଖ୍ୟକ ଲୋକ ସବୁଦିନ ହାଇକୋର୍ଟରେ ଜମା ହେଉଥିଲେ ।

 

ଏହାର ପରବର୍ତ୍ତୀ ଘଟଣାବଳୀ ହତ୍ୟାକାଣ୍ଡ ବା ଶୁଣାଣି ସହ ସମ୍ପୃକ୍ତ ନୁହେଁ । ହାଇକୋର୍ଟର ରାୟ ପ୍ରକାଶ ପାଇବା ପରେ ସେ ବମ୍ବେ ଛାଡ଼ି ଅମୃତସରକୁ ଚାଲିଗଲା; କିନ୍ତୁ ତା ରୋମାନ୍‌ସ ଏତିକିରେ ସରିଗଲା ନାହିଁ । ତା କପାଳରେ କ୍ଷତଚିହ୍ନ ସତ୍ତ୍ୱେ ସେ ବହୁ ଯୁବକଙ୍କୁ ନିଜ ସୌନ୍ଦର୍ଯ୍ୟରେ ଆକୃଷ୍ଟ କଲା ଏବଂ ଏଇଥର ଜଣେ ଧନୀ ଚର୍ମବ୍ୟବସାୟୀଙ୍କ ପୁତ୍ର ତାର ପ୍ରଣୟ ପ୍ରାର୍ଥୀ ହେଲେ ।

 

ବାଓ୍ୱାଲା ହତ୍ୟା ମକଦ୍ଦମାର ପ୍ରତିକ୍ରିୟା କିନ୍ତୁ ଏତିକିରେ ସରିଗଲା ନାହିଁ । ଏହି ମକଦ୍ଦମାର ପ୍ରତିଧ୍ୱନି ବହୁଦିନ ପର୍ଯ୍ୟନ୍ତ ଶୁଣିବାକୁ ମିଳିଲା ।

 

ଆସାମୀମାନେ ହାଇକୋର୍ଟର ରାୟ ବିରୁଦ୍ଧରେ ପ୍ରିଭି କାଉନ୍‌ସିଲ ପର୍ଯ୍ୟନ୍ତ ଗଲେ କିନ୍ତୁ ସେମାନଙ୍କର ସମସ୍ତ ଚେଷ୍ଟା ବିଫଳତାରେ ପର୍ଯ୍ୟାବେସିତ ହେଲା । ଶେଷରେ ନଭେମ୍ବର ମାସରେ ଚୂଡ଼ାନ୍ତଭାବେ ସେମାନଙ୍କ ଅପିଲ ଖାରଜ ହେଲା । ସେମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରିବାର ଆଉ ଅବକାଶ ନଥିଲା । ସଫି ଅହମ୍ମଦ, ପାଣ୍ଡେ ଓ ଦିଘେକୁ ଅତିଶୀଘ୍ର ଫାଶୀ ଖୁଣ୍ଟରେ ଝୁଲିବାକୁ ପଡ଼ିଲା-

 

ଇତିମଧ୍ୟରେ ଏହି ମକଦ୍ଦମାର ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟ ଅନୁଭୂତ ହେଲା । ଶୁଣାଣିରୁ ମହାରାଜା ତୁକୋଜି ରାଓ ହୋଲ୍‌କର ମମତାଜକୁ ହରଣଚାଳ କରି ଆଣିବା ପାଇଁ ପ୍ରୋତ୍ସାହନ ଦେଇଥିଲେ ଅଥବା ମତାଇଥିଲେ ବୋଲି ସ୍ପଷ୍ଟ ହେଲା । ତେଣୁ ଘଟଣାକୁ ଏଇଠାରେ ଇମିତି ଛାଡ଼ି ଦେବା ପାଇଁ ସରକାର ପ୍ରସ୍ତୁତ ନୁହନ୍ତି ବୋଲି ଜାନୁଆରୀ ମାସରେ ଜଣାଗଲା । ଏ ଘଟଣାର ତଦନ୍ତ ପାଇଁ ଏକ କମିଶନ ବସିବ ଏବଂ ମହାରାଜା ନିଜ ସ୍ୱାର୍ଥ ଦୃଷ୍ଟିରୁ ହାଜର ହେବେ ବୋଲି ତାଙ୍କୁ ଜଣାଇ ଦିଆଗଲା; କିନ୍ତୁ ମହାରାଜା ସ୍ଵେଚ୍ଛାରେ ପଦତ୍ୟାଗ କରିବାକୁ ପସନ୍ଦ କଲେ । ତଦନୁଯାୟୀ ୧୯୨୫ ମସିହା ମାର୍ଚ୍ଚ ୧ ତାରିଖରେ ତୁକୋଜି ରାଓ ଇନ୍ଦୋର ସିଂହାସନ ତ୍ୟାଗ କଲେ ।

Image

 

ନାନାବତୀ ମକଦ୍ଦମା

 

ନାନାବତୀ ମକଦ୍ଦମା ସମ୍ପର୍କରେ ଜାଣିବା ପାଇଁ ସାରା ଭାରତବର୍ଷର ଲୋକଙ୍କ ମଧ୍ୟରେ ଯେପରି ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥିଲା ତାହା ଗତ କେତେ ବର୍ଷର ବିଚାର ବିଭାଗ ଇତିହାସରେ ବିରଳ । ଅଭିଯୁକ୍ତ ଆସାମୀଙ୍କର ପଦମର୍ଯ୍ୟାଦା ତାଙ୍କ ସହଧର୍ମିଣୀଙ୍କର ଅସାମାନ୍ୟା ସୌନ୍ଦର୍ଯ୍ୟ ଏବଂ ସେହି ରୂପସୀ ମହିଳାଙ୍କ ପ୍ରେମିକର ଅମାପ ସମ୍ପତ୍ତି ଓ ଦୁଃସାହସ; ଏ ସବୁ ମିଶି ସେହି ମକଦ୍ଦମାକୁ ଅତି ମାତ୍ରାରେ କୌତୂହଳଉଦ୍ଦୀପକ କରି ପକାଇଥିଲା । ଏହା ଭାରତରେ ହତ୍ୟାକାଣ୍ଡ ପାଇଁ ହୋଇଥିବା ମକଦ୍ଦମା ମଧ୍ୟରେ ସବୁଠାରୁ ବେଶି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ମକଦ୍ଦମାର ଶୁଣାଣି ଚାଲିଥିଲାବେଳେ କେତେକ ସମ୍ଭ୍ରାନ୍ତ ବିଶିଷ୍ଟ ମହିଳା ମଧ୍ୟ ପ୍ରେମ ଭଗବାନ ଆହୂଜାଙ୍କ ଅତୀତ ରୋମାନ୍‌ସର ନାୟିକା ଥିଲେ ବୋଲି ଘଟଣାଚକ୍ରରେ ଜଣାପଡ଼ିବା ଯୋଗୁଁ ଏହା ମଧ୍ୟ ଯୁଗପତ୍‌ ଆଗ୍ରହ ସୃଷ୍ଟି କରିଥିଲା ।

 

ଭାରତୀୟ ସେନାବାହିନୀର ଯେଉଁ ସବୁ ତୁଙ୍ଗ ଅଫିସରମାନେ ଦୀର୍ଘଦିନ ପାଇଁ ନିଜ ପରିବାରଠାରୁ ବିଛିନ୍ନ ହୋଇ ରହନ୍ତି ନାନାବତୀ ମକଦ୍ଦମା ସେମାନଙ୍କ ପାଇଁ ମଧ୍ୟ ଏକ ସମସ୍ୟା ସୃଷ୍ଟି କଲା । ପ୍ରତିରକ୍ଷା ବିଭାଗର କେତେକ ଅଫିସର ବିଶେଷକରି ଯେଉଁମାନେ ରୂପବତୀ ସ୍ତ୍ରୀ ରତ୍ନର ଅଧିକାରୀ ସେମାନେ ନାନାବତୀଙ୍କ କାର୍ଯ୍ୟର ଯଥାର୍ଥତା ପ୍ରତିପାଦିତ କରିବାକୁ ମଧ୍ୟ ପଛାଇଲେ ନାହିଁ ।

 

ସାପ୍ତାହିକ ବ୍ଲିଜ ଓ ଅନ୍ୟାନ୍ୟ ପତ୍ର ପତ୍ରିକାମାନଙ୍କରେ ଏ ମକଦ୍ଦମାକୁ ଯେଭଳି ଭାବେ ପ୍ରଚାର କରାଗଲା ତାହା ମଧ୍ୟ ଲୋକଙ୍କ ଜିଜ୍ଞାସାକୁ ଦ୍ୱିଗୁଣିତ କରି ପକାଇଲା । ଏହି ମକଦ୍ଦମାର ବିଭିନ୍ନ ପର୍ଯ୍ୟାୟରେ ବହୁ ଗୁରୁତ୍ଵପୂର୍ଣ୍ଣ ଆଇନଗତ ଓ ସାମ୍ବିଧାନିକ ପ୍ରଶ୍ନର ଉଦ୍‌ଭବ ହେଲା; କିନ୍ତୁ ସମସ୍ତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସୁପ୍ରିମ କୋର୍ଟ ଯେତେବେଳେ ସମସ୍ତଙ୍କ ସନ୍ଦେହର ଯବନିକା ଉନ୍ମୋଚନ କରି ବମ୍ବେ ହାଇକୋର୍ଟର ରାଏକୁ କାଏମ ରଖିଲେ ଏବଂ ହତ୍ୟାପରାଧରେ ନାନାବତୀଙ୍କୁ ଦୋଷୀ ସାବ୍ୟସ୍ତ କଲେ ସେତେବେଳେ ନାନାବତୀ ନିଜେ ନିଜ ବିଚାରରେ କାମ କରିଥିଲେ ଖୁବ୍‌ ଭଲ ହୋଇଥାନ୍ତା ଏବଂ ନିଜର ବନ୍ଧୁବର୍ଗ, ଜ୍ଞାତି କୁଟୁମ୍ବ ତଥା ଆଇନଜ୍ଞମାନଙ୍କର ପରାମର୍ଶ ନ ନେବା ଉଚିତ ହୋଇଥାନ୍ତା ବୋଲି ଭଲଭାବେ ହୃଦୟଙ୍ଗମ କରିଥିବେ ।

 

ନାନାବତୀ ମକଦ୍ଦମାର ମୁଖ୍ୟ ବିଷୟାବଳି ସମ୍ପର୍କରେ କେହି ହେଲେ ଦ୍ୱିମତ ପୋଷଣ କରୁ ନ ଥିଲେ । ହତ୍ୟାକାଣ୍ଡ ଘଟାଇଲାବେଳେ କମାଣ୍ଡର ନାନାବତୀ ଇଣ୍ଡିଆନ୍‌ ନାଭାଲ ଫ୍ଲାଗସିପ୍‌ ମହୀଶୂରର ସର୍ବୋଚ୍ଚ ଦ୍ଵିତୀୟ ପଦାରୂଢ଼ ଅଫିସର ଥିଲେ । ବମ୍ବେର ବିଖ୍ୟାତ ପାର୍ସ ପରିବାରର ସେ ଥିଲେ ଜଣେ ଯୋଗ୍ୟ ସନ୍ତାନ । ୧୯୪୯ ମସିହାରେ ଇଂଲଣ୍ଡର ପୋର୍ଟସ ମାଉଥ୍‌ ରେଜିଷ୍ଟ୍ରି ଅଫିସରେ ସେ ସିଲଭିଆ ନାମ୍ନୀ ଜଣେ ରୂପସୀ ଇଂରେଜ ତରୁଣୀଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ସାଢ଼େ ୯ ବର୍ଷ, ଗୋଟିଏ ଝିଅ ସାଢ଼େ ୫ ବର୍ଷ ଓ ଅନ୍ୟ ଏକ ପୁଅ ୩ ବର୍ଷର ଏହିପରି ତିନୋଟି ସନ୍ତାନ ଜାତ ହୋଇଥିଲେ । ବିବାହ ପରଠାରୁ ନାନାବତୀ, ନିଜର କର୍ତ୍ତବ୍ୟ ତାଡ଼ନାରେ ବହୁ ସ୍ଥାନରେ ରହିବା ପରେ ଶେଷରେ ଆସି ନାନାବତୀ ଦମ୍ପତି ବମ୍ବେରେ ବାସକଲେ । ବମ୍ବେରେ ସେମାନେ ପ୍ରେମ ଆହୂଜା ନାମକ ଜଣେ ଧନୀ ଯୁବକ ସହିତ ପରିଚିତ ହେଲେ । ସେହି ଯୁବକ ଜଣକ ନିଜର ଭରଣପୋଷଣ ପାଇଁ ଗାଡ଼ି ବ୍ୟବସାୟ କରୁଥିଲେ ବି ତାଙ୍କର ଅନ୍ୟାନ୍ୟ ବ୍ୟବସାୟ ଥିଲା । ସେ ଦେଖିବାକୁ ଖୁବ୍‌ ସୁନ୍ଦର ଥିଲା ଏବଂ ତାର ଆତିଥ୍ୟ ସମସ୍ତଙ୍କୁ ମୁଗ୍‌ଧ କରୁଥିଲା । ସେ ଯୁବତୀମାନଙ୍କୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ଆକୃଷ୍ଟ କରିପାରୁଥିଲେ । ମହିଳାମାନଙ୍କ ସାନ୍ନିଧ୍ୟରୁ ନିଜକୁ ବଞ୍ଚିତ କରି ନଥିଲେ ବି ସେ ଅବିବାହିତ ରହିଥିଲେ । ୧୯୫୭ ମସିହା ପର୍ଯ୍ୟନ୍ତ ମାରିନ୍‌ ଡ୍ରାଇଭରେ ନିଜ ଭଉଣୀ ସହ ଏକ ସୁନ୍ଦର ଫ୍ଲାଟ ‘ଶ୍ରେୟାଜ୍‌’ରେ ସେ ରହୁଥିଲେ ଏବଂ ପରେ ଭାଇ ଭଉଣୀ ମାଲବାର ହିଲ୍‌ର ଶୀତଳବାଦ ରୋଡ଼ରେ ଥିବା ଜୀବନ ଜ୍ୟୋତି କୋଠାକୁ ଉଠି ଅସିଲେ ।

 

ନାନାବତୀ ନୌବାହିନୀର ଜଣେ ଅଫିସରରୂପେ ବାରମ୍ବାର ବମ୍ବେରେ ନିଜର ସ୍ତ୍ରୀ ଓ ପିଲାପିଲିଙ୍କୁ ଛାଡ଼ି ବାହାରକୁ ଯାଉଥିଲେ । ଶୁଣାଣିରେ ଉପସ୍ଥାପିତ ହୋଇଥିବା ପ୍ରମାଣପତ୍ରରୁ ଜଣାଗଲା ଯେ ଆହୂଜା ଓ ସିଲଭିଆଙ୍କ ମଧ୍ୟରେ ହୋଇଥିବା ପରିଚୟ ପରେ ଘନିଷ୍ଠତାରେ ପରିଣତ ହୋଇଥିଲା; କିନ୍ତୁ ଆହୂଜାଙ୍କ ଅପେକ୍ଷା ସିଲଭିଆଙ୍କ ରୋମାନ୍‌ସର ମାତ୍ରା ଥିଲା ଅଧିକ । ସିଲଭିଆ, ଆହୂଜାଙ୍କ ସମସ୍ତ ଆହ୍ୱାନକୁ ଅଙ୍ଗୀକାର କରିଥିଲେ କିନ୍ତୁ ତାଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଥିଲା ଆହୂଜା ତାଙ୍କୁ ବିବାହ କରିବ କି ତାଙ୍କ ସହିତ ଖେଳି ଅନ୍ୟମାନଙ୍କୁ ଛାଡ଼ିଲା ଭଳି ଛାଡ଼ିଦେବ ।

 

ସମୁଦ୍ରରେ ଦୀର୍ଘ କେତେ ସପ୍ତାହ କଟାଇବା ପରେ ନାନାବତୀ ୧୯୫୯ ମସିହା ଏପ୍ରିଲ ୨୭ ତାରିଖ ଦିନ ବନ୍ଦରକୁ ଫେରି ଆସିଲେ । ଘରକୁ ଆସି ନାନାବତୀ ଦେଖିଲେ ସିଲଭିଆ କାହିଁକି ପୂର୍ବଭଳି ତାଙ୍କୁ ସ୍ଵାଗତ କରୁନାହାନ୍ତି, ଏବଂ କିପରି ଖାପଛଡ଼ା ହେଲାଭଳି ରହୁଛନ୍ତି । ସିଲଭିଆ ତାଙ୍କ ସ୍ଵାମୀଙ୍କ ପ୍ରତି କୃତଘ୍ନ ହୋଇଛନ୍ତି ବୋଲି ମଧ୍ୟ ଘଟଣା । ପ୍ରସଙ୍ଗରେ ସ୍ଵୀକାର କଲେ । ନାନାବତୀ ଅନୁମାନ କଲେ ତାଙ୍କ ଦାମ୍ପତ୍ୟ ଜୀବନର ସେହି କଣ୍ଟକ ଆହୂଜା ଛଡ଼ା ଅନ୍ୟ କେହି ହୋଇ ନପାରେ । ଆହୂଜା ମଧ୍ୟ ସିଲଭିଆ ପ୍ରତି ଯେପରି ଆକୃଷ୍ଟ ହେଉଥିବା ନାନାବତୀ ଲକ୍ଷ୍ୟ କରୁଥିଲେ ତାହା ତାଙ୍କ ସନ୍ଦେହକୁ ଦୃଢ଼ୀଭୂତ କଲା । କ୍ରୋଧରେ ଜର୍ଜରିତ ହୋଇ ନାନାବତୀ ନିଜ ଜାହାଜକୁ ଗଲେ ଏବଂ ଜାହାଜର ଷ୍ଟୋରରୁ ଗୋଟିଏ ରିଭଲଭର ଓ ଛ’ଟି ଗୁଳି ଆଣିଲେ । ସେ ରାସ୍ତାରେ ବହୁ ବାଟ ସପରିବାର ଯିବାକୁ ଥିବାରୁ ନିଜର ନିରାପତ୍ତା ପାଇଁ ରିଭଲଭର ନେଉଛନ୍ତି ବୋଲି ଜାହାଜରେ କହିଲେ । ଏହାପରେ ନାନାବତୀ ସିଧା ଆହୂଜା ଅଫିସକୁ ଗଲେ ଏବଂ ସେଠାରେ ତାଙ୍କୁ ନ ପାଇ ତାଙ୍କ ଫ୍ଲାଟକୁ ଯାଇ ସିଧାସଳଖ ଆହୂଜାଙ୍କ ଶୟନ କକ୍ଷରେ ପ୍ରବେଶ କଲେ, ସେ ଆହୂଜାଙ୍କୁ ଗାଧୋଉଥିବା ଦେଖିଲେ । ନାନାବତୀ ତିନିଥର ଗୁଳିଚାଳନା କଲେ । ଦୁଇଟି ଗୁଳି ଆହୂଜାଙ୍କ ଦେହରେ ବାଜିଲା ଓ ସେ ଘଟଣା ସ୍ଥଳରେ ଟଳିପଡ଼ିଲେ । ତୃତୀୟ ଗୁଳି କେଉଁ କାରଣରୁ କାହିଁକି କାଚ ଝରକାରେ ବାଜିଲା ତାହା ଅବଶ୍ୟ ନାନାବତୀ କହି ପାରିଲେ ନାହିଁ ।

 

ସେଠାରୁ ନାନାବତୀ ସିଧାସଳଖ ପୋଲିସ ଥାନାକୁ ଯାଇ ଆତ୍ମସମର୍ପଣ କଲେ । ତାଙ୍କୁ ସେଠାରେ ତୁରନ୍ତ ଗିରଫ କରାଗଲା । ଯଥାସମୟରେ ଭାରତିୟ ପିଙ୍ଗଳ କୋର୍ଡ଼ର ୩ୟ ଧାରା ଅନୁଯାୟୀ ସେସନସ୍‌ କୋର୍ଟରେ ତାଙ୍କର ଶୁଣାଣି ଆରମ୍ଭ ହେଲା ।

 

ଆହୂଜାଙ୍କୁ ମାରିବା ପରେ ସିଧାସଳଖ ସବୁକଥା ଖୋଲି କହିଦେବା ପାଇଁ ପ୍ରଥମେ ନାନାବତୀ ଭାବିଥିଲେ । ସେତେବେଳେ ଆକସ୍ମିକ ଦୁର୍ଘଟଣାବଶତଃ ଏହା ହୋଇଗଲା କି ତାଙ୍କ ପକ୍ଷର ଓକିଲ ଅନ୍ୟ ଯାହାସବୁ କହିଲେ ତାହା ତାଙ୍କ ମୁଣ୍ଡକୁ ଢୁକି ନଥିଲା । ଏହି କାଣ୍ଡ ଘଟାଇ ସାରିଲା ବେଳକୁ ତାଙ୍କ ପାଖରେ କିଏ ଓକିଲ ନଥିଲେ କି ତାଙ୍କର ଶୁଭେଚ୍ଛୁ ବନ୍ଧୁ ବର୍ଗ ନଥିଲେ । ତେଣୁ ସିଧାସିଧି ସବୁ କହି ଦେବାପାଇଁ ସେ ପ୍ରଥମେ ମନସ୍ଥ କରିଥିଲେ । ସେ କେବଳ ଯଦି ନିଜର ବିଚାର ବୁଦ୍ଧି ଓ ବିବେକ ଉପରେ ନିର୍ଭର କରିଥାନ୍ତେ ଏବଂ ବନ୍ଧୁବର୍ଗ ବା ଓକିଲମାନଙ୍କର ଶରବ୍ୟ ହୋଇ ନଥାନ୍ତେ ତେବେ ମାସ ମାସ ଧରି ମାନସିକ ଅଶାନ୍ତି ଭୋଗି ନଥାନ୍ତେ କି ବର୍ଷ ବର୍ଷ ଧରି ଜେଲରେ ରହି ନଥାନ୍ତେ । ନାନାବତୀଙ୍କର ଦୁର୍ଭାଗ୍ୟ ଯେ ସେ ତାଙ୍କର କକା ଜଣେ ଓକିଲ ତଥା ଏକ ବିଶିଷ୍ଟ ପାର୍ସ ଆଇନଜ୍ଞ ପ୍ରତିଷ୍ଠାନର ଅଂଶୀଦାର ଥିଲେ ।

 

ଦୁର୍ଘଟଣାବଶତଃ ଏହି କାଣ୍ଡ ଘଟିଯାଇଛି ବୋଲି କହିଲେ ନାନାବତୀଙ୍କର କିଛି ହେବ ନାହିଁ ବୋଲି ତାଙ୍କୁ ପରାମର୍ଶ ଦିଆଗଲା; କିନ୍ତୁ ଅନ୍ୟ ଯେ କୌଣସି ମୂର୍ଖ ବି ତାଙ୍କୁ ଏକଥା କହି ନ ଥାନ୍ତା କାରଣ ରିଭଲଭର ବା ଗନ୍‌ରୁ ଆକସ୍ମିକ ଭାବେ ଗୋଟିଏ ଗୁଳି ହୁଏତ ଫୁଟିଯାଇ ପାରେ କିନ୍ତୁ ମେସିନଗନ୍‌ ବା ସେହିଭଳି ଅନ୍ୟ କିଛି ମାରଣାସ୍ତ୍ର ନ ହେଲେ ଲାଗ ଲାଗ ଆକସ୍ମିକ ଭାବେ ତିନିଥର ଗୁଳି ଫୁଟିବା ଯେ ସମ୍ଭବ ନୁହେଁ ଏହା ଯେ କେହି ଲୋକ ଅନୁମାନ କରିପାରିବ ।

 

ନାନାବତୀ ତାଙ୍କର ଆତ୍ମପକ୍ଷ ସମର୍ଥନ କରି ଯାହା କହିଥିଲେ ଏବଂ ଫୌଜଦାରି ଦଣ୍ଡବିଧି ଆଇନର ୩୪୨ ଧାରା ଅନୁଯାୟୀ ଜେରାର ଉତ୍ତର ଦେଇ ଯାହା କହିଥିଲେ ତାହା ସଂକ୍ଷେପରେ ନିମ୍ନରେ ପ୍ରଦତ୍ତ ହେଲା । ନାନାବତୀ କହିଥିଲେ ଯେ, ସେ ୧୯୫୯ ମସିହା ଏପ୍ରିଲ ୬ ତାରିଖରୁ ସେହିବର୍ଷ ସେହି ମାସ ୧୮ ତାରିଖ ପର୍ଯ୍ୟନ୍ତ ଜାହାଜରେ ବାହାରକୁ ଯାଇଥିଲେ । ବମ୍ବେକୁ ଫେରିବା ପରେ ସେ ସସ୍ତ୍ରୀକ ଅହମ୍ମଦାବାଦକୁ ତିନି ଦିନ ପାଇଁ ଯାଇଥିଲେ । ସାଙ୍ଗରେ ତାଙ୍କ ସାନ ଭାଇ ଓ ଭାଇ ବୋହୂ ମଧ୍ୟ ଥିଲେ । ଅହମ୍ମଦାବାଦରୁ ସେମାନେ ବମ୍ବେ ଫେରିବା ପରେ ଭାଇ ଓ ଭାଇବୋହୂ ଚାଲିଗଲେ । ସେ ଦୁଇଜଣ ଯିବା ପରେ ନାନାବତୀ ଲକ୍ଷ୍ୟ କଲେ ଯେ ତାଙ୍କ ସ୍ତ୍ରୀ କିପରି ଅଦ୍ଭୁତ ଭାବେ ବ୍ୟବହାର କରୁଛନ୍ତି ଏବଂ ତାଙ୍କର କୌଣସି ନିବେଦନ ଗ୍ରହଣ କରୁନାହାନ୍ତି । ପ୍ରଶ୍ନକଲେ ସେ ଏହାକୁ ଏଡ଼ାଇ ଦେଉଛନ୍ତି । ୧୯୫୯ ମସିହା ଏପ୍ରିଲ ୨୭ ତାରିଖ ମଧ୍ୟାହ୍ନରେ ସେମାନେ ଭୋଜନ ବଢ଼ା ହେବାପାଇଁ ଅପେକ୍ଷା କରି ବସିଥିଲାବେଳେ ସେ ସୋହାଗରେ ନିଜ ସ୍ତ୍ରୀଙ୍କୁ ବାହୁ ବନ୍ଧନୀରେ ଆବଦ୍ଧ କଲେ କିନ୍ତୁ ସେ ଏହାକୁ ପୂର୍ବଭଳି ଗ୍ରହଣ ନକରି ତାଙ୍କର ହାତକୁ ଛାଟିଦେଲେ । ମଧ୍ୟାହ୍ନ ଭୋଜନ ପରେ ସେ ସ୍ତ୍ରୀଙ୍କୁ ତାଙ୍କ ଜୀବନରେ ଅନ୍ୟ କେଉଁ ପୁରୁଷର ସନ୍ଧାନ କରିଛନ୍ତି କି ବୋଲି ପ୍ରଶ୍ନକଲେ । ସ୍ତ୍ରୀ ଏହାର ସମ୍ମତି ସୂଚକ ଉତ୍ତର ଦେଲେ । ସେ ନିଜ ସ୍ଵାମୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ମଧ୍ୟ ମୁଣ୍ଡ ହଲେଇ ସୂଚନା ଦେଲେ । ଏଥିରୁ ତାଙ୍କ ସ୍ତ୍ରୀଙ୍କ ପ୍ରେମିକ ନିଶ୍ଚୟ ଆହୂଜା ହୋଇଥିବ ବୋଲି ସେ ଅନୁମାନ କଲେ । ନାନାବତୀ ପରେ ପିଲାମାନଙ୍କ କଥା ଉଠାଇଲେ । ଆହୂଜା ତାଙ୍କୁ ବିବାହ କରିବ କି ନାହିଁ ଏବଂ ପିଲାମାନଙ୍କ ଦେଖା ଚାହାଁ କରିବ କି ନାହିଁ ସେ ବିଷୟରେ ସିଲଭିଆ କିଛି ହେଲେ ସୂଚନା ଦେଲେ ନାହିଁ । ଏହା ପରେ ସେ ସିଧାସଳଖ ଆହୂଜା ସହିତ କଥା ଛିଣ୍ଡାଇ ଦେବାକୁ ସ୍ଥିର କଲେ । ସିଲଭିଆ ତାଙ୍କୁ ଆହୂଜା ଘରକୁ ନ ଯିବା ପାଇଁ ନିବେଦନ କଲେ କାରଣ ନାନାବତୀ ଆହୂଜାକୁ ଗୁଳି କରିଦେବେ ବୋଲି ସେ ଆଶଙ୍କା କରିଥିଲେ । କିନ୍ତୁ ଆହୂଜା ସହ ସିଧାସଳଖ କଥାଟାକୁ ଛିଣ୍ଡାଇ ଦେବା ପାଇଁ ସେ ବଦ୍ଧପରିକର ହୋଇଥିଲେ । ଏହାପରେ ସେ ତାଙ୍କ ସ୍ତ୍ରୀ ଦୁଇ ପିଲା ଓ ପଡ଼ିଶା ଘରର ଜଣେ ପିଲାକୁ ନେଇ ଏକ ସିନେମା ହଲରେ ଛାଡ଼ିଦେଲେ ଏବଂ ସୋ ଭାଙ୍ଗିଲା ବେଳକୁ ଆସି ସେମାନଙ୍କୁ ନେଇଯିବେ ବୋଲି କଥା ଦେଲେ । ସେଠାରୁ ସେ ନିଜ ଜାହାଜକୁ ଗଲେ ଏବଂ ଗୋଟିଏ ରିଭଲଭର ଓ ଛ’ଟି ଗୁଳି ଆଣିଲେ । ରିଭଲଭର ଆଣିଲାବେଳେ ସେ ଏକାକୀ ନିଜ ପରିବାର ସହ ରାତିରେ ଅହମ୍ମଦାବାଦ ଯାଉଥିବାରୁ ନିରାପତ୍ତା ଲାଗି ରିଭଲଭର ନେଉଛନ୍ତି ବୋଲି କହିଲେ ଯଦିବା ପ୍ରକୃତରେ ଆତ୍ମହତ୍ୟା ପାଇଁ ସେ ଏହା ଆଣିଥିଲେ (ତଥାପି ଏଥିପାଇଁ ଛ’ଟି ଗୁଳି ଦରକାର କ’ଣ)

 

ରିଭଲଭର ଓ ଛ’ଟି ଗୁଳି ଆଣିଲା ପରେ ସେ ରିଭଲଭରରେ ଗୁଳି ଭରିଲେ ଏବଂ ତାକୁ ଗୋଟିଏ ଧୂସର ଲଫାପା ଭିତରେ ରଖିଲେ । ସେଇଠୁ ସେ ଆହୂଜାର ଅଫିସକୁ ଗଲେ । ଆହୂଜାଙ୍କୁ ଅଫିସରେ ନ ଦେଖି ସେ ତାଙ୍କ ଘରକୁ ଗଲେ ଏବଂ ତାଙ୍କର ବେଡ଼୍‍ରୁମ ଭିତରେ ପଶି ଭିତରଆଡ଼ୁ କବାଟ ଦେଇଦେଲେ । ସାଙ୍ଗରେ ସେ ରିଭଲଭର ଥିବା ଖୋଳଟିକୁ ମଧ୍ୟ ନେଇଥାନ୍ତି । ନାନାବତୀ ସେତେବେଳେ ଆହୂଜାକୁ ଅସଭ୍ୟ ଘୁଷୁରି ବୋଲି ସମ୍ବୋଧନ କରି ସେ ସିଲଭିଆକୁ ବିବାହ କରିବ କି ଏବଂ ପିଲାମାନଙ୍କର ଦାୟିତ୍ୱ ନେବ କି ବୋଲି ପଚାରିଲେ । ନାନାବତୀଙ୍କ ବକ୍ତବ୍ୟ ଅନୁଯାୟୀ ଆହୂଜା ଏହାର ଉତ୍ତରରେ କହିଲେ ‘‘ମୁଁ ସାଙ୍ଗରେ ଧରି ଶୋଉଥିବା ପ୍ରତ୍ୟେକ ମହିଳାଙ୍କୁ କଣ ବିବାହ କରିବି ? ଏହି ଉତ୍ତରରେ ସେ ଉତ୍‌କ୍ଷିପ୍ତ ହୋଇପଡ଼ିଲେ ଏବଂ ସେହି ରିଭଲଭରକୁ ନିକଟବର୍ତ୍ତୀ ଏକ ସ୍ଥାନରେ ରଖି ଆହୂଜାକୁ ମାରିଦେବେ ବୋଲି ଧମକାଇଲେ । ଆହୂଜା ଏହା ଦେଖି ରିଭଲଭରଟିକୁ ନେଇଯିବ ବୋଲି ତଡ଼ିତ ବେଗରେ ମାଡ଼ି ଆସିଲେ; କିନ୍ତୁ ନାନାବତୀ ତତ୍‌କ୍ଷଣାତ ରିଭଲଭରଟିକୁ ଉଠାଇ ନେଇ ତାଙ୍କୁ ପଛକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଲେ । ଏହାପରେ ଦୁଇଜଣଙ୍କ ମଧ୍ୟରେ ସଂଘର୍ଷ ଲାଗିଗଲା ଏବଂ ସଙ୍ଘର୍ଷ ବେଳେ ଦୁଇଟି ଗୁଳି ଆକସ୍ମିକ ଭାବେ ଫୁଟିଯାଇ ଆହୂଜାଙ୍କ ଦେହରେ ବାଜିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଲା-। (କିନ୍ତୁ ତୃତୀୟ ଗୁଳିଟି କିମିତି ଫୁଟିଲା ତାହା ନାନାବତୀ ବୁଝେଇ ପାରିଲେ ନାହିଁ) । ଗୁଳିକାଣ୍ଡ ପରେ ନାନାବତୀ ନିଜ କାର୍‌କୁ ଫେରିଗଲେ ଏବଂ କାରରେ ଥାନାକୁ ଯାଇ ଆତ୍ମସମର୍ପଣ କଲେ । ସବିଶେଷ ବିବରଣୀକୁ ବାଦଦେଲେ ଆତ୍ମପକ୍ଷ ସମର୍ଥନ କରି ସୁପ୍ରିମ କୋର୍ଟ ଓ ହାଇକୋର୍ଟରେ ସେ ମୁଖ୍ୟତଃ ଏହି ବୟାନ ଦେଇଥିଲେ ।

 

ନାନାବତୀଙ୍କ ଓକିଲମାନେ ଦିନ ଦିନ ସପ୍ତାହ ସପ୍ତାହ ଧରି ବିଭିନ୍ନ ଅଦାଲତକୁ ଦୁର୍ଘଟଣାବଶତଃ ନାନାବତୀଙ୍କର ମୃତ୍ୟୁ ହୋଇଛି ବୋଲି ବୁଝାଇବାକୁ ଚେଷ୍ଟାକଲେ; କିନ୍ତୁ ଆଇନଜ୍ଞ ଯେତେ ବିଖ୍ୟାତ ହୋଇଥିଲେ ବି ଅବାସ୍ତବ କଥାକୁ ବାସ୍ତବ କରିବା ସମ୍ଭବ ନୁହେଁ । ଆହୂଜା ମୃତ୍ୟୁ ବେଳକୁ ନିଃସହାୟ ଅବସ୍ଥାରେ ବାଥ୍‌ଟବରେ ଥିଲେ ବା ଠିକ୍‌ ଟବ୍‌ରୁ ବାହାରିଥିଲେ । ସେ ନାନାବତୀଙ୍କ ହାତରେ ଗୁଳିମାଡ଼ ଖାଇ ପ୍ରାଣ ହରାଇଲେ । ନାନାବତୀ ଆତ୍ମ ସମର୍ପଣ କରିବା ପରେ ପୋଲିସ ଆଗରେ କିମ୍ବା ନିଜର କମାଣ୍ଡର ସାମୁଏଲଙ୍କ ଆଗରେ ଦୁର୍ଘଟଣା ତତ୍ତ୍ୱର ବୟାନ ଦେଇ ନ ଥିଲେ । ତେଣୁ ଦୁର୍ଘଟଣା କଥାଟା ବୋଧହୁଏ ତାଙ୍କ ଓକିଲମାନେ ପଛେ ସୃଷ୍ଟି କଲେ । କିନ୍ତୁ ଏ କଥାକୁ ବମ୍ବେର ଜୁରି ଛଡ଼ା ଅନ୍ୟ କେହି ବିଶ୍ୱାସ କଲେ ନାହିଁ । ଏହି ଜୁରିମଣ୍ଡଳୀରେ ଯେଉଁମାନେ ଥିଲେ ସେମାନେ ସମସ୍ତେ ହେଉଛନ୍ତି ବମ୍ବେ ପୋର୍ଟ ଟ୍ରଷ୍ଟର ଲୋକ ଏବଂ ସେହି ଟ୍ରଷ୍ଟର ଆଇନ ପରାମର୍ଶ ଦାତା ହେଉଛନ୍ତି ନାନାବତୀଙ୍କ କକାଙ୍କ ପ୍ରତିଷ୍ଠାନ ।

 

ସମସ୍ତଙ୍କ ଅନୁମାନ କ୍ରମେ ଜୁରିମଣ୍ଡଳୀ ନାନାବତୀଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କଲେ-। ଜୁରିମାନଙ୍କ ଭିତରୁ ୮ ଜଣ ନାନାବତୀଙ୍କ ଆତ୍ମପକ୍ଷ ସମର୍ଥନ ବୟାନ ଗ୍ରହଣ କରି ତାଙ୍କୁ ଖଲାସ କରାଯାଉ ବୋଲି ମତ ଦେଲେ କିନ୍ତୁ ଜଣେ ଜୁରି ଭିନ୍ନମତ ଘୋଷଣା କଲେ । ଏହି ଶୁଣାଣି ସେସନ୍‌ସ କୋର୍ଟରେ ଚାଲିଥିବାବେଳେ ଏହା ଦେଶର ପ୍ରତ୍ୟେକ କ୍ଲବ ଓ ମେସ୍‌ର ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିଲା ।

 

ପ୍ରେସିଡେନ୍‌ସି ଟାଉନ୍‌ମାନଙ୍କରେ ଜୁରିମଣ୍ଡଳୀ ଦ୍ୱାରା ବିଚାରପଦ୍ଧତି ପ୍ରଥମେ ୧୭୬୧ ମସିହାରେ ପ୍ରବର୍ତ୍ତନ କରାଯାଇଥିଲା । ଜୁରିମଣ୍ଡଳୀର ନିଷ୍ପତ୍ତି ଚୂଡ଼ାନ୍ତ ଓ ନିଧାର୍ଯ୍ୟ ବୋଲି ଧରାଯାଉଥିଲା କିନ୍ତୁ ସ୍ଥଳବିଶେଷରେ ଏହାର ପୁର୍ନବିଚାର ହୋଇ ପାରିବାର ମଧ୍ୟ ବ୍ୟବସ୍ଥା ଥିଲା । ଏହି ବ୍ୟବସ୍ଥା ପ୍ରବର୍ତ୍ତନ ଫଳରେ ଅନଭିଜ୍ଞ ଓ ଅଜ୍ଞ ଜୁରିମାନେ ବେଳେବେଳେ ଭୁଲ ରାୟମାନ ଦେବାରୁ ଯଥାର୍ଥ ନ୍ୟାୟ ପ୍ରତିଷ୍ଠା କରିବାରେ ମଧ୍ୟ ବାଧା ଉପୁଜୁଥିଲା । ୧୮୭୨ ମସିହାରେ ଏହି ବ୍ୟବସ୍ଥାର ପର୍ଯ୍ୟାଲୋଚନା କରାଗଲା ଏବଂ ଏଥିଲାଗି ଏକ କମିଟି ନିଯୁକ୍ତ ହେଲା । କମିଟିର ସୁପାରିଶ କ୍ରମେ ୧୮୭୨ ମସିହାରେ ଫୌଜଦାରି ଦଣ୍ଡବିଧି ସଂହିତାରେ ୨୬୨ ଧାରାର ପ୍ରବର୍ତ୍ତନ କରାଗଲା । ଏହି ଧାର ଅନୁଯାୟୀ ଯେଉଁ ଜୁରି ଓ ବିଚାରପତିଙ୍କ ମଧ୍ୟରେ ମତ ପାର୍ଥକ୍ୟ ହେବ ସେ କ୍ଷେତ୍ରରେ ବିଚାରପତି ଏ ବିଷୟକୁ ହାଇକୋର୍ଟକୁ ପଠାଇବାର କ୍ଷମତା ପାଇଲେ ଏବଂ କ୍ଷେତ୍ରରେ ହାଇକୋର୍ଟ ଏ ବିଷୟଟିକୁ ଏକ ଅପିଲରୂପେ ଗ୍ରହଣ କରିବାର ବିଧି ରହିଲା । ୧୮୮୨ ମସିହାରେ ଏହି ଧାରା ପୁଣି ଥରେ ସଂଶୋଧିତ ହେଲା ଏବଂ ଏହି ସଂଶୋଧନ ବ୍ୟବସ୍ଥାରେ ଅଦାଲତ ଜୁରିମଣ୍ଡଳୀଠାରୁ ପୂରାପୂରି ଭିନ୍ନମତ ପୋଷଣ କରି ପାରିବାର ବ୍ୟବସ୍ଥା ରହିଲା; କିନ୍ତୁ ଏବେ ଦଣ୍ଡ ସଂହିତାରେ ଏହି ଧାରା ଯେଉଁ ଅବସ୍ଥାରେ ରହିଛି ତାହା ବସ୍ତୁତଃ ୧୮୯୩ ମସିହାରେ ସଂଶୋଧନ ଆକାରରେ ପ୍ରବର୍ତ୍ତିତ ହୋଇଥିଲା ।

 

ଏହି ଆଇନର ଇତିହାସରୁ ଜଣାଯାଉଛି ଯେ ଅନଭିଜ୍ଞ ଜୁରିମାନଙ୍କ ବିଚାର ବିଭ୍ରାଟରୁ ମକଦ୍ଦମାକୁ ରକ୍ଷା କରିବା ପାଇଁ ଏହି ଧାରା ପ୍ରବର୍ତ୍ତିତ ହୋଇଥିଲା । ଭାରତୀୟ ଦଣ୍ଡବିଧି ସଂହିତାର ୩୦୭ ଧାରାରେ ଅଭିଯୁକ୍ତ ବ୍ୟକ୍ତି ଜୁରିମଣ୍ଡଳୀର ସୁବିଧା ପାଇବାର ବ୍ୟବସ୍ଥା ଥିଲେ ବି ସାମ୍ଭାବ୍ୟ ଅନ୍ୟାୟର ପ୍ରତିରୋଧ କରିବାର ମଧ୍ୟ ସମସ୍ତ ବ୍ୟବସ୍ଥା ଖଞ୍ଜା ଯାଇଛି ।

 

ନାନାବତୀଙ୍କ ବିରୁଦ୍ଧରେ ଆଇ ପି. ସି. ର ୩୦୨ ଧାରା ଏବଂ ବିକଳ୍ପ ଭାବେ ଆଇ. ପି. ସି. ର ୩୦୪ ଧାରା ପ୍ରଥମ ଭାଗ ଅନୁଯାୟୀ ନିନ୍ଦନୀୟ ଭାବେ ପର ଜୀବନ ନାଶ କିନ୍ତୁ ହତ୍ୟା ଅପରାଧ ନୁହେଁ ଅଭିଯୋଗ ଆଗତ କରାଯାଇଥିଲା । ତଦାନୀନ୍ତନ ବମ୍ବେର ସେସନ୍‌ସ ଜଜ୍‌ ଶ୍ରୀ ଆର. ବି. ମେହେଟ୍ଟା (ପରେ ଗୁଜୁରାଟ ହାଇକୋର୍ଟର ବିଚାରପତି ହୋଇଥିବା) ୯ ଜଣିଆ ଜୁରିମଣ୍ଡଳୀ ସହାୟତାରେ ଏହି ମକଦ୍ଦମାର ବିଚାର କଲେ । ପୂର୍ବୋକ୍ତ ମତେ ଜୁରିମଣ୍ଡଳୀ ଉଭୟ ଧାରା ଅନୁଯାୟୀ ନାନାବତୀ ଦୁର୍ଘଟଣା ନିର୍ଦ୍ଦୋଷ ବୋଲି ମତ ଦେଲେ ଏବଂ ଦୁର୍ଘଟଣା ବଶତଃ ଆହୂଜା ପ୍ରାଣ ହରାଇଥିବା କହିଲେ । ଜୁରିମାନେ ନିଜର ମତଦେଇ ଚାଲିଯିବା ପରେ ସେମାନଙ୍କ ମଧ୍ୟରୁ ଜନୈକା ବିଂଶବର୍ଷ ବୟସ୍କା ଯୁବତୀ ନାନାବତୀଙ୍କୁ ଚାହିଁ ଟିକିଏ ହସିଦେଲା । ତାଙ୍କର ଏ ହସ ଅବଶ୍ୟ ଜୁରିମଣ୍ଡଳୀ ନିଷ୍ପତ୍ତିର କିଛି ସମ୍ପର୍କ ନଥାଇ ପାରେ କାରଣ ନାନାବତୀ ଦେଖିବାକୁ ମଧ୍ୟ ଖୁବ୍‌ ସୁନ୍ଦର ଥିଲେ । ଜୁରିମାନଙ୍କର ଏ ନିଷ୍ପତ୍ତିକୁ ଅଦାଲତ କକ୍ଷରେ ଉପସ୍ଥିତ ଥିବା ହଜାର ହଜାର ଲୋକ ସ୍ୱାଗତ କଲେ ।

 

କିନ୍ତୁ ନାନାବତୀ ଓ ତାଙ୍କ ବନ୍ଧୁ ବର୍ଗଙ୍କ ପାଇଁ ଏହା ଥିଲା ଏକ କ୍ଷଣିକ ଆନନ୍ଦ । ସେସନ୍‌ସଜଜ୍‌ ନିଜର ମତ ଦେଇ କହିଲେ ଯେ ଜୁରିମଣ୍ଡଳୀର ନିଷ୍ପତ୍ତି ସହିତ ସେ ଏକମତ ନୁହନ୍ତି-। ତାଙ୍କ ବିଚାରରେ ଉପସ୍ଥାପିତ ହୋଇଥିବା ପ୍ରମାଣପତ୍ରକୁ ଭିତ୍ତିକରି କୌଣସି ବ୍ୟକ୍ତିବିଶେଷ ବା ମଣ୍ଡଳୀ ଜୁରିମାନେ ପହଞ୍ଚି ଥିବା ନିଷ୍ପତ୍ତି ସହିତ ସହମତ ହୋଇ ପାରିବ ନାହିଁ ।

 

ବିଚାରପତି ମେହେଟ୍ଟା ଫୌଜଦାରି ଦଣ୍ଡବିଧି ଆଇନର ୩୦୭ ଧାରାରେ ଥିବା କ୍ଷମତା ପ୍ରୟୋଗ କରି ଏ ବିଷୟଟିକୁ ବିଚାର ନିମନ୍ତେ ବମ୍ବେ ହାଇକୋର୍ଟକୁ ପଠାଇବା ପାଇଁ ନିଷ୍ପତ୍ତି କଲେ-। ଜୁରିମଣ୍ଡଳୀର ନିଷ୍ପତ୍ତିକୁ କାହିଁକି ମାନିନେଇ ପାରୁନାହାନ୍ତି ତାହା ମଧ୍ୟ ସେଥିରେ ଉଲ୍ଲେଖ କଲେ । ବିଚାରପତିଙ୍କ ଏତାଦୃଶ ନିଷ୍ପତ୍ତି ଫଳରେ ଆସାମୀଙ୍କ ଭାଗ୍ୟ କଣ ହେବ ତାହା ଏକ ପ୍ରକାର ସ୍ଥିର ହୋଇଗଲା ।

 

ଯଥାସମୟରେ ବମ୍ବେ ହାଇକୋର୍ଟର ମାନ୍ୟବର ବିଚାରପତି ଶ୍ରୀ ସେଲାତ ଓ ଶ୍ରୀ ନାୟକଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚରେ ଏହାର ବିଚାର ଆରମ୍ଭ ହେଲା । ବେଳେବେଳେ ବିଚାରପତିମାନଙ୍କ ମୁଣ୍ଡ କିପରି କାମ କରେ ତାହା ଯେଉଁମାନେ ଜାଣନ୍ତି ସେମାନେ ନାନାବତୀ ସହଜରେ ଛାଡ଼ି ପାଇଯିବେ ନାହିଁ ବୋଲି ଜାଣିଗଲେ ।

 

ନାନାବତୀଙ୍କୁ ଅବଶ୍ୟ ଏ ବିଚାର ସୁହାଇଲା ନାହିଁ । ଦୁଇଜଣଯାକ ବିଚାରପତି ସ୍ଵତନ୍ତ୍ର ଭାବେ କିନ୍ତୁ ସମସିଦ୍ଧାନ୍ତପୂର୍ଣ୍ଣ ରାୟ ଦେଲେ । ଭାରତୀୟ ପିଙ୍ଗଳ କୋର୍ଡ଼ର ୩୦୨ ଧାରା ଅନୁଯାୟୀ ଆସାମୀ ହତ୍ୟା ଅପରାଧରେ ଦୋଷୀ ବୋଲି ଉଭୟେ ସାବ୍ୟସ୍ତ କରି ନାନାବତୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଲେ ।

 

ବିଚାରପତି ଶ୍ରୀ ସେଲାତ ତାଙ୍କର ଦୀର୍ଘ ତଥା ସତର୍କତାପୂର୍ଣ୍ଣ ରାୟରେ କହିଥିଲେ ଯେ ଜୁରିମଣ୍ଡଳୀକୁ ଏ କ୍ଷେତ୍ରରେ ଭୁଲ ଦିଗରେ ପରିଚାଳିତ କରାଯାଇଛି । ସେ ସବୁ ପ୍ରମାଣପତ୍ରର ପର୍ଯ୍ୟାଲୋଚନା କଲାପରେ ଆସାମୀ ହତ୍ୟା ଅପରାଧରେ ଦୋଷୀ ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଏବଂ ଜୁରିମଣ୍ଡଳୀ ଯେଉଁ ନିଷ୍ପତ୍ତି ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଅଯୌକ୍ତିକ ଓ ଶୁଣାଣିବେଳେ ଦାଖଲ କରାଯାଇଥିବା ପ୍ରମାଣପତ୍ରର ପରିପନ୍ଥୀ ତାଙ୍କର ହୃଦବୋଧ ହୋଇଛି ।

 

ଗୁଳିମାଡ଼ ଏବଂ ଏ ସମ୍ପର୍କରେ ଆତ୍ମପକ୍ଷ ସମର୍ଥନକାରୀଙ୍କ ବୟାନ ସମ୍ପର୍କରେ ସେସନ୍‌ସ ଜଜ ଜୁରିମଣ୍ଡଳୀକୁ ନିମ୍ନମତେ ଅଭିହିତ କରାଇଥିଲେ ।

 

ମୁଁ ଅଧିକ କିଛି କହିବା ପୂର୍ବରୁ ୮୦ ଧାରା ସମ୍ପର୍କରେ ଟିକିଏ ସୂଚନା ଦେବାକୁ ଯାଉଛି-। ଆତ୍ମପକ୍ଷ ସମର୍ଥନକାରୀଙ୍କ ବୟାନରୁ ଆପଣମାନେ ଜାଣନ୍ତି ଯେ ରିଭଲଭରକୁ ଅଧିକାର କରିବା ପାଇଁ ଦୁଇ ଜଣଙ୍କ ମଧ୍ୟରେ ସଙ୍ଘର୍ଷ ଲାଗିଥିଲାବେଳେ ଆକସ୍ମିକ ଭାବେ ଗୁଳି ଫୁଟିଯାଇଛି । କୌଣସି ସଙ୍ଘର୍ଷ ବା ଯୁଦ୍ଧ କୌଣସି ଲୋକକୁ ନିର୍ଦ୍ଦୋଷ କରିଦିଏ ନାହିଁ । କେବଳ ଆକସ୍ମିକ ଦୁର୍ଘଟଣା ହିଁ କୌଣସି ଲୋକକୁ ଫୌଜଦାରି ଦଣ୍ଡଭୋଗରୁ ମୁକ୍ତି ଦେଇପାରେ କାରଣ ସଙ୍ଘର୍ଷ ବା ଦ୍ଵନ୍ଦ୍ୱ ଏ ଉଭୟ କ୍ଷେତ୍ରରେ ଆତତାୟୀ ଆକ୍ରାନ୍ତକୁ କାବୁ କରିଦେଇ ହତ୍ୟା କରିପାରେ । ତେଣୁ ସଙ୍ଘର୍ଷ ବା ଦ୍ୱନ୍ଦ ଆତତାୟୀକୁ ଫୌଜଦାରି ଦଣ୍ଡବିଧିରୁ ରକ୍ଷା କରିବା ପାଇଁ ଅସମର୍ଥ । ସଙ୍ଘର୍ଷ, ଦ୍ୱନ୍ଦ ବା ଅନ୍ୟ ଯେ କୌଣସି କ୍ଷେତ୍ର ହେଉ କେବଳ ଆକସ୍ମିକ ଦୁର୍ଘଟଣା ହିଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୌଜଦାରୀ ଦାୟିତ୍ୱରୁ ମୁକ୍ତ କରିପାରେ । (୮୦ ଧାରା ପଠିତ ହେଲା) ଆଇ. ପି. ସି.ର ୮୦ ଧାରାରେ ଥିବା ବର୍ଣ୍ଣନାରୁ ଆପଣମାନେ ଜାଣିଲେ ଯେ ଆସାମୀ ଏହି ବ୍ୟତିକ୍ରମର ସୁବିଧା ପାଇବାକୁ ହେଲେ କେତେଗୁଡ଼ିଏ ସର୍ତ୍ତ ପୂରଣ କରୁଥିବା ଆବଶ୍ୟକ । ସେ କରିଥିବା କାର୍ଯ୍ୟ ଆକସ୍ମିକ ଭାବେ ବା ଦୁର୍ଭାଗ୍ୟବଶତଃ ହୋଇଥିବା ଆବଶ୍ୟକ । ସେଭଳି କାର୍ଯ୍ୟ କରିବା ମୂଳରେ କୌଣସି ଫୌଜଦାରୀ ଅଭିଳାଷ ନ ଥିବ ଏବଂ ଆଇନାନୁମୋଦିତ ମାର୍ଗରେ ସେହି କାର୍ଯ୍ୟ ସଂପନ୍ନ ହୋଇଥିବ । ଅଧିକନ୍ତୁ ସେଭଳି କାର୍ଯ୍ୟ କଲାବେଳେ ଯଥାସମ୍ଭବ ଯତ୍ନ ଓ ସତର୍କତା ଅବଲମ୍ବନ କରାଯାଇଥିବ । ଉପସ୍ଥିତ କ୍ଷେତ୍ରରେ ଦୁର୍ଘଟଣାବଶତଃ ଗୁଳି ଫୁଟି ଯାଇଛି ବୋଲି କହିଲେ ଆଖି ଆଗରେ ରଖି ଉପସ୍ଥାପିତ ହୋଇଥିବା ପ୍ରମାଣପତ୍ରରୁ ଦୁର୍ଘଟଣା ତତ୍ତ୍ୱ ନିର୍ଦ୍ଧାରିତ ହୋଇପାରୁଛି କି ନାହିଁ ତାହାକୁ ପରୀକ୍ଷା କରିବାକୁ ପଡ଼ିବ । କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ଆସାମୀ ସେଫଟି କ୍ୟାଚ ବିହୀନ ଏକ ଗୁଳିଭରା ରିଭଲଭର ନେଇ ଅନ୍ୟ ଜଣକ ଘରକୁ କଥାବାର୍ତ୍ତା କରିବା ପାଇଁ ଯିବା ଏବଂ ଯାହା ପାଖକୁ କଥାବାର୍ତ୍ତା କରିବା ପାଇଁ ଯାଉଛନ୍ତି ତା’ଠାରୁ ସନ୍ତୋଷଜନକ ଉତ୍ତର ନ ପାଇଲେ ତାକୁ ଧ୍ୱଂସ କରିଦେବା ପାଇଁ ପ୍ରସ୍ତୁତ ହୋଇ ରହିବାଟା ଉପରୋକ୍ତ ମର୍ମରେ ଯତ୍ନ ଓ ସତର୍କତା ଅବଲମ୍ବନର ସୂଚନା ଦିଏ କି ନାହିଁ ତାହା ବିଚାର୍ଯ୍ୟ । ଆପଣମାନଙ୍କୁ ଏଠାରେ ଆଉ ଗୋଟାଏ କଥା ମଧ୍ୟ ବିଚାର କରିବାକୁ ପଡ଼ିବ । ତାହା ହେଉଛି ହାତରେ ଗୁଳିଭରା ରିଭଲଭର ଧରି ପରେ ଏହାକୁ ପାଖରେ ରଖିଦେବା କାର୍ଯ୍ୟଟି ଏକ ଯତ୍ନଶୀଳ ଓ ସତର୍କତା ଅବଲମ୍ବନମୂଳକ କାର୍ଯ୍ୟ କି ? ଏହା ହେଉଛି ଏକ ବିଷୟଗତ ପ୍ରଶ୍ନ ଏବଂ ବିଷୟବସ୍ତୁର ବିଚାରକ ଭାବେ ଆପଣମାନଙ୍କୁ କହିବାକୁ ପଡ଼ିବ, ଆସାମୀ ଯାହା କଲା ତାହା ଆଇନାନୁମୋଦିତ ପନ୍ଥାରେ ଓ ଆଇନସମ୍ମତ ଭାବେ ଏବଂ ଯଥାସମ୍ଭବ ଯତ୍ନ ସହକାରେ ଏ କାର୍ଯ୍ୟ କରିଛି କି ନାହିଁ । ଯଦି ସେ ଏଭଳିଭାବେ କରିଥିବ ତେବେ ତାହାକୁ ଦୁର୍ଘଟଣା ବା ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରାଯିବ । ଆମ୍ଭେମାନେ ପ୍ରମାଣପତ୍ର ବିଚାରକୁ ନେଲାବେଳେ ଏହି ଧାରାଟିକୁ ସର୍ବଦା ଖିଆଲ ରଖିଥିବେ ।

 

ଉପରୋକ୍ତ ମର୍ମରେ ଜୁରିମଣ୍ଡଳୀକୁ ଅଭିହିତ କରି ସେସନ୍‌ସ ଜଜ୍‌ ଜୁରିମାନଙ୍କୁ ଭୁଲ ବାଟରେ ନେଇଗଲେ ବୋଲି ହାଇକୋର୍ଟ ମତ ଦେଲେ । ହାଇକୋର୍ଟଙ୍କ ମତରେ ସେସନ୍‌ସ ଜଜ୍‌ ଏ କ୍ଷେତ୍ରରେ ଅପରାଧ ଓ ବ୍ୟତିକ୍ରମର ଉପାଦାନଗୁଡ଼ିକୁ ଏକାଠି ମିଶାଇ ଦେଲେ । ଅପରାଧର ଉପାଦାନ ଓ ବ୍ୟତିକ୍ରମର ଉପାଦାନ ମାନଙ୍କ ଭିତରେ ଥିବା ପାର୍ଥକ୍ୟକୁ ସେସନ୍‌ସ ଜଜ୍‌ ଭଲଭାବେ ଜୁରିମାନଙ୍କ ଆଗରେ ଉପସ୍ଥାପିତ କଲେ ନାହିଁ । ଯେଉଁ କ୍ଷେତ୍ରରେ ଅସାମୀ ଭାରତୀୟ ପିଙ୍ଗଳ କୋର୍ଡ଼ର ୮୦ଧାରାରେ ବର୍ଣ୍ଣିତ ଏକ ବ୍ୟତିକ୍ରମକୁ ଆଶ୍ରୟ କରେ ସେ କ୍ଷେତ୍ରରେ ତା ବିରୁଦ୍ଧରେ ସ୍ଵତଃ ଏକ ପ୍ରମାଣବିହୀନ ବିଷୟକୁ ସତ୍ୟରୂପେ ଧରି ନିଆଯାଏ ବୋଲି ସେ ଜୁରିମାନଙ୍କୁ ମଧ୍ୟ କହିନାହାନ୍ତି । ଏହାଛଡ଼ା ସହସା ଅତିମାତ୍ରାରେ ଉତ୍ତେଜିତ ହୋଇ ପଡ଼ିଥିବା ପ୍ରଶ୍ନ ଉପରେ ମଧ୍ୟ ଟ୍ରାଏଲ କୋର୍ଟ ଭୁଲ ଦିଗଦର୍ଶନ ଦେଇଛନ୍ତି ବୋଲି ହାଇକୋର୍ଟ ମନ୍ତବ୍ୟ ଦେଇଥିଲେ । ସହସା ଉତ୍ତେଜିତ ହୋଇପଡ଼ି ଏ କାର୍ଯ୍ୟ କରିଥିବା ପ୍ରମାଣିତ ହୋଇଥିଲେ ଆସାମୀ ୩୦୪ ଧାରା ପ୍ରଥମ ଭାଗର ସୁବିଧା ପାଇ ପାରି ନଥାନ୍ତେ । ଏହି ପ୍ରଶ୍ନ ଉପରେ ସେଲାତ୍‌ ନିମ୍ନଲିଖିତ ମନ୍ତବ୍ୟ ଦେଇଥିଲେ ।

 

‘‘ନିଜ ସ୍ତ୍ରୀ ପରପୁରୁଷ ପ୍ରତି ଆସକ୍ତ ହୋଇଛି ବୋଲି ସ୍ୱୀକାର କରିବା ଫଳରେ ଆସାମୀ ହଠାତ୍‌ ଉତ୍ତେଜିତ ହୋଇ ପଡ଼ିଥିଲେ କି ନାହିଁ ତାହା ଆଇନ୍‌ ବିଚାର କରିବ । କିନ୍ତୁ ମୋ ମତରେ ବିଜ୍ଞ ସେସନ୍‌ସ ଜଜ୍‌ ଜୁରିମାନଙ୍କୁ ସମଗ୍ର ପ୍ରଶ୍ନଟି ବାସ୍ତବିକ ସତ୍ୟ କି ନୁହେଁ ତାହା ବିଚାର କରିବାକୁ ପଡ଼ିବ ବୋଲି କହିବାଟା ଭୁଲ ହୋଇଛି । ସ୍ତ୍ରୀର ସ୍ଵୀକାରୋକ୍ତି ଫଳରେ ସହସା ଉତ୍ତେଜିତ ହୋଇ ଆସାମୀ ମୃତ ଆହୂଜା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଥିଲା କି ନାହିଁ ତାହା ଆଇନର ପ୍ରଶ୍ନ ଏବଂ ବିଜ୍ଞ ସେସନ୍‌ସ ଜଜ୍‌ ତାହା ନିଜେ ନିଷ୍ପତ୍ତି କରିଥାନ୍ତେ । ଏଇ ପ୍ରଶ୍ନଟିକୁ ନିଜେ ସମାଧାନ କରିବା ପରିବର୍ତ୍ତେ ସେ ଜୁରିମଣ୍ଡଳୀ ଉପରେ ଛାଡ଼ିଦେବାଟା ତାଙ୍କ ପକ୍ଷେ ଭୁଲ ହୋଇଛି ।

 

ହାଇକୋର୍ଟ ଆତ୍ମପକ୍ଷ ସମର୍ଥନକାରୀଙ୍କ ଦୁର୍ଘଟଣାତତ୍ତ୍ୱ ଏବଂ ସହସା ଉତ୍ତେଜିତ ହୋଇ ଏ କାର୍ଯ୍ୟ କରିଥିବାର ଯୁକ୍ତିକୁ ଖାରଜ କରିଦେଇ ଆସାମୀ ଉଦ୍ଦେଶ୍ୟମୂଳକ ଭାବେ ଜାଣିଶୁଣି ଏ ହତ୍ୟାକାଣ୍ଡ ଘଟାଇଛି ବୋଲି ମତଦେଇ ଯାବଜ୍ଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ ।

 

ଇତିମଧ୍ୟରେ ସାଧାରଣ ଲୋକେ କମାଣ୍ଡର ନାନାବତୀ, ତାଙ୍କ ପତ୍ନୀ ସିଲଭିଆ ଓ ଆହୂଜାଙ୍କ ବିଷୟରେ ସ୍ୱାଭାବିକ ରୀତିରେ ଭୁଲିଗଲେ । ନାନାବତୀ ସୁପ୍ରିମକୋର୍ଟ ଗଲେ କିନ୍ତୁ ତିନିଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ବେଞ୍ଚ ତାଙ୍କର ଅପିଲକୁ ଖାରଜ କରିଦେଲେ । ବିଚାରପତି ସୁବ୍‌ବା ରାଓ ଉକ୍ତ ବେଞ୍ଚର ସର୍ବସମ୍ମତି ରାୟ ଘୋଷଣା କରି କହିଥିଲେ—

 

ସମସ୍ତ ପ୍ରମାଣପତ୍ର ବିଚାର କରିବା ପରେ ଜଣାଯାଉଛି, ମୃତବ୍ୟକ୍ତି ଆସାମୀର ସ୍ତ୍ରୀକୁ ଭ୍ରଷ୍ଟଚରିତ୍ର କରିଛି । ମୃତବ୍ୟକ୍ତି ସହିତ ଅବୈଧ ସମ୍ପର୍କ ସ୍ଥାପନ କରିଥିବା ସେ ନିଜ ସ୍ୱାମୀ ଆଗରେ ସ୍ଵୀକାର କରିଛି । ତେଣୁ ସ୍ଵାଭାବିକଭାବେ ଆସାମୀ ଏହା ଶୁଣି ମୃତ ବ୍ୟକ୍ତିର ଆଚରଣରେ କ୍ରୁଦ୍ଧ ହୋଇଛି ଏବଂ ନିଜର ପଥ ନିଷ୍କଣ୍ଟକ କରିଦେବା ପାଇଁ ଭାବିଛି । ଏହାପରେ ସେ ଜାଣିଶୁଣି ଏକ ମିଥ୍ୟା ଆଳ ଦେଖାଇ ରିଭଲଭର ଆଣି ଆହୂଜାର ଘରକୁ ଯାଇଛି ଏବଂ ଆହୂଜାର ଶୟନ କକ୍ଷରେ ବିନାନୁମତିରେ ହାତରେ ଏକ ଗୁଳିଭରା ରିଭଲଭର ସହ ପ୍ରବେଶ କରିଛି । ଏହାର କେତେକ ମୁହୂର୍ତ୍ତ ପରେ ରିଭଲଭରରୁ ଗୁଳି ଫୁଟିଛି । ନିହତ ବ୍ୟକ୍ତି ନିଜର ଗାଧୁଆଘରେ ଗୁଳିମାଡ଼ ଖାଇ ଟଳି ପଡ଼ିଛି । ଯେଉଁ ଗୁଳିରେ ଅହୂଜାର ମୃତ୍ୟୁ ହେଲା ତାହା ଯେ ଆସାମୀର ରିଭଲଭରରୁ ଫୁଟିଥିଲା ଏଥିରେ ଦ୍ୱିମତ ହେବାର କିଛିନାହିଁ । ଗୁଳିମାଡ଼ ପରେ ଏବଂ ସେସନ୍‌ସ କୋର୍ଟରେ ବିଚାର ଆରମ୍ଭ ହେବା ପର୍ଯ୍ୟନ୍ତ ଦୁର୍ଘଟଣାବଶତଃ ଏହି କାଣ୍ଡ ଘଟିଯାଇଛି ବୋଲି ଆସାମୀ କେଉଁଠି ହେଲେ କହିନାହିଁ । ବସ୍ତୁତଃ ସେ ଚୌକିଦାର ପୂରଣ ସିଂହ ଆଗରେ ନିଜର ଦୋଷ ସ୍ୱୀକାର କରିଛି ଏବଂ ନିଜବନ୍ଧୁ ସାମୁଏଲ ଆଗରେ ମଧ୍ୟ ଏକଥା କହିଛି । ଗାଧୁଆ ଘରେ ଦୁଇ ଜଣଙ୍କ ମଧ୍ୟରେ ସଂଘର୍ଷ ହେଲା ବୋଲି ଯାହା କୁହାଯାଇଛି ତାହା ମନଗଢ଼ା ଏବଂ ଏଥିରେ ସଂଘର୍ଷର ଆବଶ୍ୟକୀୟ ବିବରଣୀ ମଧ୍ୟ ନାହିଁ । ନିହତ ବ୍ୟକ୍ତି ଶରୀରରେ ଯେଉଁ କ୍ଷତ ହୋଇଛି ତାହା କେବଳ ଲକ୍ଷ୍ୟକରି ଗୁଳି ମାରିଲେ ହିଁ ସମ୍ଭବ ହେବ ଏବଂ ତାର ହୋଇଥିବା ମୁଖ୍ୟ କ୍ଷତ ମଧ୍ୟ ଦୁର୍ଘଟଣା ବଶତଃ ଆତତାୟୀ ଓ ଆକ୍ରାନ୍ତ ପରସ୍ପର କୁଣ୍ଢାକୁଣ୍ଢି ହୋଇଥିଲା ବେଳେ ଗୁଳିଫୁଟି ଯିବାରୁ ହୋଇନାହିଁ । ପ୍ରମାଣପତ୍ରରେ ଅନ୍ୟ ଯେଉଁ ଅବସ୍ଥାର ଚିତ୍ର ଦିଆଯାଇଛି ସେଥିରେ ଦୁଇଜଣଙ୍କ ମଧ୍ୟରେ ହାତାହାତି ସଂଘର୍ଷ ହୋଇଥିବାର କିଛି ପ୍ରମାଣ ନାହିଁ ।

 

ଆମେ ତେଣୁ ବିନା ଦ୍ଵିଧାରେ ହାଇକୋର୍ଟର ମତକୁ କାଏମ ରଖି କହୁଛୁ ଯେ ଆସାମୀ ଜାଣିଶୁଣି ନିହତ ବ୍ୟକ୍ତିକୁ ଗୁଳିକରି ହତ୍ୟା କରିଛି ବୋଲି ପ୍ରସିକ୍ୟୁସନ ସନ୍ଦେହ ମୁକ୍ତ ଭାବେ ପ୍ରମାଣିତ କରିପାରିଛି ।

 

ବିଚାରପତି ସୁବା ରାଓ ଆହୁରି ମଧ୍ୟ କହିଥିଲେ କି ଏହି ନୀତିଗୁଡ଼ିକୁ ଆଖି ଆଗରେ ରଖି ମକଦ୍ଦମାର ବିଷୟବସ୍ତୁ ପର୍ଯ୍ୟାଲୋଚନା କରାଯାଉ । ସିଲଭିଆ ନିଜସ୍ଵାମୀ ଆଗରେ ଆହୂଜା ସହିତ ଅବୈଧ ସମ୍ପର୍କ ରଖିଥିବା ସ୍ୱୀକାର କଲାବେଳେ ଆହୂଜା ସେଠାରେ ନଥିଲା ମନେ କରନ୍ତୁ । ଆମେ ଏଇଠି ଧରିନେବା ଯେ ଏଇକଥା ଶୁଣି ନାନାବତୀ କିଛିକ୍ଷଣ ପାଇଁ ଆତ୍ମ ନିୟନ୍ତ୍ରଣ ହରାଇ ବସିଥିଲା । ନାନାବତୀଙ୍କର ଉକ୍ତି ଯଦି ସତ୍ୟ ହୁଏ ଏବଂ ଯୁକ୍ତିଯାଇଁ ତାଙ୍କର ବକ୍ତବ୍ୟକୁ ଯଦି ମଧ୍ୟ ସତ୍ୟ ବୋଲି ଧରି ନିଆଯାଏ—ତେବେ ସେଥିରୁ ଜଣାପଡ଼ିବ ଯେ ଏକଥା ଶୁଣି ନାନାବତୀ ତାଙ୍କ ସ୍ତ୍ରୀ ଓ ପିଲାପିଲିଙ୍କ ଭବିଷ୍ୟତ କଥା ହିଁ ଚିନ୍ତା କରୁଥିଲେ ଏବଂ ଆହୂଜାଙ୍କୁ ତାଙ୍କର ଏତାଦୃଶ ଆଚରଣ ସଂକ୍ରାନ୍ତରେ ଏ କୈଫିୟତ ତଲବ କରିବାକୁ ଭାବୁଥିଲେ ଆସାମୀର ଏହି ମନୋଭବରୁ ପ୍ରତୀୟମାନ ହେଉଛି ଯେ ସେତେବେଳେ ଆସାମୀର କେବଳ ଆତ୍ମ ନିୟନ୍ତ୍ରଣ ନଥିଲା । ସେ ଭବିଷ୍ୟତ କଥା ମଧ୍ୟ ଚିନ୍ତା କରୁଥିଲେ । ଏହାପରେ ସେ ଗାଡ଼ିରେ ସ୍ତ୍ରୀ ଓ ପିଲାମାନଙ୍କୁ ସିନେମା ନେଲେ, ସେମାନଙ୍କୁ ସେଠାରେ ଛାଡ଼ିଲେ, ସେଠାରୁ ଜାହାଜକୁ ଗଲେ, ମିଥ୍ୟା ଆଳରେ ରିଭଲଭର ଆଣିଲେ I ଛ’ଟି ଗୁଳି ଭର୍ତ୍ତି କଲେ, କେତେକ ସରକାରୀ କାମକଲେ ଏବଂ ଏସବୁ ସାରି ଗାଡ଼ିରେ ଆହୂଜା ଅଫିସକୁ ଗଲେ, ସେଠାରେ ତାକୁ ନ ପାଇ ତା ଘରକୁ ଗଲେ ଏବଂ ତାକୁ ଗୁଳିକରି ହତ୍ୟାକଲେ I ମଧ୍ୟାହ୍ନ ସାଢ଼େ ଗୋଟାକରୁ ସେ ନିଜ ଘର ଛାଡ଼ିବା ପରଠାରୁ ଅପରାହ୍ନ ୪ଟା ୨୦ରେ ହତ୍ୟା କାଣ୍ଡ ଘଟିବା ଭିତରେ ତିନିଘଣ୍ଟା ଅତିବାହିତ ହୋଇ ଯାଇଥିଲା ଏବଂ ସେ ଆତ୍ମନିୟନ୍ତ୍ରଣ ହରାଇଥିଲେ ମଧ୍ୟ ଏଇ ସମୟ ଭିତରେ ପୁନର୍ବାର ଆତ୍ମନିୟନ୍ତ୍ରଣ ଫେରାଇ ଆଣିବାର ଯଥେଷ୍ଟ ସୁଯୋଗ ପାଇଥିଲେ । ଅପର ପକ୍ଷରେ ତାଙ୍କ କାମରୁ ଏହି ହତ୍ୟାକାଣ୍ଡ ସୁନିଶ୍ଚିତ ଉପାୟରେ ଏବଂ ଉଦ୍ଦେଶ୍ୟମୂଳକ ଭାବେ ଘଟିଯାଇଥିବା ବୋଧ ହେଉଛି । ଆସାମୀ ଓ ଆକ୍ରାନ୍ତ ମଧ୍ୟରେ ଯେପରି କଥାବାର୍ତ୍ତା ହୋଇଥିଲା ବୋଲି ଆସାମୀ କହୁଛି ତାକୁ ଆମେ ବିଶ୍ୱାସ ନ କଲେ ମଧ୍ୟ ଯଦି ସତ୍ୟ ବୋଲି ଧରିନିଆଯାଏ ତେବେ ବି ଏହା ଆସାମୀର ନିହତ ବ୍ୟକ୍ତି ପ୍ରକୋଷ୍ଠରେ ପ୍ରବେଶ ଓ ପରେ ତାକୁ ହତ୍ୟାକରି ଥିବା ପ୍ରଶ୍ନର ସମାଧାନ କରି ପାରିବ ନାହିଁ । ଗୁଳି କରିବା ପୂର୍ବରୁ ଆସାମୀ ନିହତ ବ୍ୟକ୍ତିକୁ ଗାଳି ଦେଇଥିଲା ଏବଂ ଏହା ଶୁଣି ନିହତ ବ୍ୟକ୍ତି ଅନୁରୂପ ଜବାବ ଦେଇଥିବାରୁ ତାହା ଆସାମୀକୁ ଗୁଳି ଚଳାଇବା ପାଇଁ ଉତ୍ୟକ୍ତ କରି ପକାଇଲା ବୋଲି କଳ୍ପନା କରାଯାଇ ନ ପାରେ । ତେଣୁ ଆମ ମତରେ ଏ ମକଦ୍ଦମାରେ ଯେଉଁ ସବୁ ତଥ୍ୟ ଓ ବିଷୟବସ୍ତୁର ଅବତାରଣା କରାଯାଇଛି ତାହା ଭାରତୀୟ ପିଙ୍ଗଳ କୋର୍ଡ଼ ୩୦୦ ଧାରାରେ ଥିବା ପ୍ରଥମ ବ୍ୟତିକ୍ରମ ବ୍ୟବସ୍ଥା ସହ ଖାପ ଖାଉ ନାହିଁ ।

 

ନାନାବତୀଙ୍କୁ ହତ୍ୟାପରାଧରେ ଦୋଷୀ ସାବ୍ୟସ୍ତ କରି ହାଇକୋର୍ଟ ଦଣ୍ଡାଦେଶ ଦେବା ପରେ ସେ ସୁପ୍ରିମକୋର୍ଟ ଅପିଲ କରିବା ପାଇଁ ‘ସ୍ପେଶିଆଲ ଲିଭ୍‌’ ନିମନ୍ତେ ଆବେଦନ କଲେ । ଏହି ଆବେଦନ ଉପରେ ଶୁଣାଣି ଚାଲିଥିଲାବେଳେ କେତେକ ଅନାବଶ୍ୟକ କାଣ୍ଡ ଘଟିଗଲା ଯାହାର ପରିଣତି ନାନାବତୀଙ୍କ ପାଇଁ ଶୁଭଙ୍କରୀ ହେଲା ନାହିଁ ।

 

ବମ୍ବେର ସେସନ୍‌ସ ଜଜ୍‌ ଏହି ମାମଲା ହାଇକୋର୍ଟକୁ ପଠାଇବା ତାରିଖରେ ଗ୍ରହଣ କଲେ ଏବଂ ତାଙ୍କୁ ଯାବଜୀବନ କାରାଦଣ୍ଡାଦେଶ ଦେଲେ । ତାଙ୍କୁ ଯେଉଁ ଦିନ ଦଣ୍ଡାଦେଶ ଦିଆଗଲା ସେହିଦିନ ବମ୍ବେର ରଜ୍ୟପାଳ ନିମ୍ନମତେ ଏକ ନିର୍ଦ୍ଦେଶ ଜାରି କଲେ ।

 

‘‘ଭାରତୀୟ ସମ୍ବିଧାନର ୧୬୧ ଧାରାରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ମୁଁ ଜୟପ୍ରକାଶ ବମ୍ବେର ରାଜ୍ୟପାଳ କମାଣ୍ଡର କେ. ଏମ୍‌. ନାନାବତୀଙ୍କ ବିରୁଦ୍ଧରେ ୧୯୫୯ ମସିହା ୪ର୍ଥ ଅଧିବେଶନର ସେସନ୍‌ସ କେଶ ନମ୍ବର ୨୨ ରେ ବମ୍ବେ ହାଇକୋର୍ଟ ଯେଉଁ ଦଣ୍ଡବିଧାନ କରିଛନ୍ତି ତାକୁ ଆନନ୍ଦର ସହିତ ଅସ୍ଥାୟୀଭାବେ ବାତିଲ (ସସ୍‌ପେଣ୍ଡ) କରୁଛି । କମାଣ୍ଡର ନାନାବତୀ ହାଇକୋର୍ଟର ରାୟ ବିରୁଦ୍ଧରେ ନିଜ ଇଚ୍ଛାମତେ ଅପିଲ କରିବା ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ ହୋଇଥିବା ଦଣ୍ଡାଦେଶ କାର୍ଯ୍ୟକାରୀ ହେବ ନାହିଁ ଏବଂ ସେ ଇତିମଧ୍ୟରେ ‘‘ଆଇ, ଏନ୍. ଏସ୍‌. କୁଣ୍ଡଳି’’ ରେ ଥିବା ନୌବାହିନୀ ଜେଲ ତତ୍ତ୍ୱାବଧାନରେ ରହିବେ ।’’

 

ହାଇକୋର୍ଟଙ୍କ ରାୟ ଅନୁଯାୟୀ ଅଦାଲତର ହୁକୁମନାମା ଜାରି ହେଲା । ସେସନ୍‌ସ ଜଜ ବିଧି ଅନୁଯାୟୀ ଆସାମୀକୁ ଗିରଫ କରିବା ପାଇଁ ପରଓ୍ୱାନା ଜାରିକରି ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବୃହତ୍ତର ବମ୍ବେର ସିଟି ସେସନ୍‌ସ କୋର୍ଟର ପୋଲିସ୍‌ ଅଫିସରଙ୍କ ନିକଟକୁ ପଠାଇଦେଲେ । କିନ୍ତୁ ଇତିମଧ୍ୟରେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ମୁତାବକ ନାନାବତୀଙ୍କ ବିରୁଦ୍ଧରେ ହୋଇଥିବା ଦଣ୍ଡାଦେଶ ସସ୍‌ପେଣ୍ଡ ହୋଇ ଯାଇଥିବାରୁ ସେହି ଗିରଫ ପରଓ୍ୱାନା କାର୍ଯ୍ୟକାରୀ ନ ହୋଇ ଫେରି ଆସିଲା । ସେସନ୍‌ସ ଜଜ ଅଦାଲତର ହୁକୁମନାମା କର୍ଯ୍ୟକାରୀ ହୋଇ ପାରି ନଥିବା ପରଓ୍ୱାନା ରୂପେ ହାଇକୋର୍ଟ ଡିଭିଜନ ବେଞ୍ଚକୁ (ଯେଉଁ ଡିଭିଜନ ବେଞ୍ଚ ରାୟ ଦେଇଥିଲେ) ଫେରାଇ ଦେଲେ । ନିଜ କର୍ତ୍ତୁତ୍ୱ ପ୍ରତି ହୋଇଥିବା ଏତାଦୃଶ ଆହ୍ୱାନ ଆଗରେ ହାଇକୋର୍ଟ ସହଜରେ ମୁଣ୍ଡ ନୁଆଁଇଲେ ନାହିଁ । ରାଜ୍ୟପାଳ ଅସ୍ଵାଭାବିକ ଭାବେ ଏକ ଅଭୂତପୂର୍ବ ନିର୍ଦ୍ଦେଶ ଦେଇଥିବାରୁ ହାଇକୋର୍ଟର ଏକ ବୃହତ୍ତର ବେଞ୍ଚରେ ଏହା ବିଚାର ହେବା ବିଧେୟ ବୋଲି ଡିଭିଜନ ବେଞ୍ଚ ସ୍ଥିର କଲେ । ତଦନୁଯାୟୀ ହାଇକୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ବେଞ୍ଚରେ ଏହାର ଶୁଣାଣି ହେଲା ।

 

ଏହି ପ୍ରଶ୍ନ ଉପରେ ଦୀର୍ଘ ଦିନ ଧରି ଯୁକ୍ତିତର୍କ ଚାଲିଲା । ଏହି ତର୍କରେ ବମ୍ବେର ଆଡ଼ଭୋକେଟ ଜେନେରାଲ ବମ୍ବେ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଅର୍ଡ଼ର ସପକ୍ଷରେ ଯୁକ୍ତି କରିବା ଅବକାଶରେ ଆସାମୀଙ୍କ ସହ ଗୋଟିଏ ନୌକାର ଯାତ୍ରୀ ହେଲେ । ଏଥିରେ ବହୁ ଜଟିଳ ଓ ଗୁରୁତର ପ୍ରଶ୍ନମାନ ଜଡ଼ିତ ଥିବାରୁ ହାଇକୋର୍ଟ ପଶ୍ଚିମ ଭାରତ ଆଡ଼ଭୋକେଟ ଆସୋସିଏସନ ଓ ବମ୍ବେ ବାର୍‌ ଆସୋସିଏସନକୁ ମଧ୍ୟ ଏହି ତର୍କରେ ଭାଗ ନେବାକୁ ଅନୁମତି ଦେଲେ । ହାଇକୋର୍ଟ ରାଜ୍ୟପାଳଙ୍କ ଆଦେଶକୁ ଅବଶ୍ୟ କାଏମ ରଖିଲେ କିନ୍ତୁ ବିନା ଦ୍ୱିଧାରେ ନୁହେଁ ।

 

ଏହାପରେ ନାନାବତୀ ସ୍ପେସିଆଲ ଲିଭ ନିମନ୍ତେ ସୁପ୍ରିମ କୋର୍ଟକୁ ନିବେଦନ କଲେ । କିନ୍ତୁ ସୁପ୍ରିମ କୋର୍ଟର ନିୟମାନୁଯାୟୀ ପ୍ରଥମେ ଆସାମୀ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଦଣ୍ଡାଦେଶ ବିରୁଦ୍ଧରେ କରିଥିବା ଆବେଦନର ଶୁଣାଣି ହୋଇ ପାରିବ ନାହିଁ । ଏହି ବିଧି ବ୍ୟବସ୍ଥାର ଛାଡ଼ ପାଇବା ପାଇଁ ନାନାବତୀ ଆବେଦନ କଲେ ।

 

ପୁନର୍ବାର ସୁପ୍ରିମ କୋର୍ଟରେ ଏକ ନୂଆ ନାଟକ ମଞ୍ଚସ୍ଥ ହେଲା । ନାନାବତୀଙ୍କ ଏହି ଆବେଦନର ଶୁଣାଣି ସୁପ୍ରିମ କୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ବେଞ୍ଚରେ ଚାଲିଲା । ସେହି ପାଞ୍ଚଜଣ ବିଚାରପତି ହେଲେ (ବି. ପି. ସିହ୍ନା, ଚିଫ୍‌ ଜଷ୍ଟିସ୍‌, କାପୁର, ପି, ବି, ଗଜେନ୍ଦ୍ର ଗଡ଼କର, ସୁବା ରାଓ ଓ୍ୟାଞ୍ଚୁ) । ସୁପ୍ରିମକୋଟ ଚାରି ଏକ ଭୋଟରେ ନାନାବତୀଙ୍କ ଆବେଦନକୁ ଖାରଜ କରିଦେଲେ ।

 

ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରି ଦେବାରୁ ନାନାବତୀଙ୍କୁ ବେସାମରିକ କର୍ତ୍ତୁତ୍ୱ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିଲା ଏବଂ ସୁପ୍ରିମ କୋର୍ଟରେ ସ୍ପେସିଆଲ ଲିଭ୍‌ ପାଇଁ ସେ ଦେଇଥିବା ଆବେଦନର ବିଚାର ହେବା ପୂର୍ବରୁ ତାଙ୍କୁ ଜେଲକୁ ଯିବାକୁ ପଡ଼ିଲା । ଅପିଲ କରିବା ପାଇଁ ସେ ସ୍ପେସିଆଲ ଲିଭ୍‌ ପାଇଲେ କିନ୍ତୁ ସମୟକ୍ରମେ ତାଙ୍କ ଅପିଲ ଖାରଜ ହେଲା ଏବଂ ହାଇକୋର୍ଟ ତାଙ୍କ ବିରୁଦ୍ଧରେ ଦେଇଥିବା ଦଣ୍ଡାଦେଶ କାଏମ ରହିଲା ।

 

ନାନାବତୀ ମୋକଦ୍ଦମା ଦୀର୍ଘ କେତେମାସ ପାଇଁ ବମ୍ବେ ମହାନଗରୀ ତଥା ଦେଶର କେତେକ ସ୍ଥାନରେ ଚର୍ଚ୍ଚାର ମୁଖ୍ୟ ବିଷୟ ଥିଲା । ସେସନ୍‌ସ ଜଜ୍‌ ଏହି ମୋକଦ୍ଦମାଟିକୁ ହାଇକୋର୍ଟର ବିଚାର ନିମନ୍ତେ ପଠାଇଦେବା ପରେ ମୁଁ ସେସନସ୍‌ ଜଜ ଶ୍ରୀ ଆର ବି. ମେହେଟାଙ୍କ ସହିତ ଏକ ଚା ଭୋଜିରେ ସାକ୍ଷାତ କରିଥିଲି । ତାଙ୍କ ସହିତ ସେତେବେଳେ ହୋଇଥିବା ଆଲୋଚନାର ଅବତାରଣା କରିବା ଏଠାରେ ଉଚିତ ହେବ ବୋଲି ମୁଁ ମନେ କରୁଛି । ସେସନ୍‌ସ ଜଜ ଶ୍ରୀ ମେହେଟା କହିଲେ ଯେ, ନାନାବତୀ ଯଦି ୩୦୪ ଧାର ୧ମ ଭାଗ ଅନୁଯାୟୀ ଆଗତ ଅଭିଯୋଗ ସଂକ୍ରାନ୍ତରେ ନିଜର ଦୋଷ ସ୍ୱୀକାର କରିନେଇ ଥାଆନ୍ତେ ଏବଂ ଈର୍ଷା ଓ କ୍ରୋଧ ବଶବର୍ତ୍ତୀ ହୋଇ ସେ ଏହି କାଣ୍ଡ କରି ପକାଇଛନ୍ତି ବୋଲି କହି ଦେଇଥାନ୍ତେ ତେବେ ଶ୍ରୀ ମେହେଟ୍ଟା ତାଙ୍କର ଏ ଯୁକ୍ତିକୁ ଗ୍ରହଣ କରି ନାମକୁମାତ୍ର ଦିନକ ପାଇଁ ଜେଲଦଣ୍ଡ ଦେଇ କଚେରୀ ଭାଙ୍ଗିଲା ପର୍ଯ୍ୟନ୍ତ, ସବୁକଥା ଛିଡ଼େଇ ଦେବା ମତଲବ ତାଙ୍କର ଥିଲା । ନାନାବତୀଙ୍କ ଓକିଲଙ୍କୁ ମଧ୍ୟ ଶୁଣାଣି ଆରମ୍ଭ ହେବା ପୂର୍ବରୁ ଶ୍ରୀ ମେହେଟା ଏହି ସୂଚନା ଦେଇଥିଲେ ଏବଂ ପବ୍ଲିକ୍‌ ପ୍ରସିକ୍ୟୁଟର ଶ୍ରୀ ଟି. ଏସ୍‌. ତ୍ରିବେଦୀ ମଧ୍ୟ ଏହିଭଳି ଏକ ପ୍ରସ୍ତାବକୁ ପୂରାପୂରି ଅନୁମୋଦନ କରିଥିଲେ; କିନ୍ତୁ ଆସାମୀଙ୍କ ଓକିଲ ଏହି ପରାମର୍ଶ ଗ୍ରହଣ କଲେ ନାହିଁ ।

 

ନାନାବତୀଙ୍କ ମୋକଦ୍ଦମାର କେତେକ ସୁଦୂରପ୍ରସାରୀ ପ୍ରତିକ୍ରିୟା ପଡ଼ିଲା । ନାନାବତୀ ମକଦ୍ଦମାର ବିଚାର ନିମନ୍ତେ ବାଛି ବାଛି ସମର୍ଥନ କଲା ଭଳି ଜୁରିମାନଙ୍କୁ ହିଁ ଅଣାଯାଇଥିଲା ବୋଲି ସନ୍ଦେହ ସୃଷ୍ଟି ହେବାରୁ ପରବର୍ତ୍ତୀ କାଳରେ ବମ୍ବେରେ ଜୁରି ବ୍ୟବସ୍ଥାକୁ ପୂରାପୂରି ବାତିଲ କରି ଦିଆଗଲା ।

 

ନାନାବତୀ ତିନିବର୍ଷ ଜେଲ ଖଟିବା ପରେ ତାଙ୍କୁ କ୍ଷମା ଦିଆଯାଇ ଛାଡ଼ି ଦିଆଗଲା ।

 

ନାନାବତୀଙ୍କ କ୍ଷେତ୍ରରେ ଯେପରି ଦଣ୍ଡାଦେଶ ସସ୍‌ପେଣ୍ଡ କରାଯାଇ ତାଙ୍କ ପ୍ରତି ଅନ୍ୟମାନଙ୍କ ଅପେକ୍ଷା ସ୍ଵତନ୍ତ୍ର ବ୍ୟବହାର ପ୍ରଦର୍ଶନ କରାଗଲା । ହାଇକୋର୍ଟ ସେଥିପାଇଁ କଟୂମନ୍ତବ୍ୟ ଦେଇଥିଲେ । ନାନାବତୀଙ୍କ ଭଳି ଯେଉଁମାନେ ପ୍ରଭାବଶାଳୀ ନୁହନ୍ତି ବା ଉଚ୍ଚପଦରେ ଆସୀନ ନୁହନ୍ତି ସେମାନେ ହୁଏତ ଏଭଳି ବ୍ୟବହାର କିମ୍ବା ସୁବିଧା ପାଇ ନ ଥାନ୍ତେ ନାଥୁରାମ ଗଡ଼ସେର ଭାଇ ବିଚାରା ଗୋପାଳ ଗଡ଼ସେ ହତ୍ୟା ଅପରାଧରେ ଜେଲରେ ୨୧ବର୍ଷ କଟାଇଲା ପରେ ମଧ୍ୟ ସରକାରଙ୍କ ଦୁଆରେ ମୁଣ୍ଡ ବାଡ଼େଇ ଥକିଲାଣି ତାକଥା କେହି ଶୁଣିବାକୁ ନାହିଁ । ତା କ୍ଷେତ୍ରରେ ସୁପ୍ରିମ କୋର୍ଟ ନିଜର ମତ ଦେଇ କହିଥିଲେ । ଯେ ଯାବଜ୍ଜୀବନ କାରାଦଣ୍ଡର ଅର୍ଥ ଜୀବନଯାକ କାରବାସ । ଗୋପାଳ ଗଡ଼ସେ ନାନାବତୀ ନୁହନ୍ତି ତେଣୁ ତା କଥା ଶୁଣିବ ବା କିଏ । କିନ୍ତୁ ନାନାବତୀ ପ୍ରାୟ ତିନିବର୍ଷ ଜେଲ ଭୋଗିଲା ପରେ ମୁକ୍ତ ହୋଇଗଲା ।

 

ଯାହାହେଉ ନାନାବତୀ ଖଲାସ ହେବା ପରେ ମହାରାଷ୍ଟ୍ର ସରକାର ଗୋପାଳ ଗଡ଼ସେଙ୍କୁ ଅଧିକକାଳ ଜେଲରେ ରଖିବାର ଯଥାର୍ଥତା ପ୍ରତିପାଦନ କରି ପାରିଲେ ନାହିଁ ତେଣୁ ଦ୍ଵିଧାଗ୍ରସ୍ତ ହୋଇ ଖଲାସ କରିବା ନିମନ୍ତେ ବାଧ୍ୟ ହେଲେ ।

 

ଭାରତରେ ‘‘ପ୍ରେମ ଓ ହତ୍ୟାର’’ ଧାରାବାହିକ ବିବରଣୀ ଭିତରେ ଏହି ଅଭୂତପୂର୍ବ ମକଦ୍ଦମା ବିଷୟରେ ପଦେ କହିଲେ ଅପ୍ରାସଙ୍ଗିକ ହେବ ନାହିଁ । ଶୁଣାଣି କାଳରେ ଜଣେ ବୀର ଯୋଦ୍ଧା ବା ସାମରିକ ଅଫିସର ହିସାବରେ ନାନାବତୀଙ୍କ ଠାରୁ ଯେପରି ସତ୍ୟନିଷ୍ଠା ଓ ସାହସ ଆଶା କରାଯିବା କଥା ତାହା ସେ ପ୍ରଦର୍ଶନ କରି ନଥିବା ଗଭୀର ପରିତାପର ବିଷୟ । ସେ ଅନ୍ୟଦ୍ୱାରା ପରିଚାଳିତ ନ ହୋଇ ନିଜ ବିଚାରବୁଦ୍ଧି ଅନୁଯାୟୀ କାମ କରିଥିଲେ ବୋଧହୁଏ ଖୁବ ଭଲ କରିଥାନ୍ତେ । ସିଲଭିଆ ଏହିଭଳି ବିପଦ କାଳରେ ଯେପରି ସାହସ ପ୍ରଦର୍ଶନ କଲେ ଓ ତ୍ୟାଗର ଦୃଷ୍ଟାନ୍ତ ଦେଖାଇଲେ ତାହା ବାସ୍ତବିକ ପ୍ରଶଂସନୀୟ । ଯେଉଁମାନେ ନାନାବତୀ ଘଟଣା ଭଲଭାବେ ଜାଣନ୍ତି ସେମାନଙ୍କ ମତରେ ସିଲଭିଆ ନିଜ ସ୍ଵାମୀଙ୍କ ଜୀବନ ରକ୍ଷା କରିବା ପାଇଁ ନିଜର ଚରିତ୍ର ଓ ସୁନାମକୁ ଯେପରି ବଳିଦେଲେ ତାହା ତୁଳନାରେ ସେ ଏଥିପାଇଁ ପାଇଥିବା ପ୍ରଶଂସା ବେଶୀ କିଛି ନହେଁ ।

 

କୌଣସି ରୂପବତୀକୁ ଭଲ ପାଇ ନିଜର ସହଧର୍ମିଣୀ ରୂପେ ବରଣ କରି ତାର ପାଦତଳେ ନିଜର ପ୍ରେମ ଅର୍ଘ୍ୟ ନିବେଦନ କରି ସାରିବା ପରେ ଯଦି ଜଣେ ଦେଖେ ନିଜର ସମସ୍ତ ପ୍ରତିବାଦ ବିନିମୟରେ ଯେଉଁ ଅନୁରାଗ ବା ପ୍ରୀତି ପାଇବା ଲାଗି ଚେଷ୍ଟା କରୁଥିଲା, ତାହା ଅନାୟାସରେ ଅନ୍ୟ ଜଣେ ପାଇଯାଇଛି ତାର ଅବସ୍ଥା ସତେ କି ଦୟନୀୟ ନ ହୁଏ ।
 

ସେହିଭଳି ଯେଉଁ ମହିଳା ସ୍ଵାମୀଙ୍କ ପ୍ରେମ ଚାରିରେ ନିଜ ଆତ୍ମାକୁ ସିକ୍ତ କରିବାରେ ଅକ୍ଷମ ହୁଏ ଏବଂ ଦ୍ୱିତୀୟ ପୁରୁଷର ବାହୁବନ୍ଧନୀ ତାକୁ ଶାନ୍ତି ଦିଏ ତାର ମଧ୍ୟ ଭାଗ୍ୟର କି ବିପର୍ଯ୍ୟୟ ନ ହୁଏ ।

 

ନାନାବତୀ କ’ଣ ଏହିଭଳି ଜଣେ ହତଭାଗ୍ୟ ବ୍ୟକ୍ତି ଥିଲେ ? ଆମେ ଅବଶ୍ୟ ତାହା ନିଶ୍ଚିତ ଭାବେ କହିପାରିବୁ ନାହିଁ ।

 

ସିଲିଭିଆ କ’ଣ ସେଭଳି ଜଣେ ଦୁଃଖିନୀ ଥିଲେ । ୧୯୫୯ ମସିହା ଏପ୍ରିଲ ୨୭ ତାରିଖ ମଧ୍ୟାହ୍ନ ଭୋଜନ ବେଳେ କମାଣ୍ଡର ନାନାବତୀ ଓ ସିଲଭିଆଙ୍କ ଭିତରେ ବାସ୍ତବରେ କଣ ହୋଇଥଲା ତାହା ବୋଧହୁଏ ଆମେ ଆଦୌ ଜାଣି ପାରିବୁ ନାହିଁ ।

Image